Unknown

 

 

 

 

 

 

 

 

 

 

 

ଅଚିହ୍ନା ପୃଥିବୀ

ରାମଚନ୍ଦ୍ର ବେହେରା

 

ସୂଚୀପତ୍ର

 

୧.

ମୁଖଶାଳା

୨.

ଅନ୍ୟ ଅନୁଭୂତି

୩.

ଅଭିନୟ

୪.

ପାଚେରୀ

୫.

ଦୁଇଟି ବ୍ରାକେଟ

୬.

ସର୍ବଶେଷ ଚିଠା

୭.

ଗ୍ୟାରେଜ

୮.

ଚଉତିଶା

୯.

ସର୍ବସାଧାରଣଙ୍କ ପୃଥିବୀ

୧୦.

ପୋଷ୍ଟଅଫିସ

୧୧.

ଏକ ସାକ୍ଷାତକାର ପରେ

୧୨.

ଝୁଲି ରହିବା ସମ୍ପର୍କରେ

୧୩.

ଅଚିହ୍ନା ପୃଥିବୀ

୧୪.

ଲେଉଟାଣି

୧୫.

ଶେଷ ଚିଠି

୧୬.

ଆଗନ୍ତୁକ

Image

 

ମୁଖଶାଳା

 

ରେଲ ଗାଡ଼ିରେ ବସିବା ଏବଂ ସର୍ବବୃହତ୍‌ ସହରକୁ ଯିବା ସେଇ ହେବ ତପନର ପ୍ରଥମ-। ଏଥିପାଇଁ ଗାଁରେ ତା’ର ଜୀବନ ଧାରା ଏକ ଅଭୂତପୂର୍ବ ଚାଞ୍ଚଲ୍ୟ ଓ ଅସ୍ଥିରତାରେ ସ୍ପନ୍ଦିତ ହୋଇଥିଲା ଅନ୍ତତଃ ଦଶଦିନ ଆଗରୁ । ବିଲରୁ ଧାନ କାଟି ଭାର-ବାଡ଼ିର ଦୁଇ ପାଖରେ ଦୁଇଟି କଳେଇ ବୋହି ସେ ଖଳାକୁ ଆଣୁଥିଲା; ବଡ଼ି ଭୋରୁ ବେଙ୍ଗଳା ଉପରେ ବଳଦ ଅଡ଼ାଉଥିଲା, ରାତିରେ ଆଗାମୀ ବାହାଘର କଥା ଚିନ୍ତା କରୁଥିଲା ସତ; କିନ୍ତୁ ଏତେ ଗୁଡ଼ାଏ ବାଟ ଅତିକ୍ରମ କରି ଏକୁଟିଆ ଏଡ଼େବଡ଼ ସହରରେ ପହଞ୍ଚିବା କଥା ଭାବିବାକ୍ଷଣି ସେ ଉତ୍ତେଜିତ ହେଉଥିଲା ଏବଂ ବେଳେବେଳେ ଜଣେ ଆବିଷ୍କାରକର ଚାଲେଞ୍ଜ ଗ୍ରହଣ କରିବାର ସାହସ ସଂଚରିତ ହୋଇଯାଉଥିଲା ତା’ର ସତ୍ତାରେ । ଆପାତତଃ ଯାତ୍ରା କରିବାର ଦୁଇ ଦିନ ଆଗରୁ ସେ ଜମା ଅନୁଭବ କରି ପାରି ନ ଥିଲା ନିଜ କାମକୁ, କପାଳ ଉପର ଝାଳକୁ । ଏପରିକି ନିଜକୁ ଏବଂ ବ୍ରହ୍ମାଣ୍ଡକୁ ।

 

ତେବେ ଦୁଇଟି ଜିନିଷ ଉପରେ ତା’ର ଭରସା ଥିଲା । ପ୍ରଥମତଃ ଶାରୀରିକ ଶକ୍ତି ଦୃଷ୍ଟିରୁ ସେ ଇଲାକାର କୌଣସି ଲୋକ ତପନର ସମକକ୍ଷ ନ ଥିଲା । ଖରା-ବର୍ଷାରେ କାମ କରି ତା’ର ଛ’ଫୁଟ ଉଚ୍ଚ ଦେହର ପ୍ରତିଟି ମାଂସପେଶୀ ସତେ ଯେମିତି ପ୍ରତି ମୁହୂର୍ତ୍ତରେ ସତର୍କ ରହିଥିଲା ଏବଂ ତା’ ସ୍ଥିତିର ପ୍ରତିରକ୍ଷା ସଂକ୍ରାନ୍ତରେ ତାକୁ ଆତ୍ମପ୍ରତ୍ୟୟ ଦେଉଥିଲା । ଜଙ୍ଗଲ ପାଖ ଅନାବାଦୀ ଜମିରେ କାମ କଲାବେଳେ ସେ କେବେହେଲେ ଆତଙ୍କ, ନିଃସଙ୍ଗତା ଅନୁଭବ କରିନାଇଁ; ବରଂ ପ୍ରକାଣ୍ଡ ବରଗଛ ମୂଳେ ଦୁଇ ଆଣ୍ଠୁ ଚାରିପଟେ ହାତ ଘେରାଇ ବସିଥିବା ସମୟରେ ସେ ନିଜର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ବିଷୟରେ ସଚେତନ ହୋଇଛି । ତା’ର ସମସ୍ତ ବିଶ୍ୱାସ ଓ ଦର୍ଶନ ଗଢ଼ି ଉଠିଛି ନିଜ ଶକ୍ତିକୁ କେନ୍ଦ୍ର କରି । ୟା’ପରେ ପରାଜୟ ଓ ଭୋକର କାହାଣୀ ତା’ପାଇଁ ଅଜଣା; ତେଣୁ ଅବାନ୍ତର-

 

ଦ୍ୱିତୀୟରେ, ବଡ଼ଭାଇ କରୁଣା ସେଇ ସହରରେ ଅଛି ଆଜକୁ ପନ୍ଦର ବର୍ଷ ଧରି । ଆଗେ କେଉଁ ଅଫିସରଙ୍କ ଘରେ ଚାକର ଥିଲା । ପ୍ରାୟ ପାଞ୍ଚ ବର୍ଷ ହେବ ଷ୍ଟେସନରେ କୁଲି ଅଛି । ଚାରିବର୍ଷ ତଳେ ସେ ଆସିଥିଲା ଗାଁକୁ । ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲଗୁ ଫେଣ୍ଟାଫେଣ୍ଟି ଏକ ଅଦ୍ଭୁତ ଭାଷା କହୁଥିଲା ସେ ଏବଂ ସବୁବେଳେ ସିଗାରେଟ୍‌ ଟାଣୁଥିଲା । ତାକୁ ଦେଖି ତପନର ହୃଦବୋଧ ହୋଇଥିଲା ଯେ, ଏଇ ମଫସଲ ଗାଁ’ଠାରୁ ସମ୍ପୂର୍ଣ୍ଣ ପୃଥକ୍‌ ଏକ ଅଜଣା ପୃଥିବୀ ରହିଛି, ଯେଉଁଠାରେ ତା’ ଭାଇ କରୁଣା ଭଳି ଚାଲାକ ମଣିଷମାନଙ୍କର ହିଁ ରହିବାର ଅଧିକାର ଅଛି । କରୁଣା ବାରମ୍ୱାର କହିଥିଲା, ଏ ଅପନ୍ତରାରେ ମାଟି ହାଣି, ଖରାରେ ସିଝି ମୁହଁମାଡ଼ି ଦୀର୍ଘଶ୍ୱାସ ଛାଡ଼ିବାର କୌଣସି ମାନେ ନାଇଁ । କିନ୍ତୁ ସହର ? ସେଠାରେ ହାତ ହଲେଇବାର ଅର୍ଥ କାମ କରିବା । ଖାଇ ପିଇ ମଉଜରେ ରହିବାର ଅସଲ ଜାଗା ହେଉଛି ସହର । ମଫସଲ ଭଳି କେବଳ ବଞ୍ଚି ରହିବା ଏବଂ ଦେହର ପ୍ରତ୍ୟେକ ଅଣୁକୁ ଅସନ୍ତୁଷ୍ଟ କରି ରଖିବା ଏବଂ ପ୍ରତ୍ୟେକ ମୁହୂର୍ତ୍ତ ବିରୋଧରେ ଆପତ୍ତି ଉଠାଇବାର ସ୍ଥାନ ସେ ନୁହେଁ । ତପନକୁ ସେ ଢେର ପ୍ରଲୋଭିତ କରିଥିଲା, ସହରକୁ ଆସିବା ପାଇଁ । ସେଠାରେ କରୁଣାକୁ କିଏ ନ ଜାଣେ ? ପାଞ୍ଚ ମିନିଟ୍‌ ଭିତରେ ଚାକିରି ଯୋଗାଡ଼ ହୋଇଯିବ ।

 

ସେଠାରୁ ପଚାଶ କିଲୋମିଟର ଦୂରରେ ଅଛି ବନ୍ଦର । ସେଠାକାର ମତ୍ସ୍ୟବିଭାଗରେ ଦାଦା ଗଣନାଥ ଓରଫ ଗଣିଆଁ ଦାଦା ଖଲାସି କାମ କରେ । ପ୍ରତିଦିନ ଗାଡ଼ିରେ ମାଛ ବୁହା ହୋଇ ସହରକୁ ଆସେ ଏବଂ ସେଠାରେ ସେ ମାଲବୋଝେଇ ହୁଏ ଟ୍ରେନରେ । ବିଭିନ୍ନ ସ୍ଥାନକୁ ଚାଲାଣ ହୋଇଯାଏ ସେ ମାଛ । ଗାଁରେ ସେ କହୁଥିଲା–‘‘ମାଛ ? ସେଗୁଡ଼ାକୁ ଖାଇବା ପାଇଁ ଆଉ ମନ ହେଉନି । କିଓ, ଦି’ନି ମାଛ ଖାଇବ କେତେ ? ଆମେ ସମସ୍ତେ ମାଛ ଖାଇ ସାରିଲା ପରେ ଯାହା ବଳେ, ସେ ସବୁ ନେଇଆସୁ ଷ୍ଟେସନକୁ । ଗାଡ଼ି ମୁଁ ଚଳାଏ । ଅଧଘଣ୍ଟାଏ ଲାଗେ ଷ୍ଟେସନରେ ପହଞ୍ଚିବା ପାଇଁ । ମାଲ ନେବାପାଇଁ ଟ୍ରେନରେ ଯେଉଁ ଲୋକ ଥାଆନ୍ତି, ତାଙ୍କୁ କହେ–‘‘ଖବରଦାର, ଏ ମାଲ୍‌ ଅମୁକ ଅମୁକ ଜାଗାକୁ ଯିବ । ଯଦି ପଚେ କି ଛଟାଙ୍କିଏ କମ୍‌ ହୁଏ, ଶଳାଙ୍କୁ ଦେବି ମାମୁଁ ଘରକୁ ପଠେଇ । ବୁଝିଲ ? ମାଛ ପଚେ ନାଇଁ । ଫ୍ରିଜରେ ପଠାଯାଏ ।’’

 

–‘‘ସେଇଟା ପୁଣି କ’ଣ ?’’ ଚମତ୍କୃତ ହୋଇ ବହୁ ବର୍ଷ ତଳେ ତପନ ପଚାରିଥିଲା ।

 

ଗଣିଆଁ ଦାଦା ତା’ଆଡ଼େ ଏମିତି ଚାହିଁଥିଲା ଯେ ସେ ନଗଣ୍ୟ ଓ ଅପରାଧୀ ହୋଇଯାଇଥିଲା ଏକା ଥରେ ।

 

ଏଇ ଦୁଇଟି ଲୋକଙ୍କୁ ଭରସା କରି ତପନ ବାହାରିଛି ସହର ଉଦ୍ଦେଶ୍ୟରେ । ସେ ଦୁହିଁଙ୍କୁ ଡାକି ଆଣିବ ଗାଁକୁ । ବାହାଘର ଆଉ ଦିନ ପାଞ୍ଚଟାର କଥା । ଏ ଗାଁକୁ ସେ ଗର୍ବିତ, ମହିମାମୟ କରିଦେବ । ଏତେ ବଡ଼ ସହର ଯେଉଁ ଭାଇର ଇଙ୍ଗିତରେ ପରିଚାଳିତ ସେ ଏଠାକୁ ଆସି ହାତଟେକି ଥରେ ଆଶୀର୍ବାଦ କରି ଦେଇଯାଉ । ଭାଇର ଅନୁପସ୍ଥିତ ଯୋଗୁଁ ସହରରେ ସୂର୍ଯ୍ୟୋଦୟ ନ ଘଟୁ ପଛେ, ସେଠାକାର ପାଣି-ପବନ, ଧୂଳି, ଫୁଲର ପାଖୁଡ଼ା, ଘାସ ଉପର କାକର ଟୋପା ଶଙ୍କାଗ୍ରସ୍ତ ହୋଇଯାଆନ୍ତୁ ପଛେ, ସେ ଆସିବ । କେଜାଣି, ୟା’ପରେ ସେ ବି ହୁଏତ ବାହାହେବା ପାଇଁ ମନ କରିପାରେ । ସହରରେ ଏତେ ଭଲ ଝିଅ ଭାଇକୁ ବାହା ହେବାପାଇଁ ଇଚ୍ଛା କରୁଥିବାବେଳେ ସେ ଏ ଯାଏଁ କାହିଁକି କିଛି କରୁନି କେଜାଣି ? ଗଣିଆଁ ଦାଦା ଗାଁକୁ ଆସିଲେ ଗାଡ଼ି ଚଳେଇବ କିଏ ? ରେଳଗାଡ଼ି ଅବସ୍ଥା କ’ଣ ହେବ ? ତା’ ଅନୁପସ୍ଥିତିରେ ଏତେ ବଡ଼ ଦାୟିତ୍ୱ କିଏ ତୁଲେଇବ ?

 

ସକାଳେ ବସ୍‌ ଧରିବା ପାଇଁ ପନ୍ଦର କିଲୋମିଟରର ବିଲ ହିଡ଼ ବାଟ ଅତିକ୍ରମ କରୁଥିବା ଅବସ୍ଥାରେ ତପନ କେବଳ ଏଇ କଥା ଭାବୁଥିଲା । ବସରେ ଦୁଇଘଣ୍ଟାର ବାଟ–ପାଖ ଷ୍ଟେସନରେ ପହଞ୍ଚିବା ପାଇଁ । ସେଇଠୁ, ରେଲରେ ବସିଲେ ଆଉ କିଛି ଚିନ୍ତା ନାଇଁ । ଉପରଓଳି ଚାରିଟା ସୁଦ୍ଧା ସେ ଭାଇ ପାଖରେ ପହଞ୍ଚିଯିବ । ଗଣିଆଁ ଦାଦା ତ ନି’ତି ମାଛଗାଡ଼ି ଧରି ରାତି ଆଠଟାବେଳେ ସେଠାରେ ପହଞ୍ଚିଯାଏ । ଦୁହିଁଙ୍କୁ ସାକ୍ଷାତ କରି ହେବ ଖୁବ୍‌ ସହଜରେ ।

 

ପେଣ୍ଟ୍‌ ଓ ଚପଲ ଆଡ଼ୁ ଦୃଷ୍ଟି ବୁଲାଇ ତପନ ବେଳେବେଳେ ଚିନ୍ତିତ ହୋଇ ପଡ଼ୁଥିଲା । ସେଗୁଡ଼ିକ ଧୂଳିଧୂସରିତ ହୋଇଯାଉଛନ୍ତି । ତପନ ନିଜେ ପ୍ରାଚୀନ ଚପଲ ହଳକୁ ଏକାଧିକ ବାର ମରାମତି କରିଛି । ପ୍ରାୟ ବର୍ଷକ ପରେ ପିନ୍ଧିଥିବା ଫୁଲପେଣ୍ଟ ଓ ବୁଶ୍‌ ସାର୍ଟକୁ ସେ ସାବୁନରେ ସଫା କରିଥିଲା ଏବଂ ଭଙ୍ଗାଭଙ୍ଗି କରି ଟିଣ ସୁଟ୍‌କେସ୍‌ ତଳେ ରଖିଥିଲା । ୟା ଭିତରେ ଫୁଲପେଣ୍ଟର ଦୈର୍ଘ୍ୟକୁ ପଛରେ ପକାଇ ତା’ ଗୋଡ଼ ଦୁଇଟି ପ୍ରାୟ ଛ’ଇଞ୍ଚ ଅଧିକ ଲମ୍ୱା ହୋଇ ଯାଇଛନ୍ତି, ମୋ ପେଟର ସୀମିତତାକୁ ପଛରେ ପକାଇ ଛୁଆଟିଏ ବଢ଼ି ଉଠିଲା ଭଳି । କମିଜରେ ଗୋଟାଏ ବୋତାମ ନ ଥିବାରୁ ବଟନ୍‌ହୋଲ୍‌ଟି ଆଖିବୁଜି ପଡ଼ି ରହିଛି ଏବଂ ହଜିଲା ଆଖିଟି ଫେରି ଆସିବ ବୋଲି ଅପେକ୍ଷା କରୁଛି । ଅନ୍ୟ ତିନୋଟି ବୋତାମ ବିଭିନ୍ନ ରଙ୍ଗର, ବିଭିନ୍ନ ଆକାରର । ଡାହାଣ ପାଖରେ ତ୍ରିଭୁଜ ଆକାରର ଗୋଟିଏ କଣା । କେଉଁଠି କଣ୍ଟା ଲାଗିଥିଲା । ସବୁଥର ଭଳି ସେଦିନ ମଧ୍ୟ ଏଇ ପୋଷାକ ପିନ୍ଧି ତପନ ନିଜକୁ ତ୍ରୁଟିହୀନ ମନେକରୁଥିଲା ଏବଂ ତା’ ଦେହ ମନରେ ଆତ୍ମବିଶ୍ୱାସ ଓ ଶିହରଣ ସୃଷ୍ଟି ହେଉଥିଲା ।

 

ଏ ଶିହରଣ କିନ୍ତୁ ଆଗାମୀ ବାହାଘର ସକାଶେ ନୁହେଁ । ଆଜି ପର୍ଯ୍ୟନ୍ତ ବାହାଘର କଥାଟିର ତାତ୍ପର୍ଯ୍ୟ ତା’ ପାଇଁ ଝାପ୍‌ସା ହୋଇ ରହିଛି । ଏହାକୁ ବୁଝିବାପାଇଁ ସେ ଆଗ୍ରହୀ ହୋଇ ନାଇଁ ଏବଂ ସମୟ ପାଇ ନାଇଁ । ଆତ୍ମନିର୍ଭରଶୀଳ ହେବା ପରେ ଓ ଦୁଇ ବଖରା ଭଲ ଘର ତିଆରିବା ପରେ ସେ କେବଳ ଅନୁଭବ କରିଥିଲା, ତାକୁ କାମରେ ସାହାଯ୍ୟ କରିବା ପାଇଁ ଗୋଟିଏ ମଣିଷର ଅଭାବକୁ । ଗାଁର କେତେଜଣ ଲୋକ ସବୁ ଠିକ୍‌ ଠାକ୍‌ କରିଦେଲେ । କହିଲେ, ଯୌତୁକ ବାବଦରେ ସେ ଗୋଟିଏ ଭଲ ଦୁହାଁଳ ଗାଈ ପାଇବ । ବାହା ହେଉଥିବା ଝିଅଟିକୁ ସେ ଦେଖିନାଇଁ; ଦେଖିବା ପାଇଁ ଇଚ୍ଛା ବି କରିନାଇଁ । କେବଳ ପଚାରି ବୁଝିଥିଲା ଯେ, ଘରକାମ, ବିଲକାମ କରିବାରେ ଝିଅଟି ଧୂରନ୍ଧର । ଦିନ ଧାର୍ଯ୍ୟ ହେଲା ପରେ ଆପଣାର ଲୋକ ବୋଲି ଭାଇ ଓ ଦାଦାକୁ ଡାକିବା ପାଇଁ ସେ ବାହାରିଛି ।

 

ଆବେଗହୀନ, ରୋମାନ୍‌ସହୀନ ତପନର ସଂସାର ପ୍ରତି ଦୃଷ୍ଟିଭଙ୍ଗୀ ଏଇଭଳି ଅଣଓସାରିଆ । ସୂର୍ଯ୍ୟ ଆତଯାତ ହେଉଛିର ମାନେ ହେଲା କାମ କରିବା କିମ୍ୱା ବିଶ୍ରାମ ନେବା । ଯେତେବେଳେ ଆକାଶ ମୁଖା ପିନ୍ଧେ ସେ ଭାବିନିଏ ଚାଷପାଇଁ ଏହା କେତେ ଅନୁକୂଳ ହେବ । ପଥୁରିଆ ବିଛଣା ଉପରେ ପାଣି ଧାରର ଜରୁରୀ ଗତିଶୀଳତା ଦେଖି ଭାବେ, ମୁହଁ-ହାତ ଲଙ୍ଗଳ ଧୋଇବାପାଇଁ ଏହା ଉଦ୍ଦିଷ୍ଟ । ଏମିତି ହୋଇ ନ ଥିଲେ ଚମ୍ପା ଭଳି ଗୋଟାଏ ବଢ଼ିଲା ଝିଅ ତା’ ନାକ ଧରି ପରିହାସ କରି ନ ଥାନ୍ତା–‘‘ଯାଃ, ବୁଦୁ କେଉଁଠିକାର । ବିଧାତା ତୋତେ ଟୋକିଟିଏ କରି ଗଢ଼ିଥିଲେ ଭଲ ହୋଇଥାନ୍ତା । କ’ଣ ନା, ମରଦ ! ମାଇଚା ! ନିଜକୁ ଛାଡ଼ି ଦୁନିଆଁରେ ଆଉ କାହାରି କଥା କେବେ ଭାବିଛୁ ?’’

 

ମାଛି ହୁରୁଡ଼େଇଲା ଭଳି ସେ ଚମ୍ପାର ହାତକୁ ଛିଞ୍ଚାଡ଼ି ଦେଇଥିଲା । ଚମ୍ପା ଆଡ଼େ ଜମା ନ ଚାହିଁ ସେ ମୁହଁ ଧୋଇବାରେ ମନ ଦେଲା ଆଗଭଳି ଏବଂ ପାହାଡ଼ି ଝରଣା ଉପରକୁ ଶେଷ ସୂର୍ଯ୍ୟ ଫୋପାଡ଼ି ଦେଇଥିବା ଛାଇର ଦେହ ଉପରୁ ଅନ୍ୟମନସ୍କ ଦୃଷ୍ଟି ବୁଲାଇ ଆଣିଲା । କେବଳ କହିଲା ମନକୁ ମନ–‘‘ଏ ଟୋକିଟା ସବୁବେଳେ ବିରକ୍ତ କରେ କାହିଁକି ?’’

 

ଚମ୍ପା ବାହା ହୋଇଯିବା ପରେ ବି, କେବେ କେମିତି ଗାଁକୁ ଆସିଲେ, କହେ–‘‘ଆହା, ଆମ ତପନନାନୀଟି କେଡ଼େ ସରଳ, ହୁଣ୍ଡୀଟିଏ । କିଛି ଜାଣେନି ବିଚାରିଟି ।’’

 

ଅପରାହ୍ନ ଚାରିଟା ବେଳେ ତପନ ଟ୍ରେନ୍‌ରୁ ଓହ୍ଲାଇଲା । ବାଟରେ ଅତିକ୍ରମ କରିଥିବା ସମସ୍ତ ଷ୍ଟେସନ୍‌ଠାରୁ ଏଇଟି ବଡ଼ । ଏଭଳି କୋଳାହଳ, ଏତେ ମଣିଷଙ୍କର ଭିଡ଼ ଆଗରୁ ସେ ଦେଖି ନ ଥିଲା । ଏତେ ବକଟେ ସ୍ଥାନଟିର କାର୍ଯ୍ୟବ୍ୟସ୍ତତା ତାକୁ କ୍ରମଶଃ ଅଭିଭୂତ, ଅଣନିଃଶ୍ୱାସୀ କରି ପକାଉଥିଲା । ସେ ବୋଧ କରୁଥିଲା ଯେ, ନିଜର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ, ଅଭିଳାଷ, ଚିନ୍ତାଧାରା ସହସା ଏକ ବିସ୍ମୟକର, ଗଣ୍ଡଗୋଳିଆ ପୃଥିବୀ ଭିତରେ ହଜିଯାଉଛି ଏବଂ ସେ ନିଜକୁ ଆଉ ଅନୁଭବ କରି ପାରୁନି । ଗାଁରେ ଥିବାବେଳେ ସେ ପୃଥିବୀଠାରୁ ଇନ୍ଦ୍ରଧନୁ ଏବଂ ଦିଗ୍‌ବଳୟର ଦୂରତା କଳନା କରିଛି; କିନ୍ତୁ ଏକ ସୀମିତ ସ୍ଥାନ ଭିତରେ ଏତେଗୁଡ଼ିଏ ସାମଗ୍ରୀର ବିଶୃଙ୍ଖଳ ଉପସ୍ଥିତି କଥା ସେ ଚିନ୍ତାକରି ପାରୁ ନ ଥିଲା । ସମୁଦାୟ ଅଭିଜ୍ଞତାଟା ଥିଲା ଗୋଟାଏ ଦୁଃସ୍ୱପ୍ନ ଭଳି ଭୟାନକ; ଅଥଚ ଅବିଶ୍ୱାସ୍ୟ । ଅଜାଣତରେ ସେ ଶୁଣିଲା ପତ୍ରଟିଏ ଭଳି ଠେଲି ହୋଇଯାଉଥିଲା ପ୍ଲାଟ୍‌ଫର୍ମର ଏକ ଅଳସୁଆ ସ୍ଥାନ ଆଡ଼କୁ ।

 

ଠିକ୍‌ ତା’ଠାରୁ ଦଶ-ବାର ମିଟର ଦୂରରେ ଏଇଭଳି ଏକ ନାଟକ ଚାଲିଥିଲା–

 

–‘‘କ’ଣ ? ଦୁଇଟା ବଡ଼ ଟ୍ରଙ୍କ୍‌, ଗୋଟାଏ ବେଡ଼ିଙ୍ଗ୍‌ ପାଇଁ ଜମା ପଞ୍ଚସ୍ତରୀ ପଇସା ?’’

 

–‘‘କେତେ ତା’ହେଲେ ? ପାଞ୍ଚଟଙ୍କା ?’’

 

–‘‘ଦେଢ଼ଟଙ୍କା । ଗୋଟିଏ ପଇସା କମ୍‌ ନୁହେଁ ।’’

 

–‘‘ଆବେ, ହେ ! ତୋତେ ମୁଁ ଖୋସାମତ୍‌ କରୁଥିଲି ଏସବୁ ଆଣିବା ପାଇଁ ? କୁଲି ଅଭାବ ହୋଇଛନ୍ତି ? ତୋତେ କିଏ କହିଥିଲା ମୋ ମାଲ ଉଠାଇବା ପାଇଁ ?’’

 

–‘‘ନାଇଁ ବାବୁ ! ଦେଢ଼ଟଙ୍କାରୁ କମ୍‌ ନୁହେଁ । ଓଜନ ହୋଇଛି ଯେ କାହିଁରେ କ’ଣ ? ସେଥିରେ କ’ଣ ନା......ଦିଅବାବୁ ଜଲ୍‌ଦି !’’

 

ଭଦ୍ରଲୋକ ଜଣକ ଘୃଣାର ସହିତ ଟଙ୍କିକିଆ ନୋଟ୍‌ଟିଏ ତା’ ହାତ ଭିତରେ ଗୁଞ୍ଜି ଦେଇ ଯାଉଥିବାବେଳେ, ଖାକି ପେଣ୍ଟ-କମିଜ୍‌ ପିନ୍ଧିଥିବା ଯୁବକ ଜଣେ କରୁଣା ହାତରୁ ସେଇଟିକୁ ଝାମ୍ପି ନେଲା ଏବଂ କାରଣଟିକୁ ବୁଝେଇ ଦେଲା–‘‘ଶଳା, ମାସେ ହେଲା ଠକୁଛି । ଜର ହେଉଛି, ମୁଣ୍ଡ ବିନ୍ଧୁଛି ବୋଲି କୁନ୍ଥଉଥିଲୁ । ଚା’ ପଇସାଟା ଦେବାବେଳକୁ ପ୍ରାଣ ଛାଡ଼ିଯାଉଛି ତୋର ?’’

 

ଯୁବକଟି କୌଣସି କଥାକୁ ଅପେକ୍ଷା ନ କରି ଚାଲିଗଲା । ଘଟଣାଟିର ପ୍ରତିବାଦ କରିବାପାଇଁ କରୁଣା ଉଦ୍ୟତ ହେଉଥିଲା; କିନ୍ତୁ କ’ଣ ଭାବିଲା କେଜାଣି; ମୁହଁ ଫେରାଇଲା । ଅସ୍ପଷ୍ଟ ଭାବରେ ତା’ ଦୁଇ ଓଠ ସନ୍ଧିରୁ ତିନିଚାରୋଟି ଅଶ୍ଳୀଳ ଶବ୍ଦ ବାହାରି ଆସିଲେ । ପ୍ଲାଟ୍‌ଫର୍ମ ଉପରେ ବସି ଛିଣ୍ଡା, ମଇଳା ଗାମୁଛାରେ ସେ ମୁହଁ ଓ ବେକ ପୋଛି ହେଲା ।

 

ଅଥର୍ବ କ୍ଳୀବତ୍ୱ ନେଇ ବସିଥିବା ବଡ଼ଭାଇଟି ତପନ ଦୃଷ୍ଟିରେ ଆସ୍ତେ ଆସ୍ତେ ସଙ୍କୁଚିତ ହୋଇ ଅଦରକାରୀ ମେଞ୍ଚାଏ ହାଡ଼-ମାଂସରେ ପରିଣତ ହୋଇଯାଉଥିଲା । ତା’ ଆଖି ଓ ମୁହଁ ଏମିତି ଦେଖାଯାଉଥିଲା, ସତେ ଯେପରି ସେଠାରେ ଜୀବନର ସ୍ୱପ୍ନ ଓ ବଞ୍ଚି ରହିବାର ଅହଙ୍କାର କେଉଁଦିନୁ ମୁର୍ଦ୍ଦାର ହୋଇ ପଡ଼ି ରହିଛନ୍ତି । ତା’ର ସମଗ୍ର ଦେହରୁ କେମିତି ଗୋଟାଏ ମଇଳା ହାହାକାର ଉପରକୁ ଉଠୁଥିଲା ଏବଂ ସମସ୍ତ କାତରତା ସତ୍ତ୍ୱେ ଦୃଷ୍ଟି ଆକର୍ଷଣ କରିବାରେ ବିଫଳ ହେଉଥିଲା, ଜଣେ ମାଗିଖିଆ ହାତର ଭୋକିଲା ମରୁଭୂମି ଭଳି ।

 

ତପନ ଛ’ଫୁଟ ଉଚ୍ଚର ବିଶାଳ ଦେହ ନେଇ ପାଖରେ ଠିଆ ହେବା ସତ୍ତ୍ୱେ କରୁଣା ତା’ ଆଡ଼େ ଚାହିଁଲା ନାଇଁ । କିଛିକ୍ଷଣ ସକାଶେ ତପନ ଅପ୍ରତିଭ ହୋଇପଡ଼ୁଥିଲା; ମାତ୍ର ସାହସ ସଞ୍ଚୟ କରି ପ୍ରସ୍ତାବ ବାଢ଼ିଲା–‘‘ଭାଇ, ଘର ଆଡ଼େ ଯିବୁନି ?’’

 

କରୁଣା ତା’ଆଡ଼େ ଚାହିଁ ଆଖି ଫେରାଉଥିଲା; କିନ୍ତୁ ହଠାତ୍‌ କ’ଣ ମନେ ପଡ଼ିଗଲା ଭଳି ଠିଆ ହୋଇ ପଚାରିଲା–‘‘ତୁ କେତେବେଳେ ? କାହିଁକି ଆସିଛୁ ?’’

 

–‘‘ଘରକୁ ଚାଲ୍‌ । ସବୁ କହିବି ।’’

 

କରୁଣା ଚାହିଁଲା; ଉଲଗ୍ନ, କ୍ଳାନ୍ତ ହୋଇପଡ଼ିଥିବା ରେଳ ଧାରଣା ଆଡ଼େ । କହିଲା–‘‘କ’ଣ କହୁନୁ ? ଏଠାରେ ମୁଁ ଘରଟାଏ ପାଇବି କେଉଁଠୁ ?’’

 

ତପନ ସ୍ତମ୍ଭୀଭୂତ ହୋଇଗଲା । ଭ୍ରୂକୁଞ୍ଚନ କରି ପଚାରିଲା–‘‘ଘର ନାଇଁ ? ତୁ ରହୁ କେଉଁଠି ?’’

 

ଏଭଳି ବୋକା ପ୍ରଶ୍ନ କରୁଣା ବି ଶୁଣି ନ ଥିଲା ଆଗରୁ । ତପନର ମୂର୍ଖାମି ଏତେ ନିମ୍ନ ସ୍ତରର ହୋଇପାରେ ବୋଲି ସେ ବିଶ୍ୱାସ କରି ନ ଥିଲା । କହିଲା–‘‘ଏଇଠି । ଆମେ ଏଇଠି ରହୁ । ଯେଉଁମାନଙ୍କର ଘର ନାଇଁ, ସେମାନେ ରହନ୍ତି ଷ୍ଟେସନରେ ।’’

 

ଘରହୀନ ମଣିଷମାନଙ୍କର ଜୀବନର ମାନଚିତ୍ର କିଭଳି ହୋଇପାରେ, ତାହା ଚିନ୍ତା କରି ପାରୁ ନ ଥିଲା ତପନ । ବିଶାଳତା ଏବଂ ସାର୍ବଜନୀନତା ସେ ବୁଝେନି । ପୃଥିବୀ ତା’ର ଘର ବୋଲି କହିଲେ ସେ ନିଶ୍ଚୟ ପ୍ରତିବାଦ କରନ୍ତା । ତା’ ଦୃଷ୍ଟିରେ ଦିଗ୍‌ବଳୟ ଅପେକ୍ଷା ତା’ଘର ଚାରିପଟେ ଥିବା ବାଡ଼ ଯଥେଷ୍ଟ ବାସ୍ତବ ଓ ବୋଧଗମ୍ୟ । ଆକାଶରେ ଜହ୍ନମାମୁଁର ପରିଚ୍ଛନ୍ନ ଚେହେରା ସତ୍ତ୍ୱେ, ଘର ଭିତରେ ସେ ଡିବିରି ଆଲୁଅର ଆବଶ୍ୟକତା ଉପଲବ୍‌ଧି କରେ । ନିଜ ସ୍ଥିତି ଓ ବ୍ୟକ୍ତିତ୍ୱର ଐକାନ୍ତିକତା ସକାଶେ ସେ ଏଇମିତି ଦରବ ଚାହେଁ; ଯାହା ଉପରେ ସେ ନିଜର କର୍ତ୍ତୃତ୍ୱ ଏବଂ ଅଧିକାର ସାବ୍ୟସ୍ତ କରି ପାରିବ ଏବଂ ଜୀବନର ମୂଲ୍ୟାଙ୍କନ କରି ପାରିବ । ଅଥଚ ପ୍ଲାଟ୍‌ଫର୍ମ ଉପରେ, କୋଳାହଳ ଓ ଗତିଶୀଳତାର ନିରବଚ୍ଛିନ୍ନ ସୁଅ ସାମନାରେ କିଭଳି ବଞ୍ଚି ରହିବାକୁ ହୁଏ, ତାହା ବୁଝି ପାରୁ ନ ଥିଲା ତପନ ।

 

ତା’ ଭାବନା ଭାଙ୍ଗିଲା କରୁଣା କଥାରେ–‘‘କେଉଁ ମଲା ମଣିଷ ନିଜ ଘରକୁ ଓଟାରି ନେଇଛି ମଶାଣି ଭୂଇଁକୁ ? ଘର ତିଆରି କରି ସାରିବା ପରେ ବି ମଣିଷ କ’ଣ ମରେ ନାଇଁ ? ଏ ପ୍ଲାଟ୍‌ଫର୍ମ ପଡ଼ି ରହିଥିବ ପୃଥିବୀ ଭଳି । ଆମେ–ଘର ଥିବା, ଘର ନ ଥିବା ମଣିଷମାନେ ମରି ହଜି ଯିବା ।’’

 

କରୁଣାର ଏଇ ଦାର୍ଶନିକ କଥା ଭିତରେ କେତେ ଅଭିମାନ, କେତେ ପରାଜୟ ଲୁଚି ରହିଥିଲା । ତପନ କିନ୍ତୁ ବୁଝିପାରୁ ନଥିଲା, ଦୀର୍ଘ ପନ୍ଦର ବର୍ଷ ଏଇ ସହରରେ ରହି ତା’ ବଡ଼ଭାଇ ନିଜ ପାଇଁ କରିଛି କ’ଣ । ଜୀବନକୁ ନେଇ ସେ ଖାଲି ଭାସି ଚାଲିଛି ଏ ଯାବତ । ତା’ ଗୋଡ଼ ତଳକୁ ପାଇନି । ହାରିଯିବା କଥାଟିକୁ ମାନିନେଇ ସାରିଲା ପରେ ସେ ଆସକ୍ତିହୀନତାର ତତ୍ତ୍ୱ ବାଢ଼ୁଛି । ମଣିଷ ମରିବ ବୋଲି ନିଜ ଘର ଭିତରେ ରହିବନି ? ତେବେ, ମଶାଣି ଭୂଇଁରେ ପଡ଼ିଥିବା ଶୁଖିଲା ହାଡ଼ ସତ୍ତ୍ୱେ କୁଆଁ କୁଆଁ ଶବ୍ଦ ଶୁଭେ କେଉଁଥିପାଇଁ ? ମରିବ ଯଦି, ଟ୍ରଙ୍କ୍‌ ବେଡ଼ିଙ୍ଗ୍‌ ବୋହିବ କାହିଁକି-? ଜର ହେଉଛି, ମୁଣ୍ଡ ବିନ୍ଧୁଛି ବୋଲି ଚା’ ପିଇବ କେଉଁ ମୋହରେ ?

 

–‘‘କେଉଁଥି ପାଇଁ ଆସିଥିଲୁ, କହୁନୁ ?’’

 

–‘‘ମନେକର ଦେହ ଖରାପ ହେଲା, କେହି ଜଣେ ମରିଗଲା । ତେବେ ?’’ ତପନ ପଚାରିଲା ଯଥେଷ୍ଟ ଆଶଙ୍କାର ସହିତ ।

 

କରୁଣା କ୍ରମେ ବିରକ୍ତି ପ୍ରକାଶ କରୁଥିଲା । ନିଜ ରିକ୍ତ, ନିଃସ୍ୱ ଜୀବନକୁ କାହାରି ସାମନାରେ ଉଲଗ୍ନ କରିବା କଥାଟିକୁ ସେ ପସନ୍ଦ କରୁ ନ ଥିଲା ଆଦୌ । ଖାମ୍‌ଖିଆଲି ଭାବରେ କହିଲା–‘‘ତେବେ ଆଉ କ’ଣ ? ଦେହ ଭଲ ହୋଇଗଲେ ତ ଭଲ କଥା । ମରିଗଲେ ପୋଲିସ ନେଇଯାଏ ମଡ଼ାଟିକୁ । ପୋଷ୍ଟମର୍ଟମ କ’ଣ ଜାଣିଛୁ ? ନା, ଜାଣିନୁ ? ଡାକ୍ତରଖାନାରେ ସେ ମଡ଼ାଟିକୁ କଟାଯାଏ, ମରିବାର କାରଣ ଜାଣିବା ପାଇଁ । ତା’ପରେ ଫୋପାଡ଼ି ଦିଆଯାଏ ସେଇଟାକୁ । ମେହେନ୍ତରମାନେ ତାହାକୁ ପଚେଇ ମାଂସତକ ଅଲଗା କରିଦିଅନ୍ତି । ବିକି ଦିଅନ୍ତି କଙ୍କାଳଟାକୁ । ନ ହେଲେ, ହାଡ଼କୁ ଗୁଣ୍ଡକରି ସାର ତିଆରି କରନ୍ତି ।’’ କରୁଣା ରାଗିଯାଇଥିଲା ସମ୍ଭବତଃ ନିଜର ଏଇଭଳି ପରିଣତି କଥା ଚିନ୍ତାକରି ।

 

–‘‘ତୁ ଘରଟିଏ ତିଆରି କରୁନୁ ? ଏଇଠି ରହିବାପାଇଁ ତୋତେ ଭଲ ଲାଗେ ?’’ ତପନ ଭାବିଲା, ନିଜକୁ ଓ ନିଜ ଆତ୍ମାକୁ ରକ୍ଷା କରିବା ପାଇଁ କରୁଣାକୁ ସେ ବାଟଟିଏ ଦେଖେଇ ଦେଇଛି ।

 

ସାନଭାଇର ଅଜ୍ଞତା ଲକ୍ଷ୍ୟ କରି କରୁଣା ରୀତିମତ ହତୋତ୍ସାହ ହୋଇ ପଡ଼ିଲା । କଥାଟିକୁ ଆଗକୁ ନ ବଢ଼ାଇବା ପାଇଁ ପ୍ଲାଟ୍‌ଫର୍ମ ଉପରେ ବସିସାରି କହିଲା–‘‘ତୁ ପିଲାଲୋକ । କିଛି ବୁଝି ପାରିବୁନି ।’’

 

ତପନ ଠିଆ ହୋଇ ଚାରିଆଡ଼କୁ ଚାହୁଁଥିଲା ସତ, କିଛି କିନ୍ତୁ ଦେଖିପାରୁ ନ ଥିଲା । ଆଉ ଗହଳି ନାଇଁ । କଳା ରଙ୍ଗର ନିସ୍ତେକ କାଗଜ ଫର୍ଦ୍ଦ ଉପରେ ଇତସ୍ତତଃ ନାଲିଟୋପା ଭଳି, ନାଲି କମିଜ୍‌ ପିନ୍ଧିଥିବା ମଣିଷଗୁଡ଼ିଏ ପ୍ଲାଟଫର୍ମ ଉପରେ ବସିଛନ୍ତି । ସେମାନଙ୍କର ସ୍ଥିତିର ପ୍ରମାଣ ସ୍ୱରୂପ ସେମାନେ ହାତରେ ବାନ୍ଧିଛନ୍ତି ପିତଳ ତିଆରି ଗୋଟିଏ ଲେଖାଏଁ ନମ୍ୱର । ସାମନାରେ ଇଞ୍ଜିନ୍‌ଟାଏ ରହି ରହି ଆର୍ତ୍ତନାଦ କରୁଛି ଏବଂ ଗୁଡ଼ିଏ ଡବାକୁ ଆଗପଛ ରଖି ଭବିଷ୍ୟତର ଯାତ୍ରା ପାଇଁ ପ୍ରସ୍ତୁତ କରୁଛି । ଦିନ ସରି ଆସିଲାଣି । ଧୂଆଁଳିଆ ମଇଳା ଆକାଶ ନିଷ୍ପ୍ରଭ ଦିଶୁଛି ପ୍ରକାଣ୍ଡ ରୋଗୀଟିଏ ଭଳି । ତପନର ଅନ୍ତରାତ୍ମା ସହସା ଅକଥନୀୟ କାରୁଣ୍ୟରେ କମ୍ପି ଉଠିଲା । ସେ ପୁଣି ଚାହିଁଲା ଭାଇଆଡ଼େ ।

 

–‘‘ଦାଦା ସହିତ ତୋର ଭେଟ ହୁଏ ?’’ ସେ ପଚାରିଲା ।

 

–‘‘ଆଁ ? କ’ଣ କହିଲୁ ?’’ କରୁଣା ବୋଧହୁଏ କ୍ଳାନ୍ତି ଓ ଦୁର୍ବଳତା ଯୋଗୁ ଘୁମେଇ ପଡ଼ିଥିଲା ।

 

–‘‘ଗଣିଆ ଦାଦା ପରା ମାଛଗାଡ଼ି ନେଇ ଦି’ନି ଏଠାକୁ ଆସେ ? ଦେଖା ତ ହେଉଥିବ ତା’ ସହିତ ?’’ ସେ ପୁନରାବୃତ୍ତି କଲା ନିଜ ପ୍ରଶ୍ନର ।

 

ଅଳସ ସ୍ୱରରେ କରୁଣା ଉତ୍ତର ଦେଲା–‘‘ବହୁତ ଦିନ ଆଗେ ଦେଖା ହୋଇଥିଲା । ମାସେଠୁ ବେଶି ହବ । ଶ୍ୱାସ ବେମାରୀ ଦିନେ ନାଇଁ ଦିନେ ତାକୁ ଖତମ କରିଦେବ । ଆଜିକାଲି କେବଳ ଧକଉଛି । କାମକୁ ପାରୁନି । ଡ୍ରାଇଭରଠୁ ମାଡ଼ଖାଏ, ଗୋଇଠା ସହେ । ଥରେ ଦି’ଥର ଏସବୁ ନିଜ ଆଖିରେ ଦେଖିଛି ।’’

 

–‘‘ତୁ କିଛି କହିଲୁନି ସେ ଡ୍ରାଇଭରକୁ ?’’ ତପନ ସ୍ୱରରେ ଥିଲା ପ୍ରତିବାଦ ।

 

କରୁଣା ଜବାବ ଦେଲାନି କିଛି ସମୟ ପାଇଁ । ପରେ ତା’ ସ୍ୱର ଶୁଭିଲା–‘‘ତୁ ମଫସଲିଆ ପିଲା । ସେ ସବୁ ତୋତେ ବୁଝେଇ ଲାଭ ନାଇଁ । ଖୁଡ଼ୀ ମଲା ପରେ ତା’ ମୁଣ୍ଡ ବି ଆଉ ଠିକ୍‌ କାମ କରୁନି ।’’

 

–‘‘ଖୁଡ଼ୀ ମରିଗଲା ? କେବେ ?’’

 

–‘‘ଦୁଇ ମାସଠୁ ବେଶି ହେବ ।’’

 

–‘‘କାଇଁ ଆମେ ତ କେହି ଜାଣି ପାରିଲୁନି !’’

 

–‘‘ତୁ ଜାଣି କ’ଣଟେ କରି ପକେଇଥାନ୍ତୁ ? ବଞ୍ଚେଇ ଦେଇଥାନ୍ତୁ ତା’କୁ ?’’ କରୁଣା ଖାଲି ବିରକ୍ତ ନୁହେଁ, ରାଗିଗଲା ।

 

ସ୍ତବ୍ଧ ହୋଇଗଲା ତପନ । ତା’ର ସମସ୍ତ ମାଂସପେଶୀ କଠିନ ହୋଇଗଲେ । ସମୁଦାୟ କାହାଣୀଟି ଏତେ ନିର୍ମମ ଆଉ ଶୋକାଚ୍ଛନ୍ନ ଜଣା ପଡ଼ିଲା ଯେ, ସେଇଟି ବାସ୍ତବରେ ସତ ବୋଲି ତା’ର ପରତେ ହେଲାନି । ଅଥଚ ତା’ ଭାଇ ସେଇଟିକୁ କହିଦେଲା, ସ୍ୱାଭାବିକ ଓ ଆବେଗହୀନ ସ୍ୱରରେ; ସତେ ଅବା ତା’ ଭିତରେ ନୂତନତା ଓ ଚାଞ୍ଚଲ୍ୟକର କିଛି ନାଇଁ । ଛିନ୍‌ଛତ୍ର ହୋଇ ଯାଇଥିବା ବଂଶଟିର ସାମଗ୍ରିକ ଚିତ୍ର ସେ କଳ୍ପନା ବି କରି ପାରିଲାନି । ସେ ଏକୁଟିଆ ରହି ଯାଇଛି । ଅନ୍ୟମାନେ ବଞ୍ଚି ରହିବାର ଅନ୍ୱେଷଣ କରି ଅସହାୟ କାଗଜ ଟୁକୁରା ଭଳି କେଉଁ ଏକ ବଳିଷ୍ଠ ଘୂର୍ଣ୍ଣିବାତ୍ୟାରେ ଉଡ଼ି ବୁଲୁଛନ୍ତି । କାଗଜ ଟୁକୁରାରେ ଲେଖା ଯାଇଥିବା ସମସ୍ତ ଆବେଗ ଓ ପ୍ରାପ୍ତିର ଭାଷା ପୋଛି ହୋଇଯାଇଛି । କେଉଁ ମୁହୂର୍ତ୍ତରେ ସେଗୁଡ଼ିକ ଆବର୍ଜ୍ଜନା ହୋଇ ତଳକୁ ଆସିବେ, ତାହା ହିଁ ଦେଖିବାର କଥା ।

 

ତପନ ଅନୁଭବ କରୁଥିଲା, ତା’ର ସମସ୍ତ ହାଡ଼ ଓ ଶିରା ପ୍ରଶିରାକୁ ପ୍ରକମ୍ପିତ କରି କିଛି ଗୋଟାଏ ଆତ୍ମପ୍ରକାଶ କରିବା ପାଇଁ ବ୍ୟାକୁଳ ହୋଇ ପଡ଼ୁଛି, ତଳେ ରହିଥିବା ମଞ୍ଜିଟିଏ ମାଟିର ପରସ୍ତକୁ ଅମାନ୍ୟ କରି ଅଭିନବ ରୂପରେ ରୂପାନ୍ତରିତ ହେଲାଭଳି । ସେ ଯେପରି କିଛି ଗୋଟାଏ ଗର୍ଭରେ ଧରିଛି । ତାହାର ସଂପ୍ରସାରଣ ହେତୁ ସେ ପ୍ରସବ ଯନ୍ତ୍ରଣାରେ ଚିତ୍କାର କରି ନିଜ ମାତୃତ୍ୱର ଗର୍ବ ପ୍ରଚାର କରୁଛି । ତପନ ପାଇଁ ସେ ଅନୁଭୂତି ଥିଲା ସମ୍ପୂର୍ଣ୍ଣ ନୂତନ । ବର୍ଷ ବର୍ଷ ଧରି କାମ କରିବାର ଏକାଗ୍ରତା ଭିତରେ ସେ ଆଉ କିଛି ଭାବି ନ ଥିଲା । ମାତ୍ର ବର୍ତ୍ତମାନ ନିଜର ଶାରୀରିକ ଶକ୍ତି ଓ ଜମିର ଫସଲ ସତ୍ତ୍ୱେ ସମଗ୍ର ସୃଷ୍ଟି ଜଣା ପଡ଼ିଲା କରୁଣ ଓ ଅଶ୍ରୁଳ । ଏଇ ଭାବନାଟି କେମିତି କେଜାଣି ତା’ର ଜୀବନକୁ କମନୀୟ କରି ପକାଇଲା । ସେ ଅଜଣା ଅଦେଖା ଫୁଲର ମହୋତ୍ସବ ସ୍ପଷ୍ଟଭାବେ ଅନୁଭବ କରି ପାରିଲା ନିଜ ଭିତରେ । ପ୍ରଥମ ଥର ପାଇଁ ସେ ଭଲପାଇ ବସିଲା ସମୁଦାୟ ସୃଷ୍ଟିକୁ–ଦୁଃଖୀ, ନିରାଶ୍ରୟ, ଛେଉଣ୍ଡ ସୃଷ୍ଟିକୁ ।

 

ନିଜ ଭାବନାକୁ ସେ ଆଉ ଲୁଚେଇ ରଖି ପାରିଲାନି । ପ୍ରସ୍ତାବ ଦେଲା–‘‘ଭାଇ, ତୁ ଏମିତି ଏଠାରେ ପଡ଼ି ରହିବୁ କାହିଁକି ? ତୁ ଆଉ ଦାଦା ଦୁହେଁଯାକ ଚାଲ ମୋ ସାଙ୍ଗରେ । ତୁମ ଦୁହିଁଙ୍କୁ ମୁଁ ପାଳିବି । ମୁଁ ଯାହା କରିଛି ସବୁ ଆମର ହେବ ।’’

 

ଏତକ କହି ସାରିଲା ପରେ, ତପନ ନିଜକୁ ହାଲୁକା ଓ ତାତ୍ପର୍ଯ୍ୟପୂର୍ଣ୍ଣ ମନେ କଲା । ତା’ର କଣ୍ଠ ବାଷ୍ପାକୁଳ ହୋଇଗଲା ସମସ୍ତ ଆନ୍ତରିକତାର ସହିତ ପ୍ରସ୍ତାବଟି ଦେଇ ଥିବାରୁ । ଦୁଇ ଆଖି ଓଦା ହୋଇଗଲା । ତା’ ଭିତରେ ଏତେ ଦରଦ ଆଜିଯାଏଁ କେଉଁଠି ଲୁଚି ରହିଥିଲା ?

 

କରୁଣା କହିଲାନି କିଛି । ଚାରିଆଡ଼ୁ ଦୃଷ୍ଟି ବୁଲାଇ ଆଣି ସେ ଚାହିଁଲା ତପନକୁ । ତା’ର ରକ୍ତହୀନ, ହାଡ଼ୁଆ ମୁହଁ ଉପରେ ଦରମଲା ହସଟିଏ ଛଟପଟ ହେଉଥିଲା । ମୁହଁ ଫେରାଇ ସେ ଦୀର୍ଘଶ୍ୱାସ ତ୍ୟାଗକଲା ତା’ପରେ ।

 

ରାତି ସେତେବେଳକୁ ବାରଟା ପାଖାପାଖି ହେବ । ଗୋଟାକ ବେଳେ ଟ୍ରେନ, ଫେରିବା ପାଇଁ । ଭୟାନକ ଜଣା ପଡ଼ୁଛି ନିସ୍ତବ୍‌ଧ, ଥଣ୍ଡା ପ୍ଲାଟଫର୍ମଟା । ଅନେକ ଦୂରରେ କେହି ଜଣେ କାଶୁଛି । ଚାରି ପାଞ୍ଚଜଣ ମଣିଷଙ୍କର ନିଦୁଆ ସ୍ୱରର ମଳିନ କଥାବାର୍ତ୍ତା ଶୁଭୁଛି ।

 

କେଉଁଠୁ ଗୋଟାଏ ଛିଣ୍ଡା ସାଇକେଲ ଟାୟାର ଆଣି କରୁଣା ଜଳେଇ ଥିଲା, ଶୀତର ଆତ୍ମରକ୍ଷା କରିବା ପାଇଁ । ଉତ୍ତାପର ଦୁର୍ଗଟି ଭୁଷୁଡ଼ି ପଡ଼ି ଏବେ କେବଳ ତା’ର ଧ୍ୱଂସାବଶେଷଟି ରହିଛି–ଦୁଇଟି ମୋଟା, କର୍ଦ୍ଦମାକ୍ତ ତାର । ଜଳନ୍ତା ଟାୟାର ଚାରିପଟେ ତିନିହେଁ ବସିଥିଲେ । ଅନେକ ବେଳୁ ଗଣିଆଁ ଦାଦା ଆକାଶ ଆଡ଼େ ମୁହଁ କରି ଶୋଇ ପଡ଼ିଛି । କାନ୍ଥ ଉପରେ ଭରା ଦେଇ କରୁଣା ଢୁଳାଉଛି ଅଥୟ ଭାବରେ । ତପନ ନିଦ୍ରାହୀନ, କ୍ଳାନ୍ତିହୀନ ଆଖି ନେଇ ବସିଛି ଏବଂ ଚାହିଁଛି ମଝିରେ ପଡ଼ି ରହିଥିବା ତାର ଦୁଇଟିକୁ ଓ କରୁଣା-ଗଣିଆଁ ଦାଦାକୁ ।

 

ତପନ ଏକୁଟିଆ ଫେରିବ । ଏ ଦୁହେଁ ଗାଁକୁ ଯିବା ପାଇଁ ଠିକ୍‌ ଅମଙ୍ଗ ହୋଇ ନାହାନ୍ତି; ଯିବା କଥାଟାକୁ ସମ୍ପୂର୍ଣ୍ଣ ଅନାବଶ୍ୟକ ବୋଲି ମନେ କଲେ । ଦୁହେଁଯାକ ବିସିତ ହୋଇଥିଲେ ଯେ, ଏଇଥିପାଇଁ ଏତେ ବାଟରୁ ଏତେଗୁଡ଼ାଏ ଟଙ୍କା ବରବାଦ କରି ତପନ ଧାଇଁ ଆସିଛି ସେମାନଙ୍କ ପାଖକୁ । ଜୀବନରୁ ଆବେଗ ଓ ବନ୍ଧନର ଭାଷା ହଜିଯିବା ପରେ ଏସବୁ ଘଟଣା ଆଗ୍ରହ ସୃଷ୍ଟି କରି ପାରନ୍ତା କିପରି ? ବାହାଘର ସରଞ୍ଜାମ କିଣିବ ବୋଲି ଯେଉଁ ଟଙ୍କା ଧରି ତପନ ଆସିଥିଲା, ସେଇଥିରୁ ଦୁହିଁଙ୍କ ହାତରେ କିଛି ଧରାଇ ଦେଇ ସେ ଖାଲି ହାତରେ ଓ ପରିପୂର୍ଣ୍ଣ ହୃଦୟ ନେଇ ଗାଁକୁ ବାହୁଡ଼ି ଯାଉଛି ।

 

ଗଣିଆ ଦାଦା ଆଉ କେଇ ବର୍ଷ ବଞ୍ଚିବ ? ଭାଇ ପାଖରୁ ସେ ଶୁଣିଥିଲା, ଅବସର ନେବାପାଇଁ ତା’ର ଆଉ ମାତ୍ର ଗୋଟିଏ ବର୍ଷ ଅଛି । ତା’ପରେ ତା’ର ଯୋଜନାହୀନ ଅବଶିଷ୍ଟାଂଶର ଅବସ୍ଥା କ’ଣ ହେବ ? ତପନର ସର୍ବାଙ୍ଗ ପୁଣି ଥରେ ମମତା ଓ ସ୍ନେହରେ ବିଗଳିତ ହୋଇଗଲା ।

 

ଅଥଚ କେମିତି ସେ ଶୋଇଛି, ଦେଖ । ସ୍ଥିର, ଅବିଚଳିତ ଆକାଶକୁ ସାମନାରେ ରଖି ସେ ଯେମିତି ନୀରବ ଭର୍ତ୍ସନା କରୁଛି । ଦୁଇ ଓଠ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଯାଇ ଥିବାରୁ ତା’ର ଦାନ୍ତଗୁଡ଼ିକ ବ୍ୟଙ୍ଗ ଉପହାସ କରି ଚାଲିଛନ୍ତି ଅନନ୍ତ ଆକାଶକୁ ଏବଂ ସମ୍ଭବତଃ, ତା’ ଅନ୍ତରାଳରେ ଥିବା ଅଦେଖା ନିର୍ମାତା ଜଣକୁ । ଖାକି ହାଫପେଣ୍ଟ ଓ କମିଜ୍‌ ପିନ୍ଧିଥିବା ଶ୍ୱାସରୋଗୀଟିର ବେପରୁଆ ଢଙ୍ଗକୁ ବେଶି ସମୟ ପାଇଁ ଚାହିଁ ପାରିଲାନି ତପନ । ବାପାଙ୍କର ସାନ ଭାଇଟି ଆସ୍ତେ ଆସ୍ତେ କ୍ଷୁଦ୍ର ହୋଇଯାଉଛି ଏଇ ପୃଥିବୀରେ; ଯେଉଁ ପୃଥିବୀ ଏକଦା ତାକୁ ବଢ଼ାଇଥିଲା, କର୍ମ ଚଞ୍ଚଳ କରି ଗଢ଼ିଥିଲା ।

 

ପୃଥିବୀ ସୃଷ୍ଟି କରେ, ଧ୍ୱଂସ କରେ । ଏଇ ଦୁଇ ବିନ୍ଦୁ ମଧ୍ୟରେ ଜୀବନ ଅପେକ୍ଷା କରି ପଡ଼ିରହେ କିଛି ଗୋଟାଏକୁ । ସେଇଟି ହୁଏତ ଆସେନି; କିନ୍ତୁ ଜୀବନ ଆଶା କରି ରହିଥାଏ । ପ୍ରତୀକ୍ଷିତ ଜୀବନ ! ତପନ ଶୋଇଯାଇଥିବା ଓ ଢୁଳାଉଥିବା ମଣିଷ ଦୁଇଟିକୁ ଚାହିଁ ଭାବିଲା, ଏ ଦୁହେଁ କେଉଁ ଦରବକୁ ଅପେକ୍ଷା କରିଛନ୍ତି ? ଏମାନେ କ’ଣ ସ୍ପନ୍ଦିତ ହୁଅନ୍ତି ଆଶାର ବାସ୍ନାରେ ?

 

ତପନ ଦୁଇ ହାତ ଉପରକୁ ଟେକି ଅଳସ ଭାଙ୍ଗିବା ପରେ, ତା’ର ହାତ ପ୍ରସାରିତ ହେଉଥିଲା ଭାଇ ଓ ଦାଦାଆଡ଼େ । ହଠାତ୍‌ ତା’ର ମନ ହେଲା, ସେ ଦୁହିଁଙ୍କୁ ତଳୁ ସାଉଁଟି ଆଣି ଛାତି ଉପରେ ଜାକି ଧରନ୍ତା ଏବଂ ପଚାରନ୍ତା–‘‘ଚମ୍ପା, କିପରି ଲାଗେ ବାହା ହେବା ପରେ ? ଜଣେ ବାପା, ଛୁଆମାନଙ୍କୁ କୋଳ କରି ସେମାନଙ୍କ ଛାତିର ଦୁକ୍‌ ଦୁକ୍‌ ଭାଷାକୁ, ନିଜ ରକ୍ତକଣିକା ସାହାଯ୍ୟରେ ପଢ଼ିଲାବେଳେ କ’ଣ ଭାବେ ?’’

 

ତପନ ଅଭିଭୂତ ହୋଇଯାଉଥିଲା । ବୋଧ କରୁଥିଲା, ତା’ ଦେହର ସୀମା ଲଂଘନ କରି ତା’ ଆତ୍ମା ଓ ହୃଦୟର ସୁରଭିତ ଆନନ୍ଦ ଏକ ସୀମାତୀତ ସମୁଦ୍ର ସୃଷ୍ଟି କରିବାକୁ ଯାଉଛି । ସେତେବେଳେ ସେ କେବଳ ସେଇ ଦୁଇଜଣଙ୍କୁ ନୁହେଁ; ଦୁଇଟି ପୃଥିବୀର ଲୋକମାନଙ୍କୁ ଛାତିରେ ଜଡ଼ାଇ ଧରିବାକୁ ବ୍ୟାକୁଳ ଥିଲା । ବିଚିତ୍ର ଶିହରଣ ଓ ଯନ୍ତ୍ରଣାରେ ସେ ବିସ୍ମିତ ହୋଇଗଲା ନିଜ ସ୍ଥିତି ଓ ପରିବେଷ୍ଟନୀ ସମ୍ପର୍କରେ ।

 

ଟ୍ରେନ୍‌ ପ୍ଲାଟ୍‌ଫର୍ମ ଉପରକୁ ଆସିବାର ଢେର ସମୟ ପୂର୍ବରୁ ତପନ ଓ କରୁଣା ଠିଆ ହୋଇ ସାରିଥିଲେ । ଗଣିଆଁ ଦାଦା ସବୁ କଥାକୁ ବେଖାତିର କରି ଆକାଶର ସମ୍ମୁଖୀନ ହୋଇ ରହିଥିଲା ।

 

କରୁଣା କହିଲା–‘‘ତାକୁ ଉଠାନା । ବିଚରା ବୁଢ଼ାଲୋକ । ଶ୍ୱାସରୋଗୀ । ଶୋଇଥାଉ ।’’

 

ଟ୍ରେନ୍‌ ଠିଆ ହେବା କ୍ଷଣି ଭାଇର ନିର୍ଦ୍ଦେଶ ଶୁଣିଲା–‘‘ଚଢ଼ିଯା, ଏଇ ଡବା ଭିତରକୁ । ବେଶି ମଣିଷ ନାହାନ୍ତି ସେଠାରେ ।’’

 

ତା’ର କୌଣସି ଉତ୍ତରକୁ ଅପେକ୍ଷା ନ କରି ‘କୁଲି, କୁଲି’, ବୋଲି ଚିତ୍କାର କଲା କରୁଣା-। ଏଇ ଚିତ୍କାର ନିରବଚ୍ଛିନ୍ନ ‘କୁଲି, କୁଲି’ ବୋଲି ସହସ୍ରାଧିକ ଚିତ୍କାର ଭିତରେ ସାମିଲ ହୋଇଗଲା । ତପନ ଆଉ ଠଉରେଇ ପାରିଲାନି, କେଉଁ ଚିତ୍କାରଟି ତା’ ଭାଇର ।

 

ଡବାର ଦରଜା ପାଖରେ ଠିଆ ହୋଇ ତପନ ଦେଖିଲା, ଶୋଇବା ଜାଗାରୁ ଉଠି ଗଣିଆଁ ଦାଦା ବସିଲା । ଚାହିଁଲା ସାମନାକୁ । ପୁଣି କ’ଣ ଭାବିଲା କେଜାଣି, ଆଗଭଳି ଉପରକୁ ମୁହଁ କରି, ଦାନ୍ତ ଦେଖାଇ ଶୋଇ ପଡ଼ିଲା । ହୁଏତ ସେ ଭାବୁଥିଲା, ଥରେ ଅନ୍ୟମନସ୍କ ହୋଇଗଲେ, ପରାଜିତ ଆକାଶଟା କେଉଁଆଡ଼େ ଖସି ପଳାଇ ଯାଇପାରେ, ତା’ ହାତ ମୁଠାରୁ ।

 

ତପନର ଦୁଇ କମ୍ପିତ ଓଠ ଉପରକୁ ମ୍ଳାନ ହସ ଖିଏ ଓହ୍ଲାଇ ଆସିଲା । ତା’ର ଅଜାଣତରେ ଦୁଇ ଆଖିରୁ ଦୁଇ ଟୋପା ଲୁହ ଝରି ଆସିଲେ ତଳକୁ । ସଚେତନ ହେବା ପରେ, ବୁଶ୍‌ ସାର୍ଟର ଧାରକୁ ଟେକି ଆଖି ପର୍ଯ୍ୟନ୍ତ ନେବାକୁ ଚେଷ୍ଟା କଲା । ଭାବିଲା, ଏ ପୋଷାକ ବହୁଦିନୁ ଛୋଟ ହୋଇଯାଇଛନ୍ତି ତା’ପାଇଁ । ହାତ ପାପୁଲିରେ ଆଖି ପୋଛିବାବେଳେ ଗାଡ଼ିଟି ମନ୍ଥର ଗତିରେ ଚାଲିବାକୁ ଆରମ୍ଭ କରିଥିଲା ।

Image

 

ଅନ୍ୟ ଅନୁଭୂତି

 

ମଳୟ ଅଫିସ୍‌ ଯିବାର ଅଧଘଣ୍ଟାଏ ପରେ ଡାକପିଅନ ଚିଠିଟିକୁ ବାରଣ୍ଡା ଉପରେ ଫୋପାଡ଼ି ଦେଇ ଚାଲିଗଲା । ମଳୟର ଯିବା ବାଟକୁ ଚାହିଁ ବାରଣ୍ଡାରେ ଠିଆ ହୋଇଥିଲା ସୁମିତ୍ରା-। ଫ୍ଲାଟ୍‌ରୁ ବାହାରି ଆଗରେ ଦିଶୁଥିବା ମୋଡ଼ରେ ଅଦୃଶ୍ୟ ହୋଇଯିବାକୁ ମଳୟ ଖୁବ୍‌ ବେଶିରେ ଦୁଇ ମିନିଟ୍‌ ସମୟ ନିଏ । ଘରେ ତ ଆଉ କିଛି କାମ ନ ଥିଲା । ଗଣ୍ଡାଏ ଖାଇ, ବାସନ ମାଜି ରୋଷେଇ ଘରେ ରଖିବା ପରେ ନିଦ ଲାଗୁ ନ ଲାଗୁ ବିଛଣାରେ ଗଡ଼ିପଡ଼ିବା କଥା । ଶିଲିଂ ଫ୍ୟାନ୍‌ର ଗତିକୁ ଲକ୍ଷ୍ୟ କରି ବାର କଥା ଭାବୁ ଭାବୁ ଶୋଇପଡ଼ିବା କଥା ! ଏଇଥି ପାଇଁ ମଳୟ ଆଗ ଛକରେ ଅଦୃଶ୍ୟ ହେବା ପରେ ବି ସୁମିତ୍ରା ଖାଲିଟାରେ ବାରଣ୍ଡାରେ ଠିଆ ହୋଇଥିଲା ।

 

ସହରର ଏଇ ହେଲା ସବୁଠାରୁ ବଡ଼ କଲୋନୀ । ବଡ଼ ବଡ଼ ଚାରିମହଲା କୋଠାର ଫ୍ଲାଟ୍‌ ଗୁଡ଼ିଏ–ମହୁଫେଣା ପରି । ତା’ ଭିତରୁ ଗୋଟିକରେ, ତଳ ମହଲାରେ ମଳୟ ରହେ । ସୁମିତ୍ରା ଦେଖେ, ତାଙ୍କ ଫ୍ଲାଟ୍‌ର ଡାହାଣକୁ ଓ ବାମକୁ ଆହୁରି କେତେ ଚାରିମହଲା କୋଠାର ଫ୍ଲାଟ୍‌-। ସାମନାରେ ସେଇମିତି ଫ୍ଲାଟ୍‌ ସବୁ ଦୁଇ ଦିଗକୁ ଲମ୍ୱି ଯାଇଛନ୍ତି । ମଝିରେ ଅଣଓସାରିଆ କଚ୍ଚା ରାସ୍ତା । ବାରଣ୍ଡା ଉପରେ ଠିଆ ହୋଇ ଯେଉଁ ଦିଗକୁ ଚାହିଁଲେ ମଧ୍ୟ ଦୃଷ୍ଟି ବାଧାପାଏ ଚାରିମହଲା କୋଠାର ଉଚ୍ଚତା ଉପରେ । ଆକାଶ ତ ପ୍ରାୟ ଦେଖାଯାଏ ନାହିଁ–ଦିଗ୍‌ବଳୟ କଥା ତେଣିକି ଥାଉ-

 

ଦଶଦିନ ହେଲା ଏ ସହରକୁ ଆସି ମଳୟ ସହିତ ସଂସାର ଗଢ଼ିବାକୁ ଉତ୍କଣ୍ଠିତ ସୁମିତ୍ରା ଖାଲି ଆଚମ୍ୱିତ ହୁଏ । କେଡ଼େ ଅଦ୍ଭୁତ ଏ ସ୍ଥାନ । ଏ ସହରରେ ଆକାଶ ପ୍ରକୃତରେ କେଡ଼େ ମହରଗ, ଦିଗ୍‌ବଳୟ ଦୁଷ୍ପ୍ରାପ୍ୟ । ଏକା ଦିଶୁଥିବା ଫ୍ଲାଟ୍‌ମାନଙ୍କର ଝରକା, କବାଟ ବନ୍ଦଥିବ; ନ ହେଲେ ପର୍ଦ୍ଦା ଝୁଲୁଥିବ । ମଣିଷ ତିଆରି ଏ ଘରଗୁଡ଼ିକ ଏମିତି ଯେ, ଘର-ନମ୍ୱର ଦେଖି ଭିତରକୁ ପଶିବାକୁ ହୁଏ । ଘର ଏକା; ମଣିଷ ଅଲଗା । ଯେମିତିକି ଆକାଶ ଗୋଟିଏ; ପୃଥିବୀ ଗୋଟିଏ । ତହିଁରେ ବାସ କରୁଥିବା ମଣିଷମାନେ ଅଲଗା–ଚେହେରାରେ, ଚେତନାରେ । ବିଧାତା ଏତେଗୁଡ଼ିଏ ଜିନିଷ ସୃଷ୍ଟି କରି ମଧ୍ୟ କୌଣସି ଦୁଇ ଜିନିଷକୁ ଏକା କରି ନାହାନ୍ତି । ଏଇଥିପାଇଁ ସୁମିତ୍ରା ଶୁଣେ, କେଉଁ ଫ୍ଲାଟରେ ଛୁଆଟିଏ ରାହା ଧରି କାନ୍ଦୁଛି ତ ଅନ୍ୟ କେଉଁଠି ଚାରି-ପାଞ୍ଚଜଣ ମଣିଷଙ୍କର ସମ୍ମିଳିତ ହସ ଶୁଭୁଛି । ପୁଣି କେଉଁ ଫ୍ଲାଟରେ କାହାର ସ୍ୱାମୀ ଉଚ୍ଚ ସ୍ୱରରେ ସମ୍ଭବତଃ ନିଜ ଘରଣୀକୁ ଗାଳି ଦେଉଛି ତ ଅନ୍ୟ କେଉଁଠି ସ୍ୱାମୀ-ସ୍ତ୍ରୀ ପରମ ଆନନ୍ଦରେ ସିଡ଼ିରୁ ଓହ୍ଲାଇ କେଉଁଆଡ଼େ ବୁଲି ବାହାରୁଛନ୍ତି ।

 

ଏଇ ଦଶଦିନ ହେଲା ଏଇମିତି ଅକାରଣଟାରେ ବାରଣ୍ଡାରେ ଠିଆହୋଇ ସୁମିତ୍ରା ଏଇକଥା ଲକ୍ଷ୍ୟ କରୁଥିଲା । ସହର ଏଇମିତି ବୋଲି ସେ କ’ଣ ଆଗରୁ ଜାଣିଥିଲା ? ଶାଶୁ ଘରେ ଅଳ୍ପ କେଇଦିନ ରହି ଏଠାକୁ ଆସିବା ବେଳେ ସେ ଭାବୁଥିଲା, ସହର ହେଉପଛେ ସେଠାରେ ତ ପୋଖରୀ ଥିବ । ଆହୁରି ଅନେକଙ୍କ ସହିତ ଦେହରେ ତେଲ-ହଳଦୀ ଳଗାଇ ସେ ଯିବ ଗାଧୋଇବା ପାଇଁ । କେଉଁ ଗଛମୂଳେ ଦୋଳି ତିଆରି ହୋଇଥିବ । ସଞ୍ଜବେଳେ ଆହୁରି କେତେ ଝିଅ-ବୋହୂଙ୍କ ସାଙ୍ଗେ ଦୋଳି ଖେଳିଲା ବେଳେ ତାକୁ ଯଦି ଦୋଳି ଗୀତ ଗାଇବାକୁ କୁହାଯାଏ, ସେ କ’ଣ ସେ କଥା ମାନିବ ? କାହାର ବାହାଘର ହେଉଥିଲେ ଅନ୍ୟମାନଙ୍କ ସାଙ୍ଗରେ ସେ ବି ଯିବ ନୂଆବୋହୂ ଦେଖି । ଅନ୍ୟ ଗାଁରୁ ଆସିଥିବା, ଲାଜ-ଭୟ-ଦୁଃଖ ମିଶା, ଓଢ଼ଣା ଢଙ୍କା ବୋହୂର ମୁହଁ ତାକୁ ସବୁବେଳେ ଭଲ ଲାଗିଛି ।

 

କାହିଁ ? ଏଠାରେ ସେମିତି କିଛି ଘଟୁନାହିଁ । ଗାଧୁଆ ଘରର କଳ ମୋଡ଼ିଲେ ପାଣି ଆସେ । ଏ ଯାଏଁ ବଡ଼ ଗଛଟିଏ ସେ ଦେଖିନାହିଁ, ଯାହା ମୂଳରେ ଦୋଳି ତିଆରି ହୋଇ ପାରିବ । ଦଶଦିନ ଭିତରେ ଆଖ ପାଖରେ ବହୁତ ବାହାଘର ହୋଇଛି । ବାଣ ଶବ୍ଦ ସେ ଶୁଣିଛି, ମାଇକ୍‌ର ଉଦାର ସ୍ୱରଦ୍ୱାରା ସହର ପ୍ରକମ୍ପିତ ହୋଇଛି । ହେଇ ତ, ମାତ୍ର ଗତକାଲି ସାମନା ଫ୍ଲାଟରେ ବ୍ରତୋପନୟନ ଉତ୍ସବ କେଡ଼େ ଉତ୍ସାହ ଓ ଆଡ଼ମ୍ୱର ସହିତ ପାଳିତ ହୋଇଥିଲା । ବିଜୁଳି ଆଲୁଅରେ ସଜା ହୋଇଥିଲା ସେ ଘର । କେତେ ଲୋକ ଆସିଲେ, ଗଲେ । ଖିଆପିଆ ଚାଲିଲା, ହୁଳହୁଳି ଶୁଭିଲା । ତାକୁ ତ ଡାକିଲେ ନାହିଁ କେହି । ଚାରି-ପାଞ୍ଚ ଦିନ ପୂର୍ବେ ଆହୁରି ଏକ ଫ୍ଲାଟରେ ଜଣଙ୍କର ଜେଜେମା’ ଆଖି ବୁଜିଲେ । ସେ କୁଆଡ଼େ ଡାକ୍ତରଖାନାରେ ଥିଲେ । ଡାକ୍ତର କହିଲେ, ଏଠାରେ ୟାଙ୍କୁ ପକେଇ ରଖିବ କାହିଁକି ? ଅଚିହ୍ନା ନର୍ସର ନିଷ୍କରୁଣ ଦୃଷ୍ଟି କିମ୍ୱା ଡାକ୍ତରଙ୍କର ନାଡ଼ି ଚିପା ୟାଙ୍କୁ ଭଲ କରିପାରିବ ନାହିଁ । ତାଙ୍କର ଆଉ ବେଶିଦିନ ସମୟ ନାହିଁ । ସେୟା କରାଗଲା । ସେ ଆଖି ବୁଜିବାର ଚାରି ପାଞ୍ଚ ଦିନ ହେଲାଣି । କିନ୍ତୁ ଏ ମରଣ ସୁମିତ୍ରାର ମନ ଉପରେ ସାମାନ୍ୟ ତରଙ୍ଗଟିଏ ବି ସୃଷ୍ଟି କଲା ନାହିଁ । ଆହା ବୋଲି ଶବ୍ଦଟିଏ ଉଚ୍ଚାରଣ କରିବାକୁ ସତେ ଯେପରି ତା’ ସ୍ୱର କୃପଣ ହୋଇ ଯାଇଥିଲା ।

 

ଏଇ ହେଲା ଦଶଦିନର ଅଭିଜ୍ଞତା । ସହର ସମ୍ପର୍କରେ । କେହି କାହାର ନୁହଁନ୍ତି । ସମସ୍ତେ ଯେଝା ଝାମେଲା ନେଇ ବ୍ୟସ୍ତ । ଅନ୍ୟ କାହାର ମୁହଁକୁ ଚାହିଁବା ପାଇଁ କାହାର ବା ତର ଅଛି ? ସାମନା ଅଣଓସାରିଆ ରାସ୍ତା ଉପରେ କେତେ ଲୋକ ସାଇକେଲ ଘଣ୍ଟି ବଜାଇ ଚଳପ୍ରଚଳ କରନ୍ତି । ଯେଉଁମାନେ ତା’ଆଡ଼େ କେବେ ଚାହିଁ ଦିଅନ୍ତି, ସେ ଦୃଷ୍ଟିରେ ପ୍ରକୃତରେ କେତେ ଦୂରତା ଓ ନିର୍ଲିପ୍ତତା ନ ଥାଏ ! ତଳକୁ ମୁହଁ ପୋତି ଚାଲି ଚାଲି ଯାଉଥିବା ଲୋକଙ୍କ ଦୃଷ୍ଟିରେ ବି ଥାଏ ସେଇ ଭାଷା ।

 

ସୁମିତ୍ରା ଲଫାପା ଉପରେ ଲେଖାଥିବା ଠିକଣା ଆଡ଼ୁ ଦୃଷ୍ଟି ଫେରାଇ ଡାକପିଅନ୍‌ ଆଡ଼େ ଚାହିଁଲା ବେଳକୁ ସେ କେଉଁଆଡ଼େ ଉଭେଇ ଯାଇଥିଲା । ଭାବିଲା, ବାପାଙ୍କ ପାଖରୁ ଆସିଥିବା ଏ ଚିଠି ଭିତରେ କ’ଣ ଲେଖାଯାଇଛି ତାହା ଜାଣିବାପାଇଁ କେଉଁ ଡାକପିଅନର ଭଲା ଗରଜ ପଡ଼ିଛି ? ଡାକ ପିଅନ ଯଦି ପଚାରିଥାନ୍ତା–ଆଲୋ ମା’, କ’ଣ ସବୁ ଚିଠିରେ ଲେଖିଛି ତୋ ବାପ ? ମାସକ ତଳେ ପବନରେ ତୁମ ଛପରରୁ କିଛି ଅଂଶ ଉଡ଼ିଯାଇଥିଲା । ତାହା ମରାମତି ହୋଇଛି କି ନା ? ଚିଠିରେ ତ ଲେଖାଥିବ । ରାତିରେ ତୁମ ବଳଦଟା ଗଁ....ଗଁ....ଶବ୍ଦ କରୁଥିଲା । ଦେଖିଲୁ ମା’ ଚିଠିରେ ସେଇ କଥା ଲେଖା ହୋଇଛି କି ନାହିଁ । ତୋ ସାନଭାଇ ଗଛରୁ ପଡ଼ିଯାଇଥିଲା ଯେ, ଡାହାଣ ହାତର ହାଡ଼ ଭାଙ୍ଗି ଯାଇଥିଲା । କ’ଣ ହେଲା ତା’ କଥା ? –ତେବେ ସୁମିତ୍ରା ଭାବିଥାନ୍ତା, ଏ ଲୋକଟି ପାଗଳ ନା କ’ଣ ? ଏ ସହରର ଜୀବନଧାରା ଭିତରେ ଯେଉଁ ନିଷ୍କରୁଣତା ଓ ନିର୍ଲିପ୍ତତା ରହିଛି, ତା’ ମଧ୍ୟରେ ଖାକି ପୋଷାକ ପିନ୍ଧିଥିବା ଏ ଝାଳୁଆ ମଣିଷର ଭାଷା ଭାରି ବେଖାପ ଜଣାପଡ଼ୁଛି ତ ।

 

ବାପାଙ୍କ ଚିଠି । ଲଫାପାଟି ଚିରୁଥିବାବେଳେ କରୁଣ ଆର୍ଦ୍ରତାରେ ସୁମିତ୍ରାର ଆଖି ଓଦା ହୋଇଯାଇଥିଲା । ହାତ କମ୍ପୁଥିଲା । ଚିଠି ପଢ଼ିବା ପୂର୍ବରୁ ତା’ ଆଖିର ଦୁଇଟୋପା ଉଷୁମ ଲୁହ ଝରି ପଡ଼ିଥିଲା ବେବାଗିଆ ହସ୍ତାକ୍ଷରରେ ଲେଖିଥିବା ଚିଠିର ଛାତି ଉପରକୁ । ଦଶଦିନ ପରେ ଆତ୍ମୀୟତାର ଗନ୍ଧରେ ବିଭୋର ହୋଇ ସୁମିତ୍ରାର ହୃଦୟ ଓ ଆତ୍ମା ଭିଡ଼ି ଧରିବାକୁ ବ୍ୟାକୁଳ ଥିଲା ଅର୍ଦ୍ଧଶିକ୍ଷିତ, ଗରିବ ଜଣେ ମଣିଷକୁ; ଯାହାର ଖରାସିଝା ମୁହଁ ଅତୁଳନୀୟତାର ମହିମାରେ ମଣ୍ଡିତ ହୋଇ ତାକୁ ଯନ୍ତ୍ରଣା ଓ ଲୁହରୁ ପ୍ରତିରକ୍ଷା କରିବା ପାଇଁ ମମତାମୟ ପ୍ରତିଶ୍ରୁତି ଦେଉଥିଲା । ପଣତ କାନିରେ ଆଖି ପୋଛି ସେ ଚିଠି ଆଡ଼କୁ ଦୃଷ୍ଟି ଫେରାଇଲା । ବାପା ଲେଖିଥିଲେ–

 

ମା’ ସୁମିତ୍ରା,

 

ମୋର, ତୋ’ ମା’ର କଲ୍ୟାଣ ଜାଣିବୁ । କୁନାର ନମସ୍କାର ନେବୁ । ଏବେ ସହରରେ ରହିଲୁ । ମୋ ଭାଗ୍ୟ ଏମିତି ଯେ, ତୋତେ ଆଗରୁ ସହର ଦେଖାଇ ପାରିଲି ନାହିଁ । ଏଇଥିପାଇଁ ସଦାବେଳେ ମନ ହାଇଁ ପାଇଁ ହେଉଛି । ଖାଲି ତୋ କଥା ମନେ ପଡ଼ୁଛି । ତୋ’ ମା’ତ କାନ୍ଦୁଛି ଯେ କାହିଁରେ କ’ଣ । ସେଠାରେ କେମିତି ଚଳୁଛୁ ? ଭଲ-ମନ୍ଦ, ଦେହ ପା’ ନେଇ ଚିଠି ଦେବୁ । ମଳୟବାବୁ କାମକୁ ବାହାରିଗଲା ପରେ, ଘରେ ତୁ ଏକୁଟିଆ ରହୁଥିବୁ । ଏଇଥିପାଇଁ ସାବଧାନ ହୋଇ ନ ଚଳିଲେ ବଡ଼ ଅସୁବିଧା । ସେ ସହର ଭାରି ଦଗାବାଜ୍‌ । ଘରେ କେହି ନାହାନ୍ତି ବୋଲି ଜାଣିଲେ ବଦ୍‌ମାସ୍‌, ବଜାରୀ ଲୋକ ଭିତରକୁ ପଶି ଆସିବେ । ତେଣୁ ବାବୁ ଅଫିସ ଗଲା ପରେ କବାଟ ଦେଇ ଭିତରେ ରହିବୁ । ବାବୁଙ୍କ ସ୍ୱର ଚିହ୍ନିଲେ ଯାଇ କବାଟ ଖୋଲିବୁ । ଆଉ କେହି ଲୋକ କୌଣସି କାମରେ କଥାବାର୍ତ୍ତା କଲେ, ଝରକାବାଟେ ଯାହା କହିବା ଦରକାର କହିବୁ । ଜମା କବାଟ ଖୋଲିବୁ ନାହିଁ । ମଳୟବାବୁଙ୍କ କଥା ମାନି ଚଳିବୁ । ତାଙ୍କ ସଙ୍ଗେ ପାଟିତୁଣ୍ଡ କରିବୁ ନାହିଁ । ପାଖ ଘରେ ଚଳୁଥିବା ଅଫିସରଙ୍କ ସଙ୍ଗେ ମିଳିମିଶି ଚଳିବୁ । ଯେମିତି କି ଘରର ନାଁ ନ ପଡ଼େ । ଚାଷ କାମ ଚାଲିଛି । ଫୁରୁସତ ପାଇଲେ ତୋତେ ଦେଖି ଆସିବି । କୁନାର ହାତ ଭଲ ହୋଇଗଲାଣି । ମଳୟବାବୁଙ୍କୁ ଆଶୀର୍ବାଦ କହିବୁ । ଚିଠି ପାଇ ଚିଠି ଦେବୁ । ଇତି ।

 

ଚିଠି ପଢ଼ି ସାରିବା ପରେ ସୁମିତ୍ରାର ସାରା ଦେହ ଭୟ ଓ ଆତୁରତାରେ ଝାଳେଇଗଲା-। ସେତେବେଳେ ରାସ୍ତା ଉପରେ ଚଳ ପ୍ରଚଳ କରୁଥିବା ମଣିଷ, ସାଇକେଲ ଓ ରିକ୍‌ସା ସଂଖ୍ୟା ଢେର ବୃଦ୍ଧି ପାଇଥିଲା । ଅଫିସ ଯିବା ବେଳ ଯୋଗୁଁ ଚାରିଆଡ଼େ ଥିଲା ଗତିଶୀଳତା ଓ କର୍ମତତ୍ପରତା । ସୁମିତ୍ରାର ଭୟାତୁର ଆଖି ଦୁଇଟା ରାସ୍ତା ସାମନା ଫ୍ଲାଟ୍‌ ଆଡ଼ୁ ବୁଲି ଆସିଲା ସିନା; ସେ କିନ୍ତୁ କିଛି ବି ଦେଖିପାରି ନ ଥିଲା । ଚିଠିରେ ଲେଖାଥିବା ଚେତାବନୀ ତା’ର ସମସ୍ତ ଆଗ୍ରହ ଓ ଚଞ୍ଚଳତାକୁ ନିମିଷକ ମଧ୍ୟରେ ଆଶଙ୍କା ଓ ବ୍ୟାକୁଳତାରେ ରୂପାନ୍ତରିତ କରିଦେଲା-। ହଠାତ୍‌ ଘର ଭିତରକୁ ପଶି ସେ କବାଟ ବନ୍ଦ କଲା ଏବଂ ତାହାରି ଉପରେ ଆଉଜି ରହି ଧଇଁ ସଇଁ ହେଲା କେଜାଣି କେତେ ସମୟ ଯାଏଁ ।

 

ପ୍ରଚଣ୍ଡ ଅସ୍ଥିରତା ଯୋଗୁଁ ତା’ ଆଖିରୁ ପୁଣି ଝରି ଆସିଲା ଲୁହ । ସମସ୍ତ କବାଟ ଝରକା ବନ୍ଦ କରି ଶୋଇବା ଘର ଚଟାଣ ଉପରେ ସେ ଠିଆ ହେଲା ନିର୍ବାକ ହୋଇ ଏବଂ ଚେଷ୍ଟାକଲା କିଛି ଶୁଣିବାକୁ । ପ୍ରଥମେ ନିଜ ଛାତିର ଦପ୍‌ ଦପ୍‌ ଶବ୍ଦ ବ୍ୟତୀତ ଆଉ କିଛି ଶୁଣାଗଲା ନାହିଁ; କିନ୍ତୁ ତା’ର ପର ମୁହୂର୍ତ୍ତରେ ତାକୁ ଜଣାଗଲା ସତେ ଯେପରି ଆଠ ଦଶଜଣ ମଦୁଆ ଲୋକ କବାଟ ବାଡ଼େଇ, ‘କବାଟ ଖୋଲ, ଖୋଲ କବାଟ ଜଲଦି’ ବୋଲି ଚିତ୍କାର କରୁଛନ୍ତି । ସୁମିତ୍ରା ପ୍ରାଣ ବିକଳରେ ରୁମ୍‌ର ଗୋଟିଏ କଣରେ ଜାକିଜୁକି ହୋଇ କାନ୍ଥ ଭିତରେ ମିଶିଯିବାକୁ ଚେଷ୍ଟା କଲାବେଳେ ଅଗଣିତ ହାତ ତା’ଆଡ଼େ ପ୍ରସାରିତ ହେଉଛି ବୋଲି ତା’ର ମନେ ହେଲା । ଦୁଇ ପାପୁଲିରେ ମୁହଁ ଘୋଡ଼ାଇ ଆତ୍ମରକ୍ଷା ପାଇଁ ଚିତ୍କାର କରିବାକୁ ସେ ବହୁତ ଚେଷ୍ଟା କଲା; କିନ୍ତୁ କାହିଁକି କେଜାଣି ସେ ସମ୍ପୂର୍ଣ୍ଣଭାବେ ମୂକ ପାଲଟି ଯାଇଥିଲା ସେଇ କେତୋଟି ଭୀଷଣ ମୁହୂର୍ତ୍ତଟି ପାଇଁ ।

 

ଏଇମିତି ଘଣ୍ଟାଏ, ଦୁଇଘଣ୍ଟା ବିତିଯିବା ପରେ ସୁମିତ୍ରା ଦେହର ଶାଢ଼ି ସଜାଡ଼ି ନେଲା । ରୋଷେଇ ଘରକୁ ଖାଇବା ପାଇଁ ଯିବାବେଳକୁ ତା’ର ମନ ପୁଣି ଥରେ କରୁଣତାରେ ଆଚ୍ଛନ୍ନ ହୋଇଗଲା, କଣ୍ଠ ପୁଣି ଥରେ କୋହରେ ବାଷ୍ପାକୁଳ ହୋଇଗଲା । ତାକୁ ଜଣାଗଲା, ତା’ ଅଜାଣତରେ ତାକୁ ଫାଶୀ ଆଦେଶ ଦିଆଯାଇଥିଲା; ଗଳାରୁ ଦଉଡ଼ିଟି କାଢ଼ି ସାରିବା ପରେ ତାକୁ କୁହାଗଲା ଯେ, ସେ ଏବେ ନିର୍ଦ୍ଦୋଷ ଓ ମୁକ୍ତ ।

 

ଖାଇବା ପାଇଁ ଜମା ସ୍ପୃହା ନ ଥିଲା ତା’ର । ମନକୁ ମନ ସେ ଖାଲି ଗୋଟିଏ କଥା କହୁଥାଏ–ଆଜି ସେ ଫେରନ୍ତୁ ଅଫିସରୁ । ମୋତେ କ’ଣ ବୋଲି ସେ ଭାବିଛନ୍ତି କି ? ଏ ସହର ଏଡ଼େ ଖରାପ; ଅଥଚ ଏହା ବିଷୟରେ ପଦେ ହେଲେ ସେ କହିବେ ନାହିଁ କାହିଁକି ? କେଉଁଦିନ ଯଦି ଭଲମନ୍ଦ ହୋଇ ଯାଇଥାନ୍ତା ?

 

ରୁଟି-ତରକାରୀ କରିବା ପରେ, ପ୍ରତିବାଦ ଓ ଅଭିଯୋଗର ମନ ନେଇ ସୁମିତ୍ରା ବସି ରହିଥିଲା । ରାତି ନ’ଟାରୁ ଅଧିକ ହୋଇ ଗଲାଣି । ତଥାପି ବାବୁଙ୍କର ଏଯାଏ ଦେଖାନାହିଁ । ସବୁଦିନ ରାତି ନ’ଟାରେ ସେ ଫେରି ଆସନ୍ତି । ଚେୟାର ଉପରେ ପରିବା ବ୍ୟାଗଟାକୁ ଝୁଲାଇଦେଇ ମୁହଁ-ହାତ ଧୋଇ ହୁଅନ୍ତି । ଚୁପ୍‌ଚାପ୍‌ ବସିଯାଆନ୍ତି ଖାଇବା ଜାଗାରେ । ତା’ପରେ ବିଛଣା ଧରନ୍ତି । ସୁମିତ୍ରା ସବୁକାମ ଶେଷ କରି ମଶାରି ଭିତରକୁ ଯିବାବେଳେ ତାଙ୍କର ଶୋଇବା କଥା ଜଣାଇ ଦିଏ, ତାଙ୍କର ଘୁଙ୍ଗୁଡ଼ି । ଦିନେ ଦିନେ ତୀବ୍ର ବ୍ୟାକୁଳତା ଓ କୋହରେ କଲବଲ ହୁଏ ସୁମିତ୍ରା । ନିଜକୁ ଧିକ୍‌କାରେ । ନିଜକୁ ପଚାରେ କେଉଁଠି ଭୁଲ୍‌ ରହିଗଲା କି ? ନା’ତ ! ଏଠାରେ ସେ କେଡ଼େ ସତକ, ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ । ଅଥଚ ଦିନସାରା ଚୁପ୍‌ଚାପ୍‍ ଏ ଘରେ ପଡ଼ିରହି ରାତିରେ ଦୁଇପଦ କଥା କହିବାକୁ ପ୍ରାଣ ଛଟପଟ ହୁଏ ସିନା; କିନ୍ତୁ ବାବୁ ବିଛଣା ଧରୁ ଧରୁ ଶୋଇଯା’ନ୍ତି ନିଶ୍ଚିନ୍ତ ହୋଇ ।

 

ଆଉ ଦିନେ ସେ ଫେରିଥିଲେ ରାତି ଏଗାରଟାରେ, ରିକ୍‌ସା ଯୋଗେ । ରିକ୍‍ସାରୁ ସେ କୌଣସି ମତେ ଓହ୍ଲାଇ ଟଳି ଟଳି ଘର ଭିତରେ ପଶିଲେ । କମିଜ-ପେଣ୍ଟ-ଯୋତା ନ ଖୋଲି ସେଇମିତି ଟଳିପଡ଼ିଲେ ବିଛଣା ଉପରେ । ଖାଇବା ପାଇଁ ଡାକିବାରୁ ନିଦବାଉଳାରେ କେତୋଟି ଅଶ୍ଳୀଳ ଶବ୍ଦ ତାଙ୍କ ପାଟିରୁ ବାହାରି ଆସିଥିଲା । ସୁମିତ୍ରା ପାଖକୁ ଆସିଲାରୁ ଜାଣିଲା, ସେ ମଦ ପିଇଛନ୍ତି ।

 

ଟେବୁଲ ଘଣ୍ଟାରୁ ଆଖି ଫେରାଇ ସୁମିତ୍ରା ମନକୁ ମନ କହିଲା–କେଜାଣି ଆଜି ବି ସେ ମଦ ପିଇ ଫେରିବେ କି କ’ଣ !

 

ଠିକ୍‌ ୟା’ପରେ କବାଟରେ ଧଡ଼୍‌ ଧଡ଼୍‌ ଶବ୍ଦ । ସୁମିତ୍ରାର ସମଗ୍ର ସତ୍ତା ସତେ ଯେମିତି କମ୍ପି ଉଠି ଝାଳ ଭିତରେ ଦ୍ରବୀଭୂତ ହୋଇଯିବ । ବାପାଙ୍କ ଚିଠିର ସେଇ ଚେତାବନୀ ସତ ହୋଇଗଲା କି ? ସେ ଏମିତି ଡରି ଯାଇଥିଲା ଯେ, ‘କିଏ’ ବୋଲି ପଚାରି ପାରିଲା ନାହିଁ ।

 

କରାଘାତର ଶବ୍ଦ ବଢ଼ୁଛି । ତା’ପରେ ବିରକ୍ତିମିଶା ସ୍ୱର–‘‘କବାଟ ଖୋଲ !’’

 

ସମସ୍ତ ସାହସ ସଞ୍ଚୟ କରି ପଚାରିଲା ସୁମିତ୍ରା–‘‘କିଏ, ତୁମେ ?’’

 

–‘‘କ’ଣ ହେଲା !’’ ଗୋଟାଏ ସ୍ତମ୍ଭୀଭୂତ ସ୍ୱର ! ‘‘ମୁଁ କିଏ ? ତା’ପରେ ଅସ୍ପଷ୍ଟ ସ୍ୱର–‘‘ଦେଉଛି ଥଣ୍ଡା କରି ।’’

 

ଏହା ବାବୁଙ୍କର ସ୍ୱର ବୋଲି ସୁମିତ୍ରାର ସନ୍ଦେହ ନ ଥିଲା । ତଥାପି ତା’ର ଶଙ୍କାଗ୍ରସ୍ତ ମନ ଭାବିଲା–ତାକୁ ପ୍ରତାରିତା କରିବା ପାଇଁ କେହି ଯଦି ବାବୁଙ୍କ ସ୍ୱରକୁ ଅବିକଳ ନକଲ କରୁଥାଏ-!

 

ସେ ଅଳ୍ପ କବାଟ ଖୋଲି ଦେଖିଲା, ବାରଣ୍ଡାରେ ପ୍ରକୃତରେ ମଳୟ ଠିଆ ହୋଇଛନ୍ତି । ସେ କବାଟ ଖୋଲିଲା । ଭିତରକୁ ଯାଇ ରାଗ ଓ ବିରକ୍ତିମିଶା ସ୍ୱରରେ ମଳୟ କହିଲା–‘‘ଏ ସୁଆଙ୍ଗ ଚାଲିଥିଲା କାହିଁକି ?’’

 

–‘‘ତୁମେ ଆଜି ବି ମଦ ପିଇଛ ?’’ ଦିନସାରା ଯେତେ ଅଭିଯୋଗ ଓ ଅଭିମାନ ସୁମିତ୍ରାର ହୃଦୟରେ ଜମାଟ ବାନ୍ଧିଥିଲା, ତାହା ଆତ୍ମପ୍ରକାଶ କଲା ଏଇ କେତୋଟି ଶବ୍ଦରେ ଏବଂ ପରେ ପରେ ଆଖିର ଲୁହରେ ।

 

ମଳୟ ଆଉ କିଛି କହିବାକୁ ଯାଉଥିଲା; କିନ୍ତୁ ଯେମିତି ଢଙ୍ଗରେ ସୁମିତ୍ରା ସେ ଘରୁ ବାହାରିଗଲା, ତାହା ତାକୁ ମୂକ କରି ଦେଇଥିଲା, ବେଶ୍‌ କିଛି ସମୟ ପାଇଁ । ତା’ ପାଟିରୁ କେବଳ ବାହାରିଗଲା–‘କ’ଣ କହିଲ ?’ ବୋଲି ଅନାବଶ୍ୟକ ପ୍ରଶ୍ନଟିଏ ।

 

ସେ ଦିନ ରାତିରେ ମଳୟ ପଚାରିଲା–‘‘ମୁଁ ମଦ ପିଏ ବୋଲି ତୁମକୁ କିଏ କହିଲା ? ଆଉ, ଯଦିବା.....’’

 

ସୁମିତ୍ରାର ସେଇ ବାଷ୍ପାକୁଳ ସ୍ୱର–‘‘ତୁମେ ଅଫିସ ଯିବା ପରେ ବାପାଙ୍କଠୁ ଚିଠି ପାଇଲି-।’’

 

–‘‘ଓ, ତେବେ ମୁଁ ମଦ ପିଏ ବୋଲି ସେଇ ଚିଠିରେ...... ।’’

 

–‘‘ସେ କଥା ନୁହେଁ ।’’

 

–‘‘ତେବେ କେଉଁ କଥା ?’’

 

–‘‘ଏ ସହର ଏମିତି ବୋଲି ତୁମେ ତ ଆଗରୁ ମୋତେ କହି ନ ଥିଲ !’’

 

–‘‘କଣ କହିଥାନ୍ତି ?’’

 

–‘‘ଘରେ ମାଇପିଟିଏ ଏକୁଟିଆ ଥିବାର ଜାଣିଲେ, କୁଆଡ଼େ ବାହାରର ଲୋକ ପଶି ଆସନ୍ତି ।’’

 

–‘‘ସତକଥା । ପ୍ରକୃତରେ ।’’ ମଳୟର ତାତ୍ସଲ୍ୟ ସ୍ୱର ।

 

–‘‘ଏ କଥା ମୋତେ କହିବା କ’ଣ ଦରକାର ନ ଥିଲା ? ଏ ସହର ଏମିତି ବୋଲି ଜାଣିଥାନ୍ତି କିପରି ? ବାପା ନ ଲେଖିଥିଲେ ?’’

 

–‘‘କହିବା ଦରକାର ନ ଥିଲା ।’’

 

–‘‘କାହିଁକି ?’’ ସୁମିତ୍ରାର ଧୈର୍ଯ୍ୟହୀନ ବିରକ୍ତ ସ୍ୱର ।’’

 

ଅଳ୍ପକ୍ଷଣର ନୀରବତା ପରେ ମଳୟ କହିଲା–‘‘ଯାହା ଘରେ ଧନ ଅଛି, ସେ ସିନା ଚୋରକୁ ଡରିବ ? ଆମର ଡର କାହାକୁ ?’’

 

–‘‘ହେଲେ ଇଏ ଚୋରଙ୍କ କଥା ନୁହେଁ । ତୁମକୁ... ।’’ ଆକସ୍ମିକ ଭାବରେ ସୁମିତ୍ରା ନୀରବ ହୋଇଗଲା । ମଳୟ କଥାର ଅର୍ଥ ଏମିତି ବ୍ୟାପକ ଥିଲା ଯେ ତା’ର ବୁଝିବାକୁ ବାକି ରହିଲା ନାହିଁ, ସେ ପ୍ରକୃତରେ କ’ଣ କହିବାକୁ ଚାହୁଁଛି । କର ଲେଉଟାଇଲା ବେଳେ ସୁମିତ୍ରା ଭାବିଲା ସେ ଯେମିତି ଶୂନ୍ୟତାରେ ପରିଣତ ହୋଇଯାଉଛି, ନାରୀତ୍ୱର ଅଭିମାନ ଓ ଗର୍ବ ପଙ୍ଗୁ ଓ ବିକୃତ ହୋଇଯାଉଛି ।

 

ରାତିରେ ଆଉ କିଛି କଥା ନାହିଁ । ଅଳ୍ପ ସମୟ ପରେ ମଳୟର ଚିରାଚରିତ ଘୁଙ୍ଗୁଡ଼ି ଶୁଭିଲା । ସୁମିତ୍ରାର ଅନ୍ତରାତ୍ମା ଭିତରେ ଗୋଟାଏ ଅପମାନବୋଧ ଅବ୍ୟକ୍ତ ଯନ୍ତ୍ରଣାରେ ରୂପାନ୍ତରିତ ହୋଇ ତାକୁ ଘୋଷାରି ନେଉଥିଲା ଦୁଇଟି ଝାଳୁଆ ଆଖିର ମମତାମୟ ପ୍ରତିରକ୍ଷା ଭିତରକୁ । ମଇଳା ବ୍ରତ-ସୂତା ବନ୍ଧାଥିବା ହାତର ନିବିଡ଼ତା ଭିତରକୁ, ହୁଏତ ବ୍ୟାଣ୍ଡେଜ୍‌ ବନ୍ଧା ହୋଇଥିବା ଅନ୍ୟ ଏକ ଭଙ୍ଗା ହାତର ଆଶ୍ଳେଷ ଭିତରକୁ । ସେଇ କେତୋଟି ମୁହୂର୍ତ୍ତ ପାଇଁ ସେ ଖୋଜି ବୁଲିଲା ଏମିତି ଏକ ଦରଦୀ ମନ; ଯାହା ଗଭୀର ସମ୍ୱେଦନଶୀଳତାରେ ତାକୁ ତା’ର ଆହତ ଗର୍ବ ଓ ଆତ୍ମବିଶ୍ୱାସ ଫେରାଇ ଦିଅନ୍ତା ।

 

ଘରେ ଆଉ କୌଣସି ପରିବର୍ତ୍ତନ ଘଟିନାହିଁ । ମଳୟ ସକାଳ ଆଠଟା–ନ’ଟାରେ ବିଛଣା ଛାଡ଼େ । ନିତ୍ୟକର୍ମ ସାରି ଦଶଟାବେଳେ ବାହାରି ଯାଏ ଅଫିସକୁ । ସେ ଗଲା ପରେ ଭୟ ଓ ଆଶଙ୍କାଭିଜା ମନ, ଦୁକୁ ଦୁକୁ ହେଉଥିବା ଛାତିକୁ ଜାବୁଡ଼ି ଧରି ପଡ଼ିରହେ ସୁମିତ୍ରା । ଏକୁଟିଆ । ଏ ବଡ଼ ସହରର କେଉଁ ଏକ ଛୋଟିଆ ଖୋପରେ; ଯାହାର କବାଟ ଝରକା ବନ୍ଦ ରହେ, ରାତିରେ ମଳୟ ଫେରିବା ପର୍ଯ୍ୟନ୍ତ ।

 

ଏବେ ଏଣିକି ବାହାରର କୋଳାହଳ, ମାଇକ୍‌ର ଲଟେରୀ ଟିକଟ କିମ୍ୱା ସିନେମା ପାଇଁ ବିଜ୍ଞାପନ ତା’ ମନରେ କୌତୂହଳ ସୃଷ୍ଟି କଲା ନାହିଁ । ଏ ସବୁ ଭିତରେ ପୈଶାଚିକ ଏବଂ ଦୁର୍ଦ୍ଦାନ୍ତ ଇଙ୍ଗିତର ସ୍ଥିତି ସେ ଅନୁଭବ କଲା । ପାଖ ଫ୍ଲାଟ୍‌ର କବାଟ ଝରକା ବନ୍ଦ ବା ଖୋଲାହେବାର ଶବ୍ଦ ଶୁଣିଲେ କିମ୍ୱା ଅନ୍ୟ ଘରର ଦରଜା ଉପରେ କରାଘାତ ଶୁଣିଲେ ସେ ଜଡ଼ସଡ଼ ହୋଇଥାଏ, ସଙ୍କୁଚିତ ହୋଇଥାଏ । ଭାଗ୍ୟ ଏମିତି ଯେ, ଦୁଇ କଡ଼ରେ ଥିବା ଫ୍ଲାଟରେ ଅବିବାହିତ କର୍ମଚାରୀମାନେ ଅଛନ୍ତି । ପ୍ରାୟ ସବୁଦିନେ ସେ ଘରମାନଙ୍କରୁ ହୋ ହୋ ହସ, ଟେବୁଲ ବାଡ଼ିଆ, ଫିଲ୍ମ ଗୀତର ଶବ୍ଦ ହାତ ଲମ୍ୱାଇ ବାଡ଼େଇ ହୁଏ ତା’ ଫ୍ଲାଟ୍‌ର ବନ୍ଦ ଥିବା ଝରକା-କବାଟରେ ।

 

କ’ଣ ତେବେ ଏଇଟା ? ଘର, ନା ପିଞ୍ଜରା ? ଏଇଭଳି ଜୀବନ ପାଇଁ ସେ ଏତେ ଉତ୍ତେଜିତ ଥିଲା ? ଏତେ ଅନୁସନ୍ଧିତ୍ସୁ ଥିଲା ? ନିବୁଜ ଘରର ରୁଦ୍ଧ ପବନ ଭିତରେ ସେ ଆଉ କେତେ ଶିଥିଳ, ଗତିହୀନ ହୋଇ ଏଇମିତି ପଡ଼ିରହିବ ? ଆକାଶର ସଂଜ୍ଞା କ’ଣ ଏ ଛୋଟ ଫ୍ଲାଟର ଛାତ ? ଚାଳିଶ ଓ୍ୱାଟ୍‌ର ଏଇ ବଲ୍‌ବ କ’ଣ ଜହ୍ନ ? ପବନ କ’ଣ ସୁଇଚ୍‌ ଟିପିବା କ୍ଷଣି ବୁଲୁଥିବା ପଙ୍ଖାକୁ ବୁଝାଏ ?

 

ନା, ମନ ଆଉ କୌଣସି ଆଶ୍ୱାସନା ବୁଝିବାକୁ ଆଦୌ ପ୍ରସ୍ତୁତ ନୁହେଁ । କ’ଣ ସେ କରିବ ? କାହାକୁ କହିବ ଏଇ କଥା ?

 

ଦିନ ପରେ ଦିନ କଟିଯାଉଛି ନିର୍ବିଘ୍ନରେ । ମଳୟର ଅନୁପସ୍ଥିତିରେ କେହି ତ ଦିନେହେଲେ କବାଟ ବାଡ଼େଇ–‘କବାଟ ଖୋଲ, ଖୋଲ କବାଟ, ଜଲଦି’–ବୋଲି କହିଲେ ନାହିଁ । କେବଳ ଦିନେ ଖାକି ପୋଷାକ ପିନ୍ଧା ଜଣେ ଲୋକ ବାରଣ୍ଡା କାନ୍ଥରେ ମରା ହୋଇଥିବା ଇଲେକ୍‌ଟ୍ରିକ୍‌ ମିଟରକୁ ଦେଖି ତହିଁରେ ଗୁଞ୍ଜା ହୋଇଥିବା କାଗଜରେ କ’ଣ ଲେଖିଦେଇ ନୀରବରେ ଚାଲି ଯାଇଥିଲା ।

 

ସେଇ ମଣିଷଟି ଚାଲିଯିବା ପରଠାରୁ କେମିତି ଏକ ହତାଶ, ପରାଜୟ ଭାବ ସଂକ୍ରମିତ ହୋଇଯାଇଛି ତା’ ଚେତନା ଉପରେ । ଖାକି ପୋଷାକ ପିନ୍ଧା ମଣିଷଟି ତ ନିଶ୍ଚୟ ଜାଣିଥିବ, ଘରର ବାବୁ ଅଫିସ ଯାଇଛନ୍ତି । କବାଟ ବାଡ଼େଇବାକୁ ସେ ଇତସ୍ତତଃ ବି ହେଲା ନାହିଁ । ଶୋଇବା ଘର ଝରକାରେ ଟଙ୍ଗା ହୋଇଥିବା ପତଳା ପରଦା ଦେଇ ଚାହିଁଲେ ରାସ୍ତାରେ ଯିବା ଆସିବା କରୁଥିବା ମଣିଷମାନେ ଶିଲ୍‌ହଟ ଛବି ଭଳି ଦିଶନ୍ତି । ସାଇକେଲରେ ଯାଉଥିବା ମଣିଷ ହାତ ବଢ଼େଇ ତାଙ୍କ ଝରକା ଛୁଇଁ ପାରିବ । କିନ୍ତୁ ଦିନେହେଲେ ବି କିଛି ଘଟିଲା ନାହିଁ ।

 

ତେବେ ବାପାଙ୍କ ଚେତାବନୀ ମିଛ, ନା ମଳୟର ମନ୍ତବ୍ୟ ସତ ? ସତକଥା, ଭିକାରିର କୁଡ଼ିଆ ଭିତରକୁ ପଶିବା ପାଇଁ ଚୋର ମନ ବଳେଇବ କାହିଁକି ? ଏ ସହର ତ ପ୍ରମାଣ କରି ଦେଉଛି କୌଣସି ଲମ୍ପଟ, କାମାତୁର ମଣିଷକୁ ଆକର୍ଷଣ କରିବା ପାଇଁ ତା’ଠି ରୂପର ଧନ ଦଉଲତ ନାହିଁ ।

 

ଏଇକଥା ଭାବିଲା କ୍ଷଣି ସବୁ ଆଗ୍ରହ ମରିଯାଏ, ନିଜ ଉପରୁ ମମତା କମିଯାଏ । ଏ ସହରରେ ତା’ପାଇଁ ତିରସ୍କାର ଆଉ ପ୍ରତ୍ୟାଖ୍ୟାନ ବ୍ୟତୀତ ଆଉ ଯେପରି କୌଣସି ଭାଷା ନାହିଁ । ଏଇଥି ସକାଶେ ଝରକା କବାଟ ବନ୍ଦଥିବା ଗୋଟାଏ ଘର ଭିତରକୁ ଏ ସହର ତାକୁ ଠେଲି ଦେଇଛି ପୁଳାଏ ଆବର୍ଜନା ଭଳି । ଏଇଥିପାଇଁ ସିନା ମଳୟର ଏତେ ଛାଡ଼ ଛାଡ଼ ଭାବ; ସତେ ଯେମିତି ତାକୁ ସ୍ତ୍ରୀ ବୋଲି ଭାବିବା ପାଇଁ ମଳୟ ଏଯାଏଁ ମାନସିକ ପ୍ରସ୍ତୁତି ଠୁଳ କରି ପାରିନାହିଁ ।

 

ବେଳେବେଳେ ଭାବେ ବାପାଙ୍କ ପାଖକୁ ସେ ଲେଖି ଦିଅନ୍ତା–‘ବାପା, ତୁମ କଥା ସତ ହୋଇପାରେ; ହେଲେ ମୋ ଜୀବନରେ ସେ କଥା କ’ଣ ସତ ହୋଇ ପାରିବ ? ତୁମେ ଥରେ ହେଲେ ଭାବିନାହଁ, ଦେଖିବା ପାଇଁ କେଡ଼େ ଅବାଗିଆ ମୁଁ । ମୋ ଆଡ଼କୁ କିଏ କାହିଁକି ପାପ ଆଖିରେ ଚାହିଁବ, କୁହ ତ ?’’

 

ସେ ଲେଖିପାରେ ନାହିଁ । ଆରିସିରେ ମୁହଁ ଦେଖେ । କେଡ଼େ ଆପଣାର ଜଣାପଡ଼େ ସେ ମୁହଁଟି । କେଡ଼େ ସୁନ୍ଦର ଜଣାପଡ଼େ । ନିଜ ନିଜ ଚେହେରାକୁ ତାରିଫ୍‌ କରିବା ପାଇଁ ହେଲେ ଆରିସି ପାଖକୁ ଯିବା ବ୍ୟତୀତ ଆଉ କିଛି ବିକଳ୍ପ ପନ୍ଥା ଅଛି ବୋଲି କିଏ କହିବ ? ଏଥିପାଇଁ ମୁହଁରେ ସ୍ନୋ-ପାଉଡର ବୋଳି, ଆଖିରେ କଜ୍ଜ୍ୱଳ, କପାଳରେ ସିନ୍ଦୂର ଟୋପା ଲଗାଇ ପିଞ୍ଜରାବଦ୍ଧ ସୁମିତ୍ରା ପ୍ରଶ୍ନ କରେ–କେଉଁଦିନ ଏ ଘରେ ଚୋର ପଶିବେ ? ଏ ଘରେ ଧନ ନାହିଁ ବୋଲି କିଏ କହିଲା ?

 

କିନ୍ତୁ, ନା । ଚୋର ତ ପଶିଲେ ନାହିଁ ଏ ଘରେ । ତାକୁ ଜଣା ଯାଉଥିଲା, ମଳୟ ସହିତ ହୃଦୟର ହାତଗଣ୍ଠି ଏ ଯାଏଁ ପଡ଼ିପାରି ନାହିଁ । ବ୍ରାହ୍ମଣର ଓଁକାର ଧ୍ୱନି, ହୋମରେ ପୋଡ଼ା ଯାଇଥିବା ଘିଅର ଗନ୍ଧ ଆଇନ ଦୃଷ୍ଟିରୁ ତାକୁ ମଳୟର ସ୍ତ୍ରୀ କରି ଦେଇଛି । କିନ୍ତୁ ସ୍ତ୍ରୀର ମହିମା ଓ ଅହଙ୍କାର ପାଇବାକୁ ହେଲେ ତାକୁ ଚୋରମାନଙ୍କୁ ଆକର୍ଷଣ କରିବା ପାଇଁ ପଡ଼ିବ । ମଳୟ ଜାଣିବା ଉଚିତ୍‌ ଯେ, ଅବାନ୍ତର ଓ ମୂଲ୍ୟହୀନ ବୋଲି ଯେଉଁ ମଣିଷଟିକୁ ଏଇ ଟୁ-ଆର୍‌ ଫ୍ଲାଟ୍‌ ଭିତରକୁ ନିକ୍ଷେପ କରିଦେଇଛି, ପରମ ସନ୍ତୋଷ ଓ ଆନନ୍ଦର ସହିତ କେତେକ ଅଶ୍ଳୀଳ ମଣିଷ ତା’ ଭିତରର ମୂଲ୍ୟ ଓ ବିଭବର ସନ୍ଧାନ ପାଇଛନ୍ତି ।

 

ସୁମିତ୍ରା ଆଉ ଘର ଭିତରେ ଆବଦ୍ଧ ହୋଇ ରହିଲା ନାହିଁ । ମଳୟ ଅଫିସକୁ ଯିବା ପରେ ସେ ପିନ୍ଧେ ସବୁଠାରୁ ଆକର୍ଷଣୀୟ ଶାଢ଼ି ଓ ବ୍ଲାଉଜ । ସାବୁନରେ ମୁହଁ ଧୋଇ ସ୍ନୋ-ପାଉଡର ବୋଳେ । ଆଖିରେ କଜଳ ଲଗାଏ, କପାଳରେ ସିନ୍ଦୂର ଟୋପା ଲଗାଇ ଠିଆହୁଏ ବାରଣ୍ଡା ଉପରେ । କିଛି ଗୋଟାଏ ପଢ଼ିବାର ବାହାନା କରି ସେ ଅପେକ୍ଷା କରି ରହେ । ସେ ଏମିତି ଏକ ମଣିଷର ପ୍ରତୀକ୍ଷାରେ ରହେ, ଯାହାର ଅସାମାଜିକ ଆଚରଣ ମଳୟର ମନ୍ତବ୍ୟକୁ ଭୁଲ୍‌ ପ୍ରମାଣିତ କରି ତାକୁ ସଚେତନ କରି ଦେଇ ପାରିବ ସୁମିତ୍ରାର ଐଶ୍ୱର୍ଯ୍ୟ ସମ୍ପର୍କରେ ।

 

ଏତେ ଦିନ ଧରି ଘର ଭିତରେ କଇଦି ସାଜିଥିବାରୁ ପ୍ରଥମେ ପ୍ରଥମେ ସୁମିତ୍ରା ବିଚଳିତ ଓ ଭୟାତୁର ହୋଇ ପଡ଼ୁଥିଲା, ବାରଣ୍ଡାରେ ଏମିତି ଠିଆ ହେବାପାଇଁ । ମାତ୍ର ପରେ ପରେ ଉତ୍କଣ୍ଠା, ବ୍ୟାକୁଳତା ଓ ଅସ୍ଥିରତା ତାକୁ ଦଣ୍ଡେ ହେଲେ ରଖେଇ ଦେଲା ନାହିଁ ଘର ଭିତରେ । କୌଣସିମତେ ଘରର କାମ ସାରି ସେ ବାରଣ୍ଡାକୁ ଆସେ । କୌଣସି କାରଣ ନ ଥିଲେ ବି ମୁହଁର ଭଙ୍ଗୀ ବଦଳାଏ, କେତେବେଳେ ହସେ, ମୁହଁ ଶୁଖାଏ, ବିରକ୍ତିରେ ଭ୍ରୂକୁଞ୍ଚନ କରେ । ରାତି ଆଠଟା ବେଳେ କବାଟ ବନ୍ଦ କରି ଘର କାମରେ ଲାଗେ ।

 

ରାସ୍ତାରେ ଯାଉଥିବା କୌଣସି ଲୋକ ତା’ ଆଡ଼କୁ ଚାହିଁଦେଲେ ସେ ଭାବେ, ପହଞ୍ଚିଗଲା ବହୁ ଆକାଙ୍‌କ୍ଷିତ ସେଇ ପରମ ମୁହୂର୍ତ୍ତଟି । ଦ୍ୱାରଆଡ଼େ ଚଞ୍ଚଳ ଆଖିରେ ଚାହେଁ । ଖୋଲା ଅଛି । ସେ ମଣିଷଟି ପହଞ୍ଚିଗଲା । ବାରଣ୍ଡା ଉପରକୁ ଉଠିଲା ସମସ୍ତ ଚଞ୍ଚଳତା ଓ ପାପାତୁରତା ନେଇ । ଛାନିଆରେ ସେ ଘର ଭିତରକୁ ଯାଇ କବାଟ ବନ୍ଦ କରିବା ଆଗରୁ ସେ ଲୋକଟି ଭିତରକୁ ପଶିଯାଇଛି । କବାଟ ବନ୍ଦ ହେଲା । ‘ତୁ କିଏ ? ବାହାର ଏ ଘରୁ । ଯା, ପଳା ଏଠୁ । ତୁ କ’ଣ ବୋଲି ମତେ ଭାବିଛୁ କି ?’ ବୋଲି ଚିତ୍କାର କରିବା ପୂର୍ବରୁ ସେ ମଣିଷଟି ତା’ ପାଟି ବନ୍ଦ କଲା । କେତୋଟି ଛଟପଟ, ସଂଘର୍ଷର ମୁହୂର୍ତ୍ତ । ତା’ପରେ ନିଶ୍ଚଳ ହୋଇ ସେ ପଡ଼ିରହିଲା ଲୋଚା କୋଚା ବିଛଣା ଉପରେ । କେଜାଣି କେତେ ସମୟ ବିତିଗଲା ଏହିପରି । ରାତିରେ ମଳୟ ଘରେ ପହଞ୍ଚିବା କ୍ଷଣି ସର୍ବହରା ଛେଉଣ୍ଡ ଭଳି ସେ କାନ୍ଦି ଉଠି ଭିଡ଼ିଧରିଲା ଅବାକ୍‌, ନିରାସକ୍ତ ସ୍ୱାମୀକୁ । କୋହଭିଜା ସ୍ୱରରେ ସେ ବର୍ଣ୍ଣନା କଲା ସବୁକଥା । ଶେଷରେ ଯୋଗକଲା–‘‘ଭାରି ଦଗାବାଜ ଏ ସହର । କେମିତି ଆତ୍ମରକ୍ଷା କରିବି ? ମୋତେ ଆହୁରି ଜୋରରେ ତୁମ ଛାତିରେ ଭିଡ଼ିଧର ।’’

 

ସେ ମୁହୂର୍ତ୍ତ ଆସିଲା ନାହିଁ । ମୁହଁ ଫେରାଇ ସୁମିତ୍ରା ଦେଖେ, ଯେଉଁ ନିରୀହ ମଣିଷଟିକୁ ନେଇ ସେ ଏତେ କଥା ଭାବିଗଲା, ସେ ଦୃଷ୍ଟିର ଅନ୍ତରାଳକୁ ଚାଲିଗଲାଣି । ତଥାପି, ସେଇ ମୁହୂର୍ତ୍ତଟିର କଳ୍ପନା ଏତେ ଜୀବନ୍ତ ହୋଇଉଠେ ଯେ, ତା’ର ତଣ୍ଟି ଶୁଖିଯାଏ, ହୃଦୟର ସ୍ପନ୍ଦନ ବଢ଼େ, ଆଖିକୁ ଲୁହ ଆସିଯାଏ । ସୁମିତ୍ରା ଦୀର୍ଘଶ୍ୱାସ ତ୍ୟାଗ କରି ଅପମାନ ଓ ପ୍ରତ୍ୟାଖ୍ୟାନର ଗ୍ଳାନିରେ ଜଡ଼ସଡ଼ ହୋଇଯାଏ ।

 

ସେ ଗୌରବର ମୁହୂର୍ତ୍ତ ଆଉ ଆସିବ ନାହିଁ ବୋଧହୁଏ । ଅନ୍ୟଲୋକର ପାଶବିକତାକୁ ଦୃଢ଼ତାର ସହିତ ବିରୋଧ କରି ବିଜୟର ଆଲୋକରେ ନିଜର ଅବହେଳିତ ଜୀବନକୁ ଗୌରବମୟ କରିବା ଆଉ ଭାଗ୍ୟରେ ଘଟିବ ନାହିଁ ହୁଏତ ।

 

ଦିନେ ରାତି ଦଶଟାରେ ଘରକୁ ଫେରି ମଳୟ ବିସ୍ମୟାଭିଭୂତ ହୋଇଗଲା । ଘର କବାଟ ଖୋଲା ଅଛି । ଭିତରକୁ ପଶି ଦେଖିଲା ସୁମିତ୍ରା ମୁହଁ ମାଡ଼ି କାନ୍ଦୁଛି, ଲୋଚା କୋଚା ବିଛଣା ଉପରେ । ପରିଧାନ ଓ ମୁଣ୍ଡର କେଶ ଅସଜଡ଼ା, ଇତସ୍ତତଃ । ଅଜଣା ଆଶଙ୍କା ହେତୁ ତା’ ଦେହ ଉପରେ ବହିଗଲା ଏକ ଉତ୍ତପ୍ତ ଢେଉ । ତାକୁ ଦେଖିବା କ୍ଷଣି ସୁମିତ୍ରାର କୋହ ଏମିତି ବୃଦ୍ଧି ପାଇଲା ଯେ, ମଳୟର ମନେହେଲା, ଦୀର୍ଘଦିନ ଧରି ଏ ଘର ଭିତରେ ଆବଦ୍ଧ ହୋଇ ଲୁଚି ରହିଥିବା ଗୋଟାଏ ମର୍ମନ୍ତୁଦ ଭାଷା ଆଜି ଆତ୍ମପ୍ରକାଶ କରିଛି ।

 

ପରିବା ବ୍ୟାଗ୍‌ଟିକୁ ଚେୟାର ଉପରେ ରଖି ସେ ଗଲା ସୁମିତ୍ରା ପାଖକୁ । ଆଦୌ କୃପଣ, ଦ୍ୱିଧାଗ୍ରସ୍ତ ନ ହୋଇ ସୁମିତ୍ରାର କେଶ ଓ ପିଠି ଉପରେ ହାତ ବୁଲାଇ ଆଣି ପଚାରିଲା–‘‘କଅଣ ହୋଇଛି ?’’

 

ଏ ପ୍ରଶ୍ନ ଭିତରେ ଖାଲି ଅନୁସନ୍ଧିତ୍ସା ନ ଥିଲା । ଏ ପ୍ରଶ୍ନରେ ପ୍ରଚ୍ଛନ୍ନ ଥିଲା ଆତ୍ମୀୟତା ଓ ଅନୁତାପର ସ୍ୱର । ଏ ପ୍ରଶ୍ନରେ ଥିଲା–‘କାନ୍ଦନା ସୁମିତ୍ରା । କହ, କିଏ ତୋତେ କ’ଣ କହିଲା ? ଭାଙ୍ଗି ଯାଇଥିଲେ ଗଢ଼ି ଦେବି । ହଜି ଯାଇଥିଲେ ଖୋଜିଆଣିବି ।’–ଭାବ ।

 

ମଳୟ ଆଦୌ ଭାବି ନ ଥିଲା ସୁମିତ୍ରା ଏମିତି ବିହ୍ୱଳିତ କାତର କାନ୍ଦଣା କାନ୍ଦିପାରେ ବୋଲି । ସେ ବିଛଣାରୁ ଉଠାଇ, ସୁମିତ୍ରାକୁ ସାନ୍ତ୍ୱନା ଦେବାବେଳେ, ଦୁହିଁଙ୍କର ହାତ ପରସ୍ପରକୁ ଭିଡ଼ି ଧରିଥିଲା ଗଭୀର ଆଶ୍ଳେଷର ସହିତ ।

 

ସୁମିତ୍ରାର କେଶ ଆଘ୍ରାଣ କରୁ କରୁ ମଳୟ ନିଜ ପ୍ରଶ୍ନର ପୁନରାବୃତ୍ତି କଲା–‘‘କ’ଣ ହୋଇଛି, ସୁମିତ୍ରା ?’’

 

ନିଜକୁ ସଂଯତ କରିବାକୁ ଚେଷ୍ଟା କରି ଅସହାୟ, ସର୍ବହରା କଣ୍ଠରେ ସୁମିତ୍ରା କହିଲା–‘‘ଏ ସହର ଭାରି ଦଗାବାଜ । କେମିତି ଆତ୍ମରକ୍ଷା କରିବି ? ମୋତେ ଭାରି ଡର ମାଡ଼ୁଛି ।’’

 

–‘‘କିନ୍ତୁ ହେଲା କ’ଣ ?’’ ମଳୟର ଶଙ୍କାଗ୍ରସ୍ତ ପ୍ରଶ୍ନ ।

 

–‘‘ତୁମ ସ୍ୱରକୁ ଅବିକଳ ନକଲ କରି ଚାରି-ପାଞ୍ଚଜଣ ମଦୁଆ ଏ ଘରକୁ ପଶି ଆସିଥିଲେ ।’’

 

ସୁମିତ୍ରା ଉପରୁ ମଳୟର ହାତ ଶିଥିଳ ହୋଇଯାଉଥିଲା । ସୁମିତ୍ରା କହି ଚାଲିଥିଲା–‘‘ମୋତେ ଚିତ୍କାର କରିବାକୁ ପଡ଼ିଲା । ସେମାନେ କ’ଣ ବୋଲି ମତେ ଭାବୁଥିଲେ କି-?’’

 

ଏଇ କଥା କହିବ ବୋଲି କାହିଁ କେତେ ଦିନୁ ପ୍ରସ୍ତୁତ ହୋଇ ରହିଥିଲା ସୁମିତ୍ରା । ଅଥଚ ସବୁ କହିସାରିବା ପରେ ମଧ୍ୟ ଗୋଟିଏ ଯନ୍ତ୍ରଣାଦଗ୍‌ଧ ଶୋକ ଓ ଅପମାନବୋଧ ତାକୁ କାବୁ କରି ରଖିଥିଲା । ମଳୟ ତା’ ପିଠି ଆଉଁସୁଥିଲେ ମଧ୍ୟ ସେ ଅନୁଭୂତି କଠିନ ଓ ଓଜନିଆ ହୋଇ ଝୁଲି ରହିଥିଲା ଗୋଟାଏ ଅପୂର୍ଣ୍ଣ କାମନାର ଯନ୍ତ୍ରଣା ଓ ହତାଶାର ରୂପ ନେଇ ।

Image

 

Unknown

ଅଭିନୟ

 

ପୋଲିସ ହେଡ଼କ୍ୱାଟର୍ସରୁ ବାହାରିବାକ୍ଷଣି ଅନ୍ୟକୁ ଶୁଣେଇବା ଭଳି ମାଥୁର କହିଲା–ଶଳା ବାଷ୍ଟାର୍ଡ଼ ! ନମ୍ୱର ଓ୍ୱାନ ବାଷ୍ଟାର୍ଡ଼ ।

 

ପୋର୍ଟିକୋ କଡ଼ରେ ଥୁଆ ହୋଇଥିବା ବୁଲେଟକୁ ଅତ୍ୟଧିକ କ୍ରୋଧରେ କିକ୍‌ ଦେବାବେଳେ ସେ ଅବ୍ୟାହତ ରଖିଥିଲା ମନର ପ୍ରତିକ୍ରିୟା ପ୍ରକାଶ କରିବାରେ–ଶାଲା କୁତା କାହାଁକା ! ଦିନେ ଏ ବେଧୁଆକୁ ଗୁଳି କରିଦେବି !

 

ଯେଉଁଭଳି ମୁହଁ ନେଇ ମାଥୁର ଫାଟକ ଟପି ରାସ୍ତାର ଗହଳି ଭିତରେ ମୋଟରସାଇକେଲଟି ଭୁଷି ନେଉଥିଲା, ତାହା ଦେଖିଥିବା କେହି ଜଣେ କ’ଣ ଭାବିବ ଜାଣନ୍ତି ? ଭାବିବ, ଏ ଇନ୍‌ସପେକ୍‌ଟର ଜଣକ ଅବିକା ମୋଟର ସାଇକେଲ ଛୁଟାଇ ପୃଥିବୀର ଚମଡ଼ା ଉତାରି ଦେବ । ସେଇ ରକ୍ତାକ୍ତ ଘା’ ଉପରେ ଆହୁରି ଜୋରରେ ବୁଲେଟ୍‌ଟିକୁ ଚଳାଇ ପୃଥିବୀ ଏବଂ ମଣିଷ, ପାହାଡ଼ ଇତ୍ୟାଦିଙ୍କର ‘ରକ୍ଷାକର, ରକ୍ଷାକର’ ବୋଲି ଆର୍ତ୍ତନାଦ ଶୁଣିବ । ୟା’ପରେ ସମସ୍ତେ ଦେଖିବ, ନମ୍ୱର ଓ୍ୱାନ ବାଷ୍ଟାର୍ଡ଼ଟି ମାଥୁରର ଦୁଇପାଦ ଧରି ପ୍ରାର୍ଥନା କରୁଛି–‘‘ମୋତେ ମାଫ୍‌ କର । ପୋଲିସ କମିଶନର ହୋଇ ତୁମକୁ ଏଭଳି ଧୋକାଦେବା, ତୁମ ସଙ୍ଗେ ବେଇମାନି କରିବା ଅପରାଧ ହୋଇଛି । ମୋ ଅପରାଧ ସକାଶେ ତମାମ୍‌ ସୃଷ୍ଟିକୁ ଏଭଳି ଯନ୍ତ୍ରଣା ଦିଅନା ।’’ ଅଥଚ ପ୍ରଚଣ୍ଡ ରାଗ ଯୋଗୁଁ ମାଥୁର ବୁଲେଟ୍‌ର ସ୍ପିଡ୍‍ ଅନୁଭବ କରିପାରୁ ନ ଥିଲା କିମ୍ୱା ରାସ୍ତାକୁ ଦେଖି ପାରୁ ନ ଥିଲା । ତା’ ଦେହର ଦିଗ୍‌ବଳୟ ଏଇ ହୁଏତ ଛିଣ୍ଡିଯିବ କ୍ରୋଧ ଓ ପ୍ରତିବାଦର ଶକ୍ତିଶାଳୀ ସଂପ୍ରସାରଣରେ–ଏଇଭଳି ଲାଗୁଥିଲା ତାକୁ ।

 

କମିଶନରଙ୍କ ଆଦେଶ । ମାଥୁର ଭଳି ଜଣେ ଇନ୍‌ସପେକ୍‌ଟରର କ୍ରୋଧ ଓ ପ୍ରତିବାଦ ଏକ ବିପନ୍ନ ନପୁଂସକତା ବ୍ୟତୀତ ଆଉ ବା ଅଧିକ କ’ଣ ହୋଇପାରେ ?

 

ମୋନାଲିସା ବାର୍‌ ଆଗରେ ମାଥୁରର ବୁଲେଟ୍‌ ଅଟକିବା ବେଳେ ରାତି ସାତଟା ବାଜି ଯାଇଥିଲା । ରିସେପସନ୍‌ କାଉଣ୍ଟର ଟପି ସେ ଖୋଜିଲା ଗୋଟାଏ ନିଜନ କ୍ୟାବିନ୍‌ ।

 

ଓ୍ୱେଟର ଜଣକ କ୍ୟାବିନର ପର୍ଦ୍ଦା ସଜାଡ଼ି ଝାପସା ଆଲୁଅରେ ଠିଆ ହୋଇ ଅପେକ୍ଷା କରୁଥିଲା ମାଥୁରଠାରୁ ଅର୍ଡ଼ର ନେବା ପାଇଁ ମାଥୁର ଦୁଇ ହାତରେ ମୁଣ୍ଡକୁ ଚିପି ଧରି ମୁହଁ ତଳକୁ କରି ଥିଲା ଏବଂ ସମ୍ଭବତଃ, ଓ୍ୱେଟରର ଉପସ୍ଥିତି କଥା ଏକାବେଳକେ ଭୁଲି ଯାଇଥିଲା ।

 

ଓ୍ୱେଟରଟି ଗଳା ସଫା କରି ସାର୍‌ ବୋଲି ଡାକିବା ପୂର୍ବରୁ ମାଥୁର ମୁଣ୍ଡ ଟେକି ପଚାରିଲା–‘‘କି’ ବେ, ଶଳା ! ଆଜି ଏୟାରକୁଲରଗୁଡ଼ିକ ବନ୍ଦ କରି ଦେଇଛ, ନା କ’ଣ ?’’

 

ଏୟାରକୁଲରଗୁଡ଼ିକ ଠିକ୍‌ କାମ କରୁଛନ୍ତି ବୋଲି ସେ କହିବାକୁ ଚାହୁଁଥିଲା; ମାତ୍ର ତା’ର ଅଭ୍ୟସ୍ତ ଆଖି ଦୁଇଟି ଦେଖି ପାରିଲା ଯେ, ଗରାଖର ମୁଡ଼୍‌ ଜମା ଭଲ ନାହିଁ । ବର୍ତ୍ତମାନ ତା’ ମତାମତ ସହିତ ଅସମ୍ମତ ହେବା ଅର୍ଥ ବାର୍‌ର ଗୋଟିଏ ମୂଲ୍ୟବାନ କୋଡ଼୍‌ ଲଙ୍ଘନ କରିବା । ପଚାରିଲା–‘‘ସାର୍‌, ଆଜିକାର ସ୍ପେଶାଲର ମେନୁ ଆପଣଙ୍କ ପାଖରେ ଥୁଆ ହୋଇଛି । ଚାଇନିଜ୍‌ କ୍ୱିଜିନ, କଣ୍ଟିନେଣ୍ଟାଲ.....’’

 

ତାକୁ ଅଧିକ କୁହାଇ ନ ଦେଇ ମାଥୁର ଅର୍ଡ଼ର ଦେଲା–‘‘ତନ୍ଦୁରି ଚିକିନ୍‌, ସୋଡ଼ା, ବରଫ ଆଉ ହୁଈସ୍କି ।’’

 

ସେ ଚାଲିଯିବା ପରେ ମାଥୁର କମିଶନରଙ୍କ ଚେତାବନୀଟିକୁ ମନେ ପକାଇଲା । ତା’ର ପିଠି ଥାପୁଡ଼ାଇ ସେ କହିଥିଲେ–‘‘ମାଥୁର, ଆଜି ରାତିରେ ପିଆପିଇ କରିବନି । କାମ ସରିବା ପରେ, ୟୁ ଆର୍‌ ଫ୍ରି । ତା’ପରେ କୌଣସି ବାର୍‌କୁ ଯାଇ ପାର । ତା’ ପୂର୍ବରୁ ନୁହେଁ ।’’

 

ନିର୍ଜନ କ୍ୟାବିନର ଟେବୁଲ ଉପରେ ମାଥୁରର ଦୁଇହାତ ପାପୁଲି ମୁଠା ହୋଇଗଲା । ତା’ର ବେଖାତିର, କଠିନ ଓଠ କମ୍ପି ଉଠିଲା–‘‘ଡ୍ୟାମ୍‌ ୟୁ ! ପିଇବି । ଆଇ ଉଇଲ ଗେଟ୍‌ ଡେଡ଼୍‌ ଡ୍ରଙ୍କ୍‌ । ତା’ପରେ ଖୁନ୍‌ କରିବି ତୋତେ । ବୁଝିଲୁ ? ତୋ ଖପୁରିଟିକୁ ଫୋପାଡ଼ି ଦେବି ମହାଶୂନ୍ୟ ଭିତରକୁ । ଆଇ ପ୍ରୋମିଜ୍‌ !’’

 

ମାଥୁରର ଏଭଳି କଥା ଯଦି ପୋଲିସ୍‌ ହେଡ଼କ୍ୱାର୍ଟର୍ସକୁ ଜଣାଇ ଦିଆଯାଇ ପାରନ୍ତା, ତେବେ ଏହା ନିଶ୍ଚିନ୍ତ ଯେ, କେହି ଏହାକୁ ବିଶ୍ୱାସ କରନ୍ତେ ନାହିଁ । ଜଣେ ଦକ୍ଷ, ବିଚକ୍ଷଣ ଏବଂ ବିଶ୍ୱସ୍ତ ପୋଲିସ ଅଫିସର ହିସାବରେ ମାଥୁରର ଖ୍ୟାତି କିଛି କମ୍‌ ନ ଥିଲା । ଗତବର୍ଷ ଅନ୍ୟ ଏକ ସହରରେ ଅବସ୍ଥାପିତ ହୋଇଥିବା ବେଳେ ନୂଆ ହୋଇ କାମରେ ଯୋଗ ଦେଇଥିବା ଏଇ ମାଥୁର ନିଜକୁ ଜଣେ ଡେୟାର ଡେଭିଲ ବୋଲି ପ୍ରମାଣ କରି ପାରିଥିଲା । ସକ୍ରିୟ ହୋଇ ଆତଙ୍କ ସୃଷ୍ଟି କରିଥିବା ଗୋଟାଏ ଦୁର୍ଦ୍ଧର୍ଷ ଆନ୍ତଃରାଜ୍ୟ ଡକାୟତ ଦଳର ଆଡ୍‍ଡା ଚଢ଼ାଉ କରି କୋଡ଼ିଏ ସରିକି ଡକାୟତଙ୍କୁ ଗିରଫ କରିବାରେ ମାଥୁର ନେତୃତ୍ୱ ନେଇଥିଲା । ପୋଲିସ ସହିତ ଡକାୟତମାନଙ୍କର ଯେଉଁ ମୁକାବିଲା ହୋଇଥିଲା, ସେଥିରେ ପାଞ୍ଚଜଣ ଡକାୟତ ନିହତ ହୋଇଥିଲେ ଏବଂ ସେ ନିଜେ ଗୁଳି ଚୋଟରେ ଆହତ ହୋଇଥିଲା । ସ୍ୱତନ୍ତ୍ର ଉତ୍ସବରେ ତାକୁ ସମ୍ମାନିତ କରାଯାଇଥିଲା ଏଥିପାଇଁ-

 

ଚାକିରି କରିବାର ଏତେ ଅଳ୍ପଦିନ ଭିତରେ କେଉଁ ପୋଲିସ କର୍ମଚାରୀ ଏତେ ସମ୍ମାନ, ସାର୍ଟିଫିକେଟ୍‌, ବାହାବା, ପ୍ରଶଂସାର ମାଲିକ୍‌ ହୋଇପାରିଛି ? କାହାକୁ ଡିପାର୍ଟମେଣ୍ଟର ଲୋକେ ଏତେ ଈର୍ଷା ଓ ଶ୍ରଦ୍ଧା କରନ୍ତି ? ଅଥଚ, ମାଥୁରକୁ ଦେଖିଲେ କେହିହେଲେ ଠଉରେଇ ପାରିବନି ଯେ, ଲୋକଟା ଭିତରେ ଏତେ ଶକ୍ତି, ମନୋବଳ ଓ କାର୍ଯ୍ୟ କ୍ଷମତା ଲୁଚି ରହିଛି । ପାଞ୍ଚଫୁଟ ଆଠଇଞ୍ଚ ଉଚ୍ଚ, ଆପାତତଃ ପତଳା ଗଢ଼ଣ, ଗୋରା ଏଇ ଯୁବକଟି ଶାନ୍ତ ଓ ଚିନ୍ତାଶିଳ ଦେଖାଯାଏ-। ବେଳେବେଳେ ତା’ ଆଖି ଦିଶେ ତନ୍ଦ୍ରାଚ୍ଛନ୍ନ; ମୁହଁ ଅନ୍ୟମନସ୍କ, ଚାଲି ଅଳସ । ମାତ୍ର ଅସଲ ସମୟରେ ତା’ର ସମସ୍ତ ସ୍ନାୟୁ କ୍ଷିପ୍ର ହୋଇ ପଡ଼ନ୍ତି, ଚେଇଁ ଉଠନ୍ତି । ବଡ଼ ଅଫିସରମାନଙ୍କ ଆଖିରେ ମାଥୁର ପୋଲିସ ଡିପୋର୍ଟମେଣ୍ଟର ଡାର୍ଲିଙ୍ଗ୍‌ !

 

ସୋଡ଼ା ଓ ବରଫମିଶା ହୁଇସ୍କି ଗ୍ଳାସଟିକୁ ଓଠ ପାଖକୁ ନେଉଁ ନେଉଁ ସୌମ୍ୟ ମାଥୁରର ମୁହଁ ତଥାପି ଲାଲ ଓ ବିକୃତ ଦେଖା ଯାଉଥିଲା । ନିଜକୁ ସଂଯତ, ନିଜ ଭାବନାକୁ ଶୃଙ୍ଖଳିତ କରି ରଖିବାକୁ ଚାହୁଁ ନ ଥିଲା ସେ । ତା’ର ଇଚ୍ଛା ହେଉଥିଲା କିଛି ଗୋଟାଏକୁ ଧ୍ୱଂସ କରିଦେବା ପାଇଁ । ନିଜ ଦେହ ଉପରେ ସେ ଗୋଟାଏ ଯନ୍ତ୍ରଣାଦଗ୍‌ଧ କ୍ଷତ ଦରକାର କରୁଥିଲା; ଯାହା ତା’ମନର କ୍ରୋଧ ଓ ଜ୍ୱଳନକୁ ଅଭିଭୂତ କରିଦେଇ ପାରନ୍ତା ଏବଂ ସେଇ କ୍ଷତଟିର ଯନ୍ତ୍ରଣା ତା’ପାଇଁ ଏକମାତ୍ର ସତ୍ୟ ହୋଇପାରନ୍ତା । ତା’ର ରକ୍ତ କଣିକାଗୁଡ଼ିକ ଆଉ ଅଧିକ ସମୟ ପାଇଁ ଅପମାନବୋଧ ଓ ଘୃଣାର ନିର୍ଯ୍ୟାତନା ସହିବାକୁ ପ୍ରସ୍ତୁତ ନ ଥିଲେ ।

 

କିନ୍ତୁ ବର୍ତ୍ତମାନ ଉଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅବମାନନା କରିବାର କୌଣସି ଉପାୟ ନାହିଁ-। କମିଶନରଙ୍କ ଆଦେଶ ପାଳନ କରିବା ପାଇଁ ବିନା ପ୍ରତିବାଦରେ ସେ ନୀରବ ରହିଥିଲା ଏବଂ ସେଇ ନୀରବତାକୁ ତା’ର ସମ୍ମତି ବୋଲି ଧରି ନିଆ ଯାଇଥିଲା । ଆଉ ଅଳ୍ପ ସମୟ ପରେ ସେ କୌଣସି ଏକ ସେଲୁନକୁ ଯାଇ ନିଶ କାଟିବ ଏବଂ ଗୋଟାଏ ଚୋର ଦଳର ସର୍ଦ୍ଦାର ଭୂମିକାରେ ଅବତୀର୍ଣ୍ଣ ହେବ । ତିନିମାସ ହେଲା ଏ ସହରକୁ ବଦଳି ହୋଇ ଆସିବା ଭିତରେ ଆଜି ଦ୍ୱିତୀୟଥର ପାଇଁ ତାକୁ ନିଶ କାଟିବାକୁ ହେବ । ଡାକୁ ସର୍ଦ୍ଦାର ଭୂମିକା ପାଇଁ ନିଶ କାଟିବା ଖୁବ୍‌ ଜରୁରୀ । ଖୋଦ୍‌ କମିଶନରଙ୍କ ମତ । ତୀବ୍ର ଅପମାନବୋଧରେ ମାଥୁରର ସମୁଦାୟ ଦେହ କଣ୍ଟକିତ ହୋଇଗଲା ପୁଣିଥରେ ।

 

ଚୋରମାନଙ୍କୁ ସାବାଡ଼ କରିବାପାଇଁ ଏକପ୍ରକାର ଷ୍ଟ୍ରାଟେଜି ଆତ୍ମପ୍ରତାରଣାମୂଳକ । ଏହା ନିଜ ପରାଜୟକୁ ଘୋଡ଼ାଏ ମିଛ କୃତିତ୍ୱର କଳ୍ପନା ଛାଇରେ । ନିଜ ପ୍ରତି ଏହା ଏକ ଶଠତା, ଗୋଟାଏ ଦାରୁଣ ଠକେଇ; ନିଜ ନିପାରିଲା ପଣକୁ ମାନିନେବାର ସଂକ୍ଷିପ୍ତ ରାସ୍ତା ।

 

ମାଥୁରର ଏଇ କଥା ସହିତ ପୋଲିସ କମିଶନର ସମ୍ମତ ହୋଇ ନ ଥିଲେ ଦୁଇମାସ ପୂର୍ବେ । ସେତେବେଳେ ଏତେ ବଡ଼ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା, ଧନ-ଜୀବନ ନିରାପଦ ମନେ ହେଉ ନ ଥିଲା । ସହରର ପାଞ୍ଚୋଟି ବ୍ୟାଙ୍କ୍‌ ଓ ସାତୋଟି ବ୍ୟବସାୟ ପ୍ରତିଷ୍ଠାନରେ ବଡ଼ ଧରଣର ଡକାୟତ ହୋଇ ଯାଇଥିଲା । ଏଭଳି କ୍ରମାଗତ ଭାବରେ ଏସବୁ ଘଟିଯାଇଥିଲା ଯେ, ସହରର ପୋଲିସ ଅବାକ୍‌, ବିସ୍ମିତ ଓ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯାଇଥିଲା । ଲୁଣ୍ଠିତ ହୋଇ ଯାଇଥିବା ବ୍ୟାଙ୍କ୍‌ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ଯାଇ ଏବଂ ମାମୁଲି ଧରଣର ଅନୁସନ୍ଧାନ ଚଳାଇ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପୂର୍ବରୁ ପୋଲିସ ହେଡ଼କ୍ୱାର୍ଟର୍ସକୁ ପୁଣି ଖବର ଆସେ ଯେ, ମାଣିକଲାଲ ଏଣ୍ଡ ସନ୍‌ସର ଗହଣା ଦୋକାନ ସମ୍ପୂର୍ଣ୍ଣଭାବେ ସଫା ହୋଇଯାଇଛି କିମ୍ୱା ପ୍ରସ୍ପେରିଟି ବ୍ୟାଙ୍କର କେତୋଟି ଲକର ସମେତ ପ୍ରାୟ ପାଞ୍ଚଲକ୍ଷ ଟଙ୍କା ଲୁଣ୍ଠିତ ହୋଇଛି । ପ୍ରଖ୍ୟାତ ଶିଳ୍ପପତି ହରିଶଙ୍କର ମାଧବାନିଙ୍କର ସାତ ବର୍ଷର ଝିଅକୁ ହରଣଚାଳ କରି ନିଆଯାଇ ଦୁଇଲକ୍ଷ ଟଙ୍କା ରାନ୍‌ସମ୍‌ ଦାବି କରାଯାଇଛି କିମ୍ୱା ଗ୍ୟାରେଜ୍‌ ଭିତରୁ କାହାର ନୂଆ ମୂଲ୍ୟବାନ କାରଟିଏ ଚୋରି ହୋଇଯାଇଛି ।

 

ବିଶାଳ ସହରର ସମୁଦାୟ ପୋଲିସ ଶକ୍ତି ଏକବାରେ ନିଷ୍କ୍ରିୟ ଓ ଅଥର୍ବ ହୋଇଯାଇଛି-। ରାଜ୍ୟ ବିଧାନସଭାରେ ଏକାଧିକବାର ଆଲୋଚନା ହୋଇଗଲାଣି ଏ ସଂକ୍ରାନ୍ତରେ-। ସରକାର, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ପୋଲିସ ସମାଲୋଚନାର ଶରବ୍ୟ ଏବଂ ବଦନାମର ଶିକାର ହୋଇଛନ୍ତି । ଡକାୟତ ଦଳ ସହିତ ପୋଲିସ ଓ ଅନ୍ୟ ସରକାରୀ କର୍ମଚାରୀମାନଙ୍କର ସାଲିସ ହୋଇଛି ବୋଲି କେତେକ ସମାଲୋଚକ ଦୃଢ଼ତାର ସହିତ ଘୋଷଣା କରୁଛନ୍ତି । ସମସ୍ତ ବିଶ୍ୱାସ ଓ ଆସ୍ଥା ହରାଇ ପୋଲିସ ଶକ୍ତି ମୁଠାଏ ଶୁଖିଲା ପତ୍ର ଭଳି କେବଳ ଉଡ଼ି ବୁଲୁଛି ଶେଷହୀନ ନିନ୍ଦା ଓ ଡକାୟତିର ଝଡ଼ରେ ।

 

ଦୁଇମାସ ପୂର୍ବ, କମିଶନରଙ୍କ ଅଫିସରେ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନେଇ ଆଲୋଚନା ହୋଇଥିଲା । କମିଶନର ଯେଉଁ କଥା କହିଥିଲେ, ସଂକ୍ଷେପରେ ତାହା ହେଉଛି–

 

କେବଳ ଏଇ ସହର ନୁହେଁ, ଦେଶର ସମସ୍ତ ବଡ଼ ସହରରେ ଯେଉଁ ଭଳି ଡକାୟତି କ୍ରମାଗତ ଭାବରେ ଚାଲିଛି, ସେ ସବୁର ପ୍ୟାଟର୍ଣ୍ଣ ବସ୍ତୁତଃ ଏକ ପ୍ରକାର । ଗୋଟିଏ ସୁନିୟନ୍ତ୍ରିତ, ସୁସଂଗଠିତ ଦଳ ଅତ୍ୟାଧୁନିକ ପଦ୍ଧତିରେ ଏଇ ଯେଉଁ ଲୁଣ୍ଠନମାନ କରି ଚାଲିଛନ୍ତି, ତାହାର ଦୁର୍ଗଟିକୁ ଦଖଲ କରିବା ପାଇଁ ପୋଲିସ ବାହିନୀ ତତ୍ପର ଅଛି । ମାତ୍ର ସେମାନେ ଆମଠାରୁ ଏପର୍ଯ୍ୟନ୍ତ ଚାଲାକି ଓ ସାହସରେ ଆଗୁଆ ରହିଛନ୍ତି–କ୍ଷୋଭର ସହିତ ମାନିବାକୁ ହେଉଛି । ଆମକୁ ଆଶ୍ଚର୍ଯ୍ୟ କରିଦେବା, ଅପ୍ରତ୍ୟାଶିତ ଭାବରେ ଆମ ଅନୁମାନର ପରିଧି ବାହାରକୁ ଚାଲିଯିବା ଫଳରେ ଆମ ଇଣ୍ଟେଲିଜେନ୍‌ସ ସେମାନଙ୍କର ସମକକ୍ଷ ହୋଇପାରୁନି ।

 

କମିଶନର କହି ଚାଲିଲେ–ଆମ ତରଫରୁ ଯେତିକି ସାବଧାନତା ଅବଲମ୍ୱନ କରାଯିବା ସମ୍ଭବ, ତାହା ଆମେ କରିଛେ । ବ୍ୟାଙ୍କ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଅସମୟରେ ସେଠାକୁ ଯାଇ ସେଣ୍ଟ୍ରିଗାଡ଼ମାନେ ବାସ୍ତବରେ ଜାଗ୍ରତ ଓ ସଚେତନ ଅଛନ୍ତି କି ନା, ତାହା ପରୀକ୍ଷା କରାଯାଉଛି; ଅଥଚ ଡକାୟତିର ଶେଷ ନାହିଁ ସତେ ଯେପରି । ମଣିଷ ଓ ସମାଜର ସ୍ଥିତି ଏଭଳି ଅସହାୟ ଓ ପ୍ରତିରକ୍ଷାହୀନ ହୋଇପାରେ ବୋଲି ମୋର ଧାରଣା ନ ଥିଲା ଆଗରୁ । ସମସ୍ତ ସତର୍କତା ଓ ସାବଧାନତା ସତ୍ତ୍ୱେ ଆମ ଅଜାଣତରେ କେଉଁଠି ଗୋଟାଏ ଦୁର୍ବଳତାର ଫାଟ ରହି ଯାଉଛି ଏବଂ ଅଦୃଶ୍ୟ, କଠୋର ଶକ୍ତି ଭଳି ଡକାୟତମାନେ ସମାଜର ସମସ୍ତ ବିଜ୍ଞତା ଓ କାନୁନର ପରିପାଟିକୁ ବିକୃତ କରି ଚାଲିଛନ୍ତି । ଇଏ ଗୋଟାଏ ସଙ୍କଟର ମୁହୂର୍ତ୍ତ । ଜୀବନ ବି ଏଇଭଳି ମୁହୂର୍ତ୍ତର ସମ୍ମୁଖୀନ ହୁଏ । ବୌଦ୍ଧିକତା ଓ ଜ୍ଞାନର ପରିସୀମା ବାହାରେ ଏଭଳି ଅଭୂତପୂର୍ବ କିଛି ଘଟେ, ଯାହା ଉପହାସ କରେ ମଣିଷର ଦାମ୍ଭିକତା ଓ ଅଭିଜ୍ଞତାକୁ । ଅଥଚ କ୍ଷତ ବିକ୍ଷତ ହୋଇ ମଧ୍ୟ ଜୀବନ ଗତିହୀନ ହୁଏ ନାହିଁ । ଆପାତତଃ ଏଇଭଳି ସଙ୍କଟ ହିଁ ଜୀବନର ଅନ୍ତର୍ନିହିତ ଶକ୍ତିକୁ ପରୀକ୍ଷା କରି ଜୀବନକୁ ମହିମାମୟ କରିଥାଏ ।

 

କହିବା ବାହୁଲ୍ୟ, କମିଶନର ଯଥେଷ୍ଟ ଉତ୍ତେଜିତ ହୋଇଯାଇ ଥିଲେ । ଆବେଗ ଓ ତତ୍ପରତା ଯୋଗୁଁ ତାଙ୍କ କଣ୍ଠସ୍ୱର ବେଶ୍‌ କମ୍ପୁଥିଲା । କିଛି ପାଣି ପିଇ ଓ ରୁମାଲରେ ମୁହଁ ପୋଛି ସେ ଏକ ଅଭିନବ ଉପାୟର ଉଦ୍ଭାବକ ବୋଲି ପ୍ରମାଣ କରିପାରିଲେ । ସେଦିନ ମାଥୁରକୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଦିଆଗଲା । ପରଦିନ ଗୋଟାକବେଳେ ଟ୍ରେଜେରୀରୁ ଗୋଟିଏ ଭ୍ୟାନ ତିନିଲକ୍ଷ ଟଙ୍କା ଧରି ଇମ୍ପେରିଆଲ ବ୍ୟାଙ୍କ ଆଡ଼କୁ ଯିବ । ଭ୍ୟାନଟି ସହରର ଏକ ନିର୍ଜନ ରାସ୍ତାରେ ପହଞ୍ଚିବା କ୍ଷଣି କାର୍‌ ନେଇ ମାଥୁର ବିସ୍ଫୋରଣ ସୃଷ୍ଟି କରିବ ଏବଂ ତା’ ଉପରେ ଚଢ଼ାଉ କରିବ । ଭ୍ୟାନରେ ଥିବା ଡ୍ରାଇଭର ଓ ଗାର୍ଡ଼ମାନଙ୍କୁ ଏଇ ଯୋଜନାଟି ଆଗରୁ ଜଣାଇ ଦିଆଯାଇଥିବ; ତେଣୁ ବିଶେଷ କିଛି ହଇରାଣ ହେବାକୁ ପଡ଼ିବ ନାହିଁ । ଦୁଇମିନିଟ୍‌ ଭିତରେ ଏ କାମ ଶେଷ କରି ମାଥୁର ଟଙ୍କା ସହ କାର୍‌ ନେଇ ଖସି ପଳାଇଯିବାକୁ ଉଦ୍ୟତ ହେବ ଏବଂ ତା’ ଗାଡ଼ିକୁ ଅନୁସରଣ କରିବ ପୋଲିସ ଜିପ୍‌ । ଗୁଳି ବିନିମୟ ହେବ । ମାଥୁରର କାର୍‌ ଚକକୁ ଗୁଳି କରି ଫୁଟାଇ ଦିଆଯିବ । ମାଥୁର ଟଙ୍କା ସମେତ ଆତ୍ମସମର୍ପଣ କରିବ ପୋଲିସ ପାଖରେ ।

 

କମିଶନର ମାଥୁରକୁ ସବୁକଥା ବୁଝାଇ ଦେଲେ–ରାସ୍ତା ଉପରେ ଏଇ ଯେଉଁ ଡକାୟତିଟି ହେବ, ସେଇଟା ଗୋଟାଏ ଡ୍ରାମା । ତହିଁରେ ତୁମେ କେବଳ ଡକାୟତ ଭୂମିକାଟି ଗ୍ରହଣ କରୁଛ । ଏଇଟା ସେତେ ବେଶି ଗୁରୁତ୍ୱପୂର୍ଣ୍ଣ ନୁହେଁ । ଗୁରୁତ୍ୱପୂର୍ଣ୍ଣ ହେଉଛି ୟା’ପରେ ଖବରକାଗଜ ଆଉ ରେଡ଼ିଓରେ ଯେଉଁ ପ୍ରଚାରଟା ହେବ । ଆମେ କହିବୁ ଯେ, ଯେଉଁ ଡକାୟତଟିକୁ କାବୁ କରାଯାଇଛି, ତା’ଠାରୁ ଗ୍ୟାଙ୍ଗ୍‌ଟିର ସବୁ ତଥ୍ୟ ଆମେ ଜାଣି ପାରିଛୁ । ଦୁଇଟି ଉଦ୍ଦେଶ୍ୟ ସାଧିତ ହେବ ୟାଦ୍ୱାରା । ପ୍ରଥମତଃ ଅସଲ ଡକାୟତମାନେ ଆମ କଥାକୁ ହୁଏତ ବିଶ୍ୱାସ କରିନେଇ ପାରନ୍ତି । ତାଙ୍କ ମଧ୍ୟରେ ଗୋଟାଏ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହେବ । ଆମପାଇଁ ଏଇଟା ଗୋଟାଏ ବଡ଼ ଲାଭ । ଦ୍ୱିତୀୟତଃ ଆମେ ଦଳେ ପଙ୍ଗୁ ଓ ନିର୍ବୋଧ ବୋଲି ସାଧାରଣରେ ସମାଲୋଚିତ ହେବା ନାହିଁ ।

 

ପ୍ରସ୍ତାବଟି ଶୁଣି ସାରିବା ପରେ ମାଥୁରର ପ୍ରତ୍ୟେକ ରକ୍ତକଣିକା ବିଦ୍ରୋହ କରି ଉଠିଥିଲା; ତା’ର ଅହଙ୍କାର ତୀବ୍ର ଯନ୍ତ୍ରଣାରେ ଆହତ ହୋଇଥିଲା । ଡକାୟତମାନଙ୍କ ବିରୁଦ୍ଧରେ ଲଢ଼େଇ କରି ନିଜ ସାହସ ଓ ଚତୁରତା ପ୍ରମାଣ କରିଥିବା ମାଥୁର ଗ୍ରହଣ କରିବ ଗୋଟିଏ ଡକାୟତର ଭୂମିକା ଏବଂ ଅନ୍ୟ କେତେଜଣ ତାକୁ କାବୁ କରି ଘୋସାରି ଆଣିବେ ଥାନାକୁ । ଏହାଠାରୁ ବେଶି ଅପମାନଜନକ ପରିସ୍ଥିତି ଥାଇପାରେ ବୋଲି ମାଥୁରର ବିଶ୍ୱାସ ହେଲା ନାହିଁ ।

 

କମିଶନର ତା’ର ଭାବାନ୍ତର ଲକ୍ଷ୍ୟ କରି ପାରିଲେ ହୁଏତ । କହିଲେ–ଅନ୍ୟ କୌଣସି ଅଫିସରଙ୍କୁ ଏ କାମ କରିବା ପାଇଁ ମୁଁ କହୁନି । ତା’ର ଏକମାତ୍ର କାରଣ ହେଉଛି, ଅନ୍ୟ କେହି ଏହାକୁ ଠିକ୍‌ ଭାବରେ କରି ପାରିବେ ବୋଲି ମୋର ହୃଦବୋଧ ହେଉନି । ତୁମ ଦକ୍ଷତା ଓ ବୁଦ୍ଧି ଉପରେ ମୋର ଢେର ଆସ୍ଥା ଅଛି ।

 

ନିଜ ପ୍ରଶଂସା ଶୁଣିବା ପରେ ମାଥୁର ନିଜ ଭିତରେ ଜଳି ଉଠିଥିଲା ଆହୁରି ବେଶି ପ୍ରତିବାଦ ଓ ଘୃଣାରେ । ତାକୁ ଶେଷ ଉପଦେଶଟି ଦିଆଗଲା–ଆମେ ସବୁ ପ୍ରକାରର ସତର୍କତା ଅବଲମ୍ୱନ କରିବା ଏଇ ଡ୍ରାମାଟିକୁ ନିଖୁଣ କରିବା ପାଇଁ; କିନ୍ତୁ ଗୋଟିଏ କଥା ବେଳେବେଳେ ବିଚଳିତ କରୁଛି । ପ୍ରେସ୍‌ବାଲାଙ୍କର ଫଟୋଗ୍ରାଫରମାନଙ୍କୁ ସହଜ ଜନ୍ତୁ ବୋଲି ମୁଁ ଜମା ଭାବେନି । କେତେବେଳେ ଯଦି ଆମ ଅସତର୍କ ମୁହୂର୍ତ୍ତରେ ଫଟୋଟିଏ ଉଠାଇ ନିଅନ୍ତି, ତେବେ ବଦନାମର ସୀମା ରହିବନି । ତୁମକୁ ସେଥିପାଇଁ ଆଉ ଗୋଟିଏ କାମ କରିବାକୁ ହେବ । କାଟିଦିଅ ତୁମ ନିଶକୁ-। ଆହୁରି ଭଲ ହେବ, ଯଦି ମୁଣ୍ଡର କେଶ ମଧ୍ୟ କାଟି ଦେଇ ପାରିବ । ଟୋପି ଗୋଟାଏ ଲଗାଇ ପାର ।

 

ମୋନାଲିସା ବାର୍‌ର ନିର୍ଜନ କ୍ୟାବିନରେ ବସି ମାଥୁର ଉତ୍ତେଜିତ ହୋଇ ପଡ଼ିଲା ଏବଂ ଖୁବ୍‌ ଜୋରରେ ଚିତ୍କାର କରିବାକୁ ଉଦ୍ୟତ ହେଉଥିଲା । ମୁହଁର କଠିନ ମାଂସପେଶୀ ସଙ୍କୁଚିତ ହୋଇ ଯାଇ ଓଟାରି ଆଣିଲା ତା’ର ଦୁଇ ଆଖିରୁ ଦୁଇଟୋପା ଲୁହ–ଅତ୍ୟଧିକ ଉତ୍ତ୍ୟକ୍ତ ହୋଇଥିବାର ସର୍ବଶେଷ ପ୍ରମାଣ ।

 

ଗ୍ଲାସଟିକୁ ଟେବୁଲ ଉପରେ ରଖି ଦୁଇ ହାତ ପାପୁଲିରେ ମୁହଁ ଘସିଲା ମାଥୁର । କ୍ୟାବିନର ଚାରିକାନ୍ଥରୁ ଅନ୍ୟମନସ୍କ ଦୃଷ୍ଟି ବୁଲାଇ ଆଣିବା ବେଳେ, ଦୁଇମାସ ପୂର୍ବେ ରାସ୍ତାରେ ମଞ୍ଚସ୍ଥ ହୋଇଥିବା ନାଟକଟିକୁ ଆହୁରିଥରେ ମନେ ପକାଇଲା । ଅଥଚ କମିଶନରଙ୍କ ଷ୍ଟ୍ରାଟେଜି ଡକାୟତମାନଙ୍କୁ ସତର୍କ କରି ପାରି ନଥିଲା । ସେଇ ଘଟଣା ପରେ ସହରରେ ଆହୁରି ତିନୋଟି ବଡ଼ ଧରଣର ଡକାୟତି ଘଟି ଗଲାଣି । ସବୁ କଥା ଜାଣି ମଧ୍ୟ ଦୁଇମାସ ପୂର୍ବରୁ ନାଟକଟିର ପୁନରାବୃତ୍ତି କରିବା ଅର୍ଥ କ’ଣ, ସେ ବୁଝି ପାରୁ ନଥିଲା ।

 

ଆଜି ରାତି ଦୁଇଟା ବେଳେ ଡେଭେଲପମେଣ୍ଟ ବ୍ୟାଙ୍କକୁ ସେ ଯିବ ଡକାୟତର ଭୂମିକା ନେଇ, ନିଶ ଓ ମୁଣ୍ଡର କେଶ କାଟି ସାରିବା ପରେ । ଏଥର ଅବଶ୍ୟ ତିନିଜଣ ସବ୍‌ଇନିସପେକ୍ଟର ତା’ର ସହକାରୀ ଭାବରେ ଅଭିନୟ କରିବେ । ଦୁଇଟି ବ୍ରିଫକେଶରେ ନୋଟ ଭର୍ତ୍ତିକରି ସେ ପଳାଇ ଯାଉଥିବ ଏବଂ ପୋଲିସ ତାକୁ ଗିରଫ କରିବ ।

 

ଦୁଇଟି ବ୍ରିଫକେଶରେ କେତେ ଟଙ୍କାର ନୋଟ ରଖାଯାଇ ପାରେ ? ସବୁ ଜିନିଷ ଜାଲଜାଲୁଆ ଦେଖାଯାଉଥିବା ବେଳେ, ମୁଣ୍ଡ ତଳକୁ ଝୁଙ୍କି ପଡ଼ୁଥିବା ବେଳେ, ମୁହଁ ଝାଳଉଥିବା ବେଳେ ମାଥୁର ଏଇ ପ୍ରଶ୍ନଟି ପଚାରିଲା ନିଜକୁ । ନିଜ ମଧ୍ୟରେ କୌଣସି ଉତ୍ତର ପାଇବା ପୂର୍ବରୁ ପୁଣି ଦୁଇମାସ ପୂର୍ବର ଘଟଣା ମନେ ପଡ଼ିଲା । ତିନି ଲକ୍ଷ ଟଙ୍କା ଭର୍ତ୍ତି ହୋଇଥିବା ମସୃଣ, ସିଲକରା ବ୍ୟାଗଟିକୁ କିଭଳି ସେ ଭ୍ୟାନରୁ ଆଣି କାରରେ ଥୋଇଥିଲା ଏବଂ କିଛିବାଟ ଯିବା ପରେ ଅନ୍ୟମାନଙ୍କ ହାତକୁ ସେଇଟିକୁ, ନିଜକୁ ଓ ନିଜ ବ୍ୟକ୍ତିତ୍ୱକୁ ସମର୍ପଣ କରିଥିଲା, ତାହା ଭାବିନେଲା ଥରେ । କିନ୍ତୁ ଦୁଇଟି ବ୍ରିଫକେଶରେ କେତେ ଟଙ୍କାର ନୋଟ ରଖାଯାଇପାରେ ? ତନ୍ଦ୍ରାଳୁ ଆଖିରେ ଚାରିଆଡ଼କୁ ଚାହିଁ ସେ ଅପ୍ରତିଭ ହେଲା ଏବଂ ବଡ଼ ପାଟିରେ କହି ଉଠିଲା–ଶାଲା ।

 

ହୁଇସ୍କି ନିଶା ସତ୍ତ୍ୱେ ମାଥୁର ସ୍ତବ୍‌ଧ ହୋଇଗଲା କେତୋଟି ମୁହୂର୍ତ୍ତ ପାଇଁ । ସହସା କାହିଁକି ଶଙ୍କାଗ୍ରସ୍ତ ହୋଇପଡ଼ିଲା, ତା’ର କାରଣଟି ଜାଣିପାରିଲା ନାହିଁ ସେ । ଗୋଟାଏ ବିଚିତ୍ର ଭାବନା ତା’ର ମସ୍ତିସ୍କକୁ ଆକ୍ରାନ୍ତ କରୁଥିଲା ଆସ୍ତେ ଆସ୍ତେ ଏବଂ ସବୁମନ୍ତେ ଚେଷ୍ଟା କରି ମଧ୍ୟ ସେ ଭାବନାଟିକୁ ମନରୁ ବହିଷ୍କାର କରି ପାରିଲାନି । ଏଥର ରିତିମତ ବିଚଳିତ ହେଲା ମାଥୁର । ଖୁବ୍‌ ଜୋରରେ ମୁଣ୍ଡ ହଲାଇ ସେ ପୁଣିଥରେ ପାଟି କରି ଉଠିଲା–ଉଠବେ, ଶଳା !

 

କିନ୍ତୁ, ନା । ହେଉନି । ଭାବନାଟି ଶକ୍ତିଶାଳୀ ହୋଇ ତା’ର ବୌଦ୍ଧିକତା ଓ ବିଚାରଶୀଳତାକୁ ଗ୍ରାସକରି ଚାଲିଛି । ମାଥୁରର ହୃତ୍‌ସ୍ପନ୍ଦନ ଏଭଳି ବଢ଼ି ଯାଇଥିଲା ଯେ, ବସିବା ସ୍ଥାନରୁ ଉଠି ଠିଆ ହୋଇପଡ଼ିଲା ଏବଂ ମୋହାଚ୍ଛନ୍ନ ହେବାଭଳି ଚାହିଁଲା ଚାରିଆଡ଼କୁ ନିର୍ବୋଧଙ୍କ ଭଳି । ସେ ଅନୁଭବ କରିପାରିଲା, ତା’ ସତ୍ତା ମଧ୍ୟରେ ଏମିତି କିଛି ସଂଜ୍ଞାତୀତ ଘଟୁଛି, ଯାହା ତା’ର ପ୍ରତ୍ୟେକ ସ୍ନାୟୁକୁ ଦୋହଲାଇ ଦେଉଛି । ତା’ର ସମସ୍ତ ମାଂସପେଶୀ କଠିନ ହୋଇ ଯାଇ ତାକୁ ବେପରୁଆ ଓ ଅବାଧ୍ୟ ହେବାକୁ ପ୍ରରୋଚନ ଦେଲା । ବିପଦସଂକୁଳ ହେଉ ପଛେ ସେ ଯେମିତି ସନ୍ଧାନ କରିପାରିଲା ମୁକ୍ତ ଓ ପ୍ରତିଶୋଧ ନେବାର ଗୋଟାଏ ବାଟ ।

 

ସିଗାରେଟ୍‍ ଲଗାଇ ଅନ୍ୟମନସ୍କ ଭାବରେ ମାଥୁର ଦେଖୁଥିଲା । ଟେବୁଲ ସଫା କରୁଥିଲା ଓ୍ୱେଟରକୁ । ଏଥର ସେ ସତେଜ ଅନୁଭବ କରୁଛି । ବିଲ୍‌ ତୁଟାଇ ବାର୍‌ ଛାଡ଼ିବା ବେଳେ ରାତି ନ’ଟା ପାଖାପାଖି । ବୁଲେଟ୍‌ଟି ଷ୍ଟାର୍ଟ କରିବା ପୂର୍ବରୁ ସେ ଚାହିଁଲା ଚାରିଆଡ଼କୁ । ସହରଟି ଏବେ ବି କର୍ମମୁଖର ଅଛି । ମାତ୍ର ଆକସ୍ମିକ ଭାବରେ ମାଥୁର ମାନସିକ ସ୍ତରରେ ଅପରିଚିତ ଏବଂ ଦୁର୍ଦ୍ଦାନ୍ତ ହୋଇ ପଡ଼ୁଥିଲା ଏହା ସାମନାରେ । ସହରଟିର ଦୈନନ୍ଦିନତା ଅବ୍ୟାହତ ରହିଥିଲା; ଡକାୟତର ଉପସ୍ଥିତି ସତ୍ୱେ ସେଲ୍‌ଫରେ ଥୁଆ ହୋଇଥିବା ଘଡ଼ିର ବିଶ୍ୱସ୍ତ, ସନ୍ଦେହମୁକ୍ତ କାର୍ଯ୍ୟବ୍ୟସ୍ତତା ଭଳି ।

 

ତିନିଜଣ ସବ୍‌ଇନିସପେକ୍ଟରଙ୍କ ସହିତ କାର୍‌ ନେଇ ମାଥୁର ଡେଭେଲପମେଣ୍ଟ ବ୍ୟାଙ୍କର ପାଞ୍ଚମହଲା କୋଠା ସାମନାରେ ପହଞ୍ଚିଗଲା । ପୂର୍ବ ନିର୍ଦ୍ଧାରିତ ମତେ ବିଜୁଳି ସରବରାହ ବନ୍ଦ କରି ଦିଆଗଲା ସେ ଅଞ୍ଚଳକୁ । ତିନିଜଣ ସବ୍‌ଇନିସପେକ୍ଟର ଇଚ୍ଛାକୃତ ଭାବରେ ଆତ୍ମସମର୍ପଣ କରିଥିବା ସେଣ୍ଟ୍ରି ଗାର୍ଡ଼ମାନଙ୍କୁ ଅକ୍ତିଆର କରିନେଲେ । ଦୁଇଟି ବ୍ରିଫକେଶ୍‌ ନେଇ ବ୍ୟାଙ୍କର ଜଣେ କର୍ମଚାରୀ ସହିତ ମାଥୁର କୋଠା ଭିତରେ ପଶିଲା ।

 

ନୋଟ୍‌ର ସ୍ତୂପକୁ ସେ ପ୍ରଥମେ ଚାହିଁଲା ଓ ପରେ ଦୁଇହାତ ସାହାଯ୍ୟରେ ବ୍ରିଫକେଶ୍‌ ପୂର୍ଣ୍ଣ କରିବାରେ ଲାଗିଲା । ହଠାତ୍‌ ସେ ସଚେତନ ହେଲା ଯେ, ତା’ ପାଖରେ ଅନ୍ୟ ଜଣେ ମଧ୍ୟ ଠିଆ ହୋଇଛି । କାହିଁକି କେଜାଣି ତା’ର ଲୋମ ଟାଙ୍କୁରି ଉଠିଲା ଏବଂ ଉତ୍ତେଜନାପୂର୍ଣ୍ଣ ମୁହଁରେ ଚାହିଁଲା ଲୋକଟିକୁ । ବ୍ୟାଙ୍କ କର୍ମଚାରୀ ଜଣକ ତା’ର ସର୍ବାଙ୍ଗକୁ ଲକ୍ଷ୍ୟ କରି ତାକୁ ଫର୍ଦ୍ଦ ଫର୍ଦ୍ଦ କରି ପଢ଼ିଯାଉଛି ଏବଂ ତା’ଠାରୁ ଗୋଟାଏ ମୂଲ୍ୟ ଦାବି କରୁଛି ସତେ ଯେପରି । ମାଥୁରର ହାତ ଅଟକିଗଲା । ନିମ୍ନ ସ୍ୱରରେ ପଚାରିଲା–‘‘କ’ଣ ଦରକାର ?’’

 

‘‘ଚଞ୍ଚଳ କାମ ସାରନ୍ତୁ । ଯିବା ।’’ ଅଭିନୟ ହେଉପଛେ କର୍ମଚାରୀଟି ଯଥେଷ୍ଟ ଭୟ ପାଇଥିଲା ଏବଂ କାମଟି ଶୀଘ୍ର ଶେଷ ହେଉ ବୋଲି ବ୍ୟାକୁଳ ଥିଲା ।

 

ମାଥୁର ନିଜ ଉପରେ ରାଗିଲା; କାହିଁକିନା, ତା’ର ଭାବନାଗୁଡ଼ିକ ଅନ୍ୟମାନଙ୍କ ସାମନାରେ ଉଲଗ୍ନ ହୋଇପଡ଼ିଛି ବୋଲି ତା’ର ଆଶଙ୍କା ହେଲା । ସେ ବୋଧହୁଏ ସମ୍ପୂର୍ଣ୍ଣ ଅସ୍ୱାଭାବିକ ଜଣାପଡ଼ୁଛି !

 

ନିଜକୁ ଆଉ ବେଶି ସମୟ ସହ୍ୟ କରିବା ପାଇଁ ସକ୍ଷମ ନଥିଲା ମାଥୁର । ଏଇକ୍ଷଣି ହୁଏତ ତା’ର ହୃତ୍‌ପିଣ୍ଡଟା ପଞ୍ଜରା ହାଡ଼ର କାନ୍ଥଟିକୁ ଭାଙ୍ଗିଦେଇ ବାହାରକୁ ବାହାରି ଆସିବ । ଏଇକ୍ଷଣି ତା’ର ସ୍ନାୟୁ, ଶିରାପ୍ରଶିରାଗୁଡ଼ିକ ଛିଣ୍ଡିଯିବେ । ଅଶ୍ୱସ୍ତିକର ନୀରବତା ଓ ଆପାତତଃ ନିର୍ଜନତାର ମାରାତ୍ମକ ବୃତ୍ତଟିଏସଙ୍କୁଚିତ ହୋଇଯାଇ, ତା’ର ଅସ୍ତିତ୍ୱକୁ ପୋଛି ଲିଭାଇ ଦେବ ଏଇ ମୁହୂର୍ତ୍ତରେ । ମାଥୁର ସେତେବେଳେ ଦରକାର କରୁଥିଲା ବ୍ୟାପକ ପାଟିତୁଣ୍ଡ ଓ ଗହଳିର ସମୁଦ୍ରଟିଏ । ତା’ ଭିତରେ କେଉଁଆଡ଼େ ଖସିଯାଇ ନିଜକୁ ଉଦ୍ଧାର କରିବା ପାଇଁ ଚାହୁଁଥିଲା । ସେଇ ମୁହୂର୍ତ୍ତରେ ବାସ୍ତବିକ ମାନସିକ ଭାରସାମ୍ୟଟି ହରାଇ ବସିଲା ସେ । ପକେଟରୁ ପିସ୍ତଲଟି କାଢ଼ି କଠିନ ସ୍ୱରରେ ସେ ସତର୍କ କରିଦେଲା ବ୍ୟାଙ୍କ କର୍ମଚାରୀଟିକୁ–‘‘କାହା ଆଗରେ ଏ କଥା କହିଲେ, ଖପୁରିଟିକୁ ଉଡ଼ାଇ ଦେବି । ବୁଝିଲୁ ? ମୋ ଆଖିରେ ତୁ କମିଶନର ଭଳି ଦିଶୁଛୁ; ୟୁ ରାସ୍କେଲ ! ଚାଲ୍‌ ।’’

 

ବ୍ରିଫକେଶ୍‌ ଦୁଇଟିକୁ ନେଇ କାର୍‌ ପାଖରେ ପହଞ୍ଚିଲା ପରେ, ମାଥୁର ଠିକ୍‌ ଭାବରେ ଅନୁଭବ କରିପାରୁ ନଥିଲା ନିଜକୁ । ଦରଜା ଖୋଲି ସାମନା ସିଟ୍‌ ଉପରକୁ ସେ ଦୁଇଟିକୁ ରଖି ସେ ବସିପଡ଼ିଲା ଏବଂ ଦରଜା ବନ୍ଦ କରିବା କ୍ଷଣି ଗାଡ଼ି ଷ୍ଟାର୍ଟକରି ଆଗେଇଲା । ଦଶ-ବାର ମିଟର ଯିବା ପରେ ଅନ୍ଧାର ଭିତରେ ସେ ଗୁଳି ଚଳାଇଲା ତା’ ସହିତ ଆସିଥିବା ଇନିସପେକ୍ଟରଙ୍କ ଆଡ଼େ । ପାଞ୍ଚ ରାଉଣ୍ଡ ଗୁଳି ।

 

ମାଥୁର କାର୍‌ର ହେଡ଼ଲାଇଟ ଦ୍ରୁତ ଗତିରେ ପହଁରି ଚାଲିଲା ଦୁଇପାଖ ଅନ୍ଧାରର ପାଣି କାଟି ।

 

ମାଥୁର ଉତ୍ତେଜିତ ଥିଲା, ଅସ୍ଥିର ଥିଲା; କିନ୍ତୁ ତା’ର ଭାବନା ଠିକ୍‌ କାମ କରୁଥିଲା ସେତେବେଳେ । ସେ ସ୍ପଷ୍ଟ ଅନୁଭବ କରୁଥିଲା ଯେ, ସେ ଅନ୍ୟ ଏକ ଅପରିଚିତ ଅଥଚ ଭୟାନକ ମୂଲ୍ୟବୋଧର ଇଲାକା ଭିତରକୁ ପ୍ରବେଶ କରୁଛି ପ୍ରଚଣ୍ଡ ବେଗରେ । ଯୁଗଯୁଗର ସଂସ୍କାର, ଐତିହ୍ୟ ଓ ଶୃଙ୍ଖଳାର ଢାଙ୍କୁଣି ଖୋଲି ଯାଉଥିଲା ତା’ ଚାରିପାଖରୁ ଏବଂ ସେ ମଣିଷ ପାଇଁ କଞ୍ଚା ମାଲର ଏକକଟିଏ ପାଲଟି ଯାଉଥିଲା ନିଜ ଅଜାଣତରେ । ମାଥୁର ଆଉ ଇନିସପେକ୍ଟର ହୋଇ ରହି ନଥିଲା । ସମସ୍ତ ପ୍ରକାରର କଟକଣା ଓ ପ୍ରତିଷ୍ଠିତ ନିୟମର ପାଚେରୀ ଭାଙ୍ଗି ସେ ଆଖିବୁଜା ଅଭିଯାନ ଆରମ୍ଭ କରି ଦେଇଥିଲା ମଣିଷ ସୃଷ୍ଟିର ପ୍ରାଥମିକ ମୁହୂର୍ତ୍ତ ପାଖରେ ପହଞ୍ଚିବା ପାଇଁ ।

 

ଅନ୍ତତଃ ଦୁଇଘଣ୍ଟା ପରେ ଗାଡ଼ିଟିକୁ ପରିତ୍ୟାଗ କରି ଦୁଇଟି ବ୍ରିଫକେଶ୍‌ ଓ ଦୁଇଟି ପିସ୍ତଲ ଧରି ସେ ପଳାଇଯିବ କେଉଁଆଡ଼େ । ଗାଡ଼ିଟିକୁ ଧ୍ୱଂସ କରିଦେବା ତା’ର ଅଭିପ୍ରାୟ ଥିଲା । ରାସ୍ତାଟା ଯଦି କୌଣସି ପାହାଡ଼ର ପିଠି ଉପରେ ଲମ୍ୱି ଯାଇଥାନ୍ତା, ତେବେ ଗାଡ଼ିଟିକୁ ତଳକୁ ଠେଲି ନିଶ୍ଚିନ୍ତ ହୋଇ ପାରନ୍ତା ସେ । ଗାଡ଼ିଟି ତା’ପାଇଁ ବର୍ତ୍ତମାନ ଏମିତି ଏକ ବୋଝ ହୋଇଯିବ ବୋଲି ସେ ଭାବି ନଥିଲା ଆଗରୁ । କ’ଣ କରିବ ସେ ?

 

କିନ୍ତୁ ରିଅର୍‌ଭିଉ ଦର୍ପଣ ଭିତରେ ଏ କ’ଣ ? ତାକୁ ଅନୁସରଣ କରୁଛି ଗୋଟାଏ ଗାଡ଼ି ! ଏତେ ଚଞ୍ଚଳ ! ଅସମ୍ଭବ ! ହିଂସ୍ର କଠୋରତାର ସହିତ ମାଥୁର ଗାଡ଼ିର ଗତି ବଢ଼ାଇବାକୁ ଚେଷ୍ଟା କଲା । ପର ମୁହୂର୍ତ୍ତରେ ଦେଖିଲା, ଖୁବ୍‌ ଦୂରରୁ ସାମନାରୁ ଏକାଧିକ ଗାଡ଼ିର ହେଡ଼ଲାଇଟ ଆଗେଇ ଆସୁଛି ଗୋଟାଏ କୃତିତ୍ୱ ପାଇବା ଲାଳସାରେ । ଅଭିଯାନଟା ଏଡ଼େ ବେଗି ବିଫଳ ହୋଇଯିବ ? ମାଥୁରର ସର୍ବାଙ୍ଗକୁ ଗିଳି ଦେଇଥିବା ଆଦିମତା, ସଂଜମ ଓ ବିଜ୍ଞତାର ଘେର ଭିତରକୁ ଆସିବା ପାଇଁ ଅନିଚ୍ଛୁକ ଥିଲା ସେତେବେଳେ; କାରଣ ସେ ସମାଜ ଓ ଶୃଙ୍ଖଳା ବିରୁଦ୍ଧରେ ଗୋଟାଏ ବିପ୍ଳବର ପ୍ରତୀକ ହୋଇଯାଇଥିଲା । ଏଇ ବିପ୍ଳବ କେଉଁଭଳି ଭବିଷ୍ୟତ ସ୍ୱପ୍ନକୁ ଆଖି ଆଗରେ ରଖିଥିଲା, ତା’ର କୌଣସି ରୂପରେଖ ଜଣା ନଥିଲା ମାଥୁରକୁ । ସେ କେବଳ ଏତିକି ସୂଚନା ଦେଉଥିଲା ଯେ, ଏଇ ବିପ୍ଳବର ରହସ୍ୟ ଏକ ଚିରନ୍ତନ ସତ୍ୟ ଏବଂ ଆଦିମ ହିଂସ୍ରତା ଓ ସଂଯମହୀନତା ଭିତରକୁ ବାଟ କଢ଼େଇନେବା ସମ୍ପର୍କରେ ଏହାର ଶକ୍ତି ଅତୁଳନୀୟ ।

 

ଅଥଚ ତା’ର ବ୍ୟକ୍ତିଗତ ବିପ୍ଳବର ପରିପ୍ରକାଶ ଅନ୍ୟମାନଙ୍କ ଦୃଷ୍ଟିରେ ଗୋଟାଏ ବ୍ୟାଧି ଓ ବିପଦ ବ୍ୟତୀତ ଆଉ ଅଧିକ ବା କ’ଣ ? ଯେଉଁ ପ୍ରତିଷ୍ଠିତ ମୂଲ୍ୟବୋଧ ଓ ନିୟମର ପରିସରରୁ ହୁଗୁଳି ଯିବା ପାଇଁ ସେ ଦୟନୀୟ ପ୍ରବୃତ୍ତିର ପ୍ରରୋଚନାରେ ନିଜକୁ ହଜାଇ ଦେଇଥିଲା, ସେଇ ପରିସର ଭିତରକୁ ତାକୁ ଫେରାଇ ନେବା ପାଇଁ ତା’ ଗାଡ଼ିର ଦୁଇଦିଗରୁ ଅଲଙ୍ଘନୀୟ ଶକ୍ତିଟିଏ ଖୁବ୍‌ ଚଞ୍ଚଳ ତା’ର ନିକଟବର୍ତ୍ତୀ ହେଉଛି । ଭାବିବା ପାଇଁ ଆଉ ସମୟ ନଥିଲା ମାଥୁର ହାତରେ । ଗାଡ଼ି ଅଟକାଇ, ବ୍ରିଫକେଶ୍‌ ଦୁଇଟିକୁ ଧରିଲା ସମସ୍ତ ଦୃଢ଼ତାର ସହିତ । ରାସ୍ତାକଡ଼ ଅପନ୍ତରା ଭିତରକୁ ଧାଇଁଲା ସେ; ସତେ ଅବା ସେ ଅପନ୍ତରା ବାଟବଣା ହୋଇଥିବା ମାଥୁରର ଜିଜ୍ଞାସାକୁ ଠିକ୍‌ ଭାବେ ଚିହ୍ନି ପାରିଥିଲା ।

 

ପୋଲିସ ହେଡ଼କ୍ୱାଟର୍ସରେ ମାଥୁରର ରକ୍ତାକ୍ତ, ଥଣ୍ଡା ଲାସ୍‌ ଚଟାଣ ଉପରେ ପଡ଼ିଥିଲା । କେତେଜଣ ପଦସ୍ଥ କର୍ମଚାରୀ ଅଳ୍ପ ସମୟ ପୂର୍ବେ ଘଟିଥିବା ରୋମାଞ୍ଚକର ଘଟଣାଟିର ବିବରଣୀ ଶୁଣୁଥିଲେ ।

 

ଅନ୍ୟ ପୋଷାକରେ ଆବୃତ, ନିଶହୀନ, କେଶହୀନ ମାଥୁର ଅଚିହ୍ନା ହୋଇ ପଡ଼ୁଥିଲା ସମସ୍ତଙ୍କ ଦୃଷ୍ଟିରେ । ତା’ର ନିସ୍ପନ୍ଦ ଦେହଟି ଗୋଟାଏ ରହସ୍ୟ, ଗୋଟାଏ ବିସ୍ମୟ, ଗୋଟାଏ ଜଟିଳ ପ୍ରଶ୍ନରେ ରୂପାନ୍ତରିତ ହୋଇ ପଡ଼ି ରହିଥିଲା । ଗୋଟିଏ ଗୁଳି ବାଜିଛି ଛାତିରେ, ଅନ୍ୟଟି ଅଣ୍ଟାରେ । ଦୁଇମାସ ପୂର୍ବେ ଯେଭଳି ଭାବରେ ତିନିଲକ୍ଷ ଟଙ୍କା ସମେତ ନିଜକୁ ପୋଲିସ ପାଖରେ ସମର୍ପଣ କରିଦେଇ ଅଭିନୟଟିକୁ ସେ ନିଖୁଣ କରି ପାରିଥିଲା, ଏଥର ସେଭଳି ଘଟିନାହିଁ । ମାଥୁର ସହିତ ଗୁଳି ବିନିମୟରେ ଜଣେ ସବ୍‌ଇନିସପେକ୍ଟର ଓ ଜଣେ ପୋଲିସ ଗୁରୁତର ଆହତ ହୋଇଛନ୍ତି ।

 

କମିଶନର ମାଥୁରର ଲାସ୍‌ ଉପରୁ ଦୃଷ୍ଟି ଉଠାଇ ଚାହିଁଲେ ଅନ୍ୟମାନଙ୍କୁ । ପାଇପ୍‌ରୁ ପାଉଁଶ ଝାଡ଼ି କହିଲେ–‘‘ସକାଳେ ସାମ୍ୱାଦିକ ସମ୍ମିଳନୀ ପାଇଁ ବ୍ୟବସ୍ଥା କରାଯିବ । ଆପଣମାନେ ବର୍ତ୍ତମାନ ବିଶ୍ରାମ ନେଇ ପାରନ୍ତି ।’’ ସେଦିନ ସନ୍ଧ୍ୟାରେ ଖବର କାଗଜଗୁଡ଼ିକ ସହରରେ ବେଶ୍‌ ଚାଞ୍ଚଲ୍ୟ ସୃଷ୍ଟି କରି ପାରିଲେ । ଦୁର୍ଦ୍ଧର୍ଷ ଡକାୟତ ବୋଲି ବର୍ଣ୍ଣିତ ହୋଇଥିଲା ଗୋଟାଏ ମୃତ ଦେହର ଫଟୋ । ଅସଲ ଗ୍ୟାଙ୍ଗ୍‌ଟିକୁ ଗିରଫ କରିବାରେ ଆଉ ଡେରି ହେବନି ବୋଲି କୁହା ଯାଇଥିଲା । ଯଥେଷ୍ଟ ନାଟକୀୟ ଜଣା ପଡ଼ୁଥିଲା ଡେଭେଲପମେଣ୍ଟ ବ୍ୟାଙ୍କରେ ଘଟିଥିବା ଡକାୟତିର ବିସ୍ତୃତ କାହାଣୀ ବାସ୍ତବିକ, ନାଟକୀୟ ନୁହେଁ କି ?

Image

 

ପାଚେରୀ

 

କୋଡ଼ିଏ ବର୍ଷ ବୟସ ପର୍ଯ୍ୟନ୍ତ ‘‘ଆଦର୍ଶ ଭୋଜନାଳୟ’’ରେ କାମ କରିବା ମୋ’ପାଇଁ ଏକ ଆବଶ୍ୟକତା ଥିଲା । କିଭଳି ଭାବରେ ଏଠାରେ ଏଇ ଚାକିରି ଖଣ୍ଡିକ ଯୋଗାଡ଼ ହୋଇ ପାରିଲା, ତାହା ମୋର ମନେ ନାହିଁ; ତେବେ, ଖୁବ୍‌ ସାନ ଥିବାବେଳେ ସହରର ଗଳିକନ୍ଦି, ରେଲଓ୍ୱେ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଇତ୍ୟାଦି ବୁଲି ମୁଁ ବ୍ୟସ୍ତ ରହୁଥିଲି ଖାଦ୍ୟ ସଂଗ୍ରହ କରିବାରେ । କେଉଁଠି ବାହାଘର ଭୋଜି ହେଉଥିଲେ ଆହୁରି ଅନେକ ସାନ ବଡ଼ ମଣିଷଙ୍କ ସହିତ କ୍ଷୁଧା ଓ କ୍ଳାନ୍ତିର ହାଇମାରି ଠିଆ ହେଉଥିଲି ସୁସଜ୍ଜିତ, କୋଳାହଳମୟ ଫାଟକ ବାହାରେ । ଫୋପାଡ଼ି ଦିଆଯାଉଥିବା ଅଇଁଠା ପତ୍ରକୁ ଆମେ ନିଲାମ ଧରୁଥିଲୁ ନିଜର ଚତୁରତା ଓ କ୍ଷିପ୍ରତା ବଳରେ । କେବେ କେମିତି ମାଡ଼ଖାଇବାକୁ ପଡ଼ୁଥିଲା; ସୁବିଧା ମିଳିଲେ ଅନ୍ୟକୁ ମାଡ଼ ଦେବାପାଇଁ ହେଉଥିଲା-

 

ସେତେବେଳେ ନିଜକୁ ଅନୁଭବ କରିବାର ସର୍ବଶ୍ରେଷ୍ଠ ମାନଦଣ୍ଡ ଥିଲା କ୍ଷୁଧା । ଦିନସାରା ବାରଦ୍ୱାର ବୁଲିଲାବେଳେ ମୁଁ ଭାବୁଥିଲି, କୌଣସିମତେ ପେଟର କ୍ରୋଧକୁ ଶାନ୍ତ କରିବା ବ୍ୟତୀତ ଏ ସଂସାରରେ ମଣିଷର ଅନ୍ୟ କିଛି ଭୂମିକା ନାହିଁ । ଯେତେ ଯାହା ଖାଇଲେ ବି କେଉଁଠି ସତେ ଯେମିତି ଶୂନ୍ୟତାର ଟୁକୁରାଟିଏ ରହି ଯାଉଥିଲା ଏବଂ ସମୟକ୍ରମେ ତାହା ସମ୍ପ୍ରସାରିତ ହୋଇ ମୋତେ ଚେତେଇ ଦେଉଥିଲା ଯେ, ଭୋକ ଆଉ ମୋ ମଧ୍ୟରେ ଯେଉଁ ଦଉଡ଼ ପ୍ରତିଯୋଗିତା ଚାଲିଛି, ସେଥିରେ ମୁଁ ପଛେଇ ଯାଉଛି ଅଧିକାଂଶ ସମୟରେ । ବେଳେବେଳେ ରେଲଓ୍ୱେ ପ୍ଲାଟଫର୍ମ କିମ୍ୱା ଧର୍ମଶାଳା ବାରଣ୍ଡାରେ ବସି ମୁଁ ପେଟକୁ ଚିପିଧରେ ସମସ୍ତ ଶକ୍ତିର ସହିତ । ଆଖିବୁଜେ ଏବଂ ଅନନ୍ତ ଅନ୍ଧକାର ଭିତରେ ସଂଖ୍ୟାହୀନ ବିସ୍ଫୋରଣର ଆକାରହୀନ, ରଙ୍ଗୀନ ପରିପାଟି ଦେଖେ । କେବେ କେମିତି ଖାଲୁଆ ଆଖିରୁ ଯନ୍ତ୍ରଣା ଓ ହାହାକାରର ଲୁହ ଝରିଆସେ ।

 

‘‘ଆଦର୍ଶ ଭୋଜନାଳୟ’’ରେ ଚାକିରି କରିବା ପୂର୍ବରୁ ମୋ ଅବସ୍ଥା ଥିଲା ଏଇଭଳି । ସେତେବେଳର କଥା ଏବେ ବହୁତ ମନେ ପଡ଼େ ଏବଂ ମୁଁ ବେଶ୍‌ ବିସ୍ମିତ ହୁଏ । ସବୁଠାରୁ ବଡ଼ କଥା ହେଲା, ମୁଁ ସେତେବେଳେ ଚେଇଁ ନ ଥିଲି; ଆଦୌ ଜାଗ୍ରତ ହୋଇ ନ ଥିଲି ନିଜକୁ ପରିବେଷ୍ଟନୀ ଓ ପ୍ରକୃତି ସହିତ ସମ୍ପର୍କିତ କରିବା ସମ୍ପର୍କରେ । ରାସ୍ତାଘାଟ, କୋଠାବାଡ଼ି, ଗାଡ଼ି ମୋଟର ଇତ୍ୟାଦି ମୁଁ ଦେଖୁଥିଲି; ଅଥଚ ସେମାନଙ୍କର ସ୍ଥିତି ଅନୁଭବ କରିପାରୁ ନ ଥିଲି । ସେମାନଙ୍କର ଉପସ୍ଥିତି ମୋ’ପାଇଁ ଥିଲା ଖୁବ୍‌ ସ୍ୱାଭାବିକ ଓ ଗତାନୁଗତିକ; ପବନ ବହିଗଲାଭଳି, ଆକାଶରେ ସୂର୍ଯ୍ୟ ଓ ନକ୍ଷତ୍ର ଦେଖାଦେଲାଭଳି । ମୋ’ପାଇଁ ଏକମାତ୍ର ଭୀତିପ୍ରଦ ବାସ୍ତବତା ଥିଲା ମୋ ପେଟର ଭୋକ ଏବଂ ଏହାକୁ ଶାନ୍ତ କରିବା ସକାଶେ ନିଷ୍କରୁଣ ରାସ୍ତାଘାଟ ଉପରେ ମୋର ଜରୁରୀ ଗତିଶୀଳତା ।

 

ବିକଳ୍ପ ପନ୍ଥା କଥା ମୁଁ ଯେ ଭାବି ନ ଥିଲି, ତା’ ନୁହେଁ । ଚେଷ୍ଟା ମଧ୍ୟ କରିଥିଲ । ହେଲାନାହିଁ । ଉଦାହରଣ ସ୍ୱରୂପ, ନିର୍ଜନ ସ୍ଥାନରେ ଠିଆ ହୋଇ କୌଣସି ଭଜନର ଭଗ୍ନାଂଶକୁ ସ୍ୱର ଦେବାପାଇଁ ମୁଁ ବ୍ୟାକୁଳ ଉଦ୍ୟମ କରିଥିଲି । ଥରେ ନୁହେଁ, ଅନେକଥର । ମାତ୍ର ମୋ ସ୍ୱର ଏତେ ଅଖାଡ଼ୁଆ ଓ ବିରକ୍ତିକର ଥିଲା ଯେ, ମୁଁ ନିଜେ ଅପ୍ରତିଭ ହେଉଥିଲି ଏବଂ ଚାରିଆଡ଼କୁ ଚାହୁଁଥିଲି, କାଳେ କିଏ ମୋତେ ପରିହାସ କରିବ ବୋଲି ।

 

ଏଇଭଳି ପରିସ୍ଥିତିରେ ‘‘ଆଦର୍ଶ ଭୋଜନାଳୟ’’ର ଦୁର୍ଦ୍ଦାନ୍ତ ମାଲିକ ଜଣକ ତାଙ୍କ ହୋଟେଲରେ ନିଯୁକ୍ତ କରି ମୋତେ କୃତଜ୍ଞ କରିଦେଲେ । ଟେବୁଲ ଉପରୁ ଅଇଁଠା ବାସନ ଉଠାଇବି, ବାରମ୍ୱାର ହୋଟେଲ ଓଳାଇବି । ଦୁଇଓଳି ଖାଇବି; ଦରମା କିନ୍ତୁ ମିଳିବ ନାହିଁ । ଯଦି ମୋ କାମ ସନ୍ତୋଷଜନକ ହୁଏ, ତେବେ ସେ କଥା ପରେ ବିଚାର କରାଯିବ ।

 

ତାହା ଥିଲା ଏକ ଅସ୍ୱାସ୍ଥ୍ୟକର, କଦର୍ଯ୍ୟ ଖାଇବା ସ୍ଥାନ । ସାମନାରେ ଦୁର୍ଗନ୍ଧମୟ ନର୍ଦ୍ଦମା । ତିନୋଟି ଅଣଓସାରିଆ ପଟା ବିଛାଇ ଦିଆଯାଇଥିଲା ତା’ ଉପରେ ଗରାଖମାନଙ୍କର ଯିବା ଆସିବା ସୁବିଧା ପାଇଁ । ବାଁ ପାଖରେ ସର୍ବଦା ଅଶ୍ଳୀଳ ଶବ୍ଦ ସମ୍ୱଳିତ ଗାଳି ହେଉଥିବା ପୃଥୁଳ ହୋଟେଲ ମାଲିକର ଚେୟାର, ଟେବୁଲ ଓ କାଠବାକ୍‌ସ । ଧୂଆଁର ବହଳ ପଲସ୍ତରା ଘୋଡ଼ାଇଥିବା କାନ୍ଥ । ବିରକ୍ତିକର ଶବ୍ଦ ସୃଷ୍ଟି କରୁଥିବା ସିଲିଂ ଫ୍ୟାନ୍‍ । ଚାରୋଟି କାଠ ଟେବୁଲ ।ପଟା ସନ୍ଧିରେ ଖୁନ୍ଦି ହୋଇ ରହିଥିବା ପଚା ଅଇଁଠା । ଷୋଳଟି ଚେୟାର । ଗୋଟାଏ ଛିଣ୍ଡା ପ୍ଲାଷ୍ଟିକ୍‌ ବାଲ୍‌ଟି ଓ ଦୁର୍ଗନ୍ଧମୟ କତରା କନାଟିଏ ଧରି, ଟେବୁଲ ଉପରୁ ମୁଁ ପ୍ଲେଟ, ଗ୍ଲାସ ଉଠାଏ । ଚାଇନା ମାଟିରେ ତିଆରି ପ୍ଲେଟ ମଧ୍ୟରୁ ଅନେକଗୁଡ଼ିଏ ଫଟା; ଧାରଗୁଡ଼ିକ ଆବଡ଼ା ଖାବଡ଼ା । ନାଲି, ସବୁଜ ରଙ୍ଗର ଆଲୁମିନିୟମ୍‌ ଗ୍ଲାସ ଉପରେ ବୁଢ଼ିଆଣୀ ଜାଲ ଭଳି କଣ୍ଟାଗାରର ନକ୍‌ସା ।

 

ଦିନ ବାରଟା ବେଳକୁ କେବେ କିମିତି ହୋଟେଲ ମାଲିକର ବିରକ୍ତି ଓ କ୍ରୋଧ ମିଶ୍ରିତ ସ୍ୱର ଶୁଭେ–‘‘ଜଗୁ, ଆରେ, ଏ ଶଳା ଜଗୁ । ମୁଁ ଜାଣେ ପରା, ଅସଲବେଳକୁ ଏ ଶଳା ଖଣ୍ଡକ କେଉଁଠି....ଜଗୁ.... ।’’ ମୁଁ ଧଇଁସଇଁ ହୋଇ ଅଇଁଠା ବାସନତକ ଟ୍ୟାପ୍‌ ତଳେ ଥୋଇ ଆସୁ ଆସୁ ଶୁଣେ–‘‘ହଇବେ, ଶଳା, ଶୋଇଯାଇଥିଲୁ, ନାଇଁ ? ଶଳା, ରାଜ୍ୟଯାକର ବାସନ ଏଠି ପଡ଼ିରହିଛି । କିଲେ ଚାଉଳର ଭାତ ଖାଉଛି; ହେଲେ ଶଳା କାମ କଲାବେଳକୁ....ବାହାର, ଅବିକା ଏ ହୋଟେଲରୁ ବାହାର । ତୋ ଭଳିଆ ଗୋଟାଏ ଜନ୍ତୁକୁ ଆଉ ପୋଷି ହେବ ନାହିଁ ।’’

 

ଥରେ, ଦୁଇଥର ମୋ କାନ ଧରି ହୋଟେଲ ମାଲିକ ମୋତେ ଘୋଷାଡ଼ି ଆଣି ରାସ୍ତା ଉପରେ ଛାଡ଼ି ଦେଇଥିଲା । ପରେ, ଦୁଇଟି ଚଟକଣା ଓ ପାଞ୍ଚ-ଛ’ଟି ଗୋଇଠା ଦେଇ ସ୍ୱାଗତ କରିଥିଲା ମୋତେ । ବିନା ପ୍ରତିବାଦ ଓ ଅହଙ୍କାରରେ ଏ ସବୁକୁ ନିତାନ୍ତ ସ୍ୱାଭାବିକ ଓ ମୋର ଏକାନ୍ତଭାବେ ପ୍ରାପ୍ୟ ବୋଲି ସହି ନେବାକୁ ପଡ଼ୁଥିଲା । ରାତି ଏଗାରଟା ବେଳକୁ ସାମନା ରାସ୍ତା କ୍ଳାନ୍ତି ଓ ଆଳସ୍ୟ ଯୋଗୁଁ ନିର୍ଜୀବ ହୋଇ ପଡ଼ିବା ସମୟରେ, ଆଖପାଖର ଦୋକାନ ଦ୍ୱାରରେ ସଟର୍‌ଗୁଡ଼ିକୁ ନିମ୍ନମୁଖୀ କରି ଚାବି ପକାଇବାବେଳେ, ଆମେ ଚାରିଜଣ, ‘‘ଆଦର୍ଶ ଭୋଜନାଳୟ’’ର କର୍ମଚାରୀମାନେ ବସିରହୁ ଚାରୋଟି ଚେୟାରରେ । କେହି ଜଣେ ଟେବୁଲ ବାଡ଼େଇ ହିନ୍ଦି ଫିଲ୍ମି ଗୀତ ଗାଏ । ଅନ୍ୟ ଜଣେ ପାଖ ଗଳିରେ ଥିବା ପରିବା ଦୋକାନୀର ଝିଅ କଥା ଉତ୍‌ଥାପନ କରେ ଏବଂ ଗର୍ବର ସହିତ ଘୋଷଣା କରେ ଯେ, ଦିନେ ରାସ୍ତାକଡ଼ ଟ୍ୟାପ୍‌ ପାଖରେ ଗାଧୋଉଥିବା ସମୟରେ ସେ ତା’ର ସମ୍ପୂର୍ଣ୍ଣ ଉଲଗ୍ନ ଦେହ ଦେଖିଛି । ହୋଟେଲ ମାଲିକର ଶୂନ୍ୟ ଚେୟାର ଆଡ଼କୁ ବାରମ୍ୱାର ଚାହିଁ ମୁଁ ସମସ୍ତ କଥା ଉପଭୋଗ କରେ । ଦୋକାନ କବାଟ ବନ୍ଦ କରି ଟେବୁଲ ଉପରେ ଶୋଇବାବେଳକୁ ବାରଟା-ଗୋଟାଏ ବାଜି ଯାଇଥାଏ । ମଶା କିମ୍ୱା ଶୀତ ରାତିର କଣ୍ଟା ଆମକୁ ବିଶେଷ ବାଧେ ନାହିଁ ।

 

ଅଥଚ, ଏଇଭଳି ଅବ୍ୟବସ୍ଥା ପରିପୂର୍ଣ୍ଣ, ଅପରିଚ୍ଛନ୍ନ ହୋଟେଲର କାରବାର ନିତାନ୍ତ ମାନ୍ଦା ହେବାର ମୋର ମନେନାହିଁ । ବିଶେଷ କରି ଦିନବେଳେ ହୋଟେଲରେ ବେଶ୍‌ ଭିଡ଼ି ହୁଏ । ଦିନ ତିନିଟା ପର୍ଯ୍ୟନ୍ତ ଆମେ ଜମା ଫୁରୁସତ ପାଉନା । ଏହା ଅନ୍ତରାଳରେ ଥିବା ସତ କଥାଟି ଏହି ଯେ, ହୋଟେଲଟି ସହରର କଚେରି ପାଖରେଅବସ୍ଥିତ ମୋ ଜାଣିବାରେ, କେଉଁ ଦିନ ବି କଚେରିରେ ଲୋକ ଭିଡ଼ କମ୍‌ ହୁଏ ନାହିଁ । ଏ ବୟସରେ ବୁଝୁଛି, ପୃଥିବୀରେ ଦୁଇଗୋଟି ଅନୁଷ୍ଠାନର ଆବଶ୍ୟକତା ସବୁଠାରୁ ବେଶି । ଗୋଟିଏ ହେଉଛି କଚେରି, ଅନ୍ୟଟି ଜେଲଖାନା । ଆଉ ପୋଲିସ ନାମକ କର୍ମଚାରୀ ଜଣକ ଯଦି ନଥାନ୍ତା, ଥରେ ଭାବି ଦେଖ ତ, କ’ଣ ସବୁ ଘଟି ଯାଆନ୍ତା, ଆମର ଏଇ ଛୋଟିଆ ପୃଥିବୀ ଭିତରେ ?

 

ଦିନ ବାରଟା ଆଡ଼କୁ ‘‘ଆଦର୍ଶ ଭୋଜନାଳୟ’’ ସରଗରମ ହୋଇ ଉଠେ । ସଫା-ସୁତୁରା ପୋଷାକ ପିନ୍ଧି ବେଶ୍‌ ସୁଶ୍ରୀ ଦେଖାଯାଉଥିବା ମଣିଷ ଜଣେ କହେ–‘‘ଦେଉଛି ଏଥର ଶଳାକୁ ପାନେ । ଶଳାକୁ ଜେଲରେ ଘଣା ପେଲିବାର ଦେଖିଲେ ଯାଇ ମୁଁ ଜାଣିବି ଯେ ଖାଣ୍ଟି ବାପ୍‌କା ବେଟା ମୁଁ । ଜମିବାଡ଼ି ଯାଉ, ହେଲେ ସେ ଶଳାଟି ଚିହ୍ନୁ, ମୁଁ କିଏ । ପୁଣି ଶୁଭେ ଅନ୍ୟ କାହାର ସ୍ୱର–ନରକ ଆଉ କାହାକୁ କହନ୍ତି କି ? ଏଇ ଜୀବନ ପରା ! ଜନମ ହେଲ ମାନେ ସଢ଼ିବା ଆରମ୍ଭ କଲ । ଶାନ୍ତି ନାହିଁ । ଅମଣିଷ ତ ପଲ ପଲ । ଯିବ କେଉଁଠିକି ? କଚେରି ବାରଣ୍ଡାରେ ଠିଆ ହେଲେ କି କାଠଗଡ଼ା ଭିତରେ ଦୀର୍ଘଶ୍ୱାସ ଛାଡ଼ିଲେ କିଛି କ’ଣ ଫାଇଦା ମିଳେ ? କିନ୍ତୁ ଉପାୟ କାହିଁ ? ହଉ ଦେଖାଯିବ କ’ଣ ଘଟୁଛି ।

 

ସବୁକଥା ମୁଁ ଭଲକରି ବୁଝିପାରେ ନାହିଁ । ଖାଲି ବେଳେବେଳେ ଶୁଣେ ଯେ, କାହାକୁ ଜେଲ ଦଣ୍ଡ ମିଳିଲା, କାହାର ଜମିବାଡ଼ି ନିଲାମ ହେଲା ଇତ୍ୟାଦି । ହୋଟେଲ ମାଲିକର ବ୍ୟବସାୟିକ ଦୂରଦୃଷ୍ଟିକୁ କିଏ ଭଲା ଅଭିନନ୍ଦନ ନ ଜଣାଇବ ? କଚେରିର କର୍ମବ୍ୟସ୍ତତା ସତେ ଯେମିତି ଏ ହୋଟେଲର ସଫଳତାକୁ ବଞ୍ଚେଇ ରଖିବ ସବୁଦିନ ପାଇଁ ।

 

ଷୋଳ, ସତର ବର୍ଷ ବେଳକୁ ମୁଁ ହାପ୍‌ପ୍ୟାଣ୍ଟ ପିନ୍ଧା ଛାଡ଼ିଲି । ହୋଟେଲ ମାଲିକ ମୋତେ ଶଳା, ବେଧୁଆ ଇତ୍ୟାଦି ଶବ୍ଦରେ ଗାଳିଦେବା ବନ୍ଦ କଲା । ଆପାତତଃ ସେଠାରେ ମୁଁ ଜଣେ ବିଶ୍ୱସ୍ତ କର୍ମଚାରୀ ହୋଇଗଲି । ପ୍ଲାଷ୍ଟିକ ବାଲ୍‌ଟି ଓ କତରା କନା ଧରି ଟେବୁଲ ସଫା କରିବା ଓ ଅଇଁଠା ବାସନ ଉଠାଇବା ବଦଳରେ, ଗରାଖମାନଙ୍କୁ ମିଲ୍‌ ପରସିବା ଦାୟିତ୍ୱ ଥାଏ ମୋ ଉପରେ । ମାଲିକର ଅନୁପସ୍ଥିତିରେ ଟଙ୍କା ପଇସା ରଖିବା କିମ୍ୱା ଜେଲଖାନା ପାଖରେ ଥିବା ବଜାରର କେବେ କିମିତି ମାଛ ମାଂସ ଆଣିବା କାମ ମୁଁ କରୁଥିଲି ।

 

ବାରମ୍ୱାର ଆରିସି ସାମନାରେ ଠିଆ ହୋଇ ଲମ୍ୱା, ଚକ ଚକ କେଶ କୁଣ୍ଡାଇବାବେଳେ ମୋର ହୃଦବୋଧ ହେଉଥାଏ ଯେ, ମୁଁ ଜଣେ ସୁଶ୍ରୀ, ସୁସ୍ଥ ଯୁବକ ହେବାକୁ ଯାଉଛି । ମୋ ଦେହର ରଙ୍ଗ ମଧ୍ୟ ବେଶ୍‌ ଉଜ୍ୱଳତର ହେବା ମୁଁ ଲକ୍ଷ୍ୟ କରୁଥିଲି ବିପୁଳ ଆତ୍ମସନ୍ତୋଷ ଓ ଗର୍ବର ସହିତ । ମୋ ଆଖି ଦୁଇଟି ନରମ ଓ ସ୍ୱପ୍ନାବିଷ୍ଟ ହୋଇ ପଡ଼ୁଥିଲେ ।

 

ଅଥଚ ମୋ ପରିବେଷ୍ଟନୀ, ଦୃଶ୍ୟମାନ ପୃଥିବୀର ଜୈବିକତା ଆଗ ଭଳି ସ୍ଥାଣୁ, ଅପରିବର୍ତ୍ତନୀୟ ଜଣା ଯାଉଥିଲା । ଆଗ ଭଳି କଚେରିରେ ଲୋକଭିଡ଼ ହେଉଥିଲା, ଆଗ ଭଳି ଜେଲଖାନା ପାଚେରୀ ଉପରେ ଡେରି ହୋଇ ରକ୍ତ ସଲବଲ ହାତରେ କଂସେଇ ଜଣକ ମାଂସ ବିକୁଥିଲା, ନିର୍ଦ୍ଦିଷ୍ଟ ଋତୁରେ ପାଖ ଆମ୍ୱଗଛ ପିଠିରୁ ବଉଳ ବାସ୍ନା ବିଞ୍ଚି ହୋଇ ପଡ଼ୁଥିଲା, ସାମନା ରାସ୍ତା ଉପରେ ବହି-ଖାତା ଧରି ଝିଅ ପୁଅମାନେ ସ୍କୁଲକୁ ଯାଉଥିଲେ ।

 

ମୁଁ କିନ୍ତୁ ଆକର୍ଷଣୀୟ ଚେହେରା ଧରି ହୋଟେଲର ଅପରିଷ୍କାର ଟେବୁଲ ଉପରେ ମିଲ୍‌ ସଜାଡ଼ି ରଖୁଥିଲି । ଉଚ୍ଚ ସ୍ୱରରେ ପାଟି କରୁଥିଲି–ଦୁଇଟଙ୍କା ଷାଠିଏ, ତିନିଟଙ୍କା ପଚିଶ ଇତ୍ୟାଦି । ଗରାଖମାନଙ୍କ କ୍ରୋଧ, ପ୍ରତିଶୋଧ ନେବାର ପ୍ରତିଜ୍ଞା ଶୁଣୁଥିଲି । ରାତି ବାରଟା ବେଳକୁ ବିଛଣା ଉପରେ ଛଟପଟ ହୋଇ ଭାବୁଥିଲି–କେଉଁଠି ଗୋଟାଏ ଶୂନ୍ୟତା, ଯନ୍ତ୍ରଣା-ଦଗ୍‍ଧ ହତାଶା ମୋର ପ୍ରତ୍ୟେକ ସ୍ନାୟୁ ଭିତରେ ବିଛେଇ ହୋଇ ରହୁଛି ଏବଂ ବେଳେବେଳେ ଏକ ସଂଜ୍ଞାତୀତ ଉତ୍ତେଜନା ସମସ୍ତ ତୀବ୍ରତା ଓ ନିରବଚ୍ଛିନ୍ନତା ସହିତ ମୋତେ କଲବଲ କରୁଛି । କେବେ କିମିତି ମୁଁ ତଥାକଥିତ ବିଛଣାରୁ ଓହ୍ଲାଇ ବାହାରକୁ ଆସେ । ରାତିର ନିସ୍ତବ୍‌ଧତା ଓ ନିର୍ଜନତା ଭିତରେ ମୁଁ ଅକାରଣଟାରେ ବୁଲେ ନିଦ୍ରିତ ରାସ୍ତା ଉପରେ । ବୋଧକରେ, ଦେହ ଭିତରେ ବିସ୍ଫୋରଣ ସୃଷ୍ଟି ହେବାକୁ ଯାଉଛି । ମୋର ସମସ୍ତ ଅଙ୍ଗ-ପ୍ରତ୍ୟଙ୍ଗ ଛିନ୍‌ଛତ୍ର ହୋଇ ରାସ୍ତାର ଧୂଳିକଣା ଓ ପବନର ଗୋପନୀୟତା ଭିତରେ ଏଇ ବୋଧହୁଏ ହଜିଯିବେ ।

 

ଷ୍ଟାଡ଼ିୟମ୍‍ ଗ୍ୟାଲେରୀରେ ବସି ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବା ଆଉ ବିଶେଷ ଉପଭୋଗ ମନେ ହେଲା ନାହିଁ । ସାହି କ୍ଳବର ଖେଳାଳୀମାନଙ୍କୁ ଉତ୍ସାହିତ କରିବା, ପଡ଼ିଆ ଭିତରକୁ ଯିବା ପୂର୍ବରୁ କାହାର ଜର୍ସି କିମ୍ୱା ବୁଟ୍‌ ସଜାଡ଼ି ଦେଇ ପିଠି ଥାପୁଡ଼ା ରୋଜଗାର କରିବା ଭିତରେ କୌଣସି ଗୌରବ ଥିବା ଭଳି ମୋତେ ଜଣାପଡ଼ିଲା ନାହିଁ । ସିନେମା ହଲରେ ସିଟି ମାରିବା ଏବଂ ସମଗ୍ର ଜଗତକୁ ବେଖାତିର କରି ବେପରୁଆ ଭାବରେ ପାଟିତୁଣ୍ଡ କରିବା ମୋ’ପାଇଁ ନୂଆ ହୋଇ ରହିଲା ନାହିଁ । ବସ୍ତୁତଃ ଏଇଭଳି ଦାୟିତ୍ୱହୀନ ଭାବରେ ନିଜର କ୍ରମବର୍ଦ୍ଧମାନ ଜୀବନ-ଶକ୍ତିକୁ ପରିପ୍ରକାଶ କରି ହାଲିଆ ହୋଇ ମୁଁ ଯେତେବେଳେ ହୋଟେଲକୁ ଫେରେ, ମୋ ଭିତରେ କେହି ଜଣେ ଅଟ୍ଟହାସ୍ୟ କରି କହିଉଠେ–କେତେଦିନ ଧରି ନିଜକୁ ଏମିତି ଫାଙ୍କି ଚାଲିବୁରେ, ମୂଢ଼ ? ଏଇଭଳି ଭାବରେ କିଏ ବା ହିରୋ ବନିଯାଇଛି ଯେ, ତୁ ବନିଯିବୁ ? ମଣିଷ ଶସ୍ତା ହୋଇଯିବା ଖୁବ୍‌ ସହଜ ।

 

ଦଶ’ରା ସମୟର ମେଢ଼ ଭସାଣି ବେଳକୁ ଆମ ସାହିରେ ଯେଉଁ ଉତ୍ତ୍ୟକ୍ତ କାଣ୍ଡ ଘଟିଗଲା, ସେଥିରେ ଆରେଷ୍ଟ ହେବାର ନିଶ୍ଚିତ ସମ୍ଭାବନାରୁ ଅଳ୍ପକେ ରକ୍ଷା ପାଇଥିଲି । ଅନ୍ୟ ସାହି ସହିତ ବିଗତ କେଇ ବର୍ଷର ପୁଞ୍ଜୀଭୂତ ମନୋମାଳିନ୍ୟ ହଠାତ୍‌ ଭୟାନକ ସଙ୍ଘର୍ଷରେ ଆତ୍ମପ୍ରକାଶ କରିଥିଲା । ଢେଲା ପଥର, ସୋଡ଼ା ବୋତଲ ଫୋପଡ଼ା ଫୋପଡ଼ି ଯୋଗୁ ସୃଷ୍ଟି ହୋଇଥିଲା ଉତ୍ତେଜନା । ପୋଲିସ୍‌କୁ ଫାଙ୍କି ମୁଁ ଗୋଟାଏ ରାତି କଟେଇଥିଲି ଜେଲଖାନା ପାଖ ଆମ୍ୱଗଛ ଉପରେ ।

 

–‘‘ଜଗୁ, ପନ୍ଦର ଦିନର ତୋର ଦରମା ହେଲା ପାଞ୍ଚଟଙ୍କା । ଏଇ ନେ । ଆଉ, ଏଇକ୍ଷଣି ମୋ ଦୋକାନ ଛାଡ଼ି, ତୁ ବାହାରି ଯା ।’’ ପରଦିନ ହୋଟେଲ ମାଲିକର ନିଷ୍ପତ୍ତି ଶୁଣିଲି ।

 

–‘‘କାହିଁକି ? କ’ଣ ହେଲା ?’’ ମୁଁ ପଚାରିଲି, କୃତ୍ରିମ ବିସ୍ମୟର ସହିତ ।

 

–‘‘ସେ କଥା ତୁ ଭଲକରି ଜାଣିଛୁ । ବଦନାମ ମୁଁ ଜମା ବରଦାସ୍ତ କରିପାରିବି ନାହିଁ । ତୋତେ କିଏ କହିଲା ବେ, ଢେଲା-ପଥର ଫୋପାଡ଼ିବାକୁ ? ଶଳା, ଏଇଥିପାଇଁ ଏଟାକୁ ମୁଁ ପୋଷୁଛି ?’’ ବହୁଦିନ ପରେ ବିସ୍ମୃତ ହୋଇ ଯାଇଥିବା ଭାଷା ଶୁଣିଲି । ଦେଖିଲି ତା’ ହାତରେ ପାଞ୍ଚଟଙ୍କିଆ ନୋଟ୍‌ଟିଏ ।

 

–‘‘ମୋର ଭୁଲ ହୋଇଛି । ଏଥରକ ଛାଡ଼ି ଦିଅନ୍ତୁ । ଆଉ ଏମିତି ହେବ ନାହିଁ । କିନ୍ତୁ ସେ ସାହିର ପିଲାମାନେ ଆଗ ଟେକା-ପଥର ଫୋପାଡ଼ିଥିଲେ ।’’ ନମ୍ରତାର ସହିତ କହିଲି ।

 

ଡ୍ରୟାର ଭିତରେ ନୋଟଟିକୁ ରଖି ସେ ମୁହଁ ବୁଲେଇଲା । ସେ ଦିନ ରାତିରେ ବିଛଣାରେ ପଡ଼ି ରହି ମୁଁ ଚିନ୍ତା କରୁଥିଲି ନିଜର ଚୂଡ଼ାନ୍ତ ମୁକ୍ତି ଓ ଆତ୍ମ ମର୍ଯ୍ୟାଦା ସମ୍ପର୍କରେ । ଗୋଟାଏ ରୁଦ୍ଧ ପରିବେଶ ଭିତରେ ମୁଁ ଯେମିତି ଚାପି ହୋଇ ଯାଉଛି ଓ ଜୀବନ ବିକଳାଙ୍ଗ ହୋଇ ପଡ଼ୁଛି । ପରିବେଶ ତ ରହିଛି ଆଗଭଳି । ସବୁ ଜିନିଷ ଘଟିଯାଉଛି ଗତାନୁଗତିକ ଭାବରେ । ଅଥଚ ସବୁକଥା ପ୍ରତି ମୋର ପ୍ରତିକ୍ରିୟା ଓ ଦୃଷ୍ଟିଭଙ୍ଗୀ ଏମିତି ଓଲଟ ପାଲଟ ହୋଇଯାଇ ମନରେ ଆଶଙ୍କା ଓ ଅନିଶ୍ଚିତତା ଭରିଯାଉଛି କାହିଁକି ?

 

ମନ ଭିତରର ଶିହରଣ ଓ ଦେହର ଶକ୍ତି କିଛି ଗୋଟାଏ ଉପଯୁକ୍ତ ବୃତ୍ତି ଓ ଉଚିତ୍‌ କାର୍ଯ୍ୟକ୍ରମ ଭିତରେ ସାମିଲଯ ହେବାକୁ ଚାହେଁ । ମୁଁ ଏମିତି ଏକ ଜୀବନ ଖୋଜୁଛି, ଯାହା ମୋର ଦକ୍ଷତା ଓ ତତ୍ପରତାକୁ ଆହରଣ କରି ମୋତେ ଗୌରବବାନ କରି ଦିଅନ୍ତା; ମୁଁ ନିଜର ସ୍ଥିତି ସମ୍ପର୍କରେ ଯଥାର୍ଥତା ଖୋଜି ପାଆନ୍ତି ।

 

ସେ’ଦିନ ରାତିରେ ପ୍ରଥମଥର ପାଇଁ ସଚେତନ ହେଲି ଯେ, ସମୟ ଗଡ଼ି ଯାଉଛି । ନିଜକୁ ମଣିଷ ଭାବରେ ଗଢ଼ିବା ପାଇଁ ମୁଁ ଏ ଯାଏ ଆନ୍ତରିକ ଚେଷ୍ଟା କରିନାହିଁ । ଯେଉଁ ସୁଚିନ୍ତିତ ସବଧାନତା ଓ ଦାୟିତ୍ୱବୋଧ ଲୋଡ଼ା, ତାହାକୁ ମୁଁ ଠକି ଆସିଛି ଏ ଯାବତ୍‌ । ଏଠାରେ ଚାକିରି କରିବା ଆଗରୁ ଦ୍ୱାର ଦ୍ୱାର ବୁଲି ଖାଦ୍ୟ ସଂଗ୍ରହ କରିବା ଅବସ୍ଥା ଓ ବର୍ତ୍ତମାନ ଶଙ୍କାଗ୍ରସ୍ତ ନିଃସହାୟ ଅବସ୍ଥା ଭିତରେ କୌଣସି ଗୁଣାତ୍ମକ ପରିବର୍ତ୍ତନ ମୁଁ ଦେଖିପାରିଲି ନାହିଁ । ଗୋଟାଏ ଚିରନ୍ତନ ଜେଲଖାନା ଭିତରେ ମୁଁ ଯେମିତି ଏକ ଅସନ୍ତୁଷ୍ଟ କଇଦୀ ।

 

ଅଥଚ କ’ଣ କରାଯାଇପାରେ ? ପାନ ଦୋକାନ ଖୋଲିବା ? ରିକ୍‌ସା ଚଳେଇବା ? ନାଲି କାମିଜ ପିନ୍ଧି ଷ୍ଟେସନରେ କୁଲି ହେବା ? ମୁଁ ଆହୁରି ସନ୍ଦିହାନ ହୋଇପଡ଼ିଲି । ଦର୍ପଣରେ ଦେଖିଥିବ ନିଜର ଆକର୍ଷଣୀୟ ମୁହଁ ସ୍ୱପ୍ନାଚ୍ଛନ୍ନ ଆଖି, ଗୋରା, ବଳିଷ୍ଠ ଦେହ କଥା ମନେପଡ଼ିବା କ୍ଷଣି ଏକ ନିରୁପାୟ କାରୁଣ୍ୟରେ ମୋର ମେରୁଦଣ୍ଡ ଓ ପଞ୍ଜରା ହାଡ଼ ଠକ୍‌ ଠକ୍‌ ହୋଇ କମ୍ପି ଉଠିଲା ।

 

ମୁଁ ବିଛଣା ଛାଡ଼ି ବାହାରକୁ ଆସିଲି । ଚାହିଁଲି ଚାରିଆଡ଼କୁ ଏବଂ ଗଳି ଭିତରେ ଆଗେଇ ଚାଲିଲି । ନୁଆଁଣିଆ ଚାଳ ଘରର ପଛ ପଟ ଅଣଓସାରିଆ ପିଣ୍ଡା ଉପରକୁ ଉଠି ଦରଜାରେ ନିର୍ଦ୍ଦିଷ୍ଟ ଢଙ୍ଗରେ କରାଘାତ କଲି । ଭିତର ପଟୁ, କିଛି ସମୟ ପରେ, ଠିକ୍‌ ସେଇଭଳି ଶବ୍ଦ ଶୁଣାଗଲା । ମୁଁ ପୁଣି ଥରେ କରାଘାତ କରି ନିଜର ଉପସ୍ଥିତି ସମ୍ପର୍କରେ ନିଶ୍ଚିତ କରାଇଲି । ଆସ୍ତେ ଦରଜା ଖୋଲିବା ପରେ ପଚାରିଲି–‘‘କେତେ ବେଳୁ ?’’ ଅର୍ଥାତ୍‌ କେତେବେଳୁ ରୂପାର ବାପା ରିକ୍‌ସା ନେଇ ଗଲାଣି ।

 

–‘‘ଅନେକ ବେଳୁ ଆସ ।’’

 

ରୂପା ସହିତ ଭିରତକୁ ଗଲି । ଅଗଣାରେ ଗଛ ଛାଇର ଆକାରହୀନ ପ୍ୟାଚ୍‌ ସହିତ, ଷ୍ଟ୍ରିଟ୍‌ଲ୍ୟାମ୍ପର ଝାପ୍‌ସା ଆଲୁଅ ପଡ଼ିଛି । ଅପରିଷ୍କାର ସ୍ଥାନଟି ଦେଖାଯାଉଛି ଭୟାନକ, ବିପଦସଙ୍କୁଳ, ରିସ୍କି । ଭିତରପଟ ଅଗଣାକୁ ଲାଗି ପିଣ୍ଡା ଉପରେ ଥିବା ପ୍ରଶସ୍ତ ଟେବୁଲଟି ଛାତି ବିସ୍ତାର କରି ଅଚେତନ ଅବସ୍ଥାରେ ପଡ଼ି ରହିଛି । ତା’ ଉପରେ ରୂପା ଇସ୍ତ୍ରୀ କରେ ପୋଷାକ-ପତ୍ରକୁ । ବର୍ଷେ ହେଲା ସ୍ୱାମୀ ସହିତ ଝଗଡ଼ା କରି ସେ ପୁଣି ଥରେ ଫେରି ଆସିଛି ବାପା ପାଖକୁ । ରାତିରେ ସେ ରିକ୍‌ସା ଟାଣେ, ମଦ ପିଏ । ଦିନବେଳେ ମନ ହେଲେ ରୂପାକୁ ସାହାଯ୍ୟ କରେ ଲୁଗାପଟା ସଫା କରିବାରେ । ରୂପା ଲୁଗାପଟା ସଫା କରେ, ଅଳ୍ପ କେତେଜଣଙ୍କ ପାଖରେ ଦେହ ବିକେ ।

 

ସେ ଅନ୍ୟ କୌଣସି କଥା ନକହି ଟେବୁଲ ପାଖକୁ ଯାଉଥିଲା । ମୁଁ ତା’ର ହାତ ଧରି କହିଲି–‘‘ମୁଁ ଆଜି ସେଥିପାଇଁ ଆସି ନାହିଁ ।’’ ମୋର ସ୍ୱର ଥିଲା ଗମ୍ଭୀର ଓ ଆବେଗମୟ ।

 

–‘‘ତେବେ ?’’ ରୂପା ଆଶ୍ଚର୍ଯ୍ୟ ହେଲା ।

 

–‘‘ଗୋଟିଏ କଥା କହିବି । ମାନିବୁ ?’’ ଝାପ୍‌ସା ଆଲୁଅରେ ରୂପାର ବିଚଳିତ ମୁହଁ ମୋତେ ପ୍ରଥମ ଥର ପାଇଁ ଏତେ ଆପଣାର ଜଣାପଡ଼ିଲା ଯେ, ମୁହୂର୍ତ୍ତକ ଭିତରେ ସଂସାରର ସମସ୍ତ ତିକ୍ତତା ଓ ବ୍ୟବଧାନ ସହସା ହଜିଗଲେ ଏକ ଅପୂର୍ବ ଆତ୍ମୀୟତା ଭିତରେ । ବୋଧ କଲି, ମୋ ସ୍ଥିତିର ତାତ୍ପର୍ଯ୍ୟ ଅନ୍ତତଃ ରୂପା ପାଇଁ ଗୁରୁତ୍ୱପୂର୍ଣ୍ଣ । ସମ୍ଭାବିତ ପ୍ରାପ୍ତିର ଆନନ୍ଦରେ ମୋର ହୃଦୟ ଓ ଦେହ ଆକୁଳିତ ହୋଇ ଉଠିଲା । ଭାବିଲି, ଏଇଭଳି ଗୋଟାଏ ମୁହୂର୍ତ୍ତକୁ ଏପର୍ଯ୍ୟନ୍ତ କେଡ଼େ ବ୍ୟାକୁଳତାର ସହିତ ଖୋଜୁ ନଥିଲି ସତେ ?

 

ରୂପାର ଦୁଇ ହାତ ଧରି କହିଲି–‘‘ରୂପା, ମୋତେ ଖୁବ୍‌ ଏକୁଟିଆ ଲାଗୁଛି, ରୂପା ।’’ କାହିଁକି କେଜାଣି ମୋର କଣ୍ଠସ୍ୱର ବାଷ୍ପାକୁଳ ହୋଇପଡ଼ିଲା । ଗୋଟାଏ ଶିଶୁର ଅଝଟପଣ ନିୟନ୍ତ୍ରଣ କଲା ମୋର ଭାଷା ଓ ଆଚରଣକୁ । ‘‘ଭାରି ଏକୁଟିଆ ଲାଗୁଛି । କହ, ମୋ ସାଙ୍ଗରେ ତୁ ପଳାଇଯାଇ ପାରିବୁ ।’’

 

–‘‘କୁଆଡ଼େ ?’’ ବିସ୍ମୟର ସହିତ ରୂପା ପଚାରିଲା । ତଥାପି ତା’ ସ୍ୱରରେ ଥିଲା ସମ୍ୱେଦନଶୀଳ ଆତ୍ମସମର୍ପଣ ଭାବ । ସେ ହୁଏତ ବୁଝି ପାରିଥିଲା ଏଭଳି ଅଭାବିତ ପ୍ରସ୍ତାବ ମୂଳରେ ଥିବା ମୋର ଅସ୍ଥିରତା ଓ ଯନ୍ତ୍ରଣାକୁ ।

 

–‘ସେ କଥା ମୁଁ ଭାବି ନାହିଁ । ଦୁହେଁଯାକ କାମ କରିବା, ଖାଇବା । ମୋତେ ହୋଟେଲ କାମ ଆଉ ଭଲ ଲାଗୁନାହିଁ । ଏମିତି ଏକୁଟିଆ ରହିବା ପାଇଁ ତୋତେ ଭଲ ଲାଗେ ?’’

 

ରୂପା ମୁହଁ ବୁଲେଇ ନେଲା ଏବଂ ଦୀର୍ଘଶ୍ୱାସ ତ୍ୟାଗ କଲା । ପରକ୍ଷଣରେ ଆମେ ଦୁହେଁ ନିବିଡ଼ ଭାବେ ପରସ୍ପରକୁ ଆଲିଙ୍ଗନ କଲୁ । ମୁଁ ବୋଧ କରୁଥିଲି, ରୂପା ନୁହେଁ, ମୁଁ ଆଲିଙ୍ଗନ କରିଚି ଆତ୍ମବିଶ୍ୱାସ, ଆତ୍ମୀୟତା ଓ ଆତ୍ମମର୍ଯ୍ୟାଦାକୁ । ଜୀବନର ସମସ୍ୟା ତୁଚ୍ଛ ଓ ଗୁରୁତ୍ୱହୀନ ଜଣାପଡ଼ିଲା-

 

ରୂପା ଗାଲରୁ ଝରି ଆସିଥିବା ଲୁହ ପୋଛି ପଚାରିଲି–‘‘ତୁ ତେବେ ରାଜି ?’’ ସେ ମୁହୂର୍ତ୍ତକ ପାଇଁ ମୋ ମୁହଁକୁ ଚାହିଁ ଅନ୍ୟଆଡ଼େ ଚାହିଁଲା ଏବଂ ଦୁଇ ପାପୁଲିରେ ମୁହଁ ଘୋଡ଼ାଇ କୋହ ସମ୍ୱରଣ କରିବା ପାଇଁ ଚେଷ୍ଟା କଲା । ତା’ ପିଠି ଥାପୁଡ଼ାଇ ମୁଁ ବାହାରକୁ ବାହାରି ଆସିଲି ।

 

ପ୍ରଚଣ୍ଡ ଅସ୍ଥିରତା ଓ ଆନନ୍ଦରେ ମୁଁ ବିହ୍ୱଳିତ ହୋଇପଡ଼ିଲି । ମୋ ସାମନାରେ ଭବିଷ୍ୟତର ଯୋଜନା ବିଭିନ୍ନ ଭାବରେ ଗଢ଼ିଉଠି ମିଳେଇ ଯାଉଥାଏ । ସ୍ତବ୍‌ଧ ସହର ମୋ’ପାଇଁ ଶ୍ରଦ୍ଧା ଓ ସ୍ନେହର ପାତ୍ର ହୋଇ ପଡ଼ିଲା । ଦେଖିଲି, ଦନେଇ ସାହୁର ଦେଶୀ ମଦ ଦୋକାନ ସେ ପର୍ଯ୍ୟନ୍ତ ଖୋଲା ଅଛି । ନୂତନ ଜୀବନର ପ୍ରଥମ ରାତିଟିକୁ ଅନ୍ତରଙ୍ଗ ଭାବରେ ପାଳନ କରିବା ପାଇଁ ମୁଁ ସେଇଆଡ଼କୁ ଆଗେଇଲି ।

 

ଗଣ୍ଟାକ ପରେ, ହୋଟେଲ ପାଖରେ ପହଞ୍ଚି ଦେଖିଲି, ଭିତରୁ କବାଟ ବନ୍ଦ ଅଛି । ଥରେ, ଦୁଇଥର ତା’ ଉପରେ ମୃଦୁ ଆଘାତ କରିବା ପରେ ବି ତାହା ନ ଖୋଲିବାରୁ ମୁଁ ବସିପଡ଼ିଲି ତଳେ । ଅଣଓସାରିଆ ଧୂଳିଧୂସରିତ ସିମେଣ୍ଟ ବାରଣ୍ଡାରେ ଶୋଇବାକୁ ଚେଷ୍ଟା କଲି । ଏଥର ଆଉ ଚିନ୍ତା କ’ଣ ?

 

ଏ ଘଟଣାର ପରଦିନ ପାଖ ମନ୍ଦିର ବାହାରୁ ହଳେ ଜୋତା ଚୋରୀ କଲି ଏବଂ ଘଣ୍ଟାକ ପରେ ସ୍ୱୀକାର କରିବାକୁ ବାଧ୍ୟ ହେଲି ଯେ, ଜଣେ ମାମୁଲି ଚୋର ହେବା ମଧ୍ୟ ମୋ ପକ୍ଷରେ ବୋଧହୁଏ ସମ୍ଭବ ନୁହେଁ । ଜୋତା ହଳକ ସେମିତିକିଛି ଆକର୍ଷଣୀୟ ନ ଥିଲା; ତାହା ମୋ ପାଦକୁ ଠିକ୍‌ ହୋଇ ନ ଥାନ୍ତା । ଚୋରୀ କଲି ପ୍ରାରମ୍ଭିକ ତାଲିମ ପାଇଁ । କିନ୍ତୁ ପରେ ପରେ ଭୟ ଓ ଆତ୍ମତିରସ୍କାର ମୋତେ ଏମିତି ଦଂଶନ କଲା ଯେ, ଦଦରା ଜୋତା ହଳକୁ କ୍ରୋଧରେ ଫୋପାଡ଼ି ଦେଲି ଗୋଟିଏ ଦଳୁଆ ପୋଖରୀ ଭିତରକୁ । ଧରା ପଡ଼ିଯିବାର ଭୟ ସେ’ଦିନ ରାତିସାରା ମୋତେ ବିଚଳିତ କଲା । ଅବସ୍ଥା ଏମିତି ହେଲା ଯେ ପରଦିନ ପାଖ ପାନ ଦୋକାନୀକୁ ଗୁପ୍ତ କଥା ଶୁଣେଇଲା ଭଳି ପଚାରିଲି–‘‘ମନେକର କେହିଜଣେ ହଳେ ଜୋତା ଚୋରୀ କରିବା ପରେ ଧରା ପଡ଼ିଗଲା । ତାକୁ କ’ଣ ଜେଲଦଣ୍ଡ ମିଳିବ ?’’

 

କଥାଟା ପଚାରିସାରିବା ପରେ ମୁଁ ବିଚରା ଦୋକାନୀଟିକୁ ମାଡ଼ ଦେବା ପାଇଁ ଯାଉଥିଲି; କିନ୍ତୁ ଓଲଟା ପଚାରିଲା–‘‘କେଉଁଥିପାଇଁ ଜେଲ ଦଣ୍ଡ ?’’

 

ମୋ ଦୃଷ୍ଟିରେ ଚୋରୀ ଏକ ସାମାଜିକ ଅପରାଧ ନୁହେଁ, ଏହା ଏକ ବ୍ୟକ୍ତିଗତ ପ୍ରତିବାଦ-। ଏହା ମଧ୍ୟରେ ଚୋର ଜଣକ ନିଜର ବିଚାରବୋଧ ପରିପ୍ରକାଶ କଲେ ଏବଂ ଏଇ ବିଚାରବୋଧ ପ୍ରତିଷ୍ଠିତ ସାମାଜିକ ବ୍ୟବସ୍ଥାର ସଂକୀର୍ଣ୍ଣତାର ଗଣ୍ଡି ଅତିକ୍ରମ କରି ଏକ ବୃହତ୍ତର ଓ ମାନବିକ ଚେତାବନୀରେ ପରିଣତ ହୁଏ । ମୁଁ ସବୁବେଳେ ଭାବିବା ଉଚିତ ଯେ, ଚୋରୀକରି ମୁଁ ନିଜ ପାଇଁ ନ୍ୟାୟ ଛଡ଼ାଇ ଆଣୁଛି । ଏଇ ସମସ୍ତ କଥା କହି ମୁଁ ମୋର ଦୁର୍ବଳ ମନକୁ ଦୃଢ଼ କରୁଥିଲି ଓ ପରବର୍ତ୍ତୀ ଚୋରୀ ପାଇଁ ମାନସିକ ଶକ୍ତି ସଂଗ୍ରହ କରୁଥିଲି ।

 

ପ୍ରତ୍ୟେକ ରାତିରେ ରୂପାକୁ ସାକ୍ଷାତ କରିବା ମୋ’ପାଇଁ ଆବଶ୍ୟକ ଥିଲା । ଆପାତତଃ ସେ ମୋତେ ଉଦ୍ୱିଗ୍ନତାର ସହିତ ଅପେକ୍ଷା କରୁଥିଲା ଓ ମୋ କଥାକୁ ଶୁଣୁଥିଲା ଯଥେଷ୍ଟ ଆଗ୍ରହର ସହିତ । ତାକୁ ଉପହାର ଦେଇଥିବା ବ୍ଲାଉଜଟି ମୋ ଆଖିକୁ ଦିଶେ ଆକର୍ଷଣୀୟ । ଏହା ଭବିଷ୍ୟତର ଆହୁରି ଅନେକ ଆକର୍ଷଣୀୟ ଦରବର ପ୍ରାପ୍ତି ସମ୍ପର୍କରେ ପ୍ରତିଶ୍ରୁତି ଦିଏ ।

 

କେବେ କିପରି ମୋ ମୁଣ୍ଡର କେଶ ଭିତରେ ଆଙ୍ଗୁଳି ସଞ୍ଚାଳନ କରି କିମ୍ୱା ସ୍ପନ୍ଦିତ ଛାତିରେ ମୋର ମୁହଁକୁ ଚାପି ଧରି ସେ କହେ–‘‘ତୁମେ ଯଦି କହିବ, ତେବେ ଏଇକ୍ଷଣି ତୁମ ସହିତ ଏ ଘର ଛାଡ଼ି ପଳେଇଯିବାକୁ ତିଆର । ତୁମେ କିନ୍ତୁ ଚିନ୍ତିତ ହୁଅନାହିଁ । ତୁମ ମୁହଁ ମଳିନ ଦେଖାଯାଏ ।’’

 

ମୋର ଉତ୍‌କ୍ଷିପ୍ତ, ଦିଗଭ୍ରଷ୍ଟ ଜୀବନ ଉପରକୁ ଓହ୍ଲାଇ ଆସୁଥିଲା ଏକ ପ୍ରଶାନ୍ତ ସ୍ନିଗ୍‌ଧତା-। ଯା ପୂର୍ବରୁ କ୍ରୋଧ ଓ ଦାୟିତ୍ୱହୀନତା ଯୋଗୁଁ ମୁଁ ମୋର ସମ୍ପର୍କହୀନ, ଭିତ୍ତିହୀନ ଜୀବନକୁ ଅନୁଭବ କରୁଥିଲି କେତେକ ବିକ୍ଷିପ୍ତ ଭଗ୍ନାଂଶ ଭାବରେ । ଏବେ ସୀମିତ ହେଉ ପଛେ, ଏକ ପରିପୂର୍ଣ୍ଣତା ଓ ସ୍ଥାୟିତ୍ୱର ବିହ୍ୱଳ ଭାବ ମୋ ଭିତରେ ଭରି ଦେଉଥିଲା ଆତ୍ମପ୍ରତ୍ୟୟ ଓ ଆତ୍ମ-ସଚେତନତା । ଠିକ୍‌ କଲି, କୌଣସିମତେ କିଛି ଟଙ୍କା ଯୋଗାଡ଼ କରି ପାରିଲେ ମୁଁ ଜୀବନକୁ ଆହୁରି ଗଭୀର ଭାବେ ଅନୁଭବ କରିବାକୁ ସକ୍ଷମ ହେବି !

 

ଏଇ କଥା ମନରେ ସୃଷ୍ଟି କରେ ଦୁନିର୍ବାର ହତାଶା ଓ ଅପମାନ । ତା’ପରେ ଜଣାଯାଏ, ହାତ-ଗୋଡ଼ ଆଉ ଚଳୁନାହିଁ, ମୁଁ ଅଥର୍ବ ହୋଇ ଯାଉଛି, ଜେଲଖାନାର ଶକ୍ତ ରେଲିଂ ପଛଆଡ଼େ । ଏ ସଂସାରରେ ମୁଁ ଏକମାତ୍ର କଇଦୀ, ନା ସବୁଲୋକ କଇଦୀ ? ସମସ୍ତଙ୍କ ଚାରିପଟେ କ’ଣ ଏଇମିତି ଅଲଙ୍ଘନୀୟ ପାଚେରୀ ଘେରି ରହିଛି, ଯାହା ଭୁଷୁଡ଼ି ଯାଏନାହିଁ କାତର ପ୍ରାର୍ଥନା ଓ ନ୍ୟାୟସଙ୍ଗତ ଇଚ୍ଛାର ହାତୁଡ଼ି ମାଡ଼ରେ ? ଏ ସଂସାରଟା କ’ଣ ତେବେ ? କାହିଁକି ଏଠାରେ ଫୁଲ ଫୁଟେ; ମଣିଷମାନେ ହସନ୍ତି, ଆକାଶ ଛାତିରେ ଇନ୍ଦ୍ରଧନୁ ଝୁଲି ରହେ, ମନ୍ଦିରର ଘଣ୍ଟାଧ୍ୱନି ସମ୍ଭାବନା ସୃଷ୍ଟି କରେ ?

 

ଅବସ୍ଥା ଏଇଭଳି ଥିବାବେଳେ ହୋଟେଲ ମାଲିକ ମୋତେ ବରଖାସ୍ତ କଲା । ତା’ର ଅଭିଯୋଗ ହେଲା ଯେ ମୁଁ ବେଳେବେଳେ ମଦ ପିଏ, ଗୋଟିଏ ଦୋଚାରୁଣୀ ପାଖକୁ ବାରମ୍ୱାର ଯାଏ । ଅନ୍ୟମନସ୍କ ରହୁଛି । ହିସାବ କରିବାରେ ଭୁଲ କରୁଛି ।

 

ମୋତେ ଏକଥା ଆଦୌ ବାଧିଲା ନାହିଁ; କାରଣ ଖୁବ୍‌ ନିକଟରେ ଚୋରୀ କରି ରୂପା ସହିତ ପଳେଇଯିବାର ଯୋଜନାଟି ମନ ମଧ୍ୟରେ ବାସ୍ତବତାର କଠିନତା ଗ୍ରହଣ କରିଥିଲା । ପ୍ରଥମ ରାତିଟି ଧର୍ମଶାଳା ବାରଣ୍ଡାରେ କଟାଇବା ପରେ, ଦ୍ୱିତୀୟ ଦିନ ଅନ୍ୟ ଏକ ହୋଟେଲରେ କାମ ପାଇଗଲି । ତିନିଦିନ ପରେ ଏ ଚାକିରି ଛାଡ଼ି ମୁଁ ଷ୍ଟେସନ୍‌ ବସ୍‌ଷ୍ଟାଣ୍ଡ ଇତ୍ୟାଦିରେ ସମୟ କଟାଇଲି-। ମୋର ଉଦ୍ଦେଶ୍ୟ ଥିଲା, ଚୋରୀ–ଦରକାର ହେଲେ ଖୁନ୍‌–କରିବା ପୂର୍ବରୁ କୌଣସି କାମରେ ଜଡ଼ିତ ନହେବା ଉଚିତ୍‌ । ଭବିଷ୍ୟତରେ ତାହା ମୋ କାମରେ ଅନ୍ତରାୟ ସୃଷ୍ଟି କରିପାରେ-

 

ଦୁଇଦିନ ପର୍ଯ୍ୟନ୍ତ ମୁଁ ଚିନ୍ତା କଲି, କାହା ପାଖରୁ ଟଙ୍କା ଚୋରୀ କରିବା ମୋ ପକ୍ଷେ ସହଜ ହେବ । ସହରର ବିଶିଷ୍ଟ ବ୍ୟବସାୟୀ ଡାକ୍ତର, ଓକିଲଙ୍କ ସୁଦୃଶ୍ୟ ପ୍ରାସାଦ କଥା ମନେ ପକାଇ, ମୁଁ ପ୍ରଲୁବ୍‌ଧ ହେବା ସଙ୍ଗେ ସଙ୍ଗେ ସେମାନଙ୍କର ପ୍ରତିରକ୍ଷା ବ୍ୟବସ୍ଥା, ଡାହାଳ କୁକୁର, ଦରଓ୍ୟାନ କଥା ଭାବି ନିରୁତ୍ସାହିତ ହେଲି । ଶେଷରେ ଠିକ୍‌ କଲି ଯେ, ରାତି ବାରଟା, ଗୋଟାଏ ବେଳକୁ ଦୋକାନ ବନ୍ଦ କରି ଦେଶୀ ମଦ ବିକ୍ରେତା ଦନେଇ ସାହୁ ଅନ୍ଧକାର ଗଳି ଦେଇ ଘରକୁ ଫେରିବାବେଳେ ମୁଁ ମୋର ଉଦ୍ଦେଶ୍ୟ ସାଧନ କରିବି । ମୋର ଶାରୀରିକ କ୍ଷମତା ଦନେଇ ସାହୁଠାରୁ ବହୁତ ବେଶି । ଖାଲି ସେତିକି ନୁହେଁ । ପ୍ରାୟ ପ୍ରତିଦିନ ପ୍ରଚୁର ଟଙ୍କା ପକେଟସ୍ଥ କରି ସେ ଫେରେ, ପାଣିମିଶା ମଦ ଓ ନିଜର ବ୍ୟବସାୟିକ ଧୂର୍ତ୍ତତାକୁ ଅଭିନନ୍ଦନ ଜଣାଇ । ରୂପାକୁ ସତର୍କ କରି ଦେଇଥିଲି ଯେ, ସେ ସର୍ବଦା ପ୍ରସ୍ତୁତ ହୋଇଥିବ, ଯେକୌଣସି ମୁହୂର୍ତ୍ତରେ ମୋ ସଙ୍ଗେ ଏ ସହର ଛାଡ଼ି ଅନ୍ୟ କେଉଁଆଡ଼େ ଯିବା ପାଇଁ ।

 

ରାତି ବାରଟାରୁ ହାତରେ ଗୋଟାଏ ଦୀର୍ଘ ଛୁରି ଓ ଓଜନିଆ କାଠ ଖଣ୍ଡିଏ ଧରି ମୁଁ ଅପେକ୍ଷା କରୁଥିଲି ଦନେଇ ସାହୁକୁ । ସେ ପହଞ୍ଚିବା କ୍ଷଣି ସନ୍ତର୍ପଣରେ, ତା’ ମୁଣ୍ଡରେ ଶକ୍ତ ଆଘାତ କରିବି ଓ ତା’ର ସଂଜ୍ଞାହୀନ ଦେହକୁ ଘୋଡ଼ାଇଥିବା ପୋଷାକରୁ ଟଙ୍କାଗୁଡ଼ିକୁ ମୁକ୍ତ କରି ସହର ଛାଡ଼ିବି । ଜରୁରୀ ପରିସ୍ଥିତି ପଡ଼ିଲେ ଛୁରିର ସଦ୍‌ବ୍ୟବହାର କରାଯିବ । ସ୍ଥାନଟି ଥିଲା ନିର୍ଜନ । ଗାଁ ପାଖରେ ଥିବା ଗୋଟାଏ ଦଳୁଆ ପୋଖରୀ ମୋତେ ଉତ୍ସାହିତ କରୁଥିଲା । ଦରକାର ପଡ଼ିଲେ ଦନେଇ ସାହୁର ମୃତ ଦେହଟିକୁ ତା’ ଭିତରକୁ ଫୋପାଡ଼ି ଦିଆଯାଇ ପାରେ ।

 

ମନର ଉଦବେଗ ଓ ଅସ୍ଥିରତା ତୀବ୍ର ହୋଇ ପଡ଼ୁଥିଲା । ଚିତ୍କାର କରି, ଜଣକୁ ଖୁନ୍‌ କରିବା ପାଇଁ ଅପେକ୍ଷା କରିଛି ବୋଲି ଘୋଷଣା କରିବାକୁ ମନ ହେଉଥିଲା । ସହରର ସମସ୍ତ ଗଳିକନ୍ଦି ଭିତରେ ଅଣନିଃଶ୍ୱାସୀ ହୋଇ ଧାଇଁ ମୁଁ ନିଜର ସ୍ଥିତିକୁ ହଜାଇ ଦେବାପାଇଁ ଭାବୁଥିଲି । ସମୟ କଟୁ ନଥିଲା । ଏଇଭଳି ମାନସିକ ଅବସ୍ଥା ସାମନାରେ ମୋ ମନର ସଂକଳ୍ପ ଏକ ପରୀକ୍ଷାର ସମ୍ମୁଖୀନ ହୋଇଥିଲା ।

 

ୟା’ପରେ ଦନେଇ ସାହୁକୁ ଏକୁଟିଆ ଆସୁଥିବାର ଦେଖି, ସବୁ ଜିନିଷ ଫୋପାଡ଼ି ଦେଇ ତାକୁ ମାରି ଦେବାକୁ ଠିଆ ହୋଇଛି ବୋଲି ସ୍ୱୀକାର କରିବା ପାଇଁ ମନ ହେଉଥିଲା; କିନ୍ତୁ ସେ ମୋତେ ନ ଦେଖି ଆଗେଇ ଯାଉଥିବା ବେଳେ, କାଠ ଖଣ୍ଡିକ ସାହାଯ୍ୟରେ ମୁଁ ତା’ର ମୁଣ୍ଡକୁ ଆଘାତ କଲି । ଆଶ୍ଚର୍ଯ୍ୟ କଥା, କୌଣସି ପାଟିତୁଣ୍ଡ ନକରି, ତା’ ଦେହଟା ତଳକୁ ଖସି ପଡ଼ୁଥିଲା; କିନ୍ତୁ ପୂର୍ବ ନିର୍ଦ୍ଧାରିତମତେ, ମୁଁ ତାକୁ ଘୋଷାରି ନେଲି ଝଙ୍କାଳିଆ ଗଛ ମୂଳକୁ ।

 

ମୋର ସମସ୍ତ ସ୍ନାୟୁ ଓ ଚାଲାକି ସତେଜ ତଥା ବ୍ୟଗ୍ର ହୋଇପଡ଼ିଥିଲେ ମଧ୍ୟ, ମୁଁ ଭାବୁଥିଲି ଯେ, ସହରର ସମସ୍ତ ମଣିଷ ଓ ପୋଲିସ ମୋ ଚାରିପାଖରେ ଘେରି ରହିଛନ୍ତି । ଅବସ୍ଥା ଏମିତି ହେଲା ଯେ, ମୁଁ ସେଠାରୁ ଉଠି ପଳେଇ ଯାଉଥିଲି, କିନ୍ତୁ ଚାରିଆଡ଼କୁ ଚାହିଁ ନିର୍ଜୀବ ଗଦାଟିଏ ଭଳି ପଡ଼ି ରହିଥିବା ସେହି ଶରୀର ପାଖରେ ବସିଲି । ଏ ସବୁ କ’ଣ ? ଝାଳ ? ଶୁଙ୍ଘିଲି । ନା’ ସଦ୍ୟ ରକ୍ତର ଗନ୍ଧ । ଦନେଇ ସାହୁର ପୋଷାକ ଉପରେ ଦୁଇ ହାତ ଭଲ କରି ଘଷି, ମୁଁ ଆବିଷ୍କାର କରୁଥିଲି ଟଙ୍କା ।

 

ସର୍ବମୋଟ କୋଡ଼ିଏ-ପଚିଶିଟି ଟଙ୍କା ହାତରେ ଧରି ମୁଁ ଠିଆ ହେଲି । ଭାବିଲି, ମୁଁ ପ୍ରତାରିତ ହୋଇଯାଇଛି । ପରାଜୟ ଓ ଅସହାୟ ଭାବ ମୋର ସମଗ୍ର ସତ୍ତାକୁ ଗ୍ରାସ କରି ପକାଇଲା ଏବଂ ମୁଁ ଭାବିଲି, ପୋଲିସ ପାଖରେ ଆତ୍ମସମର୍ପଣ କରିଦେବି । ମୋତେ ବିଦ୍ରୂପ କରୁଥିବା ଚେତନାହୀନ ଦେହଟିକୁ ଚାହିଁ ମୁଁ ଭୟଭୀତ ହେଲି । ଭାବିଲି, ଲୋକଟା ମରିଗଲା ବୋଧହୁଏ, ଅଥଚ ମୋର ରକ୍ତାକ୍ତ ହାତ ମୁଠାରେ ମାତ୍ର ଅଳ୍ପ କେଇଟା ଟଙ୍କା ।

 

ରୂପା ପାଖକୁ ଗଲାବେଳେ, ଜଣାପଡ଼ିଲା ମୋତେ ଲକ୍ଷ ଲକ୍ଷ ଲୋକ ଘେରାଉ କରି ସାରିଛନ୍ତି । ପ୍ରକୃତରେ ଦୁଇ-ତିନିଜଣ ଲୋକଙ୍କୁ ସେଇ ବାଟରେ କଥାବାର୍ତ୍ତା କରୁଥିବାର ଦେଖି ମୁଁ ଦିଗ ପରିବର୍ତ୍ତନ କଲି । ଦୀର୍ଘ ବାଟ ଅତିକ୍ରମ କରି ରେଳଷ୍ଟେସନରେ ବହଞ୍ଚିବାବେଳକୁ ମନର ନିଃସହାୟତା ଓ ଭୟ ବଢ଼ି ଯାଇଥାଏ । ତଥାପି, ସେଠାରେ ମଣିଷମାନଙ୍କର ଚଳପ୍ରଚଳ ମୋତେ କିଞ୍ଚିତ୍‌ ଆଶ୍ୱସ୍ତ କଲା । ଦେଖିଲି, ପୋଷାକପତ୍ର ଠିକ୍‌ ଅଛି, କେବଳ ଦୁଇ ହାତ ପାପୁଲିରେ ଶୁଖିଲା ରକ୍ତ ଲାଗିରହି ଶେଥା ଦେଖାଯାଉଛି । ପାଇପରେ ହାତ ପୋଛି, ଗୋଟାଏ ଅନ୍ଧାରୁଆ, ନିର୍ଜନ ସ୍ଥାନରେ ବସି ମୁଁ ଅପେକ୍ଷା କଲି ଟ୍ରେନକୁ ।

 

ପରଦିନ ଦଶଟା ବେଳକୁ ନିରାପଦରେ ପ୍ରାୟ ଦୁଇଶହ କିଲୋମିଟର ଅତିକ୍ରମ କରି ଓହ୍ଲାଇଲି ଅନ୍ୟ ଏକ ସହରରେ ।

 

ଦୁଇ-ତିନି ଦିନ ପର୍ଯ୍ୟନ୍ତ ମୁଁ ସମ୍ମୋହିତ ଉଦାସୀନତା ଭିତରେ ରହିଲି । ମୋର ଭାବନା ଓ ବିଚାରବୋଧ ସମ୍ପୂର୍ଣ୍ଣ ଭାବେ ବିଧ୍ୱସ୍ତ ହୋଇ ପଡ଼ିରହିଲା । ପାଇପ୍‌ ପାଣି ପିଇ, ଫୁଟ୍‌ପାଥରେ ଶୋଇ ନିର୍ଜନ ସ୍ଥାନରେ ସମୟ କଟାଇବା ଥିଲା ମୋର ରୁଟିନ । ତେବେ, ପ୍ରତିଦିନ ଖବରକାଗଜ ଖଣ୍ଡିଏ କିଣୁଥିଲି ଏବଂ ଅର୍ଦ୍ଧପରିଚିତ ଅକ୍ଷରଗୁଡ଼ିକ ଭିତରେ ଆବିଷ୍କାର କରିବାକୁ ଚେଷ୍ଟା କରୁଥିଲି ମୁଁ ଘଟାଇଥିବା କାଣ୍ଡର ବିବରଣୀ । ନା, ସେ ସଂକ୍ରାନ୍ତରେ ଧାଡ଼ିଏ ବି ଲେଖା ନାହିଁ ।

 

ଆତ୍ମଘାତୀର ଯନ୍ତ୍ରଣା ଓ ବିଫଳତା ନେଇ ଝୋଟ କଳରେ ଚାକିରି ଖଣ୍ଡିଏ ପାଇଲି । ଝୋଟ ବୋଝେଇ ହୋଇଥିବା ଟ୍ରକରୁ ମାଲ ଖଲାସ କରି ଗୋଦାମ ଘରେ ସଜାଡ଼ି ରଖିବା ଥିଲା ମୋର କାମ । ଆହୁରି ଅନେକ ଶ୍ରମିକଙ୍କ ସହିତ ମୁଁ ମୋର ଅନଭିଜ୍ଞ ମାଂସପେଶୀକୁ ବାଜି ଲଗାଇ ଘର୍ମାକ୍ତ ଶରୀରରେ କାମ କରୁଥିଲି ଏବଂ ଭାବୁଥିଲି, ଏକ ଭବିଷ୍ୟତହୀନ ସମୟ ଭିତରକୁ ମୁଁ ଆପଣା ଛାଏଁ ଠେଲି ହୋଇଯାଉଛି । ଜୀବନରେ କୌଣସି ଲକ୍ଷ୍ୟ ନାହିଁ, ମୋ ପରିଶ୍ରମର ଅନ୍ତରାଳରେ ଆଦୌ ମୂଲ୍ୟବୋଧ ନାହିଁ । ରୂପାକୁ ନେଇ ଗଢ଼ିଥିବା ଯୋଜନା ରକ୍ତାକ୍ତ ହୋଇ ସତେ ଯେମିତି ସମ୍ପୂର୍ଣ୍ଣଭାବେ ଅକାମୀ ହୋଇ ପଡ଼ିଛି । ନିଃସଙ୍ଗ ହୋଇପଡ଼ିଲି; ନିଜ ପ୍ରତି ଆନ୍ତରିକତାର ସ୍ପନ୍ଦନ ହଠାତ୍‌ ନୀରବ ହୋଇଗଲା । ଆରିସି ଦେଖି ମୁଁ ନିଜର ମୁହଁକୁ ଚିହ୍ନି ପାରିଲି ନାହିଁ । ମୋର ବଳିଷ୍ଠ ଗୋରା ଦେହ ପରିଶ୍ରମର ଅତ୍ୟାଚାର ସହି ପାରିଲା ନାହିଁ । କ୍ରମଶଃ ମୁଁ ଦୁର୍ବଳ ହୋଇଗଲି ଏବଂ ବିନା ଦ୍ୱିଧାରେ ନିଜର ଅବନତି ଓ ପରାଜୟକୁ ଗ୍ରହଣ କରିନେଲି । ଖାଇବା ପ୍ରତି ଯଥେଷ୍ଟ ଧ୍ୟାନ ନ ଦେଇ, ରୋଜଗାର କରୁଥିବା ସ୍ୱଳ୍ପ ମଜୁରୀ ବିନିମୟରେ ମୁଁ ପିଇଲି ଦେଶୀ ମଦ । ଅକୁଣ୍ଠିତ,ଇଚ୍ଛାକୃତ ଭାବରେ ମୁଁ ଧ୍ୱଂସ କରିବା ଆରମ୍ଭ କଲି ନିଜକୁ ।

 

ରୂପା କଥା ବହୁତ ମନେ ପଡ଼େ । ତା’ର ସ୍ମୃତି ପହଁରି ଆସେ ଯଥେଷ୍ଟ ଜୀବନ୍ତ ହୋଇ । କେବେ କିପରି ମୁଁ ପୂରାପୂରି ଜଡ଼ସଡ଼ ହୋଇଯାଏ ଏବଂ ଭାବେ, ସବୁକାମ ଫୋପାଡ଼ି ଦେଇ, ସମ୍ଭାବ୍ୟ ଗିରଫକୁ ବେଖାତିରି କରି ମୁଁ ତା’ ପାଖକୁ ଚାଲିଯିବି । ଦନେଇ ସାହୁ କଥା ମନେପଡ଼ିଲେ ମୋର ସର୍ବାଙ୍ଗ ଥରିଉଠେ କ୍ରୋଧରେ । ମୋର ଏଇ ନିର୍ବାସିତ କାରାବରଣ ପାଇଁ ସେ ଦାୟୀ ସିନା-! ରୂପା ପାଖକୁ ଫେରିଯିବି–ଏଇ ଯୋଜନା କ୍ରମେ ଦୃଢ଼ୀଭୂତ ହେଉଥିଲା ମୋ ମନରେ ଏବଂ ମୋର ସ୍ୱାସ୍ଥ୍ୟ ଓ ମନ ସେଇ ଅନୁପାତରେ ବିପନ୍ନ ହେଉଥିଲା । ଝୋଟକଳରେ କାମ କରିବାର ପ୍ରାୟ ଅଢ଼େଇବର୍ଷ ପରେ ଦିନେ କାମ କରୁ କରୁ ମୁଁ ସଂଜ୍ଞାହୀନ ହୋଇ ପଡ଼ିଥିଲି ଏବଂ ମିଲ୍‌ ସହିତ ସଂପୃକ୍ତ ଡାକ୍ତର ନିର୍ବିକାର ଭାବରେ ଘୋଷଣା କଲେ ଯେ, ମୋର ହୃତ୍‌ପିଣ୍ଡ ଦୁର୍ବଳ ହୋଇପଡ଼ୁଛି କ୍ରମଶଃ । ଅତ୍ୟଧିକ ମଦ୍ୟପାନ ଏବଂ ଆପାତତଃ ଅନାହାର ଯୋଗୁଁ ଛାତି ଭିତରେ ମୁଁ ଯନ୍ତ୍ରଣା ଅନୁଭବ କରୁଛି, ମୋତେ ଶୂନ୍ୟ ଜଣାପଡ଼ୁଛି ସବୁ । ଏଇ ଅବସ୍ଥାର ପରିବର୍ତ୍ତନ ନ ଘଟିଲେ ଅଳ୍ପଦିନ ଭିତରେ ମୋର ମୃତ୍ୟୁ ସୁନିଶ୍ଚିତ ।

ଝୋଟ କଳରୁ ମୋତେ ବିଦାୟ ନେବାକୁ ପଡ଼ିଲା, କାରଣ ମୁଁ ଆଉ ବୋଝ ବୋହିବାକୁ ସକ୍ଷମ ନଥିଲି । ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଜଳଖିଆ ଦୋକାନରେ ଯେଉଁଦିନ ପ୍ଲାଷ୍ଟିକ ବାଲ୍‌ଟି ଓ ଅପରିଷ୍କାର କନା ଧରି ଟେବୁଲ ପୋଛିବା ଭୂମିକାରେ ଠିଆ ହେଲି, ସେ’ଦିନ ଅନେକ ଚେଷ୍ଟା ସତ୍ତ୍ୱେ ମୋ ଆଖିରୁ ଲୁହ ଝରି ଆସିଲା । ଜୀବନର ଗତି କ’ଣ ବୃତ୍ତାକାର ?

ମୁଣ୍ଡ ବୁଲାଏ । ଗୋଡ଼ ହାତ ଥରେ । ପ୍ଲେଟ ଗ୍ଲାସ ହାତରୁ ଖସିପଡ଼ି ଭାଙ୍ଗେ । ଛାତି ଭିତରର ଶୁଖିଲା ଡାଳ ଉପରେ ଆହତ ଚଢ଼େଇଟିଏ ଡେଣା ଫଡ଼ ଫଡ଼ କଲାଭଳି ଲାଗେ । ଜୀବନ ଉପରୁ ନିୟନ୍ତ୍ରଣ ଚାପ ହୁଗୁଳା ହୋଇଗଲା ।

ମାସକ ପରେ, ପୁରୁଣା ସହରକୁ ଫେରି ଆସିବା ପାଇଁ ମୁଁ ଯେତେବେଳେ ଟ୍ରେନରେ ଚଢ଼ିଲି, ମୋ ମନରେ କୌଣସି କାମନା ନ ଥିଲା । କୌଣସି ଆସକ୍ତି ନଥିଲା । ଟ୍ରେନ ଆବାଜର ନିୟନ୍ତ୍ରିତ ଧ୍ୱନିକୁ ମୁଁ ପ୍ରାୟ ଶୁଣି ପାରୁ ନଥିଲି । କମ୍ପାର୍ଟମେଣ୍ଟର ଗୋଟିଏ କୋଣରେ ଜାକିଜୁକି; ଆଖି ବନ୍ଦ କରି ବସିଥିବାବେଳେ ଜୀବନର କେତୋଟି ମୁହୂର୍ତ୍ତ ଶଙ୍କିତ, ଦରମଲା ରୂପରେ ଦେଖା ଦେଇ ଆପଣାଛାଏଁ କାହିଁ କେଉଁଆଡ଼େ ଅସ୍ତ ହୋଇ ଯାଉଥିଲେ । ସବୁ କଥା ଜଣା ପଡ଼ୁଥିଲା ଦୁରନ୍ତ, ଦରଚିହ୍ନା ଏବଂ ବିରକ୍ତିକର ।

ଟ୍ରେନରୁ ଓହ୍ଲାଇବାବେଳେ ରାତି ପାହି ଆସୁଥିଲା; ତଥାପି ପରିଚିତ ସହରଟିକୁ ଢାଙ୍କି ରଖିଥିଲା ଗୋଟାଏ ପତଳା, ମଇଳା କୁହୁଡ଼ି । ଶ୍ମଶାନ ଭଳି ମୂର୍ଚ୍ଛିତ ହୋଇ ପଡ଼ି ରହିଥିବା ସହରଟି ଜଣା ପଡ଼ୁଥିଲା ରହସ୍ୟମୟ, ବିପଦ ପରିପୂର୍ଣ୍ଣ । ତେବେ, ଆଉ ବିପଦ କ’ଣ ? ହରାଇବାର ଆଶଙ୍କା କାହିଁ ? ବର୍ତ୍ତମାନ ଦନେଇ ସାହୁକୁ ଦେଖିଲେ କିମ୍ୱା ଗିରଫ ହେଲେ ବି ଲଜ୍ଜା କାହାକୁ, କେଉଁଥିପାଇଁ ଅନୁଶୋଚନା ? ଦନେଇ ସାହୁ ଜୀବନ୍ତ, ନା ମୃତ ?

ଫରଚା ହୋଇ ଆସୁଥାଏ । ରିକ୍‌ସାବାଲା କହିଲା–‘‘ତିନିବର୍ଷ ପରେ ଏ ସହରକୁ ଫେରୁଛ ପରା ?’’ ତା’ ସହିତ ମାମୁଲି କଥାବାର୍ତ୍ତା ସରିଥିଲା ।

–‘‘ହଁ ।’’ ମୁଁ ସଂକ୍ଷିପ୍ତ ଉତ୍ତର ଦେଲି ।

–‘‘ତେବେ, ଯେଉଁ ଜାଗାକୁ ଯିବା ପାଇଁ କହୁଛ, ତାକୁ କ’ଣ ଚିହ୍ନି ପାରିବ ?’’

–‘‘କାହିଁକି ? କ’ଣ ହେଲା ?’’

ବିଡ଼ିଟାକୁ ଫୋପାଡ଼ି ଦେଇ, ସେ ଧୂଆଁ ଛାଡ଼ିଲା । ରିକ୍‌ସାର ଗତି ବଢ଼ାଇ କହିଲା–‘‘ଗୋଟାଏ ଘରଭଙ୍ଗା ଯନ୍ତ୍ର ଆଣି, ସେ ଅଞ୍ଚଳର ସବୁ ଘର ଭାଙ୍ଗି ସଫା କରି ଦିଆଯାଇଛି । ଚୂନ ପଲସ୍ତରା ଲାଗିଥିବା ଟ୍ରକ ଇଟା ପଡ଼ିରହିଛି, ସେଠାରେ ।’’

–‘‘ଓଃ !’’ ଅସ୍ୱସ୍ତିର ସହିତ କାତର ଶବ୍ଦ ସୃଷ୍ଟି କଲି । ‘‘ସବୁ ଘର ଭାଙ୍ଗି ଦିଆଯାଇଛି ?’’

 

–‘‘ଆଗେ ଭଙ୍ଗାଗଲା କଚେରି ଘରକୁ । ବଡ଼ ଘରଟିଏ ତୋଳାଗଲା । କୁହାଗଲା କ’ଣ ନା, ଜାଗା ଅଣ୍ଟୁ ନାହିଁ । କେମିତି ଜାଗା ଅଣ୍ଟିବ ? ସବୁଆଡ଼େ ତ ହାଣ୍‌, ମାର୍‌, କାଟ୍‌ । ସମସ୍ତେ ଧାଉଁଛନ୍ତି କଚେରିକୁ । ତୁମେ, ଆମେ ମରିଯାଇଥିବା, ହେଲେ ଆଜିଠୁ କହି ରଖୁଛି, ଏଡ଼େବଡ଼ ଦି’ ମହଲା ଘର ବି ଭଙ୍ଗାଯିବ । କୁହାଯିବ, ଜାଗା ଅଣ୍ଟୁ ନାହିଁ । ଆହୁରି ବଡ଼ ଘର ତୋଳାଯିବ । କେଶ୍‌ ସଂଖ୍ୟା ବଢ଼ିବ ସିନା, କମିବ ନାହିଁ ।’’

 

–‘‘ସତ କଥା ।’’ ସୌଜନ୍ୟ ଦୃଷ୍ଟିରୁ ମୁଁ ସମର୍ଥନ କଲି ।

 

–‘‘ଜେଲଖାନାଟାକୁ ଉଠେଇ ନିଆଗଲା ମଶାଣୀ ପାଖକୁ । ପୁରୁଣା ଜେଲଖାନାରେ ବି ଜାଗା ଅଣ୍ଟିଲା ନାହିଁ, କଇଦୀମାନଙ୍କୁ । କ’ଣ ନା, ଜେଲଖାନାରେ କେତେଟା ମଣିଷଙ୍କୁ ପୂରେଇଦେଲେ, ସଂସାରଟା ନିର୍ମଳ ହୋଇଯିବ ।’’ ଏତିକି କହି ସେ ହସିଲା ଏବଂ ପୁଣି କଥାର ଖିଅ ଧରିଲା–‘‘ଶଳେ ଭାବୁଛନ୍ତି କଥାଟା ଭାରି ସହଜ । ମୋ ଜାଣିବାରେ ଢେର ଢେର ଚୋର, ବଦମାସ, ପାଷାଣ୍ଡ ପଦାରେ ବୁଲୁଛନ୍ତି ସାଧୁ ମଣିଷଭଳି । କ’ଣ ନା, ସଂସାର ନିର୍ମଳ ହେବ !’’ ତା’ର ତାଚ୍ଛଲ୍ୟ ସ୍ୱର କଠୋର, ନିର୍ମମ ଜଣାପଡ଼ୁଥିଲା ।

 

–‘‘ହୁଁ ।’’ ଅନ୍ୟମନସ୍କ ଭାବରେ କହିଲି ଏବଂ କ୍ଷଣକ ପାଇଁ ଉତ୍ତେଜିତ ହେଲି । ରିକ୍‌ସାବାଲା ମୋ କଥା ଜାଣେ କି ? ସହରର ମୁଖ୍ୟ ରାସ୍ତାରେ ରିକ୍‌ସା ଗଡ଼ୁଥିଲା । ଦୁଇ ପାର୍ଶ୍ୱର ଚେହେରା ଥିଲା ଆଗଭଳି । ଅଥଚ କଚେରି ଓ ଜେଲଖାନାକୁ ସମ୍ପ୍ରସାରିତ କରିବା ଜରୁରୀ ମନେହେଲା ।

 

–‘‘ତୁମେ ବାବୁ, ଏ ସହରରେ କ’ଣ କରୁଥିଲ–ତିନିବର୍ଷ ଆଗେ ?’’ ସେ ପଚାରିଲା ।

 

ବିରକ୍ତ ହେଲି । ମନେ ମନେ ଗାଳି ଦେଲି ତା’ର ଅଯଥା ଆଗ୍ରହ ଓ ହସ୍ତକ୍ଷେପର ଚେଷ୍ଟାକୁ । କହିଲି ‘‘ଏମିତି.....ଥିଲି.....କ’ଣ ମିଳିବ ସେଥିରୁ ?’’

 

ସେ ଠିକ୍‌ ବୁଝିପାରିଲା, ମୋ ବିରକ୍ତିକୁ । କହିଲା–‘‘ନାଇଁ ବାବୁ, ମୁଁ କ’ଣ କହୁଥିଲି କି, ଏଠାରେ ଆମେ ଯେଉଁମାନେ ରହୁଛେ, ଶାନ୍ତି କ’ଣ ମିଳୁଛି ? ମୁଁ ଜେଲ୍‌ ଯାଇନାହିଁ । ତଥାପି ଭାବେ, ଜୀବନ ଥିବା ଯାଏଁ ଆମେ ଜଣେ ଜଣେ କଇଦୀ । ମଲେ ଯାଇ ତରିବା । ସଂସାରଟା ଗୋଟାଏ ଜେଲ୍‌ଖାନା ଛଡ଼ା ଆଉ କ’ଣ ? କେତେ ବଡ଼ ଜେଲ୍‌ ତୁମେ ତିଆରି କରିବ ? ସେଇଟା ବି କ’ଣ ସବୁ ବଦ୍‌ମାସମାନଙ୍କୁ ଜାଗା ଦେଇପାରିବ ? ଏ ଶଳା ଜୀବନଟାକୁ ଆଉ କାହିଁକି କେଜାଣି ଭଲ ଲାଗୁ ନାହିଁ ।’’

 

ରିକ୍‌ସାରୁ ଓହ୍ଲାଇଲାବେଳକୁ ସିନ୍ଦୂରା ଫାଟୁଥିଲା । ମୋର ପରିଚିତ ସ୍ଥାନଟିର ମୂଳ ଉପାଡ଼ି ଦିଆଯାଇଛି । ସମୁଦାୟ ଇଲାକାଟା ଦିଶୁଛି ଫରଚା, ପ୍ରଶସ୍ତ । ମଣିଷର ପୈଶାଚିକତା, ଶତ୍ରୁତାର ଶେଷହୀନ କାହାଣୀ ଶୁଣିବା ସକାଶେ ପ୍ରକୃତରେ ଆକର୍ଷଣୀୟ ଘରଟିଏ ନିର୍ମିତ ହୋଇ ପାରିଛି ।

 

ଯେଉଁ ଜେଲ୍‌କୁ ମୁଁ ଭୟ କରୁଥିଲି, ତାହାର ଉଚ୍ଚ ପାଚେରୀ ଆଉ ନାହିଁ । ଭିତରେ ଥିବା ସେଲ୍‌ଗୁଡ଼ିକ ଅର୍ଦ୍ଧଭଗ୍ନ ଅବସ୍ଥାରେ ଠିଆ ହୋଇଛନ୍ତି । ସେମାନଙ୍କ ଭିତରେ ମଣିଷ ନାହାନ୍ତି ବୋଲି, ଝରକା ନାହିଁ, ଦ୍ୱାରଗୁଡ଼ିକୁ ତାଡ଼ି ନିଆ ହୋଇଛି, ବୁଲା କୁକୁରମାନେ ନିର୍ବିଘ୍ନରେ ବୁଲାଚଲା କରୁଛନ୍ତି-। ମୋତେ ଜଣାଯାଉଥିଲା, ସତେ ଯେପରି ପୁରାତନ ଜେଲ୍‌ଖାନାର ପାଚେରୀ ଭାଙ୍ଗି ନାହିଁ; ବରଂ ସମ୍ପ୍ରସାରିତ ହେଉଛି ଏବଂ ଶେଷରେ ଘେରି ରହିଛି ସମଗ୍ର ପୃଥିବୀକୁ । ତା’ ଭିତରେ କଇଦୀ ହୋଇ ଠିଆହୋଇଛି ମୁଁ–ଜଗୁ–ଏକଦା ସୁଶ୍ରୀ, ବଳିଷ୍ଠ, ବେପରୁଆ ଯୁବକ ଓ ସମ୍ଭବତଃ ଜଘନ୍ୟ ଆତତାୟୀ । ଜୀବନରେ କେଉଁ ଫରକ ମୁଁ ଦେଖୁଥାନ୍ତି, ଯଦି ମୁଁ ଗିରଫ ହୋଇଥାନ୍ତି, ଏଇ ଜେଲରେ ରହି ପୁଣି ନୂଆ ଜେଲ୍‌କୁ ସ୍ଥାନାନ୍ତରିତ ହୋଇଥାନ୍ତି ? ସମସ୍ତଙ୍କୁ ଫାଙ୍କି ଏ ସହର ଛାଡ଼ି ଆଉ ଏକ ସହରରେ ପହଞ୍ଚି କ’ଣ କରିଛି ନିଜପାଇଁ ?

 

‘‘ଆଦର୍ଶ ଭୋଜନାଳୟ’’ ନାହିଁ, ଦନେଇ ସାହୁର ମଦ ଦୋକାନ ବି ନାହିଁ । ଆଉ, ରୂପା କେଉଁଠି ବର୍ତ୍ତମାନ ?

 

ଏଇ ଆମ୍ୱଗଛ ଉପରେ ଏକଦା ଗୋଟିଏ ରାତି କଟେଇଥିଲି, ଦଶ’ରାବେଳେ ସାହି ସାହି ଭିତରେ ଯେଉଁ ଗଣ୍ଡଗୋଳ ଘଟିଥିଲା, ସେଥିରେ ଟେକାପଥର ଫୋପାଡ଼ି ପୋଲିସ୍‌ର ଆରେଷ୍ଟରୁ ଖସିଯିବା ପାଇଁ । ଗଛ ଉପରେ ନୁହେଁ, ତଳେ ବସିଲି, ଗଛ ଉପରେ ଡେରି ହୋଇ । ଅନିଦ୍ରା, ଭୋକ ଓ ଦୁର୍ବଳତା ଯୋଗୁଁ ମୋର ଆଖିପତା ଓଜନିଆ ଜଣାପଡ଼ୁଥିଲା, ମୂର୍ଚ୍ଛାଳିଆ ଲାଗୁଥିଲା । ମନକୁ ମନ କହିଲି–‘‘ତୋତେ କେଉଁଠି ଖୋଜିବି ଲୋ, ରୂପା ? କେଉଁଠି ? ପୃଥିବୀଟା ଜେଲ୍‌ଖାନା ହେଲେ ବି କେଡ଼େ ବଡ଼ ଜେଲ୍‌ଖାନାଟିଏ । କହ, ତୁ କେଉଁଠି ଅଛୁ ?’’

Image

 

ଦୁଇଟି ବ୍ରାକେଟ

 

ଆରମ୍ଭରୁ ମଦ ଦୋକାନଟିର ଭୌଗଳିକ ଅବସ୍ଥିତି ସମ୍ପର୍କରେ ସୂଚନା ଦେବା ଉଚିତ ମନେକରୁଛି । ପାଞ୍ଚଲକ୍ଷ ମଣିଷ ଖୁନ୍ଦି ହୋଇଥିବା ଆମ ସହରଟିକୁ ଗୋଟିଏ ସରଳରେଖା ବୋଲି କଳ୍ପନା କରାଯାଉ । ସହର ଉପକଣ୍ଠରୁ ଅନ୍ୟୂନ ପାଞ୍ଚ କିଲୋମିଟର ଦୂରରେ ଥିବା ଏଇ ଦୋକାନଟିକୁ ଆଉ ଏକ ସରଳରେଖା ବୋଲି ବିଚାରକୁ ନେଇ ଏହାର ଦୁଇପାର୍ଶ୍ୱକୁ ଯୋଗ କରାଯାଉ ସହରର ଦୁଇ ପ୍ରାନ୍ତ ବିନ୍ଦୁ ସହିତ । ମୋଟା ମୋଟି ଗୋଟିଏ ଗିଲାସର ଚିହ୍ନଟ । ମଦ ଦୋକାନଟିର ଅବସ୍ଥିତି ବୁଝିବା ପାଇଁ ଗୋଟିଏ ଗିଲାସର ମାନଚିତ୍ର ମନେ ରଖିବାକୁ ହେବ ।

 

କେହି କେହି ହୁଏତ ଭାବୁଥିବେ, ଏଇ ଦୋକାନକୁ ବେଶି ଗରାଖ ଆସୁ ନଥିବେ । ସହରର ଅନ୍ୟ ଦିଗରେ ରେଲଓ୍ୟେ ଷ୍ଟେସନ ଅଛି । ସେଠାରେ ସଣ୍ଟିଙ୍ଗ ହେଉଥିଲେ କିମ୍ୱା ଟ୍ରେନ ପ୍ଲାଟଫର୍ମର ସର୍ବଦା ଖୋଲା ଥିବା ଦୁଆରେ ମୁହଁମାଡ଼ି ପଡ଼ି ରହିବାକୁ ଆସିଲେ, ସେ ଶବ୍ଦ ପାତଳ ହୋଇ ଶୁଭେ ମଦ ଦୋକାନକୁ । ଏ ଶବ୍ଦ ମନକୁ ପ୍ରତାରିତ କରେ । ଜଣାପଡ଼େ, ସହରଠାରୁ ବହୁ ବେଶି ଦୂରରେ ଅଛି ଏ ଦୋକାନ । ଗରାଖ ଆସୁ ନଥିବେ ବୋଲି ଭାବିବାରେ ଆଉ ଗୋଟିଏ ଦୁଇଟି କାରଣ ଅଛି । ପ୍ରଥମତଃ ଏଠାରୁ ସହରକୁ ଫେରିଯିବା ପାଇଁ ରିକ୍‌ସା-ମୋଟର ସବୁବେଳେ ମିଳେ ନାହିଁ । ଯେଉଁମାନେ ପ୍ରଥମ ଥର ପାଇଁ ମଦ ପିଇବାର ବିଜ୍ଞତା ଅର୍ଜନ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏହା ଏକ ବଡ଼ ଅସୁବିଧା । ଅନେକଙ୍କର ଧାରଣା (ଏହାକୁ କ୍ଷମା କରାଯିବା ଉଚିତ) ଯେ ମଦ ନିଶାକୁ, ନିରାପଦ ଦୃଷ୍ଟିରୁ, ଗୋଟିଏ ରିକ୍‌ସା କିମ୍ୱା ସେଇପରି ଆଉ କିଛି ଯାନରେ ବୋଝେଇ କରି ଫେରିବାକୁ ହୁଏ । ଅନ୍ୟ କାରଣଟି ମଦ ବିକାଳି ସମ୍ପର୍କୀୟ ।

 

ମଦ ଦୋକାନରେ ଭିଡ଼ ହୁଏ, ପ୍ରତିଦିନ ବେଶ୍‌ ଭିଡ଼ ହୁଏ ବୋଲି କହିବା ଦରକାର ନାହିଁ-। ଏକଥା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ପ୍ରମାଣ କରେ । ତାହା ହେଲା–ଅନେକ ମଣିଷଙ୍କ ପାଇଁ ମଦ ଖୁବ୍‌ ଜରୁରୀ ଏବଂ ଯେକୌଣସି ସ୍ଥାନରେ ଏହାର ଦୋକାନ ଥିଲେ ମଧ୍ୟ ତାହା ଲୋକପ୍ରିୟ ହୋଇପାରିବ । ବାଣିଜ୍ୟ ନିତାନ୍ତ ମାନ୍ଦା ହେବାର ସମ୍ଭାବନା ନାହିଁ । ଦୋକାନର ମାଲିକ ଅନୁତପ୍ତ ହୋଇ ଅନ୍ୟ କାରବାର ଆରମ୍ଭ କରିବା ପ୍ରଶ୍ନ ଉଠୁନାହିଁ ।

 

ଆମ ଉପରୋକ୍ତ ମଦ ଦୋକାନଟା ହେଲା ଗୋଟିଏ ଗିଲାସର ଭୂମି । ଆମେ, ସହରର ଯାବତୀୟ ଲୋକ, ଏ ଗିଲାସ ଉପରେ ଭାସିରହୁ । ଏଭଳି ଭାସି ରହିବାର ଅନ୍ୟ ନାମ ହେଲା ସ୍ୱାଭାବିକ ଜୀବନଯାପନ କରିବା । ତିନୋଟି ଶବ୍ଦରେ ପାଞ୍ଚଲକ୍ଷ ନିଃଶ୍ୱାସର ବିଭିନ୍ନ ଉତ୍ତାପକୁ ଏକୀଭୂତ କରାଯାଏ ଏଇଭଳି ସହଜ ଭାବରେ; ଯଦିଓ ସ୍ୱାଭାବିକତାର ଖାଣ୍ଟି କେନ୍ଦ୍ରଟି ଅନେକ କ୍ଷେତ୍ରରେ, ଅନ୍ୟ ଲୋକଙ୍କର ଅଲକ୍ଷ୍ୟରେ, ବିଧ୍ୱସ୍ତ ହୋଇ ପଡ଼ିଥାଏ । ଏପରି ପରିସ୍ଥିତିରେ ବୁଦ୍ଧିମାନ ଲୋକଟିର କର୍ତ୍ତବ୍ୟ କ’ଣ ? –ସବୁ ଅସ୍ୱାଭାବିକତାର ଓଜନ ଧରି ତଳକୁ ବୁଡ଼ିଯିବା ବ୍ୟତୀତ ? ସେ ବୁଡ଼ିଯାଏ ଏବଂ ସ୍ପର୍ଶ କରେ ଗିଲାସର ଭୂମିକୁ, ଓରଫ ମଦ ଦୋକାନର ଅତିଥିପରାୟଣ ଦରଜାକୁ । ପିଏ ଏବଂ ହାଲୁକା ହୁଏ । ପୁଣି ଭାସେ ଗିଲାସ ଉପରେ । ଆମ୍ଭମାନଙ୍କ ପାଇଁ ଜୀବନର ଗତି ଏଇଭଳି । ଭାସିବା, ବୁଡ଼ିବା, ଭାସିବା । ତାହା ପୁଣି ଏକ ନିର୍ଦ୍ଧାରିତ ସୀମା ଭିତରେ । ଏହାଠାରୁ ବଳି ଧୈର୍ଯ୍ୟ ଓ ପୁରୁଷପଣିଆର ଦୃଷ୍ଟାନ୍ତ ଅନ୍ୟ କେଉଁଠି ଅଛି ବୋଲି ମୁଁ ଅନ୍ତତଃ ମାନିବାକୁ ପ୍ରସ୍ତୁତ ନୁହେଁ । ବଞ୍ଚି ରହିବାର କାହାଣୀ ହେଉଛି ଅନିର୍ଦ୍ଦିଷ୍ଟ ସମୟ ପାଇଁ ଜୀବନକୁ ସହ୍ୟ କରିବାର କାହାଣୀ ।

 

ମୋର ସ୍ପଷ୍ଟ ମନେ ଅଛି, ଇଣ୍ଟରମିଡ଼ିଏଟ ପରୀକ୍ଷା ଫଳ ବାହାରିବା ଦିନ ଏଇ ଦୋକାନକୁ ଆସିଥିଲି ମଦ ପିଇବାକୁ । ପରୀକ୍ଷାରେ ଫେଲ୍‌ ହେଲି ବୋଲି ନୁହେଁ; କାରଣ ପାଶ୍‌ କରିଥିଲେ ମୁଁ ଅବାକ୍‌ ହୋଇଥାନ୍ତି । ବାପା ଗାଳି ଦେଲେ; ପୁଣି ଅଶ୍ରାବ୍ୟ ଭାଷାରେ । ଏଭଳି ଗାଳି ମୁଁ ଆଗରୁ କେବେ ଶୁଣି ନ ଥିଲି ।

 

ଏଠାରେ ବାପାଙ୍କ ସମ୍ୱନ୍ଧରେ ପଦେ କହିରଖେ । ସହରର ଏଭଳି ଗଳି ଭିତରେ ଆମ ଘର; ଯାହାର ସ୍ଥିତି ଅଛି, କମ୍ପନ ନାହିଁ । ସେଠାରେ ସବୁ ଜିନିଷ ମୃତ; କିମ୍ୱା ଅର୍ଦ୍ଧମୃତ । ଗତିଶୀଳତା ନିଜକୁ ସମ୍ପ୍ରସାରିତ କରିବାର ଚେଷ୍ଟା ସେଠାରେ ଦେଖାଯାଏ ନାହିଁ । ଯଦି ବଚସା ହୁଏ, ତେବେ ସେ ସବୁ ଲଜ୍ଜାକର କାରଣକୁ ଭିତ୍ତିକରି । ନିଶ୍ଚୟ କାହାର ଭୋକିଲା ପିଲାଟିଏ ଅନ୍ୟଘରୁ କିଛି ଖାଇବା ଜିନିଷ ଚୋରେଇ ଥିବ; କିମ୍ୱା କାହାର ଅଭିଆଡ଼ ଝିଅ ମା’ ହେବାକୁ ଯାଉଥିବ । ଯଦି କାନ୍ଦଣା ଶୁଭେ, ତେବେ ତାହାର କାରଣ ଅନୁସନ୍ଧାନ କରିବା ନିଷ୍ପ୍ରୟୋଜନ । ନିଶ୍ଚୟ କେଉଁ ଘରଣୀ ତା’ ମଣିଷକୁ ନୂଆ ଲୁଗା ପାଇଁ ଯୁକ୍ତିସଙ୍ଗତ ଅନୁରୋଧ କରିଥିବ ଏବଂ ନୂଆ ଲୁଗା ପିନ୍ଧିବା ଏକ ଅବାନ୍ତର ବିଳାସ ବୋଲି ମନେ କରି ସେ ଲୋକ ମାଡ଼ ଦେଇଥିବ । ଯଦି ଗଳିରେ ଥିବା କୌଣସି ଘରର କାନ୍ଥ ଉପରେ କିଛି ପରିପାଟି ଦେଖାଯାଏ, ତେବେ ତାହା ସମ୍ଭବତଃ ଗୋବର ଘଷି ଶୁଖୁଥିବାର ପରିପାଟି । ଗଳିର ଲୋକମାନେ ଖରା, ବର୍ଷା, କାକର ଅତିକ୍ରମ କରନ୍ତି ଆଶ୍ଚର୍ଯ୍ୟ ସହନଶୀଳତାରେ । ଏସବୁ ସତ୍ତ୍ୱେ, ଏ ସ୍ଥାନ ଓ ଲୋକମାନଙ୍କୁ ଗଭୀର ଭାବରେ ଅନୁଶୀଳନ କଲେ ମନ ଶଙ୍କାଗ୍ରସ୍ତ ଓ ବିଚଳିତ ହେବାକୁ ବାଧ୍ୟ । ଜଣାଯିବ, ଏହାର ଆପାତତଃ ଶାନ୍ତି ନିଶ୍ଚେଷ୍ଟ ପୃଷ୍ଠତଳକୁ କିଛି ଗୋଟାଏ ବିଦ୍ରୋହୀ, ବୈପ୍ଳବିକ ଶକ୍ତି ଭିଡ଼ିମୋଡ଼ି ହେଉଛି ଆତ୍ମପ୍ରକାଶ କରିବା ପାଇଁ । ତାହା ଘଟିବା କ୍ଷଣି ଏଠାକାର ମଣିଷମାନଙ୍କର ଜୀବନ ପ୍ରତି ରହିଥିବା ଦୃଷ୍ଟିକୋଣ ଭୁଷୁଡ଼ିଯିବ ।

 

ଏଭଳି ଗଳି ଭିତରେ କେଉଁ ବ୍ୟବସାୟ ତିଷ୍ଠି ରହିବ ଭଲା ? ବାପା କିନ୍ତୁ ଏଇ ସାମାନ୍ୟ କଥା ବୁଝିବାକୁ ଆଗ୍ରହୀ ନ ଥିଲେ ।

 

ଆମ ଘର ପିଣ୍ଡା ଉପରେ, ରାସ୍ତାକଡ଼କୁ ବାପା ପାନ ଦୋକାନ ଖୋଲିଥିଲେ ଏବଂ ବ୍ୟବସାୟ ଚାଲୁ ରଖିବାର ଅଭିନୟ କରୁଥିଲେ । କାନ୍ଥ ଉପରେ ତାରିଖ ବିବର୍ଜିତ ଆଠ-ଦଶଟି ପୁରୁଣା କ୍ୟାଲେଣ୍ଡର । ସକାଳ ପ୍ରାୟ ଆଠଟାରେ ଦୋକାନ ଖୋଲେ । ଗୋଟିଏ ନିର୍ଦ୍ଦିଷ୍ଟ କ୍ୟାଲେଣ୍ଡର ସାମନାରେ ଭକ୍ତି ଗଦ୍‌ ଗଦ୍‌ ହୋଇ ସେ ପ୍ରଣାମ କରନ୍ତି । ସେତେବେଳେ ତାଙ୍କୁ ଦେଖିଲେ ଜଣାପଡ଼ିବ, ଦିନଟିର ପ୍ରତିଶ୍ରୁତିହୀନତା ସମ୍ପର୍କରେ ସେ ସଚେତନ; ମାତ୍ର ତାଙ୍କର ଧାରଣା କାଳେ ଐଶ୍ୱରିକ ଶକ୍ତି, କୁହୁକ ବଳରେ କିଛି ବ୍ୟତିକ୍ରମ ଘଟିଯିବ । ବିରକ୍ତିକର ଓ ଦୟନୀୟ-। ତା’ ପରର ଦୃଶ୍ୟ କିନ୍ତୁ କରୁଣ । ଗୋଟିଏ ଛୋଟ ଟିଣ ଡବାରୁ ସେ ବାହାର କରନ୍ତି ଖଣ୍ଡିଏ ଶୁଖିଲା ଚେର । ସେଇଥିରୁ ଟିକିଏ ଛିଣ୍ଡାଇ ସେ ପାଟିରେ ପକାନ୍ତି ଓ ଢୋକେ ପାଣି ପିଅନ୍ତି-। ଏ ଚେର ଜଣେ ବାବାଜିଠାରୁ ଦଶଟଙ୍କାରେ କିଣା ଯାଇଥିଲା । ଯେଉଁଠି ଯାହା ଦୋକାନ ଖୋଲ; କିଣାବିକା ଚାଲିବ ନିଶ୍ଚୟ–ବାବାଜିର ଘୋଷଣା । ଦାରିଦ୍ର୍ୟର ମୁକାବିଲା ଏଇଭଳି କରାଯାଏ ? ତା’ପରେ ବଜାଯାଏ ରେଡ଼ିଓ । ଗରାଖମାନଙ୍କୁ ଆକର୍ଷଣ କରିବାପାଇଁ ଏହା ନିତାନ୍ତ ଆବଶ୍ୟକ । ମାତ୍ର ଆମେ କେବେହେଲେ ସେ ରେଡ଼ିଓର ଭାଷା ବୁଝିପାରୁନା । ବାପା ବସିରହି ଚାରିଆଡ଼େ ନଜର ପକାନ୍ତି; କୌଣସି ମଣିଷକୁ ସେଇବାଟେ ଆସୁଥିବାର ଦେଖିଲେ ଉତ୍କଣ୍ଠିତ ହୁଅନ୍ତି-

 

ମୁଁ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ବାପାଙ୍କର କ’ଣ ମନ ହେଲା କେଜାଣି, ଦୋକାନ ବନ୍ଦ କରି ଦୁଇଦିନ ପର୍ଯ୍ୟନ୍ତ ଘରେ ଶୋଇ ରହିଲେ । ତୃତୀୟଦିନ ସ୍କୁଲକୁ ଗଲାବେଳେ ତାଙ୍କୁ ଦେଖିଲି ବସ୍‌ଷ୍ଟାଣ୍ଡରେ । ତାଙ୍କ ବେକରେ ଝୁଲୁଛି ଗୋଟାଏ ରଙ୍ଗଛଡ଼ା ହାର୍ମୋନିୟମ୍‌ । ତା’ ଉପରେ ଗୋଛାଏ ଚଟି ବହି–କୋଡ଼ିଏ ପଇସା ମୂଲ୍ୟର । ଦଦରା କଣ୍ଠରେ ସେ ଗୀତ ଗାଉଛନ୍ତି । ବିବାହ ପରେ ଜଣେ ନାରୀ ଆପଣାଛାଏଁ ପୁରୁଷ ବନିଗଲା । ତା’ ପୈଶାଚିକତାରେ କେହି ଦଣ୍ଡେ ଶାନ୍ତିରେ ରହି ପାରିଲେ ନାହିଁ । ଯାହା ପାଇଲା, ଖାଇଲା । ମାତ୍ର ହଠାତ୍‌ ଶାନ୍ତ ହୋଇ ସେ ଗଲା ଜଙ୍ଗଲକୁ । ସେଠାରେ ଚିତ୍କାର କଲା–ଖାଅ ମୋତେ । ବାଘ, ଭାଲୁ, ସାପ–ଯିଏ ଯେଉଁଠି ଅଛ, ଧାଇଁଆସ ମୋ’ପାଖକୁ । ମୋତେ ଖାଇଯାଅ । କେହି ନ ଖାଇବାରୁ ସେ ପାଣିରେ ବୁଡ଼ିଲା, ମୁଣ୍ଡ ଛେଚିଲା ପାହାଡ଼ ଉପରେ । ମଲା ନାହିଁ । ସେ ଏଯାଏଁ ଜୀଇଁଛି । ଅଭିଶାପ ବର୍ଷଣ କରୁଛି ନିଜ ଜୀବନ ଉପରେ । ଏଇ ଥିଲା ଗୀତର କାହାଣୀ । ମାତ୍ର ବାପାଙ୍କର ସ୍ୱର ଥିଲା ଆମୋଦଦାୟକ । ଏହା ତୁଳନାରେ ଅବିଶ୍ୱାସୀ କାହାଣୀର ଆକର୍ଷଣ ମ୍ଳାନ ହୋଇପଡ଼ିଥିଲା ।

 

ଷ୍ଟାଣ୍ଡ ବାଟ ଦେଇ ସ୍କୁଲକୁ ଯିବା ବନ୍ଦ କରିଦେଲି । ଲଜ୍ଜିତ ଓ ଅପମାନିତ ହେଲି । ବେଳେବେଳେ ଘୃଣାରେ ମୋ’ର ସର୍ବାଙ୍ଗ ଥରି ଉଠୁଥିଲା । ସାଙ୍ଗମାନେ ଯେତେବେଳେ ବାପାଙ୍କର ଗୀତ ବୋଲା କଥା ଉତ୍‌ଥାପନ କରନ୍ତି, ମୋର କାନମୁଣ୍ଡା ଗରମ ହୋଇଯାଏ । ନିର୍ବୋଧଙ୍କ ଭଳି ଦୟନୀୟ ହସ ହସେ । ସମସ୍ତଙ୍କୁ ଘୃଣା କରିବା ଶିଖିଲି ଏହା ପରଠାରୁ । କାହାରି ସହିତ ମୋର ସମ୍ପର୍କ ରହିଲା ନାହିଁ ।

 

ସମ୍ଭବତଃ ହତାଶ ହୋଇ ବାପା ଫେରିଆସିଲେ ପାନ ଦୋକାନ ଭିତରକୁ । ଏଥର ଚା’-ବରା ଇତ୍ୟାଦି ତିଆରି ହେଲା ସେଠାରେ । ସବୁ ଦେଖି, ଶୁଣି, ସବୁ କଥା ଅଙ୍ଗେ ନିଭେଇବା ପରେ ବି ମଣିଷ କିପରି ଆଶାବାଦୀ ହୋଇ ଜୀବନକୁ ଠେଲିନିଏ, ତାହା ବାପାଙ୍କୁ ଦେଖି ନଥିବା ଲୋକଙ୍କ ପାଇଁ ସ୍ପଷ୍ଟ ହେବ ନାହିଁ । ଏ ଆଶାବାଦୀତାର ମୁହଁ ଦିଶେ ଶୁଖିଲା ଚେର ଛିଣ୍ଡାଇ ଖାଇବାରେ, ବେକରେ ହାର୍ମୋନିୟମ ଝୁଲେଇବାରେ, ବରା ଛାଣି ଆଗନ୍ତୁକ ଗରାଖକୁ ଶେଷହୀନ ଅପେକ୍ଷା କରିବାରେ ।

 

ୟା’ପରେ ଆଉ କ’ଣ ? ବାପା ମଦ ପିଇବା ଆରମ୍ଭ କଲେ । ରାତିରେ ତାଙ୍କର ପ୍ରଳାପ ଶୁଭିଲା । ସେ ପ୍ରଳାପର ସ୍ୱର ଏତେ ତୀକ୍ଷ୍‌ଣ ଥିଲା ଯେ, ସତେ ଯେପରି ତାହା ତାଙ୍କ କଣ୍ଠନଳୀର ସମସ୍ତ ବାଡ଼, ସମସ୍ତ ପ୍ରତିରୋଧକୁ ଅଭିଭୂତ କରି ନିର୍ଗତ ହେଉଥିଲା; ପ୍ରସବ ସମୟର ମାଂସପେଶୀର କଟକଣା ଓ ବେଦନାକୁ ଶିହରିତ କରି ଛୁଆଟିଏ ଖଲାସ ହେଲା ଭଳି । ସେ ପ୍ରଳାପ ଅସ୍ୱୀକାର କରେ ସଂସାରର ସମସ୍ତ ବିଭବ ଓ ଗାରିମାକୁ । ତାହା ସୂଚେଇ ଦିଏ–ଏଇ ପ୍ରଳାପ ହିଁ ସୃଷ୍ଟି । ଏହା ଭିତରେ ଛନ୍ଦି ହୋଇଥିବା ଜଟିଳ ଅର୍ଥ ହିଁ ସୃଷ୍ଟିର ବିନ୍ୟାସ ଓ ପ୍ରକାଶ । ଜୀବନର ଅନ୍ତିମ ଉପସଂହାର ।

 

ଶେଷ ପର୍ଯ୍ୟନ୍ତ ବାପା ମଦ ଛାଡ଼ି ପାରି ନ ଥିଲେ ।

 

କହୁଥିଲି ଯେ, ଇଣ୍ଟରମେଡ଼ିଏଟ୍‌ ପରୀକ୍ଷା ଫଳ ବାହାରିବା ଦିନ ପ୍ରଥମ ଥର ପାଇଁ ଉପରୋକ୍ତ ମଦ ଦୋକାନକୁ ଯାଇଥିଲି । ଅଶ୍ରାବ୍ୟ ଭାଷାରେ ବାପା ଗାଳି ଦେଲେ ପରୀକ୍ଷାରେ ଫେଲ୍‌ ହୋଇଥିବାରୁ । ମୁଁ ଜମା ଆଶା କରି ନ ଥିଲି ଏଭଳି ଭାଷା ତାଙ୍କଠାରୁ । ସେ ନିଜ ଭାବନାକୁ ନେଇ ବଞ୍ଚି ରହିବାର ସାଧନା କରିଥିଲେ । ସେ ଏତେ କମ୍‌ କଥା କହୁଥିଲେ ଯେ, ତାଙ୍କ ଚଳପ୍ରଚଳକୁ ଭୟ ଓ ସତର୍କତାର ସହିତ ଲକ୍ଷ୍ୟ କରିବା ବ୍ୟତୀତ ମୋର ଅନ୍ୟ କିଛି କରିବାର ନଥିଲା । ନିଜକୁ ମୋତେ, ପରିବେଶକୁ, ପୃଥିବୀକୁ ଦେଖି ସେ ସମ୍ଭବତଃ ନିଶ୍ଚିତ ହୋଇ ଯାଇଥିଲେ ଯେ, ଏଠାରେ ସ୍ମିତ ହସ ଅବାନ୍ତର ଓ ପ୍ରତାରଣାମୂଳକ । ତାଙ୍କର ମାନସିକ ଯୋଜନାର ଇଙ୍ଗିତ ମୁଁ ପାଇପାରୁ ନ ଥିଲି । ଏଇଥିପାଇଁ ତାଙ୍କର ସମସ୍ତ କାର୍ଯ୍ୟକଳାପ ମୋର ଅନୁମାନ ଏବଂ ବିଚାରର ଦିଗ୍‌ବଳୟ ଅତିକ୍ରମ କରୁଥିଲା । ମୁଁ ସ୍ତମ୍ଭୀଭୂତ ହେଉଥିଲି ।

 

ଏସବୁ ସହି ନେଉଥିଲି । ହେଲେ ବସ୍‌ଷ୍ଟାଣ୍ଡରେ ବେକରେ ହାର୍ମୋନିୟମ୍‌ ଝୁଲାଇ ଶହ ଶହ ଲୋକଙ୍କ ମନରେ କୌତୁକ ଉଦ୍ରେକ କରିବା କଥାଟାକୁ ବରଦାସ୍ତ କରିବା ମୋ ପକ୍ଷେ ସମ୍ଭବ ହୋଇ ନ ଥିଲା । ମୋତେ ଅକୃତଜ୍ଞ ବୋଲି ଭାବିଲେ ମଧ୍ୟ ସ୍ୱୀକାର କରିବାରେ ଲଜ୍ଜା ନାହିଁ ଯେ, ବାପାଙ୍କୁ ମୁଁ କ୍ଷମା କରି ନ ଥିଲି ଏମିତି ଚଟି ବହି ବିକିବା ଆଳରେ ଆମ ଘରର ଇଜ୍ଜତ ବିକି ଦେଇଥିବାରୁ । ସେଇ ଘଟଣା ପରେ ଆମେ ଦୁହେଁ ସାମନା ସାମନି ହେଲେ ଅପ୍ରତିଭ ହେଉ, ପରସ୍ପରକୁ ଏଡ଼େଇ ଯିବାକୁ ଯତ୍ନବାନ ହେଉଁ । ଆମେ ଦୁହେଁ ପରସ୍ପରକୁ ପାଇ ଗର୍ବିତ ହୋଇ ନ ଥିଲୁ । ଗୋଟାଏ ନିରାସକ୍ତ ବନ୍ଧନ ହିଁ ଆମକୁ ଜୈବିକ ସ୍ତରରେ ଏକତ୍ରିତ କରିଥିଲା ।

 

ଏଇଭଳି ଜଣେ ନୀରବ, ବିମର୍ଷ ମଣିଷ ବାଁ ହାତରେ ଖବରକାଗଜଟିଏ ଧରି ଡାହାଣ ହାତ ହଲାଉ ଥିବାର କଳ୍ପନା କରନ୍ତୁ । ସେ ମଣିଷଟି ଉଚ୍ଚ ସ୍ୱରରେ ଚିତ୍କାର କରି ତା’ର ଏକମାତ୍ର ପୁଅର ମରଣ କାମନା କରିବା କଥା ଭାବନ୍ତୁ । ସେତିକିରେ ଦୁଃଖ ନ ଥିଲା । ହେଲେ ସେ ଯେଉଁ ଭାଷା ! କି ଅଶ୍ଳୀଳ, ଦୁର୍ବିସହ ।

 

ସ୍ଥାନ–ବସ୍‌ଷ୍ଟାଣ୍ଡ । ସେଇ ଦୁର୍ନିବାର ବସ୍‌ଷ୍ଟାଣ୍ଡ । ଜଣେ ଖବରକାଗଜ ବିକ୍ରେତାର ଦୋକାନ ସାମନା । ଚାରିବର୍ଷ ପରେ ବାପା ପୁଣି ଥରେ ଏକ ଆମୋଦଦାୟକ, ସାଙ୍ଘାତିକ ବିଦୂଷକ ଭୂମିକାରେ ଅବତୀର୍ଣ୍ଣ । ଚାରିପଟେ ଘେରି ରହିଥିଲା ସହାନୁଭୂତିହୀନ ହସିଲା ମୁହଁର ଭିଡ଼-। ଆକସ୍ମିକ ଭାବରେ ସେଠାରେ ପହଞ୍ଚି ଭାବିଲି, ଏହାଠାରୁ ଅନ୍ୟ କୌଣସି ଅଭିଜ୍ଞତା ବେଶି ଅପମାନଜନକ, ଜ୍ୱାଳାମୟ ହୋଇପାରେ ?

 

ବାପା ସବୁବେଳେ ଏଇମିତି । କେନ୍ଦ୍ରଚ୍ୟୁତ । ଗୋଟାଏ ଭ୍ରମାତ୍ମକ ପରିଧି ଉପରେ ବିକଳ ହୋଇ ଘୂରି ବୁଲନ୍ତି । ଆଜି ଏ ବୟସରେ ବୁଝୁଛି, ବାପା ଅଶ୍ଳୀଳ ଚିତ୍କାର କରି ସଭିଙ୍କ ମନରେ ଯଦି ନିଜ ପାଇଁ ‘ଆହା’ ଭାବଟିଏ ସୃଷ୍ଟି କରି ପାରିଥାନ୍ତେ କିମ୍ୱା ମୋ’ପ୍ରତି ଅନ୍ୟମାନଙ୍କର ଘୃଣା ରୋଜଗାର କରିଥାନ୍ତେ, ମୁଁ ଆଦୌ ଏତେଟା ଦଗ୍‌ଧୀଭୂତ ହୋଇ ନ ଥାନ୍ତି । ଯାହା ହେଉ ପଛେ, ଗୋଟିଏ କାମରେ ତାଙ୍କର କୃତିତ୍ୱ ଦେଖିଥାନ୍ତି । ତାହା ହେଲା ନାହିଁ । ପୁଣି ହାର୍ମୋନିୟମ୍‌ ଝୁଲାଇ ସେ ଯଦି ବେଶ୍‌ ଦି’ପଇସା ପାଇପାରି ଥାନ୍ତେ; କିମ୍ୱା ପାନ-ବରା ବିକ୍ରେତା ଭାବରେ ଅନ୍ତତଃ ନିଜକୁ ସନ୍ତୁଷ୍ଟ କରିପାରି ଥାନ୍ତେ, ମୋ ମୁଣ୍ଡ ଜମା ତଳକୁ ହୋଇ ନ ଥାନ୍ତା । କୁଆଡ଼ୁ କିଛି ହେଲାନାହିଁ, ଜୀବନଟା ଅସଫଳ ହେଲା ବୋଲି ସମସ୍ତ ପୁଞ୍ଜିଭୂତ କ୍ଷୋଭ ଓ ଅଭିଯୋଗକୁ ଏମିତି ଅସହ୍ୟ ଭାବରେ ପରିପ୍ରକାଶ ଦରିବା କ’ଣ ଦରକାର ଥିଲା ? ଇଣ୍ଟରମେଡ଼ିଏଟ୍‌ ପରୀକ୍ଷାରେ ମୋର ଫେଲ୍‌ ହେବା କଥାଟାକୁ ସେ ଉଦାରତାର ସହିତ ସହିଯିବା ଉଚିତ ଥିଲା । ସେ ଆଶାବାଦୀ ହେଲେ କାହିଁକି ? ପୁଣି ମୋ ପରି ଗୋଟାଏ ନିପାରିଲା ପୁଅ ସମ୍ପର୍କରେ ? ଶେଷ ବେଳକୁ ସେ ଅବଶ୍ୟ ବୁଝିଲେ ଯେ ଭିତ୍ତିହୀନ ଆଶାବାଦୀତା ହିଁ ଜୀବନକୁ କଲବଲ କରେ । ଏଇ ଆଶାବାଦୀତାର ପରିସର ଅତିକ୍ରମ କରି ନିଜର ଉଚ୍ଛୃଙ୍ଖଳ ମନ ଓ ଯୋଜନାକୁ ସ୍ଥୂଳ କରିବା ପାଇଁ ସେ ମଦ ପିଇଲେ । ଏଇ ପିଇବାଟା ହିଁ ଥିଲା ତାଙ୍କ ଜୀବନର ଏକମାତ୍ର ବିଜ୍ଞତା ।

 

ଏଥର ନିଜ କଥା କହୁଛି ।

 

ବାପାଙ୍କ ଶୋଧା ଶୁଣି ପ୍ରତିଜ୍ଞାବଧ ହେଲି ଯେ, ଏହାର ପ୍ରତିଶୋଧ ନେବି । ପ୍ରତିଶୋଧ ନେବି ଆତ୍ମହତ୍ୟା କରିବାରେ । ତାଙ୍କୁ ସମ୍ପୂର୍ଣ୍ଣ ଭାବେ ନିଃସ୍ୱ, ଅବଲମ୍ୱନହୀନ କରିଦେବା ମୋର ଚରମ ଲକ୍ଷ୍ୟ ହେଲା । ତାଙ୍କର ପିତୃତ୍ୱକୁ ଅଗ୍ରାହ୍ୟ କରି, ତାଙ୍କର ସୃଷ୍ଟିକୁ ଧ୍ୱଂସ କରିଦେଲେ ସତେ ଯେମିତି ମୁଁ ମୋର କ୍ଷତବିକ୍ଷତ ଅହଂକାରକୁ ସମ୍ମାନ ଦେଇ ପାରିବି । ଏ ଭାବନା ମୋର ଆତ୍ମାଭିମାନରୁ ଜାତ ହୋଇ ନ ଥିଲା । ଏହା ଥିଲା ମୋର ପ୍ରତିବାଦ ଓ ଘୃଣାର ଧ୍ୱନି ।

 

ବସ୍‌ଷ୍ଟାଣ୍ଡରୁ ଧାଇଁଲି । କ୍ରୋଧ ଓ ଅସ୍ଥିରତା ଯୋଗୁଁ ମୁଁ ଏକ ଧାବମାନ ଶକ୍ତିରେ ରୂପାନ୍ତରିତ ହୋଇ ଯାଇଥିଲି । ମୋର ଦୈହିକ ଆକୃତି, ଚିନ୍ତାଧାରା ସବୁ ଦ୍ରବୀଭୂତ ହୋଇ ଯାଇଥିଲା ଏହି ଅଭୂତପୂର୍ବ ଶକ୍ତି ଭିତରେ । ସେତେବେଳେ ସାରା ବିଶ୍ୱ ମୋହାଚ୍ଛନ୍ନ ହୋଇ ଯାଇଥିଲା । ଏହା ଭିତରେ କମ୍ପନ ନ ଥିଲା, ଗତି ନ ଥିଲା, କ୍ରିୟା-ପ୍ରକ୍ରିୟା ନ ଥିଲା । ସବୁ ଜିନିଷ ସ୍ଥିର ଓ ଶଙ୍କାଗ୍ରସ୍ତ ହୋଇ ସତେ ଯେପରି ମୋତେ ଲକ୍ଷ୍ୟ କରୁଥିଲେ ସମସ୍ତ ଉଦବେଗର ସହିତ । ମୋ’ପାଇଁ ରାସ୍ତାଘାଟ, ଯାନ ବାହନ, ମଣିଷ, କୋଠାବାଡ଼ି, ଗଛପତ୍ର, ଆକାଶ, ପବନ–କୌଣସି ଜିନିଷର ସ୍ୱତନ୍ତ୍ର ସ୍ଥିତି କିମ୍ୱା ଆକାର ନ ଥିଲା । ମହାଶୂନ୍ୟରେ ସମସ୍ତେ ମିଳେଇ ଯାଇ ଏ ପୃଥିବୀ ସୃଷ୍ଟି ହେବାର ପୂର୍ବାବସ୍ଥାକୁ ପୁନରାୟ ଫେରାଇ ଆଣିଥିଲେ ମୋ କ୍ରୋଧ ଓ ପ୍ରତିଶୋଧର ସମ୍ମାନ ପାଇଁ । ମୋ ଧାଇଁବା ହିଁ ଥିଲା ସେତେବେଳେ ଏକମାତ୍ର କ୍ରିୟା, ଏକମାତ୍ର ବାସ୍ତବ ଘଟଣା ।

 

କିନ୍ତୁ, କହିବା ବାହୁଲ୍ୟ, ନିଜକୁ ଧ୍ୱଂସ କରିପାରିଲି ନାହିଁ । ସହରଠାରୁ ଅନେକ ଦୂରରେ ପହଞ୍ଚିଲା ବେଳକୁ ମୋ ଦେହର ଶକ୍ତି ଝାଳ, ଗରମନିଃଶ୍ୱାସ ଓ କ୍ଳାନ୍ତି ଆକାରରେ ଚିପୁଡ଼ି ହୋଇଯାଉଥିଲା । ମୁଁ ଅବଶ ଓ ଅକର୍ମଣ୍ୟ ହୋଇ ପଡ଼ୁଥିଲି, ମୋ ମନର ପ୍ରତିଜ୍ଞା ଓ ଦୃଢ଼ତା କ୍ରମଶଃ କତରା ହୋଇ ଦୋହଲି ଯାଉଥିଲା । ନାଲିମାଟି ବିଛା ହୋଇଥିବା ଅଣଓସାରିଆ ରାସ୍ତାରେ ଧଇଁସଇଁ ହୋଇ ଚାଲିବା ବେଳକୁ ମୁଁ ଆତ୍ମସଚେତନତା ଭିତରକୁ ଫେରି ଆସୁଥିଲି । ମୋ ଚାରିପଟେ ଘେରି ରହିଥିବା ପରିବେଶ ନିଜର ସ୍ଥିତି ଓ ଆକାର ଫେରି ପାଉଥିଲା । ଚାରିଆଡ଼ୁ ଦୃଷ୍ଟି ବୁଲାଇ ଆବିଷ୍କାର କଲି ଯେ, ବ୍ୟାପକ ଶସ୍ୟ କ୍ଷେତ୍ରର କଙ୍କାଳ ମଝିରେ ମେରୁଦଣ୍ଡ ଉପରେ ମୁଁ ଠିଆ ହୋଇଛି । ଗୋଟାଏ ନିରାନନ୍ଦ, ନଗ୍ନ ପରିବେଶ । ହାଡ଼ମୟ ହିଡ଼ମାନଙ୍କ ମଝିରେ କେବଳ ଦିଶୁଥିଲା ମାଟିର ଅଥର୍ବତା ଓ କେଉଁଠି କେମିତି ଘାସର ଶଙ୍କିତ ନିଃସଙ୍ଗ ସବୁଜିମା ।

 

ନିଜର ଗତି ଅବ୍ୟାହତ ରଖିବାକୁ ଚେଷ୍ଟା କରି ପୁଣି ଧାଇଁବାକୁ ଉଦ୍ୟତ ହେଲାବେଳେ ରାସ୍ତାକଡ଼କୁ ଭୁଷୁଡ଼ି ପଡ଼ିଲି । ମାଟି ଓ ଘାସକୁ ମୁଠେଇ ଗୁରୁଣ୍ଡିବାକୁ ଆରମ୍ଭ କଲି ସିନା; ମାତ୍ର ଦୁଇ-ତିନି ମିଟର ଆଗକୁ ବଢ଼ିବା ପରେ ଆପଣା ଛାଏଁ ହାତ ଶିଥିଳ ହୋଇଗଲା । ମାଟି ଉପରେ ମୁହଁ ରଖି ମନର ଦୃଢ଼ତା ଓ ସଂକଳ୍ପ କଥା ମନେ ପକାଇବା କ୍ଷଣି ଆଖି ଲୁହରେ ଛଳ ଛଳ ହୋଇଗଲା ଏବଂ ତା’ପରେ ଏକ ଦାରୁଣ ଶୋକ ଓ କୋହ ମୋତେ ନିରସ୍ତ୍ର କରିଦେଲା ।

 

ନିଦ ଭାଙ୍ଗିଲା ବେଳକୁ ସମଗ୍ର ଆକାଶ ତାରକାଚ୍ଛନ୍ନ ହୋଇ ଯାଇଥିବାର ଦେଖିଲି । ପଶ୍ଚିମ ଦିଗରେ ମ୍ଳାନ, ଖଣ୍ଡିତ ଜହ୍ନ । ଟ୍ରେନ୍‌ର ହୁଇସିଲ୍‌ ଅସ୍ପଷ୍ଟ ହୋଇ ହଜିଗଲା ନୀରବତା ଭିତରେ । ମୋ ଚାରିପଟେ ଖାଁ.......ଖାଁ......ଆବାଜ୍‌ ମୋତେ ବେଶ୍‌ ଭୟଭୀତ କରିଦେଲା । ସେଭଳି ବ୍ୟାପକତା ଓ ଶୂନ୍ୟତା ଭିତରେ ମୁଁ ଥିଲି ବିନ୍ଦୁଏ ଜୀବନ । ଡରିଗଲି । ନିଜ ଜୀବନ ପ୍ରତି ରହିଥିବା ମୋହ ଓ ଆନ୍ତରିକତା ପ୍ରମାଣିତ ହୋଇଗଲା ଏହାଦ୍ୱାରା । ନିଜକୁ ଧ୍ୱଂସ କରିବା ପାଇଁ ଯେଉଁ ସର୍ବଶେଷ, ଅନାସକ୍ତ ଓ ବନ୍ଧନହୀନ ଭାବ ଲୋଡ଼ା, ତାହା ମୋ’ଠାରେ ନାହିଁ ବୋଲି ସ୍ୱୀକାର କରିବାକୁ ପଡ଼ିଲା । ନିଜ ଉପରୁ ଆସ୍ଥା ହରାଇଲି । ଘୃଣା କଲି ନିଜକୁ ।

 

ଚାଲିବା ଆରମ୍ଭ କଲି ୟା’ପରେ । କ୍ଳାନ୍ତି ଓ ଭୋକରେ ଜଡ଼ସଡ଼ ହୋଇ ଯାଇଥିଲି ମୁଁ । ସେଇ ନୀରବ, ଉଦାସ ପରିବେଶ ଥିଲା ମୋ’ପାଇଁ ଅସହ୍ୟ । ଏକ ବିଚିତ୍ର ବ୍ୟାକୁଳତା ମୋତେ ଫେରାଇ ନେଉଥିଲା ସହର ଭିତରକୁ–ଏହାର କୋଳାହଳ, ଗହଳି ଭିତରକୁ ।

 

ଅନ୍ତତଃ ଦେଢ଼ଘଣ୍ଟା ଚାଲିବା ପରେ ଅଟକିଗଲି । ରାସ୍ତାର ବାଁ ପଟେ ଥିବା ଉପରୋକ୍ତ ମଦଦୋକାନ ସାମନାରେ ଠିଆ ହେଲି । ପକଟରେ ହାତ ଭର୍ତ୍ତିକଲି ଏବଂ ଉତ୍ସାହିତ ହେଲି । ମଦ ଦୋକାନ ମୋ ମନରେ ଆଶା ଓ ବିଶ୍ୱାସ ସଞ୍ଚାର କଲା । ବିମୁଗ୍‌ଧ ହୋଇ ସେଇ ଆଡ଼କୁ ଆଗେଇଲି ।

 

କୋଡ଼ିଏ-ପଚିଶ ମିଟର ଲମ୍ୱର ନିରାଡ଼ମ୍ୱର, କପଟହୀନ ଘରଟିଏ । ନଡ଼ାଢଙ୍କା । ମାଟି କାନ୍ଥ । ମାଟି ଚଟାଣ । ଘର ସାମନାରେ ପୋତା ହୋଇଥିବା ବାଉଁଶରୁ ଝୁଲୁଛି ପ୍ରାୟ ଷାଠିଏ ଓ୍ୱାଟ୍‌ର ବଲ୍‌ବଟିଏ । ଥୁଆ ହୋଇଛି ପାଞ୍ଚ-ଛ’ଟି ଦଉଡ଼ିଆ ଖଟ । ପୁଣି ଆଠ-ଦଶଟି ଚେୟାର ଓ ବେଞ୍ଚ । ଆସବାବଗୁଡ଼ିକ ପୁରୁଣା, ମଇଳା ଶସ୍ତା ଲୋକମାନଙ୍କ ଦ୍ୱାରା ସବୁ ଭରପୁର ।

 

ଦୋକାନ ଆଡ଼କୁ ଦୁଇଚାରି ପାଦ ଆଗେଇବା ପରେ ଅଟକିଗଲି । ମୋତେ ଲାଗୁଥାଏ ଏହା ଏକ ନିଷେଧାଞ୍ଚଳ । ଭିତରକୁ ପଶିବାକୁ ହେଲେ ନିର୍ଦ୍ଦିଷ୍ଟ ଯୋଗ୍ୟତା ଦରକାର । ମୁଁ ଇତସ୍ତତଃ ହେଲି । ଚାରି ପାଞ୍ଚ ଜଣ ଲୋକ ଟଳି ଟଳି ବେପରୁଆ ଭାବରେ ଉଚ୍ଚ ସ୍ୱରରେ ପାଟିତୁଣ୍ଡ କରି ରାସ୍ତା ଉପରକୁ ଗଲେ । କୌଣସି ଜିନିଷ ପ୍ରତି ଆଦୌ ସଚେତନ ନ ହୋଇ ସେମାନେ ଆଗେଇ ଚାଲିଲେ ସହର ଆଡ଼କୁ । ସେମାନଙ୍କୁ ଦେଖି, ମାତାଲ ଲୋକମାନଙ୍କ ପ୍ରତି ମୋ ମନରେ ରହିଥିବା ଅହେତୁକ ଭୟ ଓ ଅନାଦର ସଙ୍କୁଚିତ ହୋଇଯାଉଥିଲା । ସେମାନଙ୍କ ପ୍ରତି ମୋ ମନରେ ସୃଷ୍ଟି ହେଲା ସମ୍ମାନବୋଧ, ସମର୍ଥନ । ମୋତେ ଲାଗିଲା ସେମାନେ ମୋର ଖୁବ୍‌ ସମ୍ପର୍କୀୟ । ଗୋଟିଏ ଶୋକାତୁର ଗଳ୍ପର ଆମେ ସମସ୍ତେ ଗୋଟିଏ ଗୋଟିଏ ଚରିତ୍ର; ତେଣୁ ସମକର୍ମୀ ।

 

ବାହାରେ ଓ ଭିତରେ ବସିଥିବା ଲୋକମାନଙ୍କର ପାଟିତୁଣ୍ଡ, ଉଚ୍ଚ ସ୍ୱରର ହସ, ଛନ୍ଦି ହେଉଥିବା ଭାଷାଶୁଣି ମୁଁ ପ୍ରଲୁବ୍‌ଧ ହେଲି, ସିଧା ପଶିଲି ଘର ଭିତରେ ।

 

ଡାହାଣ ପାଖରେ ରୁଟି, ତରକାରୀ ତିଆରି ଚାଲିଥାଏ । ଅଣ୍ଡାଭଜା, ମାଂସ ରନ୍ଧା ହେଉଥାଏ । ଦୁଇଜଣ ବୟ ବରାଦ ମୁତାବକ ଏସବୁ ଯୋଗାଉଥାନ୍ତି ଗରାଖମାନଙ୍କୁ । ଗ୍ଲାସ, ବୋତଲ ଥୁଆ ହେଉଥାଏ ଟେବୁଲ, ବେଞ୍ଚ ଉପରେ । ସାମନା କାନ୍ଥକୁ ଲାଗି ଠିଆ ହୋଇଥିଲା ଗୋଟାଏ ସେଲ୍‌ଫ । ଶହ ଶହ ନାଲି ରଙ୍ଗର ଫମ୍ପା ବୋତଲ–ସମ୍ଭବତଃ ମଦର ଶୂନ୍ୟ ଚମଡ଼ା ସବୁ ଥୁଆ ହୋଇଥିଲା । ସେସବୁକୁ ଘୋଡ଼ାଇ ଥିଲା ଧୂଳି ଓ ବୁଢ଼ିଆଣୀ ଜାଲର ପଲସ୍ତରା । ସେଲ୍‌ଫ ଉପରକୁ ଟଙ୍ଗା ହୋଇଥିଲା ଗୋଟାଏ ବାଘ ଚମଡ଼ା । ସ୍ଥାନେ ସ୍ଥାନେ ଲୋମ ନଥିବାରୁ ସେଇଟା ଦିଶୁଥିଲା କଦାକାର, ରୁଚିହୀନ । ତା’ପାଖରେ ମାଟିରେ ତିଆରି ହଳେ ହରିଣମୁଣ୍ଡ ଟଙ୍ଗା ଯାଇଥିଲା-। ତହିଁରୁ ରଙ୍ଗର ବକଳ ଉଠିଯାଇଥିଲା । ମୋର ଚଞ୍ଚଳ ଆଖି ବୁଲି ଆସିଲା ସବୁ ଆଡ଼ୁ, ମଦ ପିଉଥିବା ଲୋକଙ୍କ ଉପରୁ । ୟା’ପରେ ଦୃଷ୍ଟି ପଡ଼ିଲା ଅନ୍ୟ ପାଖରେ ଠିଆ ହୋଇଥିବା ନିର୍ବିକାର ମଣିଷଟି ଉପରେ ।

 

ମୁଁ ନିଃସନ୍ଦେହ ଥିଲି ଯେ, ସେହି ହିଁ ମଦବିକାଳି । ତା’ ପାଖକୁ ଯିବା ଦରକାର ନ ଥିଲା; କିନ୍ତୁ ଗଲି କାହିଁକି କେଜାଣି । ମଦ ପିଇବାକୁ ଆସିଛି ବୋଲି କହିବା ଆଗରୁ ମୋର ଦୃଷ୍ଟି ଲୋକଟିର ମୁହଁ ଉପରେ ପଡ଼ିଲା । ଉନ୍ମୁକ୍ତ ପାଟିରେ ମୁଁ ତାକୁ ଖାଲି ଚାହିଁ ରହିଲି । ତା’ପରେ ଦୃଷ୍ଟି ଫେରାଇ ଭାବିଲି ଏ ଘରୁ ଦୌଡ଼ି ପଳାଇବି । ମଦ ବିକାଳି ଜଣକ ଦିଶୁଥିଲା କଦାକାର, ନାରକୀୟ ଓ ପୈଶାଚିକ ।

 

ପକେଟରେ ଥିବା ଖୁଚୁରା ପଇସାକୁ ଅଜାଣତରେ ଜାବୁଡ଼ି ଧରିଥିଲି । ଡାହାଣ ହାତ ପାପୁଲି ବିନ୍ଧି ଉଠିଲା । ପୁନରାୟ ସାହସ ସଞ୍ଚୟ କରି ଆସ୍ତେ ମୁଣ୍ଡଟେକି ଚାହିଁଲି ମଦବିକାଳିର ଟେବୁଲକୁ ତା’ ଉପରେ ଥୁଆ ହୋଇଥିବା ଛୋଟ ଚିକିଟା ଟିଣ ବାକ୍‌ସକୁ । ତା’ ଉପରେ ଲୋକଟିର ଅଣ୍ଟାକୁ । ଗୋଟାଏ ଗାର ଗାରିଆ ଲୁଙ୍ଗି ଘୋଡ଼ାଇ ରଖିଛି ଅସମ୍ଭବ ଏକ ପୃଥୁଳ ପେଟକୁ । ଗାଢ଼ ନାଲି ରଙ୍ଗର ଫୁଲ ସାର୍ଟ । ବାମ ହାତର ସ୍ଲିଭ ଟେକା ଯାଇଛି । ସେଇ ଲୋମଶ, ବଳିଷ୍ଠ ହାତଟା ଲମ୍ୱି ଆସିଛି ଟିଣ ବାକ୍‌ସ ଉପରକୁ । ଲୋକଟିର ମୁହଁକୁ ଚାହିଁବା ପରିବର୍ତ୍ତେ ତା’ର ଡାହାଣ ପାଖ କାନ୍ଥକୁ ଚାହିଁଲି । ନାଲି ଜରିକାଗଜ ଆବୃତ ବଲ୍‌ବଟାଏ ଜଳୁଛି ଗୋଟାଏ ରକ୍ତାକ୍ତ ଆଖିଭଳି । ଲୋକଟିର ଡାହାଣ ପାଖକୁ ଚାହିଁ ଆର୍ତ୍ତନାଦ କରୁ କରୁ ସମ୍ଭାଳି ନେଲି ନିଜକୁ । ତା’ର ଡାହାଣ ହାତଟି କଟି ଯାଇଛି କହୁଣୀରୁ । ନାଲି କମିଜର ସ୍ଲିଭଟି ଝୁଲି ରହିଛି ଗୋଟାଏ ବିଧ୍ୱସ୍ତ ରଙ୍ଗମଞ୍ଚର ଶୋକାର୍ତ୍ତ ପର୍ଦ୍ଦା ଭଳି ।

 

ତା’ ମୁହଁଙ୍କୁ ଚାହିଁଲି ଏଥର । ଆଠ ଦଶଦିନର ଦାଢ଼ି ସମ୍ୱଳିତ ଗୋଟାଏ ବିପୁଳ ମୁହଁ–କଠିନ, କର୍କଶ । ହଳେ ବିଶାଳ ନିଶ । ଏ ଲୋକଟିର ନିର୍ମାତାଙ୍କର ହୁଏତ ଯୋଜନା ଥିଲା ସମୁଦାୟ ମୁହଁଟିକୁ ଗୋଟିଏ ନାକରେ ତିଆରି କରି ଅଦ୍ଭୁତ ମଣିଷଟିଏ ସୃଷ୍ଟି କରିବାପାଇଁ–ଏତେ ବିରାଟ ଥିଲା ସେ ନାକ ଦୁଇଟି କଳା ଗହ୍ୱର ଭିତରେ ଦୁଇଟି ଜ୍ୱଳନ୍ତ ବିନ୍ଦୁ–ଆଖି । କପାଳର ଡାହାଣ ପାଖ ପୋଡ଼ି ଯାଉଁ ଯାଉଁ ଅଳ୍ପକେ ରକ୍ଷା ପାଇ ଯାଇଛି ଯେମିତି । ମୁଣ୍ଡରେ ବୋଝେ ଲମ୍ୱା, ନୁଖୁରା, ଅଯତ୍ନ ବାଳ ।

 

ଏତେବେଳେ ଯାଏ ଲୋକଟି ମୋର ଦ୍ୱିଧାଗ୍ରସ୍ତ ଆଖି ଦୁଇଟିକୁ ଚାହିଁ ତା’ ଅନ୍ତରାଳରେ ଥିବା ହୃଦୟ ମନକୁ ଘାଣ୍ଟି ଚକଟି ମୋର ଭାବନା ପଢ଼ିବାକୁ ଚେଷ୍ଟା କରୁଥିଲା ବୋଧହୁଏ । ମାନୁଛି ଲୋକଟିର ଦୃଷ୍ଟିଥିଲା ଦୁରନ୍ତ, ନିର୍ଲିପ୍ତ, ତଥାପି ସେ ଦୃଷ୍ଟି ମନକୁ ସ୍ଥିର କରେ, ବନ୍ଦୀକରେ; ଅଥଚ ବିଚଳିତ କରେ ।

 

ଭାବିଲି ଫେରିଯିବି । ମାତ୍ର ଠିକ୍‌ ସେତିକିବେଳେ ଲୋକଟିର ଓଠ ପ୍ରସାରିତ ହେଲା । ତା’ର ଚକ୍‌ ଚକ୍‌ ଦାନ୍ତ ମଧ୍ୟରୁ ଆଗ ଦାନ୍ତ ଦୁଇଟି ଭାଙ୍ଗି ଯାଇଥିଲା ଏବଂ ଗୋଟାଏ ବିସ୍ମୟକର, ଲୁକ୍‌କାୟିତ ଘରର ଝରକା ବୋଲି ଭ୍ରମ ସୃଷ୍ଟି କଲା । ସେଇ ଝରକା ଦେଇ ଭିତରର ଭାଷା ପଢ଼ିବାକୁ ଚେଷ୍ଟା କଲି । ମାତ୍ର ସବୁଥିଲା ଅନ୍ଧକାରବୃତ୍ତ ଓ ରହସ୍ୟମୟ ।

 

ଚାଲି ଆସିଲି ସେଠାରୁ । ଦୂରରେ ଥିବା ଗୋଟାଏ ଖାଲି ବେଞ୍ଚ ଦେଖି ବସିପଡ଼ିଲି । ଏମିତି ସ୍ଥାନରେ ବସିଲି, ଯେମିତି ମଦ ବିକାଳି ମୋତେ ଦେଖିପାରିବ ନାହିଁ; ଅଥଚ ମୁଁ ଦେଖି ପାରିବି ତାକୁ ।

 

–‘‘କ’ଣ ?’’ ପ୍ରଶ୍ନଟା ଶୁଣି ମୁଁ ଚାହିଁଲି ସାମନାକୁ ।

 

–‘‘ଗିଲାସେ– ।’’ ଠିଆ ହୋଇଥିବା ବୟର ଉତ୍ତର ଠିକ୍‌ ଭାବେ ଦେଇ ପାରିଲି ନାହିଁ ।

 

–‘‘କ’ଣ ?’’ ସେ ଆଉଥରେ ପଚାରିଲା ।

 

–‘‘ପାଣି ।’’

 

ଦୀର୍ଘ ସମୟ ପରେ ଏତିକିମାତ୍ର କଥୋପକଥନ । ତା’ପରେ ଗିଲାସଟିକୁ ହାତରେ ଧରି ମୁହୂର୍ତ୍ତକ ମଧ୍ୟରେ ପାଣିତକ ନିଃଶେଷ କଲି ।

 

ଜଣେ ବିକ୍ରେତା ଏଭଳି ନିର୍ଲିପ୍ତ, ତା’ର ଚତୁଃପାର୍ଶ୍ୱଠାରୁ ଏତେ ବିଚ୍ଛିନ୍ନ ହୋଇପାରେ ବୋଲି ମୋର ଆଦୌ ଧାରଣା ନ ଥିଲା । ଜଣେ ବିକ୍ରେତାର ଚିରାଚରିତ ପ୍ରରୋଚନା ଓ ଆକର୍ଷଣ କାହିଁ, ମାତଲାମି ବିକୁଥିବା ଏଇ ଅଦ୍ଭୁତ ମଣିଷଟି ପାଖରେ ? ସେ ଠିଆହୋଇ କେବଳ ଦେଖୁଛି ଗରାଖମାନଙ୍କୁ । ହୁଏତ ଆସକ୍ତିହୀନ ଭାବରେ ପର୍ଯ୍ୟବେକ୍ଷଣ କରୁଛି ସେମାନଙ୍କର ସଂକଟକୁ । ମଣିଷ ଓ ତା’ର ଅନିବାର୍ଯ୍ୟ କାଟାଷ୍ଟ୍ରଫି କଥା ଚିନ୍ତାକରି ସେ ହୁଏତ ଶବ୍ଦହୀନ ଭାଷାରେ ଘୋଷଣା କରୁଛି ଯେ, ଏଇ ସଂକଟ ଗୋଟାଏ ଛିନ୍ନହାତ, ଏହାକୁ ମାତଲାମି ଅଯତ୍ନ ଭାବରେ ଘୋଡ଼େଇ ରଖେ କମିଜର ସ୍କିଭ ଭଳି । କମିଜକୁ କାଢ଼ିନିଅ; ସେ ସଙ୍କଟର ଭୟାବହରୂପ ସକଳ ପ୍ରତିକାରକୁ ଅମାନ୍ୟ କରି ଠିଆହେବ ସତ୍ୟତା ଓ ସ୍ୱଚ୍ଛତାର ଆଲୋକ ନେଇ । ପ୍ରଥମ ଥର ପାଇଁ ଏକ ବିଚିତ୍ର ଧାରଣା ମୋ ମନରେ ଦୃଢ଼ୀଭୂତ ହେଉଥିଲା । ଏଇ ମାତଲାମି-ବିକ୍ରେତାଟି ନିଃସନ୍ଦେହରେ ଜଣେ ଦାର୍ଶନିକ । ପୃଥିବୀର ସମସ୍ତ ଦାର୍ଶନିକ ନିଶ୍ଚୟ ତାଙ୍କ ଜୀବନକାଳ ମଧ୍ୟରେ ମଦ ବିକିଥିବେ ।

 

ଘରେ ପହଞ୍ଚିଲି ରାତି ବାରଟା ବେଳକୁ । ବାପାଙ୍କର ପ୍ରଳାପ ଶୁଭୁଥାଏ । ଜାଣିଲି, ସେ ମଦ ପିଇଛନ୍ତି । ସେଇ ଥିଲା ତାଙ୍କର ପ୍ରଥମ ମଦ ପିଇବା । କ୍ରୋଧ କିମ୍ୱା ଅନାଦର ନୁହେଁ; ଗଭୀର ସମ୍ୱେଦନଶୀଳତାରେ ବିଭୋର ହୋଇ ଆମକୁ ଗ୍ରାସ କରିଥିବା ଗୋଟାଏ ସଜ୍ଞାତୀତ କାଟାଷ୍ଟ୍ରଫି କଥା ଚିନ୍ତା କରୁଥିଲି । ରାତିଟି କଟାଇଲି ବାପାଙ୍କର ପାନ ଦୋକାନରେ ପ୍ରଥମ ଥର ପାଇଁ । ଆଦୌ ନିଦ ହେଲା ନାହିଁ ବୋଲି କହିବା ନିଷ୍ପ୍ରୟୋଜନ ବୋଧହୁଏ !

 

ଇଣ୍ଟରମେଡ଼ିଏଟ୍‌ ପରୀକ୍ଷା ଫଳ ବାହାରିବା ଦିନ ମଦ ଦୋକାନରୁ ଗିଲାସେ ପାଣି ପିଇ ଫେରି ଆସିଥିଲି; ମଦ ବିକାଳିର ଚେହେରାର ପ୍ରଭାବରୁ ନିଜକୁ ମୁକ୍ତ କରିପାରି ନ ଥିଲି ବୋଲି । ସେଇ ଦୋକାନ ବର୍ତ୍ତମାନ ମୋର ସବୁଠାରୁ ବେଶିପରିଚିତ ଓ ଅନ୍ତରଙ୍ଗ ।

 

ଘରପାଖ ବେସରକାରୀ ହାଇସ୍କୁଲରେ ପି:ଟି:ଆଇ ହେବା ପରେ ମୁଁ ଜଣେ ଧନଶାଳୀ ନାଗରିକ ହୋଇ ନାହିଁ । ଶନିବାର ଦିନ ସକାଳ ସାତଟାରେ ହୁଇସିଲ୍‌ ଫୁଙ୍କି ମାସ୍‌ ଡ୍ରିଲ୍‌ କରାଇବା କାର୍ଯ୍ୟଟିକୁ ମର୍ଯ୍ୟଦାବନ୍ତ କାର୍ଯ୍ୟ ବୋଲି ମୁଁ କେବେହେଲେ ଭାବି ନାହିଁ । ସ୍କୁଲକୁ ଯାଏ, କମନ୍‌ରୁମ୍‌ ଚେୟାରରେ ବସି ଟେବୁଲ ଉପରେ ମୁଣ୍ଡ ଥୋଇ ଶୋଇପଡ଼େ । ଅସ୍ଥିରତାର ସହିତ ଅପେକ୍ଷା କରେ ଦରମା ପାଇବା ଦିନଟିକୁ; ଯେମିତି ପାନ ଚା-ବରା ଦୋକାନ ଖୋଲି ବାପା ଅପେକ୍ଷା କରୁଥିଲେ ଅଜଣା ଗ୍ରାହକକୁ । ଯେଉଁ ଶନିବାର ଦିନ ଅସ୍ୱସ୍ତିକର ହ୍ୟାଙ୍ଗ୍‌-ଓଭର ମୋତେ କାବୁ କରି ରଖିଥାଏ ଏବଂ ଆପାତତଃ ମୋର ଚେତନା ମାତଲାମିର ବ୍ରାକେଟ୍‌ ପାଖରେ ଅଟକି ରହିଥାଏ, ମୁଁ ଭାବେ ମୋ ପାଟିର ହୁଇସିଲ୍‌ ସମ୍ପ୍ରସାରିତ ହେଉଛି ଏବଂ ଶେଷରେ ଗୋଟାଏ ହାର୍ମୋନିୟମରେ ରୂପାନ୍ତରିତ ହୋଇ ଝୁଲି ରହୁଛି ମୋ ବେକରୁ । ଏଇ ହେଲା ଆଠବର୍ଷରଚାକିରି ଜୀବନ ।

 

ଦାରିଦ୍ର୍ୟ ଓ ସାଂସାରିକ ଜୀବନର ବିଫଳତା ସତ୍ତ୍ୱେ, ପୁଣି ଏହା ଯୋଗୁଁ ମୁଁ ମଦ ପିଏ । ମଦ ପିଇବା ସପକ୍ଷରେ କୌଣସି ଓକିଲାତି, କୌଣସି ସ୍ଳୋଗାନ ଅନାବଶ୍ୟକ । ମୋର ହୃଦବୋଧ ହୋଇଛି ଯେ ମାତଲାମି ଓ ଆତ୍ମସଚେତନା ଦୁଇଟି ବ୍ରାକେଟ୍‌ । ଏହା ମଧ୍ୟରେ କୌଣସି ଅନିର୍ଦ୍ଦିଷ୍ଟ ବିନ୍ଦୁରେ ଜୀବନ ଅଟକି ରହିଥାଏ । ଏ ଦୁଇ ବ୍ରାକେଟ୍‌ ଜୀବନକୁ ଧରି ରଖିଥାନ୍ତି । ସବୁବେଳେ ଆତ୍ମସଚେତନ ହୋଇ କେହି ଜଣେ ବଞ୍ଚିବାକୁ ଚେଷ୍ଟାକରୁ–ତା’ହେଲେ ତା’ ଜୀବନ ହୋଇପଡ଼ିବ ଶେଷହୀନ ମଧ୍ୟାହ୍ନର ଖରା । ଏଇଥିପାଇଁ ସେ ଖସି ଆସିବାକୁ ବାଧ୍ୟ ଏଇ ବ୍ରାକେଟ୍‍ ପାଖରୁ । ଅଥଚ ଚବିଶ ଘଣ୍ଟା ମାତଲାମି ଭିତରେ ଜୀବନ ପୋତି ହୋଇ ପାରିବ ନାହିଁ । ତେଣୁ ଆତ୍ମସଚେତନତା ଯୋଗୁଁ ଆମେ ଯଦି ଖାଲି କଙ୍କାଳଗୁଡ଼ିଏ ଦେଖୁ, ମାତଲାମି ଯୋଗୁଁ ଦେଖୁ ତା’ଉପରେ ମାଂସ ଓ ମସୃଣତା । ଗୋଟାଏ ଭଙ୍ଗା ହାତର ବାସ୍ତବତାକୁ ଘୋଡ଼ାଇ ରଖିବା ଉଚିତ୍‌ କମିଜ୍‌ର ଅସ୍ଥାୟୀ ମିଛ ଉହାଡ଼ରେ । ସୃଷ୍ଟି ଏଇଭଳି ।

 

ମୁଁ ବେଶ୍‌ ଉତ୍ତେଜିତ ହେଲି । ସେତେବେଳକୁ ସନ୍ଧ୍ୟା ଛ’ଟା । କମିଜ୍‌ ପିନ୍ଧି ବାହାରକୁ ଗଲାବେଳେ ଦେଖିଲି ମୀନା ଠିଆ ହୋଇଛି ଦ୍ୱାର ପାଖରେ । ପିନ୍ଧିଛି ଆକର୍ଷଣୀୟ ଶାଢ଼ି ଓ ବ୍ଲାଉଜ୍‌-। ମୁହଁରେ ପାଉଡର, ଆଖିରେ କଜ୍ଜଳ । ଯତ୍ନର ସହିତ ମୁଣ୍ଡ କୁଣ୍ଡେଇଛି । ଅଟକି ଗଲି ଓ ଚାହିଁଲି ତା’ ମୁହଁକୁ । ସେଇ ଚିରାଚରିତ ବେଖାତିର ଭାବ, ମନରେ ଆଘାତ ସୃଷ୍ଟି କରିବାର ତତ୍ପରତା । ମୁଁ ଆଗେଇ ଯାଇଥିଲି ।

 

–‘‘ରିକ୍‌ସା ଡାକିବାକୁ ଯାଉଛ ?’’

 

–‘‘ରିକ୍‌ସା !’’ ବିସ୍ମିତ ହେଲି । ଠିଆ ହୋଇ ଚାହିଁଲି ତା’ ମୁହଁକୁ ।

 

–‘‘ମନେ ନାହିଁ ପରା ! ଗତ କାଲି କହିଥିଲି ଭାଇଙ୍କ ପାଖକୁ ଯିବି ବୋଲି । ତୁମେ ‘ହଁ’ କହିଥିଲ । ରାତି ଆଠଟାରେ ବସ୍‌ ।’’ ସ୍ୱରରେ ଥିଲା ଆଦେଶ ଦେବାର କଠିନତା ।

 

–‘‘ଓ !’’ କହିଲ ଏବଂ ଆଗକୁ ଯିବାର ଉପକ୍ରମ କଲି ।

 

–‘‘ଓ, କ’ଣ ? ରିକ୍‌ସା ଡାକ । କାଲି ଯିବ ମଦ ପିଇବାକୁ ।’’

 

–‘‘ମଦ ପିଇବାକୁ ଯାଉନାହିଁ ।’’ କିଛିକ୍ଷଣ ଅଟକି ଯାଇ ଦାର୍ଶନିକ ତତ୍ତ୍ୱ ଶୁଣାଇଲି–‘‘ଯାଉଛି କାନ୍ଦିବାକୁ । ମୋ’ପାଇଁ କାନ୍ଦିବାର ଅନ୍ୟ ନାମ ହେଉଛି ମାତାଲ ହେବା । ଆମେ ସଉକରେ ମଦ ପିଉନା ?’’ ଟିକିଏ ଦମ୍‌ ନେଇ ଦୃଢ଼ ସ୍ୱରରେ କହିଲି–‘‘ତୁମେ କେଉଁଆଡ଼େ ଯାଇ ପାରିବ ନାହିଁ । ଏଇ ମାସକ ତଳେ ବାପଘରେ ଚାରିମାସ ରହି ଫେରିଛ ।’’

 

–‘‘ଭଲ ହେଲା ।’’ କ୍ରୋଧ ଓ ଆବେଗରେ ତା’ର କଣ୍ଠସ୍ୱର କମ୍ପିବାକୁ ଆରମ୍ଭ କରିଥିଲା–‘‘ମୁଁ ଯିବି । ତୁମେ ରିକ୍‌ସା ଡାକ ବା ନ ଡାକ । ଆଉ ଫେରିବି ନାହିଁ ।’’

 

–‘‘ତୁମପାଇଁ ଘରର ଅଭାବ ନାହିଁ । କିଛି ନ ହେଲେ ମହେଶ ପାଖକୁ ଚାଲିଯାଇପାର-।’’ ଏଇ କଥାଟିକୁ ଆଦୌ କହିବି ନାହିଁ ବୋଲି ସ୍ଥିର କରିଥିଲି । କହି ପକାଇଲି । ମୀନା ଟ୍ରଙ୍କରୁ ମହେଶ୍ୱର ଅନ୍ୟୂନ ତିରିଶଟି ପ୍ରେମ-ପତ୍ର ଆବିଷ୍କାର କରିଥିଲି । ଚାରିବର୍ଷ ତଳେ । ମୀନାକୁ ବାହା ହେବାର ମାସକ ପରେ ।

 

–‘‘ତୁମେ ଗୋଟାଏ ପଶୁ ।’’ ମୀନା ମନ୍ତବ୍ୟ ବାଢ଼ିଲା । ପରେ ପରେ ଶାଢ଼ି ପଣତରେ ଲୁହ ପୋଛି ଯୋଗକଲା–‘‘ମହେଶ ପାଖକୁ ଚିଠି ଲେଖିବି । ସେ ମଧ୍ୟ ଚିଠି ଲେଖିବ । ଦେଖିବି, ତୁମେ ମୋର କ’ଣ କରିବ ?’’

 

ସତ କଥା । ମୁଁ କରିବି କ’ଣ ? କରୁଣ ଦୃଷ୍ଟି ବୁଲାଇ ଆଣିଲି ମୀନା ଉପରୁ । ଚାରିବର୍ଷର ବିବାହିତ ପତ୍ନୀ । ସମସ୍ତ କଳଙ୍କ ଓ ବଦନାମର ପ୍ରତିମୂର୍ତ୍ତି । ବିବାହର ପନ୍ଦର-କୋଡ଼ିଏ ଦିନ ପରେ ଏଇ ମଣିଷଟିର ପେଟରେ ଚାରିମାସ ଧରି ବଢ଼ିଥିବା କେଉଁ ଲୋକର ସୃଷ୍ଟିକୁ ଧ୍ୱଂସ କରିବା ପାଇଁ ମୋତେ କମ୍‌ ଖର୍ଚ୍ଚାନ୍ତ ହେବାକୁ ପଡ଼ି ନଥିଲା । ରକ୍ତାକ୍ତ ହୃଦୟ, ଆର୍ତ୍ତନାଦ କରୁଥିବା ଆତ୍ମାକୁ ନେଇ ମୁଁ ଖାଲିଘୂରି ବୁଲୁଥିଲି ଏ ସହରର ଗଳି କନ୍ଦିରେ । ସ୍ୱୀକାର କରୁଛି, ସ୍କୁଲ ପରିଚାଳନା କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଯୋଗୁଁ ମୀନାକୁ ନିକାଲି ଦେଇ ପାରି ନଥିଲି ଘରୁ । ତଥାପି ସେ କେବେହେଲେ ତ ସ୍ୱୀକାର କଲା ନାହିଁ ମୋର ତ୍ୟାଗକୁ, ଉଦାରତାକୁ; ପରନ୍ତୁ ମୁଁ ଗୋଟାଏ ଦରିଦ୍ର ପି:ଟି:ଆଇ: ବୋଲି ସେ ମୋତେ ଆଦୌ କ୍ଷମା କରି ନାହିଁ, ଆବେଗର ସହିତ ଗ୍ରହଣ କରିବା ତ ଦୂରର କଥା । ବୋଧକରୁଥିଲି; ମୋତେ ଚାପି ଧରିଥିବା ଗୋଟାଏ ଶକ୍ତ ଫ୍ରେମ୍‌ ଆହୁରି ସଙ୍କୁଚିତ ହୋଇଯାଉଛି ।

 

ଆଉ କିଛି କହିବା ଅବସ୍ଥାରେ ନ ଥିଲି । କିଛି ବାଟ ଗଲା ପରେ ଶୁଣିଲି ଘୃଣା ଓ ହତାଦର ମିଶା ଗୋଟିଏ ସ୍ୱର–‘‘ଅପଦାର୍ଥ ।’’

 

ମଦ ଦୋକାନ । ସେ’ଦିନ କାହିଁକି କେଜାଣି ପର୍ଯ୍ୟାପ୍ତ ଭିଡ଼ ଥିଲା ସେଠାରେ । ଖୁବ୍‌ ଖୁସି ଲାଗିଲା । ହନ୍ତସନ୍ତ, ବିକଳ କରୁଥିବା ଭାବନାକୁ ବୋହି ସହରର ଗଳିକନ୍ଦି ବୁଲିବା ଦରକାର କ’ଣ ? ୟା, ତା’ ପାଖକୁ ଯାଇ କାନ୍ଦିବା ଦରକାର କ’ଣ ? ମଦ ଦୋକାନ ଭଳି ପର୍ଗାଟରୀ ଥାଉଁ ଥାଉଁ ?

 

ସବୁଥର ଭଳି ମାତଲାମି ବିକ୍ରେତା ଉପରୁ ଦୃଷ୍ଟି ବୁଲାଇ ଆଣିଲି ଏବଂ ଆହୁରି ଆନନ୍ଦିତ ହେଲି । ସେ ପିନ୍ଧିଛି ପରିଷ୍କାର ଧଳା ଲୁଙ୍ଗି, ଇସ୍ତ୍ରୀକରା କମିଜ୍‌ । ମୁଣ୍ଡର କେଶକୁ ଶୃଙ୍ଖଳିତ କରାଯାଇଛି । ଦାଢ଼ି କଟା ଯାଇଛି । ମାତ୍ର ପୂର୍ବଭଳି ନିର୍ବିକାର ଓ ଭାଷାହୀନ ମୁହଁ ।

 

–‘‘ଆଜି କ’ଣ କି ?’’ ମୁଁ ପଚାରିଲି ନାମ ଜାଣି ନଥିବା ଜଣେ ପରିଚିତ ଲୋକଙ୍କୁ ।

 

–‘‘କ’ଣ ?’’ ସେ ଓଲଟା ପଚାରିଲେ, ଆଶ୍ଚର୍ଯ୍ୟ ହୋଇ ।

 

ମୁଁ ହସିଲି । ସେ’ବି ହସିଲେ । ଦୁହେଁ ଦୁଇଟି ଚେୟାର ଅଧିକାର କଲୁ । ସାମନା ସାମନି । ମଝିରେ ଟେବୁଲ ।

 

ଆମେ ପିଉଥିଲୁ ଦେଶୀ ମଦ । ଆଶାତୀତ ଭାବେ ଶସ୍ତା । ସେ’ଦିନ ମୋର ଯୋଜନା ଥିଲା, ମଦ ପିଇ ସମ୍ପୂର୍ଣ୍ଣ ଭାବେ ସଂଜ୍ଞାହୀନ ହୋଇ ଯିବାକୁ; ଯେପରିକି ନିଜକୁ ମୁଁ ଆଉ ଅନୁଭବ କରିବାକୁ ସକ୍ଷମ ହେବି ନାହିଁ । କ୍ରମେ ସବୁ ଜିନିଷ ଜାଲଜାଲୁଆ ଦେଖା ଯାଉଥିଲା । ସବୁ ଜିନିଷର ସ୍ଥିତି ଉପୁଡ଼ି ଯାଉଥିଲା । ମୁଁ ଅବଶ ହୋଇ ପଡ଼ୁଥିଲି, ଅଥଚ ବୋଧ କରୁଥିଲି ଯେ ମୁଁ ସମ୍ପ୍ରସାରିତ ହେଉଛି ଆସ୍ତେ ଆସ୍ତେ । ପୃଥିବୀର କୌଣସି କାମ ମୋ’ପାଇଁ ଅସମ୍ଭବ ଜଣା ପଡ଼ୁ ନଥିଲା; ସଂସାରର ଯେଉଁ ସମସ୍ତ ଶକ୍ତି ମୋତେ ସୀମିତ ଓ ସଙ୍କୁଚିତ କରି ରଖିଥିଲେ, ସେଗୁଡ଼ିକ ଆପଣା ଛାଏଁ ପ୍ରତ୍ୟାହୃତ ହୋଇ ଯାଉଥିଲେ । ମୁଁ ହାଲୁକା ହୋଇ ଯାଉଥିଲି ଏବଂ ସେ ଅର୍ଦ୍ଧ ଜାଗ୍ରତ, ଅର୍ଦ୍ଧ ଅଚେତନ ଅବସ୍ଥାରେ ଜୀବନର ପୁନର୍ଗଠନ କରୁଥିଲି । ମୋ’ପାଇଁ ସବୁଥିଲା ନରମ ଓ ଇଲାଷ୍ଟିକ୍‌ । ଏଇଭଳି ମୁହୂର୍ତ୍ତଗୁଡ଼ିକ ହିଁ ସର୍ବଶ୍ରେଷ୍ଠ ମୁହୂର୍ତ୍ତ । ଏଇ ମୁହୂର୍ତ୍ତଗୁଡ଼ିକୁ ଅଙ୍ଗେ ନିଭେଇବା ପାଇଁ ଆମେ ସମସ୍ତ ଯନ୍ତ୍ରଣା ଓ ପରାଜୟକୁ ଜୀବନରେ ବରଦାସ୍ତ କରୁ ।

 

ତଥାପି ମୋତେ ଜଣା ଯାଉଥିଲା ଗୋଟାଏ ଧ୍ୱଂସାତ୍ମକ ବିସ୍ଫୋରଣ ଘଟିଯାଉଛି । ଗୋଟାଏ ମାରତ୍ମକ ଦୂର୍ବିପାକ । କ’ଣ ସେଇଟା ? ମୁଁ ଆଦୌ ଜାଣିପାରୁ ନଥିଲି । ଏକ ଭୟାବହ ଅନ୍ତର୍ଘାତୀ ହାତ କ୍ଷଣକ ମଧ୍ୟରେ ସତେ ଯେପରି ଆମେ ସମସ୍ତେ ସଜାଡ଼ିଥିବା ଜୀବନର ନକ୍‌ସାକୁ ଛିନ୍ନ ଭିନ୍ନ କରିଦେବା ପାଇଁ ଆଗେଇ ଆସୁଛି । କିଛି ବୁଝିହେଉନ ଥାଏ; ଅଥଚ ଭୟ ଓ ଆଶଙ୍କାରେ ମୁଁ ଓ ମୋର ପରିବେଶ ବିବର୍ଣ୍ଣ ହୋଇ ପଡ଼ୁଥିଲୁ । ଦୋକାନ ଭିତରେ, ବାହାରେ ଯନ୍ତ୍ରଣା ଜର୍ଜରିତ ଚିତ୍କାର, ଦ୍ରୁତ ପଦକ୍ଷେପ, କୋଳାହଳର ଆଭାସ ମୁଁ ପାଇ ପାରୁଥିଲି । ସାମନାରେ ବସିଥିବା ମଣିଷଟି କେତେବେଳୁ ଚେୟାରରୁ ସ୍ଥାନଚ୍ୟୁତ ହୋଇ ଭୂଇଁ ଉପରେ ପଡ଼ି ଯାଇଥିଲା ନିର୍ଜୀବ ଗଦାଟିଏ ଭଳି । ସମସ୍ତ ଚେଷ୍ଟା ସତ୍ତ୍ୱେ ମୁଁ ନିଜକୁ ଦୃଢ଼ କିମ୍ୱା ପ୍ରକୃତିସ୍ଥ କରିପାରୁ ନଥିଲି । ଏକ ତୀବ୍ର ଯନ୍ତ୍ରଣା ଓ ଅସ୍ୱସ୍ତି ମୋର ଶିରା-ପ୍ରଶିରାକୁ ଆକ୍ରାନ୍ତ କରି ପକାଉଥିଲା । ମୋର ମୁଣ୍ଡ ନଇଁ ଆସିଲା ଟେବୁଲ ଉପରକୁ । ତା’ପରେ କ’ଣ ହେଲା ଜାଣିବାକୁ ମୋର ଚେତା ନ ଥିଲା ।

 

ଆଖିପତା ଖୋଲିବା ଏତେ କଷ୍ଟ ହୋଇପାରେ ? ଏତେ ଓଜନିଆ ହୋଇପାରେ ଆଖିପତା ? ମୋର ଧାରଣା ନଥିଲା । ମାତ୍ର ଆଖି ଖୋଲି ନିଜକୁ ଆବିଷ୍କାର କଲି ଏକ ଅପ୍ରତ୍ୟାଶିତ ପରିବେଶ ଭିତରେ । ଲୁହା ଖଟ, ମସୃଣ ବିଛଣା । ଧଳା କାନ୍ଥ । ଶିଲିଂ ଫ୍ୟାନ୍‌ର ଅଳସ ଗତି । ସାମନାରେ ମୀନା । ଗୋଟାଏ ବିପର୍ଯ୍ୟୟ ପରେ ଶ୍ରୀହୀନ ହୋଇ ଠିଆ ହୋଇଛି ।

 

ମୁଁ ଆଖି ବନ୍ଦ କରି ଭାବିବାକୁ ଚେଷ୍ଟା କରୁଥିଲି; କିନ୍ତୁ ହେଲା ନାହିଁ । ସେଇ ପରିବେଶକୁ ବିହ୍ୱଳିତ କରି ଶୁଭୁଛି ଶହ ଶହ ଲୋକଙ୍କର ରିକ୍ତ, ସର୍ବହରା କାନ୍ଦଣା । ଏତେଗୁଡ଼ାଏ କଣ୍ଠର ସମ୍ମିଳିତ କାନ୍ଦଣା ଶୁଣିବା ସେଇ ଥିଲା ପ୍ରଥମ । କି ମର୍ମନ୍ତୁଦ, ଶୋକାଚ୍ଛନ୍ନ ପରିବେଶ ! ସେ କାନ୍ଦଣାର ଅର୍ଥ ଭାଷାର ବର୍ଣ୍ଣନାକୁ ଉପହାସ କରି ଅତିକ୍ରମ କରୁଥିଲା ଯେପରି । ସେ କାନ୍ଦଣାକୁ ବୁଝିବା ପାଇଁ କେବଳ ସେଇ କାନ୍ଦଣା ହିଁ ଶୁଣିବା ଜରୁରୀ । ସେ କାନ୍ଦଣାର ଅର୍ଥ ନିଜେ ସେଇ କାନ୍ଦଣା । ପ୍ରଥମେ ଚାଞ୍ଚଲ୍ୟକର ସୀତ୍କାର । ତା’ପରେ ବିଚଳିତ ହେଲି ।

 

ଆଖି ଖୋଲିଲି–‘‘କ’ଣ ହେଉଛି? କେଉଁଠି ମୁଁ ?’’––‘‘ଡାକ୍ତରଖାନାରେ ।’’ ମୀନା ଶାନ୍ତ ସ୍ୱରରେ କହିଲା, ଯଥେଷ୍ଟ ଆଶ୍ୱସ୍ତ ହୋଇ ।

 

ଡାକ୍ତରଖାନାକୁ ଆସିବାର ଯୁକ୍ତିଟିକୁ ବୁଝିବା ପାଇଁ ଚେଷ୍ଟା କରୁଥିଲି । ମୀନା ଗୋଟାଏ ଓଦା ତଉଲିଆରେ ମୋ ମୁହଁ, ଦେହ ପୋଛିଲା । ମୁଣ୍ଡତଳେ ଥିବା ତଉଲିଆଟିକୁ ବଦଳାଇଲା । ତା’ପରେ କାହିଁକି କେଜାଣି ମୋତେ ପଛ କରି ଦୁଇ ପାପୁଲିରେ ମୁହଁ ଘୋଡ଼ାଇ କାନ୍ଦି ଉଠିଲା । ତା’ର ସର୍ବାଙ୍ଗ କମ୍ପୁଥିଲା କୋହରେ । ମୁଁ ଚୁପ୍‌ଚାପ୍‌ ଶୋଇ ରହିଥିଲି । ଗୋଟାଏ ଲମ୍ୱା ଓ୍ୱାର୍ଡ଼ । ଖଟରେ, ଚଟାଣରେ ଶୋଇଥିବା ପ୍ରତ୍ୟେକ ମଣିଷଙ୍କ ପାଖରେ ଠିଆ ହୋଇଛନ୍ତି ସମ୍ଭବତଃ ଆତ୍ମୀୟ ସ୍ୱଜନ ।

 

ଡାକ୍ତରଖାନା ମୋ’ପାଇଁ ଖୁବ୍‌ ବେଶି ପରିଚିତ ସ୍ଥାନ ନୁହେଁ । ମୀନାର ଯେଉଁ ଦୁଇଥର ଗର୍ଭପାତ ଘଟିଥିଲା, ସେଇ ସଂକ୍ରାନ୍ତରେ କେବଳ ଏଠାକୁ ଆସିବାକୁ ପଡ଼ିଥିଲା । ଅଥଚ ମୁଁ ଆଜି ଖଟରେ । ମୀନା ସୁସ୍ଥ; କାନ୍ଦିବା ସତ୍ତ୍ୱେ ।

 

–‘‘ମୀନା’’ ଡାକିଲି ।

 

ସେ ଠିଆ ହେଲା ପାଖରେ । ସେ ପର୍ଯ୍ୟନ୍ତ ତା’ର ଦୁଇ ଆଖି ଓଦା ଥିଲା; ଓଠ, ନାକପୁଡ଼ା କମ୍ପୁଥିଲା । କହିଲି–‘‘ମୀନା ! କିନ୍ତୁ, ହୋଇଛି କ’ଣ ?’’

 

–‘‘ବିଷାକ୍ତ ମଦ । ଶହେ ଅଠର ଜଣ ମଲେଣି ।’’ ସେ ଉତ୍ତର ଦେଲା ଏବଂ ପୁନରାୟ ତା’ର ମୁହଁ ବିକୃତ ହେଲା ଶୋକ ଓ ଆଶଙ୍କାରେ ।

 

ମୀନାର ଏହି କଥା ମୁହୂର୍ତ୍ତକ ପାଇଁ ମୋତେ ଓ ମୋ ଭାବନାକୁ ସ୍ତବ୍‌ଧ କରିଦେଲା । ଗୋଟିଏ ମୁହୂର୍ତ୍ତ ପାଇଁ । ତା’ପରେ ମୋର ସମଗ୍ର ସତ୍ତା ଶିହରିତ ହେଲା ଏକ ସମ୍ଭାବିତ, ଅଭୂତପୂର୍ବ, ଚୂଡ଼ାନ୍ତ ମୁହୂର୍ତ୍ତ ଭିତରେ ହଜିଯିବାର ଆନନ୍ଦରେ । ଆପାତତଃ ମୁଁ ବ୍ୟାକୁଳ ହେଲି । ମୋର ଚେତନା ଓ କାମନା ପରିଚ୍ଛନ୍ନ ଆକାଶର ଉଦାରତା, ବ୍ୟାପ୍ତି ଆହରଣ କରି ଅବିଚଳିତ ଭାବରେ ଅପେକ୍ଷା କଲା ଜୀବନର ସର୍ବଶେଷ ମୁହୂର୍ତ୍ତଟିକୁ । ମୋ ପାଖକୁ ମୃତ୍ୟୁ ପ୍ରତି ଏତେ ନିର୍ଭୀକତା, ଏତେ ସ୍ଥିରତା କେବେ ଆସିଲା ? ଇଣ୍ଟରମେଡ଼ିଏଟ୍‌ ପରୀକ୍ଷା ଫଳ ବାହାରିବା ଦିନଠାରୁ ଏଇ ସମୟ ଭିତରେ ମୋର ଦୃଷ୍ଟିକୋଣ ଓ ବୌଦ୍ଧିକତାର ଚକ ସମ୍ପୂର୍ଣ୍ଣଭାବେ ଥରେ ଘୂରି ଆସିଛି ତା’ହେଲେ ! ପରିପୂର୍ଣ୍ଣତା ଓ ଆନନ୍ଦର ତୀବ୍ରତା ଯୋଗୁଁ ମୁଁ ଯନ୍ତ୍ରଣା ଅନୁଭବ କଲି । ନିମିଷକ ମଧ୍ୟରେ ଏକ ସ୍ୱତନ୍ତ୍ର, ଜୀବନ୍ତ ସତ୍ତା ହୋଇ ମୁଁ ପୃଥିବୀର ପରିସରଠାରୁ ବିଚ୍ଛିନ୍ନ ହେଉଥିଲି ଏବଂ ଊର୍ଦ୍ଧ୍ୱମୁଖୀ ହେଉଥିଲି ଅନ୍ୟ ଇଲାକାରେ ହଜିଯିବା ପାଇଁ ।

 

ମୀନା ମୋର ଦୁଇ ଆଖିରୁ କାନ ପର୍ଯ୍ୟନ୍ତ ଝରି ଆସିଥିବା ଲୁହ ପୋଛିଦେଲା ତା’ ପଣତ କାନିରେ । ଆବେଗ ମିଶା ସ୍ୱରରେ କହିଲା–‘‘ଡାକ୍ତର ଆଶ୍ୱାସନା ଦେଇଛନ୍ତି ଯେ, ତୁମେ ବିପଦମୁକ୍ତ । ହେଲେ...ମୋତେ.....ମୋତେ ଭାରି ଡର ମାଡ଼ୁଛି । ପେଟ ଓ୍ୟାସ୍‌ କରା... ।’’

 

ତା’ର ଅନ୍ୟ କଥା ଶୁଣି ପାରି ନ ଥିଲି । କେବଳ ଏତିକି ଜାଣିଲି ଯେ, ଡାକ୍ତରଖାନାରୁ ଜୀବନ୍ତ ଦେହ ନେଇ ଫେରିବାକୁ ହେବ ଓ ବଞ୍ଚିବାକୁ ହେବ । ନା’ ଦୁଃଖିତ ହେଲି ନାହିଁ ଏସବୁ ଶୁଣି-। ଜୀବନ ପ୍ରତି ଥିବା ଅସ୍ଥିରତା ଓ ପ୍ରତିବାଦ ସତେ ଯେପରି ଗଭୀର ପ୍ରଶାନ୍ତିରେ ପରିଣତ ହୋଇ ଯାଉଛି । ବିନା ସର୍ତ୍ତରେ ସବୁ ଜିନିଷକୁ ଆଦରର ସହିତ ଗ୍ରହଣ କରି ନେବାପାଇଁ ମୁଁ ପ୍ରସ୍ତୁତ ହୋଇ ଯାଇଥିଲି ।

 

ଡାକ୍ତରଖାନା ନାମକ ଜୀବନ ମରାମତି ହେଉଥିବା ଏ ପ୍ରକାଣ୍ଡ ଘର ଭିତରେ, ବାହାରେ ଶହେ ଅଠରଟି ସମ୍ପୂର୍ଣ୍ଣ ଅଖଞ୍ଜ ହୋଇ ଯାଇଥିବା ଦେହ ପଡ଼ିଛି । ନା, କିଛି ବୁଝି ହେଉନାହିଁ । ମୋ ପାଖ ଦେଇ ଯାଉଥିବା ଦୁଇଜଣ ନର୍ସଙ୍କ ମଧ୍ୟରୁ ଜଣେ କହୁଥାଏ–‘‘ଶହେ ପଚିଶ ! ମଦ ପିଇବ କାହିଁକି, ମରିବ କାହିଁକି ?’’

 

ଶନିବାର ଦିନ ସକାଳେ ହୁଇସିଲ୍‌ଟିକୁ ଓଠରେ ଜାକି ମୁଁ ଠିଆ ହୋଇଥିଲି ସ୍କୁଲ ବାରଣ୍ଡାରେ । ସାମନାରେ ଧାଡ଼ି ଧାଡ଼ି ହୋଇ ପ୍ରତ୍ୟେକ ଶ୍ରେଣୀର ପିଲା ଠିଆ ହୋଇଥିଲେ । ସମସ୍ତଙ୍କ ଦୃଷ୍ଟି ମୋ ଉପରେ । ସେ’ଦିନ ମୋ ହୁଇସିଲ୍‌ ଗୋଟିଏ ହୁଇସିଲ୍‌ ହୋଇ ରହିଲା । ଅନ୍ୟ ଶନିବାର ଦିନଭଳି ସମ୍ପ୍ରସାରିତ ହେଲା ନାହିଁ । ହୁଇସିଲ୍‌ର ନିର୍ଦ୍ଦେଶ ଅନୁସାରେ ଏତେଗୁଡ଼ିଏ ପିଲା ଶୃଙ୍ଖଳିତ ଭାବରେ ଗୋଟିଏ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିଲେ । ଅନନ୍ୟ ଏକକରେ ପରିଣତ ହେଉଥିଲେ ସେମାନେ । ଏଇ କଥାଟି ଆଗରୁ ଭଲ କରି ଲକ୍ଷ୍ୟ କରିଥିଲି ବୋଲି ମୋର ମନେ ହେଉ ନ ଥିଲା ।

 

କିଛିଦିନ ପରେ–

 

ଖବର କାଗଜରୁ ଜାଣିଥିଲି ଯେ, ସହରର ଅନ୍ୟ ମଦବିକାଳୀଙ୍କ ସମେତ ଆମ ପରିଚିତ ମଦ ବିକାଳିଟିକୁ ଜେଲ୍‌ ଦଣ୍ଡ ଦିଆଯାଇଛି । କୌତୂହଳ ହେଲା ତା’ କଥା ଜାଣିବା ପାଇଁ ।

 

ଜେଲର ମହାଶୟ ନିଶ୍ଚୟ ଏକ ଭଲ ମୁଡରେ ଥିଲେ । ମୋ କଥା ଶୁଣି ସେ ଭ୍ରୂକୁଞ୍ଚନ କଲେ ଏବଂ କହିଲେ–‘‘ଓ ଦ୍ୟାଟ୍‌ ହରିବଲ୍‌ ମ୍ୟାନ୍‌ ? କିନ୍ତୁ ସେ’ତ କାହାରିକୁ ସାକ୍ଷାତ କରୁନାହିଁ !’’

 

–‘‘ମାନେ ?’’ ମୁଁ ଠିକ୍‌ ବୁଝିପାରିଲି ନାହିଁ ।

 

–ଖୁବ୍‌ ସହଜ । ସେ କାହାରିକୁ ସାକ୍ଷାତ କରୁନାହିଁ । ଷ୍ଟ୍ରେଞ୍ଜ ! ତାକୁ ପ୍ରଥମେ ଦେଖି ଭାବିଥିଲି ଲୋକଟା ନିଶ୍ଚୟ ଗୋଟାଏ ବ୍ଲଡ଼ି ବଦ୍‌ମାସ୍‌, ପାଜି ହୋଇଥିବ । ଗୋଟାଏ ହାତ ନଥିବାର ଜାଣି ଅବଶ୍ୟ ଆଶ୍ୱସ୍ତ ହେଲି । କି ଭୟାନକ ଚେହେରା ।’’

 

–‘‘ପ୍ରକୃତରେ ! ଭୟାନକ ଚେହେରା ।’’ ମୁଁ ସମର୍ଥନ କଲି ।

 

–‘‘ଗଡ଼୍‌ ତାକୁ ତିଆରି ଥିଲେ;’’ ଜେଲର ମହାଶୟ କହି ଚାଲିଲେ–‘‘ମଦ ବିକିବାକୁ । ମାତାଲ୍‌ ଲୋକମାନଙ୍କର ତାମ୍‌ସା ଏଞ୍ଜୟ କରିବାକୁ । ଖୁବ୍‌ କମ୍‌ କଥା କହେ । ଥରେ ବହୁତ ପଚାରିବାରୁ ସେ କହିଲା ଯେ, ମଣିଷକୁ ଠିକ୍‌ ଭାବରେ ଚିହ୍ନିବାକୁ ହେଲେ ତା’ର ମାତାଲ ହେବା ସମୟର ଭାଷା ଶୁଣିବା ଦରକାର । ମଣିଷର ଇନ୍‌ସାଇଡ୍‍ ଆଉଟ୍‌ ହୋଇଯାଏ ସେତିକିବେଳେ ।’’ ସେ ହସିଲେ ଏବଂ ଯୋଗ କଲେ–‘‘ସେ ଦୁଃଖିତ ଯେ, ବହୁତ ପାଠ ସେ ପଢ଼ିନାହିଁ । ନହେଲେ ଏ ସମ୍ପର୍କରେ ଗୋଟାଏ ବହି ଲେଖନ୍ତା । ସେ କହୁଛି, ଜେଲ୍‌ରୁ ବାହାରିବା ପରେ ସେ ପୁଣି ମଦ ଦୋକାନ ଖୋଲିବ । ତା’ମତରେ ଲୋକଙ୍କ ପାଇଁ ମଦ ଖୁବ୍‌ ଜରୁରୀ । ଏଇଥିପାଇଁ ମଦ ବିକିବାକୁ ଲାଇସେନ୍‌ସ ଦିଆଯାଏ । ଜୀବନକୁ ସହି ନେବାପାଇଁ ଏହା ଦରକାର । ଅବଶ୍ୟ ବିଷାକ୍ତ ମଦ ବିକିବା ଲାଇସେନ୍‌ସ ବହିର୍ଭୂତ ।’’

 

ମୁଁ ଫେରିଲି ।

 

ଅନ୍ୟୂନ ଘଣ୍ଟାଏ ଚାଲିବା ପରେ ଠିଆ ହେଲି ମଦ ଦୋକାନ ସାମନାରେ । ଶ୍ମଶାନର ନୀରବତା ଓ ଭୟାବହତାକୁ ଠୁଳ କରି ଠିଆ ହୋଇଛି ନିଷ୍ପ୍ରାଣ ହୋଇ । ଏଠାରେ ଆଉ ଧୂଆଁ ଉଠୁନାହିଁ, କୋଳାହଳ ଶୁଭୁନାହିଁ । ପରିତ୍ୟକ୍ତ, ଏକେଲା ।

 

ନିଜ ଅଜାଣତରେ ମାତଲାମି ବିକ୍ରେତାଟି ମୃତ୍ୟୁ ବିକ୍ରେତା ହୋଇ ଯାଇଥିଲା । ଉପୁଡ଼ି ଯାଇଥିଲା ମାତଲାମିର ବ୍ରାକେଟ୍‌ଟି । ସେଇଥିପାଇଁ ଏତେଗୁଡ଼ିଏ ଜୀବନ ଆହୁରି ଆଗକୁ ଗତିକରି ଖସି ପଡ଼ିଲେ ତଳକୁ । ରହସ୍ୟମୟ, ବିପଦସଙ୍କୁଳ । କିପରି ଘଟେ ଏସବୁ ? ବିଷାକ୍ତ ମଦ ? କାହାର ଦାୟିତ୍ୱହୀନତା ? ଏଭଳି ଉତ୍ତର ମନକୁ ସନ୍ତୁଷ୍ଟ କରେ ନାହିଁ । ଭୂମିକମ୍ପ ଓ ବାତ୍ୟାର କାରଣ ଜାଣିବା ସତ୍ତ୍ୱେ ବି ମନ ବିଚଳିତ ଓ ଆଶଙ୍କାଗ୍ରସ୍ତ ହୁଏ ।

 

ଖାଲି ଆମେ ଏତିକି ଜାଣୁ ଯେ, ଏସବୁ ଘଟେ ଓ ଘଟିବ ।

Image

 

Unknown

ସର୍ବଶେଷ ଚିଠା

 

ସକାଳ ଆଠଟାବେଳେ ଦୋକାନ ପାଖରେ ପହଞ୍ଚି ମୋହନ ଦେଖିଲା, ମଣ୍ଟୁ ତାଲା ଖୋଲୁଛି । ପ୍ରାୟ ସବୁ ଦିନ ଭଳି ସେ ପିନ୍ଧିଛି ବିଚିତ୍ର ଗଞ୍ଜିଟିଏ । ଗଞ୍ଜିର ସାମନା ପାଖରେ ନାଲି ରଙ୍ଗର ଗଛ, ଗଛ ତଳକୁ ପ୍ରେମିକ-ପ୍ରେମିକା ପରସ୍ପରକୁ ଚୁମା ଦେଉଥିବାର ଶିଲ୍‌ହଟ୍‌ ଛବି । ବେଲ୍‌ବଟମ୍‌ । ପ୍ଲାଟଫର୍ମ ଚପଲ । ସାମ୍ପୁକରା ଲମ୍ୱ, ବାବୁରି କେଶ । କପାଳରେ ସିନ୍ଦୂର କଲି । ଡାହାଣ ହାତରେ ଷ୍ଟେନ୍ ଲେସ୍‌ ଷ୍ଟିଲ୍‌ ବଳା । ତିନିଥର ଆଇ:କମ୍‌: ପରୀକ୍ଷା ଦେଇ ଥକିଯିବା ପରେ ବାପାଙ୍କୁ ସାହାଯ୍ୟ କରୁଛି ଏତେ ବଡ଼ ଦୋକାନଟିକୁ ଚଳାଇବା ଦିଗରେ ।

 

ହିନ୍ଦି ଫିଲ୍ମ ଗୀତ ଗାଉଥିବା ଅବସ୍ଥାରେ ସେ ଦୋକାନ ଚାବି ଖୋଲୁଥିଲା । ପାଖରେ ପହଞ୍ଚି ଯାଇଥିବା ମୋହନ ଆଡ଼େ ଚାହିଁ ପଚାରିଲା–‘‘କିଓ କାଲି ଯାତ୍ରା ଦେଖି ଯାଇଥିଲ ନା, କ’ଣ-?’’

 

ପ୍ରଶ୍ନଟା ବିଚରା ମୋହନକୁ ବିଚଳିତ କରିଦେଲା କିଛି ସମୟ ପାଇଁ ଏବଂ ସେ ନିଜ ଆଡ଼େ ଚାହିଁଲା, ଯାତ୍ରା ଦେଖିଥିବାର କୌଣସି ପ୍ରମାଣ ତା’ର ପ୍ରାଚୀନ ଧୋତି-କମିଜରେ ଲଟକି ରହିଛି କି ବୋଲି ଜାଣିବା ପାଇଁ ନମ୍ରତାର ସହିତ କହିଲା–‘‘ନା ।’’

 

ଦୋକାନ ଖୋଲା ସରିଥିଲା ସେତେବେଳକୁ । ଦୋକାନରେ ନିଯୁକ୍ତ ହୋଇଥିବା ତିନିଜଣ ସେଲ୍‌ସମ୍ୟାନ୍‌ ଭିତରଟିକୁ ଓଳାଇବା ଆରମ୍ଭ କରିଥିଲେ । ସିଗାରେଟରେ ନିଆଁ ଧରାଇସାରି ମୋହନ ସାମନାରେ ଛୋଟ କୁହୁଡ଼ିଟିଏ ସୃଷ୍ଟି କଲା ମଣ୍ଟୁ । ବିରକ୍ତ ହୋଇ କହିଲା ମନକୁ ମନ–‘‘ଶଳା ବୁଢ଼ାଟା ବୋର୍‌ ନମ୍ୱର ଓ୍ୟାନ୍‌ । ଦେଖ, କେମିତି ଦିଶୁଛି ସେ ।’’

 

ସମ୍ଭବତଃ ଜନ୍ମ ହେବା ଦିନୁ ମୋହନ ପିନ୍ଧି ଆସିଛି ଏଇ ଛୋଟ ଧଳା କମିଜ୍‌ ଓ ଧୋତିକୁ । କମିଜ୍‍ ଓ ଧୋତିର ରଙ୍ଗ ହଳଦିଆ ହୋଇ ଯାଉଛି । କମିଜ୍‌ର କଲର୍‌ ମୋଡ଼ି ହୋଇ ରହେ ସବୁବେଳେ । ଟାକୁଆ ମୁଣ୍ଡ । କିପରି ହସିବାକୁ ହୁଏ ଏବଂ ସାମୟିକ ଭାବରେ କେତେକ ମୁହୂର୍ତ୍ତ ଓ ଘଟଣାକୁ ସମର୍ଥନ କରି ଜୀବନ ଓ ପୃଥିବୀକୁ ସ୍ନେହ କରିବାକୁ ହୁଏ, ଜଣା ନ ଥିବା ଟାକୁଆ ମୁହଁ । ଧଳା-କଳା ରଙ୍ଗର ସମଷ୍ଟିରେ ଭ୍ରୂଲତା । ଯଦୁନାଥବାବୁଙ୍କ ଦୋକାନର ଗୁମାସ୍ତା–ମୋହନ ।

 

ମଣ୍ଟୁ ସହ୍ୟ କରି ପାରେ ନାହିଁ ମୋହନର ଉପସ୍ଥିତିକୁ । ପୃଥିବୀକୁ ଦୀର୍ଘ ପଚାଶ-ଷାଠିଏ ବର୍ଷ ଧରି ଦେଖି ଆସୁଥିବା ଏ ବୁଢ଼ା ମଣିଷଟି କ’ଣ ଜାଣେ ? ଥରକୁ ଥର ସହରର କାନ୍ଥ ଉପରେ ସିନେମା ପୋଷ୍ଟର ବଦଳେ । ରାସ୍ତା ଉପରେ ଭଳିକି ଭଳି ସ୍କୁଲ-କଲେଜ ଯାଉଥିବା ଟୋକିମାନଙ୍କର ଶୋଭାଯାତ୍ରା । ନିର୍ଲିପ୍ତ, ଆସକ୍ତିହୀନ, ରସହୀନ ମୁହଁ ନେଇ ଏ ବୁଢ଼ାଟି ବସି ରହିବ ତା’ ପାଖରେ; କିନ୍ତୁ ଏ ସବୁର ଆଲୋଚନା ତା’ ପାଇଁ ଦୁର୍ବୋଧ୍ୟ ହୋଇ ରହିବ । କିଛି ନ ହେଲେ ବି ମୋଟର ସାଇକେଲ, ଅଟୋ ରିକ୍‌ସା ଉପରେ ଆଲୋଚନା କରାଯାଇ ପାରନ୍ତା । ମାତ୍ର ମୋହନ ଛୋଟ ଡେସ୍କ ପାଖରେ ବସିବ ମେଞ୍ଚାଏ କାଗଜ ଓ ବଲ୍‌ ପେନ୍‌ ଧରି । ଦୋକାନ ଭିତରୁ ଶୁଭିବ–ହରଡ଼ ଡାଲି ଦୁଇ କିଲୋ, ଚାରି କିଲିଆ ଗଣେଶମାର୍କା ତେଲ ଏକଟିଣ, ଜିରା ପାଞ୍ଚ ଶ’, ସନ୍‌ଲାଇଟ୍‌ ବାର୍‌ ଦୁଇଟା, ଏକନମ୍ୱର ଲଙ୍କା ଶଏ । ସେତିକି । କାଗଜ ଉପରେ ଜିନିଷର ତାଲିକା କରି ସେ ଦର ବସାଇବ । ମୋଟ କରିସାରି ଚିଠାଟି ବଢ଼େଇ ଦେବ ଟଙ୍କା ବାକ୍‌ସ ଧରି ବସିଥିବା ମଣ୍ଟୁ ଆଡ଼େ ।

 

କ୍ରେତାମାନଙ୍କ ହାତକୁ ଜିନିଷ ଚାଲିଯାଏ । ବାକ୍‌ସ ଭିତରକୁ ଟଙ୍କା ପ୍ରବେଶ କରେ । ତା’ ହାତରୁ ମଣ୍ଟୁ ହାତକୁ ଯାଏ ଜିନିଷର ତାଲିକା ଖଣ୍ଡିକ ଏବଂ ସେମାନଙ୍କର ମୂଲ୍ୟ । ଜିନିଷମାନଙ୍କର ଦାମ୍‌ ଜାଣିବା ପାଇଁ ଦୋକାନ ଭିତରେ ପାଟି ଆଁ କରି ଜମା ହୋଇଥିବା ବିଭିନ୍ନ ରାସ୍ତା ଓ ଅନ୍ୟାନ୍ୟ ସାମଗ୍ରୀମାନଙ୍କୁ ଦେଖିବା ପାଇଁ ସେ ଜନ୍ମ ହୋଇଥିଲା । ମୋହନକୁ ଦେଖି ଯେ କେହି ଜାଣିପାରିବ ଯେ, କୌଣସି ସୁଯୋଗ ଖୋଜିବାକୁ ସେ ଚେଷ୍ଟା କରି ନାହିଁ; କୌଣସି ସୁଯୋଗ ପ୍ରତି ତା’ର ଦୁର୍ବଳତା ନାହିଁ ।

 

କାଠରେ ତିଆରି ହୋଇଛି ଠାକୁରଙ୍କ ଆସ୍ଥାନ । ସବୁଜ ରଙ୍ଗର ନାଇଟ୍‌ ଲ୍ୟାମ୍ପଟିଏ ଜଳେ । ଭିତରେ ମାନ୍ଧାତା ଅମଳରୁ ରହି ଆସିଛି ଶୁଖିଲା ପଇଡ଼ଟିଏ । ଧୂପକାଠି, ଝୁଣା ଧୂଆଁରେ ଠାକୁରଙ୍କ ବାସସ୍ଥାନଟି ମଇଳା ଓ ଅସ୍ୱାସ୍ଥ୍ୟକର ହୋଇ ପଡ଼ିଲାଣି ।

 

ଦୋକାନ ଖୋଲିବା ପରେ ପରେ ଧୂପକାଠିର ବାସ୍ନାରେ ଠାକୁରଙ୍କୁ ଖୋସାମଦ୍‌ କରାଯାଉଛି । ମଣ୍ଟୁ ଦେଖିଲା, ଅନ୍ୟମାନଙ୍କ ସହିତ ମୋହନ ମଧ୍ୟ ଆଖିବୁଜି ପ୍ରାର୍ଥନା ଜରିଆରେ ଭିକ୍ଷା କରୁଛି ଦୋକାନିଟିର ସଫଳ ବାଣିଜ୍ୟ ପାଇଁ । ସମ୍ଭବତଃ ସେ ଭାବୁଥିବ, ଯଦୁନାଥବାବୁଙ୍କର ଇଚ୍ଛା ଓ ଟଙ୍କା ପଇସା ପ୍ରତି ମୋହ ବେଶି ଲମ୍ୱା ନ ହୋଇ ସଂକ୍ଷିପ୍ତ ହେଉ । ଯେକୌଣସି ଜିନିଷକୁ ଗୋଦାମ ଘରେ ଭେଜାଲ କରି ଏଠାରେ ବିକ୍ରୟ କରନ୍ତୁ–କିଛି ଯାଏ ଆସେ ନା; କିନ୍ତୁ ନିର୍ଦ୍ଧାରିତ ସୀମା ଭିତରେ ରହନ୍ତୁ ସେ । ଦୋକାନରେ ବୋଝେଇ ହୋଇଥିବା ଜିନିଷଟି ତାଙ୍କ ପାଖରେ ନାହିଁ ବୋଲି କହି ତାହାକୁ ବ୍ଲାକରେ ବିକନ୍ତୁ–ଆପତ୍ତି ନାହିଁ, କିନ୍ତୁ ନିରାପଦ ପରିଧି ବାହାରକୁ ସେ ଚାଲି ନ ଯାଆନ୍ତୁ । ଦୋକାନଟି କୌଣସି କାରଣରୁ ବନ୍ଦ ହୋଇ ନ ଯାଏ ଯେପରି ।

 

ମଣ୍ଟୁ ପାନିଆଁ ବାହାର କରି ମୁଣ୍ଡ କୁଣ୍ଡେଇଲା । କାଠ ଖଟର ଗୋଟିଏ କୋଣରେ, କାନ୍ଥକୁ ଡେରି ହୋଇ ମୋହନ ବସି ସାରିଲାଣି । ଭିତରୁ ଶୁଭୁଛି–ଚିନି ଅଢ଼େଇଶ, ଲୁଣ ଅଧକିଲେ, ଅଟା ଦୁଇ’କିଲୋ ଇତ୍ୟାଦି । ଜଣେ-ଦୁଇଜଣ ଲୋକ ଚିଠା ଧରି ଟଙ୍କା ବାକ୍‌ସ ସାମନାରେ ଠିଆ ହୋଇଛନ୍ତି ।

 

କିଛି ଦିନ ପୂର୍ବେ ମଣ୍ଟୁ ବାପାଙ୍କ ପାଖରେ ପ୍ରସ୍ତାବ ବାଢ଼ିଥିଲା–

 

–‘‘ମୋହନକୁ ବାହାର କରିଦେବା ଦୋକାନରୁ ।’’

 

–‘‘କାହିଁକି ?’’ ଯଦୁନାଥବାବୁ ଆଦୌ ବିସ୍ମିତ ନ ହୋଇ ପଚାରିଲେ ।

 

–‘‘ବୁଢ଼ା ହେଲାଣି ।’’ ମଣ୍ଟୁ କହିଲା । ‘‘ବେଳେବେଳେ ହିସାବ ଭୁଲ କରେ । ସବୁଠୁ ବଡ଼ କଥା ହେଲା, ତା’ ପାଖରେ ବସି କାମ କରିବାକୁ ଭଲ ଲାଗେନା । ବୋର୍‌ ଲାଗେ ।’’

 

ଯଦୁନାଥବାବୁ ଚାହିଁଲେ ମଣ୍ଟୁକୁ । ହିସାବ ଭୁଲ କରେ ବୋଲି ଅଭିଯୋଗଟା ମିଛ । କିନ୍ତୁ ପରବର୍ତ୍ତୀ ଆପତ୍ତିଟି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ । ମୋହନକୁ କୌଣସି ମୁହୂର୍ତ୍ତରେ ସେ ଆଦର କରିଥିବା କଥା ତାଙ୍କର ମନେ ନାହିଁ । ପଚାରିଲେ–‘‘ଗୁମାସ୍ତା ଜଣେ ନ ରଖିଲେ ଚଳିବ କିମିତି ? ମୋହନକୁ ବାହାର କରିଦେବା ପରେ କାହାକୁ ସେ କାମରେ ନିଯୁକ୍ତ କରାଯିବ ?’’

 

–‘‘ଲୋକ ଅଭାବ ହୋଇଛନ୍ତି ?’’ ମଣ୍ଟୁ ସମସ୍ୟାଟିକୁ ଗୁରୁତ୍ୱହୀନ କରିଦେଲା । ‘‘ହକ୍ ପଇସା ଦିଆଯିବ, ଗୁମାସ୍ତା କାମ କରିବ । କେହିତ ମୋଫତରେ ଆସି କାମ କରିବେନି ! ଢେର୍ ଲୋକ ମିଳିବେ ।’’ ମଣ୍ଟୁ ଯଥେଷ୍ଟ ଉତ୍ସାହିତ ହୋଇ ଯାଇଥିଲା । ସେ ଭାବିଥିଲା, ତା’ର କୌଣସି ସାଙ୍ଗକୁ ମୋହନ ସ୍ଥାନରେ ରଖାଯାଇ ପାରେ । ତା’ପରେ ଦୋକାନରେ ସମୟର ଗତି ଦ୍ରୁତ ଓ ପ୍ରଗଳ୍‌ଭ ହୋଇଯିବ । ମଣ୍ଟୁ ଆଶାବାଦୀ ହୋଇ ପଡ଼ିଲା ।

 

ଯଦୁନାଥବାବୁ ପଚାରିଲେ–‘‘ମୋହନର ସବୁଠୁ ଭଲ ଗୁଣଟି କ’ଣ ଜାଣିଛୁ ?’’

 

–‘‘ନା’’ ଉତ୍ତର ଦେଲା ମଣ୍ଟୁ ଏବଂ ବାପାଙ୍କର ମୋହନ ପାଇଁ ସାର୍ଟିଫିକେଟ୍‌ଟିକୁ ଶୁଣିବା ପାଇଁ ଇଚ୍ଛା କଲା ।

 

–‘‘ତାହା ହେଉଛି, ମୋହନର କୌଣସି ଉଚ୍ଚ ଆଶା ନାହିଁ । ଏଇଭଳି ଲୋକଙ୍କୁ ଗୁମାସ୍ତା କରିବା ନିରାପଦ । ମନେରଖ, ମୋହନ ବିରକ୍ତିକର ହୋଇପାରେ; କିନ୍ତୁ ଗୋପନରେ ତୁମଠୁ ଫାଇଦା ଉଠାଇ ନିଜକୁ ବଡ଼ କରିବାର କୌଣସି ଯୋଜନା ତା’ର ନାହିଁ । ଏମିତି ଲୋକ ମିଳିବେ ଆଜିକାଲି ?’’ଚାଲେଞ୍ଜ କଲେ ଚାଲାକ ବ୍ୟବସାୟୀ ଜଣକ ।

 

ନିରୁତ୍ସାହିତ ହୋଇ ପ୍ରାୟ ମନକୁ ମନ କହିଲା ମଣ୍ଟୁ–‘‘ଉଚ୍ଚ ଆଶା ନ ରହିବା ଗୋଟାଏ ବାହାଦୁରି ନା କ’ଣ ?’’

 

–‘‘ଆଜିକାଲି ଅନେକ ଲୋକ କେବଳ ଦିବାସ୍ୱପ୍ନ ଦେଖିବାରେ ବ୍ୟସ୍ତ । କାମଦାମ ନାହିଁ-। କିଛି ଖୋଜନ୍ତି ନାହିଁ । ଖାଲି ଭାବନ୍ତି, କଳ୍ପନାଗୁଡ଼ାଏ କରନ୍ତି । ନିଜକୁ ନେଇଯା’ନ୍ତି ନିଜ ନିର୍ମିତ ପୃଥିବୀ ଭିତରକୁ । ରାଜା ବନିଯା’ନ୍ତି ସେଠାରେ । ନିର୍ମମ ଆନନ୍ଦ ପା’ନ୍ତି ଏମିତି ଭାବିବା ଦ୍ୱାରା । ମନେରଖ, ଏ ପ୍ରକାର ଲୋକଙ୍କୁ ଗୁମାସ୍ତା କାମ ଦିଆ ଯାଏନା । ଚଳୁ କରିଦେବେ ଏଡ଼େ ବଡ଼ ଦୋକାନକୁ ।’’ ଯଦୁନାଥବାବୁ ସତର୍କ କରିଦେଲେ ।

 

ମୋହନର ଚଷମାଟି ତା’ ନାକର ସର୍ବଶେଷ ସ୍ଥାନ ଉପରେ ଲଟକି ରହିଥିଲା । ଦୁଇକାନକୁ ଗୁଡ଼େଇଥିବା ଦୁଇଖଣ୍ଡ ଦଉଡ଼ା ଚଷମାଟିକୁ ଛାଡ଼ୁ ନଥିଲେ ଆଉ ଆଗକୁ ଯିବା ପାଇଁ । ମଣ୍ଟୁ ଦେଖିନେଲା ପୁରୁଣା ଦୃଶ୍ୟଟିକୁ ଏବଂ ଚୁପ୍‌ଚାପ୍‌ ବସି ରହିଲା ବାକ୍‌ସ ଉପରେ ଭରା ଦେଇ । ଦିନ ବାରଟା ପର୍ଯ୍ୟନ୍ତ ବସି ରହିବାକୁ ହେବ । ତା’ପରେ ବାପା କିମ୍ୱା ଝାମ୍ପୁ ଦୋକାନର ଦାୟିତ୍ୱ ନେବେ ।

 

ମଣ୍ଟୁର ଚାରି-ପାଞ୍ଚଜଣ ସାଙ୍ଗ ପହଞ୍ଚିଗଲେ ଦୋକାନରେ । ସେମାନେ ଭଲ ପୋଷାକପତ୍ର ପିନ୍ଧି ବଜାର ସାରା ପଇଁତରା ମାରନ୍ତି । ଚିହ୍ନା ଦୋକାନୀ ପାଖରେ ବସି ଅଦରକାରୀ କଥା ଗପନ୍ତି । ସବୁବେଳେ ବ୍ୟସ୍ତ ରହିବାର ଛଳନା କରନ୍ତି । ମୋହନକୁ ମଣ୍ଟୁ ଆଦେଶ ଦେଲା–‘‘ତୁମେ ସେ ଜାଗାରୁ ଟିକେ ଉଠିଲ, ଏମାନେ ବସିବେ ।’’

 

ମୋହନ ଉଠି ଆସିଲା ତା’ ଜାଗାରୁ । ମଣ୍ଟୁର ସାଙ୍ଗମାନେ ଖଟଟିକୁ ଅଧିକାର କରିନେଲେ । ଖଟ, ଡେସ୍କ ବାଡ଼େଇ ସେମାନେ ଆରମ୍ଭ କରିଦେଲେ ସହରରେ ଚାଲୁଥିବା ଓଡ଼ିଆ ଫିଲ୍ମର ହିଟ୍‌ ଗୀତର ସ୍ୱର । ଜଣେ ନୂଆ ଅମୁଲ ଟିଣଟିଏ ପିଟିବାକୁ ଆରମ୍ଭ କଲା ସ୍ୱରଟିକୁ ଆହୁରି ବାଦ୍ୟମୟ କରିବା ପାଇଁ ।

 

ମୋହନ ଆଡ଼େ ନୋଟ୍‌ଟିଏ ବଢ଼ାଇ ମଣ୍ଟୁ କହିଲା–‘‘ତିନିଶ’ ମିକ୍‌ଶ୍ଚର ନେଇଆସ । ବେଶି ଲଙ୍କା ଆଉ ପିଆଜ ପକାଇବା ପାଇଁ କହିବ । ଶୁଣ, ଏମିତି ପଳେଇ ଯାଉଛ କ’ଣ ? ପାଞ୍ଚଟା ଚା’, ଦଶଖଣ୍ଡ ଜର୍ଦ୍ଦା ମିଠା ପାନ ନେଇ ଆସିବ ।’’

 

ଦୋକାନଟି ଉତ୍ସବ ମୁଖର ହୋଇଗଲା ।

 

ଅଦରକାରୀ ମଣିଷଟିଏ ଭଳି ମୋହନ ଠିଆ ହୋଇ ରହିଲା ଦୋକାନ ଭିତରେ । ଏଠାରେ ଯାହା ସବୁ ଘଟେ ତା’ର ପୁନରାବୃତ୍ତି ଚାଲିଛି । ବିଶେଷ କରି ମଣ୍ଟୁ ଦୋକାନରେ ଥିବାବେଳେ ଅନ୍ୟମାନଙ୍କ ଉପସ୍ଥିତି ସତ୍ତ୍ୱେ ତାକୁ ସିଗାରେଟ୍‌–ସରବତ୍‌ ଆଣିବାକୁ ପଡ଼େ । ଅନେକ ଦିନ ପୂର୍ବରୁ ତାକୁ ସତର୍କ କରି ଦିଆଯାଇଥିଲା, ଏ ସବୁ କଥା ଯଦୁନାଥବାବୁଙ୍କ କାନରେ ନ ପଡ଼େ ଯେମିତି । ମୋହନ କେବେ ବି ମଣ୍ଟୁର ସଂସ୍କାରକର ଭୂମିକା ନେବା ପାଇଁ ଆଗ୍ରହୀ ହୋଇନାହିଁ ।

 

ମାତ୍ର ସମସ୍ତ ସାଧୁତା ଓ ନମ୍ରତା ଏ ଦୋକାନରେ ତା’ ସ୍ଥିତିକୁ ଗୁରୁତ୍ୱ ଦେଇନି । ଏ ଦୋକାନ ପ୍ରତି ତା’ର କୌଣସି ଆବେଗମୟ ମନୋଭାବ ନାହିଁ; ତା’ପ୍ରତି କାହାରି ମମତା ନାହିଁ । ଅଥଚ ସେ ସକାଳେ–ସଞ୍ଜବେଳେ ଧୂପକାଠି–ଝୁଣା ଧୂଆଁ ଭିତରେ ଜୁହାର କରେ ଦୋକାନ ଉପରକୁ କୌଣସି ବିପଦ ନ ଆସେ ଯେପରି । ଦୋକାନର ସ୍ଥିତି ସହିତ ତା’ ସ୍ଥିତି ସମ୍ପର୍କିତ ହୋଇଛି ସିନା; ଏ ସମ୍ପର୍କ କିନ୍ତୁ ଗୋଟାଏ କଣ୍ଟ୍ରାକ୍‍ଟ, ଗୋଟାଏ ସର୍ତ୍ତ । ଅଧିକ କିଛି ନୁହେଁ ।

 

ମଣ୍ଟୁର ସାଙ୍ଗମାନେ ଉଠିଲେ ଯିବା ପାଇଁ । ମଣ୍ଟୁ ପଚାରିଲା ଆଜି ସେମାନେ ମ୍ୟୁନିସିପାଲିଟି ପଡ଼ିଆରେ ହେଉଥିବା ଯାତ୍ରା ଦେଖିବା ପାଇଁ ଯିବେ କି, ନା । ଜଣେ ଉତ୍ତର ଦେଲା–‘‘ଝାବଡ଼ ଯାତ୍ରା ଦେଖିବା ପାଇଁ ଆଉ ମନ ନାହିଁ । ଗୋଟେ ବୁଢ଼ା ନେଉଛି ରାଣୀ ପାର୍ଟ । ତାକୁ ଦେଖି ଭାବିଲି, ମୋହନ ବୋଧହୁଏ ଶାଢ଼ି–ବ୍ଲାଉଜ୍‌ ପିନ୍ଧି ପାର୍ଟ ନେଇଛି । ପରେ ପୁଣି ଭାବିଲି,–ନା, ମୋହନ ତ ଏହାଠାରୁ ବେଟର ଦେଖାଯାନ୍ତା ।’’ ହୋ ହୋ ହସି ସମସ୍ତେ ଚାହିଁଲେ ମୋହନକୁ । ତା’ଠାରୁ କୌଣସି ପ୍ରତିବାଦ କିମ୍ୱା ସମର୍ଥନ ପାଇବାର ଆଶା ନାହିଁ ଭାବି ବାହାରିଗଲେ ଦୋକାନରୁ ।

 

ବହୁ ବର୍ଷ ପରେ ମୋହନର ମୁହଁ ଓ କାନମୁଣ୍ଡା ଗରମ ହେଲା । ଡେକ୍‌ସ ପାଖରେ ବସି ଚିଠା ତିଆରୁଥିବାବେଳେ ହାତର ବଲ୍‌ ପେନ୍‌ଟି ଶିହରିତ ହେଉଥିଲା ଏବଂ ଅକ୍ଷରଗୁଡ଼ାକ ନିଜ ନିଜର ଆକାର ହରାଇ ବିଧ୍ୱସ୍ତ ହୋଇ ପଡ଼ୁଥିଲେ । ଦୋକାନର ସମସ୍ତ ଜିନିଷ କମ୍ପିବାକୁ ଆରମ୍ଭ କରିଦେଲେ । ପାଖ ନର୍ଦ୍ଦମାଟି ଆହୁରି ଦୁର୍ଗନ୍ଧମୟ ହୋଇଯାଇ ନରକର ଭ୍ରମ ସୃଷ୍ଟି କଲା ।

 

ଦିନ ବାରଟାବେଳେ ମଣ୍ଟୁ ସ୍ଥାନଟିକୁ ଅଧିକାର କଲା, ଦଶମଶ୍ରେଣୀରେ ପଢ଼ୁଥିବା ସାନଭାଇ ଝାମ୍ପୁ । ସ୍କୁଲ ଛୁଟି ବୋଧହୁଏ । ମୋହନ କିନ୍ତୁ ଆଗରୁ ଜଣା ନ ଥିବା ଯନ୍ତ୍ରଣା ଓ ଅପମାନରେ ଛଟପଟ ହେଉଥିଲା ସେତେବେଳ ପର୍ଯ୍ୟନ୍ତ । ସେ ବୁଝି ପାରୁ ନଥିଲା ଏଭଳି କ୍ଷୁବଧ୍‌ ଓ ଅପ୍ରତିଭ ହେବାର କାରଣଟି କ’ଣ ହୋଇପାରେ । ମଣ୍ଟୁ ଏବଂ ତା’ ସାଙ୍ଗମାନଙ୍କର ବ୍ୟବହାର ? ମାତ୍ର ଏ ସବୁ ନୂଆ କି ? ଅଥଚ ଆଜି ହାତର କଲମ ଓଜନିଆ, ଡେକ୍‌ସ ଉପରର ଟୁକୁରା କାଗଜ ମରୁଭୂମି ଭଳି ଭୋକିଲା ଜଣା ପଡ଼ିବାର ଅର୍ଥ କ’ଣ ? ଦୋକାନ ଭିତରେ ସେ ଏମିତି ନିଃସଙ୍ଗ ଓ ଅପରିଚିତ ହୋଇଯାଇ ନ ଥିଲା । କଥା କ’ଣ ?

 

ଝାମ୍ପୁ ଗରାଖ ହାତରୁ ନୋଟ୍‌ଟିଏ ନେଇ ବାକି ପଇସା ଫେରାଉଥିଲା । ହିସାବ କରୁଥିଲା ମନ ଭିତରେ ଏବଂ ସେଇଥିପାଇଁ ଗୋରା, ଝାଳୁଆ ମୁହଁଟା ଗମ୍ଭୀର ଦେଖା ଯାଉଥିଲା । ହାଫ୍‌ ପେଣ୍ଟ, ଛିଟ କନାର କମିଜ୍‌ ପିନ୍ଧିଥିବା ପିଲାଟିକୁ ଆହୁରି ଥରେ ଚାହିଁଲା ମୋହନ । ସହସା ତା’ର ସମଗ୍ର ସତ୍ତା ଅଭୂତପୂର୍ବ ଆବେଗ ଓ ସ୍ନେହର ବନ୍ୟାରେ ପ୍ଳାବିତ ହୋଇଗଲା । ଥରେ ନୁହେଁ, ବାରମ୍ୱାର ସେ ଅନୁଭବ କଲା, ସତେ ଯେପରି ଯୁଗ ଯୁଗ ଧରି ତା’ ଦେହ ଭିତରେ ବନ୍ଦୀ ହୋଇ ରହିଥିବା ଏକ ସ୍ନେହଶୀଳ, କୋମଳ, ଉଦାର ହୃଦୟ ମୁକ୍ତିଲାଭ କରି ସୃଷ୍ଟି ଭିତରୁ ସମ୍ପୂର୍ଣ୍ଣ ନୂଆ ଉଦ୍ଦେଶ୍ୟ ଓ ଅର୍ଥର ସନ୍ଧାନ ପାଇ ସାରିଛି । ତା’ର ହୃଦୟଟି ବ୍ୟାକୁଳ ହୋଇ ଉଠିଲା ନିବିଡ଼ ଆତ୍ମୀୟତାର ସହିତ ସମସ୍ତ ଝାମ୍ପୁ, ସମସ୍ତ ମଣ୍ଟୁ, ସମସ୍ତ ଯଦୁନାଥବାବୁଙ୍କ ସମେତ ଦୋକାନ ଭିତର ଓ ବାହାରର ସମସ୍ତ ବସ୍ତୁକୁ ଆପଣାର କରିନେବା ପାଇଁ । ଅବସ୍ଥା ଏମିତି ହେଲା ଯେ, ମୋହନ କଲମଟିକୁ ଡେକ୍‌ସ ଉପରେ ରଖି ହାତ ବଢ଼ାଇଲା ଝାମ୍ପୁ ଆଡ଼େ ଏବଂ ଅନ୍ତତଃ ଗୋଟିଏ ମୁହୂର୍ତ୍ତର ନିବିଡ଼ତା ଝାମ୍ପୁ ଓ ତା’ ମଧ୍ୟରେ ରହିଥିବା ପ୍ରତ୍ୟେକ ବ୍ୟବଧାନକୁ ଆନ୍ତରିକତାର ସମୁଦ୍ର ଭିତରେ ହଜାଇ ଦେଲା କେଉଁଆଡ଼େ । ମୋହନ ଭାବିଥିଲା, ଝାମ୍ପୁକୁ ଉଠାଇ ନେବ ଛାତି ଭିତରକୁ ଏବଂ କହିବ–‘‘ଏ ମନର ବିଶାଳତା ଦେଖି ଡରିଗଲୁ କି ? ଡରନା । ତୁମେ ସବୁ କେହି ଚିହ୍ନିଲ ନାହିଁ । ମୋ ମନ ଆଉ ହୃଦୟକୁ ନିଷ୍ପ୍ରୟୋଜନ ବୋଲି ଭାବି ଆସିଛ । ବର୍ଷେ–ଦି’ର୍ବଷ ନୁହେଁ । ତିରିଶ୍‌ ବର୍ଷ ହେଲା ।’’

 

ପ୍ରଥମେ ଭୟ ଓ ସନ୍ଦେହ, ପରେ ବିରକ୍ତି ଓ ଘୃଣାରେ ଝାମ୍ପୁ ଘୁଞ୍ଚିଗଲା ଦୂରକୁ । ଅଭାବିତ ପରିସ୍ଥିତିଟିକୁ ବୁଝି ନ ପାରି ପଚାରିଲା–‘‘କ’ଣ ? ଇଏ କ’ଣ ହେଉଛି ?’’

 

ସଚେତନ ହୋଇ ମୋହନ ପ୍ରସାରିତ ହାତଟିକୁ ଫେରାଇ ନେଲା ନିଜ ଦେହ ପାଖକୁ । କୈଫିୟତ ଦେଲା ସ୍ମିତହସ ଜରିଆରେ । ଅନଭ୍ୟସ୍ତ ମୁହଁଟି ସ୍ମିତ ହସଟିକୁ ହୁଏତ ଦରଚିହ୍ନା କରୁଥିଲା–ଆହୁରି କଦର୍ଯ୍ୟ ଦେଖାଗଲା ମୋହନର ମୁହଁ ଓ ତମାମ୍‌ ଶରୀର । ଝାମ୍ପୁ ଏଥର ଚଢ଼ଉ ଆରମ୍ଭ କରିଦେଲା–‘‘କଥାଟା କ’ଣ କହୁନ ? ଛତରାଙ୍କ ଭଳି ହସୁଛ କାହିଁକି ? ଦଉଛି ତୁମକୁ ପାନେ । ବାପା ଆସନ୍ତୁ ।’’

 

ମୋହନ ଦବିଗଲା । ଦୋକାନରେ ଥିବା ସମସ୍ତେ ତାଙ୍କୁ ଚାହିଁଲେ ପ୍ରଶ୍ନିଳ ଆଖିରେ ତା’ର ନୂଆ ବ୍ୟବହାର ସକାଶେ । ମୋହନ କିନ୍ତୁ ଅନୁତାପ କଲା ନାହିଁ, ଶଙ୍କିତ ହେଲା ନାହିଁ ପୁରୁଣା ଚାକିରିଟି ଚାଲିଯାଇପାରେ ବୋଲି । ଗୋଟାଏ କରୁଣ ଭାବ ବ୍ୟାପିଗଲା ତା’ ମନରେ । ଜୀବନର ସର୍ବଶେଷ ଚେଷ୍ଟାଟି ବିଫଳ ହୋଇଯାଇଛି । ଏ ଦୋକାନ ସହିତ ତା’ ସମ୍ପର୍କଟି ଆଉ ପରିବର୍ତ୍ତିତ ହେବ ନାହିଁ ।

 

ଆଜି ପ୍ରଥମଥର ପାଇଁ ମୋହନ ଭାବିଲା, ଗୋଟାଏ ଅକୃତକାର୍ଯ୍ୟ ଜୀବନକୁ ଧରି ଏତେଗୁଡ଼ାଏ ବର୍ଷ ଚଳପ୍ରଚଳ କରି ଆସିଛି । ଏ ଦୋକାନରେ ତିରିଶ ବର୍ଷର ଚାକିରି ତାକୁ ବାସ୍ତବିକ ଦେଇଛି କ’ଣ ? ସନ୍ଦେହ ଆଉ ଅବିଶ୍ୱାସ । ଯଦୁନାଥବାବୁ ଥରେ ହେଲେ ପରୀକ୍ଷା କରି ନାହାନ୍ତି, ସେ କିମ୍ୱା ତାଙ୍କ ପ୍ରତିନିଧିଙ୍କ ଅନୁପସ୍ଥିତିରେ ମୋହନ ସଚ୍ଚୋଟ ଭାବରେ ଦୋକାନଟିକୁ ଚଳେଇ ପାରୁଛି କି, ନା । ସେଇଭଳି ମୁହୂର୍ତ୍ତଟିଏ ଖୋଜି ଖୋଜି ସେ ହାଲିଆ ହୋଇଯାଇଛି । ସବୁବେଳେ ଭାବି ଆସିଛି, ଆସନ୍ତା କି ସେଇମିତି ପରିସ୍ଥିତିଟିଏ । ସେ ନିଜର ମୂଲ୍ୟ ଦେଖାଇ ଦେଇ ପାରନ୍ତା । ଏ ଦୋକାନ ପ୍ରତି, ଯଦୁନାଥବାବୁଙ୍କ ପରିବାର ପ୍ରତି ନିଜର ଅନୁରକ୍ତି ଓ ମମତା ପ୍ରମାଣ କରିଦେଇ ପାରନ୍ତା । ସେ ମୁହୂର୍ତ୍ତ କେବେ ବି ଆସିନି ।

 

ଅପରାହ୍ନ ଚାରିଟାବେଳେ ଖୋଦ୍‌ ଯଦୁନାଥବାବୁ ଟଙ୍କା ବାକ୍‌ସ ଓ ଦୋକାନର ଦାୟିତ୍ୱ ଗ୍ରହଣ କଲେ । ତାଙ୍କ ଆଖି ଈଷତ୍‌ ନାଲି ଓ ଓଦା ଦେଖା ଯାଉଥିଲା । ଧୋତି କୁଞ୍ଚରେ ମୁହଁ ପୋଛି କହିଲେ–‘‘ମୁଣ୍ଡ ବିନ୍ଧୁଛି । ସନା, ଗଲୁ ଆସପ୍ରୋ ଦୁଇଟା ଆଉ କପେ ଚା’ ନେଇ ଆସିବୁ ।’’

 

ଏହାର ଦୁଇଘଣ୍ଟା ପୂର୍ବରୁ ମୋହନ ଜଡ଼ସଡ଼ ହେଉଥିଲା ସାଙ୍ଘାତିକ ମୁଣ୍ଡ ବିନ୍ଧାରେ । ଯଦୁନାଥବାବୁ ତା’ଆଡ଼େଚାହିଁଲେ ଏବଂ ପଚାରିଲେ–‘‘କ’ଣ ?’’

 

ମୋହନ ଏଭଳି ଅଯଥା ଆଶାବାଦୀ ହୋଇପଡ଼ିଲା ଯେ, ସହଜ ଉତ୍ତରଟି ଆସିଲା ନାହିଁ ତା’ ଓଠକୁ । ଭାବିଲା, ତିରିଶ ବର୍ଷ ପରେ ପ୍ରଥମଥର ପାଇଁ ସେ ଯଦୁନାଥବାବୁଙ୍କ ସହିତ ଚା’ ପିଇବ ଓ ବଟିକା ଗିଳିବ । କହିଲା–‘‘ମୋ ମୁଣ୍ଡ ବି ବିନ୍ଧୁଛି ।’’

 

–‘‘ଓ !’’ କହିଲେ ଯଦୁନାଥବାବୁ ଏବଂ ରାସ୍ତା ଉପରକୁ ଅନେଇଲେ ସନା କେତେ ବାଟରେ ହେଲାଣି ଦେଖିବା ପାଇଁ । ପ୍ରସ୍ତାବ ଦେଲେ–‘‘ଯିବ ? ଔଷଧ ପାଇଁ ?’’

 

ମୋହନ ମୁଣ୍ଡ ହଲାଇଲା । କହିଲା ମିଛ କଥାଟିଏ–‘‘ଔଷଧ ଖାଇଛି । କମି ଆସିଲାଣି-।’’

 

ମନଧ୍ୟାନ ଦେଇ ଚା’ ପିଉଥିବା ଦୋକାନ ମାଲିକ ଆଡ଼େ ଚାହିଁ ମୋହନ ପୁଣି ଥରେ ମମତା ଓ ଆତ୍ମୀୟତାର ଗନ୍ଧରେ ବିଚଳିତ ହୋଇଯାଉଥିଲା । ତିରିଶ୍‌ ବର୍ଷ ହେଲା ଦେଖି ଆସୁଥିବା ଲୋକଟିର ବେଶି କିଛି ପରିବର୍ତ୍ତନ ହୋଇନାହିଁ । ଏବେ ବି ତାଙ୍କ କେଶ ଚକ୍‌ଚକ୍‌ । ଦେହ ଆଗଭଳି ନିଦା । କେବଳ ଆଖି ତଳର କଳା ଦାଗଟା ଘନୀଭୂତ ହେଉଛି । ମୁହଁ ଉପରେ ବୟସର ଗାରଗୁଡ଼ାକ ଆହୁରି ଆସ୍ଥାନ ଜମାଉଛନ୍ତି ।

 

ମୋହନ ତିରିଶ ବର୍ଷ ପଛକୁ ଫେରିଯିବା ପାଇଁ ଚେଷ୍ଟା କରୁଥିଲା । ପାରିଲାନି । ସେତେବେଳେ ସେ କିଭଳି ଦେଖା ଯାଉଥିଲା, ତାହା ଆଉ ମନେ ନାହିଁ ତା’ର । କେଜାଣି, ଜନ୍ମ ହେବା ଦିନୁ ସେ ବୋଧହୁଏ ବର୍ତ୍ତମାନର ଚେହେରା ଧରି ଆସିଛି । ଏଇ ସ୍ଥାନଟିରେ ବସି ଚିଠା ତିଆରି କରୁଛି ନିର୍ଭୁଲ ଭାବରେ ।

 

ମୋହନ ଭୁଲି ଯାଉଥିଲା ନିଜର ମୁଣ୍ଡବିନ୍ଧା କଥା । ଭାବୁଥିଲା, ଯଦୁନାଥବାବୁଙ୍କର ମୁଣ୍ଡ ବିନ୍ଧାର ଆୟତନ କେତେ ? ଭାରି ଯନ୍ତ୍ରଣା ହେଉଥିବ ତାଙ୍କୁ । ନୁହଁ ? ଗୋରା ମୁହଁଟା ନାଲି ଦେଖାଯାଉଛି । ତା’ ଉପରେ ଯନ୍ତ୍ରଣାର ଛବି ଆଙ୍କି ହୋଇ ଯାଉଛି । କେମିତି ଲାଗୁଛି ବୋଲି ପଚାରିବ । ସାହସ ହେଲାନି । ଯଦୁନାଥବାବୁ ଦୁରନ୍ତ ଜଣାପଡ଼ନ୍ତି । ବିଶାଳ ଓ ଶକ୍ତିଶାଳୀ ଦେଖାଯାନ୍ତି ତା’ ଆଖିରେ ।

 

ସନ୍ଧ୍ୟା ଛ’ଟା ବେଳକୁ କାରବାର ବଢ଼ି ଯାଇଥିଲା ସବୁ ଦିନ ଭଳି । ତା’ ଭିତରେ ସ୍ଥାନୀୟ ଯୋଗାଣ ବିଭାଗର କିରାଣି, ପୋଲିସ୍‌ ସବ୍‌-ଇନିସ୍ପେକ୍ଟର ଦୋକାନକୁ ଆସି, ଚା’ ସିଗାରେଟରେ ଆପ୍ୟାୟିତ ହୋଇ ଫେରି ଗଲେଣି । କୋଣରେ ଚୁପ୍‌ଚାପ୍‌ ବସି ମୋହନ ଦେଖୁଛି, ଶୁଣୁଛି ସବୁ । ଆଲୋଚନାରେ ତା’ର ମତାମତ କେହି ଲୋଡ଼ି ନାହାନ୍ତି । ତା’ ସ୍ଥିତିକୁ ଗୁରୁତ୍ୱ ଦିଆଯାଇ ନାହିଁ ଅନ୍ୟଦିନ ଭଳି ।

 

ରାତି ଆଠଟାବେଳେ ଦୋକାନ ସାମନାରେ ସାଇକେଲରୁ ଓହ୍ଲାଇ ଜଣେ ଲୋକ ଯଦୁନାଥବାବୁଙ୍କ ପାଖରେ ଠିଆହେଲା । କହିଲା–‘‘ଆପଣଙ୍କର ଟେଲିଗ୍ରାମ୍‌ । ଏଇଠି ଦସ୍ତଖତ କରନ୍ତୁ ।’’

 

ଟେଲିଗ୍ରାମଟି ପଢ଼ିସାରି ଅସହାୟ ମୁହଁରେ ସେ ସମସ୍ତଙ୍କୁ ଚାହିଁଲେ । ବାର୍ତ୍ତାଟି ତାଙ୍କ ମନରେ ସୃଷ୍ଟି କରିଥିଲା ଉପାୟହୀନତା ଓ ଭୟ । ଚାହୁଁ ଚାହୁଁ ଯଦୁନାଥବାବୁ ଦେଖାଗଲେ ସହାନୁଭୂତି ଓ ଦୟା ଚାହୁଁଥିବା ନିପାରିଲା ଛୁଆଟିଏ ଭଳି । ତାଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଧହୁଏ । ଦୋକାନରେ ଥିବା ସମସ୍ତେ ଉଦ୍ୱିଗ୍ନ ହୋଇ ପଡ଼ିଲେ । ତା’ପରେ ଶୁଣିଲେ, ଯନ୍ତ୍ରଣାକାତର, ଆବେଗସିକ୍ତ କମ୍ପିତ ସ୍ୱରଟିଏ–‘‘ଦୋକାନ ବନ୍ଦ କରିଦିଅ । ବଡ଼ ଜୋଇଁ ସ୍କୁଟର ଆକ୍‌ସିଡେଣ୍ଟରେ ଚାଲି ଯାଇଛି । ବନୁ, ମୋ ମା’, ମୋ ଧନ । କ’ଣ କରିବି ଲୋ, ତୋ’ପାଇଁ ? ମୁଁ ହେଲେ ଚାଲି ଯାଇଥା’ନ୍ତି ।’’

 

ନିମିଷକ ମଧ୍ୟରେ ଦୋକାନ ବନ୍ଦ ହୋଇଗଲା । ଯଦୁନାଥବାବୁଙ୍କ ମୋଟର ସାଇକେଲର ନାଲି ଆଲୁଅଟି ଉଭେଇ ଗଲା । ସେଲ୍‌ସମ୍ୟାନ୍‌ମାନେ ପଳାଇଗଲେ ଏଣେ ତେଣେ-। ମୋହନ ଠିଆ ହୋଇ ଦୋକାନଟିକୁ କାବୁ କରିଥିବା ଦୁଃଖଟିକୁ ବୁଝିବା ପାଇଁ ଚେଷ୍ଟା କରୁଥିଲା । ତା’ ଶରୀରର କେନ୍ଦ୍ର ବିନ୍ଦୁରୁ ବିଛୁରିତ ହେଉଥିଲା ରାଶି ରାଶି ସମବେଦନା ଓ ଲୁହର ପରିଧି । ଚଷମାଟିକୁ ପକେଟରେ ରଖି ସେ ଆଖି ପୋଛିଲା ଏବଂ ଭାବିଲା ସେ ଛେଉଣ୍ଡ ହୋଇଯାଇଛି । ତା’ ଚାରିପଟେ ପାଣିଚିଆ ମୁହଁ, କଜ୍ଜଳହୀନ ଆଖି, ସିନ୍ଦୂରହୀନ କପାଳ ଓ ସୁନ୍ଥା, ଚୁଡ଼ିହୀନ ଲଙ୍ଗଳା ହାତମାନଙ୍କର ଭିଡ଼ । କ’ଣ କରିବ ସେ ?

 

ଯଦୁନାଥବାବୁଙ୍କର ଦୋତାଲା ଘରଟି ଜଣା ପଡ଼ୁଥିଲା ପରିତ୍ୟକ୍ତ । ବୈଧବ୍ୟର ରିକ୍ତତା ଓ ଶୂନ୍ୟତାକୁ ଜାବୁଡ଼ି ଧରି କାନ୍ଦୁଥିଲା ବାହୁନି ବାହୁନି । ପ୍ରକୃତରେ, ଘରର ପଞ୍ଜରା ହାଡ଼ ଥରାଇ ବ୍ୟାପି ଯାଉଥିଲା କାନ୍ଦଣାଟିଏ । ଲୁହା ଫାଟକ ବନ୍ଦ ଅଛି । ମୋହନ ଠିଆ ହେଲା ସେଇଠି ଏବଂ ଭାବିଲା, ଭିତରକୁ ଯାଇ ଆଶ୍ୱାସନା ଦେବା ତା’ ପକ୍ଷେ ଉଚିତ୍‌ ହେବ କି, ନା । କେବଳ ବନୁ ନୁହଁ; ଅନ୍ୟ ଦୁଇଜଣ ଝିଅଙ୍କୁ ସେ ଦେଖି ନାହିଁ । ଏମିତି କି, ସେମାନଙ୍କର ବାହାଘର ଭୋଜିରେ ଯୋଗ ଦେବା ପାଇଁ କେହି ତାକୁ କହି ନଥିଲେ ।

 

ମୋହନର ହାତ ପ୍ରସାରିତ ହେଲା ଗେଟ୍‌ ଆଡ଼କୁ ଏବଂ ପର ମୁହୂର୍ତ୍ତରେ ସେ ଭାବିଲା, ଗେଟ୍‌ ନୁହେଁ; ଝାମ୍ପୁ ଆଡ଼କୁ ସେ ହାତ ବଢ଼େଇଛି ଟିକିଏ ଆଦର କରିବା ପାଇଁ । ହାତଟିକୁ ଫେରାଇ ଆଣିଲା । ନା ଭିତରକୁ ଯିବାପାଇଁ ସାହସ ହେଉନି । ତିରିଶ୍‌ ବର୍ଷ ହେଲା ଚାକିରି କରିଥିଲେ ମଧ୍ୟ ଯଦୁନାଥବାବୁ କ’ଣ ତାକୁ ସତରେ ଚିହ୍ନନ୍ତି ନା, ଜାଣନ୍ତି ?

 

ମୋହନ ଫେରି ଆସିଲା । କେଉଁଠିକି ଯିବ ସେ ? କେଉଁଠି ଏତେଗୁଡ଼ାଏ ରୁଦ୍ଧ ଆବେଗ ଖଲାସ କରି ସେ ନିଶ୍ଚିନ୍ତ ହେବ ? କିଏ ବୁଝିବ ତାକୁ ? କାହାକୁ ଆପଣାର କରିବ ? ନିଜ ପାଦ ଶବ୍ଦ ତାକୁ ଶଙ୍କିତ କରୁଥିଲା ବେଳେବେଳେ । ତା’ ସାଙ୍ଗରେ କେବଳ ନିଜର ପାଦଶବ୍ଦ । ୟା ପୂର୍ବରୁ ମୋହନ କେବେହେଲେ ଏମିତି ନିଃସଙ୍ଗ ଓ କରୁଣ ଅନୁଭବ କରି ନ ଥିଲା । ସହର ଭିତରେ ଚାଲିଥିବା ଚଳପ୍ରଚଳ, କିଣାବିକା, ପାଟିତୁଣ୍ଡ ଜଣା ପଡ଼ୁଥିଲା ଅର୍ଥହୀନ ଓ ବିରକ୍ତିକର ।

 

ଦୁଇଦିନ ପରେ ଯଦୁନାଥବାବୁ ପଚାରିଲେ–‘‘ଦୁଇଦିନ ହେଲା ଆସୁନି କାହିଁକି ?’’

 

–‘‘କେଜାଣି ?’’ ସହଜ, ସଂକ୍ଷିପ୍ତ ଉତ୍ତରଟିଏ ମିଳିଲା ।

 

ଚାରିଆଡ଼ୁ ଦୃଷ୍ଟି ବୁଲାଇ ଯଦୁନାଥବାବୁ ମନକୁ ମନ କହିଲେ–‘‘ନ ଆସିବାର କଥା ଯଦି, ଖବର ପଠାଇବା ଉଚିତ ଥିଲା । ହଇରାଣ କରୁଛି କାହିଁକି ?’’

 

ମୋହନ ସମ୍ପର୍କରେ ଆଲୋଚନାଟି ସେତିକିରେ ଶେଷ ହେଲା । କେହି ଜାଣିବା ପାଇଁ ଆଗ୍ରହୀ ନଥିଲେ କ’ଣ ତା’ର ହୋଇଛି, କେଉଁଠି ସେ ଅଛି । ଦୋକାନର କାରବାର ଚାଲିଥିଲା ଆଗଭଳି । ଆଗଭଳି ଶୁଭୁଥିଲା ଚିନି କିଲେ, ଲଙ୍କା ଶଏ, ମଇଦା ଅଢ଼େଇଶ’ । ଚିଠା ତିଆରି ହେଉଥିଲା । ସେ ହସ୍ତାକ୍ଷର କିନ୍ତୁ ମୋହନର ନୁହେଁ । ଗରାଖମାନେ ଆସୁଥିଲେ ଯାଉଥିଲେ । ଚା’ ପିଆ ଚାଲିଥିଲା । ଖଟ କୋଣରେ ବସିଥିବା ନୂଆ ମଣିଷଟିର ପରିଚୟ ପାଇବା ଜରୁରୀ ନଥିଲା କାହାରି ପକ୍ଷେ । ତିରିଶ ବର୍ଷ ଧରି ବସିଆସିଥିବା ଏବଂ କୌଣସି କାରଣ ନ ଦେଇ ହଜିଯାଇଥିବା ଲୋକଟିର ହାଲ-ହରକତ ଜାଣିବା ପାଇଁ କାହାରି ଫୁରୁସତ୍‌ ନ ଥିଲା । ଖଟ କୋଣରେ ଘଟିଥିବା ପରିବର୍ତ୍ତନଟି କାହାରି ଦୃଷ୍ଟି ଆକର୍ଷଣ କରି ପାରି ନ ଥିଲା ।

 

ବିଛଣା ଉପରେ ପଡ଼ି ମୋହନ ଭାବୁଥିଲା, ଶେଷ ସମୟ ଆସି ଯାଉଛି । ଆଉ ଦୋକାନକୁ ଯାଇ ଚିଠା ଲେଖିବାର ସମ୍ଭାବନା ନାହିଁ । ଏଇ ମୁହୂର୍ତ୍ତରେ ଖାଲି କାନ୍ଦିବାକୁ ମନ ହେଉଛି କାହିଁକି ?

 

ବହୁ ଦୂରରେ ମାଇକ୍‌ଟାଏ ବାଜୁଛି । କେତେବେଳେ କିମିତି ଶୁଭୁଛି ସାଇକେଲ୍‌ ଘଣ୍ଟିର ଶବ୍ଦ । ପାଖରେ କେଉଁଠି ଛୁଆଟିଏ ରାହାଧରି କାନ୍ଦୁଛି । ଏତକ ବାଦ୍‌ ଦେଲେ ଆଉ କିଛି ଘଟୁ ନାହିଁ ପୃଥିବୀରେ । ଏ ଘରେ ଅନ୍ୟ କାହାରି ପାଦ ଶବ୍ଦର ଧ୍ୱନି ବି ଶୁଭୁନି ।

 

କାହାକୁ ଦେଖିବା ପାଇଁ ମନ ହେଉଛି ତା’ର ? କାହାକୁ ଛାତିରେ ଜାକି ଆପଣାର କରିବା ପାଇଁ ସେ ହାଇଁପାଇଁ ହେଉଛି ? କେହି ତ ଦିଶୁ ନାହାନ୍ତି ।

 

ଜୀବନଟା ଦୋକାନ ଚିଠାର ଟୁକୁରା କାଗଜ ଭଳି ଖର୍ଚ୍ଚ ହେଇଗଲା ସିନା ! କିଛି ହେଲେ ସେ କିଣି ପାରିଲା ? ହଜାରେ ଜିନିଷର ମୂଲ୍ୟ ଜାଣି ସେସବୁ ହସ୍ତାନ୍ତରିତ ହେବାର ଦେଖିବା ବ୍ୟତୀତ ସେ ଆଉ କରିଛି କ’ଣ ?

 

ମୋହନ ବସିଲା ବିଛଣାରେ । କହିଲା–ମଣ୍ଟୁରେ ! କିଣି ଆଣିବି ବାରମଜା ? ସୁନାଟା ପରା, ସେ ଅମୁଲ ଡବାଟା ପିଟ୍‌ନା । ନୂଆ ଦରବଟାକୁ ଏଭଳି ଅପମାନ ଦେ’ନା ବାପା । ଝାମ୍ପୁ, ଧନ ମୋର ! ତୋ’ ମୁହଁ ଝାଉଁଳି ଯାଉଛି । ଯା, ଘରକୁ । ଯିବୁନି ? ଆ ତେବେ ମୋର ଆକାଶ ଭଳି ଛାତି ଭିତରକୁ, ସମୁଦ୍ର ଭଳି ସ୍ନେହ ଭିତରକୁ । ଉଠିଆ ଧୈର୍ଯ୍ୟ ହେଉଛି ସବୁଠୁ ବଡ଼ କଥା, ଯଦୁ ! କହ, ବିଧାତାର ଆଦେଶକୁ କିଏ ଆନ କରି ପାରିଛି ନା, ପାରିବ ? କାନ୍ଦନା ! ବନୁ ଆହୁରି ଭାଙ୍ଗି ପଡ଼ିବ ।

 

ମୋହନର ଆଖି ଭଲ କରି ଦେଖି ପାରୁ ନ ଥିଲା କିଛି । ଥରେ ହେଲେ ପେଟ ପୂରେଇ ସେ ଦେଖିପାରନ୍ତା କି, ଏଇ ଆପଣାର, ଆତ୍ମୀୟମାନଙ୍କୁ ! ଯିବ, ଦୋକାନକୁ ? ତା’ ଅନୁପସ୍ଥିତିରେ ଏମାନେ କେଡ଼େ ବ୍ୟସ୍ତ ନ ହେଉଥିବେ ସତେ ! ଆଉ, ସେ ଖାଲି ଶୋଇଛି, ଏଠି ।

 

ସେ ଚାରିଆଡ଼କୁ ଚାହୁଁଥିଲା ଆଶାୟୀ ହୋଇ । କିଛି ଦେଖିବା ପାଇଁ କିଛି ଶୁଣିବା ପାଇଁ ଉତ୍କଣ୍ଠିତ ହୋଇ ପଡ଼ୁଥିଲା ସେ । କାଗଜଠୁଙ୍ଗାରେ ମପା ଯାଉଛି ଜିନିଷ । ବ୍ୟାଗ୍‌ ଭିତରକୁ ଚାଲି ଯାଉଛନ୍ତି ସେମାନେ । ଲୋକମାନେ ଆସୁଛନ୍ତି, ଯାଉଛନ୍ତି । ଶୁଭୁଛି–ଡାଲି, ଅଟା, ଚିନି, ସାବୁନ । ମୋହନର ହାତ-ଗୋଡ଼ ଅସ୍ଥିର ହେଲା । ଜିନିଷମାନଙ୍କର ନାଁ କୁହାଚାଲିଛି । କୁଆଡ଼େ ଗଲା ତା’ର କଲମ, କାଗଜ, ଚିକ୍କଣ ଡେସ୍କ ? କେତେବେଳେ ସେମାନଙ୍କୁ ଲେଖି ରଖିବ ? ଦାମ୍‌ ବସେଇବ ?

Image

 

ଗ୍ୟାରେଜ୍‌

 

ମାସେ ହେଲା ଅଥର୍ବ ହୋଇ ଘରେ ବସି ରହିବା ଭିତରେ ପ୍ରମୋଦବାବୁ ଶୁଣୁଛନ୍ତି କ’ଣ ? ଗୋଟାଏ ନିଷ୍ପ୍ରୟୋଜନ ସୀତାରର ଉଦାସ ସ୍ୱର । ଦୋତାଲାର ଶେଷ କୋଠରୀରୁ ସମ୍ପ୍ରସାରିତ ହୋଇଯାଏ ଏ ସ୍ୱରର ବଳୟ । କୋଠା ଚାରିପଟେ ଘେରି ରହିଥିବା କମ୍ପାଉଣ୍ଡ ଓ୍ୟାଲର କାନ୍ଥକୁ ଛୁଇଁବା ବେଳେ ଏ ସ୍ୱରର ହାତ ଶିଥିଳ ହୋଇ ଯାଇଥାଏ ।

 

ଦୀର୍ଘ ମାସେ ହେଲା ଏଇ ଅବସ୍ଥା । ବିରକ୍ତିକର, ଅବାଧ୍ୟ ଭିକାରୁଣୀର ନିରବଚ୍ଛିନ୍ନ କୋହ ଭଳି । ଅନେକଥର ପ୍ରମୋଦବାବୁ ଭାବିଲେଣି ପୁଅ ପାଖକୁ ଖବର ପଠାଇବେ.....ସୀତାର ବଜାଇବା ସେ ବନ୍ଦକରୁ । ମାତ୍ର ସୀତାରର ଉଦାସ ସ୍ୱର ଭିତରେ ଲୁଚି ରହିଥାଏ ଅନନ୍ୟ ଶକ୍ତିଟିଏ, ଗୋଟାଏ ଦୃଢ଼ତା, ଗୋଟାଏ ପ୍ରତ୍ୟୟ । ଏଇ ଶକ୍ତିଟି ଉଦାସ ସ୍ୱରର ଯଥାର୍ଥତା ପ୍ରତିପାଦନ କରେ ଅଲୌକିକ ଭାଷାରେ । ତୁମେ ଯଦି ଥରେ ସେ ସ୍ୱର ଶୁଣିବ, ତେବେ ଭାବିବ ଯେ, ଏ ସଂସାରରେ ଉଦାସ ଓ ଦୁଃଖୀ ହୋଇଯିବା ସ୍ୱାଭାବିକ । ଅନ୍ୟ ସବୁ ଅଭିଜ୍ଞତା ଗୋଟାଏ ଶଠତା । ଏଇ କାରଣରୁ ପ୍ରମୋଦବାବୁ ମାସେ ହେବ ସୀତାରର ନିର୍ଯ୍ୟାତନା ସହିବାକୁ ବାଧ୍ୟ ହୋଇଛନ୍ତି ।

 

ଏକମାତ୍ର ପୁଅ । ନିଷ୍କର୍ମା । ତା’ କୋଠରୀରେ ଶିଲ୍‌ଡ, କପ୍‌, ବନ୍ଧେଇ ସାର୍ଟିଫିକେଟ୍‌ର ଗୋଟାଏ ଉଦାର ପ୍ରଦର୍ଶନୀ । ପରିଚ୍ଛନ୍ନ ପାଇଜାମା, ପଞ୍ଜାବି ପିନ୍ଧି ବାରଣ୍ଡାରେ କିମ୍ୱା ଚମତ୍କାର ଲନରେ ବୁଲି ସେ ସନ୍ଧାନ କରିବାକୁ ଚେଷ୍ଟାକରେ କିଛି ଗୋଟାଏକୁ । କ’ଣ ସେଇଟା ?

 

ପ୍ରମୋଦବାବୁ ବୁଝିବାକୁ ଚେଷ୍ଟା କରିନାହାନ୍ତି । ତାଙ୍କ ଭଳି ଜଣେ ଧୂର୍ତ୍ତ ଓ ବିଚକ୍ଷଣ ଲୋକର ଏକମାତ୍ର ପୁଅ ସୀତାରଟିଏ ଧରି ମୁହୂର୍ତ୍ତଗୁଡ଼ିକୁ ବଦ୍‌ଖର୍ଚ୍ଚ କରି ଚାଲିବ ଏବଂ ସେ ଦେଖୁଥିବା ପ୍ରତ୍ୟେକ ମଣିଷ ବାଣିଜ୍ୟ କରି ଜୀବନ ସହିତ ମୁକାବିଲା ପାଇଁ ନିଜକୁ ସୁସଂଗଠିତ କରିଚାଲିବ ! ବିମର୍ଷ ହେବା ପାଇଁ ଏହାଠାରୁ ବଳି ଅନାକର୍ଷଣୀୟ ଯୁକ୍ତି ଥାଇପାରେ ? ସୀତାରର ସ୍ୱର ଯଦି ଉଚିତ ମୂଲ୍ୟ ଦୋକାନର ଗୌରବ ଚୋରାଇ ନେଇ ପାରନ୍ତା କିମ୍ୱା ଡାକ୍ତରର ଔଷଧ ତାଲିକାକୁ ଅବାନ୍ତର ବୋଲି ପ୍ରମାଣ କରିଦେଇ ପାରନ୍ତା, ତେବେ ପୁଅ ବିପକ୍ଷରେ ତାଙ୍କର ଅଭିଯୋଗର ପ୍ରଶ୍ନ ହିଁ ଉଠନ୍ତା ନାହିଁ । କିନ୍ତୁ ପ୍ରାୟ ସବୁବେଳେ ଏଇ ସ୍ୱରକୁ ଶୁଣିବା ପରେ ତାଙ୍କର ହୃଦବୋଧ ହୋଇଛି ଯେ, ଏହା ଏକ କରୁଣ ପଳାୟନ, ନିନ୍ଦନୀୟ ଆଳସ୍ୟର ପ୍ରତୀକ । ଜୀବନର ମୌଳିକ ସଙ୍କଟକୁ ମୀମାଂସା ନ କରି ତାହାକୁ ଆଭଏଡ୍‍ କରିବାର ଗୋଟାଏ ଚାଲ୍‌ ।

 

ଖଟରେ ଡେରା ହୋଇଥିବା କ୍ରଚ୍‌ଟିକୁ ଧରି ଠିଆହେଲେ ସେ । ଡାହାଣ ଆଣ୍ଠୁଠାରୁ ମାଟି ପର୍ଯ୍ୟନ୍ତ ଗୋଟାଏ ସ୍ଥାୟୀ ଅସମ୍ପୂର୍ଣ୍ଣତା । ପଟେ ଗୋଡ଼, ପଟେ କ୍ରଚ୍‌ ସାହାଯ୍ୟରେ ତାଙ୍କୁ ଚାଲିବା ଅଭ୍ୟାସ କରିବାକୁ ହେବ । ପଚାଶବର୍ଷଯ ପରେ ଚାଲିବା ଅଭ୍ୟାସ !

 

ଏହାକୁ କ’ଣ କୁହାଯାଇ ପାରେ ? ଈଶ୍ୱରଙ୍କ ଷଡ଼ଯନ୍ତ୍ର, ନା ତାଙ୍କ କାର୍‌ର ବିଶ୍ୱାସଘାତକତା ? ତେବେ କାର୍‌ର ବିଶ୍ୱାସଘାତକତାକୁ ସିନା ସଂଶୋଧନ କରାଯାଇ ପାରେ; କିନ୍ତୁ ଈଶ୍ୱରଙ୍କ ଷଡ଼ଯନ୍ତ୍ର ବିରୁଦ୍ଧରେ ଲଢ଼େଇ କରିବା ଗୋଟାଏ ନିର୍ବୋଧ ଅଭିଯାନ ହେବ ନାହିଁକି ? ପ୍ରମୋଦବାବୁ ନିଜକୁ ଏଇ ପ୍ରଶ୍ନଟି ପଚାରିଲେ ଏବଂ ପୁଣି ଥରେ ଖଟରେ ବସିଲେ ।

 

ମାସକ ପୂର୍ବେ ତାଙ୍କ କାର୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ରାସ୍ତାକଡ଼ରେ ମଲା କଛିମଟିଏ ଭଳି ଚାରୋଟି ଗୋଡ଼ ଆକାଶକୁ ବଢ଼ାଇ କଳା ଅନ୍ତବୁଜୁଳାକୁ ସମର୍ପଣ କରି ‘ମରିଗଲି’ ବୋଲି ସୂଚନା ଦେଇଥିଲା । ତା’ ତଳେ ଚାପିହୋଇ ପଡ଼ିଥିଲେ ସେ । ଦୁର୍ଘଟଣାର ପରିଣାମ ହେଉଛି–ଆଣ୍ଠୁଠାରୁ ମାଟି ପର୍ଯ୍ୟନ୍ତ ଏଇ ଶୂନ୍ୟତା ।

 

ଧରି ନିଆଯାଉ, କାର୍‌ଟିର ମାନସିକ ବିଚ୍ୟୁତି ଦୁର୍ଘଟଣାଟିକୁ ଘଟାଇଲା । କାର୍‌ଟିର ସ୍ରଷ୍ଟା ଭାବରେ ମଣିଷ କ’ଣ କରିବ ଜାଣନ୍ତି ? ଗ୍ୟାରେଜ୍‌କୁ ଅଣାଯିବ ଜଖମ ହୋଇଥିବା ଗାଡ଼ିଟିର ନିସାଡ଼ି ଦେହକୁ । ଗ୍ୟାରେଜ୍‌ବାଲା ଫୋପାଡ଼ି ଦେବ ମୃତ ପାର୍ଟସ୍‌ଗୁଡ଼ିକୁ । ସ୍ପେୟାର ପାର୍ଟସ୍‌ ଲଗାଇ ସେଇଟିକୁ ପୁଣି ଥରେ ଚିକ୍କଣ ଓ ବିଶ୍ୱସ୍ତ କରିଦେବ । ୟା’ପରେ କାର୍ଯ୍ୟକ୍ଷମ ଗାଡ଼ିଟି ଧାଇଁ ବୁଲିବ ରାସ୍ତାର ପିଠି ଉପରେ ହେଡ଼ ଲାଇଟର ସତର୍କତା ଓ ହର୍ଣ୍ଣର ଚେତାବନୀ ନେଇ ।

 

କିନ୍ତୁ ତାଙ୍କର ଏଇ ଡାହାଣ ଗୋଡ଼ଟି ଖଣ୍ଡିତ ହୋଇଗଲା ପରେ ତା’ର ନିର୍ମାତା ହିସାବରେ ଈଶ୍ୱରଙ୍କର କିଛି ଦାୟିତ୍ୱବୋଧ ଅଛି କି ? ମଣିଷର ଗୋଡ଼ କ’ଣ ବରଗଛର ଓହଳ ହୋଇଛି ଯେ, ତୁମ ଟାଙ୍ଗିଆର ଲୁଣ୍ଠନ ସତ୍ତ୍ୱେ ତାହା ବସୁଧାକୁ ଛୁଇଁବା ପାଇଁ ବରାବର ବ୍ୟାକୁଳ ହେଉଥିବ ? କୌଣସି ଅଙ୍ଗ କଟିଗଲା ମାନେ, ତୁମେ ଅସମାପ୍ତ ହୋଇଗଲ । କାରଖାନା ଉତ୍ପାଦିତ ନକଲି ସ୍ପେୟାର ତୁମକୁ ନିଖୁଣତା ଦେଇପାରିବ ନି । ଥରେ ଭାବି ଦେଖ, ନିଜ ସୃଷ୍ଟି ପ୍ରତି ଈଶ୍ୱର କେତେ ଉଦାସୀନ ଓ ସହାନୁଭୂତିହୀନ । କାଟିଦିଅ ଗୋଟାଏ କଙ୍କିର ଡେଣା । ତଳେ ପଡ଼ିଯିବ ଏବଂ ପିମ୍ପୁଡ଼ିମାନଙ୍କର ମହୋତ୍ସବ ଆରମ୍ଭ ହୋଇଯିବ । ଗଛଟିଏ ଉପୁଡ଼ି ପଡ଼ିଲେ ତାହାର ପୂର୍ବାବସ୍ଥା ଆଉ ଫେରିବନି । ନିର୍ଦ୍ଦୟ ବିଧାତା କେଉଁଠି ହେଲେ ସ୍ପେୟାରଟିଏ ରଖିଯାଇଛି ?

 

ଖାଲି ସୃଷ୍ଟିକର୍ତ୍ତା ବନିଗଲେ କାମ ଶେଷ ହୋଇଯିବ ନି । ଯେକୌଣସି ଜିନିଷ ସାମୟିକ ମରାମତିର ଅପେକ୍ଷା ରଖେ । ଏ ବାବଦରେ ବିଧାତା କ’ଣଟାଏ କରି ପକାଇଛି ?

 

ଅଥଚ ସ୍ରଷ୍ଟା ହିସାବରେ ମଣିଷ କଥା ଚିନ୍ତାକର ଥରେ । ମଣିଷକୁ ତୁମେ ବିଚରା ବୋଲି କହିପାର; କିନ୍ତୁ ନିଜ ସୃଷ୍ଟିକୁ ଅକ୍ଷୁଣ୍ଣ ଓ ସୁନ୍ଦର କରି ରଖିବା ପାଇଁ ମଣିଷଠାରୁ ବେଶି ତତ୍ପର କିଏ ? ତୁମ ପତ୍ନୀଙ୍କର ପଟେ ଇୟରିଙ୍ଗ ଯଦି ହଜିଛି, ତେବେ ବରାଦ ଦିଅ ଗହଣାବାଲାକୁ । ବିଶିଷ୍ଟ ଅଟ୍ଟାଳିକାର କୌଣସି ଅଂଶ ଭୁଷୁଡ଼ି ପଡ଼ିଲେ କଣ୍ଟ୍ରାକ୍‌ଟରକୁ କୁହ ।

 

ନିଜ ସୃଷ୍ଟି ସାଙ୍ଗକୁ ବିଧାତାର ସୃଷ୍ଟିକୁ ଅମଳିନ ରଖିବା ପାଇଁ ମଣିଷ ଚେଷ୍ଟା କରୁଛି ସିନା; ଏ ଦିଗରେ ବିଧାତାଠାରୁ କିଛି ହେଲେ ସହଯୋଗ ସେ ପାଉଛି ? ପ୍ରମୋଦବାବୁ ନକଲି ଗୋଡ଼ଟିଏ କିଣିବାକୁ ପ୍ରସ୍ତୁତ, କିନ୍ତୁ ଏ ସମ୍ପର୍କରେ ଭଗବାନଙ୍କର ସମର୍ଥନ ସେ ପାଇବେ କେଉଁଠୁ ?

 

ତଉଲିଆରେ ମୁହଁପୋଛି ସେ ଓ୍ୟାଚ୍‌ ଦେଖିଲେ । ସକାଳ ଦଶଟା । ଆଉ ଅଳ୍ପ ସମୟ ପରେ ସେ ଯିବେ ଓ୍ୟାର୍କସପ୍‌କୁ । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଏବଂ ନିଜ ଓ୍ୟାର୍କସପରେ ମରାମତ ହୋଇଥିବା କାର୍‌ ନେଇ ସେ ଯିବେ । କାର୍‌ଟି ଏଭଳି ଜଖମ ହୋଇଥିଲା ଯେ, ଓ୍ୟାର୍କସପ୍‌ର ମେନେଜର ସେଇଟିକୁ ମରାମତ ନ କରି ନୂଆ ଗାଡ଼ିଟିଏ କିଣିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରମୋଦବାବୁ କହିଥିଲେ–‘‘ଏଇ ଗାଡ଼ିଟିକୁ ହିଁ ମୁଁ ବ୍ୟବହାର କରିବି । ଜାଣନ୍ତି ମୋର ଉଦ୍ଦେଶ୍ୟ କ’ଣ ? ଭଗବାନଙ୍କୁ ଅପଦସ୍ଥ କରିବା । ସୃଷ୍ଟିକର୍ତ୍ତା ହିସାବରେ ମଣିଷ ଭଗବାନଙ୍କଠାରୁ ବେଶି ଚାଲାଖ ଓ ସମ୍ୱେଦନଶୀଳ ବୋଲି ପ୍ରମାଣ କରିବାକୁ ଚାହେଁ । ନିର୍ବୋଧ ଭଗବାନ ଦେଖୁ–କାର୍‌ଟିର ଅବସ୍ଥା ଓ ମୋ ଅବସ୍ଥା ।’’

 

ପ୍ରମୋଦବାବୁଙ୍କର ଏକ କଥାରେ ଥିଲା ଅହଂକାର ଏବଂ ଅଭିମାନ । ଓ୍ୟାର୍କସପ୍‌ର ମେନେଜର ତାଙ୍କ କଥାକୁ କିନ୍ତୁ ଭଲ କରି ବୁଝି ପାରି ନ ଥିଲେ । ଏକଦା କାର୍‌ ବୋଲି କୁହାଯାଉଥିବା ଲୁହାଇସ୍ପାତର ମେଞ୍ଚାଟିକୁ ଦେଖି ପ୍ରମୋଦବାବୁଙ୍କୁ ଅଯଥା ଖିଆଲି ବୋଲି ଭାବିଥିଲେ ସେ । ସେଇ ମେଞ୍ଚାଟିକୁ ବିଶ୍ଳେଷଣ କରାଯାଇଛି । ନୂଆ ସ୍ପେୟାର ପାର୍ଟସ୍‌ ଲଗାଯାଇ ସଂସ୍କାର କରା ଯାଇଥିବା କାର୍‌ଟି ପୋର୍ଟିକୋ ତଳେ ଠିଆହୋଇ ଅପେକ୍ଷା କରୁଛି ତାଙ୍କୁ ।

 

ଦୋତାଲା ଉପରୁ ଝୁଲି ରହିଛି ସୀତାରର ଅବସନ୍ନ ଝଙ୍କାରଟିଏ । ପ୍ରମୋଦବାବୁ ଦୁଃଖିତ ହୋଇ ପଡ଼ିଲେ । ପୁଅ କେବେ ହେଲେ ତତ୍ପର ହୋଇନି ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପାଇଁ । ସଂସାରକୁ ବୁଝିବା ପାଇଁ କେବେହେଲେ ଚେଷ୍ଟା କଲାନି । ଜୀବନ କିଭଳି ସବୁବେଳେ ଅନୁମାନ–ବହିର୍ଭୂତ, ଅଦୃଶ୍ୟ ଶକ୍ତି ଘେର ଭିତରେ ପଡ଼ିଥାଏ ସେ କଥା ଜମା ବୁଝିଲାନି ସେ ।

 

ତେବେ କିଛି ସମୟ ପୂର୍ବେ ସୃଷ୍ଟିକର୍ତ୍ତା ହିସାବରେ ମଣିଷର ଉତ୍କର୍ଷତା ସମ୍ପର୍କୀୟ ଯୁକ୍ତି ତାଙ୍କୁ ଗଭୀର ଆତ୍ମବିଶ୍ୱାସ ଓ ଶକ୍ତି ଆଣି ଦେଇଥିଲା । କଫି କପ୍‌ଟିକୁ ଟି-ପୟ ଉପରେ ରଖି ଡ୍ରାଇଭରକୁ ପ୍ରସ୍ତୁତ ହେବାପାଇଁ କହିବାକୁ ଚାକରକୁ ନିର୍ଦ୍ଦେଶ ଦେଲେ । ଚାକରଟି ଚଞ୍ଚଳ ଫେରିଆସି ଖବର ଦେଲା ଯେ, ଜଣେ ଭଦ୍ରଲୋକ ତାଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଛନ୍ତି ।

 

ଆଗନ୍ତୁକ ଜଣକ କିଏ ହୋଇପାରନ୍ତି ବୋଲି ମନ ମଧ୍ୟରେ କଳନା କରୁଥିଲେ ପ୍ରମୋଦବାବୁ । ସେ ପହଞ୍ଚିଗଲେ । ସମ୍ପୂର୍ଣ୍ଣ ଅପରିଚିତ ।

 

–‘‘ମୋ ନାଁ ଅମରିକ ସିଂ ।’’ ସେ ଆତ୍ମପରିଚୟ ଦେଲେ ।

 

–‘‘ଆଇ ସି ।’’ କହିଲେ ପ୍ରମୋଦବାବୁ ଏବଂ ଅଜାଣତରେ ଉଠି ପଡ଼ୁଥିଲେ କରମର୍ଦ୍ଦନ କରିବା ପାଇଁ ।

 

–‘‘ୟେସ୍‌, ଅମରିକ ସିଂ । ପରିଚୟ ଥିଲା, ଦେଖା ହୋଇ ନ ଥିଲା ଏପର୍ଯ୍ୟନ୍ତ ।’’ ଶ୍ରୀଯୁକ୍ତ ସିଂ ପ୍ରମୋଦବାବୁଙ୍କ ସଙ୍ଗେ ଏଯାବତ୍‍ ଦେଖା ହୋଇ ନ ଥିବାରୁ ଅପରାଧୀ ମନେ କରୁଥିଲେ ।

 

–‘‘ଆଉ କ’ଣ ଖବର ? କାରବାର ଚାଲିଛି କିପରି ? ପଚାରିଲେ ପ୍ରମୋଦବାବୁ ।

 

–‘‘ଓ୍ୱାଣ୍ଡରଫୁଲ୍‌ !’’ ସେ କହି ପକାଇଲେ ତମାମ୍‌ ଧରଣୀକୁ ରୀତିମତ ଅକ୍ତିଆର କଲା ଭଳି । କିନ୍ତୁ ସବୁ ଜିନିଷ ମନ ମୁତାବକ ହେଉନାହିଁ–ଏଇ ଚିରନ୍ତନ ଅଭିଯୋଗଟି ତାଙ୍କର ପରବର୍ତ୍ତୀ କଥାରେ ସୂଚିତ ହେଲା ‘‘ବିଜିନେସ୍‌କୁ ବହୁମୁଖୀ କରିବା ପାଇଁ କୋଶିସ୍‌ କରୁଚି; ହେଲେ ସ୍କୋପ ନାଇଁ । ଶଳାଙ୍କୁ ଲାଞ୍ଚ ଯାଚିଲେ ବି କାମ କରିଦେବା ପାଇଁ ମତଲବ ନାଇଁ କାହାରି । ଆମ ସହରଟି ଛୋଟ । ବଡ଼ ହେବା ପାଇଁ ବଡ଼ ସହର ଦରକାର । ଆପଣ ଭାଗ୍ୟବାନ । ବଡ଼ ସହରର ବଡ଼ଲୋକ ।’’

 

–‘‘ଆମ ସହରକୁ ଚାଲିଆସୁ ନାହାନ୍ତି ?’’ ନିଜ ପ୍ରଶଂସା ଶୁଣି ପ୍ରମୋଦବାବୁ କହିଲେ ।

 

–‘‘ଆପଣ କହିଲେ ଚାଲି ଆସିବି ।’’ ସମସ୍ତ ଗମ୍ଭୀରତାର ସହିତ ଉତ୍ତର ଦେଲେ ଶ୍ରୀଯୁକ୍ତ ସିଂ ।

 

ପ୍ରମୋଦବାବୁ ଲୋକଟିକୁ ଆହୁରି କୌତୂହଳର ସହିତ ଲକ୍ଷ୍ୟ କଲେ ଏବଂ ଚାଲେଞ୍ଜ ଦେବା ନ୍ୟାୟରେ ପ୍ରସ୍ତାବ କଲେ–‘‘ଠିକ୍‌ ଅଛି । ଆପଣ ମୋ ଓ୍ୱାର୍କସପ୍‌ଟି କିଣି ନିଅନ୍ତୁ । ମୁଁ ରିଟାୟାର କରିବାକୁ ଚାହୁଁଛି ।’’

 

ଅମରିକ୍‌ ସିଂ ସୋଫା ଉପରୁ ଉଠିପଡ଼ିଲେ । ଆନନ୍ଦ ଗଦ୍‌ ଗଦ୍‌ ସ୍ୱରରେ କୃତଜ୍ଞତା ଜଣାଇଲେ–‘‘ସତେ ? ମୁଁ ତେବେ ଠିକ୍‌ କଥା ଶୁଣିଥିଲି, ପ୍ରମୋଦବାବୁ । ଆପଣଙ୍କ କାରଖାନାଟିକୁ କିଣିନେବା ପାଇଁ ମୁଁ ଏଠାକୁ ଆସିଛି ।’’

 

ପ୍ରମୋଦବାବୁଙ୍କର ସମଗ୍ର ସତ୍ତା କମ୍ପି ଉଠିଲା । ତାଙ୍କୁ ଆହୁରି ଅସ୍ଥିର ଓ ଉତ୍ତ୍ୟକ୍ତ କରି ବ୍ୟବସାୟୀ ଜଣକ କହିଲେ ଯେ, ପ୍ରମୋଦବାବୁ ଓ୍ୱାର୍କସପଟିକୁ ବିକି ଦେବେ ବୋଲି କେମିତି କେଜାଣି ସମ୍ୱାଦଟିଏ ପ୍ରଚାରିତ ହୋଇଯାଇଛି । ଅକର୍ମଣ୍ୟ ହୋଇଗଲା ପରେ ଏତେବଡ଼ ସଂସ୍ଥା ତାଙ୍କ ନିୟନ୍ତ୍ରଣ ବହିର୍ଭୂତ ହୋଇଯିବ ବୋଲି କାରଣ ଦର୍ଶାଯାଇଛି ।

 

ଅମରିକ ସିଂ ଚାଲିଯିବା ପରେ ପ୍ରମୋଦବାବୁଙ୍କର ଆଶଙ୍କା ହେଲା ଯେ ହୁଏତ ତାଙ୍କର ପରିଚିତ ପୃଥିବୀଟି ବିଶାଳ ହୋଇଯାଉଛି ଏବଂ କ୍ରମେ କ୍ରମେ ସେ ଅଭିଭୂତ ହୋଇ ପଡ଼ୁଛନ୍ତି । ଛୋଟାଗୋଡ଼ ଯୋଗୁଁ ସମ୍ଭବତଃ ସେ ନିଜ ଯୋଜନା ଓ ଇଚ୍ଛାଠାରୁ ସବୁବେଳେ ପଛରେ ପଡ଼ି ରହିବେ । ତାଙ୍କର କାର୍ଯ୍ୟକ୍ରମର ଇଲାକା ସଂକ୍ଷିପ୍ତ ହୋଇଯାଇ ପାରେ ।

 

ଓ୍ୱାର୍କସପରେ ପହଞ୍ଚିବା ବେଳକୁ ମନର ଉଦବେଗ ଯଥେଷ୍ଟ ବଢ଼ିଯାଇଥିଲା । ମାସକ ପରେ, ହ୍ରାସ ପାଇଥିବା ଦେହ ନେଇ ସେ ଆସିଛନ୍ତି ଏଠାକୁ । ଡାକ୍ତରଙ୍କ ନିର୍ଦ୍ଦେଶମତେ ସେ ସମ୍ପୂର୍ଣ୍ଣ ବିଶ୍ରାମ ନେଉଥିଲେ । ଓ୍ୱାର୍କସପ ସଂକ୍ରାନ୍ତୀୟ ଖବର, ଚିଠିପତ୍ର–କିଛି ଜାଣି ନ ଥିଲେ ସେ ମାସେ ହେଲା ।

 

କାର୍‌ରୁ ଓହ୍ଲାଇ ପ୍ରମୋଦବାବୁ ଲକ୍ଷ୍ୟ କଲେ, ଓ୍ୱାର୍କସପର କାର୍ଯ୍ୟବ୍ୟସ୍ତତା ଯଥେଷ୍ଟ କମିଯାଇଛି । ଜମା ଦଶ ବାରଟି ଟ୍ରକ ବସ୍‍ର ବଡ଼ି ନିର୍ମାଣ–ମରାମତି ଚାଲିଛି । ଛ’ସାତଟି ମୋଟର ସାଇକେଲ ସ୍କୁଟରକୁ ଅପରେସନ କରାଯାଉଛି । ଅନେକ ତାଲିମପ୍ରାପ୍ତ ମେକାନିକ କାମ ଅଭାବରୁ ବସି ରହିଛନ୍ତି ଏଣେତେଣେ । ସେମାନଙ୍କ ହାତରେ ରେଞ୍ଚି, ବୋଲ୍‌ଟ ଇତ୍ୟାଦି ନାହିଁ । ହାତ ମଇଳା ହୋଇନି ।

 

ଏତେ ଚଞ୍ଚଳ ପରାଜୟ ମାନିନେବାର କୌଣସି କାରଣ ନାହିଁ । ପ୍ରମୋଦବାବୁ ନିଜକୁ ଆଶ୍ୱାସନା ଦେଲେ ଯେ, ତାଙ୍କ ଅନୁପସ୍ଥିତି ଯୋଗୁଁ ଏଭଳି ଘଟିଛି । ଏବେଠୁ ଅବସ୍ଥାର ଉନ୍ନତି ଘଟିବ । ଅଜାଣତରେ ଦୀର୍ଘଶ୍ୱାସ ତ୍ୟାଗ କଲେ ସେ ।

 

ବର୍ଷେ ନୁହେଁ, ଦୁଇବର୍ଷ ନୁହେଁ । ଅନେକ ବର୍ଷର ଗୋଟାଏ ସ୍ୱପ୍ନର ପରିପ୍ରକାଶ ଏଇ ଓ୍ୱାର୍କସପ । ଗୋଡ଼ଟିଏ ଛିଣ୍ଡିଗଲା ବୋଲି ଏହା ହାତଛଡ଼ା ହୋଇଯିବ ତାଙ୍କଠୁ ? ନୋ, ନେଭର ! କ୍ରଚ୍‌ଟିକୁ ଖୁବ୍‌ ଜୋରରେ ମୁଠାଇ ପ୍ରମୋଦବାବୁ ମୁଣ୍ଡ ହଲାଇଲେ । ପ୍ରଦେଶର ସର୍ବବୃହତ୍‌, ଅତ୍ୟାଧୁନିକ ଗ୍ୟାରେଜର ମାଲିକ ଭାବରେ କିଏ ନ ଜାଣେ ତାଙ୍କୁ ? ଯେକୌଣସି ସ୍କୁଟରଠୁ ଆରମ୍ଭ କରି ଟ୍ରକ ବସ୍‌ର ସ୍ପେୟାରପାର୍ଟସ ମହଜୁଦ ଅଛି ତାଙ୍କଠି । ଯେକୌଣସି ଆହତ ଗାଡ଼ିର ଚିକିତ୍ସା କରାଯାଏ ଦକ୍ଷ ମେକାନିକମାନଙ୍କ ଦ୍ୱାରା । ଆଧୁନିକ ପ୍ରଣାଳୀରେ ଟ୍ରକ ବସ୍‍ର ବଡ଼ି ନିର୍ମାଣ କରାଯାଏ ତାଙ୍କ ଗ୍ୟାରେଜରେ । ରାଜ୍ୟ ପରିବହନ ସଂସ୍ଥାଠାରୁ କୋଟେସନ ଗ୍ରହଣ କରାଇନେବା, ବିଶିଷ୍ଟ ବ୍ୟବସାୟୀମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରଖିବା ଦିଗରେ ତାଙ୍କଠାରୁ ବେଶି ଚାଲାକଲୋକ କିଏ ଆଛି ସାରା ପ୍ରଦେଶରେ ? ଅଥଚ ମାସକ ପରେ ସେ ଦେଖୁଛନ୍ତି, ଶତାଧିକ ଆହତ ଗାଡ଼ିମାନଙ୍କର ପ୍ରଳାପ ଶୁଭୁନାହିଁ । ଗଣ୍ଡା ଗଣ୍ଡା ଟ୍ରକ-ବସ୍‍ର ଶରୀର ନିର୍ମାଣ ହେଉ ନାହିଁ ।

 

ଗ୍ୟାରେଜଟିର ମହିମା ଏଡ଼େ ବେଗି ଲିଭିଯିବ ? ଇଏ ତ ଗ୍ୟାରେଜ ନୁହେଁ, ଛୋଟିଆ ପୃଥିବୀଟିଏ ଯେମିତି ! ଆଉ ସେ ଏହାର ସ୍ନେହଶୀଳ ଭଗବାନ । ବାସ୍ତବିକ, ଅଟୋମୋବାଇଲ କାରଖାନାରୁ ଏଠାକୁ କ’ଣ ବା ଆସେ ? ଚକ ଲଗାଇଥିବା ଗୁଡ଼ାଏ ଆତ୍ମା ସିନା ! ଏଇ ପୃଥିବୀରେ ସେଇ ଆତ୍ମାଗୁଡ଼ିକୁ ନିର୍ଦ୍ଦିଷ୍ଟ ଶରୀରରେ ଘୋଡ଼ାଇ ଦିଆଯାଏ । ଗାଡ଼ିଗୁଡ଼ିକ ତା’ପରେ ସଂସାରୀ ହୋଇଯାନ୍ତି । ନେସନାଲ ହାଇଓ୍ୱେ ହେଉ ବା କାଦୁଅ ପରିପୂର୍ଣ୍ଣ ମଫସଲି ରାସ୍ତା ହେଉ, ଭିତରେ ପିକନିକ ପାର୍ଟିର ହାସ୍ୟରୋଳ ହେଉ ବା ମଙ୍ଗ ପର୍ଯ୍ୟନ୍ତ ବୋଝେଇ ହୋଇଆଣିବା ଲୁହାପଥର ହେଉ–ଗାଡ଼ିଗୁଡ଼ିକ ସବୁ ସୁଖ-ଦୁଃଖକୁ ସହିଯାନ୍ତି, ଅନିବାର୍ଯ୍ୟ କପାଳଲିଖନ ଭଳି । ବେଳେବେଳେ ସଂସାର ବାଟରେ ଝୁଣ୍ଟି ପଡ଼ନ୍ତି ସେମାନେ, ଆମ ଭଳି । ଜଖମ ହୋଇଗଲେ ପୁଣି ଏଠାକୁ ଆସନ୍ତି ଆହୁରି ଥରେ ଧାଇଁବା ପାଇଁ–ଏକବାରେ ବୁଢ଼ା ହୋଇଗଲା ପର୍ଯ୍ୟନ୍ତ, ଆତ୍ମାଟି ଅଖଞ୍ଜ ହୋଇ ଗାଡ଼ିଟିକୁ ମରଣ ଦୁଆରେ ପହଞ୍ଚାଇ ଦେବା ପର୍ଯ୍ୟନ୍ତ । ତେବେ ବିଧାତାଠାରୁ କେଉଁ ଗୁଣରେ କମ୍‍ ପ୍ରମୋଦବାବୁ ?

 

ବରଂ ସେ ବେଶି ସହାନୁଭୂତିସମ୍ପନ୍ନ ଓ ବିଚକ୍ଷଣ । ଯେହେତୁ ତାଙ୍କ ଗ୍ୟାରେଜ ଏକ ଡାକ୍ତରଖାନା ମଧ୍ୟ । ଗୋଡ଼ ଭାଙ୍ଗିଗଲେ କୌଣସି ଗାଡ଼ି ତାଙ୍କ ଭଳି କ୍ରଚ ଉପରେ ନିର୍ଭର କରେନାହିଁ । ପୁରୁଣା ଗାଡ଼ିର ରୂପ ବଦଳାଇ ଚକ୍‌ ଚକ୍‌ କରାଯାଇ ପାରେ । ରେଞ୍ଚି-ବୋଲଟ ସାହାଯ୍ୟରେ ଯେକୌଣସି ଗାଡ଼ିକୁ ସୁସ୍ଥ ଓ କାର୍ଯ୍ୟକ୍ଷମ କରାଯାଇ ପାରେ ।

 

ମାସକ ଭିତରେ ତାଙ୍କର ପୃଥିବୀ–ଡାକ୍ତରଖାନାଟି ଆପାତତଃ ଫାଙ୍କା ଦେଖାଯାଉଛି । ସେ ଜଣେ ନିର୍ଭରଯୋଗ୍ୟ ବିଧାତା ବୋଲି ଅନ୍ୟମାନେ ସ୍ୱୀକାର ନ କରିବାର କାରଣ କ’ଣ ? ଏତେ ଚଞ୍ଚଳ, ବିନା ଦୋଷରେ ତାଙ୍କ ଉପରୁ ବିଶ୍ୱାସ ତୁଟିଗଲା ? ଅଫିସ ଆଡ଼କୁ ଆଗଉଥିବା ବେଳେ ପ୍ରମୋଦବାବୁ ଏଇକଥା ଭାବୁଥିଲେ ।

 

ଚେୟାରରେ ବସି ସେ ପୁରୁଣା ଚିଠିପତ୍ର ଦେଖିବା ଆରମ୍ଭ କଲେ । ପାଞ୍ଚୋଟି ଗୁରୁତ୍ୱପୂର୍ଣ୍ଣ କଣ୍ଟ୍ରାକ୍‌ଟ ବାତିଲ କରି ଦିଆଯାଇଛି । ପ୍ରାୟ ଶହେ ପର୍ଯ୍ୟନ୍ତ ବସ୍‍ର ବଡ଼ି ନିର୍ମାଣ କରାଯାଇଥାନ୍ତା । ତାଙ୍କ ଓ୍ୟାର୍କସପରେ ।

 

ଗାଡ଼ିର ଆତ୍ମାଗୁଡ଼ିକ ଆଉ ଆସିବେନି ତାଙ୍କର ଏଇ ପୃଥିବୀକୁ । କିଛି କାରଣ ଦିଆଯାଇନି । କେବଳ ଲେଖାଯାଇଛି–ଅନିବାର୍ଯ୍ୟ କାରଣବଶତଃ । ଆଉ ଦୁଇଟି ଚିଠିରେ ସତର୍କ କରି ଦିଆଯାଇଛି, ସେ ପର୍ଯ୍ୟନ୍ତ ତାଙ୍କ ଗ୍ୟାରେଜରେ ପଡ଼ି ରହିଥିବା ବସ୍‌ଗୁଡ଼ିକର ବଡ଼ି ନିର୍ମାଣ ଦିନେ ଦୁଇଦିନ ଭିତରେ ଶେଷହୁଏ ଯେପରି ।

 

ମାସକ ଭିତରେ ଏଇ ପରିବର୍ତ୍ତନ ! ଅସହାୟ ଆଖିରେ ସେ ଚାହିଁଲେ ଚାରିଆଡ଼କୁ କିଛି ଗୋଟାଏ ଉତ୍ସାହଜନକ ସୂତ୍ର ପାଇବା ପାଇଁ । ମନ ମଧ୍ୟରେ ସେ ଅନେକଗୁଡ଼ାଏ ଉପାୟ ସ୍ଥିର କରୁଥିଲେ; କିନ୍ତୁ ଗୋଟାଏ ବିଶାଳ, ଅପ୍ରତିଦ୍ୱନ୍ଦୀ ଅନ୍ତରାୟ ଉଭା ହେଉଥିଲା ତାଙ୍କ ସାମନାରେ । ଛୋଟା ଗୋଡ଼ ! ନିଜ ପୃଥିବୀକୁ କର୍ମମୁଖର କରିବା ସକାଶେ ଯେଉଁ ଧାଁ ଦଉଡ଼ ଦରକାର, ସେଥିପାଇଁ ସେ ଅକ୍ଷମ ହୋଇ ପଡ଼ିଛନ୍ତି । ପ୍ରତିଯୋଗିତାରେ ସେ ଜଣେ ସଫଳ ପ୍ରତିଯୋଗୀ ବୋଲି ଆଉ କାହାରି ଆସ୍ଥା ନାହିଁ ତାଙ୍କ ଉପରେ ।

 

ରୀତିମତ ବିକଳ ହୋଇପଡ଼ିଲେ ପ୍ରମୋଦବାବୁ । ତଉଲିଆରେ ମୁହଁପୋଛି, ଗିଲାସେ ପାଣି ପିଇ, ଟେବୁଲକୁ ଚାହିଁଲେ ଅନ୍ୟମନସ୍କ ଭାବରେ । ସେତିକିବେଳେ ଟେଲିଫୋନ ରିଙ୍ଗ କଲା-। ସହରର ବିଶିଷ୍ଟ ବ୍ୟବସାୟୀ ରସିକଲାଲଙ୍କ ଫୋନ୍‌ ।

 

–‘‘ଆଉ କ’ଣ ଖବର, ପ୍ରମୋଦବାବୁ ? ଆପଣଙ୍କ ଘରକୁ ଫୋନ୍‌ କରିଥିଲି । ଶୁଣିଲି ଆପଣ ଓ୍ୟାର୍କସପରେ ।’’ ବ୍ୟବସାୟୀ ଜଣକ କହିଲେ, ପ୍ରମୋଦବାବୁଙ୍କ ଖବର ଶୁଣିବା ପାଇଁ ଅପେକ୍ଷା ନ କରି ।

 

–‘‘କହନ୍ତୁ, ଆପଣଙ୍କର କି ସେବା କରିପାରେ ।’’

 

–‘‘ମୋର ଦୁଇଟି ଟ୍ରକ ଚାରିଦିନ ତଳେ ଆପଣଙ୍କ ଗ୍ୟାରେଜ୍‌ରୁ ଫେରିଲା ।’’ ରସିକଲାଲ ନୀରବ ହେଲେ କେତୋଟି ମୁହୂର୍ତ୍ତ ପାଇଁ । ଅଭିବାଦନ ଓ ଧନ୍ୟବାଦ ଶୁଣିବା ଆଶାରେ ପ୍ରମୋଦବାବୁ ଅପେକ୍ଷା କଲେ । ‘‘କଥା କ’ଣ କି ଗାଡ଼ି ଦୁଇଟି ପୁଣି ଟ୍ରବଲ ଡେଭଲପ କଲେ । ଅଗତ୍ୟା ଅନ୍ୟ ଗ୍ୟାରେଜ୍‌କୁ ପଠେଇଥିଲି । ଶୁଣିଲି ଗାଡ଼ିରେ ଭେଜାଲ ସ୍ପେୟାରପାର୍ଟସ୍‌ ଲଗାଯାଇଛି । ସର୍ଭିସିଙ୍ଗରେ ତ୍ରୁଟି ରହିଛି ବହୁତ । ଆପଣଙ୍କ ଗ୍ୟାରେଜରେ ଏମିତି ଘଟିବ ବୋଲି ମୋର ବିଶ୍ୱାସ ନ ଥିଲା ।’’

 

ତା’ମାନେ ଅସାଧୁତା ଓ ଠକେଇ ଆରମ୍ଭ ହୋଇଛି । ପ୍ରମୋଦବାବୁ ମେନେଜରଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଉଦ୍ୟତ ହେଉଥିଲେ । ଦେଖିଲେ, ସେ ଠିଆ ହୋଇଛନ୍ତି, ତାଙ୍କ ଟେବୁଲ ପାଖରେ ।

 

–‘‘କ’ଣ ?’’

 

–‘‘ସାର୍‌, ଦରମା ଦେବା ତାରିଖଟି ପାଞ୍ଚଦିନ ହେଲା ଗଡ଼ି ଗଲାଣି । ସମସ୍ତେ ଅସୁବିଧାରେ ପଡ଼ିଛନ୍ତି, ଅଶାନ୍ତି ସୃଷ୍ଟି ହୋଇଛି ।’’ ମେନେଜର କହିଲେ ଛୋଟା ମାଲିକଙ୍କୁ ।

 

–‘‘ଆଇ ସି ।’’ ଗମ୍ଭୀର ହୋଇଗଲେ ପ୍ରମୋଦବାବୁ ଏବଂ ସତକୁ ସତ ମେନେଜରଙ୍କୁ ଭଲ କରି ଦେଖିଲେ । ‘‘ଆପଣ ଦେଖୁଛନ୍ତି, କାରବାର ନିହାତି ମାନ୍ଦା ମାସେ ହେଲା । ଦରମା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ ।’’

 

–‘‘କିନ୍ତୁ ସାର୍‌, ମୋ କଥା ଟିକିଏ ଚଞ୍ଚଳ ବୁଝି ଦିଅନ୍ତୁ । ମୁଁ ଏ ଚାକିରି ଛାଡ଼ିଦେବି ।’’

 

ପ୍ରମୋଦବାବୁ ମେନେଜରଙ୍କ ଆଗ୍ରହହୀନ, ବିରକ୍ତିପୂର୍ଣ୍ଣ ମୁହଁ ଦେଖି ଭାବିଲେ ଅସୁବିଧାରେ ପଡ଼ିଲେ ମଣିଷ କ’ଣ ଭଗବାନଙ୍କ ଉପରୁ ବିଶ୍ୱାସ ତୁଟାଇ ଦିଏ ଏବଂ ଅନ୍ୟ କିଛିକୁ ଆଶ୍ରା କରେ ?

 

ଦୁଇଦିନ ପରେ ଗ୍ୟାରେଜରେ ବଡ଼ ଧରଣର ଡକାୟତିଟିଏ ଘଟିଗଲା । ହଜାର ହଜାର ଟଙ୍କାର ସ୍ପେୟାରପାର୍ଟସ୍‌ ହରଣଚାଳ ହୋଇଗଲା ଷ୍ଟୋରରୁ । ଦୁଇଜଣ ଦରୁଆନଙ୍କ ଉପସ୍ଥିତି ସତ୍ତ୍ୱେ ଡକାୟତିଘଟିବାଟା ସ୍ୱାଭାବିକ ବୋଲି ମନେ ହେଲା ପ୍ରମୋଦବାବୁଙ୍କୁ । ନିରୁପାୟ କାରୁଣ୍ୟ ନେଇ ସେ କେବଳ ଚାହିଁ ରହୁଥିଲେ କାର୍ଯ୍ୟହୀନତା ଘୋଟି ଆସୁଥିବା ଗ୍ୟାରେଜ୍‌ଟିକୁ ।

 

ସଂଖ୍ୟାହୀନ ଚିଠି ଲେଖି, ଫୋନ୍‌ କରି, ସାଧ୍ୟମତେ ବିଭିନ୍ନ ସ୍ଥାନକୁ ଯାଇ ମଧ୍ୟ ନିଜ ପୃଥିବୀର ଅତୀତ ଗୌରବକୁ ସେ ଫେରାଇ ଆଣି ପାରିଲେ ନାହିଁ । ଦୁଇମାସ ପରେ ଦେଖାଗଲା, ପାଞ୍ଚ-ଛ’ଜଣ ଅନଭିଜ୍ଞ ଲୋକଙ୍କୁ ନେଇ ପ୍ରମୋଦବାବୁ ଅସ୍ଥିର ଭାବରେ ବୁଲାଚଲା କରୁଛନ୍ତି ଗ୍ୟାରେଜରେ, କ୍ରଚ୍‌ଟିଏ ଧରି । ଦ୍ୱାର ଉନ୍ମୁକ୍ତ; କିନ୍ତୁ ଆତ୍ମା କିମ୍ୱା ରୋଗୀମାନଙ୍କର ଆଉ ଦେଖା ନାହିଁ । ତାହା ଘଟିଲେ ମଧ୍ୟ, ଦେହ ତିଆରି ପାଇଁ କିମ୍ୱା ଚିକିତ୍ସା ପାଇଁ ଆଉ ବା କିଏ ଅଛି ଏଠାରେ-?

 

ଅମରିକ ସିଂ ସିଗାରେଟ୍‌ରୁ ଦମ୍‌ ନେଇ କହିଲେ–‘‘ଏଥର ଆପଣଙ୍କର ରିଟାୟାର କରିବା କଥା । ମଣିଷ ସବୁଦିନ ଖଟି ପାରିବନି । ଆପଣ ଜଣେ ବିଖ୍ୟାତ ଗ୍ୟାରେଜ୍‌ବାଲା । କହନ୍ତୁ, ମଣିଷ ଆଉ ଟ୍ରକ୍‌ କିମ୍ୱା ବସ୍‌ ଭିତରେ କ’ଣ ବା ତଫାତ୍‌ ଅଛି । ଗାଡ଼ିର ଯେତେ ଯତ୍ନ ନିଆଗଲେ ବି ସମୟ କ୍ରମେ ତାହା ଅକର୍ମଣ୍ୟ ହୋଇଯିବା ସ୍ୱାଭାବିକ । କୌଣସି ଜିନିଷର ସ୍ଥାୟିତ୍ୱ ଅଛି କି ?’’

 

ଏକଦା ନିଜକୁ ବିଧାତାଠାରୁ ବଡ଼ ବୋଲି ଭାବୁଥିବା ପ୍ରମୋଦବାବୁ ମାମୁଲି ଟ୍ରକ୍‌ କିମ୍ୱା ବସ୍‌ଠାରୁ ଅଧିକ କିଛି ନୁହନ୍ତି, ଅମରିକ ସିଂଙ୍କ ଦୃଷ୍ଟିରେ । ଅପମାନିତ ବୋଧ କରୁଥିଲେ ମଧ୍ୟ ପ୍ରମୋଦବାବୁ ପ୍ରତିବାଦ କଲେ ନାହିଁ । ଗ୍ୟାରେଜ୍‌ର ମାଲିକାନା ହସ୍ତାନ୍ତରିତ ହୋଇଯାଇଛି । ଅତ୍ୟଧିକ ଦାମ୍‌ ଦେଇ, ଅମରିକ ସିଂ କିଣିନେଲେ ଏଇଟିକୁ ।

 

ନା, ଜମା ଭଲ ଲାଗୁ ନାହିଁ ଘରେ । ଶେଷହୀନ ସମୟ ପର୍ଯ୍ୟନ୍ତ ବିଶ୍ରାମ, ସମ୍ପୂର୍ଣ୍ଣ କର୍ମହୀନତା । ଅତୀତର ଈଶ୍ୱର, ବର୍ତ୍ତମାନ ଅଥର୍ବ ଦୀର୍ଘଶ୍ୱାସଟିଏ ।

 

ଘରଟା ଖାଁ ଖାଁ ଲାଗେ । ବର୍ଷ ବର୍ଷ ଧରି ଗ୍ୟାରେଜରେ ବିଶୃଙ୍ଖଳ ସ୍ୱର ସହିତ ଅଭ୍ୟସ୍ତ ତାଙ୍କର କାନ ଦୁଇଟି ଭାବେ ପୃଥିବୀ ଆହୁରି ବିଶୃଙ୍ଖଳ ଆବାଜଦ୍ୱାରା ଅଣନିଃଶ୍ୱାସୀ ହୋଇଯାଉଛି । କୌଣସି ସଂହତି ନ ଥିବା, ଉଦ୍ଦେଶ୍ୟ ନ ଥିବା ଚିତ୍କାରଗୁଡ଼ିଏ ଶୁଭୁଛି ।

 

ବେଳେବେଳେ ଦୋତାଲାରୁ ସୀତାରର ସ୍ୱର ଶୁଭେ । ମନେହୁଏ, ସମସ୍ତ ବିଶୃଙ୍ଖଳା ଓ କୋଳାହଳ ମଝିରେ ଶାନ୍ତ ସ୍ନିଗ୍‌ଧ ଧାରାଟିଏ ସୃଷ୍ଟି କରାଯାଉଛି । ଏଇ ସଂଯତ ସ୍ୱର ଏବେ ଜଣାପଡ଼େ ତାତ୍ପର୍ଯ୍ୟପୂର୍ଣ୍ଣ ଓ ଆଧ୍ୟାତ୍ମିକ ।

 

ସେଦିନ ସଞ୍ଜବେଳେ ଲନରେ କେନ୍‌ ଚେୟାରରେ ପ୍ରମୋଦବାବୁ ଆଖିବୁଜି ବସିଥିଲେ-। ସୀତାର ଆଉ ନ ବାଜିଲେ ମଧ୍ୟ, ଲିଭି ଯାଇଥିବା ଧୂପକାଠିର ବାସ୍ନାଭଳି, ଗୋଟାଏ ଝଙ୍କାର ଖେଳି ବୁଲୁଥିଲା ଘରର ପବନରେ ।

 

ପ୍ରମୋଦବାବୁ କାନ୍ଧ ଓ ପିଠିରେ କରସ୍ପର୍ଶ ଅନୁଭବ କଲେ । ଦେଖିଲେ, ପୁଅ ଠିଆ ହୋଇଛି ତାଙ୍କର ଖୁବ୍‌ ପାଖରେ । ପ୍ରକୃତରେ ସେ ଏତେ ପାଖରେ ଠିଆ ହୋଇଥିଲା ଯେ, ତାଙ୍କ ସାମନାରେ ପୃଥିବୀ ଓ ଆକାଶ ଦେଖାଗଲା ନାହିଁ ତାଙ୍କୁ ! ପୁଅର ଶରୀର ମନେହେଉଥିଲା ଗୋଟିଏ ଆକାଶ ଓ ଗୋଟିଏ ପୃଥିବୀର ସମଷ୍ଟିଭଳି ।

 

–‘‘ବାପା ! ଅନ୍ଧାର ହୋଇ ଆସିଲାଣି । ଘର ଭିତରକୁ ଚାଲ ।’’ କହୁଁ କହୁଁ ସେ କ୍ରଚ୍‌ଟିକୁ ଧରିଲା ନିଜ ହାତରେ । ପ୍ରମୋଦବାବୁ ପୁଅକୁ ଅବଲମ୍ୱନହ କରି ଘର ଭିତରକୁ ଆସିଲେ ।

 

ଝାପ୍‌ସା ଆଲୋକିତ ଡ୍ରଇଁରୁମ୍‌ର ସୋଫା ଉପରେ ବସି ପ୍ରମୋଦବାବୁ ଲକ୍ଷ୍ୟ କରୁଥିଲେ ସୀତାର ଉପରେ ପୁଅର ଆଙ୍ଗୁଳି ଚାଳନାକୁ । କେତୋଟି ଲମ୍ୱା ତାର ଉପରେ ଆଙ୍ଗୁଳିଗୁଡ଼ିକ ଖୋଜି ଚାଲିଛନ୍ତି ନିର୍ଦ୍ଦିଷ୍ଟ ଶୃଙ୍ଖଳିତ ଧାରାର ଏକ ସ୍ୱରକୁ । ରେଞ୍ଚି, ସ୍କୃ-ଡ୍ରାଇଭର ଚଳାଇବାଠାରୁ ସମ୍ପୂର୍ଣ୍ଣ ପୃଥକ । ବିଭିନ୍ନ ପ୍ରକାର ଗାଡ଼ିମାନଙ୍କର ସମ୍ମିଳିତ ଆର୍ତ୍ତନାଦଠାରୁ ଭିନ୍ନ ପର୍ଯ୍ୟାୟର ।

Image

 

Unknown

ଚଉତିଶା

 

ଆଗଭଳି ଏବେ ଆଉ ଭଲ ଦେଖାଯାଏ ନାହିଁ । ସବୁ ଜାଲଜାଲୁଆ ଜଣାପଡ଼େ । ସାମନାରେ ଠିଆ ହୋଇ କଥା କହୁଥିବା ମଣିଷ, ରାସ୍ତାର ଗାଡ଼ି-ମଟର, ଗଛର ଡାଳପତ୍ର–ସବୁ ନିର୍ଦ୍ଦିଷ୍ଟ ଆକାରହରାଇ ମେଞ୍ଚାଏ ଲେଖା ଛାୟା-ଚ୍ଛନ୍ନ, କୁହେଳିକାମୟ ଅବଶିଷ୍ଟ ହୋଇ ରହି ଯାଆନ୍ତି ସେମାନଙ୍କର ସ୍ଥିତିର ପ୍ରମାଣ ସ୍ୱରୂପ । ଆକାଶ, ଆକାଶ ହୋଇ ରହେ ନାହିଁ । ପାଦ ପାଖରେ ଘାସ, ଘାସ ହୋଇ ରହେ ନାହିଁ । ସତେ ଅବା ଏ ସବୁ ଅସମାପ୍ତ ବାକ୍ୟର ଦରଚିହ୍ନା ଅର୍ଥ କିମ୍ୱା ଅନ୍ୟମନସ୍କ ଚାହାଣିର ସ୍ଥିର, ନିରୁଦ୍ୱିଗ୍ନ, ମ୍ଳାନ, ଇତିହାସ । ହାତପାପୁଲିରେ ପେଜୁଆ ଆଖି ପୋଛିବାକୁ ପଡ଼େ । ଢିମା ଢିମା ଆଖିରେ ଅନେଇଲେ ବାରିହୁଏ ପାଖରେ ଥିବା ଜିନିଷଟି କ’ଣ । ସେତେବେଳେ ଯାଇ କହୁଥିବା ମଣିଷର ଓଠ, କଳା ଗାଉନ୍‌ ପିନ୍ଧିଥିବା ଓକିଲର ମୁହଁ ସ୍ପଷ୍ଟ ଦେଖାଯାଏ । ଏମିତି ପାରଦ ଛଡ଼ା ପୁରୁଣା ଆଖିକୁ ହାତ ପାପୁଲିରେ କେତେଦିନ ପର୍ଯ୍ୟନ୍ତ ସେ ଘଷୁଥିବ ?

 

ମୁଣ୍ଡ ଝାଇଁ ଝାଇଁ ହୁଏ । ସେତେବେଳେ ଆଉ କ’ଣ ? କିଛି ସ୍ଥିର ହୋଇ ରହେ ନାହିଁ । ସେ ହୋଇପଡ଼େ ସମଗ୍ର ବ୍ରହ୍ମାଣ୍ଡର କେନ୍ଦ୍ରବିନ୍ଦୁ । ସବୁ ଘୂରୁଛି ତା’ ଚାରି ପାଖରେ । କୁଆଡ଼େ ଯାଏ କେଜାଣି ସେତେବେଳେ ସୃଷ୍ଟିର ଶୃଙ୍ଖଳା ଆଉ ପରିପାଟି ! ସବୁ ଜିନିଷକୁ ଏତେ କଳାତ୍ମକ, କୋମଳ ଭାବରେ ଧରି ରଖିଥିବା ସେଇ ଅଦୃଶ୍ୟ ହାତର କୁହୁକ ତା’ର ମୁଣ୍ଡ ଝାଇଁ ଝାଇଁ ଭିତରେ ସତେ ଯେମିତି ହଜିଯାଏ କେତୋଟି ଅଚେତନ ମୁହୂର୍ତ୍ତ ପାଇଁ ।

 

ବେଳେବେଳେ ଆପଣା ଛାଏଁ ତା’ର ଆଖି ବନ୍ଦ ହୋଇଯାଏ । କାନ୍ଥରେ ଭରା ଦେଇ ସେ ଧଇଁ ସଇଁ ହୁଏ । ସାରା ବ୍ରହ୍ମାଣ୍ଡଟା ତା’ ଚାରିପଟେ ଘୂରୁଥିବା କଥାଟାକୁ ସେ ଅସ୍ୱୀକାର କରିବାକୁ ଚେଷ୍ଟା କରେ । ତଥାପି ଅଜାଣତରେ କେବେ କେମିତି ଢଳିପଡ଼େ ବାରଣ୍ଡା ଉପରେ । ନିଦ ଭାଙ୍ଗିଲେ ଦେଖେ, ସୂର୍ଯ୍ୟ କାହିଁ କେତେ ତଳକୁ ଖସିଗଲାଣି । କଚେରି ବାରଣ୍ଡା ଘୁମେଇପଡ଼ିଛି କ୍ଳାନ୍ତିରେ । ସାମ୍ନାରେ ଥିବା ଝଙ୍କାଳିଆ ଓସ୍ତଗଛ ମୂଳଟା ବିଧବାର ହାତ ଭଳି ଲଙ୍ଗଳା, ଫାଙ୍କା ଦେଖାଯାଉଛି । ଆହୁରି ନିରିଖେଇ ଦେଖିଲେ, ତା’ ତଳେ ପଡ଼ିଥିବା ଛିଣ୍ଡା କାଗଜ, ଶୁଖିଲା ପତ୍ର ନଜରକୁ ଆସେ; ସତେ ଯେମିତି ସେସବୁ ଭାଙ୍ଗିରୁଜି ଯାଇଥିବା ଚୁଡ଼ିର ଟୁକୁରା । ଚାରିଆଡ଼େ ଖାଁ.....ଖାଁ ଶବ୍ଦର ମାୟା । ନିର୍ଜନତାର ଶବ୍ଦ ।

 

ଗୋଟିଏ ଦିନ ବିତିଯାଏ ।

 

ବାରଣ୍ଡାରୁ ଓହ୍ଲାଇ ସେ ନିଜକୁ ଘୋଷାରି ନିଏ କଚେରି ହତାର ଫାଟକ ଆଡ଼କୁ । କେହି ତ ନ ଥାନ୍ତି ସେତେବେଳେ । ତଥାପି ସେ କାହିଁକି ଚାହେଁ ଚାରିଆଡ଼େ ଏତେ ଦରଦୀ ନଜରରେ; କିମ୍ୱା, ବେଳେବେଳେ, କ୍ଷୁଧାତୁର ହିଂସ୍ରତାରେ ? ନିର୍ଜନତା ଓ ଶୂନ୍ୟତାର ପ୍ରତ୍ୟେକ ଅଙ୍ଗ-ପ୍ରତ୍ୟଙ୍ଗକୁ ସତେ ଯେପରି ଜାବୁଡ଼ି ଧରି ସେ କାହିଁକି କହେ–ଗୋଟାଏ ଦିନ ବିତିଗଲା । କିପରି ? ତୁମେ ହୁଏତ ଭାବୁଥିବ, ସୂର୍ଯ୍ୟ ଉଇଁଲା, ଆରୋହଣ କଲା ଆକାଶ ବୋଲି ତୁମେ କହୁଥିବା ପୃଥିବୀର ଏ ବିଶାଳ ଘୋଡ଼ଣିର ନିର୍ଦ୍ଦିଷ୍ଟ ରେଖାପଥରେ । ତା’ପରେ ଲୁଚିଗଲା କେଉଁଆଡ଼େ ଫିଙ୍ଗିଦେଇ ମୁଠା ମୁଠା ଅନ୍ଧାରର ନିଶା । ଭୁଲ୍‍ । ତୁମେ ଯଦି ଏମିତି ଭାବୁଥାଅ, ତେବେ ତୁମଠୁ ନିର୍ବୋଧ ଆଉ କିଏ ଅଛି ? ଦିନ ବିତେ; କାହିଁକି ନା, ମୋ ମୁଣ୍ଡ ଝାଇଁ ଝାଇଁ ଯୋଗୁଁ ମୁଁ ଅଚେତ ହୋଇପଡ଼େ ବୋଲି । ସମୟକୁ ମୁଁ ଅଟକାଇ ପାରେ ନାହିଁ । ଖାଲି ହାତରେ ମୁଁ ଫେରି ଯାଉଛି ଘରକୁ, ସବୁଦିନେ ଯେମିତି ରିକ୍ତ ହାତରେ ସୂର୍ଯ୍ୟ ଫେରିଯାଏ ।

 

ହେଲେ ସବୁଦିନ ଏମିତି ହୁଏ ନାହିଁ । ଦିନେ ଦିନେ କ’ଣ ହୁଏନା, ସେ କଚେରି ବାରଣ୍ଡାରେ ଶୋଇଥିବ ଏବଂ କେହିଜଣେ ତାକୁ ବ୍ୟସ୍ତତାର ସହିତ ଡାକିବ–‘‘ଅନନ୍ତ, ଏ ଅନନ୍ତ । ଏଟାକୁ ବେଳ ମିଳିଲା ନାହିଁ ଆଉ କେତେବେଳେ ଶୋଇବାକୁ । ଅନନ୍ତ, ଆରେ ଉଠ୍‌ ।’’

 

ଯଦି ଏ ଡାକରେ ତା’ ନିଦ ନ ଭାଙ୍ଗେ, ତେବେ ତା’ର ଦେହ ହାତ ହଲାଇବା ଦରକାର ପଡ଼େ । ଅସ୍ଥିରତା ଓ ଆଶଙ୍କାର ଡାକ । ତା’ ଆଖିର ବଖରାରୁ ନିଦର ଅଳନ୍ଧୁ ଝାଡ଼ି ପରିଷ୍କାର କରିବା ଦରକାର ହୁଏ । ସେଥିରେ ସେ ନ ଉଠିଲେ, ତାକୁ ବସେଇ ଦେବାକୁ ପଡ଼େ ଜୋର କରି । ସେ ସ୍ତବ୍‌ଧ ବିସ୍ମୟରେ ବସି ସମ୍ଭବତଃ ନିଦ ବାଉଳାରେ କହି ଉଠେ–‘‘ହଁ, ହଁ, କ’ଣ ହେଲା ? ଟାଇମ୍‌ ହୋଇଗଲା କି ? ମୁଁ ଖାଲି ଟିକିଏ ଘୁମେଇ ପଡ଼ିଥିଲି ପରା !’’

 

ଓକିଲ ଓ ତାଙ୍କର କ୍ଲାଏଣ୍ଟ ଜଣଙ୍କ ପରସ୍ପରକୁ ଚାହାନ୍ତି ଖୁବ୍‌ ଗମ୍ଭୀର ହୋଇ । ସନ୍ଦେହ ଓ ଅନାସ୍ଥା ଯୋଗୁଁ ସେମାନେ କ୍ଷୁବ୍‌ଧ ହୁଅନ୍ତି, ଶଙ୍କାଗ୍ରସ୍ତ ବି ହୁଅନ୍ତି । ତଳୁ ଉଠି ସାମ୍ନାରେ ଠିଆ ହୋଇଥିବା ଅନନ୍ତକୁ କିଛିକ୍ଷଣ ପାଇଁ ଦେଖିବା ପରେ ଓକିଲଙ୍କର ବିରକ୍ତିମିଶା ସ୍ୱର ଶୁଭେ–‘‘ହଇଓ, ତୁମକୁ ଯାହା କହିଥିଲି, ଯେମିତି ବତେଇଥିଲି.... ।’’

 

–‘‘ସବୁ ମନେ ଅଛି ।’’ ତାଙ୍କର କଥା ଶେଷ ନ ହେବାକୁ ଦେଇ ଅନନ୍ତ କହିପକାଏ । ଗୋଟି ଗୋଟି କରି ସବୁ ମନେ ଅଛି । ଦେଖୁଛନ୍ତି ? ମୁଣ୍ଡର ବାଳ ପାଚିଗଲା, ଦାନ୍ତ ପଡ଼ିଗଲା । ହେଲେ, ଏ କାମରେ ମୋର ଗଲ୍‌ତି ନାହିଁ । ଦି’ପଦ ମିଛ କହିଦେବା ଏମିତି କି କଷ୍ଟ କାମଟାଏ ଭଲା ? ଆପଣ ତ ମୋତେ ଜାଣନ୍ତି । ଟାଇମ୍‌ ହୋଇଗଲା ? ଯିବା ଏଥର ?’’

 

ପରେ ପରେ କଚେରି ବାରଣ୍ଡାରେ ଠିଆହୋଇ କେହି ଜଣେ ଅନନ୍ତ ହାଜର ହୈ ବୋଲି ଚିତ୍କାର କରେ ତିନିଥର । ଆଉ ମୁଣ୍ଡ ଝାଇଁ ଝାଇଁ ନାହିଁ । ଦୁର୍ବଳତା ନାହିଁ । ଦାୟିତ୍ୱ ସମ୍ପାଦନ କରିବାର ଉତ୍ତେଜନା ତା’ ଦେହ ଓ ବୁଦ୍ଧିକୁ ସତେଜ ଓ ଜାଗ୍ରତ ରଖେ । ସେ ଠିଆହୁଏ କାଠଗଡ଼ା ଭିତରେ । କଳାପୋଷାକ ପିନ୍ଧିଥିବା ଜଜ୍‌, ପଛ କାନ୍ଥରେ ଟଙ୍କା ହୋଇଥିବା ମହାତ୍ମାଗାନ୍ଧୀଙ୍କ ବିରାଟ ଫଟୋ, ଶିଲିଂରୁ ଓହଳି ଆସି ଅଳସଗତିରେ ଘୂରୁଥିବା ପଙ୍ଖା, ଅନ୍ୟାନ୍ୟ ଓକିଲ ଓ ଦର୍ଶକମାନଙ୍କ ଉପରୁ ସେ ବୁଲାଇ ଆଣେ ଅଭ୍ୟସ୍ତ ଦୃଷ୍ଟିକୁ । ଦରକାର ହେଲେ ହାତ ପାପୁଲିରେ ଆଖି ପୋଛେ । ତା’ପରେ ଅନ୍ୟ ଜଣଙ୍କ କଥାର ପୁନରାବୃତ୍ତି କରେ–‘‘ମୁଁ ନିୟମ କରି କହୁଛି ଯେ, ଯାହା କହିବି ସତ କହିବି ।’’

 

ଜଣକର କହିଥିବା କଥା ଲେଖି ସାଇତି ରଖାଯାଇ ପାରେ କିମ୍ୱା ଅସ୍ଥାୟୀ ଭାବରେ ସ୍ମରଣ ରଖାଯାଇ ପାରେ । ଏହା ଯଦି ହେଉ ନ ଥାନ୍ତା, ତେବେ ଯୁଗ ଯୁଗ ଧରି ସମସ୍ତ ମଣିଷ ଯେଭଳି ଅହରହ କଥା କହି ଚାଲିଛନ୍ତି ସେସବୁର କିଛି ଅର୍ଥ ହୁଅନ୍ତା କି ? ଦାମ୍ଭିକତା ରହନ୍ତା କି ? ସେମିତି ହେଲେ କେଡ଼େ ଭଲ ହୁଅନ୍ତା ସତେ ! କଥା କହିବା ଏକ ଶାରୀରିକ ବ୍ୟାପର ହୁଅନ୍ତା ଏବଂ ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ଯେଉଁ କଥାର ଆବଶ୍ୟକତା ଦାବି କରନ୍ତା, ତାହା କୁହାଯାଆନ୍ତା ମିଛ ହେଉ କି ସତ ହେଉ । ସେମିତି ହେଲେ ମିଛ ଆଉ ସତ କଥାର ତାରତମ୍ୟ କ୍ଷଣସ୍ଥାୟୀ ଓ ଅସହାୟ ହୋଇ ଯାଆନ୍ତା ।

 

କେଡ଼େ ଭଲ ହୁଅନ୍ତା ! ମଣିଷର ସ୍ମରଣ ଶକ୍ତି କି ପ୍ରଖର ଆଉ ବିପଜ୍ଜନକ ! କାଗଜ-କଲମ କଥା ନ କହିଲେ ଭଲ । ତୁମ କଥାର ଫଟୋ ଉଠିଯାଏ ଏହାରି ଦ୍ୱାରା । ଯୁଗଯୁଗ ଧରି ସେ କଥାର ଚେହେରା ଅମ୍ଳାନ ହୋଇ ରହିଯାଏ ।

 

ଆଜି କାନ୍ଥ ଉପରେ ଭରା ଦେଇ ଏକ କଥା ଭାବି ଚାଲିଥିଲା ଅନନ୍ତ । କଚେରି ବନ୍ଦ ହୋଇଗଲାଣି ଅନେକ ବେଳୁ । ଛାଇଗୁଡ଼ିକ ହେମାଳିଆ ହୋଇଯାଉଛନ୍ତି । କଚେରି ବାରଣ୍ଡା ତ ଆଉ ସବୁଜ ରଙ୍ଗୀନ ପାର୍କ ଭିତରେ ଥିବା ସିମେଣ୍ଟ ବେଞ୍ଚ ନୁହେଁ ଯେ, ତୁମେ ସେଠାରେ ଘଣ୍ଟା ଘଣ୍ଟା ବସି ହାଲୁକା ଅନୁଭବ କରିପାରିବ ! ଏହାର ଓଜନିଆ ପବନରେ ଏମିତି ଏକ ଭାଷା ଅଛି ଯାହା ମଣିଷ ସମ୍ପର୍କରେ ଥିବା ତୁମର ଆସ୍ଥା ଓ ଶ୍ରଦ୍ଧାର କମନୀୟ ଚିତ୍ରକୁ ବିକୃତ ଓ ରକ୍ତାକ୍ତ କରିଦେଇ ପାରେ । ଏହାର ଧୂଳିକଣା ଏମିତି ଯେ, ଏହା ସମ୍ପ୍ରସାରିତ ହୋଇ ବିଶାଳ କାନ୍ଥରେ ପରିଣତ ହୋଇଯାଏ ଏବଂ ଠିଆ ହୁଏ ମଣିଷ-ମଣିଷ ମଧ୍ୟରେ ।

 

ଅନନ୍ତ ଏଇକଥା ଭାବି ଶିହରି ଉଠିଲା । ପୁଣି ଥରେ ଚାରିଆଡ଼କୁ ଚାହିଁଲା ଏବଂ ସ୍ଥିର କଲା ଘରକୁ ସେ ଫେରିଯିବ । ସବୁଦିନ ଭଳି ଆଜି ବି ଗଲାବେଳକୁ ସେ ଦେଖିଲା କଚେରି କାନ୍ଥର ସେଇ ନିର୍ଦ୍ଦିଷ୍ଟ ସ୍ଥାନଟିକୁ । କାନ୍ଥର ସେଇ ଅରାକ ଚିକିଟା ହୋଇଯାଇଛି । ତା’ ମୁଣ୍ଡ ଘଷି ହୋଇ । ସେଠାରେ ଆଉ ଶୁଭ୍ରତା ନାହିଁ । ମଳିନତାର ଗୋଟାଏ ଛୋଟ କିନ୍ତୁ ସ୍ପଷ୍ଟ ପ୍ୟାଚ୍‌ ।

 

ଆଜି ଦିନଟା ବାଏଁ ବାଏଁ ବିତିଗଲା । ଗତକାଲି ଓ ପଅରିଦିନ ଭଳି ସେ ଶୂନ୍ୟ ହାତରେ ଫେରିଯାଉଛି ଘରକୁ । ତା’ ପୂର୍ବଦିନ ସେ ଯେଉଁ ଅଳ୍ପ କେତୋଟି ଟଙ୍କା ରୋଜଗାର କରିଥିଲା, ସେସବୁ ଖର୍ଚ୍ଚ ହୋଇଯାଇଛି । ଘରେ କିଛି ଅଛି କି ନା, ତାହା ତା’ର ମନେ ନାହିଁ । ଦେଖିଲେ ଜଣାପଡ଼ିବ ।

ଏଇମିତି କଚେରି ବାରଣ୍ଡାରେ ଶୋଇ ଶୋଇ ଖାଲି ହାତରେ ଫେରିଗଲେ ଭାରି ଅସହାୟ ଲାଗେ । ସଂସାରଟା ବିଶାଳ ଜଣାପଡ଼େ । ସେ ସ୍ଥିର ହୋଇଗଲା । ହଠାତ୍‌ ପୁରୁଣା ଘଡ଼ିର ସ୍ପ୍ରିଙ୍ଗ ଛିଡ଼ିଗଲେ କଣ୍ଟା ଦୁଇଟାକୁ ସହସା ପାରାଲିସିସ୍‌ ହେଲାଭଳି । କେଉଁଆଡ଼େ ଯିବ ସେ-? କ’ଣ କରିବ ? ଅଥଚ ତା’ ହାତରେ ସମୟର ଅଭାବ ନ ଥାଏ, ଚାଲିବା ପାଇଁ ଇଚ୍ଛା କଲେ ରାସ୍ତାର ଅଭାବ ନ ଥାଏ । ଥଣ୍ଡା ଚୁଲିର ଅଟ୍ଟହାସ୍ୟ, ପେଟ ଭିତରର ସର୍ବଗ୍ରାସୀ ପିଶାଚ ତାକୁ କ୍ରୋଧାନ୍ୱିତ କରେ । ଶହଶହ ଲୋକ କଚେରିକୁ ଆସୁଛନ୍ତି । ମୋକଦ୍ଦମା ଚାଲିଛି ଅହରହ । କିନ୍ତୁ କାଠଗଡ଼ାରେ ଠିଆହୋଇ ଦୁଇପଦ ମିଛକଥା ବିକିବ ବୋଲି ସାରାଦିନ ବାରଣ୍ଡାରେ ବସିଥିଲେ ବି କୌଣସି ଗରାଖ ଜୁଟୁନାହାନ୍ତି ! ମୋକଦ୍ଦମାର ହିସାବନିକାଶ ପାଇଁ ମିଛକଥାର ଗୁରୁତ୍ୱ ପୂରାପୂରି ହଜିଗଲା କି ? ହେ ଭଗବାନ !

ଘର ପାଖରେ ପହଞ୍ଚିଲା ବେଳକୁ ବି ଅନ୍ଧାର ହୋଇ ନ ଥାଏ । ଅଧିକାଂଶ ଦିନ ଭଳି ସେଇ ପାଚେରୀ କଣରେ ସହରର ଅଳସୁଆ ଷଣ୍ଢଟା ବେକ ଘଷି ହେଉଛି । ପାଖ ଘର ବାରଣ୍ଡାରେ ବସି ଜେଜେମା’ ନିର୍ବୋଧ ଛୁଆମାନଙ୍କ ମନରେ ବିଶ୍ୱାସ ଜନ୍ମାଉଛି ଯେ ବୁଡ଼ିଯାଉଥିବା ସୂର୍ଯ୍ୟକୁ ସେ ଆଉଟିକେ ପରେ ନେଇ ଆସିବ ଏବଂ ସେମାନେ ସେଇଟାକୁ ବଲ୍‌ ଭଳି ଖେଳିବେ କାଦୁଅ ରାସ୍ତାର ଅସମତଳ ପିଠି ଉପରେ । ଅନ୍ୟ ଏକ ଘର ଭିତରୁ ଘରଣୀର ଚାପା କଣ୍ଠର ମର୍ମ୍ମସ୍ପର୍ଶୀ କୋହ ଶୁଭୁଛି । ଆହୁରି ଆଗକୁ ପାଞ୍ଚ-ଛଅ ଜଣ ଲୋକ ଅଶ୍ଳୀଳ ଭାଷାରେ ବଚସା କରୁଛନ୍ତି ।

ନିଜ ଘର ଭିତରକୁ ପଶିବା ଆଗରୁ ଅନନ୍ତ ଠିଆ ହୋଇ ଅନୁଶୀଳନ କଲା ପରିବେଶର ଭାଷାକୁ ଓ ରୂପକୁ । ଭାରି ନୂଆ ଜଣାପଡ଼ୁଛି ଏସବୁ । ସବୁ ଯେମିତି ଅଚିହ୍ନା ଅଜଣା । କିଏ ହଜିଯାଇଥିଲା ? ସେ, ନା, ଏ ବସ୍ତି ? ଅଥଚ ସେ’ତ ଅଛି ! ଏଇ ରାସ୍ତା ଆଉ ବଞ୍ଚି ରହିବାର ଦୀର୍ଘଶ୍ୱାସ ଉପରେ ସେ ଧାଉଁଛି ଆଗଭଳି । ଏ ପରିବେଶ ବି ଅଛି । ଏହାର ପାଚେରୀ, ଜେଜେମା’ର ନିରୀହ ପ୍ରତାରଣା, ବଚସା–ସବୁ ଅଛି । ଅନନ୍ତ ଭାବିପାରୁ ନଥିଲା, ସେ ଥାଇ ମଧ୍ୟ ହଜିଯାଏ କେମିତି । ଆଖି ଅଛି, ଭଲ ଦେଖାଯାଉ ନାହିଁ । ଏଇତ, ତା’ର ସମସ୍ତ ଇନ୍ଦ୍ରିୟ ବର୍ତ୍ତମାନ ଜୀବନ୍ତ; କିନ୍ତୁ କାହିଁକି ସେ ଚେତନାହୀନ ହୋଇ ପଡ଼ିଯାଏ କଚେରି ବାରଣ୍ଡା ଉପରେ ? ତା’ର ଭୋକିଲା, ଥରିଲା, ଚମ ଧୁଡ଼ୁଧୁଡ଼ୁ ଦେହ ଉପରେ ଏକ ନାହିଁ ନଥିବା ସୀତ୍କାର ବହିଗଲା । ଦୟା ଓ ସହାନୁଭୂତି-କାଙ୍ଗାଳ ତା’ର ମନ ଅଜଣା ଆଶଙ୍କାରେ ଜଡ଼ସଡ଼ ହୋଇଗଲା–ମୁଁ ଖୁବ୍‌ ଚଞ୍ଚଳ ମରିଯିବି କି ?

ତାଟି ଠେଲି ସେ ଘରେ ପଶିଲା । ଦେଖିଲା, ମାଠିଆ ଭିତରେ ଜମା ତିନି ଚାରି ମୁଠା ଚାଉଳ ଅଛି । ସେ ଜାଣେ, କେବଳ ସେଇ ମାଠିଆରେ ହିଁ ସେ ଚାଉଳ ରଖେ । ତଥାପି ନିଜକୁ ସନ୍ତୁଷ୍ଟ କରିବା ପାଇଁ ଘରର ସବୁଆଡ଼ ସେ ଦରାଣ୍ଡି ପକାଇଲା; ଏପରିକି ପାଉଁଶ ଓ ଥଣ୍ଡା ଅଙ୍ଗାର ପରିପୂର୍ଣ୍ଣ ଚୁଲିକୁ ମଧ୍ୟ । ଚଟାଣ ଉପରେ ନିର୍ବାକ୍‌ ହୋଇ ଠିଆ ହେଲା ଏବଂ ଭାବିଲା–ବଞ୍ଚିବି କେମିତି ? ଆଉ ପାରୁ ନାହିଁ । ମିଛ ସାକ୍ଷୀ ହେବା କ’ଣ ଏକ ନିର୍ଭରଯୋଗ୍ୟ ବୃତ୍ତି ? କାହିଁକି କେହି ମିଛ ସାକ୍ଷୀ ଖୋଜୁନାହାନ୍ତି ? କ’ଣ କରିବି ? କେମିତି ବଞ୍ଚିବି ?

କେତେ ରାତି ହେବ କେଜାଣି ? ନିଦ ହେଉ ନାହିଁ । ଏଭଳି ରାତି ତା’ପାଇଁ ବିପଜ୍ଜନକ-। ରାଜ୍ୟଯାକର ଦୁର୍ଭାବନା ସହିତ ନିଜର ଅକ୍ଷମତା ମିଶି ତାକୁ ଏତେ ଛୋଟ ଆଉ ହାଲୁକା କରିଦିଅନ୍ତି ଯେ, ସେ ଭାବେ, ସେ ଖାଲି ଭାସିଯାଉଛି, ଉଡ଼ିଯାଉଛି । ସେ ଆଉ ଅନନ୍ତ ହୋଇ ରହି ନାହିଁ । ହେଇ, ସେ କେଉଁଆଡ଼େ ମିଳେଇଗଲା ଗୋଟାଏ ପାଣି ଫୋଟକା ପରି । ଆଗକୁ ମାଡ଼ି ଚାଲିଥିବା ମୁହୂର୍ତ୍ତଗୁଡ଼ିକୁ ସେ ଅନୁଭବ କରେ । ତା’ର ହୃଦୟ ଓ ଆତ୍ମା ନହୁନୁହାଣ ହୁଏ-। ଯନ୍ତ୍ରଣାଦାୟକ, ନିର୍ମମ ଏଇମୁହୂର୍ତ୍ତ ଗୁଡ଼ିକର କଣ୍ଟା ସବୁ ।

ରାତିସାରା ଖଞ୍ଜଣି ଭଜନ ଚାଲିବ ବୋଧହୁଏ । ଶୋଇପଡ଼ିଥିବା ସଂସାର ଭିତରେ କେତେଗୁଡ଼ିଏ ଜାଗ୍ରତ ସ୍ୱର ଚେତାବନୀ ଶୁଣାଇ ଚାଲିଛନ୍ତି–‘କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ ? ......ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟିରେ......ଛ’ଖଣ୍ଡ କାଠ ହେବ ତୋ’ପାଇଁ ଲୋଡ଼ା ।’ ସେ ସ୍ୱରର ଖଣ୍ଡିଏ ନକ୍‌ସା ଅନ୍ତରର କ୍ଳାନ୍ତ ମନ ଉପରେ ପିଟି ହେଉଥିଲା । ସେ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିଲା ଗୋଟାଏ ଶକ୍ତ ବନ୍ଧନ ଭିତରୁ ନିଜକୁ ମୁକ୍ତ କରିବା ପାଇଁ । ହେଲେ ସେ ଅନୁଭବ କଲା, ଏମିତି ଅଡ଼ୁଆ ଭାବରେ ସେ ଛନ୍ଦି ହୋଇଯାଇଛି ତା’ ଭିତରେ ଯେ, ମୁକ୍ତିର କୌଣସି ପ୍ରତିଶ୍ରୁତି ସେଠାରେ ପ୍ରତିଫଳିତ ହେଉନାହିଁ । ସେ ଏମିତି ଏକ ଜୀବନ ଭିତରେ ରହିଛି; ଯାହାର ଚାରିକାନ୍ଥ ତାକୁ ପେଷିଦେବା ପାଇଁ କ୍ରମେ ସଙ୍କୁଚିତ ହୋଇ ପଡ଼ୁଛନ୍ତି । କେବଳ ଗୋଟିଏ ଦ୍ୱାରକୁ ବାଦ୍‌ ଦେଲେ; ଅନ୍ୟ ସମସ୍ତ ଦ୍ୱାର ବନ୍ଦ ହୋଇଯାଇଛି, ତା’ପାଇଁ । କ’ଣ କରିବ ସେ ? ସେଇ ଦ୍ୱାର ବାଟେ ନ ଯାଇ ଆଉ କ’ଣ ବା ଉପାୟ ଅଛି ?

 

ଅନନ୍ତର ପାରଦଛଡ଼ା ଆଖିରୁ ଦୁଇଧାର ଲୁହ ଝରିଆସିଲା ତା’ କାନ ପର୍ଯ୍ୟନ୍ତ । ସେଇମିତି ଉପରକୁ ଚାହିଁ ସେ ଭାବିଲା, ପୃଥିବୀଠାରୁ ଆକାଶର ଦୂରତା ବେଶି, ନା ତା’ର ଅସହାୟତା ଓ ଶୂନ୍ୟତାର ଦୈର୍ଘ୍ୟ ବେଶି ?

 

ସବୁ ସେ ବୁଝୁଛି, ସବୁ ସେ ଦେଖୁଛି, ଜାଣୁଛି, କିନ୍ତୁ ସେଇ ବନ୍ଧନକୁ ଆହୁରି ଶକ୍ତ କରିପକାଉଛି ସେ ନିଜେ । ଖୋଲାଥିବା ଏକମାତ୍ର ଦ୍ୱାର ବାଟେ ସେ ଠେଲି ହୋଇ ଯାଉଛି ଗୋଟାଏ ଭୟଙ୍କର, ଅନ୍ଧାର ସୁଡ଼ଙ୍ଗ ଭିତରକୁ । ସେ ଜଣେ ପ୍ରଖ୍ୟାତ ମିଛ-ସାକ୍ଷୀ । ଜଜ୍‌ଙ୍କ ସାମନାରେ ଭଗବାନଙ୍କ ନାମ ନେଇ ସତ କହୁଛି ବୋଲି ଶପଥ କରି ସେ ମିଛ କହେ । ମିଛକଥା କହିବାର ବନ୍ଧନ ଭିତରେ ସେ ବାନ୍ଧି ହୋଇଗଲା । ସେଇ ଦ୍ୱାର ବାଟେ ସେ ଠେଲି ହୋଇଯାଉଛି ଆଗକୁ, ଆଉ କୌଣସି ବିକଳ୍ପ ପନ୍ଥା ନ ଥିବାରୁ । ତେଲ ସରି ଆସିଲାଣି, ସଳିତା ସରିଆସିଲାଣି । ପ୍ରାୟଶ୍ଚିତ୍ତ କିମ୍ୱା ଅନୁତାପ ପାଇଁ ବେଳ ନାହିଁ ଆଉ । ସେ ଦୀର୍ଘଶ୍ୱାସ ତ୍ୟାଗ କଲା ।

 

ମୂଳରୁ ଏମିତି ନ ଥିଲା ସେ । ସହରକୁ ବିଜୁଳି ଆଲୁଅ ଆସିବା ଆଗରୁ, ସେ ଚାକିରି କରୁଥିଲା । ବର୍ତ୍ତମାନ ଜଜ୍‌ଙ୍କ ମୁଣ୍ଡ ଉପରେ ଯେଉଁ ପଙ୍ଖା ସୁଇଚ୍‌ ଟିପିବା ମାତ୍ରେ ଘୂରୁଛି, ସେତେବେଳେ ସେଇ ସ୍ଥାନରେ ସାତ ଫୁଟ୍‌ ଲମ୍ୱର ଗୋଟିଏ ହାତଟଣା ପଙ୍ଖା ଝୁଲୁଥିଲା ଦୁଇ ମୁଣ୍ଡରେ ଦୁଇଟି ହୁକ୍‌ ଦେହରୁ । ସେଇ ପଙ୍ଖା ମଝିରେ କାଠତିଆରି ପ୍ରାୟ ଦୁଇଫୁଟ ଉଚ୍ଚର ଗୋଟିଏ ପୋ’ଲ ଯୋଗ କରାଯାଇଥିଲା । ପୋ’ଲ ଉପରେ ବନ୍ଧା ଯାଇଥିଲା ଗୋଟାଏ ଦଉଡ଼ି । ଝରକା ଆରପଟେ ଦଉଡ଼ିର ଅନ୍ୟମୁଣ୍ଡକୁ ଧରି ସେ ପଙ୍ଖା ଟାଣୁଥିଲା ।

 

ବେଳେବେଳେ ଗାମୁଛା କିମ୍ୱା ହାତ ପାପୁଲିରେ ସେ କପାଳ ଓ ବେକର ଝାଳ ପୋଛୁଥିଲା ଏବଂ ପଙ୍ଖା ଟାଣିବାରେ ବ୍ୟସ୍ତ ରହୁଥିଲା । ବେଳେବେଳେ ତନ୍ଦ୍ରା ତାକୁ କାବୁ କରିପକାଉଥିଲା ଏବଂ ତା’ର ଶିଥିଳ ହାତମୁଠାରୁ ଦଉଡ଼ିଟି ଖସିଯାଉଥିଲା । ବେଳେବେଳେ ସେ ଭାରି ଅପମାନିତ ବୋଧ କରୁଥିଲା । ନିଜର ବଳିଷ୍ଠ ମାଂସପେଶୀ ଓ ଯୁବକ-ସୁଲଭ ଚଳଚଞ୍ଜଳ ସ୍ୱଭାବକୁ ଲକ୍ଷ୍ୟକରି ସେ ତିରସ୍କାର କରୁଥିଲା ନିଜକୁ–ଏମିତି ଏକ ମାମୁଲି କାମର ପରିସୀମା ଭିତରେ ନିଜକୁ କଇଦୀ କରିଦେଇ ଥିବାରୁ । ଏସବୁ ସତ୍ତ୍ୱେ ଜୀବନର ଧ୍ୱନି ଓ ତାନ ବେଶ୍‌ ଶୃଙ୍ଖଳିତ ଓ ପରିଚ୍ଛନ୍ନ ଥିଲା; ଦଉଡ଼ିକୁ ଟାଣିବା ଭିତରେ ସେ ଯେମିତି ଏକ ନିର୍ଦ୍ଦିଷ୍ଟ ତାନ ଅନୁଭବ କରୁଥିଲା ।

 

କୁଆଡ଼େ ଗଲା ସେ ଦିନ ? ସେହି ବୃତ୍ତିର ସାଧୁତା ? ହାତଟଣା ପଙ୍ଖା ସହିତ ତା’ ଚାକିରି ଶେଷହୋଇଗଲା । ସେ ଆବିଷ୍କାର କଲା, ସେ ବେକାର । ସେ ଅବଲମ୍ୱନହୀନ; କିନ୍ତୁ ତାକୁ ବଞ୍ଚିରହିବାକୁ ହେବ ।

 

ତା’ପାଇଁ ଚାକିରିଟିଏ ଯୋଗାଡ଼ ହୋଇ ପାରିବ–ଏଇ ଆଶ୍ୱାସନା ଓ ପ୍ରତିଶ୍ରୁତି ତାକୁ ପ୍ରତିଦିନ ଟାଣୁଥିଲା କଚେରି ହତା ଭିତରକୁ । ପେଟର ଭୋକ ବଢ଼ିଲା, ନୈରାଶ୍ୟ ଦୃଢ଼ୀଭୂତ ହେଲା ସିନା, ଚାକିରି ମିଳିଲା ନାହିଁ ।

 

ଏହାର କିଛିଦିନ ପରେ ସହରର ସର୍ବଶ୍ରେଷ୍ଠ ଓକିଲ ତାକୁ ଅଭିନବ ପ୍ରସ୍ତାବ ଦେଲେ–

 

–‘‘ଅନନ୍ତ, ଟିକିଏ ଶୁଣ ! ବିଚରା କ୍ଲାଏଣ୍ଟ ଜଣକ ଭାରି ବ୍ୟସ୍ତ ହେଲେଣି । ତୁ କାଠଗଡ଼ା ଭିତରେ ଠିଆହୋଇ ଦି’ପଦ କଥା କହିପାରିବୁ ?’’

 

–‘‘କି କଥା ?’’

 

–‘‘ତୁ କେବଳ ସାକ୍ଷ୍ୟ ଦେବୁ ଯେ, କ୍ଲାଏଣ୍ଟଙ୍କର ସ୍ତ୍ରୀ ରାତି ଦଶଟାରେ ଅନ୍ୟ ଏକ ଲୋକକୁ ଦେହ ଦାନ କରୁଥିଲେ । ଏ କଥା ତୁ ଦେଖିଛୁ ।’’

 

–‘‘କାହିଁ ? ମୁଁ ତ ଜମା ଦେଖିନାହିଁ !’’ କଥାଟା ଏମିତି ଅପ୍ରତ୍ୟାଶିତ ଓ ଭୟଙ୍କର ଥିଲା ଯେ, ଅନନ୍ତର ବୋକା, ସରଳ ମନ ଜଡ଼ସଡ଼ ହୋଇଯାଇଥିଲା ।

 

–‘‘ଦେଖିବା ଦରକାର ନାହିଁ । ତୁ ଖାଲି କହିବୁ । ଆ, ତୋତେ ବତେଇ ଦେବି ସବୁ ।’’

 

–‘‘କ’ଣ କହିବି ? ମିଛ ? ମୁଁ ପାରିବି ନାହିଁ ।’’ ଦୃଢ଼ତାର ସହିତ କହିଲା ଅନନ୍ତ ।

 

–‘‘ଶହେଟଙ୍କା ମିଳିବ । ଚାଲିଆ, ଜଲ୍‌ଦି । ଭଦ୍ରଲୋକ ଅସୁବିଧାରେ ପଡ଼ିଛନ୍ତି ।’’

 

–‘‘ଭଦ୍ରଲୋକ !’’ ଅନନ୍ତର ବିସ୍ମୟାଭିଭୂତ ଓଠରୁ ଖସିଗଲା ଏଇ କଥା । ଓକିଲଙ୍କ ମୁହଁକୁ କଠୋର ଦୃଷ୍ଟିରେ ଚାହିଁ ସେ କହିଲା–‘‘ଏ ପାପ ମୁଁ କରିପାରିବି ନାହିଁ ।’’

 

ଓକିଲ ଅନୁଭବ କଲେ, କଥାଟା ଏତେ ସହଜ ନୁହେଁ । ଧୀର ସ୍ୱରରେ ସେ ପ୍ରଲୋଭନ ଦେଖାଇଲେ–‘‘ଦେଢ଼ଶହ ।’’ କିଛି କ୍ଷଣର ନୀରବତା ପରେ ସେ କହିଲେ–‘‘ଦୁଇଶହ ଟଙ୍କା ମିଳିବ-।’’ ପରେ ପରେ ସେ ଯୋଗ କଲେ–‘‘ନ ହେଲେ ଅନ୍ୟ କାହାକୁ ଖୋଜିବାକୁ ହେବ-।’’

 

କ୍ଲାଏଣ୍ଟଙ୍କର ଟଙ୍କାରେ କିଣାଯାଇଥିବା ଲୁଗା ଓ ଚାଉଳର ଭାତ ସେ’ଦିନ ରାତିରେ ଅନନ୍ତକୁ ଏକ ବିଚିତ୍ର, ବର୍ଣ୍ଣନାବହିର୍ଭୂତ ଅଭିଜ୍ଞତା ଦେଲା । ରାତିରେ ସେ ଏମିତି ଛଟପଟ ହେଲା ଯେ, ଭାବିଲା, ହୁଏତ ସେ ପାଗଳ ହୋଇଯିବ କିମ୍ୱା ତା’ର ମୁଣ୍ଡ ଓ ହୃଦୟ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବ । ସେ ଚିତ୍କାର କଲା ଏବଂ ଥରେ ଦୁଇଥର ବିଛଣାରୁ ଉଠି ଅକାରଣଟାରେ ନିର୍ଜନ, ଅନ୍ଧକାର ରାସ୍ତା ଉପରେ ଧାଇଁଲା । ସେ ବୋଧ କରୁଥିଲା, ଦୁଇଟି ଆହତ, ମର୍ମାହତ ଆଖି ତା’ ଆତ୍ମାର ପ୍ରତ୍ୟେକ ସ୍ନାୟୁ ଭିତରେ ସତେ ଯେମିତି କିଛି ଖୋଜି ବୁଲୁଛି ଏବଂ ଆକାଶକୁ ଅନାଇ କହୁଛି–‘ପ୍ରଭୁ, ଆତ୍ମାର ସ୍ନାୟୁକୁ କ’ଣ ତୁମେ ସୃଷ୍ଟି କରିଛ ? ’

 

ଦୁଇ–ତିନି ଦିନ ଯାଏ ଅନନ୍ତ ଘରୁ ବାହାରକୁ ଗଲା ନାହିଁ । ସେ ନିଜକୁ ଅପରାଧୀ ମନେ କଲା, ଅପ୍ରତିଭ ହେଲା । କେଇପଦ ମିଛକଥା ଗୋଟାଏ ବାସ୍ତବ ସମ୍ପର୍କକୁ ପୋଛି ଲିଭାଇ ଦେଇପାରେ–ଏ କଥା ତାକୁ ଭୟଭୀତ କଲା । ଆଉ, ମିଛ କଥାର ସଂଜ୍ଞା କ’ଣ ? ସ୍ଥିତି କ’ଣ ? କେଉଁଠି ଥାଏ ସେ ? ହୁଏତ ଏହା ରୁଗ୍‌ଣ, ଭୀରୁ ମନର ଏକ ଦୁର୍ଗନ୍ଧ ଯାହା ସତ୍ୟର କମନୀୟ ଓ ସହଜ ପରିପାଟିକୁ ଅସ୍ୱୀକାର କରେ କୌଣସି ମାରାତ୍ମକ ଦୁରଭିସନ୍ଧିର ଇଙ୍ଗିତରେ । କେଡ଼େ ଜଟିଳ, ଅପରିସୀମ ଏ ଦୁର୍ଗନ୍ଧର ଅନ୍ଧକାର ।

 

ଅନନ୍ତ ଘୂରିବୁଲିଲା ତା’ପରେ । ଗୋଟାଏ ଅବଲମ୍ବନ ଦରକାର । ସେ ସହରର ଗଳିକନ୍ଦି ବୁଲିଲା । ରାସ୍ତାରେ ଯାଉଥିବା ବ୍ୟସ୍ତ ମଣିଷଙ୍କ ଝାଳ, ସାଇକେଲ ଘଣ୍ଟିର ଧ୍ୱନି, ମଟରର ହର୍ଣ୍ଣ ତା’ ମନରେ ସୃଷ୍ଟିକଲା ଉତ୍କଣ୍ଠା, ଉଦ୍ୱିଗ୍ନତା ଓ ଈର୍ଷା । ସେ ଧାଇଁଲା ରାସ୍ତା ଉପରେ । କରୁଣ, ଯନ୍ତ୍ରଣାଦଗ୍‌ଧ ହତାଶାରେ ସେ ପାପୁଲିରେ ମୁହଁ ଢାଙ୍କି କାନ୍ଦିଲା ।

 

ତେବେ, ଗୁଡ଼ାଏ ଦିନ ପରେ ସେ ଯେତେବେଳେ ପୁନରାୟ କଚେରି ହତା ଭିତରକୁ ପଶିଲା, ତା’ର ଦ୍ୱିଧାଗ୍ରସ୍ତ ଦୃଷ୍ଟି ଖୋଜି ବୁଲିଲା ସହରର ସେଇ ସର୍ବଶ୍ରେଷ୍ଠ ଓକିଲଙ୍କୁ ।

 

ଏୟା, ନା, ଆଉ ଅଧିକ କିଛି ରହିଛି ତା’ ଜୀବନରେ ?

 

ଅନନ୍ତ କଡ଼ ଲେଉଟାଇଲା । ଆଗଭଳି ଖଞ୍ଜଣି ଭଜନ ଚାଲିଛି । ଶୋଇଯାଇଥିବା ସହରର ପ୍ରତି ଶିରା-ପ୍ରଶିରାରେ ଭଜନର ସ୍ୱର ଗୁଞ୍ଜରିତ ହେଉଛି । ଅନନ୍ତ ଭାବୁଥିଲା, କାହାପାଇଁ ଏ ଭଜନ ? କାହାପାଇଁ ଏତେ ଆତୁରତା, ଏତେ ବ୍ୟାକୁଳତା ? ଓକିଲଙ୍କ ନିର୍ଦ୍ଦେଶରେ ସେ କାଠଗଡ଼ାରେ ଠିଆହୋଇ ମିଛକଥା କହିଛି, କ୍ଲାଏଣ୍ଟଙ୍କ ମୋକଦ୍ଦମାର ସେ ସାକ୍ଷ୍ୟ ଦେଇଛି । କ’ଣ କରୁଥିବେ ସେମାନେ ? ଏ ଭଜନର ସ୍ୱର ତାଙ୍କ ପାଖରେ ପହଞ୍ଚୁଥିବ କି ନା, କିଏ ଜାଣେ ?

 

ସବୁ ସରି ଆସିଲାଣି । ଜୀବନର ଧାରା ବଦଳେଇବା ଆଉ ସମ୍ଭବ ନୁହେଁ; ଅଥଚ ଏଇ ଯୋଜନା ତା’ ମନ ଭିତରେ ରହିଥିଲା କାହିଁ କେତେ ଦିନୁ । ସେ ଭାବୁଥିଲା, ଏଇଥରକ ଶେଷଥର–ନା, ୟା’ପରେ ଆଉ ଜମା ନୁହେଁ । ଯେଉଁ ଟଙ୍କା ସେ ଏଇଥର ପାଇବ, ସେଥିରେ ସେ ଖୋଲିବ, ଅନ୍ତିତଃପକ୍ଷେ ଗୋଟାଏ ପାନ ଦୋକାନ; ନହେଲେ ରିକ୍‌ସାଟିଏ ଚଲେଇବ । କୁଆଡ଼େ ଗଲା ଏ ଯୋଜନା ? ପରେ ପରେ ସେ ଭାବିବାକୁ ଲାଗିଲା–ନା, ରିକ୍‌ସା ତ ଚଲେଇବାକୁ ତାକତ୍‌ ନାହିଁ; ସେ ପାନଦୋକାନଟିଏ ହିଁ ଖୋଲିବ ।

 

ଦିନ ଗଡ଼ିଗଲା । କଚେରି କାନ୍ଥର ସେଇ ଅରାକ ମଳିନତାର ଗୋଟାଏ ଛୋଟ କିନ୍ତୁ ସ୍ପଷ୍ଟ ପ୍ୟାଚ୍‌ ହୋଇ ରହିଗଲା । ଅନନ୍ତ ବାନ୍ଧି ହୋଇଗଲା ସେଇଠି । ପରେ ପରେ ସେ ଆବିଷ୍କାର କଲା, ସେ ଏକୁଟିଆ ନୁହେଁ । ଆହୁରି କେତେଜଣ ତା’ଭଳି କଚେରି ବାରଣ୍ଡାରେ ବସିରହନ୍ତି ମିଛ ସାକ୍ଷ୍ୟ ଦେବାପାଇଁ । ସେମାନେ ପରସ୍ପରକୁ ଚାହାନ୍ତି କେମିତି ଏକ ହିଂସ୍ର ଶ୍ୱାନ ଦୃଷ୍ଟିରେ । ଏ ସଂସାରରେ ମିଥ୍ୟାର ଆବଶ୍ୟକତା, ଆଦର ଏତେ ବେଶି ହୋଇପାରେ ? ଏତେ ମଣିଷ ବିନାଦ୍ୱିଧାରେ ଭୟାନକ ମିଥ୍ୟାବାଦୀ ହୋଇପାରନ୍ତି ? ଅନନ୍ତ ଆଦୌ ବିଶ୍ୱାସ କରି ପାରୁ ନ ଥିଲା ଏ ସବୁ । କେଜାଣି, ସତ୍ୟର ସ୍ୱଚ୍ଛତା ଓ ନିରପେକ୍ଷତା ମଣିଷ ଆଉ ସହି ପାରୁନାହିଁ । ସତ୍ୟର ଆଦର କମିଯାଉଛି ଧୀରେ ଧୀରେ । ଏହାକୁ ସମସ୍ତେ ଭୟ କରିବା ଆରମ୍ଭ କରିଦେଲେ ।

 

ଜୀବନଟା କ’ଣ ଏୟା ? ଅଥଚ ଜୀବନଟା ତ ସତ୍ୟ, ବାସ୍ତବ; ଏପରିକି ମଣିଷର ହାତ, ଗୋଡ଼, ରକ୍ତ, ମାଂସ । ଏ ସବୁକୁ ଧରି ରଖିବା ପାଇଁ ମିଛର ଗୁରୁତ୍ୱ ଏତେ ବେଶି !

 

ଅନନ୍ତ ଭାବେ, ତା’ରି ଭଳି ମିଛ ସାକ୍ଷ୍ୟ ଦେବାପାଇଁ ବସି ରହିଥିବା ମଣିଷମାନଙ୍କୁ ସେ କହନ୍ତା–ଭାଇମାନେ, ମୁଁ ବୁଝୁଛି, ଜୀବନଟା ପ୍ରେମିକାର ଆଲିଙ୍ଗନ ଭଳି ନିଚ୍ଛକ ଆବେଗମୟ, କୋମଳ ଓ ନୈସର୍ଗିକ ନୁହେଁ । ତଥାପି, ଜୀବନର ଯନ୍ତ୍ରଣା ଓ ହାହାକାରର ପୃଷ୍ଠଭୂମିରେ ହିଁ ଏହାର ଆଧ୍ୟାତ୍ମିକ ମୂଲ୍ୟ ଉପଲବ୍‌ଧି କରାଯାଇ ପାରିବ । ଏ ସହଜ ପନ୍ଥା ଛାଡ଼ । ଦେଖ, ତୁମ ଆଖିଆଗରେ କେଡ଼େ ବଡ଼ ବିଶାଳ ପୃଥିବୀଟାଏ ଲମ୍ୱିଯାଇଛି ଚିରନ୍ତନ ମା’ର ସ୍ତନ ଭଳି । ସେଇଠିକି ଯାଅ । ଏଇ ସ୍ତନରୁ ରସ ଆସ୍ୱାଦନ କର, ଝାଳ ଓ ଶ୍ରମର ବିନିମୟରେ । ସେଇଥିରେ ମଣିଷପଣିଆ ଅଛି, ବଞ୍ଚିବାର ସଙ୍ଗୀତ ଅଛି ।

 

ଅନନ୍ତ ଏସବୁ କହିପାରେ ନାହିଁ; ବରଂ ବେଳେବେଳେ କ୍ରୁଦ୍ଧ ହୋଇ ଭାବେ–ଶଳା ନିକମାଗୁଡ଼ାକ ମରିଯାଆନ୍ତେ ଯଦି କେଡ଼େ ଭଲ ହୁଅନ୍ତା ! ଶଳେ ମଣିଷକୁ ଶାନ୍ତିରେ ବଞ୍ଚିବାକୁ ଦେବେ କି ? ଏମାନଙ୍କ ଯୋଗୁ ରୋଜଗାର କମିଗଲା । ଚାରିଆଡ଼େ ପ୍ରତିଯୋଗିତା ! ମିଛ କହିବାରେ ମଧ୍ୟ !

 

ପନ୍ଦର-କୋଡ଼ିଏ ବର୍ଷ ତଳେ ସେ କ୍ରୁଦ୍ଧ ହୋଇଥିଲା । ସେ’ଦିନ ଜଣେ ନୁହେଁ, ଦଶ-ପନ୍ଦର ଜଣ ପରିଚିତ ଓକିଲଙ୍କୁ ସେ ଅନୁରୋଧ କରିଥିଲା–‘‘ମୁଁ ଆଉ ପାରୁନାହିଁ, ଆଜ୍ଞା । ମିଛ କହିଲାବେଳେ ଦେହ ଓ ତଣ୍ଟି ଭିତରେ କିଛି ଗୋଟାଏ କଠିନ ଜିନିଷ ଧୀରେ ଧୀରେ ବଡ଼ ହୋଇ ମୋତେ ଭାରି ହରକତ କରୁଛି । କାନ୍ଥର ଏଇ ଅରାକ ମଇଳା ହେଲାଭଳି ମୋ ଭିତରଟା ଏଇମିତି ଚିକିଟା, କଳା ହୋଇଗଲାଣି । ମୋତେ କିଛି ଟଙ୍କା ଦିଅନ୍ତୁ । ମୁଁ ଛୋଟ ଦୋକାନଟିଏ ଖୋଲିବି ।’’

 

କେହି ଏ କଥା ଶୁଣିଲେ ? ସେ ହତାଶ ହୋଇ କଚେରି ହତା ଭିତରେ ଚିତ୍କାର କରି ଉଠିଥିଲା–‘‘ନ ଶୁଣ, କେହି ନ ଶୁଣ । ଦେଖିବ, ଦିନେ ଏ କଚେରି କୋଠାକୁ ଖଣ୍ଡିଏ ଇଟା ଭଳି ଫୋପାଡ଼ି ଦେବି । ଗୋଟି ଗୋଟି କରି ପୃଥିବୀର ସବୁ କଚେରି କୋଠାକୁ ପିଟି ଗୁଣ୍ଡ କରିଦେବି, ଦେଖିବି । ଖାଲି ଫିସାଦ, ଅନ୍ୟାଚାର ଚାଲିଛି ଏଠି । ଶଳେ ଦେଖିବ, ଦିନେ ଏ ପୃଥିବୀଟାକୁ ଖଣ୍ଡେ ରୁଟି ଭଳି ଖଣ୍ଡ ଖଣ୍ଡ ଚିରି ଆକାଶ ଭିତରକୁ ଫୋପାଡ଼ି ଦେବି । ଗୋଟାଏ ଆ’ତଭଳି ଗୋଇଠା ମାରି ଭାଙ୍ଗିଦେବି, ଦେଖିବ । ସେଦିନ ସମସ୍ତେ ମରିବରେ, ମଣିଷମାନେ । ଧର ସେ ଓକିଲକୁ । ପିଟ । ପିଟ ଏଠାକାର ସମସ୍ତଙ୍କୁ । ମାରି ଫୋପାଡ଼ି ଦିଅ ସମୁଦ୍ରକୁ । ଛାଡ଼ ବେ, ଛାଡ଼ ମୋତେ । ଆଉ ଆସିବି ନାହିଁ ଏଠାକୁ ।’’

 

ପନ୍ଦର-କୋଡ଼ିଏ ବର୍ଷ ତଳର ଯେଉଁ ଉତ୍ତେଜନା ତା’ ମନରେ ସୃଷ୍ଟି ହୋଇଥିଲା, ତାହା ଆଜି ମଧ୍ୟ ତା’ର ପୁରୁଣା, ଥୁଣ୍ଟା ଦେହରେ କ୍ଷୀଣ ତରଙ୍ଗଟିଏ ବୁହାଇ ଦେଲା । ସେଇମତି ଶୋଇରହି ସେ ମଇଳା, ଛିଣ୍ଡା ଗାମୁଛାରେ ମୁହଁ ଓ କେକର ଝାଳ ପୋଛି ଏକାଗ୍ର ମନରେ ଶୁଣିବାକୁ ଚେଷ୍ଟା କଲା ଖଞ୍ଜଣୀ ଭଜନର ଚେତାବନୀ–କଳାଶ୍ରୀ ମୁଖ ବାରେ ଦେଖିବା ଚାଲରେ......

 

ଆହୁରି କେତେ ରାତି ଅଛି କେଜାଣି ? ତେବେ ତା’ପାଇଁ ଦିନ କ’ଣ ? ରାତି କ’ଣ ? ରାତିର ଅନ୍ଧକାର, ତା’ପାଇଁ, ଦିନର କାଳିମାଠାରୁ ବେଶି ଭୟାନକ ନୁହେଁ । ଦିନର ଆଲୋକ ତାକୁ ଏତେ ଆତ୍ମସଚେତନ କରିଦିଏ, ନିଜର ତଥାକଥିତ ବୃତ୍ତିକୁ ଏମିତି କଦର୍ଯ୍ୟ, ନୃଶଂସ ଭାବରେ ତା’ ସାମନାରେ ଉପସ୍ଥାପିତ କରେ ଯେ, ସେ ଭାବେ, ସୂର୍ଯ୍ୟ ଆଉ ଜମା ଉଦୟ ନ ହୁଅନ୍ତା କି ! ସେ ଶୋଇଯାଆନ୍ତା–ଏକ ଶେଷହୀନ, ଅଚିନ୍ତା ନିଦରେ ।

 

ନିଦ ଭାଙ୍ଗିଲା ବେଳକୁ ଅନନ୍ତ ଦେଖିଲା, ରାତିର ଅନ୍ଧକାର ଭିତରେ ହଜିଯାଇଥିବା ଘରର କାନ୍ଥ, ନଡ଼ିଆ ଗଛର ବାହୁଙ୍ଗା, ପୃଥିବୀର ସୀମାରେଖା ପୁଣିଥରେ ଆଖିଆଗରେ ଉଭା ହେଲେ । ଖଞ୍ଜଣୀ ଭଜନ ଆଉ ଶୁଭୁ ନାହିଁ । ଚାଳ ଉପରେ ଅସ୍ତବ୍ୟସ୍ତ ହୋଇ ଗୋଟିଏ କାଉ ରାବୁଛି । ସକାଳର ଇଷତ୍‌ ଥଣ୍ଡା ପବନ ଅନନ୍ତର ଦେହ ଓ ଚେତନା ଉପରେ ପ୍ରଶାନ୍ତିର ଏକ ସ୍ନିଗ୍‌ଧ କୋମଳ ହାତ ବୁଲାଇ ଆଣୁଥିଲା । ସେ ଏତେ ଆନନ୍ଦିତ, ଉତ୍‌ଫୁଲ୍ଲିତ ହେଲା ଯେ, ତା’ର ଆଖି ଆଗରେ ସମଗ୍ର ସୃଷ୍ଟି ମା’ର କ୍ଷୀର-ପୂର୍ଣ୍ଣ ସ୍ତନ ଭଳି ସମ୍ୱେଦନମୟ, କରୁଣାସିକ୍ତ ଓ ମମତା-ପୂର୍ଣ୍ଣ ଜଣା ପଡ଼ିଲା । ସାରା ଜୀବନରେ ଏମିତି ମୁହୂର୍ତ୍ତ ସେ ଅଙ୍ଗେ ନିଭେଇ ନ ଥିଲା । ଏଥର ଅନ୍ୟ ଏକ ଭାଷାର ଲୁହ ଚିପୁଡ଼ି ହୋଇ ଝରିଆସିଲା ତା’ର ଆଖିରୁ ।

 

ଦିନ ଦଶଟା ବେଳକୁ କଚେରି ବାରଣ୍ଡା । ପେଟର ଭୋକ । ଆତ୍ମାର କରୁଣତା । ମାତ୍ର ଆଗଭଳି ତା’ ଦୃଷ୍ଟିରେ ଆଉ ହିଂସ୍ରତା ନ ଥିଲା, ହାହାକାର ନ ଥିଲା । ସକାଳର ସେଇ ଅଦ୍ଭୁତ ମୁହୂର୍ତ୍ତର ମୂର୍ଚ୍ଛନା ଏ ଯାଏ ତା’ର ସମଗ୍ର ସତ୍ତାରେ ଗୁଞ୍ଜରିତ ହୋଇ ତାକୁ ସତେ ଯେମିତି ଏକ ଆଲୋକିତ, ପରିଚ୍ଛନ୍ନ ରାଜ୍ୟ ସହିତ ପରିଚିତ କରିଦେଉଛି । ତା’ ଦୃଷ୍ଟିରେ ଏକ ଅନନ୍ୟ, କାମନାହୀନ ବିଜ୍ଞତା । ମଣିଷମାନଙ୍କର ଦ୍ରୁତପଦକ୍ଷେପ ସେ ଶୁଣିପାରୁ ନ ଥିଲା, କିଛି ସେ ଦେଖିପାରୁ ନ ଥିଲା ଏପରିକି ସେ ନିଜର ସ୍ଥିତି ଉପଲବ୍‌ଧି କରିପାରୁ ନ ଥିଲା ।

 

ଚାରିଆଡ଼କୁ ଚାହିଁ ବାରଣ୍ଡା ଉପରେ ଶୋଇପଡ଼ିଲା ବେଳକୁ କଚେରିର ବାତାବରଣ କାର୍ଯ୍ୟବ୍ୟସ୍ତତାରେ ମୁଖରିତ ହୋଇପଡ଼ିଥିଲା ।

 

ସୂର୍ଯ୍ୟକିରଣ ମଳିନ ହେଲା । ଛାଇଗୁଡ଼ାକ ହେମାଳିଆ ହେଲା । ଓସ୍ତଗଛ ମୂଳଟା ଦେଖାଗଲା ବିଧବାର ଲଙ୍ଗଳା ହାତପରି । ନୀରବତା ଓ ଅନ୍ଧକାର ଭିତରେ ସବୁ ହଜିଗଲା–କଚେରି–କୋଠା ଓ ବାରଣ୍ଡାରେ ଶୋଇ ପଡ଼ିଥିବା ଅନନ୍ତର ଦେହ ।

 

ପରଦିନ ଦଶଟାବେଳେ କଚେରି ବାରଣ୍ଡାରେ ସୃଷ୍ଟି ହୋଇଥିଲା ମଣିଷମାନଙ୍କର ଗୋଟାଏ ଗହଳି । ମଝିରେ ପଡ଼ି ରହିଥିଲା ଅନନ୍ତର ନିଶ୍ଚଳ, ଥଣ୍ଡା ଦେହ । କେହି ତାକୁ ଉଠାଇ ନଥିଲେ ମିଛ ସାକ୍ଷ୍ୟ ଦେବା ପାଇଁ । ପାଖରେ ସେ ପଡ଼ିରହିଥିଲା; କିନ୍ତୁ ଜଣାଯାଉଥିଲା, କେତେ ଦୂରରେ ସେ ଅଛି ! ସୁଦୂର ଅତୀତରେ ଲମ୍ୱ ଦଉଡ଼ି ଧରି ସେ ପଙ୍ଖା ଟାଣୁଥିଲା । ତନ୍ଦ୍ରା ଲାଗିଲେ, ଅଜାଣତରେ ଖସିଯାଉଥିଲା ସେ ଦଉଡ଼ି ତା’ ହାତରୁ । ଆଜି ତାକୁ ଦେଖୁଥିବା ଲୋକ ଭାବୁଥିଲେ, କ’ଣ ଖସିଗଲା, ତା’ ହାତରୁ ? ଜୀବନ ଭଳି ଏକ ସତ୍ୟ ଓ ବାସ୍ତବ ଜିନିଷ, ନା କାଗଜପତ୍ରରେ ଲେଖାଥିବା ତା’ର ମିଛ–ସାକ୍ଷ୍ୟ ?

 

ଅନନ୍ତର ଦେହ ଉପରକୁ ନୋଟିସ ଭଳି କାନ୍ଥରେ ଝୁଲୁଥିବା ସେଇ ମଳିନ, ଚିକିଟା ପ୍ୟାଚ୍‌ଟି କ’ଣ ଘୋଷଣା କରୁଥିଲା ? କ’ଣ ?

Image

 

ସର୍ବସାଧାରଣଙ୍କ ପୃଥିବୀ

 

ଧୂଳିମଖା କଚ୍ଚା ରାସ୍ତାଟା ଲମ୍ୱିଯାଇଛି ଘଞ୍ଚ ଜଙ୍ଗଲର ପେଟ ଭିତରକୁ । ପିଚୁରାସ୍ତା ଉପରୁ ଠିଆ ହୋଇ ଅନେଇଲେ ଜଣାପଡ଼ିବ, ସତେ ଯେମିତି ଏ ଅସହାୟ ରାସ୍ତାକୁ ଜଙ୍ଗଲର ସବୁଜିମା ଓ ଦୁରନ୍ତ ପାହାଡ଼ର ସ୍ପର୍ଦ୍ଧିତ ଉଚ୍ଚତା ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରିପକାଇଛନ୍ତି । ଏହା ଏଭଳି ଏକ ସ୍ଥାନ, ଯାହା ନୀରବତାର ନିଦକୁ ଭଲପାଏ । ମଣିଷର ଅଶ୍ଳୀଳ ଅହଙ୍କାର, ତା’ର କୋଳାହାଳକୁ ଦୂରେଇ ରଖିବାକୁ ଇଚ୍ଛା କରେ ଏଇଥିପାଇଁ ପିଚୁ ରାସ୍ତା ଉପରେ ଠିଆହୋଇ ଅଳ୍ପ ଦୂରରେ ହଜିଯାଇଥିବା କଚ୍ଚା ରାସ୍ତାଆଡ଼କୁ ଚାହିଁଲେ, ମନ ପ୍ରଶ୍ନିଳ ହୁଏ–କ’ଣ ଘଟେ ଏ ଜଙ୍ଗଲରେ,ପାହାଡ଼ର ଛାତିରେ, ରହସ୍ୟମୟ ଝରଣାର ପାଣିରେ ? ଏଭଳି ଦୁର୍ଦ୍ଦାନ୍ତ ପରିବେଶରେ ଚଢ଼େଇମାନେ କ’ଣ ରହନ୍ତି ଓ ଗୀତ ଗାଆନ୍ତି ? ହିଂସ୍ର ପଶୁମାନଙ୍କୁ କ’ଣ ଭୟ ଲାଗେ ନାହିଁ ଏଠାରେ ରହିବାକୁ ? ଏ ଜଙ୍ଗଲ ଓ ପାହାଡ଼ମାନଙ୍କୁ କ’ଣ ଡରମାଡ଼େ ନାହିଁ ଏଭଳି ନୀରବତା ଓ ସ୍ଥାଣୁତା ଭିତରେ ରହିବାକୁ ?

 

ପିଚୁରାସ୍ତା ଉପରେ କାଁ ଭାଁ ମୋଟର ଗାଡ଼ି ସାମୟିକ ଆବାଜ ଓ ପୋଡ଼ା ଡିଜେଲ ଗନ୍ଧ ବିଞ୍ଚି ଦେଇ ଯାତାୟାତ କରୁଥିବ । କଚ୍ଚାରାସ୍ତାଟା ଆଗଭଳି ପଡ଼ିରହିଥିବ ଆଶାୟୀ ହୋଇ, ଅର୍ଦ୍ଧମୃତ ଅବସ୍ଥାରେ । ତାହାର ଦୁଇପାର୍ଶ୍ୱ ବର୍ଷାପାଣିରେ ଦନ୍ତୁରିତ ହୋଇଯାଇଥିବ । ଘାସ ଓ ଅନାବନା ଗଛମାନଙ୍କର ଦୁଇ ହାତ ଏଇ ରାସ୍ତାର ତଣ୍ଟି ଚିପି ଦେବାକୁ ଆଗେଇ ଆସୁଥିବ ।

 

କିନ୍ତୁ ଦିନେ ଦିନେ, ପାଗ ଭଲ ଥିଲେ, ଏଇ କଚ୍ଚା ରାସ୍ତା ଉପରେ ବସ୍‌ କିମ୍ୱା ଜିପ୍‌ ଆଗକୁ ମାଡ଼ିଚାଲେ । ଦୀର୍ଘ ଚାଳିଶ କିଲୋମିଟରର ବିରକ୍ତିକର ଯାତ୍ରା ପରେ ଏ ଗାଡ଼ି ଠିଆ ହୁଏ ଏକ ଅପୂର୍ବ, ସ୍ନିଗ୍‌ଧ, କୋମଳ ପରିବେଶରେ । ଉତ୍ସାହୀ ଲୋକମାନେ ପେଣ୍ଟ୍‌, କମିଜ୍‌ରୁ ଧୂଳି ଝାଡ଼ୁ ଝାଡ଼ୁ ଓହ୍ଲାଇ ପଡ଼ନ୍ତି ଗାଡ଼ିରୁ । ଟ୍ରାଞ୍ଜିଷ୍ଟର ବଜାଯାଏ; କ୍ୟାମେରାର ଆଖିକୁ ରୁମାଲରେ ପୋଛାଯାଏ-। ପାଖରେ ଥିବା ଡାକବଙ୍ଗଳାରେ କବାଟ ଖୋଲାଯାଏ । ପିକ୍‌ନିକ୍‌ର ଆୟୋଜନ ଆରମ୍ଭ ହୁଏ-

 

ସନ୍ଧ୍ୟା ହେଲେ ବଦଳିଯାଏ ଏ ପରିବେଶର ରୂପ । ଅନ୍ଧକାର ଭିତରେ କେଉଁଟା ସୁନ୍ଦର କେଉଁଟା କୁତ୍ସିତ ? ଆଉ; କେଡ଼େ ଚଞ୍ଚଳ ସତେ, ଅନ୍ଧକାର ମାଡ଼ିଆସେ ଏ ସ୍ଥାନର ଛାତି ଉପରକୁ ! କେଡ଼େ ଭୟଙ୍କର ଜଣାପଡ଼େ ଝିଙ୍କାରିର ଧ୍ୱନି, ବାଟବଣା ହୋଇଯାଇଥିବା ଚଢ଼େଇର ଆଶଙ୍କା ! ଟର୍ଚ୍ଚ ଲାଇଟ୍‌ କିମ୍ୱା ମ୍ଳାନ ପେଟ୍ରୋମାକ୍‌ସର ଆଲୋକ କେଡ଼େ ଅସହାୟ ଜଣାପଡ଼େ ! ଫେରିବାର ପ୍ରସ୍ତୁତି । ଫେରି ଯାଉଥିବା ଗାଡ଼ିର ନାଲି ଆଲୋକଟି ହଜିଯାଏ, ଶବ୍ଦ ଆଉ ଶୁଭେ ନାହିଁ । ପରଦିନ ସକାଳେ ଡାକବଙ୍ଗଳା ବରଣ୍ଡାତଳେ କିଛି ଅଇଁଠାପତ୍ର, କାଗଜପୁଡ଼ିଆ, କମଳା, କଦଳୀଚୋପା, ଅର୍ଦ୍ଧଦଗ୍‌ଧ ସିଗାରେଟ୍‌ ଓ ଖୋଳ ଦେଖାଯାଏ । କେୟାରଟେକର ସେ ସବୁକୁ ଓଳେଇ ସାରି ବସିପଡ଼େ ବାରଣ୍ଡା ଉପରେ ଏବଂ ଅପେକ୍ଷା କରେ ଆଉ ଏକ ପିକ୍‌ନିକ୍‌ ପାର୍ଟିକୁ । ନିଜର ବିଡ଼ି ଧୂଆଁକୁ ଦେଖୁ ଦେଖୁ ନିଜକୁ ପଚାରେ–କ’ଣ ଅଛି ଏ ସ୍ଥାନରେ ? ଗୋଟାଏ ନଈ, ଆକାଶକୁ ମୁଣ୍ଡେଇ ଥିବା କେତେକ ପାହାଡ଼, ଘଞ୍ଚଜଙ୍ଗଲ ଓ ନୀରବତା । ଏତକ ଦେଖିବାପାଇଁ ସହରର ବାବୁମାନେ ଏଠାକୁ ଧାଇଁଆସନ୍ତି, ସେମାନଙ୍କର କ୍ୟାମେରା କ୍ଷୁଧାର୍ତ୍ତ ହୋଇପଡ଼େ । ଅଥଚ କେଡ଼େ ଅପନ୍ତରା ଏ ସ୍ଥାନ ! ଏଠାରେ ତ କିଛି ଘଟେ ନାହିଁ । ସବୁ ସ୍ଥିର ଓ ଅଚଞ୍ଚଳ । ଚାଞ୍ଚଲ୍ୟ ନାହିଁ, ଅଭିଜ୍ଞତା ପାଇଁ ଉପାଦାନ ନାହିଁ ।

 

ଘୁମେଇଁ ପଡ଼ୁ ପଡ଼ୁ ଡାକବଙ୍ଗଳାର ବିଶାଳ ଖିଲାଣ, ରାଜକୀୟ ଢାଞ୍ଚାରେ ତିଆରି ହୋଇଥିବା ପ୍ରଶସ୍ତ ବାରଣ୍ଡା ଓ ଶ୍ୟାଣ୍ଡେଲର ଆଡ଼କୁ ଚାହିଁ ସେ ଭାବେ–ଖିଆଲି ମନୋଭାବକୁ ଛାଡ଼ିଦେଲେ ରାଜା-ମହାରାଜାମାନଙ୍କର ଆଉ କିଛି ବିଶିଷ୍ଟ ଗୁଣ ଥିଲା କି ? ଏମିତି ସ୍ଥାନରେ ଏତେ ସୁନ୍ଦର ଘର ତିଆରି କରିବା କ’ଣ ଦରକାର ଥିଲା ଏଠାକାର ଗଡ଼ଜାତି ରାଜାଙ୍କର ?

 

ସେତେବେଳେକୁ ଅପରାହ୍ନ ଚାରିଟା । ଜୁନ୍‌ ମାସର ଅପରାହ୍ନ । ପିଠି ଆରପଟେ ସୂର୍ଯ୍ୟ ହଜିଯିବ । ଚଦରଟିକୁ ଭଲଭାବରେ ସଜାଡ଼ି ନେଇ ଉଦାସ ଆଖିରେ ପରିଚିତ ସ୍ଥାନଟିକୁ ଦେଖୁଥିଲେ ଏକଦା ଏ ଗଡ଼ଜାତର ବିଧବା ରାଣୀ ।

 

ଆଜି ଏଗାରଟା ବେଳକୁ ଏକମାତ୍ର ଚାକରକୁ ନେଇ ସେ ଏଠାରେ ପହଞ୍ଚିଛନ୍ତି । ବାରଣ୍ଡା ତଳେ କାହିଁ କେତେର ବର୍ଷ ତଳର ପୁରୁଣା ମଡ଼େଲର ରଙ୍ଗଛଡ଼ା କାର୍‌ଟି କ୍ଳାନ୍ତି ମେଣ୍ଟଉଛି-

 

କାହିଁକି ସେ ଚାଲି ଆସିଲେ ଏଠାକୁ ? କେଜାଣି । ସେ ନିଜେ ଏହାର କାରଣ ଜାଣନ୍ତି ନାହିଁ । ଅନେକ ସମୟରେ ସେ ଯାହା କରନ୍ତି, ଯେଉଁଆଡ଼େ ଯାଆନ୍ତି, ତା’ ମୂଳରେ କୌଣସି କାରଣ ନ ଥାଏ । ତେବେ, ନିଜର ପ୍ରକାଣ୍ଡ ଉଆସଟା ଦିନେ ଦିନେ ଭାରି ଖାଁ....ଖାଁ....ଲାଗେ । ଏଡ଼େ ବଡ଼ ଘରେ ଏକୁଟିଆ ରହିବାକୁ ଖୁବ୍‌ ଡର ମାଡ଼େ । ବାରଣ୍ଡାରେ ଚାଲିଲା ବେଳେ ଜଣାଯାଏ, ପଛରୁ କିଏ ଯେପରି ନିର୍ମମ ପରିହାସରେ ଅନୁସରଣ କରୁଛି ତାଙ୍କୁ । କେବେ କିମିତି ବେକ ଉପରେ କାହାର ଗରମ ନିଃଶ୍ୱାସ ସେ ଅନୁଭବ କରନ୍ତି । ଘର କ’ଣ, ବାହାର କ’ଣ ? କେଉଁଠି ଟିକିଏ କଥା କହିବାକୁ କ’ଣ ସାହସ ହୁଏ ? ସାମାନ୍ୟ ଶବ୍ଦ ହେଲେ, ଉଆସରେ ପୁରୁଣା ପବନ, ଶୂନ୍ୟ କୋଠରୀମାନଙ୍କର କାନ୍ଥ ପ୍ରକମ୍ପିତ ହୋଇଯାଆନ୍ତି । ପ୍ରତିଧ୍ୱନି ସୃଷ୍ଟି ହୁଏ ।

 

ଆଉ ସେ ପ୍ରତିଧ୍ୱନିର କମ୍ପନ ଥଣ୍ଡା ହୋଇ ଯାଇଥିବା ଉଆସର ଲାସ୍‌ ଉପରେ କରୁଣ ଜଣାପଡ଼େ । ମନେହୁଏ ସତେ ଯେମିତି ମରିଯାଇଥିବା ମା’ର ପଣତ କାନି ଓଟାରି ଅବୋଧ୍ୟ ଛୁଆଟି ରାହା ଧରି କାନ୍ଦୁଛି କ୍ଷୀର ପାଇଁ, କେତୋଟି ଅମୂଲ୍ୟ ଚୁମ୍ୱନ ପାଇଁ । ଖୁବ୍‌ ବ୍ୟସ୍ତ ଲାଗିଲେ ରାଣୀମନକୁ ମନ କହନ୍ତି–‘‘ମରିବି । ଆଉ ବଞ୍ଚିବି ନାହିଁ । ମରିବି ମୁଁ । କୁଆଡ଼େ ଗଲରେ ସଭିଏଁ ? କେତେ ଦିନ-କାଳ ସରିବ ?’’

 

ଝରକା-କବାଟ ଖୋଲିବାକୁ ମନ ହୁଏ ନାହିଁ । କ’ଣ ବା ଦେଖିବେ ସେ ? ଉଆସ ଚାରିପଟେ ଘେରି ରହିଥିବା, ଶିଉଳି ଢଙ୍କା ମେଘନାଦ ପାଚେରୀ ଅଛି–ଗେଟ୍‌ ନାହିଁ । ରାଇଫଲ ଧରି ଜଗିରହୁଥିବା ପ୍ରହରୀ ନାହିଁ । ପାଚେରୀ ଭିତରେ ଗୁଡ଼ାଏ ଗାଈ ଚରୁଥିବେ ଏବଂ ମଝିରେ ମଝିରେ ଉଆସ ଆଡ଼େ ଚାହିଁ ଲାଞ୍ଜ ହଲାଉଥିବେ । ଗାଈଆଳ ଟୋକାମାନେ ସମ୍ଭବତଃ ତ୍ରସ୍ତ ଦୃଷ୍ଟିରେ ଚାହୁଁଥିବେ ଚାରିଆଡ଼କୁ କାଳେ କିଏ ସେମାନଙ୍କର ଅନୁପ୍ରବେଶ ପାଇଁ ଶାସ୍ତି ଦେବ ବୋଲି-। ଉଆସ କଡ଼କୁ ଥିବା ବିରାଟ ବେଣ୍ଟପୋଖରୀ ଏବେ ପୋତି ହୋଇ ଗଲାଣି । ଭୀଷଣ ଦଳୁଆ ହୋଇଛି । ପୋଖରୀ ମଝିରେ ମନ୍ଦିର ଭଳି ଦିଶୁଥିବା ସଦୃଶ୍ୟ ଘରଟିର ଛାତ ଫାଟିଗଲାଣି-। କେଉଁ ଦିନଭୁଷୁଡ଼ି ପଡ଼ିବ କେଜାଣି ? ଗ୍ରୀଷ୍ମଋତୁର ଜ୍ୟୋତ୍ସ୍ନାବିଧୌତ ସନ୍ଧ୍ୟାଗୁଡ଼ିକ ସୁନ୍ଦର କଟିଯାଉଥିଲା ସେ ଘରର ଶୀତଳ ନିଃଶ୍ୱାସରେ ।

 

ସହି ହୁଏ ନାହିଁ । ଆଖି ଆଗରେ ପଲସ୍ତରା ଖସିଯାଉଥିବ, କବାଟର କବଜା ଭାଙ୍ଗି ଯାଉଥିବ, କେଉଁଠି ଛାତରୁ ପାଣି ଗଳୁଥିବ–ନା, ଦେଖିହୁଏ ନାହିଁ । ଆପଣା ଛାଏଁ ଆଖିପତା ବନ୍ଦ ହୋଇଯାଏ ! ହେଲେ, ଆଖି ବନ୍ଦ କରି, କାନରେ ଆଙ୍ଗୁଳି ଦେଇ କିଛି ଦେଖିବି ନାହିଁ, କିଛି ଶୁଣିବି ନାହିଁ ବୋଲି ଯେତେ ଶପଥ ନେଲେ ବି ଜଣାଯାଏ, ସବୁ ଯେମିତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଉଛି ଭୟଙ୍କର ଶବ୍ଦ ସୃଷ୍ଟି କରି । ଏଇଭଳି ଅବସ୍ଥାରେ ସରକାରଙ୍କର ପର୍ଯ୍ୟଟନ ବିଭାଗକୁ ପାହାଡ଼ ଓ ନଈକୂଳରେ ଥିବା ଏ ଘରକୁ ବିକ୍ରି କରି ଦେବାକୁ ପଡ଼ିଲା । କ୍ଷମତା ଥିବାବେଳେ ସେ ରାଜାଙ୍କ ସହିତ ଏଠାକୁ ଆସୁଥିଲେ ବର୍ଷର ଏଇ ଦିନରେ । ଅପରାହ୍ନ ଦୁଇଟାବେଳକୁ ବନ୍ଧୁକ ଧରି ରାଜା ଯାଉଥିଲେ ଘଞ୍ଚ ଜଙ୍ଗଲ ଭିତରକୁ ଶିକାର ପାଇଁ । ସାଙ୍ଗରେ ଦଶ-ପନ୍ଦର ଜଣ ଅନୁଚର । ବେଶି ପରିଶ୍ରମ କରିବାକୁ ପଡ଼ୁନଥିଲା, ବେଶି ଦୂରକୁ ମଧ୍ୟ ଯିବା ଦରକାର ନଥିଲା । ସନ୍ଧ୍ୟା ଛ’ଟା ବେଳକୁ ସେମାନେ ଫେରି ଆସୁଥିଲେ ହରିଣ କିମ୍ୱା ଅନ୍ୟ କିଛି ଜନ୍ତୁର ଶବ ଧରି । ଦଶ-ପନ୍ଦର ଦିନ ପର୍ଯ୍ୟନ୍ତ ଚାଲୁଥିଲା ଏହିପରି ।

 

ଏହି ଘରର ଦେଖାଚାହାଁ ପାଇଁ ଶିକାରରେ ସାହାଯ୍ୟ କରିବା ପାଇଁ ରାଜା ଏଠାରୁ ଅଳ୍ପ ଦୂରରେ ଛୋଟ ବସ୍ତିଟିଏ ସ୍ଥାପନ କରିଥିଲେ । ରାଜା ଓ ରାଣୀ ଆସିବା ମାତ୍ରେ ବିପୁଳ ଉତ୍ସାହର ସହିତ ସମସ୍ତେ ଉତ୍ସବରେ ମାତି ରହୁଥିଲେ ।

 

ଏ ଘର ଏବେ ଡାକବଙ୍ଗଳାରେ ପରିଣତ ହେଲା । ଏ ସ୍ଥାନ ପିକ୍‌ନିକ୍‌ ସ୍ପଟ ଭାବରେ ଖ୍ୟାତି ଅର୍ଜନ କଲା । ବସ୍ତି ସମ୍ପ୍ରସାରିତ ହେଲା । ବର୍ଷର ସେଇ ନିର୍ଦ୍ଦିଷ୍ଟ ଦିନରେ ଉତ୍ସବର ଆୟୋଜନ ଅବ୍ୟାହତ ରହିଲା । ସମସ୍ତେ ଭୁଲିଗଲେ ଏସବୁର ସ୍ରଷ୍ଟାକୁ ।

 

ରାଣୀଙ୍କର ଘୁଣଖିଆ କାର୍‌ଟି ରୁନ୍ଧି ହୋଇ ଆଗେଇ ଯାଉଥିବାବେଳେ ରାସ୍ତା କଡ଼ରେ ଥିବା ବିଶାଳ ବରଗଛ ମୂଳେ ଜଗୁ ବସିଥିଲା ଏବଂ ଅବାଧ୍ୟ ମାଛିମାନଙ୍କୁ ହୁରୁଡ଼ଉ ଥିଲା । ଏ ଗାଡ଼ି ସହିତ ସେ ଏପରି ପରିଚିତ ଥିଲା ଯେ, ସମ୍ପ୍ରତି ଏହାର ଛାଲହୀନ ଦେହ ଦେଖି ସେ ନିଶ୍ଚିତ ହୋଇଗଲା, ଗାଡ଼ିଟି ରାଣୀ ସାହେବାଙ୍କର ବୋଲି । ଅସ୍ୱାଭାବିକ ଶବ୍ଦ କରି ବହୁ କଷ୍ଟରେ ଆଗଉଥିବା ଗାଡ଼ିଆଡ଼ୁ ଦୃଷ୍ଟି ଫେରାଇ ସେ ଦେଖିଲା ନିଜର ଛାଲଛଡ଼ା, ଥୁଣ୍ଟା, ବିକଳାଙ୍ଗ ହାତ ଓ ଗୋଡ଼କୁ ।

 

ଏଥର ହାତ ଓ ଗୋଡ଼କୁ ଦେଖି କାହିଁକି କେଜାଣି ସେ ସ୍ତବ୍‌ଧ ହୋଇଗଲା ଏବଂ ତା’ର ତଣ୍ଟି ଶୁଖିଗଲା । କ’ଣ ଇଏ ? –ହାତ–ଗୋଡ଼ ? କାହିଁକି ଏମିତି ହେଲା ? ବଞ୍ଚି ଥାଉଁ ଥାଉଁ ସେ କାହିଁକି ମାଛିମାନଙ୍କର ଖାଦ୍ୟ ହୋଇଗଲା ? ଯେତେ ହୁରୁଡ଼େଇଲେ ବି ନିଷ୍କରୁଣ ମାଛିଗୁଡ଼ାକ ଜମା ମାନନ୍ତି ନାହିଁ କିଛି । କିଛି ବାଟ ଉଡ଼ି ଯାଇ ପୁଣି ଫେରି ଆସନ୍ତି ରକ୍ତ ସଲବଲର ସେଇ ଦୁନିର୍ବାର ଘା’ଗୁଡ଼ାକ ଉପରକୁ ।

 

ସେ ଗୋଟାଏ କୁଷ୍ଠରୋଗୀ ।

 

ଆସ୍ତେ ଆସ୍ତେ ପଚି ସଢ଼ି ଯାଉଥିବା ତା’ର ଦେହ ଓ ତା’ ଭିତରର ଚେତନା ସବୁବେଳେ ଅବଶ୍ୟ ଏମିତି କାତର ହୋଇଯାଆନ୍ତି ନାହିଁ । ଦ୍ୱାର ଦ୍ୱାର ବୁଲି ଭିକ ମାଗିଲାବେଳେ କିମ୍ୱା ବାମ୍ଫ ଉଠା ଡେକ୍‌ଚିଟିକୁ ଚୁଲିରୁ ଆଣି ଭାତ ଗାଳିଲାବେଳେ ସେ ସଂସାରର କୌଣସି କଥା ଭାବେ ନାହିଁ କି ନିଜ ପ୍ରତି ସଚେତନ ହୁଏ ନାହିଁ । ମାତ୍ର ଯେତେବେଳେ ସେ କିଛି କରୁ ନଥିବ, ସେତେବେଳେ ସେ ଭାରି ଅବଶ, ଜଡ଼ସଡ଼ ହୋଇଯାଏ । ଚାରିଆଡ଼କୁ ଚାହିଁ ସେ ଭାବେ, କେଡ଼େ ବିଶାଳ ଏ ପୃଥିବୀ । ହେଲେ, ଏହା ସହିତ ତା’ର ସମ୍ପର୍କଟା ରୁଗ୍‌ଣ ହୋଇ ଛିଣ୍ଡି ଯାଉଛି, ତା’ର ହାତ, ଗୋଡ଼ର ଆଙ୍ଗୁଳି ଭଳି । ରାଣୀ ସାହେବାଙ୍କର କୁଷ୍ଠରୋଗୀ ଭଳି ଦିଶୁଥିବା କାର୍‌ଟି ତା’ର ଆଗ୍ରହକୁ କ୍ଷଣକ ମଧ୍ୟରେ କରୁଣସିକ୍ତ କରିଦେଲା ।

 

ଫେରିଯିବ ? ସଞ୍ଜ ହେବାକୁ ଆହୁରିଡେରି ଅଛି । ବର୍ତ୍ତମାନଠୁ ଚାଲିଲେ ସେ ପାଖ କେଉଁ ଗାଁରେ ପହଞ୍ଚି ପାରନ୍ତା । କେଉଁ ଗଛମୂଳେ ତିନୋଟି ପଥର ପକାଇ ସେ ନିଆଁ ଜାଳନ୍ତା ଏବଂ ଡେକ୍‌ଚି ବସାନ୍ତା । ସକାଳ ହେଲେ ତିନୋଟି ପଥର ଉପରେ ନିଆଁ ଲେଖିଯାଇଥିବା ଭାଷାକୁ ପଛରେ ପକାଇ ସେ ବାହାରି ଯାଆନ୍ତା ଆଉ କେଉଁ ଗାଁକୁ, ଭିକ ପାଇଁ ।

 

ଜଗୁ ଉଠି ଯାଉଥିଲା, କିନ୍ତୁ କ’ଣ ଯେପରି ତାକୁ ଟାଣି ରଖିଲା ସେଇ ସ୍ଥାନରେ । ଦୀର୍ଘ ଛଅବର୍ଷ ପରେ ସେ ଆସିଛି, ନିଜ ଗାଁକୁ ଏଇମିତି ଅଧବାଟରୁ ଫେରିଯିବା ପାଇଁ ?

 

ଦୀର୍ଘ ଛ’ ବର୍ଷ ?

 

ବର୍ତ୍ତମାନ ସଂସାର କହିଲେ ସେ କ’ଣ ବୁଝେ ? ଛିଣ୍ଡା ଚଦରରେ ବନ୍ଧା ଯାଇଥିବା, ଅନ୍ୟ ଘରୁ ମାଗି ଆଣିଥିବା କିଛି ଚାଉଳ ଆଉ ଗୋଟିଏ ଡେକ୍‌ଚି । ଜୀବନ କହିଲେ ସେ କ’ଣ ବୁଝେ ? ପରିତ୍ୟକ୍ତ ନିଃସଙ୍ଗତା ଆଉ ମାଛି ହୁରୁଡ଼େଇବା । ଜଗୁ ଏଇକଥା ଭାବି ଗାଁ ଆଡ଼କୁ ଆଗଉଥିଲାବେଳେ ଆଶଙ୍କା ଓ ଆନନ୍ଦ ମିଶା ବିଚିତ୍ର ଅସ୍ଥିରତାରେ କମ୍ପି ଉଠୁଥିଲା । କେଜାଣି, କ’ଣ ଦେଖିବ, କ’ଣ ଶୁଣିବ ସେ ନିଜ ଘରେ !

 

ଛ’ ବର୍ଷର ବ୍ୟବଧାନରେ କିଛି ବଦଳିଲା ଭଳି ଦେଖା ଯାଉନାହିଁ । କେବଳ ସ୍ଥାନେ ସ୍ଥାନେ ଜଙ୍ଗଲ ସଫା ହୋଇ କିଆରି ସୃଷ୍ଟି କରାଯାଇଛି । ଏତକ ବାଦ୍‌ ଦେଲେ ଏ ସ୍ଥାନର ବୟସ ବଢ଼ିଛି ବୋଲି ଜାଣି ହେଉନାହିଁ ।

 

ଜଗୁ ସଡ଼କରୁ ଓହ୍ଲାଇ ଅଣଓସାରିଆ ପାଦଚଲା ବାଟ ଧରିଲା । ଗାଁ ପାଖ ହୋଇ ଆସିଲାଣି । ଘର ଯେତିକି ପାଖେଇ ଆସୁଥାଏ, ଜଗୁର ନିଃସଙ୍ଗତା ସେତିକି ତୀବ୍ର ହୋଇପଡ଼ୁଥାଏ-। ତା’ର ଦେହ ଓ ଅନ୍ତରାତ୍ମା ଯନ୍ତ୍ରଣାରେ ଆର୍ତ୍ତନାଦ କରି ଉଠିଲା । ଗୋଟାଏ ଗଛରେ ଭରା ଦେଇ ସେ ଠିଆ ହେଲା ଏବଂ ନିଃଶ୍ୱାସ ମାରିଲା । ଦୃଷ୍ଟି ତା’ର ବୁଲି ଆସିଲା ଗୋଡ଼, ହାତ, ପରିଧାନ ଉପରୁ । ହାତ ବୁଲି ଆସିଲା ଛ’ ବର୍ଷ ହେଲା କଟା ଯାଇ ନଥିବା ମୁଣ୍ଡର ବାଳ ଉପରୁ, ଦାଢ଼ି ଉପରୁ-। ହଠାତ୍‌ ତା’ର ମନ ହେଲା, ସେ କିପରି ଦେଖାଯାଉଛି ଜାଣିବା ପାଇଁ । ଛ’ବର୍ଷର ଶୂନ୍ୟ, ଭ୍ରାମ୍ୟମାଣ ଜୀବନ ଭିତରେ ସେ ନିଜ ମୁହଁକୁ ପ୍ରକୃତରେ ଭୁଲିଯାଇଛି ସମ୍ପୂର୍ଣ୍ଣ ଭାବରେ-

 

କିପରି ସେ ଦେଖାଯାଏ ? ନା, ଭଲଭାବେ ମନେ ପଡ଼ୁ ନାହିଁ । କେବଳ ସୁମୀ ତାହାକୁ କିଭଳି ଲାଜମିଶା ତ୍ରସ୍ତ ଆଖିରେ ଚାହୁଁଥିଲା ସେତକ ସ୍ପଷ୍ଟ ମନେ ଅଛି । ସେ ଚାହାଣିରେ କ’ଣ ଥାଏ କେଜାଣି, ସେ ନିଜେ ଝାଳେଇ ଯାଏ । ସୁମୀର ଓଠ ଓ ଆଖି କମ୍ପି ଉଠେ । ପାଖକୁ ଗଲେ, ତା’ର ବଳିଷ୍ଠ ଛାତି ଉପରେ ମୁହଁ ଗୁଞ୍ଜି ସେ ଖୁବ୍‌ ଜୋରରେ ତାକୁ ଭିଡ଼ି ଧରେ । ଏଇଥିରୁ ତା’ର ହୃଦବୋଧ ହୁଏ ଯେ, ସେ ଦେଖିବାକୁ ନିଶ୍ଚୟ ଭଲ ହୋଇଥିବ । ଅନ୍ତତଃ ପୃଥିବୀର ଜଣେ ମଣିଷ ଦୃଷ୍ଟିରେ ସେ ବିଶ୍ୱର ସମସ୍ତ ଆକର୍ଷଣ, ବିଶ୍ୱାସ ଓ ସୌନ୍ଦର୍ଯ୍ୟର କେନ୍ଦ୍ରବିନ୍ଦୁ ବୋଲି ଭାବୁଥିଲା ।

 

ସେଇ ସୁମୀକୁ ଦେଖିବା ପାଇଁ ସେ ଗାଁକୁ ଫେରିଛି ଛ’ବର୍ଷ ପରେ । ଆରିସିରେ ପ୍ରତିଫଳିତ ହେଉଥିବା ଚେହେରା ମନେନଥିଲେ କ୍ଷତି କ’ଣ ? ସେତେବେଳେ ଜୀବନର ସୀମା, ପରିପୂର୍ଣ୍ଣତା ଓ ତୃପ୍ତି ଏତେ ବ୍ୟାପକ ଥିଲା ଯେ, ଜଗୁ ଭାବୁଥିଲା, ମଣିଷର ଦେହ ଓ ବୟସ କେତେ ଛୋଟ ଏସବୁକୁ କୋଳାଗ୍ରତ କରି ଏହାର ଶେଷ ଦିଗ୍‌ବଳୟରେ ପହଞ୍ଚିବା ପାଇଁ । ଅଭୂତପୂର୍ବ ଆନନ୍ଦରେ ବେଳେବେଳେ ତା’ ଆଖିରୁ ଲୁହ ଝରି ଆସୁଥିଲା । ସବୁ ଥିଲା ଉପଭୋଗ୍ୟ ଓ ରୋମାଞ୍ଚକର । ଏପରିକି ଜ୍ୱର, ମୁଣ୍ଡବ୍ୟଥା କିମ୍ୱା ଦେହର କ୍ଷତ । ସୁମୀର ବିଚଳିତ, ଶଙ୍କାଗ୍ରସ୍ତ ମୁହଁ କିମ୍ୱା ଆଖିର ଲୁହ ଦେଖି ସେ ଭାବେ, ଜ୍ୱରରେ କମ୍ପିବା, ଦେହରୁ ରକ୍ତ ଝରିବା ଜନିତ ଯନ୍ତ୍ରଣା ଚମତ୍କାର ଭାବରେ ରୂପାନ୍ତରିତ ହୋଇଯାଏ ଆନନ୍ଦରେ । ଏଇଥିପାଇଁ ଦିନେ ଦିନେ କାମରୁ ଫେରି ସେ କହେ–ଭାରି ମୁଣ୍ଡ-ବ୍ୟଥା । ପରକ୍ଷଣରେ ସୁମୀର ଉଷୁମ କୋଳରେ ମୁଣ୍ଡ ରଖି ଶୋଇବାକୁ ଚେଷ୍ଟା କରେ । ପାରେ ନାହିଁ ।

ଛୋଟ ବସ୍ତିର ଶେଷ ମୁଣ୍ଡରେ ଦୁଇ ବଖରା ନଡ଼ା ଢଙ୍କା ମାଟି ଘର । ବାରିପଟେ ପ୍ରକାଣ୍ଡ ହତା ବାଡ଼ । ପଶ୍ଚିମ ଦିଗରୁ ଆରମ୍ଭ ହୋଇଛି ଶାଳ, ପିଆଶାଳ ଗଛମାନଙ୍କର ଭିଡ଼ । ପୂର୍ବଦିଗକୁ ସରୁ ପାଦଚଲା ରାସ୍ତା ବସ୍ତିର ଅନ୍ୟ ଘର ଆଡ଼କୁ ଲମ୍ୱି ଯାଇଛି । ଆହୁରି ଆଗକୁ ପର୍ଯ୍ୟଟନ ବିଭାଗର ଡାକବଙ୍ଗଳା ।

ସୁମୀକୁ ବାହାହେବା ଆଗରୁ ଜଗୁ ଦେଖେ ପାହାଡ଼ମାନଙ୍କୁ, ନଈର ଧାରକୁ, ଜଙ୍ଗଲର ରଙ୍ଗକୁ । ଶୁଣେ, ବଜ୍ରର ଆର୍ତ୍ତନାଦକୁ, ବେଳେବେଳେ ବାଘର କ୍ଷୁଧାକୁ, ବାଛୁରୀର ବ୍ୟାକୁଳତାକୁ । ସେ ଖାଲି ଦେଖେ, ଶୁଣେ, ସଞ୍ଜ ହେଲେ ଘରକୁ ଫେରି କବାଟ କିଳେ, ଚୁଲି ଜାଳେ, ଖାଏ, ଶୋଇ ପଡ଼େ । ସକାଳ ହେଲେ ବାହାରିଯାଏ କାମକୁ; କିନ୍ତୁ ସୁମୀକୁ ବାହା ହେବା ପରେ ଏସବୁ ଏତେ ସୁନ୍ଦର ଭାବରେ ଜୀବନ ସହିତ ସମ୍ପର୍କିତ ହୋଇଯିବ ବୋଲି, ସେ ତ ଜମା ଭାବି ନଥିଲା । କାମରୁ ଫେରିବାରେ ଡେରି ହେଲେ ସୁମୀ କହେ–‘‘ଆଉ ଯଦି ଏତେ ଉଛୁର କର, ତେବେ ଦେଖିବ ।’’ ତା’ର ବିଚଳିତ ମୁହଁକୁ ଦେଖି ଆତ୍ମସନ୍ତୋଷରେ ହସିଲା ବେଳକୁ ଜଗୁ ଶୁଣେ–‘‘କାମ ନ ହେଲା ନାଇଁ ପଛେ....ମନ ଏତେ ହାଇଁ ପାଇଁ ହେଉଥିଲା ଯେ....ଓଃ, ଭଗବାନ ।’’

ଏସବୁ ସତ୍ତ୍ୱେ ସେ ଛ’ବର୍ଷ ଏକୁଟିଆ ବଞ୍ଚି ରହିପାରିଲା କିପରି ? ଜଗୁକୁ ଏଇ କଥା ଭାରି ଆଚମ୍ୱିତ ଲାଗୁଥିଲା ।

ଆଉ ଟିକିଏ ପରେ ସୂର୍ଯ୍ୟ ଅଦୃଶ୍ୟ ହୋଇଯିବ । ଜଗୁ ରାସ୍ତା ଛାଡ଼ି ଅରମା ଜଙ୍ଗଲ ଆଡ଼କୁ ପାଦ ବଢ଼ାଇଲା । ଗାଁ ଭିତର ବାଟେ ଯିବାକୁ ତା’ର ସାହସ ହେଲା ନାହିଁ । ଯେଉଁ ଆବେଗ ତା’କୁ ଟାଣି ଆଣିଛି ଏହା ଭିତରକୁ, ସୁମୀ ପାଖକୁ ତାହାର ମୂଲ୍ୟ ବୁଝିବ କିଏ ? ଏଇ ସମୟ ଭିତରେ ସେ ଅନେକ ବଦଳି ଯାଇଛି, ଗୋଡ଼-ହାତ ଛିଣ୍ଡି ଯାଇଛି ! ମୁହଁର ଦାଢ଼ି, ମୁଣ୍ଡର ଅଯତ୍ନ ବାଳ ତା’କୁ ହୁଏତ ଏକ ପ୍ରେତାତ୍ମା କରିଦେଇଛି । ଗାଁର ସଭିଏଁ ତାକୁ ଛି ଛାକର କରି ନଥିଲେ ସେ କ’ଣ ଏ ମାଟିର ଗନ୍ଧ ଓ ଡହଳ ବିକଳ କରୁଥିବା ଜୀବନର କେତୋଟି ମୁହୂର୍ତ୍ତର ପ୍ରତିଧ୍ୱନିକୁ ଅଣ୍ଟିରେ ପୂରେଇ ଗାଁ ଗାଁ ବୁଲି ଭିକାରି ସାଜିଥାନ୍ତା ! ବଞ୍ଚି ରହିବାର ଅର୍ଥ ଖୋଜି ବୁଲିଲେ ସେଇ ପ୍ରତିଧ୍ୱନିର ଆବାଜ ସେ ଶୁଣେ ! ଏତିକି ମାତ୍ର । ଭବିଷ୍ୟତ କଥା ସେ କେବେ ଭାବି ନାହିଁ । ଏ ଦାରୁଣ ରୋଗରୁ ମୁକ୍ତି ପାଇ ସେ ଆଗଭଳି ସୁସ୍ଥ ସବଳ ହେବ–ଏମିତି ବି ଭାବି ନାହିଁ ।

ଆଉ ସୁମୀ ? ଜଗୁର ସମଗ୍ର ଦେହ ଉପରେ ବହିଗଲା ଅଭୂତପୂର୍ବ ସୀତ୍କାର । ତା’ର ମନେହେଲା, ତା’ର ଗୋଡ଼ ଆଉ ଚଳୁନାହିଁ । ପାଦ ତଳର ଭୂଇଁ ଧସକି ଯାଉଛି । ତା’ର ଦ୍ୱିଧାଗ୍ରସ୍ଥ ମନ ପଚାରିଲା–‘କେଉଁଆଡ଼େ ଯାଉଛୁ ?’ ଏ ପ୍ରଶ୍ନର ଉତ୍ତର ଦେବାକୁ ତା’ର ସାହସ ହେଲା ନାହିଁ ।

କୁଷ୍ଠ ରୋଗର ବ୍ୟବଧାନ–ସୁମୀ ଓ ତା’ ଭିତରେ । ଛ’ବର୍ଷ ଆଗେ ତା’ର ହାତ-ଗୋଡ଼କୁ ଲକ୍ଷ୍ୟକରି ସେ କହିଥିଲା–‘‘ଏଇକଥା ତ ସଭିଁଏ କହୁଛନ୍ତି । ପାଖରେ ପୂରେଇ ଦେଉନାହାନ୍ତି କେହି । ଦିନେ ଦୁଇଦିନର କଥା ହୋଇଛି କି ? ମାସେ, ଦେଢ଼ମାସ ହେଲା ମୁଁ ମାଇପିଟାଏ କେଉଁଠୁ କ’ଣ ରୋଜଗାର କରି ତୁମକୁ ପୋଷୁଛି, ସେ କଥା ଥରେ ହେଲେ ଭାବିଛ ? କେତେଦିନ ଏମିତି ଚାଲିବ ? ମୋତେ ମରଣ କାହିଁକି ହେଉନାହିଁ ?’’

 

ଥରେ, ଦୁଇଥର ନୁହେଁ । ତିନି-ଚାରି ଥର ଏଇକଥା ଶୁଣିବା ପରେ ଡାକ୍ତରଖାନା ଯାଉଛି କହି ଜଗୁ ଘର ଛାଡ଼ିଥିଲା । ଅଲୋଡ଼ା, ଅଖୋଜା ହୋଇଗଲା । ତୁଚ୍ଛ, ଘୃଣ୍ୟ ହୋଇଗଲା ସେ ସୁମୀ ପାଖରେ !

 

ଛ’ବର୍ଷ ଭିତରେ କ’ଣ ବା ବଦଳିଛି ? ସବୁ ତ ଅଛି ସେଇମିତି–ବଣ, ପାହାଡ଼, ନଈ । ରାଜାଙ୍କର ସୌଖୀନ କୋଠା । ତଫାତ୍‌ ବୋଧହୁଏ ଏଇଠି ଯେ, ସେ କୋଠା ସର୍ବସାଧାରଣଙ୍କର ହୋଇପଡ଼ିଛି । ଯେ କେହି ତା’ର ଗାଧୁଆଘର, ସୋଫା ବ୍ୟବହାର କରିପାରିବ । ତଫାତ୍‌ ବୋଧହୁଏ ଏଇଠି ଯେ, ରାଜାରାଣୀଙ୍କର ଫଟୋ କାଢ଼ି ନିଆଯାଇଛି କାନ୍ଥରୁ । ଏବେ ବାହାରପଟ କାନ୍ଥରେ ନାଲି ତ୍ରିଭୁଜ । ପରିବାର-ନିୟନ୍ତ୍ରଣର ସ୍ଳୋଗାନ । ସବୁ ସର୍ବସାଧାରଣଙ୍କ ପାଇଁ ।

 

ଯାହାହେଲେ ବି ଫେରିଯିବାକୁ ତା’ ଦେହରେ ସତେ ଯେମିତି ଆଦୌ ଶକ୍ତି ନାହିଁ । ସୁମୀକୁ ଥରକ ପାଇଁ ଦେଖିବାକୁ ତା’ର ବ୍ୟାକୁଳତା ସାମନାରେ ସମସ୍ତ ଆଶଙ୍କା ଓ ଲଜ୍ଜା ହଜିଯାଉଛି । ଦୀର୍ଘଦିନର ବ୍ୟବଧାନ ଭିତରେ ସେ ଏମିତି ଗୋଟିଏ ମୁହୂର୍ତ୍ତ ଖୋଜି ବୁଲୁଛି, ଯାହା ଆତ୍ମୀୟତାର ନିବିଡ଼ତାରେ ବିଶ୍ୱର ବିଶାଳତାକୁ ସଙ୍କୁଚିତ କରି ସୁମୀ ବୋଲି ଗୋଟିଏ ନାରୀର ସୀମିତ ଆକାରରେ ପରିଣତ କରି ଦେଇପାରିବ । କାହାର ଓଳିତଳ ପିଣ୍ଡା କିମ୍ୱା ନିର୍ଲିପ୍ତ ଗଛର ଛାଇତଳେ ବିଶ୍ରାମ ନେଉଥିବାବେଳେ ଏମିତି ଏକ ମୁହୂର୍ତ୍ତକୁ ଅହରହ ସ୍ୱପ୍ନ ଦେଖି ସେ ଅସ୍ଥିର ହୋଇଛି । ଏଇ ସକାଶେ ତା’ର ହୃଦବୋଧ ହୋଇଛି ଯେ, ଯାହାର ଆପଣାର ଲୋକଙ୍କ ସଂଖ୍ୟା ଯେତେ ବେଶି, ଏ ପୃଥିବୀ ତା’ପାଇଁ ସେତିକି ସହଜ ଓ ବିଶ୍ୱାସଯୋଗ୍ୟ । ସେତିକି ଛୋଟ । କ୍ଷଣକ ପାଇଁ ହେଉପଛେ ଏ ପୃଥିବୀକୁ ସେଇ ଦୃଷ୍ଟିରେ ସେ ଦେଖିବାକୁ ଚାହେଁ । ନିଃସଙ୍ଗତାର ଭୟାବହତା ଆଉ ଜମା ସହି ହେଉନାହିଁ ।

 

ହତା ବାଡ଼ର ଫାଟକ ପାଖରେ ପହଞ୍ଚି ଜଗୁ ଦେଖିଲା, ତା’ଘର ଆଗଭଳି ଅପରିବର୍ତ୍ତିତ ରହିଛି । ପରିଷ୍କାର, ପରିଚ୍ଛନ୍ନ, ଅଥଚ ନୀରବ ଓ ଉଦାସ । ସେ ଭିତରକୁ ପଶିଲା । ପିଣ୍ଡା ଉପରକୁ ଉଠି କବାଟ ବାଡ଼େଇଲା ବେଳକୁ, ଗୋଟାଏ ଛାଇର ହାତ ମଧ୍ୟ ପ୍ରସାରିତ ହେଲା କବାଟ ଆଡ଼କୁ । ଗଣ୍ଠିଲିଟିକୁ ତଳେ ରଖିବାବେଳେ ସେ ଛାଇ ମଧ୍ୟ ନିଜର ଗଣ୍ଠିଲିକୁ ରଖିଲା ପିଣ୍ଡା ଉପରେ । ଠିକ୍‌ ପିଣ୍ଡାତଳେ ଗୋଟିଏ ସିଗାରେଟ୍‌ର ଟୁକୁରା ଦେଖି ସେ ଝାଳେଇ ଯିବା କଥାଟାକୁ ଛାଇଟି ଉଚିତ୍‌ ଭାବେ ଅନୁକରଣ କଲା କି ନାହିଁ ତାହା ଲକ୍ଷ୍ୟ କରିବାକୁ ସେ ଭୁଲିଯାଇଥିଲା ।

 

ଅଳ୍ପ କେତୋଟି ଅଚେତନ ମୁହୂର୍ତ୍ତ ଭିତରେ ସେ ନିଜର ଓ ବ୍ରହ୍ମାଣ୍ଡର ସ୍ଥିତି ଭୁଲିଯାଇଥିଲା । ସେଇ ସମୟ ଭିତରେ କିଛି ଯେପରି ଘଟି ନାହିଁ । ସବୁ ଗତିହୀନ ଓ ସ୍ଥାଣୁ ହୋଇ ଯାଇଥିଲା । ତା’ପରେ ଅସ୍ୱାଭାବିକ କ୍ରୋଧରେ ଜଗୁ କବାଟ ବାଡ଼େଇଲା । ନିଜର ଓ ଘରେ ଥିବା ମଣିଷଟି ମଧ୍ୟରେ ପ୍ରତିବନ୍ଧକ ଭାବେ ଠିଆ ହୋଇଥିବା ଏଇ କବାଟ ଓ ସିଗାରେଟ୍‍ ଟୁକୁରାକୁ ଦଳି ଚକଟି ଗୁଣ୍ଡ କରିଦେବାକୁ ତା’ର ଅର୍ଦ୍ଧମୃତ ଦେହ ଭିତରେ ଅସମ୍ଭବ ଶକ୍ତି ଠୁଳ ହୋଇଗଲା ।

 

–‘‘କିଏ ?’’ ଖୁବ୍‌ ନିମ୍ନ ସ୍ୱର । ପରକ୍ଷଣରେ କବାଟ ଅଳ୍ପ ଖୋଲିଗଲା ।

 

ଜଗୁ ସ୍ଥିର କରିଥିଲା, କବାଟ ଖୋଲିବା ସଙ୍ଗେ ସଙ୍ଗେ ସେ ଘର ଭିତରକୁ ପଶିଯିବ ଏବଂ ବିକଳାଙ୍ଗ ହାତରେ ସୁମୀର ଗଳା ଟିପି ମାରିଦେବ । ମାତ୍ର ଅଧା ଖୋଲା ହୋଇଥିବା କବାଟ ଫାଙ୍କରେ ଧାରେମାତ୍ର ଦିଶୁଥିବା ନାରୀ ମୂର୍ତ୍ତିଟିକୁ ଦେଖି ସେ ସ୍ତବ୍‍ଧ ହୋଇଯାଇଥିଲା । ସେ ଖାଲି ଚାହିଁ ରହିଥିଲା, ବିସ୍ମୟରେ ଓଦା ହୋଇଯାଇଥିବା ସେଇ ନାରୀମୂର୍ତ୍ତିର ମୁହଁକୁ, ସଙ୍କୁଚିତ ହୋଇଯାଇଥିବା ଭ୍ରୂଦୁଇଟିକୁ ଏବଂ ଜିଜ୍ଞାସାରେ ମୁକୁଳା ହୋଇଥିବା ପାଟିକୁ ।

 

–‘‘କିଏ ତୁମେ ?’’ ଗୋଟାଏ ଦୃଢ଼, ଅବଜ୍ଞାର ସ୍ୱର । ପରେ ପରେ କବାଟ ବନ୍ଦ କରିବାର ପ୍ରସ୍ତୁତି ।

 

ଜଗୁ କିନ୍ତୁ କବାଟ ଠେଲି ଧରିଲା । ତା’ର କଠିନ ମୁହଁ ପ୍ରଶ୍ନ କଲା–‘‘କହ, କିଏ ଭିତରେ ଅଛି ? କହ ।’’

 

–‘‘କେହି ନାହିଁ । ତୁମେ କିଏ ?’’

 

–‘‘କିଏ, ମୁଁ ? କେଉଁଠୁ ଏ ଶାଢ଼ି ପାଇଲୁ ? ଆଖିରେ କଜ୍ଜଳ, ମୁହଁରେ ପାଉଡର, ମୁଣ୍ଡରେ ତେଲ ଲଗାଇବାକୁ କିଏ ତୋତେ ପଇସା ଦିଏ ?’’ ଜଗୁ ଅଟକିଗଲା ଏବଂ ଗୋଟିଏ ଉପଯୁକ୍ତ ସଂଜ୍ଞା ଖୋଜି ବୁଲିଲା । ପର ମୁହୂର୍ତ୍ତରେ ତା’ ଓଠ କମ୍ପି ଉଠିଲା–‘‘ଦୋଚାରୁଣୀ ।’’

 

ସୁମୀ ଏଥିରେ ଦବିଗଲା ନାହିଁ–‘‘ଏଠୁ ଯିବ ନା ପାଟିକରି ଡାକିବି ଗାଁବାଲାଙ୍କୁ ? ତୁମକୁ ମୁଁ ଚିହ୍ନେ ନାହିଁ । ପିଣ୍ଡା ତଳକୁ ଓହ୍ଲାଅ । ଯାଅ, ଏଠୁ ।’’

 

ଏଥର କିନ୍ତୁ କ୍ରୋଧ, ହତାଶା ଓ ଦୁର୍ବଳତାରେ ଜଡ଼ସଡ଼ ହୋଇଗଲା ଜଗୁ । ତା’ର ଥରିଲା କଣ୍ଠରୁ ବାହାରି ଆସିଲା–‘‘ଶେଷକୁ ତୁ ଏଇଆ କଲୁ, ପୋଡ଼ାମୁହିଁ ! ତୋତେ ବିଷ ଟିକିଏ ମିଳିଲା ନାହିଁ ! ଏଇ ନଈ କ’ଣ ତୋତେ ମନାକଲା ? ବାଘ କ’ଣ ତୋତେ ଘୃଣା କଲା ?’’

 

–‘‘କେଉଁ ଧନ ସମ୍ପତ୍ତିଗୁଡ଼ାକ ସଞ୍ଚି ଦେଇ ଯାଇଥିଲ ?’’ ସୁମୀର ଚଢ଼ା ଉତ୍ତର ମଳିନ ସନ୍ଧ୍ୟାର ଛାଇଗୁଡ଼ାକୁ ପ୍ରକମ୍ପିତ କରିଦେଲା ଯେପରି । ‘‘ତୁମେ ଏଠୁ ଯିବ, ନା.... ।’’ ସେ କବାଟ ବନ୍ଦ କରିବାକୁ ଚେଷ୍ଟା କଲା ।

 

–‘‘କିଏ ଏ ଲୋକ ? କେଉଁଠୁ ଆସନ୍ତି ଏ ଲୋକ ତୋ’ ପାଖକୁ ?’’

 

ଆଉ କୌଣସି ଜବାବ ମିଳିଲା ନାହିଁ । କବାଟଟିକୁ ଠେଲି ରଖିପାରିଲା ନାହିଁ ଜଗୁ । ଭିତର ପଟୁ ଦୃଢ଼ଭାବରେ କବାଟ ବନ୍ଦ କରି ସୁମୀ ପ୍ରମାଣ କରିଦେଲା ଜଗୁ ଅପେକ୍ଷା ସେ ଯଥେଷ୍ଟ ଶକ୍ତିଶାଳୀ ଓ ସ୍ୱାଧୀନ । ସେ କାତରକଣ୍ଠରେ ଡାକିଲା–‘‘ସୁମୀ ! ଥରେ ହେଲେ ବାହାରକୁ ଆ । ମନ ପୂରେଇ ତୋତେ ଦେଖିଦେଲେ ମୁଁ ଫେରିଯିବି । ସୁମୀ ! କବାଟ ଫିଟା ସୁମୀ ! ତୋତେ ଦେଖିବିବୋଲି ଏତେ ବାଟ....ସୁମୀ ! ଆଲୋ, କବାଟ ଖୋଲ ।’’ ଜଗୁ ଆଉ ଅଧିକ କିଛି କହିପାରିଲା ନାହିଁ ।

 

ସେ ପୁଣିଥରେ କବାଟ ବାଡ଼େଇବା ପାଇଁ ଯାଉଥିଲା; କିନ୍ତୁ ତା’ର ହାତ ବୁଲିଆସିଲା କବାଟ ଉପରେ । ସ୍ନେହସିକ୍ତ, କ୍ଷୁବ୍‌ଧ, ଅପମାନିତ ହାତର ସ୍ପର୍ଶ । କବାଟ ଭିତରେ ହଜିଯାଇଥିବା ଗୋଟାଏ ଆତ୍ମାକୁ ଖୋଜି ପୁନରାୟ ଆବିଷ୍କାର କରିବାପାଇଁ ସେ ସେଇଠି ଠିଆ ହୋଇଥିଲା ଅନେକ ସମୟ ପର୍ଯ୍ୟନ୍ତ । ଭିତରୁ କିଛି ଶୁଣାଯାଉନାହିଁ । ଘରଟା ପ୍ରତିବାଦ ଓ ଘୃଣାରେ ଫାଟି ଯାଉନାହିଁ; ପରନ୍ତୁ ସବୁ ପାପ, ଦୁଷ୍କର୍ମକୁ ଘୋଡ଼ାଇ ରଖିବା ପାଇଁ ନୀରବ ପ୍ରତିଜ୍ଞାରେ ଯେପରି ସହନଶୀଳ ଓ ଶକ୍ତିଶାଳୀ ହୋଇପଡ଼ିଛି ।

 

ଜଗୁ ମୁହଁ ବୁଲାଇଲା ତଳୁ ଗଣ୍ଠିଲିଟିକୁ ଉଠାଇ ଓହ୍ଲାଇଲା ପିଣ୍ଡା ତଳକୁ । କ’ଣ ଭାବିଲା କେଜାଣି, ଦୀର୍ଘଶ୍ୱାସ ତ୍ୟାଗ କରି ଟୁକୁରା ସିଗାରେଟ୍‌ଟିକୁ ତଳୁ ଉଠାଇ ଫାଟକ ଆଡ଼କୁ ଆଗେଇଗଲା । ସେତେବେଳକୁ ତା’ର ଛାଇ ପଡ଼ି ନଥିଲା ଭୂଇଁ ଉପରେ । ସୂର୍ଯ୍ୟ ହଜିଯାଇଥିଲା । ଆକାଶର ଛାଇ ନିବିଡ଼ ହେଉଥିଲା ପୃଥିବୀ ଉପରେ ।

 

ଫାଟକ ପାଖରେ ପହଞ୍ଚି ଜଗୁ ପୁଣି ଚାହିଁଲା ନିଜ ଘର ଆଡ଼େ । ତା’ର ମନ କହୁଥିଲା, ସୁମୀ ଘରର ଦରଜା ଖୋଲି ଧାଇଁ ଆସିବ ତା’ଆଡ଼େ । ତାକୁ ନିବିଡ଼ ଭାବରେ କୁଣ୍ଢାଇ ଧରି ଲୁହଧୁଆ ସ୍ୱରରେ କହିବ–‘‘ଘର ଭିତରେ ସିଗାରେଟ୍‍ ଧୂଆଁ ମୋତେ ଅଣନିଃଶ୍ୱାସୀ କରୁଥିବାବେଳେ ତୁମେ ଏମିତି ଫେରି ଆସି ପାରିଲ ? ସେ ମଣିଷଟିର ବେକ ମୋଡ଼ି ଦେଇପାରିଲ ନାହିଁ ? ତା’ ରକ୍ତରେ ମୁଣ୍ଡର କେଶ ଭିଜାଇ ମୁଁ ଗଭା ତିଆରି କରିଥାନ୍ତି । ତୁମ କୋଳରେ ମୁଣ୍ଡ ରଖି ଖାଲି କାନ୍ଦିଥାନ୍ତି । ଆସ । ସେ ଏଯାଏଁ ବସିଛି ଉପହାସର ମୁହଁ ନେଇ ।’’

 

ଘରର କବାଟ, ପିଢ଼ା, ହତାବାଡ଼ ଉପରୁ ଦୃଷ୍ଟି ବୁଲାଇ ସେ ଆଗେଇ ଚାଲିଲା । ଏଥର କିନ୍ତୁ ଗାଁ ଭିତରେ ଯିବାପାଇଁ ତାକୁ ଡର ମାଡ଼ିଲା ନାହିଁ । ଆଉ ଡର କାହାକୁ ? ଆକାଶ ଛିଣ୍ଡି ପଡ଼ିଲେ ନୁହେଁ କି ପୃଥିବୀ ଖଣ୍ଡ ଖଣ୍ଡ ହୋଇଗଲେ ନୁହେଁ । ସବୁ ତ ଅଚିହ୍ନା ଅଜଣା । ଛୋଟ ବସ୍ତିର ଏ ଧୂଳି ଧୂସରିତ ରାସ୍ତା । ରାସ୍ତା ଦୁଇପାଖରେ ଘର । କେଉଁ ପିଣ୍ଡାରେ ବସି ପିକା ଟାଣୁଥିବା ମଣିଷ । ଦୂରରୁ ଫେରୁଥିବା ଗାଈଆଳର ବଂଶୀଧ୍ୱନି । କେହି କିଛି ତାକୁ କହିଲେ ନାହିଁ । ମୁହଁ ସଞ୍ଜର ପତଳା ଅନ୍ଧାର ଭିତରେ ସେ ନିଜକୁ ଓ ନିଜର ଛିଣ୍ଡା ହାତ ଗୋଡ଼କୁ ଟାଣିନେଇ ପାରିଲା ବସ୍ତିର ଶେଷ ମୁଣ୍ଡ ପର୍ଯ୍ୟନ୍ତ ।

 

ଏଠାରୁ ଅଳ୍ପ ଦୂରରେ ଡାକବଙ୍ଗଳା । ଭାବିଲା, ସେଇ ବାରଣ୍ଡା ଉପରେ ରାତିଟା କଟାଇ ସକାଳୁ ଉନ୍ମକ୍ତ ପୃଥିବୀ ଉପରକୁ ଚାଲିଯିବ । କିନ୍ତୁ ହଠାତ୍‌ ଜଗୁ ସେଇଠି ଠିଆ ହୋଇପଡ଼ିଲା ଏବଂ ଦୁଇ ପାପୁଲିରେ ମୁହଁ ଘୋଡ଼ାଇ ପିଲାଙ୍କ ଭଳି କାନ୍ଦିଉଠିଲା । ସେ କାନ୍ଦ ଭିତରେ ଏତେ ବ୍ୟାକୁଳତା ଓ ଯନ୍ତ୍ରଣା ଭରି ରହିଥିଲା ଯେ, ଜଗୁ ଅନୁଭବ କଲା, ସେ ଆଉ ଜଗୁ ହୋଇ ରହିନାହିଁ । ସେ ଗୋଟାପଣେ ବ୍ୟାକୁଳତା ଓ ଯନ୍ତ୍ରଣାରେ ପରିଣତ ହୋଇଯାଇଛି ।

 

ଚାରିଆଡ଼ୁ ଉଦାସ ଆଖି ବୁଲାଇ ସେ ଗଲା ନଈକୂଳକୁ । ଜୁନମାସର ନଈ ପଡ଼ିରହିଛି ରକ୍ତ ମାଂସହୀନ ଗୋଟାଏ ବିଶାଳ କଙ୍କାଳ ଭଳି । ହଜିଯାଉଥିବା ଆଲୋକର ଶେଷ ମୁହୂର୍ତ୍ତଗୁଡ଼ିକ ପାଣିଧାରର ପିଠି ଉପରୁ ହଜିଯାଉଥିଲେ ଆସ୍ତେ ଆସ୍ତେ । ଜଗୁ ଜାଣିପାରିଲା ନାହିଁ କାହିଁକି ବା ଆସିଲା ନଈକୂଳକୁ । ଡେଇଁ ପଡ଼ିବା ପାଇଁ ? ନା’ତ ! ସେ ଯୋଜନା ତା’ର ନଥିଲା । ଆତ୍ମହତ୍ୟା କରିବା ପାଇଁ ମନର ଯେଉଁ ଦୃଢ଼ତା ଦରକାର ହୁଏ, ତାହା ତ ତା’ର ନାହିଁ । ଅଥଚ ସେ ଆଦୌ ଭାବିପାରୁ ନ ଥିଲା, ୟା’ପରେ ସେ କରିବ କ’ଣ । ନିଜକୁ କେଉଁ କଥା କହି ଭୁଲାଇ ରଖିବ ।

 

ଡାକବଙ୍ଗଳା ଆଡ଼କୁ ଯିବାବେଳେ ଜଗୁ ପଚାରିଲା ନିଜକୁ–କିଏ ସେଇ ନାରୀମୂର୍ତ୍ତି ଯାହାକୁ ଦେଖି ସେ କାଙ୍ଗାଳ ହୋଇଯାଇଥିଲା; ଯେ ତାକୁ ଚିହ୍ନେ ନାହିଁ ବୋଲି କହିଥିଲା ? ସୁମୀ ? ନା’ତ ! ସୁମୀ ଏମିତି କବାଟ କିଳି ସିଗାରେଟ୍‌ ଟାଣୁଥିବା ଅଜଣା ଲୋକ ସଙ୍ଗେ ବସି ପାରିଥାନ୍ତା କି-? ନା’ତ ! ସୁମୀ ହୋଇଥିଲେ ତାକୁ ଛାତି ଭିତରେ ଚାପିଚାଖି ତା’ ମୁଣ୍ଡ ଓ ଗାଲରୁ ସବୁ ଆବର୍ଜନା ଧୋଇ ଦେଇଥାନ୍ତା ଆଖିର ଲୁହରେ । କଣ୍ଟା ଖୁଞ୍ଚାମାଡ଼ି ନିଷ୍ପ୍ରାଣ ହୋଇଯାଇଥିବା ତା’ ଗୋଡ଼ ଉପରେ ସେ ବୁଲାଇ ଆଣିଥାନ୍ତା ତା’ର ହାତପାପୁଲିକୁ । ଏତେ ବର୍ଷ ଧରି ଯେଉଁଆଡ଼େ ହଜିଯାଉଥିଲା ବୋଲି ମମତାମୟ କୈଫିୟତ୍‌ ଦାବି କରିଥାନ୍ତା । କାହିଁ ? ଏମିତି ତ କିଛି ହେଲାନାହିଁ ? କିଏ ତେବେ ସେ ନାରୀମୂର୍ତ୍ତି ? କିଏ, ପ୍ରକୃତରେ ?

 

ଜଗୁମନକୁମନ କହିଲା–ସୁମୀ ତା’ ବାପ ଘରକୁ ଚାଲିଯାଇଛି । ମୋତେ ଅପେକ୍ଷା କରି କରି ବିଚାରୀର ଆଖିରୁ ପାଣି ମଲା । ମୋତେ ନ ପାଇ ସେ ଫେରିଗଲା ତା’ ବାପ ଘରକୁ ।

 

ସୁମୀ ବାପଘରେ ଆଉ କେହି ନାହାନ୍ତି ଜାଣି ମଧ୍ୟ, ଜଗୁ ବାରମ୍ୱାର ପୁନରାବୃତ୍ତି କଲା ଏଇ କଥା । ଏହାଦ୍ୱାରା ସେ ଏତେ ହାଲୁକା, ନିଶ୍ଚିନ୍ତ ମନେକଲା ଯେ, ପାଟିକରି ସେ କହିଲା–‘‘ମୋ ସୁମୀ ଯାଇଛି ବାପ ଘରକୁ । ମିଛଟାରେ ମୁଁ ଏତେ ବାଟ ଆସିଲି ସିନା !’’

 

ଜଗୁ ଏଥର ଆହୁରି ଉତ୍ସାହିତ ହେଲା ଏବଂ ଉପରୋକ୍ତ କଥା ସତ୍ୟ ଓ ସ୍ୱଚ୍ଛତାର ଶକ୍ତି, ନିର୍ଭରଶୀଳତା ଆହରଣ କରି ତା’ ହୃଦୟ ଓ ଆତ୍ମାରେ ଆସ୍ଥାନ ଜମାଇଲା ।

 

ସେ ଉଚ୍ଚସ୍ୱରରେ ଚିତ୍କାର କରି ଘୋଷଣା କଲା ଏଇକଥା । ତା’ ଚିତ୍କାର ସେ ସ୍ଥାନର ନୀରବତା ଭେଦକରି ଅଦୂରର ପାହାଡ଼, ଜଙ୍ଗଲର ଗଛପତ୍ର, ନଈର ଅଳସ ପାଣି ଧାର ଉପରେ ବୁଲି ଆସିଲା । ତୁହାଇ ତୁହାଇ ସେ ଘୋଷଣା କଲା ଏଇକଥା ଏବଂ ତୁହାଇ ତୁହାଇ ତା’ ଚିତ୍କାର ପ୍ରତିଧ୍ୱନିରେ ରୂପାନ୍ତରିତ ହୋଇ ଝରିପଡ଼ିଲା ଆକାଶର ବ୍ୟାପ୍ତିରୁ ଓ ପାହାଡ଼ର ଛାତି ଉପରୁ, ବର୍ଷାପରେ ଗଛର ଡାଳପତ୍ର ଧରି ରଖିବାକୁ ଚେଷ୍ଟା କରୁଥିବା ଟୋପା ଟୋପା ପାଣି ତଳକୁ ଖସି ପଡ଼ିବା ଭଳି ।

 

ସେ ସଚେତନ ହେଲା ଯେ, ଡାକବଙ୍ଗଳା ପାଖରେ ସେ ପହଞ୍ଚି ଯାଇଛି । ହୁଏତ ସଚେତନ ସେ ହୋଇ ପାରି ନ ଥାନ୍ତା; କିନ୍ତୁ ଆଗପଛ ହୋଇ ଆସୁଥିବା ଦୁଇଟି ଗାଡ଼ିର ହେଡ୍‍ଲାଇଟ୍‌ ଓ ଆବାଜ ତାକୁ ନୀରବ କରିଦେଲା । ପରେ ପରେ ଗାଡ଼ିର ଆବାଜ ଆଉ ଶୁଣାଗଲା ନାହିଁ । ହେଡ୍‍ଲାଇଟ୍‌ ଲିଭିଗଲା । ରାଣୀ ସାହେବାଙ୍କର ଗାଡ଼ି ପଛକୁ ଗାଡ଼ି ଦୁଇଟି ଅଟକି ଗଲେ, ଠିକ୍‌ ଡାକବଙ୍ଗଳାର ଉଚ୍ଚ ବାରଣ୍ଡା ତଳେ । ଗାଡ଼ି ଦୁଇଟିର ଆରୋହୀମାନେ ତଳକୁ ଓହ୍ଲାଇ ପଡ଼ିଥିଲେ । ଅଜାଣତରେ ଜଗୁ ପହଞ୍ଚି ଯାଇଥିଲା ସେଇ ସ୍ଥାନରେ ।

 

କେୟାରଟେକର ଜଣକ ବ୍ୟସ୍ତତାର ସହିତ ଆଗଭଳି ଅବିଚଳିତ ଓ ଉଦାସ ଭାବରେ ବସିଥିବା ରାଣୀ ସାହେବାଙ୍କ ପାଖରେ ପହଞ୍ଚି ଯଥେଷ୍ଟ ଶାନ୍ତ ସ୍ୱରରେ କହିଲା–‘‘ଆଜ୍ଞା ମନ୍ତ୍ରୀ ମହୋଦୟ ପହଞ୍ଚିଗଲେଣି ।’’

 

–‘‘କ’ଣ ହେଲା ସେଇଠୁ ?’’ ରାଣୀସାହେବାଙ୍କ ସ୍ୱରରେ ଥିଲା ଉତ୍ତେଜନା ଓ ଅବଜ୍ଞା ।

 

କ୍ଷମା ମାଗିଲା ଭଳି କେୟାରଟେକର କହିଲା–‘‘ଆପଣ ତ ଜାଣନ୍ତି ଆଜ୍ଞା, ଜମା ତିନୋଟି ରୁମ୍‌ ଅଛି । ସେମାନେ ଆସିଛନ୍ତି ଆଠଜଣ ।’’

 

–‘‘ମୋର ସେଥିରେ ଯାଏ ଆସେ କ’ଣ ?’’ ରାଣୀସାହେବାଙ୍କର ସ୍ୱର ଆଗଭଳି ସମ୍ଭ୍ରାନ୍ତଶୀଳ ଓ ଗମ୍ଭୀର ଥିଲା । ‘‘ମୋତେ କ’ଣ କରିବା ପାଇଁ କହୁଛ ?’’

 

–‘‘ଦୟାକରି ଆପଣ ଯଦି ରୋଷେଇଘରେ ରହିବାକୁ ସମ୍ମତ ହୁଅନ୍ତେ, ଭାରି ଭଲ ହୁଅନ୍ତା । ରୋଷେଇ ଘରଟା ବେଶ୍‌ ସଫାସୁତୁରା ଅଛି ।’’ ସେ ପ୍ରସ୍ତାବ ବାଢ଼ିଲା ।

 

ରାଣୀସାହେବା ଠିଆହେଲେ । ପଚାରିଲେ–‘‘ମୋ ଡ୍ରାଇଭର କାହିଁ ?’’

 

–‘‘ଆଜ୍ଞା ? କ’ଣ କହିଲେ ?’’ କେୟାରଟେକର ଭଲକରି ଶୁଣିପାରିଲା ନାହିଁ ଅପମାନ ଓ ତିରସ୍କାର ଯୋଗୁଁ କମ୍ପୁଥିବା ରାଣୀସାହେବାଙ୍କ କଥା ।

 

–‘‘ମୋ ଡ୍ରାଇଭର କାହିଁ ?’’

 

କେୟାରଟେକର ପାଟିକରି ଉଠିଲା–‘‘ରାଣୀସାହେବାଙ୍କର ଡ୍ରାଇଭର ଗଲା କୁଆଡ଼େ-?’’ ପାଞ୍ଚ–ଛ’ଥର ଏଇକଥା କହି କହି ସେ ଓହ୍ଲାଇ ଆସିଲା ତଳକୁ ଓ ଘୃଣାର ସହିତ ନିମ୍ନ ସ୍ୱରରେ କହିଲା–‘‘ଶଳାଗୁଡ଼ାକ ଦଣ୍ଡେହେଲେ ବି ଏଠି ରହିବେ କି ? ଏ ଶଳା ଜାନୁଆରଗୁଡ଼ାକ ଯେମିତି, ବସ୍ତିରେ ଥିବା ଦୋଚାରୁଣୀ ତିର୍ଲାଗୁଡ଼ାକ ବି ସେମିତି । ଯୁଗଟା ସତ୍ୟାନାଶ ହୋଇଗଲା-।’’

 

ୟା’ପରେ ସେ ଆଉ କ’ଣ କହିବାକୁ ଯାଉଥିଲା; କିନ୍ତୁ କେହି ସାମନାରୁ ସିଗାରେଟ୍‌ ଟାଣି ଆସୁଥିବାର ଦେଖାଗଲା । ତା’ ଉପରକୁ ଟର୍ଚ୍ଚ ପକାଇ ବିରକ୍ତିର ସହିତ କେୟାରଟେକର କହିଲା–‘‘କୁଆଡ଼େ ଯାଇଥିଲ କିଓ ଡ୍ରାଇଭର ବାବୁ ? ରାଣୀସାହେବା ତୁମକୁ ଏଣେ ତେଣେ ଖୋଜି ଖୋଜି ଥକିଗଲେଣି ।’’

 

ଡ୍ରାଇଭରକୁ କିଛି କହିବାକୁ ପଡ଼ିଲା ନାହିଁ । ସେତେବେଳକୁ ରାଣୀସାହେବା ଏକମାତ୍ର ଚାକର ସହିତ ପହଞ୍ଚି ଯାଇଥିଲେ କାର୍‌ ପାଖରେ । ତା’ପରେ ଅସ୍ୱାଭାବିକ ଶବ୍ଦ ସୃଷ୍ଟି କରି କାର୍‌ଟି ଡାକବଙ୍ଗଳାକୁ ପଛରେ ପକାଇ ଆଗେଇ ଚାଲିଲା । ସେ ଗାଡ଼ିର ଦୁଇଟି ନାଲି ଆଖି ଡାକବଙ୍ଗଳାକୁ ଚାହିଁ ଚାହିଁ ହୁଏତ ଶେଷ ବିଦାୟ ନେଉଥିଲା ।

 

ସେଆଡ଼ୁ ଦୃଷ୍ଟି ଫେରାଇଲାବେଳକୁ ଆଗନ୍ତୁକ କାର୍‌ ଦୁଇଟିର ଲଗେଜ୍‌ କେରିଅର୍‌ରୁ ଜିନିଷପତ୍ର ବୁହା ଚାଲିଥିଲା ଡାକବଙ୍ଗଳା ଭିତରକୁ । ଏଥର ଏତେଗୁଡ଼ାଏ ଲୋକଙ୍କର ପାଟିତୁଣ୍ଡ, ହସରେ ସେ ସ୍ଥାନ ଅଶ୍ଳୀଳ ଜଣାପଡ଼ୁଥିଲା । ସେ ଘରର ଗାମ୍ଭୀର୍ଯ୍ୟ ଓ ମର୍ଯ୍ୟାଦା ସତେ ଯେପରି ବିକୃତ ହୋଇପଡ଼ୁଥିଲା ।

 

ଜଗୁ ଆଖି ଫେରାଇଲାବେଳକୁ ରାଣୀସାହେବାଙ୍କ କାର୍‌ର ଲାଲ୍‌ ଆଖି ଦେଖା ଯାଉନଥିଲା । ସେ ନିଜକୁ ପଚାରିଲା–‘‘ଏଠାକୁ ଆସିଲାବେଳେ କେଉଁକଥା ମୁଁ ତୁହାଇ ତୁହାଇ କହୁଥିଲିଟି ?’’

 

ଜଗୁ ଦୀର୍ଘଶ୍ୱାସ ତ୍ୟାଗ କଲା । ଆଉ ଲାଭ କ’ଣ ? ଖାଲି ଏଇ ରାତିଟି କେଉଁଠି କଟାଇଦେଲେ ଆଜିର ଶେଷ ସମସ୍ୟାର ସମାଧାନ ହୋଇଯିବ ।

Image

 

ପୋଷ୍ଟ ଅଫିସ

 

ସେ’ଦିନ ଅଫିସ୍‌ ଯିବା ପୂର୍ବରୁ ହେମନ୍ତବାବୁ ଯଥେଷ୍ଟ ଉତ୍ତେଜିତ ଓ ଚଞ୍ଚଳ ଥିଲେ । ରିଟାୟାର କରିବାର ମାତ୍ର ଦଶଦିନ ପୂର୍ବରୁ ପୃଥିବୀ ଓ ଜୀବନ ଅନ୍ତରାଳରେ ରହିଥିବା ପ୍ରକୃତ ଛବିଟି ଏଭଳି ଆକସ୍ମିକ ଭାବରେ, ଆପଣାଛାଏଁ ତାଙ୍କ ସାମନାରେ ଉଲଗ୍ନ ହୋଇପଡ଼ିବ ବୋଲି ତାଙ୍କର ଆଦୌ ଧାରଣା ନ ଥିଲା । ଏହାକୁଇ କହନ୍ତି ଅନ୍ତର୍ଦୃଷ୍ଟି, ମିଷ୍ଟିକ୍‌ ଭିଜନ୍‌ ! ଆରିସି ସାମନାରେ ଠିଆହୋଇ ସେ ଦେଖୁଥିଲେ ନିଜର ପାଚିଲା କେଶ, କଳାଦାଗ ପରିବେଷ୍ଟିତ ଶେଥା, କ୍ଳାନ୍ତ ଆଖି ଓ ଶୋଷହୀନ, ମଇଳା ଓଠ ଦୁଇଟିକୁ । ଅବସର ନେବା ପରେ ପରେ ସେ ଦାର୍ଶନିକ ହେବାର ସମ୍ଭାବନା ଦେଖା ଯାଉଛି ।

 

ସମୁଦାୟ ତତ୍ତ୍ୱଟି ଏତେ ସହଜ; ସତେ ଯେମିତି ହାତ ପାଆନ୍ତାରେ ଅଛି । ଅଥଚ ଅଗଣିତ ଲେଖକ, ଶିଳ୍ପୀ ଓ ଦାର୍ଶନିକ ଯୁଗ ଯୁଗ ଧରି ସେଇଟିକୁ ପାଇବା ଆଶାରେ ଦରାଣ୍ଡୁଛନ୍ତି ପ୍ରତ୍ୟେକ କୋଣ ଓ ମୁହୂର୍ତ୍ତ ଉପରେ ନିଜ ନିଜର ସୃଜନଶୀଳତାର କ୍ୟାମେରା ଧରି । ଖାଲି କ’ଣ ସେତିକି ? ଗଦା ଗଦା ଲେଖି, ସଂଖ୍ୟାହୀନ କ୍ୟାନ୍‌ଭ୍ୟାସ ଚିତ୍ରିତ କରି ଅସହାୟ ସ୍ୱରରେ ସ୍ୱୀକାର କରୁଛନ୍ତି–ନା, ହେଲା ନାହିଁ । ଜୀବନର ରହସ୍ୟ ଓ ଜଟିଳତା ବୁଝିହେଲା ନାହିଁ । ଏହାର ବିଶାଳତାକୁ ଚିହ୍ନଟ କରାଯାଇ ପାରିବ ନାହିଁ ।

 

କି ହତାଶଜନକ ପରାଜୟ ! ମଣିଷର ବୌଦ୍ଧିକତା ପ୍ରତି କି ନୃଶଂସ ତିରସ୍କାର ! ଅଥଚ ସମୁଦାୟ ସତ୍ୟଟି କେଡ଼େ ସହଜ, କେତେ ସମୀପବର୍ତ୍ତୀ !

 

ହେମନ୍ତବାବୁ ଗର୍ବର ସହିତ ଧୋତିକୁଞ୍ଚଟିକୁ ବାଁ ପଟ ପଞ୍ଜାବି ପକେଟରେ ପୂରେଇଲେ-। ଚାଳିଶା ଚଷମା ଲଗାଇ ସେ ଟୁ-ଆର୍‌ କ୍ୱାଟର୍ସରୁ ବାହାରି ଆସିଲେ । କ୍ୱାଟର୍ସ ସାମନାରେ, ପ୍ରକାଣ୍ଡ ପଡ଼ିଆରେ ଆର ପାଖରେ କଚେରି ଘର । ଡାହାଣ ପାଖରେ ବ୍ୟାଙ୍କ, ଅନ୍ୟ ଦିଗରେ ସପ୍ଲାଇ ଅଫିସ । ତାଙ୍କ କ୍ୱାଟର୍ସ ନିକଟରେ, ବାମକୁ, ଟେଲିଫୋନ୍‌ ଏକ୍‌ସଚେଞ୍ଜର ଦୁଇମହଲା କୋଠା । ତା’ ପାଖରେ ମୁଖ୍ୟ ଡାକଘର ମଝିରେ ପ୍ରକାଣ୍ଡ ପଡ଼ିଆ । କେଉଁଠି କେମିତି ଅନାବନା ଗଛ । ପଡ଼ିଆଟା ବର୍ଷ ସାରା ଅପ୍ରତିଭ, ଅଧା ଲଙ୍ଗଳା ହୋଇ ପଡ଼ିରହିଥାଏ । ଏଠି ସେଠି ଘାସର ପତଳା ପ୍ୟାଚ୍‌ଗୁଡ଼ିକ ଛିଣ୍ଡା ଲୁଗାଭଳି ପଡ଼ିଆର ଦେହକୁ ଘୋଡ଼ାଇ ରଖି ପାରନ୍ତି ନାହିଁ । ପଡ଼ିଆ ମଝିରେ ଗୋଟିଏ ପେଣ୍ଡାଲ । ତାହାର ଜଡ଼ତା କଟେ, ଯେଉଁଦିନ ସେଇଟିକୁ ମିଟିଙ୍ଗ୍‌ର ପ୍ଲାଟଫର୍ମଭାବେ ବ୍ୟବହାର କରାଯାଏ । ଛୋଟ ସହରର ଏଇଟି ହେଇଛି ସବୁଠାରୁ ବେଶି କର୍ମମୁଖର ସ୍ଥାନ ।

 

ଟେଲିଫୋନ ଏକ୍‌ସଚେଞ୍ଜ ଓ ପୋଷ୍ଟ ଅଫିସ୍‌ର କୋଠା ଗୋଟିଏ କମ୍ପାଉଣ୍ଡ ଭିତରେ ଅବସ୍ଥିତ । ଚମତ୍କାର ପରିକଳ୍ପନା ! ମଣିଷମାନଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା କରୁଥିବା କୋଠା ଦୁଇଟି ପାଖାପାଖି ଠିଆ ହୋଇଛନ୍ତି । ପୋଷ୍ଟ ଅଫିସ୍‌ ଆଡ଼କୁ ଆଗଉଥିବାବେଳେ ହେମନ୍ତବାବୁ ମନକୁମନ କହୁଥାନ୍ତି–ଜଣେ ମନ୍ତ୍ରୀ ହେବା, ଏପରିକି ମିଳିତ ଜାତିସଙ୍ଘର ସେକ୍ରେଟାରୀ-ଜେନେରାଲ ହେବା ତୁଳନାରେ ଗୋଟିଏ ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ହେବା କେଉଁ ଗୁଣରେ ବା ନ୍ୟୁନତର ? ଏଇ ଘରଗୁଡ଼ିକ ସମାଜର ହୃତ୍‌ପିଣ୍ଡ ନୁହଁନ୍ତି ତ ଆଉ କ’ଣ ? ସଂଖ୍ୟାହୀନ ସମ୍ପର୍କର ସ୍ନାୟୁ ଏଇଠି ଏକତ୍ରିତ ହୋଇ ପୁଣି କାହିଁ କେଉଁଆଡ଼େ ବିଛେଇ ହୋଇ ପଡ଼ନ୍ତି । ଚଷମାଟିକୁ ନାକ ଉପରକୁ ଟେକି ହେମନ୍ତବାବୁ ଭାବୁଥିଲେ–ଶହଶହ ଲୋକ ଡାକଘରର ରନର୍‌କୁ ଦେଖୁଛନ୍ତି ପ୍ରତିଦିନ । ତା’ ସାଇକେଲ କେରିଅରରେ ଗଣ୍ଠିଲିଟିଏ ଭଳି ଥୁଆ ହୋଇଥିବା, ବେକଟିକୁ ସୁତୁଲି ଓ ସିଲ୍‌ଦ୍ୱାରା ଚିପି ଦିଆ ଯାଇଥିବା ଡାକମୁଣିକୁ ଦେଖୁଛନ୍ତି । ଟେଲିଫୋନ୍‌ ତାରରେ ଝୁଲି ରହିଥିବା ଅସମ୍ପୂର୍ଣ୍ଣ ବର୍ଷା ପାଣି ଟୋପା, ଛଟପଟ ହେଉଥିବା ଛିଣ୍ଡା ଘୁଡ଼ି ଓ ଖୁଣ୍ଟ ଉପରେ ବସିଥିବା ଉଦ୍ୱିଗ୍ନ ଚଢ଼େଇକୁ ଅନେକ ଲୋକ ଦେଖୁଛନ୍ତି । ହେଲେ, କେତେଜଣ ଏ ସବୁର କାହାଣୀ, ଆଧ୍ୟାତ୍ମିକ ତାତ୍ପର୍ଯ୍ୟ କଥା ଚିନ୍ତା କରିଛନ୍ତି ? ସେ ଆହୁରି ଉତ୍ସାହିତ ଓ କ୍ଷିପ୍ର ହୋଇ ପଡ଼ିଲେ । ସଭିଙ୍କର ଅଲକ୍ଷ୍ୟରେ ସେ ଯେମିତି ସର୍ବଶ୍ରେଷ୍ଠ ସୂତ୍ରଟିକୁ ଠାବ କରି ପାରିଛନ୍ତି ।

 

କମ୍ପାଉଣ୍ଡ ଗେଟରେ କବାଟ ନାହିଁ । କବାଟ ଲଗାଇ, ଟେଲିଫୋନ୍‌ ଏକ୍‌ସଚେଞ୍ଜ ଓ ପୋଷ୍ଟ ଅଫିସ୍‌ର ଘର ଦୁଇଟିକୁ ଉଦାସ, ନିଃସଙ୍ଗ ଓ ପୃଥିବୀଠାରୁ ବିଚ୍ଛିନ୍ନ କରାଯାଇ ନାହିଁ । ଏହା ଭିତରକୁ ସର୍ବସାଧାରଣଙ୍କ ଯାତାୟାତ ସହଜ ଓ ବାଧାହୀନ । ଗେଟ୍‌ର ଡାହାଣକୁ କୁଣ୍ଠିତ ଭାବରେ ବଢ଼ୁଥିବା ରୁଗ୍‌ଣ, ଦୁଃଖୀ ଝାଉଁଗଛଟିଏ । ସେଠାରୁ ପ୍ରାୟ ପନ୍ଦରମିଟର ଦୂରରେ ଟେଲିଫୋନ ଏକ୍‌ସଚେଞ୍ଜର ପାଉଁଶିଆ, ଦୁଇମହଲା କୋଠା । ଉପର ମହଲାରେ ଗୋଟିଏ ଉଚ୍ଚ ଚେୟାର ଉପରେ ଅପରେଟର ଜଣକ ବସେ । ଗୋଟିଏ ବୋର୍ଡ଼ ସାମନାରେ । ଘରର କାନ୍ଥ, ଲୁହା ନିର୍ମିତ ବ୍ରିଜ୍‌ ଉପରେ ଗୁଡ଼ାଏ ତାର ସନ୍ତର୍ପଣରେ ଲମ୍ୱି ଆସି ସମ୍ପର୍କିତ ହୋଇଥାଆନ୍ତି ଏଇ ବୋର୍ଡ଼ ସହିତ । ଅପରେଟର ମୁଣ୍ଡରେ ରିସିଭର ଲଗାଇ ଗୁଡ଼ାଏ ପ୍ଲଗ୍‌କୁ ବିଭିନ୍ନ ଖୋପରେ ଗୁଞ୍ଜି ମଣିଷ ମଣିଷ ଭିତରେ କଥାବାର୍ତ୍ତା ହେବାର ରାସ୍ତା ପରିଷ୍କାର କରେ । କେବେ କେମିତି ରାତିରେ ହେମନ୍ତବାବୁ ବିଛଣାରୁ ଉଠି କ୍ୱାର୍ଟସ୍‌ ବାରଣ୍ଡାରେ ଠିଆ ହୁଅନ୍ତି । ସମୁଦାୟ ସ୍ଥାନଟା ନିସ୍ତବ୍‌ଧ, ପରିତ୍ୟକ୍ତ ଜଣାପଡ଼େ; କିନ୍ତୁ ଦୁଇଟି ଜାଗ୍ରତ, ରହସ୍ୟମୟ ଆଖି ଭଳି ଦିଶୁଥିବା ଏକ୍‌ସଚେଞ୍ଜର ଆଲୋକିତ ଝରକାବାଟେ ଅପରେଟରର କଥା ଶୁଣାଯାଏ । ଏକୁଟିଆ, ଭଙ୍ଗା କଥାବାର୍ତ୍ତା ପରିପୂର୍ଣ୍ଣ ସେଇ କୋଠରୀରେ ବସି ସେ ଜାଣିପାରୁଥିବ ଯେ, ରାତି ସତ୍ତ୍ୱେ କୌଣସି ମୁହୂର୍ତ୍ତ ଘଟଣାବିହୀନ ନୁହେଁ ।

 

ହେମନ୍ତବାବୁ ଆଖି ଫେରାଇଲେ । ପୋଷ୍ଟ ଅଫିସ୍‌ ସାମନାରେ ସବୁଦିନ ଭଳି ସାଇକେଲ ଜମା ହୋଇଗଲାଣି । ସବୁଦିନ ଭଳି ଘର ଆଗରେ ନାଲି ରଙ୍ଗର ଯାଆଁଳା ଡାକ ବାକ୍‌ସ ଦୁଇଟି ଆଟେନ୍‌ସନ୍‌ ଭଙ୍ଗୀରେ ଠିଆ ହୋଇଛନ୍ତି । ଦୁହିଁଙ୍କର ଉପର ଓଠ ସାମାନ୍ୟ ଲମ୍ୱି ଆସିଛି ଆଗକୁ । ଚିଠି ଓ ପ୍ୟାକେଟ୍‌ ଗର୍ଭସ୍ଥ କରିବାର କ୍ଳାନ୍ତିହୀନ ବୁଭୁକ୍ଷା ନେଇ ଦୁହେଁ ଦଣ୍ଡାୟମାନ-

 

ଅନ୍ୟଦିନ ଭଳି ସେ ଗମ୍ଭୀର, ଚିନ୍ତାଶୀଳ ମୁହଁ ନେଇ ଭିତରକୁ ପଶିଲେ ନାହିଁ । ଆଜି, ଏଇ ପୋଷ୍ଟଅଫିସରେ ସାତବର୍ଷ ଚାକିରି କରିବା ପରେ, ଏହାର ପୋଷ୍ଟମାଷ୍ଟର ହେମନ୍ତବାବୁ ପ୍ରଥମ ଥର ପାଇଁ ହସ ହସ ମୁହଁ ନେଇ ଦ୍ୱାର ଅତିକ୍ରମ କଲେ । ପୋଷ୍ଟଅଫିସ ସମ୍ପର୍କ ସ୍ଥାପନର ଘର । ଏଇ ଘରର ବିଶେଷତ୍ୱ ଓ ଉଦ୍ଦେଶ୍ୟର ପ୍ରତୀକ ଭାବରେ ରିଟାୟାର କରିବାର ଦଶଦିନ ପୂର୍ବେ, ଆଜି, ସାତବର୍ଷର ବିସ୍ମୃତ ପ୍ରଫୁଲ୍ଲତା ଓ ଆତ୍ମୀୟତା ନେଇ ସେ ଭିତରେ ପଶିଲେ ! ହୁଏତ ଆଜି ସେ ପ୍ରଥମଥର ପାଇଁ ଅନୁଭବ କଲେ ଯେ, ସମ୍ପର୍କ ସ୍ଥାପନ ପାଇଁ ଏଇ ଅମୂଲ୍ୟ ଦରବଗୁଡ଼ିକ ହିଁ ମାର୍ଗ ପ୍ରଦର୍ଶନ କରନ୍ତି ।

 

ରେଲିଂ ଲଗା ହୋଇଥିବା କାଉଣ୍ଟର । କାଉଣ୍ଟରରେ ସମସ୍ତେ ବସିଗଲେଣି । ସମସ୍ତଙ୍କ ସାମନାରେ, ରେଲିଂରୁ ଝୁଲୁଛି ନାଲି ରଙ୍ଗର ସାଇନବୋର୍ଡ଼ । କେଉଁ କର୍ମଚାରୀଜଣକ କି କାମ କରିବା ପାଇଁ ବସିଛି, ତାହା ସୂଚିତ ହୋଇଛି ସେଠାରେ ।

 

ଜଣକ ପିଠିରେ ହାତ ବୁଲାଇ ହେମନ୍ତବାବୁ ପଚାରିଲେ–‘‘ଭଲ ଅଛନ୍ତି ?’’

 

ଅନ୍ୟ ଜଣକ ପାଖରେ ଠିଆ ହୋଇ କହିଲେ–‘‘କମିଜ୍‌ଟି ନୂଆ । ନୁହେଁ ? ଆପଣଙ୍କୁ ଭଲ ମାନୁଛି ।’’

 

ପୁଣି ଆଉ ଜଣଙ୍କୁ ପଚାରିଲେ–‘‘ଦେହ ଭଲ ନାହିଁ ? ତେବେ, ଦାଢ଼ି କାଟି ନାହାନ୍ତି ଯେ-?’’

 

ପ୍ରାୟ ସମସ୍ତଙ୍କ ପାଖରେ ଠିଆ ହୋଇ ଏଭଳି ଏକତରଫା ପ୍ରଶ୍ନ ପଚାରିବା ଭିତରେ ହେମନ୍ତବାବୁ ଏକ ଅବ୍ୟକ୍ତ ଗୌରବ ଅନୁଭବ କରୁଥାନ୍ତି । ସେ ହାଲୁକା ବୋଧ କରୁଥିଲେ । ମାତ୍ର କାର୍ଯ୍ୟରତ ସେଇ ହଲ୍‌ ଅତିକ୍ରମ କରି ନିଜ ଅଫିସ୍‌ ରୁମ୍‌ ଆଡ଼େ ଗଲାବେଳେ କାଉଣ୍ଟରର ସଭିଏଁ ପରସ୍ପର ମଧ୍ୟରେ ବିସ୍ମିତ ଓ ଆମୋଦିତ ଦୃଷ୍ଟି ବିନିମୟ କଲେ । କିଛି ସମୟ ପାଇଁ ସମସ୍ତେ ଚୁପ୍‌ଚାପ୍‍ ବସି ଏଇ ଅଭାବିତ ଆଚରଣଟିକୁ ବିଶ୍ଳେଷଣ କରିବାକୁ ଚେଷ୍ଟା କରୁଥିଲେ । ପରେ କିନ୍ତୁ ସମସ୍ତଙ୍କର ହସ ଶୁଭିଲା ।

 

–‘‘ଆରେ, ବାଃ ! କି ଦରଦ !’’

 

–‘‘ମୁଁ ଏଇ କଥା ଅନୁମାନ କରୁଥିଲି । ଏଇଭଳି ଲୋକଗୁଡ଼ାକ ସବା ଶେଷକୁ ପାଗଳ ହୋଇଯାନ୍ତି । ଆମ ଗାଁର ଏମିତି ଗମ୍ଭୀର ମଣିଷଟିଏ.... ।’’

 

–‘‘ମୋ ହାତକୁ ଛାଡ଼୍‌ । ଶଳାକୁ ଦେବି ଆଜି ଥଣ୍ଡା କରି । ମୁଁ ଦାଢ଼ି ନ କାଟିଲି ଏ ଶଳା ବୋପାର ଯାଏ ଆସେ କ’ଣ ?’’

 

–‘‘ଆ....ହା...ହା....କି ହସ !’’

 

–‘‘ଶଳାଟା ରାସ୍କେଲ, ଆଜ୍ଞା ! ବିଲ୍‌କୁଲ୍‌ ରାସ୍କେଲ ! ଦିନେ ମୋତେ କହୁଛି–ପଢ଼ାପଢ଼ି କର । କ୍ୟାରମ୍‌ ଖେଳ ତୁମକୁ ଜମା ସ୍ୱର୍ଗକୁ ନେଇ ପାରିବନି । ଗୋଟେ-ଦୁଇଟା ପତ୍ରିକା ପଢ଼େ ବୋଲି ଏ ବଜ୍ଜାତ୍‌ର କମ୍‌ ଫୁଟାଣି ନୁହେଁ ।’’

 

ଏଇ ପ୍ରଶସ୍ତ କୋଠରୀରେ ସଟିଂ ହୁଏ । ଚଟାଣ ଉପରେ ହଜାର ହଜାର ବିଭିନ୍ନ ପ୍ରକାରର ଚିଠି ଗଦା ହୋଇଛି । ଆଉ ଅଳ୍ପ ସମୟ ପରେ ଜଣେ, ଦୁଇଜଣ ପିଅନ କାଠରେ ତିଆରି ଏଇ ଖୋପଗୁଡ଼ିକ ଭିତରେ ଠିକଣା ଅନୁଯାୟୀ ଚିଠିଗୁଡ଼ିକୁ ପୃଥିକୀକରଣ କରିବେ । ଚିଠି ଗଦାଟିର ଜଟିଳତା ସରଳ ହୋଇଯିବ । ପ୍ରତ୍ୟେକ ଚିଠି ଯେଝା ବାଟରେ ଯାଇ ଉଚିତ ମଣିଷ ପାଖରେ ପହଞ୍ଚିବ । ଇଏ ବି ଗୋଟେ ପ୍ରକାର ବିଶ୍ଳେଷଣ ।

 

ଚଟାଣର ଚକଡ଼ାଏ ସ୍ଥାନ ମାଡ଼ି ବସିଥିବା ଚିଠିଗୁଡ଼ିକୁ ଆହୁରି ଥରେ ଚାହିଁଲେ ହେମନ୍ତବାବୁ ଜଣେ ଦାର୍ଶନିକ ଭଳି । ଜଣେ ଆବିଷ୍କାରକର ଗର୍ବ ଓ ଗୌରବ ତାଙ୍କ ମୁହଁରେ ପ୍ରତିଫଳିତ ହେଉଥିଲା । ଏତେ ଗୁଡ଼ାଏ ଚିଠି ମଧ୍ୟରୁ ଯେକୌଣସି ଶହେ-ଦୁଇଶହକୁ ନେଇ ଜଣେ ପଢ଼ୁ । ସେ ଠିକ୍‌ ଭାବରେ ଜାଣି ପାରିବ ସମାଜ ଓ ମଣିଷ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ । ଏଇ ଚିଠିଗୁଡ଼ିକ ଭିତରେ କେତେ ଲୁହ ଓ ହାହାକାର, ପ୍ରାପ୍ତି ଓ ହସ, ପରାଜୟ ଓ ସୁଖର କାହାଣୀ ଲିପିବଦ୍ଧ ହୋଇଥିବ । ଜୀବନ ଭିତରକୁ ଏ ସବୁ କିପରି ଆସନ୍ତି, କାହିଁକି ବା ଆସନ୍ତି ? ହେମନ୍ତବାବୁ ଟିକିଏ ଝାଳେଇ ଯାଉଥିଲେ ଏଇ ପ୍ରଶ୍ନର ସାମନା ସାମନି ହୋଇ । କ୍ଷଣକ ପାଇଁ ସେ ସ୍ୱୀକାର କଲେ, ଜୀବନ ଓ ପୃଥିବୀ ଯେତେ ସହଜ ବୋଲି ସେ ଭାବୁଥିଲେ, ତାହା ବୋଧହୁଏ ସେତେ ସହଜ ନୁହେଁ । ଅଥଚ ଆବଶ୍ୟକୀୟ ‘ଡାଟା’ ତ ରହିଛି ଏଇ ଚିଠିଗୁଡ଼ିକ ଭିତରେ । ଏଇ ମାନଙ୍କର ଭାଷା ତ ଜୀବନର ଭାଷା ! ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମୁହୂର୍ତ୍ତର ବିଭିନ୍ନ ଫଟୋ ତ ରହିଛି ଏଇ ଆଲବମ୍‌ଗୁଡ଼ିକ ଭିତରେ !

 

କପାଳ ଉପରେ ଜମିଥିବା ଝାଳ ପୋଛି ସାରି, ଚଷମା କାଚ ପରିସ୍କାର କଲେ ସେ । ପଇଁତ୍ରିଶ ବର୍ଷ କାଳ ଯେଉଁ ଚାକିରି ସେ କରି ଆସିଛନ୍ତି, ତାହାର ଏଇ ଦିଗଟି ଆଜି ସତେଯେମିତି ଏକ ଚାଲେଞ୍ଜ ହୋଇ ଠିଆ ହେଲା ତାଙ୍କ ସାମନାରେ ଏବଂ କହିଲା–ମଣିଷ ଜୀବନକୁ ନେଇ ବଞ୍ଚେ ସିନା; ତାହାକୁ ବୁଝିପାରେ ନାହିଁ । ତୁମେ ଏଇ ଚାକିରି କଲ ଏତେ ବର୍ଷ ଧରି; ହେଲେ ଏହାର ସମଗ୍ର ସତ୍ୟଟିକୁ ତୁମେ ବୁଝିପାରିଲ କି ?

 

କିଛି ସମୟ ପାଇଁ ସେ ବୁଲାବୁଲି କଲେ ହଲ୍‌ ଭିତରେ । ସଭିଙ୍କର କୌତୂହଳପୂର୍ଣ୍ଣ ଦୃଷ୍ଟିକୁ ଅବମାନନା କରି ସେ ପୁନରାୟ ଫେରିଲେ ଚିଠିଗଦା ପାଖକୁ ।

 

ଚିଠିଗୁଡ଼ିକର କାହାଣୀ ସେମାନଙ୍କର ନିଜସ୍ୱ; ମଣିଷର ଚେତନା ବ୍ୟକ୍ତିଗତ ସମସ୍ୟା ଭଳି । କହ ତ ଦେଖି, ଏ ଯେଉଁ ଚିଠିମାନେ ଗୋଟାକ ଉପରେ ଗୋଟାଏ ଲଦି ହୋଇ ଭିଡ଼ ଜମେଇଛନ୍ତି ଏଠାରେ, ସେମାନେ କ’ଣ ନିଜ ନିଜ ଭିତରେ ସେମାନଙ୍କର ସ୍ୱର ଆଦାନ ପ୍ରଦାନ କରୁଥିବେ ? କେଉଁ ମଣିଷ କାହା କଥା ଭାବେ, ଏ ପୃଥିବୀରେ ? ଚିଠିମାନଙ୍କର ଏହା ଗୋଟାଏ ଯାତ୍ରା । ଏକାଠି ଭିଡ଼ କରି କିଏ କେଉଁଆଡ଼େ ଅନ୍ୟର ଅଲକ୍ଷ୍ୟରେ ଖସି ପଳାଇ ଯାଏ । ଚଟାଣ ଉପରେ ଚିଠିର ଏ ସୁଅ ଶୁଖିଲା ହୋଇଯାଏ ।

 

ହେଇ ତ, କାଲି ଭଳି ଲାଗୁଛି । ନିତାନ୍ତ ଛୋଟ ଥିବାବେଳେ ସେ ବାପା-ମା’ଙ୍କ ସାଙ୍ଗରେ ଯାଇଥିଲେ ରଥଯାତ୍ରା ଦେଖିବାପାଇଁ । ତିନିଦିଅଁ ସେତେବେଳେ ବିଜେ ହେଲେଣି ରଥରେ । କେମିତି କେଜାଣି ବାପା-ମା’ଙ୍କ ଠାରୁ ବିଛିନ୍ନ ହୋଇ ସେ ହଜିଯାଇଥିଲେ ନିଷ୍କରୁଣ ମଣିଷ-ସମୁଦ୍ର ଭିତରେ । ଏତେ ମଣିଷଙ୍କ ଭିତରେ ଥାଇ ସେ ନିଃସଙ୍ଗ ହୋଇ ଯାଇଥିଲେ । ଏତେ ମଣିଷଙ୍କର ଚେହେରା ଓ ସ୍ୱର ତାଙ୍କର ଅପରିଚିତ ହୋଇପଡ଼ିଥିଲା । ରଥ ଉପରେ ବସିଥିବା ଠାକୁରଙ୍କ ସାମନାରେ ସେ କାନ୍ଦୁଥିଲେ ଅସହାୟ ହୋଇ । ମାଇକ୍‌ବାଲା ତାଙ୍କ ନାଁ, ବାପାଙ୍କ ନାଁ ବାରମ୍ୱାର ଘୋଷଣା କରିବା ପରେ ଯାଇ ସେ ଫେରି ପାଇଲେ ନିଜ ମଣିଷମାନଙ୍କୁ । ସେ’ଦିନ ଓ ତା’ପରେ ଅନେକଥର ସେ ଦେଖିଛନ୍ତି ଅନେକ ଲୋକଙ୍କୁ କାନ୍ଦିବାର–ବିଜେ ହୋଇଥିବା ଦିଅଁଙ୍କ ସାମନାରେ । ଏପରିକି ଚମତ୍କାର ପୋଷାକ ପିନ୍ଧିଥିବା, କ୍ଷମତାଶାଳୀ ଦେଖାଯାଉଥିବା ମଣିଷମାନେ ବି କାନ୍ଦିବାର ସେ ଦେଖିଛନ୍ତି । ବିଚିତ୍ର ନୁହେଁ ତ ଆଉ କ’ଣ ?

 

ଚଟାଣର ଏଇ ଅଂଶଟା ବଡ଼ଦାଣ୍ଡର ଗୋଟାଏ ଚିତ୍ରଭଳି ଦେଖାଯାଉଛି । ମାତ୍ର ସଟିଂ କରୁଥିବା ପିଅନର ହାତ ଯଦି ଥରେ କିମ୍ୱା କ୍ଷଣକ ପାଇଁ ସେ ଅନ୍ୟମନସ୍କ ହୋଇଯାଏ, ତେବେ ଚିଠିଟି ଦେଖାଦିଏ ଭୁଲ୍‍ ଡାକମୁଣିରେ । ଅନ୍ୟ ଡାକଘରେ ନାଲି ସ୍ୟାହିରେ ଠିକଣା ସଂଶୋଧିତ ହୋଇ ଏ ଚିଠି ହୁଏତ ସମ୍ପୃକ୍ତ ମଣିଷ ହାତରେ ପହଞ୍ଚିଯାଏ ।

 

ହେଲେ, ଏଇଭଳି ପୁନର୍ମିଳନର ଆନନ୍ଦ କ’ଣ ସବୁବେଳେ ସମ୍ଭବ ହୁଏ ? ମନକୁ ମନ ହେମନ୍ତବାବୁ କହିଲେ–ନୋ, ନେଭର ! ସେ ସ୍ୱୀକାର କରିବାକୁ ବାଧ୍ୟ ହେଲେ, ବାଟବଣା ହୋଇ ଯାଉଥିବା ଚିଠିର ସଂଖ୍ୟା ଆଦୌ କମ୍‌ ନୁହେଁ ! ମଣିଷର ଅସମ୍ପୂର୍ଣ୍ଣ, ହଜି ଯାଉଥିବା ଇଚ୍ଛାର ସଂଖ୍ୟାଭଳି ।

 

ଏମିତି ଯଦି ହେଉ ନ ଥାନ୍ତା, ତେବେ ସେ କ’ଣ ଚିତ୍ରାକୁ ହରେଇ ଥାନ୍ତେ ? ସେ ଥିଲା ତାଙ୍କର ପ୍ରେମିକା । ତା’ର କେତେ ଖଣ୍ଡ ଚିଠି ଏପର୍ଯ୍ୟନ୍ତ ତାଙ୍କ ପୁରୁଣା ଟ୍ରଙ୍କରେ ଅଛି । କେବେ କିପରି ସେଗୁଡ଼ିକୁ ପଢ଼ିଲେ ତାଙ୍କୁ ଲାଗେ, ଛାତି ଭିତରେ କ’ଣଟାଏ ତାଙ୍କୁ ଯେପରି ଫୋଡ଼ି ପକାଉଛି, ଶୂନ୍ୟତାର ଗୋଟାଏ ଆହତ ଅଂଶ ସତେଯେପରି ବିନ୍ଧାଛିଟିକା କରୁଛି । ବର୍ତ୍ତମାନ ସେ କେଉଁଠି କେଜାଣି ? ତାଙ୍କୁ ସେ ମନେରଖିଥିବ କି ନା, କିଏ କହିପାରିବ ? ଆଉ, ସ୍ତ୍ରୀ ମଲେଣି ପ୍ରାୟ ଦଶବର୍ଷ ହେବ । ସକାଳୁ ଉଠି ଦେଖିଲା ବେଳକୁ ସେ ଶୋଇଛନ୍ତି ତ ଶୋଇଛନ୍ତି । ନିଦ ଭାଙ୍ଗୁ ନାହିଁ । ଡାକ୍ତର କହିଲେ, ହୃତ୍‌ଯନ୍ତ୍ର ବନ୍ଦ ହୋଇଗଲା । ଆଶ୍ଚର୍ଯ୍ୟ କଥା ! ସବୁଭଲ ଥିଲା । ମଣିଷଟି ସୁସ୍ଥ ଥିଲା ଗତ ରାତି ପର୍ଯ୍ୟନ୍ତ । ସହସା ହୃତ୍‌ଯନ୍ତ୍ରଟି ବିନା ନୋଟିସରେ ନୀରବ ହୋଇଯିବାକୁ ପସନ୍ଦ କଲା କାହିଁକି ? ସେତିକି ନୁହେଁ । ଚାରିବର୍ଷ ହେଲା ସାନପୁଅ ଘରୁ କେଉଁଆଡ଼େ ଚାଲିଯାଇଛି । ଏଇଠି, ତାଙ୍କ କ୍ୱାଟର୍ସରେ ରହୁଥିଲା । ଚାରିଥର ଆଇ.ଏ ପରୀକ୍ଷାରେ ଫେଲ୍‍ ହୋଇ ପଞ୍ଚମଥର ପାଇଁ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିଲା । ଟେବୁଲ ଉପରେ ବହିପତ୍ର, କାଗଜ-କଲମ ଥୁଆହୋଇଛି । ସେ ନାହିଁ । କେଉଁଆଡ଼େ ଗଲା ? ଥାନାରେ ଖବର ଦିଆଗଲା, ସେ ଚିଠି ଲେଖିଲେ ପରିଚିତ ସବୁ ଲୋକଙ୍କ ପାଖକୁ, ରେଡ଼ିଓରେ ତା’ର ଅନ୍ତର୍ଦ୍ଧାନ କଥା ପ୍ରଚାରିତ ହେଲା; କିନ୍ତୁ କାହିଁ ? ଦେଖୁ ଦେଖୁ ଚାରିବର୍ଷ ହୋଇଗଲାଣି । ଇଚ୍ଛାକୃତ ଭାବରେ ସେ ନିଜକୁ କେଉଁଠି ଲୁଚେଇଲା ? ଏଇ ଘଟଣାଗୁଡ଼ିକ ଖାଲି ଘଟିଗଲା; ଅଥଚ ସେ କିଛି ବୁଝିପାରିଲେ ନାହିଁ, କାହିଁକି ଘଟିଲା ଏସବୁ । କ’ଣ ନା, ଜୀବନ ଓ ପୃଥିବୀ ସମ୍ପର୍କରେ ଅସଲ ତତ୍ତ୍ୱଟି ସେ ଜାଣି ପାରିଛନ୍ତି ! କେହି ଜଣେ ଅଟ୍ଟହାସ୍ୟ କରିଉଠିଲା ତାଙ୍କ ଭିତରେ । ସଟିଂ ସରିଯାଉଥିବା ପୋଷ୍ଟଅଫିସର ଚଟାଣ ଭଳି ସେ ପ୍ରକୃତରେ ନିଃସଙ୍ଗ ଓ ନିଃସ୍ୱ ହୋଇ ପଡ଼ିଛନ୍ତି ।

 

ସେ’ ବାହାରି ଆସିଲେ ସେଠାରୁ । ଟେଲିଗ୍ରାମ କାଉଣ୍ଟରରେ ହୃତ୍‌ସ୍ପନ୍ଦନ ଭଳି ଯନ୍ତ୍ରଟି ଟକ୍‌.....ଟକ୍‌.....ଶବ୍ଦ ସୃଷ୍ଟି କରି ଚାଲିଛି । ଏ ପାଖ ସମସ୍ତ କାଉଣ୍ଟର ସାମନାରେ ଭିଡ଼ ଜମି ଗଲାଣି-। ସେ ପାଖ କଣରେ ଅପରିଚ୍ଛନ୍ନ ମଧ୍ୟବୟସ୍କା ସ୍ତ୍ରୀଲୋକଟିଏ ରିକ୍ତ ଯନ୍ତ୍ରଣାରେ ଗୁମୁରି ଗୁମୁରି କାନ୍ଦୁଛି । ତା’ ପାଖରେ ବସିଛି ଭୟ, ଆଶଙ୍କା ବିଜଡ଼ିତ ଆଠ-ଦଶ ବର୍ଷର ପିଲାଟିଏ ମଇଳା, ଛିଣ୍ଡା ଜାମା ପିନ୍ଧି । ପୋଷ୍ଟଅଫିସର ପବନ ଏଇ କାତର କାନ୍ଦଣାରେ ଶୋକାଚ୍ଛନ୍ନ ଜଣାପଡ଼ୁଥିଲେ ବି ସମସ୍ତେ ବ୍ୟସ୍ତ ଥିଲେ ନିଜ ନିଜର କାମ ସାରିବା ପାଇଁ । ଏତେ ମଣିଷଙ୍କ ଭିତରେ ତା’ର କାନ୍ଦଣା ଥିଲା ଗୁରୁତ୍ୱହୀନ, ଗତାନୁଗତିକ ।

 

–‘‘କ’ଣ ହେଇଛି ?’’ ସେ ପଚାରିଲେ ସ୍ତ୍ରୀଲୋକଟିକୁ ଯଥେଷ୍ଟ ସମ୍ୱେଦନଶୀଳତାର ସହିତ । ମାତ୍ର ତା’ର କାନ୍ଦଣାର ସ୍ୱର ଆହୁରି ବିଗଳିତ ଓ ଯନ୍ତ୍ରଣାଦଗ୍‌ଧ ଜଣାପଡ଼ିଲା ତାଙ୍କୁ-। ତାଙ୍କ ଆଡ଼ୁ ମୁହଁ ଫେରାଇ ଅପରିଚ୍ଛନ୍ନ ଶାଢ଼ିରେ ଲୁହ ପୋଛି କୋହ ସମ୍ୱରଣ କରିବାକୁ ଚେଷ୍ଟା କଲା ସେ-

 

ଜଣେ ଲୋକ ଗୋଟାଏ ଲଫାପା ଉପରେ ଡାକ ଟିକଟ ଲଗାଉଥିବା ଅବସ୍ଥାରେ କହିଲା–‘‘ଆଜ୍ଞା, ଚାରିଦିନ ତଳେ ତା’ ସ୍ୱାମୀ ମରି ଯାଇଛି ।’’

 

–‘‘ଓ !’’ କହିଲେ ହେମନ୍ତବାବୁ ଏବଂ ବୁଝିବାକୁ ଚେଷ୍ଟା କରୁଥିଲେ ପୋଷ୍ଟଅଫିସରେ କାନ୍ଦିବାର ତାତ୍ପର୍ଯ୍ୟଟିକୁ ।

 

–‘‘ଚଡ଼କ ମାରିଲା ।’’ ସେ ଲୋକଟି କହିଲା । ‘‘ବିଲ ହିଡ଼ ବାଟେ ଆସୁଥିବାବେଳେ ଚଡ଼କ ମାରିଲା । ଏଇ ପୋଷ୍ଟଅଫିସରେ ସେ ଶହେ ପର୍ଯ୍ୟନ୍ତ ଟଙ୍କା ଜମା କରିଥିଲା । ସେତକ ପାଇବା ଆଶାରେ ଇଏ ଆସିଛି ଯେ, ସେ କ’ଣ ଏଡ଼େ ସହଜରେ ଟଙ୍କାଟା ପାଇଯିବ ? କମ୍‌ ହରକତ ହେବାକୁ ପଡ଼ିବ ନାହିଁ ତାକୁ ।’’

 

–‘‘ବ୍ୟାଡ୍‍, ଭେରି ବ୍ୟାଡ୍‍ ! କିନ୍ତୁ ସେ କାମ ଅବିକା ହୋଇଯିବ । ଆଦୌ ଚିନ୍ତା କରିବା ଉଚିତ ନୁହେଁ ।’’ ହେମନ୍ତବାବୁ ଆଶ୍ୱାସନା ଦେଲେ ଏବଂ ମୁହଁ ଫେରାଇଲେ ।

 

ଚୌକିରେ ବସି ସେ କଲିଂ ବେଲ୍‌ ଟିପିବା ପାଇଁ ଯାଉଛନ୍ତି, ଟେଲିଫୋନ୍‌ ରିଙ୍ଗ୍‌ କଲା ।

 

–‘‘ହାଲୋ !’’

 

–‘‘କିଏ ? ପୋଷ୍ଟମାଷ୍ଟର କହୁଛନ୍ତି ?’’ ଆରପାଖରୁ ଶୁଭିଲା ।

 

–‘‘ୟେସ୍‌, ମୁଁ... ।’’

 

–‘‘ଶୁଣନ୍ତୁ । ଆପଣଙ୍କ ପୋଷ୍ଟଅଫିସ୍‌କୁ ଗୋଟିଏ ବୋମା ପାର୍ଶଲ କରି ପଠାଯାଉଛି ।’’

 

–‘‘ହ୍ୱାଟ୍‌ !’’ ହେମନ୍ତବାବୁଙ୍କ ସମଗ୍ର ସତ୍ତା ସତେ ଯେପରି ଭୟ ଓ ଆଶଙ୍କାରେ ମନ୍ଥି ହୋଇଗଲା ।

 

–‘‘କାହା ନାଁରେ ଏ ପାର୍ଶଲ ପଠାଯାଉଛି ତାହା କହିବା ଦରକାର ନାହିଁ; କାରଣ ପାର୍ଶଲଟି ଆପଣଙ୍କ ପୋଷ୍ଟଅଫିସରେ ପହଞ୍ଚିବା କ୍ଷଣି ବିସ୍ଫୋରଣ ହେବ । ଆପଣଙ୍କ ସମେତ ଅଫିସରେ ଥିବା ସମସ୍ତେ ଓ ଅଫିସ୍‌ ବିଲ୍‌ଡ଼ିଙ୍ଗ୍‌ ଧ୍ୱଂସ ହୋଇଯିବ । ବଡ଼ ଶକ୍ତିଶାଳୀ ବୋମାଟିଏ ।’’ ଆର ପାଖରୁ ଚେତାବନୀ ଶୁଭିଲା ।

 

–‘‘ଆଜ୍ଞା, ହାଲୋ....ହାଲୋ.... ।’’ କିନ୍ତୁ, ନା । ଆର ପାଖରେ ରିସିଭର ରଖିଦେବାର ଶବ୍ଦ ସେ ଶୁଣୁଛନ୍ତି ।

 

କେତୋଟି ମୁହୂର୍ତ୍ତ ପାଇଁ ସେ ହଜିଗଲେ ଆଶଙ୍କା ଓ ନିଶ୍ଚିତ ଧ୍ୱଂସ ହୋଇଯିବାର ପ୍ରଚଣ୍ଡ ଭୟ ଭିତରେ । ସେ ନିଜର ସ୍ଥିତି ଅନୁଭବ କରିପାରିଲେ ନାହିଁ । ସମଗ୍ର ବିଶ୍ୱ କେଉଁଆଡ଼େ ହଜିଯାଇ ତାଙ୍କ ଚାରିପଟେ ସୃଷ୍ଟି ହେଲା ରାଶି ରାଶି ଅନ୍ଧକାର ।

 

ସଚେତନ ହୋଇ ପଡ଼ି ସେ ଭାବିଲେ, ଚିତ୍କାର କରିବା ପାଇଁ । ଧୋତି କୁଞ୍ଚରେ ମୁହଁ ଓ ବେକର ଝାଳ ପୋଛି ସେ ଆପାତତଃ ଠିଆ ହେବା ପାଇଁ ଯାଉଥିଲେ । ସମସ୍ତଙ୍କୁ ଏଇ ଭୟାବହ ସମ୍ୱାଦଟି କହି ପୋଷ୍ଟଅଫିସ୍‌ରୁ ବାହାରି ଆସିବାକୁ ସେ ତତ୍ପର ହୋଇ ଉଠୁଥିଲେ । ମାତ୍ର ତାଙ୍କୁ ଜଣାପଡ଼ିଲା, ଏଇ ଯେପରି ଘଟିବାକୁ ଯାଉଛି ଭୟଙ୍କର ବିସ୍ଫୋରଣଟି । କୌଣସି ମତେ ନିଜକୁ ବଞ୍ଚାଇବା ପାଇଁ ସେ ପଳାଇ ଯାଉଥିଲେ; କିନ୍ତୁ ଟେଲିଫୋନ୍‌ ପୁଣି ରିଙ୍ଗ୍‌ କଲା ସେତିକିବେଳେ ।

 

–‘‘ହାଲୋ !’’ ହେମନ୍ତବାବୁଙ୍କ ସ୍ୱର ଉତ୍ତେଜିତ, ବିକଳ ହୋଇ ଯାଇଥିଲା ।

 

–‘‘ମୁଁ ଦୁଃଖିତ, ସାର୍‌ ।’’ ଅନ୍ୟ ଦିଗରୁ ସଦ୍ୟ ଅପରିଚିତ ସ୍ୱରଟି ଅନୁତପ୍ତ ଜଣାପଡ଼ିଲା । ‘‘ମୁଁ ପ୍ରକୃତରେ ଦୁଃଖିତ । ଏଇକ୍ଷଣି କହୁଥିଲି ଯେ, ଆପଣଙ୍କ ପୋଷ୍ଟଅଫିସ୍‌କୁ ଗୋଟାଏ ଧ୍ୱଂସାତ୍ମକ ବୋମା ପଠାଯିବ ବୋଲି । ପ୍ରକୃତରେ କଥାଟି ସତ ନୁହେଁ ।’’

 

–‘‘ଓ, ଥ୍ୟାଙ୍କ୍‌ ୟୁ; କିନ୍ତୁ ଆପଣ..... ।’’

 

–‘‘ଶଳା, ରାସ୍କେଲ, ବେଶିଗୁଡ଼ାଏ ବକ୍‌ ବକ୍‌ ହ’ନା’’ ଅଦୃଶ୍ୟ ଲୋକଟିର ସ୍ୱର ହଠାତ୍‌ କଠୋର, ନିର୍ମମ ହୋଇପଡ଼ିଲା । ‘‘ଶୁଣ୍‌, ବୋକା କାହାଁକା । ବୋମାଟି ପୋଷ୍ଟଅଫିସ୍‌କୁ ପଠାଯାଇ ନାହିଁ । ସେଇଟିକୁ ତୋ କ୍ୱାଟର୍ସରେ ରଖି ଦିଆଗଲାଣି । ତୋ’ ତକିଆ ତଳେ ଅଛି । ଆଉ... ।’’

 

କେଉଁଠି କଟିଗଲା । ହେମନ୍ତବାବୁ ରିସିଭରଟିକୁ ଫୋପାଡ଼ି ଦେଇ ଅଣନିଃଶ୍ୱାସୀ ହୋଇ ବାହାରି ଆସିଲେ ସେଠାରୁ । କିଛି ସମୟ ପୂର୍ବେ କାନ୍ଦୁଥିବା ଓ ତାଙ୍କଠାରୁ ପ୍ରତିଶ୍ରୁତି ପାଇଥିବା ସ୍ତ୍ରୀଲୋକଟି ଆଡ଼କୁ ନ ଚାହିଁ–ବାସ୍ତବିକ୍‌ କାହାରି ଆଡ଼େ ନ ଚାହିଁ, କୌଣସି ଜିନିଷ ଦେଖି ନ ପାରି–ସେ ଧାଇଁଲେ ନିଜ କ୍ୱାଟର୍ସ ଆଡ଼େ । ସମସ୍ତ ପ୍ରୋଗ୍ରାମ, ଯୋଜନାର ରୂପରେଖ ଯେମିତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଉଛି ଓ ସମସ୍ତ ପୃଥିବୀ ବିପଦପୂର୍ଣ୍ଣ, ପ୍ରତିରକ୍ଷାହୀନ ବୋଧ ହେଉଛି । ହେମନ୍ତବାବୁଙ୍କ ଗତି ବନ୍ଦ ହୋଇଗଲା କ୍ୱାଟର୍ସ ପାଖରେ । ନିଃସହାୟ ହୋଇ, ଉଦ୍ୱିଗ୍ନ ମନରେ ସେ ଠିଆ ହୋଇ ରହିଲେ କ୍ୱାଟର୍ସ ଆଡ଼େ ଚାହିଁ । ସେ ଅପେକ୍ଷା କରୁଥିଲେ ଗୋଟାଏ ସାଙ୍ଘାତିକ ମୁହୂର୍ତ୍ତକୁ; ଯେତେବେଳେ ତାଙ୍କର ଆଶ୍ରୟ ଟିକକ ବିସ୍ଫୋରଣର ଅବିଚାରରେ ଭୁଷୁଡ଼ି ଯିବ ।

 

ପିଠି ଉପରେ କାହା ହାତର ସ୍ପର୍ଶ ପାଇ ସେ ଚିତ୍କାର କରିଉଠିଲେ । ସେ ପ୍ରାୟ ସଜ୍ଞାହୀନ ହୋଇ ପଡ଼ୁଥିଲେ; ମାତ୍ର ଟେଲିଫୋନ୍‌ ଏକ୍‌ସଚେଞ୍ଜର ଅପରେଟର ଜଣକ ହସି ହସି କହିଲେ–‘‘ମୁଁ ଜାଣିଥିଲି ଆପଣ ଏଇଠି ଥିବେ ବୋଲି । ମାତ୍ର ଡରିବାର କୌଣସି କାରଣ ନାହିଁ ।’’

 

ହେମନ୍ତବାବୁଙ୍କ ମୁହଁ ଯନ୍ତ୍ରଣା ଓ କାତରତାରେ ସଙ୍କୁଚିତ ହୋଇ ଯାଇଥିଲା । ଗୋଟାଏ ଅନଭିଜ୍ଞ, ଅସହାୟ ପିଲାପରି ସେ କାନ୍ଦି ପକାଇବାକୁ ଚାହୁଁଥିଲେ, ଯେମିତି ସେ କାନ୍ଦିଥିଲେ ବହୁବର୍ଷ ତଳେ ରଥ ଯାତ୍ରାରେ ବାପ-ମା’ଙ୍କଠାରୁ ବିଚ୍ଛିନ୍ନ ହୋଇଯାଇ । ସେ ପୁଣିଥରେ ସମ୍ପର୍କହୀନ ହୋଇଯାଇଛନ୍ତି ।

 

–‘‘ଏଠାକାର ଜଣେ ଓକିଲଙ୍କ ପୁଅ କେଜାଣି କାହିଁକି ପାଗଳ ହୋଇଯାଇଛି । ଏମ୍‍:ଏ: ପଢ଼ୁଥିଲା । ଏବେ ଘରେ ଅଛି । ତାହାରି ଫୋନ୍‌ ପାଇଲେ ଆପଣ । ଏଇମିତି ଫୋନ୍‍ କରେ ସେ-। ଦ୍ୱିତୀୟଥର ତା’ କଥାକୁ ମୁଁ ଡିସ୍‌କନେକ୍‌ଟ କରି ଦେଇଥିଲି ।’’ ରହସ୍ୟଟି ପ୍ରକାଶ କଲେ ଅପରେଟର ।

 

–‘‘ପାଗଳ ହେଲା କାହିଁକି ?’’ ହେମନ୍ତବାବୁ ପ୍ରକୃତିସ୍ଥ ହେବାକୁ ଚେଷ୍ଟା କରି ପଚାରିଲେ-

 

–‘‘କେଜାଣି ? କେତେବେଳେ କ’ଣ ଘଟିବ, ତା’ର କାରଣଟିକୁ କିଏ ବା କହି ଦେଇ ପାରିବ ? ସବୁ ଘଟିଯାଏ ରହସ୍ୟମୟ ଭାବରେ । ଆସନ୍ତୁ, ଚା’ ପିଇ ଆସିବା ।’’

 

ସେହିଦିନ ଛୁଟି ପାଇଁ ଦରଖାସ୍ତ କଲେ ହେମନ୍ତବାବୁ । କୌଣସି କାମ ନ କରି ଫେରିଆସିଲେ କ୍ୱାଟର୍ସକୁ । ତାଙ୍କର ମୁଣ୍ଡ ବିନ୍ଧୁଥିଲା । ଘରକୁ କିଏ ଆସିଥିଲା ବୋଲି ପଚାରିଲେ ଚାକର ପିଲାକୁ ଏବଂ ନାସ୍ତିବାଚକ ଉତ୍ତରଟିଏ ପାଇଲେ । ତଥାପି ଖୁବ୍‌ ସନ୍ତର୍ପଣରେ ସେ କ୍ୱାଟର୍ସକୁ ତନ୍ନ ତନ୍ନ କରି ପରୀକ୍ଷା କଲେ ନିରାପତ୍ତା ଦୃଷ୍ଟିରୁ । ରାତିରେ ତକିଆ ପରିବର୍ତ୍ତନ କରି କବାଟ, ଝରକା ବନ୍ଦ କଲେ । ଭାବୁଥିଲେ, ମଣିଷ ଅସହାୟ ଓ ବିଚ୍ଛିନ୍ନ ହୋଇଯାଏ ପାଗଳର ଖିଆଲି ଖେଳ ଯୋଗୁଁ ।

 

ମଫସଲ ଗାଁକୁ ଫେରି ଆସି ସେ ଆହୁରି ନିଃସଙ୍ଗ ବୋଧକଲେ । ଅକାରଣଟାରେ ସେ ଅପେକ୍ଷା କରୁଥିଲେ ଗୋଟାଏ ଭୟାନକ ବିସ୍ଫୋରଣକୁ । ଘରେ ତ ନ ଥାନ୍ତି କେହି । ବଡ଼ପୁଅ ତାଙ୍କଠୁ ବହୁ ଦୂରରେ । ପିଲାପିଲିଙ୍କୁ ନେଇ ଚାକିରି ସ୍ଥାନରେ ଅଛି । ଚାରିବର୍ଷ ହେଲା ନିରୁଦ୍ଦିଷ୍ଟ ପୁଅ ଆଉ ଫେରିବ କି ନା, କେଜାଣି ? ଯେତେବେଳେ ନିଃସଙ୍ଗତା ତୀବ୍ରତର ହୋଇପଡ଼େ, ସେ ଚିଠି ଲେଖନ୍ତି ବଡ଼ପୁଅ ପାଖକୁ । ଡେରି ହେଉ ପଛେ ଉତ୍ତର ପାଆନ୍ତି ।

 

ପୃଥିବୀ ଓ ଜୀବନ ସମ୍ପର୍କରେ ଯେଉଁ ଅସଲ, ଚୂଡ଼ାନ୍ତ ସତ୍ୟଟି ଲେଖିବେ ବୋଲି ସ୍ଥିର କରିଥିଲେ; ତାହା ମନେପଡ଼ିଲେ ସେ ନିଜ ଭିତରେ ଅପମାନିତ ହୁଅନ୍ତି । କେଉଁ କଥାଟି ସେ ବୁଝିଛନ୍ତି ଯେ ଲେଖିବେ ? କେଉଁ କଥାର ସ୍ଥିରତା ଅଛି ?

Image

 

Unknown

ଏକ ସାକ୍ଷାତକାର ପରେ

 

ରମେଶ ଆଡ଼େ ଚାହିଁ ପ୍ରତିମା ମନକୁ ମନ କହିଲା–ବିଧବା ହୁଅନ୍ତି ପଛେ ଏ ପଶୁଟା ମରିଯାଆନ୍ତା କି ! ଲମ୍ୱ ବେଞ୍ଚର ଗୋଟିଏ ପାଖକୁ ବସିଥିବା ବୁଢ଼ା ଶ୍ୱଶୁର ଆଉ ତଳକୁ, ଖମ୍ୱରେ ଡେରି ହୋଇ ବସିଥିବା ଏ ବୁଢ଼ୀ ରାକ୍ଷସୀ ! ଇଏ ପୁଣି ଶାଶୁ ! କାହିଁ ? ଦିନରାତି ଚବିଶ୍‌ ଘଣ୍ଟା ଏ ଦୁହିଁଙ୍କର ମରଣ ମନାସିଲେ ବି ଜମା ତ ମରୁନାହାନ୍ତି ! କାରଣ, ଅକାରଣରେ ଯେତେ ଯାହା ଶୋଧିଲେ ବି ଜହର ଟିକିଏ ଖାଇ ଶୋଇ ପଡ଼ୁନାହାନ୍ତି ବିଛଣାରେ ! କ’ଣ ତେବେ ଆଉ କରାଯାଇ ପାରେ ?

 

ପ୍ରତିମାର ପିତ୍ତ ମୁଣ୍ଡ ଉପରକୁ ଚଢ଼ିଥିଲା ସେତେବେଳେ; ଯାହା କି ଘଟେ ସପ୍ତାହରେ ଅତି କମରେ ପାଞ୍ଚିଦନ । ଏତିକିବେଳେ ତା’ ପାଟିରେ ଆଉ ବାଡ଼ବତା ରହେ ନାହିଁ । ସମସ୍ତ ଶାଳୀନତା ଓ ଲଜ୍ଜା ପରିହାର କରି ସେ ହୋଇଯାଏ ପୈଶାଚିକ ଓ ଅସଭ୍ୟ । ସାରା ସାଇପଡ଼ିଶା ସ୍ତବ୍ଧ ହୋଇଯାଏ; ଗୋଟାଏ ଯନ୍ତ୍ରଣାଦଗ୍‌ଧ ହାହାକାର ଓ ଶୋକରେ ଘର ଅସହାୟ ଜଣାପଡ଼େ । କିନ୍ତୁ କିଏ ବୁଝେଇବ ସେ କଳିହୁଡ଼ୀ, ଉଦଣ୍ଡୀ ପ୍ରତିମାକୁ ? ଏଇଥିପାଇଁ କାହାକୁ ସେ ନ ଶୋଧିଛି ? ତା’ ପାଟିକୁ କିଏ ଜୁହାର ନ କରେ ? ହେଲେ, ବିଚରା ରମେଶ ମା’ ଆଉ ବାପ ! ଏଇ ବୟସରେ ଏମିତି ଦହଗଞ୍ଜ ହୋଇ କାନ୍ଦିବାକୁ, ସଢ଼ିବାକୁ ବିଧାତା ତାଙ୍କ କପାଳରେ ଲେଖିଥିଲା ! କେଉଁ ଭିକାରିର ଧୁଡ଼ୁକି ପେଟକୁ ରମେଶ ମା’ ଚିହ୍ନି ନ ଥିଲା ! ଏ ଗାଁରେ କିଏ ଏମିତି ମଣିଷଟେ ଅଛି, ଯାହାର ପେଟ ଚିପିଦେଲେ, ରମେଶ ମା’ ପରସିଥିବା ଭାତ ବାହାରି ନ ପଡ଼ିବ ? ଦାନ୍ତ ପଡ଼ିଯାଇଥିବା, କେରାଏ ବୋଲି ଧଳାକେଶ ମୁଣ୍ଡରେ ଥିବା ଏଇ ପୁରାତନ ମଣିଷଟି ସାଇ-ପଡ଼ିଶା, ବନ୍ଧୁ ବାନ୍ଧବ–ସଭିଙ୍କ ଦୁଃଖ କଷ୍ଟରେ ‘ଆହା’ ବୋଲି କହି ଆଖିରୁ ଲୁହ ପୋଛେ । ଦେଖ, କି ନିର୍ଯ୍ୟାତନା, ଅପମାନ । ପୁଣି ବଡ଼ବୋହୂ କତିରୁ !

 

ପାଞ୍ଚ ବର୍ଷ ହେଲା, ଏ ଅଞ୍ଚଳର ପ୍ରତିଷ୍ଠିତ ଘର ଉପରେ ପ୍ରତିମାର ଏଇ ଯେଉଁ ଅତ୍ୟାଚାର ଚାଲିଛି, ତାହାର ଫଳ ଯଦି ଦେଖିବାକୁ ଇଚ୍ଛା, ତେବେ ରମେଶ ବାପାଙ୍କୁ ଚାହଁ । ତାଙ୍କ ମୁହଁ ଉପରେ ହସର ଅବଶିଷ୍ଟାଂଶ ବିବର୍ଣ୍ଣ ହୋଇ ପୋଛି ହୋଇଯାଉଛି । ଏବେ ଏଣିକି ତାଙ୍କ ଦୃଷ୍ଟିରେ ଗୋଟାଏ ନିର୍ବାକ, ଅଥର୍ବ ଭାବ । ବେଳେବେଳେ ସେ ଚାହାନ୍ତି ଘରର ଅଗଣାକୁ, କାନ୍ଥରେ ଟଙ୍ଗାଯାଇଥିବା ଫଟୋଗୁଡ଼ାକୁ; ବହୁବର୍ଷ ହେଲା ବ୍ୟବହାର କରାଯାଇ ନ ଥିବା ବନ୍ଧୁକକୁ, ଗୁହାଳରେ ପାକୁଳି କରୁଥିବା ବଳଦମାନଙ୍କୁ । କ’ଣ ସେ ଦେଖନ୍ତି, କେଜାଣି ? ସବୁ କଥା ଦୁର୍ବୋଧ୍ୟ ଜଣାପଡ଼େ । ସବୁ ରହସ୍ୟମୟ ଓ ବିଶୃଙ୍ଖଳ । ଘରକୁ ଫେରିଲାବେଳେ ତାଙ୍କର ଛାତି ଦୁକୁଦୁକୁ ହୁଏ-। ଗୋଟାଏ ଅସହାୟ, ବିକଳ ଭାବ ତାଙ୍କ ତଣ୍ଟି ଓ ଜିଭକୁ ଶୁଖିଲା କରିଦିଏ । ଘରେ କ’ଣ ଶୁଣିବେ ସେ ? କେଉଁ କୋଠରୀରୁ ରମେଶର ବଡ଼ଝିଅ ଦୀର୍ଘ ସମୟ ଧରି କାନ୍ଦିବା ପରେ ଧକଉଥିବ । ତା’ ପିଠି ଆଉ ଗାଲ ଫୁଲିଯାଇଥିବ ପ୍ରତିମାର ନୃଶଂସ ଚାପୁଡ଼ା ମାଡ଼ରେ । ତିନିବର୍ଷର ଛୁଆ ! କ’ଣ ବା ଭଲମନ୍ଦ ଜାଣିଛି ସେ ? ବର୍ଷାରେ ଟିକିଏ ଭିଜିଲା କି ପାଣି ବାଲ୍‌ଟିରେ ହାତ ପୂରେଇଦେଲା ବୋଲି ଏଡ଼େ ବଡ଼ ଅପରାଧ କରିପକେଇଲା ସେ ? ଆଉ କେଉଁଦିନ ଶୋଇବା ଘର ଖିଡ଼ିକି ଦେଇ ଆଖିଆ ଅପିଆ ପ୍ରତିମା ବସି ରହିଥିବ ଏବଂ ତା’ ପାଟିରୁ ଗାଳିଗୁଲଜ ଝରି ଆସୁଥିବ ନିର୍ବିଘ୍ନରେ-। କଥା କ’ଣ ନା, ଅବେଳରେ କୁଣିଆଁ-ମଇତ୍ର ପହଞ୍ଚିଯିବାରୁ ଖାଇବାରେ ଡେରି ହେଲା, ଯଥେଷ୍ଟ ପରିମାଣର ଡାଲି-ତରକାରୀ ପ୍ରତିମା ପାଇପାରିଲା ନାହିଁ । ଦୁଇତିନିମାସର ଝିଅଟି ଅଥୟ ହୋଇ ରାହାଧରି କାନ୍ଦୁଥିବ, ଘର ଓ ସାଇର ଲୋକେ ବୁଝେଇ, ବୁଝେଇ ଶୋଧା ଶୁଣି ଥକିବେ କିନ୍ତୁ ତା’ର ରାଗ ଥମଥମ ମୁହଁ, ନାଲି ଆଖିର ପରିବର୍ତ୍ତନ ଘଟିବ ନାହିଁ ।

 

ହତଭାଗା ରମେଶ ଗତ କାଲି ସଞ୍ଜବେଳେ ଘରକୁ ଆସିଛି, ଚାକିରି ଜାଗାରୁ । ଆଜି ରହିବାର । ଛ’ଟା ସମୟର ଶେଷ ଗାଡ଼ିରେ ସେ ଫେରିଯିବା କଥା । ସକାଳ ଆଠଟାରେ ଗାଧୋଇ ସାରି ଚା’ ପିଉଥିବା ଅବସ୍ଥାରେ ଲାଗିଛି ଏଇ ପାଲା ।

 

ପ୍ରତିମାର ଗୋଟିଏ ଜିଦ୍‌–ଆଜି ସେ ନିଶ୍ଚୟ ରମେଶ ସହିତ ଫେରିବ । ଏଡ଼େ ବଡ଼ ହାଣ୍ଡିରୁ ଭାତ ଗାଳି ହାଣ୍ଡିଶାଳକୁ ସେ ବୋହିପାରିବ ନାହିଁ । ରାଜ୍ୟଯାକର ବନ୍ଧୁ ବାନ୍ଧବ ଆସୁଛନ୍ତି । ସେଗୁଡ଼ାଙ୍କୁ ଭୂମିଷ୍ଠ ପ୍ରଣାମ କରିବାକୁ ସେ ଘୃଣା କରେ । କୋଉ ସହର ବଜାର ଅଛି ଯେ, ଘଣ୍ଟାଏ ବୁଲି ଆସିଲେ କି କାହା ଘରକୁ ଯାଇ ଦି’ପଦ କଥାଭାଷା ହେଲେ ମନଟା ଫୁର୍ତ୍ତି ଲାଗିବ ? ଚବିଶ୍‌ ଘଣ୍ଟା ଏ ଖଞ୍ଜା ଘରଟାରେ କେତେ ଆଉ ସେ ପଡ଼ି ରହିବ ? ସାଇରୁ ଯୋଉ ତ ମାଇକିନାଗୁଡ଼ାକ ଏଠାକୁ ବୁଲି ଆସୁଛନ୍ତି ! ଛି, ସେମାନଙ୍କ ମୁହଁ ଚାହିଁବାକୁ କାହାର ଭଲା ମନ ହେବ ?

 

ଧୈର୍ଯ୍ୟ ଓ ସହନଶୀଳତାର ସହିତ ଶାଶୁ ବୁଝେଇବାକୁ ଚେଷ୍ଟା କଲେ–‘‘ନାଇଁରେ, ମା’ । ତୋ ଯିବାଟା ଆମେ କ’ଣ ବନ୍ଦ କରିଛୁ ? କଅଁଳା ଛୁଆଟାକୁ ସେଠାକୁ ନେଇଯିବୁ ସିନା, ହେଲେ, ତୁ ତ କାଲିକା ପିଲାଟାଏ, ତା’ର ହେପାଜତ କିଏ ନେବ ଥରେ ଭାବିଦେଖ । ଦଶ’ରା ଆଉ କେଇଟା ଦିନର କଥା । ଦଶ’ରା ଯାଉ; ଛୁଆଟା ବି ଟିକେ ଟାଣ ହୋଇଯାଇଥିବ । ଏଇଖିଣା ପଳେଇଗଲେ ଆମକୁ ଶାନ୍ତି ମିଳିବ ନାହିଁ ।’’

 

ଦଶ’ରା ପରେ ଯିବା କଥା ଶୁଣିଲା କ୍ଷଣି ପ୍ରତିମା ହିତାହିତ ଜ୍ଞାନ ଭୁଲିଗଲା । କ’ଣ ହେଲା ? ସେଠାରେ ଯେଉଁ ଭଳିକି ଭଳି ମେଢ଼ ତିଆରି ହୁଏଓ ଭସାଣୀ ପୂର୍ବରୁ ଯେଉଁ ମେଲଣ ହୁଏ, ସେ ସବୁ ଦେଖିହେବ ନାହିଁ ଏ ବୁଢ଼ୀ ଅସୁରୁଣୀ ଯୋଗୁଁ ? ଆହୁରି ଉତ୍ତ୍ୟକ୍ତ ସ୍ୱରରେ କହିଲା–‘‘ଆଜି ଯିବି । ଦେଖିବି ତୁ ମୋତେ ବାନ୍ଧିରଖିବୁ କେମିତି ! ଆଉ ଶୁଣ, ତୁ ମଲେ ଯାଇ ଏ ଘରକୁ ଆସିବି । ନାତୁଣୀ ସୁଆଗ ଆଉ କେଉଁଠି ଦେଖାଇବୁ ଯା । ହଇଲୋ, ପୁଅ ନ ହୋଇ ଝିଅ ହେଲା ବୋଲି ତୁ ପରା ତା’ ପାଖ ମାଡ଼ୁନୁ ! କାହା ପାଖରେ ଏ ଅଲଣା ସ୍ନେହ ଦେଖାଉଛୁ ?

 

ରମେଶ ବାପା ବିଦ୍ରୂପ କଣ୍ଠରେ କହିଲେ–‘‘ଆରେ, କେଉଁଠି ଯଦି ଟେପ୍‌-ରେକର୍ଡ଼ଟାଏ ଅଛି ଏଇଠିକି ନେଇ ଆସ ତ ! ୟା ବାପ-ମା’ ଭାଇ-ଭଉଣୀ ସଭିଏଁତ କହୁଛନ୍ତି ୟାକୁ ଆମେ ଗଞ୍ଜଣା ଦେଉଛୁ; ସେମାନେ ଟିକିଏ ୟା କଥାକୁ ଶୁଣି ନିଅନ୍ତୁ । ଝିଅକୁ କେଉଁଭଳି ସଣ୍ଠଣା ଶିଖାଇଥିଲେ, ତାହା ସେମାନେ ଶୁଣନ୍ତୁ ।’’

 

–‘‘ମୋ ବାପା ?’’ ଏଥର ଦୁଇହାତ ଛିଞ୍ଚାଡ଼ି ଜବାବ ଦେଲା ପ୍ରତିମା । ‘‘ସେଇଟା ଗୋଟାଏ ନିର୍ବୋଧ, ବୁଦ୍ଧୁଟାଏ । ଏ ଘର ଉପରେ ପରିସ୍ରା ନ କରି ମୋତେ ଛନ୍ଦି ଦେଇଛି ଗୋଟାଏ ଜାନୁଆର ହାତରେ । ମୋ’ଆଡ଼େ କଟମଟ କରି ଅନେଇଲେ ବି ତୁମକୁ ମୁଁ ଡରେ ନାହିଁ । ମୋର ଗରଜ ପଡ଼ିଛି ତୁମକୁ ଖାତିର କରିବାକୁ । ମୁଁ କାହାରିକୁ ମାନେ ନାହିଁ । ଗରିବ ଝିଅ ବୋଲି ମୋତେ ଦବେଇ ଦେବାକୁ ଚାହୁଁଛ; ନାଇଁ ? କ’ଣ ନା, ଆମର ଥିଲାବାଲା ଘର, ଲୋକମାନେ ଆମକୁ ମାନନ୍ତି । ତୁମ ଧନ ତୁମ ଘରେ । ବୁଝିଲ ?’’

 

ହାତରେ ଚା’ କପ୍‌ଟା ଧରି ଆର ଘରୁ ଉଠିଆସିଲା ରମେଶ୍ । ଦୃଢ଼ତା ଓ ଘୃଣାମିଶ୍ରିତ ସ୍ୱରରେ ନିଜର ରାୟ ଶୁଣେଇଲା–‘‘ଖାଲିଟାରେ ପାଣିତୁଣ୍ଡ କରି ଲାଭ ନାହିଁ । ଏମାନେ ଦଶ’ରା ପରେ ମୋ ପାଖକୁ ଯିବେ ।’’

 

–‘‘ଆଜି । ଅଲ୍‌ବତ୍‌ ଆଜି । କିଏ ମୋତେ ଅଟକେଇ ରଖିବ ମୁଁ ଦେଖିବି ।’’ ପ୍ରତିମାର ଚିତ୍କାରରେ ସେ ଘରର ଅଣୁ-ପରମାଣୁ ଓ ପରମ୍ପରା ଆହୁରି ରକ୍ତାକ୍ତ ଓ କାତର ହୋଇ ପଡ଼ିଲେ । ଗୋଟାଏ ଅକଥନୀୟ ନିର୍ଯ୍ୟାତନା ଓ ଆର୍ତ୍ତନାଦ । ସେ ଘରର ଶ୍ୱାସରୁଦ୍ଧ ହୋଇପଡ଼ିଲା ସତେଯେମିତି ଗୋଟାଏ ମର୍ମନ୍ତୁଦ ବିଳାପରେ । ଏ ଘର ଉପରେ ପ୍ରତିମାର ଏଇ ଧର୍ଷଣ ଅତୀତରେ ସମସ୍ତ ଧର୍ଷଣଠୁ ବଳିଗଲା ।

 

–‘‘ବୁଝିଲ ?’’ ପ୍ରତିମାର ଶଙ୍କାହୀନ, ନିର୍ଭୀକ ପ୍ରତ୍ୟୁତ୍ତର । ‘‘ଏମିତି ଢେର ଢେର ମାଇଚିଆଙ୍କୁ ଦେଖିଛି । ତୁମଠୁ ଆହୁରି ଢେର ଯୋଗ୍ୟ ପାତ୍ର ମିଳୁଥିଲେ । ହକ କଥା କହିଲା ବେଳକୁ ବାଧି ଯାଉଛି ! ଆଜି ମୋତେ ମୋ ବାପଘରକୁ ପଠେଇ ଦିଅ । ଦି’ଓଳି ଦି’ମୁଠା ଖାଇବାକୁ ଦେବାପାଇଁ ମୋ ବାପ ଅମଙ୍ଗ ହେଉନାହିଁ, ବୁଝିଲ ? ସେଆଡ଼େ ମୁହଁଟା ବୁଲେଇ ନେଉଛ କ’ଣ ? ମୋ ବାପ ଘରକୁ ପଠେଇ ଦିଅ । ସେଇଠି ତୁମେ ଏକୁଟିଆ ରହି ଦୁନିଆଁଯାକର ଦାରିଆଣୀଙ୍କ ସାଙ୍ଗରେ...କହନ୍ତି ଯେ ଏଇଲାଗେ; ହେଲେ ଏଠି ଏଗୁଡ଼ାକ ବସିଛନ୍ତି ।’’

 

ଏଭଳି ନିର୍ଲଜ, ଜଘନ୍ୟ କଥା ଉପରେ ଆଉ କିଛି କୁହାଯାଇ ପାରିଥାନ୍ତା ? ରମେଶର ସମଗ୍ର ସତ୍ତାକୁ ଆଚ୍ଛନ୍ନ କରିଦେଲା ଗୋଟାଏ ଅସହାୟ ପରାଜୟ ଭାବ । ଏ ମଣିଷଟିକୁ ବାଗକୁ ଆଣିବାପାଇଁ ସମସ୍ତ ଚେଷ୍ଟା ସମସ୍ତ ପ୍ରବର୍ତ୍ତନା କେଡ଼େ ସହଜରେ ଅକାମୀ ହୋଇଯାଉଛି । ପାଞ୍ଚ ବର୍ଷର ଏଇ ନାରକୀୟ ବୈବାହିକ ଜୀବନ ଭିତରେ କାଣିଚାଏ ବି ସେ ଚିହ୍ନିପାରିଲା ନାହିଁ ନିଜ ସ୍ତ୍ରୀକୁ ? କ’ଣ ଚାହେଁ ସେ ? ତା’ର ଉଦ୍ଦେଶ୍ୟ କ’ଣ ? ଗୋଟାଏ ଅନ୍ଧ, ଅବାସ୍ତବ ହିଂସ୍ରତା ବ୍ୟତୀତ ତା’ଠାରୁ ଆଉ କିଛି ତ ମିଳିନାହିଁ ଏଯାଏଁ । ଏ ଘର କ’ଣ ସତରେ ତିଷ୍ଠି ରହିବ ?

 

ଅଥଚ ଏ ଘରେ ଛ’ଟି ଭାଣିଜୀ, ଚାରୋଟି ଝିଆରୀ, ଦୁଇଟି ଅନାଥ ଝିଅ ବଡ଼ ହୋଇ ଶାଶୁ ଘରକୁ ଯାଇଛନ୍ତି । ଏଇ ରମେଶ ମା’ ଆଉ ବାପ ସେମାନଙ୍କୁ ନିଜ ହାତରେ ଗଢ଼ି, ଏଇ ଘରର ସମ୍ପତ୍ତିରେ ସେମାନଙ୍କୁ ବାହା କରେଇଛନ୍ତି । ଯେଉଁ ଚାରୋଟି ଭଣଜା ଆଜି ଚାକିରି କରି ନିଜ ଗୋଡ଼ରେ ଠିଆ ହୋଇଛନ୍ତି, ସେମାନଙ୍କ ଗୋଡ଼କୁ ଓ ମୁଣ୍ଡକୁ କିଏ ତାକତ୍‌ ଦେଇଥିଲା ? ବଡ଼ବୋହୂ ପାଖରୁ ଦିନରାତି ଅକାରଣଟାରେ ଭର୍ତ୍ସନା ଶୁଣି ହାରିଯାଉଥିବା, ଆତ୍ମା ନହୁନୁହାଣ ହେଉଥିବା ଏଇ ମଣିଷ ଦୁଇଟି ନା, ଆଉ କିଏ ? ସବୁ ମିଛ ? ଏତେ ବଡ଼ ସାଧନା ବିଫଳ ଆଉ ପ୍ରତାରଣାମୂଳକ ?

 

ଗୋଟାଏ ଅପରାଧୀ, ନିଃସହାୟ ମଣିଷର ତତଲା ଦୀର୍ଘନିଶ୍ୱାସ ନେଇ ରମେଶ ଚାହିଁଲା ବାପା-ମା’ଙ୍କ ଆଡ଼େ । ସିମେଣ୍ଟ ବାରଣ୍ଡାରେ କ’ଣ ଏମିତି ଲେଖାଯାଇଛି ଯେ, ମୁହଁ ତଳକୁ କରି ସେମାନେ ପଢ଼ୁଛନ୍ତି ? ସ୍ୱର୍ଗ ନୁହେଁ; ଏଥର ଖାଲି ମାଟି ଦରାଣ୍ଡିବା କଥା । ସେଇ ନାଯ୍ୟ ପ୍ରଶ୍ନଟି ପଚାରିବା କଥା–ସମସ୍ତେ ଏମିତି ଠକି ଦେଲ ? ଏମିତି କରଛଡ଼ା ଦେଲ ? ଏଇ ବୟସରେ ? ଆଖି ଆଗରେ ଆଉ ତ କେହି ଦେଖାଯାଉ ନାହାନ୍ତି । କିଏ ରକ୍ଷା କରିବ ଆମକୁ ?

 

ଗୁଡ଼ାଏ ଅନ୍ୟାୟ ଶାସ୍ତିବିଧାନ ପରେ ଏ ଘର ଆଉ ପଡ଼ୋଶୀ ପବନ ଅଚେତ ହୋଇଯାଇଛି । ରମେଶର ତୃତୀୟ ତଥା ସବାସାନ ଭାଇ ଅବିକା ବିଲରୁ ଫେରି ତା’ଆଡ଼େ ଚାହିଁଛି ଗୋଟାଏ ବିଗଳିତ ଦୃଷ୍ଟିରେ । ରୋଷେଇ ଘରେ ଥିବା ସାନବୋହୂଙ୍କର ଚୁଡ଼ିର ରୁଣ୍‌ଝୁଣ୍‌ ଶବ୍ଦ ଦରିଦ୍ର, ସର୍ବହରା ଜଣାପଡ଼ୁଛି । ସାଇର ଚାରି-ପାଞ୍ଚଜଣ ମଣିଷଙ୍କ ପକ୍ଷାଘାତ ଦୃଷ୍ଟି ଓ ମୁହଁ ଘୋଷଣା କରୁଥାଏ–ସରିଗଲା । ସବୁ ସର୍ବନାଶ ହେଲା । ଏଡ଼େ ବଡ଼ ଘରେ ଏଥର କେବଳ ପଙ୍ଗୁତା ଆଉ କ୍ଷତଚିହ୍ନ । ଘରର ଶିରି ତୁଟିଯାଉଛି ।

 

ରମେଶର ଅନ୍ୟମନସ୍କତା ବ୍ୟାହତ ହେଲା–‘‘ଶୁଣରେ, ରମେଶ ବୋହୂ କ’ଣ କହୁଛି । ତୁ ଘରକୁ ଆସିବା ମାତ୍ରେ ତା’ ନାଁରେ କୁଆଡ଼େ ମୁଁ ତୋତେ କହେ । ତା’ଠୁ ତୋତେ ଛଡ଼େଇ ନେବା ପାଇଁ ମୁଁ ଫିକର କରେ । ଦଶମାସ ପେଟରେ ଧରି ତୋତେ ଜନ୍ମ ଦେଇଛି; ହେଲେ ତୋ ମୁହଁକୁ ମୁଁ ଜମା ଚାହିଁବି ନାହିଁ କି ତୋ’ ସାଙ୍ଗେ ଦି’ପଦ କଥା ହେବି ନାହିଁ । ତୁ ଛୁଆଟିଏ ହୋଇଛୁ ଯେ ତୋତେ ମୁଁ ଶିଖଉଛି, ତା’ ସଙ୍ଗେ କଳି କରିବାକୁ ! ମଣିଷ କି କଥା ଶୁଣୁଛି ।’’

 

ରମେଶର ସ୍ୱର ଅଦ୍ଭୁତ ଭାବେ ଗମ୍ଭୀର ଥିଲା; ତହିଁରେ ଥିଲା ଏକ ଦାରୁଣ ଆତ୍ମସମର୍ପଣ ଭାବ–‘‘ଥାଉ, କଥାଟାକୁ ଆଉ ବଢ଼ାଅ ନାହିଁ । ଶୋଧୁଥାଉ ସେ ଆମ ସମସ୍ତଙ୍କୁ । ମୁଁ ମଲାପରେ ସେ କାହାକୁ ଶୋଧିବ, ଶୋଧୁ ।’’

 

ଏତେବେଳ ଯାଏ ମେଘୁଆ ଥିବା ଆକାଶରୁ କୌଣସି ବାଧାବନ୍ଧନ ନ ମାନି ସତେଯେପରି ଝରି ଆସିଲା ଅବାରିତ ବର୍ଷାଟୋପା । ଗୋଟାଏ ଅଶ୍ରୁଳ, ଯନ୍ତ୍ରଣାପୂର୍ଣ୍ଣ ରୁଦ୍ଧକଣ୍ଠ ସମଗ୍ର ପରିବେଶକୁ ତୁଚ୍ଛ ଅଥଚ ସହାନୁଭୂତିସିକ୍ତ କରିଦେଲା–‘‘କ’ଣ କହିଲୁ ? କ’ଣ କହିଲୁରେ; ମୋ ଆଖିର ପିତୁଳା ? କ’ଣ କହିଲୁ ତୁ ? ତୋ ମା’କୁ କ’ଣ ଶୁଣେଇଲୁ ଆଜି ?’’ ତା’ପରେ ବୁକୁଫଟା କାନ୍ଦଣାରେ ସମସ୍ତେ ବିହ୍ୱଳିତ ହୋଇଗଲେ ।

 

ରମେଶବାପା ମୁଣ୍ଡ ତଳକୁ କରି ଉଠିଗଲେ ସେଠାରୁ । ସାଇରୁ ଧାଇଁ ଆସିଲେ ପାଞ୍ଚ-ଛ’ଜଣ କ’ଣ ହେଲା ଜାଣିବାକୁ । ସମ୍ପର୍କରେ ଭଣଜା ହେବ ଯୁଧିଷ୍ଠିର । କହୁଥାଏ–‘‘ମାଇଁ, ତୁମେ ଆସିଲ, ଆରପଟ ଖଞ୍ଜାକୁ । ଆରେ ଚାହିଁଛ କ’ଣ ? ମାଇଁକୁ ନେଇ ଆସ ଆରପଟ ବାରଣ୍ଡାକୁ ।’’ ଦଶ-ବାରଜଣ ମଣିଷଙ୍କର ଫିକା କୋଳାହଳ ଭିତରେ ତଥାପି ପରିଚିତ କାନ୍ଦୁରା ସ୍ୱରଟି ଛଟପଟ ହେଉଥାଏ । ଅନ୍ୟରୁମ୍‌ ଦ୍ୱାର ପାଖରୁ ଶୁଭୁଥାଏ ନିଷ୍କରୁଣ କଥାଗୁଡ଼ିଏ–‘‘ଦେଖିଛି ଏମିତି ବହୁତ । ସତ କଥା କହିଲା ବେଳକୁ କାଟୁଛି । ଆରେ, ଯା’ମ, କାହାକୁ ଡରିଛି ମୁଁ ? ବେଶି ଦେଖେଇ ହେଉଛି–ପୁଅ ପାଇଁ ସରାଗ !’’

 

ସେ’ଦିନ ସବାଶେଷ ବସରେ ଚାକିରି ଜାଗାରେ ପହଞ୍ଚିଲାବେଳକୁ ରାତି ଏଗାରଟାରୁ ଅଧିକ ହୋଇଯାଇଥାଏ । ସବ୍‌-ଡିଭିଜନ୍‌ର ସଦରମହକୁମା ହେଲେ ବି ସହରଟି ଛୋଟ । ଷ୍ଟାଣ୍ଡ ଫାଟକ ପାଖରେ ଜଳୁଥିବା ବାର୍‌ଲାଇଟ୍‌ଟି ଦେଖାଯାଉଥିଲା ରୁଗ୍‌ଣ ଓ କ୍ଳାନ୍ତ । ତା’ର ଖୋଲା ଆଖି ତଳେ ଅସଂଖ୍ୟ ପୋକ ଝୁଲିରହି କ’ଣ ଖୋଜୁଥିଲେ କେଜାଣି ? ଅଧାଅଧି ଦୋକାନ ବନ୍ଦ ହୋଇ ଗଲାଣି । ରାସ୍ତାଟି ଦିଶୁଥିଲା ଫୁଙ୍ଗୁଳା; କାଚ ଭାଙ୍ଗିଯାଇଥିବା ଗୋଟିଏ ଅନ୍ଧ ଆରିସି-ଫ୍ରେମ୍‌ ଭଳି । ଫାଟକ ପାଖରେ ଯେଉଁ ଦୁଇଟି ରିକ୍‌ସା ଥିଲା, ତହିଁରୁ ଗୋଟିକର ଚାଳକ ନ ଥାଏ । ଅନ୍ୟ ଚାଳକଟି ସିଟ୍‌ ଉପରେ ଜାକିଜୁକି ହୋଇ ଘୁଙ୍ଗୁଡ଼ି ମାରୁଥାଏ । ଗୋଟାଏ ସଂକୀର୍ଣ୍ଣ, ଅସ୍ଥାୟୀ; ପୁଣି ପ୍ରତିରକ୍ଷାହୀନ ବିଛଣା ଓ ପରିବେଶରେ ବେପରୁଆ ନିଦ !

 

ରମେଶ ଚାହିଁଲା ଚାରିଆଡ଼କୁ । କହିଲା–‘‘ଚାଲି ଚାଲି ପଳେଇବା । ଜମା ତ ଡାକେ ବାଟ ।’’ ସାନ ଝିଅଟିକୁ ଛାତିରେ ଜାକି ପ୍ରତିମା ଅନ୍ୟଆଡ଼େ ଅନେଇଥିଲା । ହାଇ ମାରୁଥିବା ବଡ଼ ଝିଅଟିକୁ ତଳୁ ଉଠାଇ, ଡାହାଣ ହାତରେ ଚମଡ଼ା ସୁଟକେଶ୍‍ଟି ଧରି ରମେଶ ବସ୍‌ଷ୍ଟାଣ୍ଡ ଛାଡ଼ିଲା । ଯେଉଁ ଅଳ୍ପ କେଇଜଣ ଯାତ୍ରୀ ଆସିଥିଲେ, ସେମାନେ ଯେ ଯୁଆଡ଼େ ପଳେଇ ଗଲେଣି । କେବଳ ବସ୍‌ ଛାତରୁ କ୍ଲିନର୍‌ ଜଣକ କାହାର ମାଲ୍‌ ଉତାରିବାର କ୍ଷୀଣ ଶବ୍ଦ ଶୁଭୁଥାଏ ।

 

ଗୋଟିଏ କୋଠରୀ ବିଶିଷ୍ଟ ଚାରୋଟି କ୍ୱାଟର୍ସ ଲଗାଲଗି ହୋଇ ଠିଆ ହୋଇଛନ୍ତି । ଭିତର କି ବାହାର କାନ୍ଥ ଧୁଲେଇ ହୋଇ ନାହିଁ ପ୍ରାୟ ପାଞ୍ଚବର୍ଷ ହେବ । ବାହାର ପାଖ କାନ୍ଥରେ କେଉଁଠି କେମିତି ଶିଉଳିର ଆସର । ଭିତର କାନ୍ଥ ହଳଦିଆ । କ୍ୱାଟର୍ସଗୁଡ଼ିକ ଚାରିପଟେ ହତା ନାହିଁ-। ତିରିଶ୍‌ ମିଟର ଦୂରରେ ଥିବା ପିଚୁ ରାସ୍ତାରେ ଯାହା ଘଟେ ତାହା ସମ୍ପ୍ରସାରିତ ହୋଇ ଲମ୍ୱି ଆସେ ଛେଉଣ୍ଡ ଭଳି ଦିଶୁଥିବା ଏଇ କ୍ୱାଟର୍ସଗୁଡ଼ିକର କାନ୍ଥ ପର୍ଯ୍ୟନ୍ତ । ମଦୁଆମାନଙ୍କର ମାରପିଟ୍‌ ଓ ଅଶ୍ଳୀଳ ଭାଷା, ବୁଲା କୁକୁରମାନଙ୍କର କାମୁଡ଼ାକାମୁଡ଼ି, ଯାନବାହନମାନଙ୍କର ଦିଗ ପରିବର୍ତ୍ତନ–ଏ ସବୁର ସୀମା ସତେଯେମିତି ସେଇ କ୍ୱାଟର୍ସଗୁଡ଼ିକର ଅପରିଚ୍ଛନ୍ନ, ସହନଶୀଳ କାନ୍ଥ । ଦଶଦିନ ହେଲା ରାସ୍ତାକଡ଼ ଆଲୁଅଟି ଦପ୍‌ ଦପ୍‌ ହେଉଛି । ହେଇ ପ୍ରାଣ ଛାଡ଼ିବ, ଛାଡ଼ିବ ହେଉଛି ।

 

ଛୁଆ ଦି’ଟାଙ୍କୁ ବିଛଣାରେ ଶୁଆଇ, ପ୍ରତିମା ଚଞ୍ଚଳ ଆଖି ବୁଲାଇ ଆଣିଲା ରୁମ୍‌ର ଚାରିଆଡ଼ୁ । ଅଗଣାକୁ ଯାଇ ଦେଖିଲା, ପାଣି ଆସୁଛି । ରୋଷେଇ କରି ହେବ ନାହିଁ । ଘରୁ ଆସିଥିବା ଜଳଖିଆରେ କାମ ଚଳେଇବାକୁ ହେବ ।

 

ଧୁଆଧୋଇ ହୋଇ ରମେଶ ବାହାରି ଆସିଲା ସେଠାରୁ । ଭୀଷଣ ଗରମ ଓ ଅଶ୍ୱସ୍ତି । ଗାମୁଛାରେ ବିଞ୍ଚି ହେଉ ହେଉ, ସେ ଅନାକର୍ଷଣୀୟ କ୍ୱାଟର୍ସକୁ ଚାହିଁଲା ଉଦାସ ଦୃଷ୍ଟିରେ ଏବଂ ଭାବିଲା, କେବେ ଅବସ୍ଥାର ଉନ୍ନତି ଘଟିବ ?

 

ଏସ୍‌:ଡି:ଓ: ଅଫିସ୍‌ର ଏ କିରାଣି ଚାକିରି କେଡ଼େ ପରିସରହୀନ, ଦୁର୍ବିସହ ! ଖାଲି କୌଣସିମତେ ଗୁଞ୍ଜି ହୋଇ ଅଭିବୃଦ୍ଧିର ସ୍ୱପ୍ନ ଦେଖିବା କଥା ଓ ନିଦ ଭାଙ୍ଗିଗଲେ ମୁହଁ ଏବଂ ବେକର ଝାଳ ପୋଛି ବିଷଣ୍ଣ ହେବା କଥା । ସାନଭାଇ ଦୁଇଜଣ ଘରେ ଚାଷବାସ କରୁଛନ୍ତି ବୋଲି ସେ ପଡ଼ିରହିଛି ଏଠାରେ, ଛ’ବର୍ଷ ହେବ । ଆଉ, ଏ ବକଟେ ମାତ୍ର କ୍ୱାଟର୍ସ ! ସାମନା ଅଣଓସାରିଆ ବାରଣ୍ଡାରେ କାଠରେ ଜାଫ୍ରି ତିଆରି ହୋଇଛି । କେବେ କେମିତି ସାନଭାଇ ଚାଉଳ କି ଚୁଡ଼ା ମୁଠାଏ ଧରି ଆସିଲେ, କୌଣସିମତେ ଏଇଠି ରାତିଟା କଟାଏ । ଗୋଟିଏ ରୁମ୍‌ ହେଉଛି ତା’ର ସଂସାର, ପାର୍ଥିବ ପୃଥିବୀ ।

 

ଡେଲିଭରି ପାଇଁ ଓ ପରେ ପରେ ଛୁଆଟିର ଯତ୍ନ ନେବା ପାଇଁ ଅନିଚ୍ଛାସତ୍ତ୍ୱେ ପ୍ରତିମା ଯାଇଥିଲା ଗାଁକୁ । ପାଞ୍ଚମାସ ପରେ ଛାଟିପିଟି ହୋଇ ପୁଣି ଫେରିଆସିଛି, ସ୍ୱାମୀ-ସେବା କରିବା ପାଇଁ ।

 

ପରଦିନ ସକାଳ ଆଠଟାବେଳେ ପରିବା ବ୍ୟାଗ୍‌ଟିକୁ ପ୍ରତିମା ହାତକୁ ବଢ଼େଇ ଦେଇ ରମେଶ ଦେଖିଲା ସେ ଖୁବ୍‌ ପ୍ରସନ୍ନ ଦେଖାଯାଉଛି–ହସ ହସ ମୁହଁ । ରମେଶର ବୁଝିବାକୁ ବାକି ରହିଲା ନାହିଁ ଯେ, ଆଉ ମୁହୂର୍ତ୍ତକ ପରେ ତା’ଠାରୁ କୌଣସି କାମ ଆଦାୟ କରିବା ପାଇଁ ପ୍ରତିମା ନିଶ୍ଚୟ କିଛି ଗୋଟାଏ ପ୍ରସ୍ତାବ ଦେବ । ନିଛକ, ଖାଣ୍ଟି ସ୍ମିତ ହସ ମୁହଁକୁ ସ୍ନିଗ୍‌ଧତା ଓ ପ୍ରଶାନ୍ତିରେ ଉଜ୍ଜ୍ୱଳ କରିବା ସଙ୍ଗେ ସଙ୍ଗେ ସେଇତକ ସମୟ ପାଇଁ ସମଗ୍ର ସୃଷ୍ଟିକୁ ଆପଣାର ଓ ସୁନ୍ଦର ବୋଲି ଗ୍ରହଣ କରିନିଏ । ମଣିଷର ସମସ୍ତ ସତ୍ତା ଏକ ପରିଚ୍ଛନ୍ନ ଚପଳତାରେ ତରଙ୍ଗାୟିତ ହୋଇଯାଏ । ଏମିତି ହସ କେବେହେଲେ ପ୍ରତିମା ମୁହଁରେ ଦେଖା ଦେଇନାହିଁ । ବର୍ତ୍ତମାନର ଭେଜାଲ, ନକଲି ହସର ପ୍ରତ୍ୟୁତ୍ତରରେ ରମେଶ ବି ହସିଦେଲା ଟିକିଏ ।

 

–‘‘ତୁମ ଘଡ଼ିଟା ବନ୍ଦ ହୋଇଯାଇଛି ।’’ ରମେଶର ଅନୁମାନକୁ ଦୃଢ଼ୀଭୂତ କରିବାକୁ ଯାଇ ପ୍ରତିମା କହିଲା ।

 

–‘‘ଚାବି ଦିଆଯାଇ ନ ଥିବ । କାହିଁ ? ଦେଖେ !’’ ରମେଶ କୃତ୍ରିମ ତତ୍ପରତା ପ୍ରକାଶ କଲା ।

 

ଚାବି ଦେଉଥିବା ବେଳେ ପ୍ରତିମାର ନମ୍ର ସ୍ୱର ଶୁଣାଗଲା–‘‘ଆଜି ଅଫିସ୍‌ରୁ ଟିକିଏ ଚଞ୍ଚଳ ଫେରନ୍ତ ନାଇଁ ! ସର୍କସ ଦେଖି ଯାଆନ୍ତେ !’’

 

–‘‘ସର୍କସ !’’ ରମେଶ ଚାହିଁଲା ପ୍ରତିମା ମୁହଁକୁ ।

 

–‘‘କିନ୍ତୁ ପାଞ୍ଚଦିନ ହେବ ସର୍କସ ତ ଚାଲୁ ନାହିଁ ।’’

 

ରମେଶ ମିଛ କହୁନାହିଁ । ମାସକ ପୂର୍ବରୁ ଏଠାକୁ ଆସିଥିବା ‘ଦି ଗ୍ରେଟ୍‌ ଓଣ୍ଡର ସର୍କସ’ ଦର୍ଶକ ଅଭାବରୁ ପାଞ୍ଚଦିନ ହେଲା ବନ୍ଦ ଅଛି ।

 

ପ୍ରତିମା କହିଲା–‘‘ଅତନୁବାବୁଙ୍କ ମିସେସ୍‌ କହୁଥିଲେ, ସେଠାରେ ଗୋଟାଏ ନୂଆ ଖେଳ ଆଜିଠୁ ଆରମ୍ଭ ହେବ । କୁଆଡ଼େ ବନ୍ଧାଯାଇ ନ ଥିବା ମହାବଳ ବାଘକୁ ସମସ୍ତେ ଆଉଁସି ପାରିବେ-।’’ ସକାଳେ ସଂଗ୍ରହ କରିଥିବା ଏଇ ଅଭୂତପୂର୍ବ, ଚାଞ୍ଚଲ୍ୟକର ତଥ୍ୟଟି ପ୍ରକାଶ କଲା ପ୍ରତିମା-

 

–‘‘ଆଁ ! ବାଘକୁ ଆଉଁସି ହେବ ?’’ ଅବିଶ୍ୱାସ କଥାଟିକୁ ଠିକ୍‍ଭାବେ ବୁଝିପାରୁ ନ ଥିଲା ରମେଶ ।

 

ମାତ୍ର ଏତିକିବେଳେ ରାସ୍ତାରେ ମନ୍ଥର ଗତିରେ ଆଗଉଥିଲା ଗୋଟିଏ ରିକ୍‌ସା । ତା’ ଉପରେ ବୋଝେଇ ହୋଇଥିବା ମାଇକ୍‌ର ଉନ୍ମୁକ୍ତ କଣ୍ଠ ଘୋଷଣା କରୁଥିଲା ଉପରୋକ୍ତ କଥାଟିକୁ । ରିକ୍‌ସା ଚାରିପଟେ ଝୁଲୁଥିବା ଚିତ୍ର-ବିଚିତ୍ର ପ୍ଳାକାର୍ଡ଼ଗୁଡ଼ିକୁ ନାହିଁ ନଥିବା ଆଶ୍ଚର୍ଯ୍ୟ ଓ ମୁଗ୍‌ଧ ଦୃଷ୍ଟିରେ ଚାହିଁ ରହିଥିଲେ ଶହ ଶହ ଲୋକ । ଗୋଟାଏ ନିଶ୍ଚିତ ଆବିଷ୍କାର ଜନିତ ଉତ୍କଣ୍ଠା ଓ ବ୍ୟସ୍ତତା ସମସ୍ତଙ୍କୁ ଚଳଚଞ୍ଚଳ କରିଦେଲା । ଚା’, ପରିବା ଦୋକାନଠୁ ଆରମ୍ଭ କରି କଲେଜ, ସବ୍‌-ଜଜ କୋର୍ଟ ଓ ଏସ୍‌:ଡି:ଓ: ଅଫିସ୍‌ ମୁଖରିତ ହୋଇଗଲା ଏଇ ଅଭାବିତ, ବିଚିତ୍ର ସମ୍ୱାଦ ଘୋଷଣା ପରେ ।

 

‘ଦି ଗ୍ରେଟ୍‌ ଓଣ୍ଡର ସର୍କସ’ ପାଖରେ ପହଞ୍ଚିବା ବେଳେ ହଜାର ହଜାର ଲୋକଙ୍କର ଅସ୍ଥିର ଭିଡ଼ ଦେଖିବାକୁ ମିଳିଲା । ପ୍ରବେଶଦ୍ୱାର ପାଖରୁ ଆରମ୍ଭ ହୋଇଥିଲା ଏକ ଦୀର୍ଘ କ୍ୟୁ–ଟିକଟ କାଟି ଭିତରକୁ ଯିବା ପାଇଁ ଆଗ୍ରହୀ ଦର୍ଶକମାନଙ୍କର । ୟା ଛଡ଼ା ଆହୁରି ଅନେକ ଲୋକଙ୍କର ଇଚ୍ଛୃଙ୍ଖଳ ସମାବେଶ, କୋଳାହଳରେ ସେ ସ୍ଥାନ ଗଣ୍ଡଗୋଳିଆ ଓ ଉତ୍ତେଜନାପୂର୍ଣ୍ଣ ଜଣାପଡ଼ୁଥିଲା । ପ୍ରାୟ ଶହେ ପର୍ଯ୍ୟନ୍ତ ପୋଲିସ୍‌ଙ୍କର ଉପସ୍ଥିତି ପରିବେଶଟିକୁ ଶଙ୍କାଗ୍ରସ୍ତ ଏବଂ ଅଶାନ୍ତ କରିଦେଇଥିଲା ।

 

ରିକ୍‌ସାରୁ ଓହ୍ଲାଇ ରମେଶ ବୁଝିଲା ଯେ, ସେଇ ଦିନଟି ପାଇଁ ବୁକିଙ୍ଗ୍‌ ବନ୍ଦ କରି ଦିଆଯାଇଛି । ଜୀଅନ୍ତା ବାଘକୁ ଆଉଁସିବା ପାଇଁ ଏଭଳି ଭିଡ଼ ହେଲା ଯେ, ଶୃଙ୍ଖଳା ଓ ଆଇନ ରକ୍ଷା ସକାଶେ ପୋଲିସ୍‍ ମୁତୟନ କରିବାକୁ ପଡ଼ିଲା । ଶହ ଶହ ଲୋକ ଟିକଟ ନ ପାଇ ଅଧୈର୍ଯ୍ୟ ଓ କ୍ଷୁବ୍‌ଧ ହୋଇଛନ୍ତି ।

 

ସେଇ ରିକ୍‌ସାରେ ଫେରିଯିବା ପୂର୍ବରୁ ରମେଶ ଆମୋଦିତ ଦୃଷ୍ଟି ବୁଲାଇ ଆଣିଲା ସର୍କସର ଛୋଟ ଟେଣ୍ଟ୍‌ ଉପରୁ । ମଝିରେ ଗୋଟାଏ ମୋଟା କାଠ ପୋ’ଲ୍‌ । ଏଇ ପୋ’ଲ୍‌ର ବେକରେ ବନ୍ଧା ଯାଇଥିବା କାନଭାସ୍‌ର ଦଦରା, ଖଣ୍ଡିତ ଛପର ନିମ୍ନମୁଖୀ ହୋଇ ଓହ୍ଲାଇ ଆସିଛନ୍ତି-। ତା’ପରେ କାନ୍‌ଭାସ୍‌ର କାନ୍ଥ ଘେରାଉ କରି ରଖିଛି ନିହାତି ଛୋଟିଆ ଅଡ଼ିଟୋରିୟମ୍‌କୁ-। ଏତେ ଛୋଟ ସର୍କସ୍‌ ପାର୍ଟି ନିକଟ ଅତୀତରେ ବୋଧହୁଏ ଏ ସହରକୁ ଆସି ନ ଥିଲା । ଫ୍ରିପାସ୍‌ ପାଇ ରମେଶ ଥରେ ଆସିଥିଲା ଏଠାକୁ ଏବଂ ହତାଶ ହୋଇଥିଲା । ଗ୍ୟାଲେରୀ ଓ ଚେୟାରଗୁଡ଼ିକ ଲଙ୍ଗଳା ରହନ୍ତି ଶୋ’ ପରେ ଶୋ’ । ପ୍ରାୟ ପଚିଶ୍‌ଦିନ ଏମିତି ଧକେଇ ହୋଇ ଚାଲିବା ପରେ, ଏହା ବିଲ୍‌କୁଲ୍‌ ବନ୍ଦ ହୋଇଯାଇଥିଲା । ଅଥଚ ଆଜି ବାଘ ଆଉଁସିବା ପ୍ରଲୋଭନ ନେଇ ଏଠାରେ ନାହିଁ ନ ଥିବା ଗହଳି ।

 

–‘‘କୌଣସି ଉପାୟ ନାହିଁ । ଫେରିଯିବା । କାଲି ସଅଳ ଆସିବାକୁ ହେବ ।’’ ରମେଶ କହିଲା ପ୍ରତିମା ଉଦ୍ଦେଶ୍ୟରେ ଏବଂ ରିକ୍‌ସା ଉପରକୁ ଉଠିବା ପାଇଁ ଉଦ୍ୟତ ହେଉଥିଲା । ଏତିକିବେଳେ ସେ ଶୁଣିଲା,–‘‘ହ୍ୟାଲୋ, ରମେଶବାବୁ ! ଗୋଇଙ୍ଗ୍‌ ବ୍ୟାକ୍‌ ?’’

 

ରମେଶ ଦେଖିଲା, ସର୍କସ୍‌ର ମ୍ୟାନେଜର ମିଃ ନାୟାର୍‌ ତା’ଆଡ଼େ ଆସୁଛନ୍ତି । ସେ ଉତ୍ସାହିତ ହେଲା ଏବଂ ନିଜର ଅସହାୟ ଅବସ୍ଥାଟି ବର୍ଣ୍ଣନା କଲା । ଏ ସହରରେ ସର୍କସ୍‌ ପ୍ରଦର୍ଶନ ପାଇଁ ଯେଉଁ ପର୍‌ମିଟ୍‌ ଲୋଡ଼ା ଥିଲା, ସେଇ ସଂକ୍ରାନ୍ତରେ ସେ ମିଃ ନାୟାର୍‌ଙ୍କୁ ଯଥେଷ୍ଟ ସାହାଯ୍ୟ କରିଥିଲା ନିଜ ଅଫିସରେ । ତା’ର ତତ୍ପରତା ଓ ସୌଜନ୍ୟରେ ମୁଗ୍‌ଧ ହୋଇ ମିଃ ନାୟାର ତାକୁ ଫ୍ରିପାସ୍‌ ବ୍ୟବସ୍ଥା କରି ଦେଇଥିଲେ ।

 

ଛ’ଫୁଟ ଉଚ୍ଚତା ବିଶିଷ୍ଟ ମିଃ ନାୟାର୍‌ଙ୍କର କଳା ମଚ୍‌ମଚ୍‌ ବିଶାଳ ଦେହ ବେଶ୍‌ ଦୋହଲିଗଲା ହସର ତରଙ୍ଗରେ । କହିଲେ–‘‘ଡୋଣ୍ଟ ଓରି ! କମ୍‌ ଅନ୍‌ । ମୁଁ ଆପଣଙ୍କ ପାଇଁ ସବୁ ଆରେଞ୍ଜ କରିଦେବି । ଏତିକି ପାଇଁ ଆପଣ ଚିନ୍ତିତ !’’

 

ମିଃ ନାୟାର୍‌ ସେମାନଙ୍କୁ ଅନ୍ୟ ରାସ୍ତାରେ ଭିତରକୁ ନେଇଗଲେ । ମାତ୍ର ଭିତରେ ପହଞ୍ଚିବା କ୍ଷଣି ରମେଶ ଓ ପ୍ରତିମାର ଚେତନା ବିଚିତ୍ର ସିତ୍କାରରେ ସଙ୍କୁଚିତ ହୋଇଯାଉଥିଲା ଓ ଦୁହେଁ ସହସା ମୋହଗ୍ରସ୍ତ ହୋଇ ଯାଉଥିଲେ । ଯେଉଁ ଗୋଲାକାର ସଂରକ୍ଷିତ ସ୍ଥାନରେ ସର୍କସ୍‌ର ବିବିଧ କୌଶଳ ପ୍ରଦର୍ଶିତ ହେଉଥିଲା, ତା’ ଉପରେ ଅକର୍ମଣ୍ୟ ଓ ନିଜର ପ୍ରକୃତି ପ୍ରତି ବିମୁଖ ତଥା ବିସ୍ମୃତ ହୋଇ ପଡ଼ିରହିଥିଲା ମହାବଳ ବାଘଟିଏ । ନିରାପତ୍ତା ଦୃଷ୍ଟିରୁ ତା’ ବେକରେ ଗୁଡ଼ାଇ ଦିଆଯାଇଥିଲା ଦୁଇଟି ଲୁହା ଜଞ୍ଜିର । ଏହାର ଅନ୍ୟ ପ୍ରାନ୍ତ ବନ୍ଧାଯାଇଥିଲା ମାଟି ଭିତରେ ଅଦୃଶ୍ୟ ହୋଇଯାଇଥିବା ସମ୍ଭବତଃ ଦୁଇଟି ଶାବଳର ମୁଣ୍ଡରେ । ବାଘଟି ଜୁଳୁଜୁଳୁ ଚାହିଁ ନିଃଶ୍ୱାସ-ପ୍ରଶ୍ୱାସ ଅବ୍ୟାହତ ରଖିଛି ଏବଂ କୌଣସି ପ୍ରତିବାଦ ନ କରି ନିରବଚ୍ଛିନ୍ନ ଭାବରେ ଚାଲିଥିବା ପିଠି ଆଉଁସାକୁ ବରଦାସ୍ତ କରି ନେଉଛି । ଠିକ୍‌ ତା’ ପଛକୁ ଲୁହା ରେଲିଂ ଥିବା ସଂକ୍ଷିପ୍ତ ପିଞ୍ଜରାଟି ପାଟି ଆଁକରି ଅନେଇ ରହିଛି ବାଘଟିକୁ । ତହିଁରୁ ନିର୍ଗତ ହେଉଥିବା ଗୋଟାଏ ଉତ୍କଟ ଗନ୍ଧ ସୂଚେଇ ଦେଉଛି, ତା’ ଭିତରେ ବରାବର ଆବଦ୍ଧ ହୋଇ ରହୁଥିବା ପଶୁଟିର ହିଂସ୍ରତା ଓ ଭୟାବହ ଶକ୍ତିକୁ ।

 

ବଡ଼ ଝିଅଟି ଚିତ୍କାର କରି ଆଖି ବନ୍ଦ କଲା ଓ ରମେଶ ଛାତିରେ ମୁହଁ ଲୁଚେଇଲା । ତା’ ନିକଟରେ ପ୍ରାପ୍ତ ବୟସ୍କର ଚାଲାକି ନ ଥିଲା । ପଶୁତ୍ୱ ଓ ଉଚ୍ଛୃଙ୍ଖଳତାକୁ ବଶୀଭୂତ କରି ସେ ସବୁକୁ କିଭଳି ଗିରଫ କରାଯାଇ ପାରେ ସେ ସମ୍ପର୍କରେ ସେ ଅନଭିଜ୍ଞ ଥିଲା ।

 

ଭିତରକୁ ଆସୁଥିବା ଓ ବାଘକୁ ସ୍ପର୍ଶ କରି ବାହାରି ଯାଉଥିବା ମଣିଷମାନଙ୍କ ମୁହଁ ଉପରେ ଚାଞ୍ଚଲ୍ୟ, ଭୟ ଓ ଅବିଶ୍ୱାସର ତ୍ରୁଟିହୀନ ଛବି । ଅଡ଼ିଟୋରିୟମ୍‌ ଭିତରେ ଉଜ୍ଜ୍ୱଳ ବିଜୁଳି ଆଲୋକ, ସ୍ପଷ୍ଟ ଛାଇ ଓ ଉଦବେଗକ୍ଳିଷ୍ଟ ନୀରବତା । ରମେଶ ଓ ପ୍ରତିମା ହାତ ବଢ଼ାଇ ଆଗଉଥିଲେ ଦୁଇଟି ଅଟୋମେଟିକ୍‌ ମଣିଷ ଭଳି ବାଘ ଆଡ଼କୁ । ତୀବ୍ର ଅଶ୍ୱସ୍ତି ଓ ବିସ୍ମୟ ବ୍ୟତୀତ ସେମାନଙ୍କ ସତ୍ତାରେ ଆଉ ଅନ୍ୟ କୌଣସି ସ୍ପନ୍ଦନ ନ ଥିଲା ।

 

ବାଘକୁ ସ୍ପର୍ଶ କରିବା କ୍ଷଣି ଦୁହେଁଯାକ ଅଭିଭୂତ ହୋଇପଡ଼ିଲେ । ବଡ଼ଝିଅ ଭଳି ଚିତ୍କାର କରିବାକୁ ଯାଉଥିଲେ । ସେମାନଙ୍କ ପାଇଁ ସେଇ ଥିଲା ପ୍ରଥମ ଦୁର୍ଘଟଣା; ଯେଉଁଥିରେ ସେମାନେ ଛୋଟ, ନଗଣ୍ୟ ଓ ସମସ୍ତ ନିରାପତ୍ତା ସତ୍ତ୍ୱେ ସମ୍ପୂର୍ଣ୍ଣ ପ୍ରତିରକ୍ଷାହୀନ ମନେ କରିଥିଲେ । କିନ୍ତୁ, ନା । ସମୁଦାୟ ଅଭିଜ୍ଞତାଟି ଏହା ଅପେକ୍ଷା ଆହୁରି ଜଟିଳ ଓ ଭୀଷଣ ଥିଲା । ବିସ୍ଫୋରଣ ଘଟିବ ନାହିଁ ବୋଲି ବୈଜ୍ଞାନିକର ଗ୍ୟାରେଣ୍ଟିସତ୍ତ୍ୱେ ଗୋଟାଏ ପରମାଣୁ ବୋମା ଉପରେ ଡେରି ହୋଇ ବସିଲେ କିଭଳି ଲାଗନ୍ତା ? ରାତିରେ ଚାଳକ ଆଉ ଫେରିବ ନାହିଁ ବୋଲି ଶୁଣି, ଗୋଟାଏ ଜୀବନ୍ତ ଇଞ୍ଜିନ ସାମନା ଧାରଣା ଉପରେ ବେକ ଲଦି ଶୋଇବାକୁ ଯାଉଥିବା ମଣିଷଟିର ଅଭିଜ୍ଞତା କିଭଳି ବର୍ଣ୍ଣନା କରାଯାଇ ପାରେ ? ଭିତରେ ସାଙ୍ଘାତିକ ସାପଟିଏ ବନ୍ଦୀ ହୋଇ ରହିଥିବା ଗୋଟିଏ ସୁଦୃଢ଼ ବ୍ରିଫକେଶ୍‌କୁ ତକିଆ ରୂପେ ବ୍ୟବହାର କରିବାକୁ ଯାଉଥିବା ମଣିଷ ମନର ନସ୍କା କିଏ ସଠିକ୍‍ଭାବେ ଆଙ୍କି ଦେଇ ପାରିବ ?

 

ତଥାପି ବାଘଟିର ଦେହ ଥିଲା ଆଶାତୀତ ଭାବେ କୋମଳ, ମସୃଣ । ଏହାର କେଉଁ ଅଞ୍ଚଳରେ ଥାଏ ଧ୍ୱଂସ ଓ ଶିକାର କରିବାର ଅବିଚାର ? କେଉଁଠି ଥାଏ ସେ ଭୟାବହ ନୃଶଂସତା ଓ ରକ୍ତର ଲାଳସା; ଚିହ୍ନଟ କରିହେବ ନାହିଁ । ମାଟି ଭିତରେ କେଉଁଠି ଥାଏ ସେ ଶକ୍ତି; ଯାହା ଉପରକୁ ଟେକିଦିଏ ଗଛର ଦେହକୁ ଓ ପତ୍ରର ସବୁଜିମାକୁ ? କିଏ ବା ଠାବ କରିପାରିବ ସମୁଦ୍ରର ଅଶାନ୍ତ ମନକୁ ଯାହା ମୁକ୍ତିର ବ୍ୟର୍ଥ ସ୍ୱପ୍ନରେ ଢେଉ ହୋଇ ଚହଲି ଆସେ ବାରମ୍ୱାର ବାଲିର ପାଚେରୀ ଉପରକୁ ?

 

ରମେଶ ଓ ପ୍ରତିମା ପରସ୍ପରକୁ ଚାହିଁ ଅନୁଭବ କରୁଥିଲେ ଯେ, ସେମାନେ ଅପରିଚିତ ହୋଇଯାଉଛନ୍ତି ସେଇ ପରିବେଶ ଭିତରେ ।

 

ମିଃ ନାୟାରଙ୍କ ନିମନ୍ତ୍ରଣକ୍ରମେ ସେ ଦୁହେଁ ତାଙ୍କ ଟେଣ୍ଟରେ ଦୁଇଟି ଚେୟାର ଅଧିକାର କରିଥିଲେ । ଉଭୟ ଦିଶୁଥିଲେ ଅବସନ୍ନ ଏବଂ ପରାଜିତ ।

 

ଚା’ ପିଉଥିବାବେଳେ ମିଃ ନାୟାର ହିନ୍ଦି, ଓଡ଼ିଆ, ଇଂରାଜୀ ଓ ମାଲୟଲମ୍‌ ମିଶାମିଶି ଆମୋଦଦାୟକ ଭାଷା କହୁଥିଲେ–‘‘ବୁଝିଲେ ରମେଶ ସାହେବ, କେଉଁ ସ୍ଥାନରେ ବି ସର୍କସ ଆଉ ଭଲ ଚାଲୁନାହିଁ । ସହଜେ ତ ଆମ ସର୍କସଟି ଖୁବ୍‌ ସାନ । ମାଂସପେଶୀ ଓ ଅଙ୍ଗପ୍ରତ୍ୟଙ୍ଗକୁ ମଣିଷ କିଭଳି ନିୟନ୍ତ୍ରଣ କରିପାରେ, ତାହା ବିଶେଷ କରି ପ୍ରାପ୍ତବୟସ୍କମାନଙ୍କୁ ଆଉ ଆକର୍ଷଣ କରି ପାରୁ ନାହିଁ । ସେମାନେ ଦେଖିବାକୁ ଚାହାନ୍ତି, ମାଂସର ନଗ୍ନତା ଓ ମସୃଣତା । ଏଥିପାଇଁ ଦିନେ ଦିନେ ମୋ ସ୍ତ୍ରୀକୁ ଛାତି ଓ ଅଣ୍ଟା ଉପରେ ଅଣଓସାରିଆ ପତଳା କନା ଦୁଇଖଣ୍ଡ ବାନ୍ଧି ନାଚିବାକୁ ପଡ଼େ ଦର୍ଶକମାନଙ୍କ ଆଗରେ । ପ୍ରଚୁର କରତାଳି ଓ ବାହାବା ରୋଜଗାର କରେ । ହେଲେ, ଏହା କ’ଣ ସର୍କସ ?’’ ସେ ହତାଶ ଓ କ୍ଷୁଣ୍ଣ ଜଣାପଡ଼ୁଥିଲେ ।

 

–‘‘ନେଭର !’’ ରମେଶ ସମର୍ଥନ କଲା ।

 

–‘‘କିନ୍ତୁ ଏ ବାଘଟିକୁ ଏଭଳି କରାଯାଇପାରୁଛି କିପରି ?’’

 

–‘‘ଇଜି, ଭେରି ଇଜି, ସାର୍‌ । ଗୋଟାଏ ପ୍ରକାରର ଟ୍ରଙ୍କୁଇଲାଇଜର ଖୁଆଇ ଦେଉଁ ବାଘଟିକୁ । ସେଇଟା ପଡ଼ିରହେ ଅବଶ, ଅଥର୍ବ ହୋଇ । ମାନେ, ଗୋଟାଏ ହିପ୍ନୋଟିକ୍‌ ଅବସ୍ଥା । ବାଘ ନିଜର ପ୍ରକୃତି ଓ ପ୍ରବୃତ୍ତି ଭୁଲିଯାଏ । ସେ ନିୟନ୍ତ୍ରିତ ହୁଏ ଆମ ଇଙ୍ଗିତରେ ।’’ ମିଃ ନାୟାର ରହସ୍ୟଟିକୁ ପ୍ରକାଶ କଲେ ।

 

–‘‘ସେଭଳି ବଟିକା ଏଠାରେ ମିଳେ ?’’ ପ୍ରତିମା ନିଜର ଅନୁସନ୍ଧିତ୍ସାକୁ ଆଉ ଦମନ କରିପାରିଲା ନାହିଁ । ରମେଶ ଆଶ୍ଚର୍ଯ୍ୟ ହେଲା ଏଇଥିପାଇଁ ଯେ, ସେ ମଧ୍ୟ ଠିକ୍‌ ଏଇ ପ୍ରଶ୍ନଟି ପଚାରିବାକୁ ଯାଉଥିଲା । ସେ ଦୁହେଁ ପରସ୍ପରକୁ ଚାହିଁଲେ ଓ ପରସ୍ପରର ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରୁଥିଲେ ।

 

–‘‘ଆଇ ହୋପ୍‌ ନଟ୍‌ ।’’ ମିଃ ନାୟାର୍‌ଙ୍କ ସ୍ୱର ।

 

‘‘ଏଥିପାଇଁ ପ୍ରଚୁର ବଟିକା ଆମ ପାଖରେ ମହଜୁଦ୍‌ ଥାଏ । ମଣିଷ କ’ଣ ନ କରି ପାରୁଛି ଆଜିକାଲି ? ସେ ମାଟି ଓ ଗଛର ଉତ୍ପାଦିକା କ୍ଷମତାକୁ ବହୁଗୁଣରେ ବୃଦ୍ଧି କରିଦେଇପାରେ-। ବିଭିନ୍ନ ପଶୁମାନଙ୍କର ଆକାର, ଆଚରଣ ଇତ୍ୟାଦି ପରିବର୍ତ୍ତନ କରିପାରେ ନିଜ ଚାହିଦା ମୁତାବକ-। ସୃଷ୍ଟିକୁ ସେ ବିକଳାଙ୍ଗ; ଅଥଚ ନିୟନ୍ତ୍ରଣ କରିପାରୁଛି । ନିଜ ପାଇଁ କ’ଣ କରୁଛି, କେଜାଣି ?’’ ସେ ଅନ୍ୟମନସ୍କ ହୋଇ ପଡ଼ୁଥିଲେ ।

 

–‘‘ଆପଣଙ୍କର ଏଇ ବାଘଟି ବାସ୍ତବିକ ମହାବଳ ବାଘଟିଏ ।’’ କଥାଟିକୁ ଚାଲୁରଖିବା ପାଇଁ ରମେଶ କହିଲା ।

 

–‘‘ଓ ୟେସ୍‌, ମହାବଳ ବାଘଟିଏ; କିନ୍ତୁ ଏଇଟା ଆଉ ବେଶିଦିନ ବଞ୍ଚିବ ନାହିଁ ।’’ ମିଃ ନାୟାର୍‌ ଦୁଃଖିତ ହୋଇ କହିଲେ ।

 

–‘‘ସତରେ ? କାହିଁକି ?’’ ରମେଶ ଓ ପ୍ରତିମା ପଚାରିଲେ ଏକାସଙ୍ଗେ ।

 

–‘‘ବାରମ୍ୱାର ସେଇ ବଟିକାଗୁଡ଼ିକୁ ଖୁଆଉଛୁ । ସୃଷ୍ଟିର ସ୍ୱାଭାବିକ ଧାରା ଓ ଆଚରଣର ପରିପ୍ରକାଶରେ ବ୍ୟାଘାତ ଘଟାଉଛୁ । ବର୍ତ୍ତମାନର ଅଥର୍ବ, ବିସ୍ମୃତ ଅବସ୍ଥା ବାଘଟିର ପ୍ରକୃତିଗତ ଅବସ୍ଥା ନୁହେଁ । ଆମେ ମଣିଷମାନେ ଭୟାନକ ଭାବରେ ସ୍ୱାର୍ଥପର । ନିଜ ଇଚ୍ଛାକୁ ଲଦିଦେଉଁ ଅନ୍ୟଉପରେ ।’’ ସେ ଦାର୍ଶନିକ ହୋଇଯାଉଥିଲେ ।

 

–‘‘ତେବେ ଏ ସବୁ କରୁଛନ୍ତି କାହିଁକି ?’’ ରମେଶ ବ୍ୟଥିତ ହୋଇ ପ୍ରଶ୍ନକଲା ।

 

–‘‘ବାଧ୍ୟ ହୋଇ ।’’ ମିଃ ନାୟାର ଉତ୍ତରଟିକୁ ଯୋଗାଡ଼ କରି ରଖିଥିଲେ । ‘‘ଏଇ ବାଘଟି ହେଉଛି ଆମ୍ଭମାନଙ୍କର ଏକମାତ୍ର ପାସ୍‌ବୁକ୍‌ । ଟଙ୍କା ଡ୍ର କରି ଚାଲିଛୁ । ଟଙ୍କା ସରିଗଲେ ପାସ୍‌ବୁକ୍‌ଟିକୁ ଫୋପାଡ଼ି ଦେଲାପରି, ଏଇଟି ମରିଗଲା ପରେ, ଆମେ ୟାକୁ ମେଞ୍ଚାଏ ଆବର୍ଜନା ଭଳି ଫୋପାଡ଼ି ଦେବୁ ।’’

 

–‘‘ଓ, ପ୍ରକୃତରେ କି ଦାରୁଣ !’’

 

–‘‘ଆପଣମାନେ ଚିଡ଼ିଆଖାନାରେ ହିଂସ୍ରପଶୁମାନଙ୍କୁ ଦେଖି ଉପଭୋଗ କରନ୍ତି । ସର୍କସରେ ଭିନ୍ନ କାରଣରୁ ଏମାନଙ୍କୁ ଦେଖି ଆମୋଦିତ ହୁଅନ୍ତି । ଏଠାରେ ଦେଖନ୍ତି ମଣିଷମାନଙ୍କର ଏମାନଙ୍କ ଉପରେ ସର୍ବଶେଷ ବିଜୟ ଓ ଅକ୍ତିଆରକୁ । ହେଲେ, ଏଭଳି ବଟିକା ଖୁଆଇବାଟା ଗୋଟାଏ ହୀନ ଷଡ଼ଯନ୍ତ୍ର, ସାର୍‌ ।’’ ମିଃ ନାୟାର କପାଳ ଓ ବେକର ଝାଳ ପୋଛିଲେ-

 

କ୍ୱାଟର୍ସକୁ ଫେରି ରମେଶ ଓ ପ୍ରତିମା ପରସ୍ପରକୁ ଚାହିଁଲେ । ପରସ୍ପରକୁ ଅକ୍ତିଆର, ବଶୀଭୂତ କରିବାର ସହଜ, ନିର୍ଭରଯୋଗ୍ୟ ସୂତ୍ରଟି ସେମାନେ ଯେମିତି ପାଇ ପାରିଥିଲେ ।

 

ପରଦିନ ରମେଶ କାହିଁକି କେଜାଣି ଖୁବ୍‌ ସଅଳ ଅଫିସ୍‌ ଚାଲିଯିବା ପରେ, ପ୍ରତିମା ଉତ୍ତେଜନା ଓ ଯନ୍ତ୍ରଣାରେ ଛଟପଟ ହୋଇ ସୀମିତ କ୍ୱାଟର୍ସ ଭିତରେ ଇତସ୍ତତଃ ହେବାରେ ଲାଗିଲା-। ଗୋଟାଏ ନିର୍ଦ୍ଦିଷ୍ଟ ରାୟ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିଲା ସେ । ତା’ପରେ ସେ କ୍ୱାଟର୍ସରୁ ବାହାରି ଆସିଲା ।

 

ପାଇଜାମା ପିନ୍ଧି ମିଃ ନାୟାର୍‌ ତମ୍ୱୁ ଭିତରେ ବସିଥିଲେ ନିର୍ବାକ୍‌ ହୋଇ । ତାଙ୍କର କଳା ମଚ୍‌ ମଚ୍‌ ଲୋମଶ ଦେହଟା ଦିଶୁଥିଲା ଭୟଙ୍କର ଓ ବେପରୁଆ । ସମସ୍ତ ଚେଷ୍ଟା ସତ୍ତ୍ୱେ ପ୍ରତିମା ସ୍ଥିର ଓ ସ୍ୱାଭାବିକ ହୋଇ ପାରୁ ନ ଥିଲା । ତା’ ମୁହଁର ସ୍ମିତହସଟି ଧସକି ଯାଉଥିଲା ।

 

ସନ୍ଦେହୀ; ଅଥଚ ମହାନୁଭୂତିଶୀଳ କଣ୍ଠରେ ମିଃ ନାୟାର୍‍ ପ୍ରତିମାକୁ ଚାହିଁ ପଚାରିଲେ–

 

–‘‘ଅଲ୍‌ ରାଇଟ୍‌, ମ୍ୟାଡାମ୍‌ । ମୁଁ ବିଶ୍ୱାସ କରୁଛି ରମେଶବାବୁ ଆପଣଙ୍କୁ ପଠେଇଛନ୍ତି । ସେ ବଟିକା ଆପଣଙ୍କୁ ମିଳିଯିବ; କିନ୍ତୁ ଆପଣଙ୍କ ଘରେ କେତୋଟି ଉଚ୍ଛୃଙ୍ଖଳ କୁକୁର ଅଛନ୍ତି ?’’

 

–‘‘ଦୁଇଟି ।’’ ପ୍ରତିମା ତୁଣ୍ଡରୁ ଏଇ ଉତ୍ତରଟି ଆପଣା ଛାଏଁ ଖସିଗଲା । ମାତ୍ର ପରକ୍ଷଣରେ ମିଃ ନାୟାର୍‍ଙ୍କର ଉପରୋକ୍ତ ପ୍ରଶ୍ନଟିକୁ ବିଶ୍ଳେଷଣ କରି ସେ ଶିହରି ଉଠିଲା ପ୍ରଥମେ ଭୟ ଓ ପରେ ପରେ ଘୃଣାରେ ।

 

–‘‘ଆପଣ ଏ ବଟିକା ସେମାନଙ୍କ ଉପରେ ପ୍ରୟୋଗ କରିବାକୁ ଚାହାନ୍ତି । ଇଜ୍‌ ଦାଟ୍‌ ଅଲ୍‌ ?’’ ସେ ପଚାରିଲେ ।

 

ପ୍ରତିମା କେବଳ ମୁଣ୍ଡ ହଲାଇ କଥାଟିକୁ ସମର୍ଥନ କଲା ।

 

ରମେଶ ଅଫିସ୍‌ରୁ ଫେରିବା କ୍ଷଣି ସେ ଦୁହେଁ ହିଂସ୍ର ଦୃଷ୍ଟି ବିନିମୟ କଲେ । ଜଣେ ଅନ୍ୟ ଜଣକୁ କାବୁ ଓ ନିୟନ୍ତ୍ରଣ କରିବାର ଗୋପନୀୟ ଇଚ୍ଛାଟି ସତେ ଯେପରି ପ୍ରକାଶ ପାଇ ଯାଉଥିଲା । ପ୍ରତ୍ୟେକେ ଅନ୍ୟକୁ ଚାହୁଁଥିଲେ ଏବଂ ନିଜ ପାଖରେ, ଅନ୍ୟ ମଣିଷଟି ପାଖରେ ଅଚିହ୍ନା ହୋଇ ଯାଉଥିଲେ । ଦୁହେଁଯାକ ଖୋଜି ବୁଲୁଥିଲେ ଗୋଟିଏ ସୁଯୋଗକୁ, ଆତ୍ମପ୍ରତ୍ୟୟର ଏକ ମୁହୂର୍ତ୍ତକୁ ।

 

ଦୂରରୁ ଜାଫ୍ରିଲଗା ଯାଇଥିବା ସେଇ ଛୋଟ କ୍ୱାଟର୍ସଟି ଦିଶୁଥିଲା ଗୋଟାଏ ରେଲିଂ ଲଗା ପିଞ୍ଜରା ଭଳି । ତା’ ଭିତରେ ଦୁହେଁ ସାମନା ସାମନି ହେଉଥିଲେ ସତେ ଯେମିତି ଦୁହେଁ ଆବଦ୍ଧ ଓ ଯୁଦ୍ଧରତ ।

 

ଏବଂ ଏହି ପିଞ୍ଜରାର ପ୍ରତ୍ୟେକ ଅଣୁ-ପରମାଣୁ ଆତଙ୍କ ଓ ଯନ୍ତ୍ରଣାରେ ଶ୍ୱାସରୁଦ୍ଧ ହୋଇପଡ଼ୁଥିଲା ।

Image

 

ଝୁଲି ରହିବା ସମ୍ପର୍କରେ

 

ଲୋକଟି ସାଇକେଲ ଉପରକୁ ଉଠୁଥିବା ଅବସ୍ଥାରେ ମନକୁ ମନ କହୁଥିଲା–‘ସେଃ ! କ’ଣ ନା, ଆକାଶରୁ ଚନ୍ଦ୍ରଟା ତଳକୁ ଖସିପଡ଼ିବ ! ବେକୁବ୍‌ କେଉଁଠିକାର !’

 

ପାଞ୍ଚ-ଛ’ଜଣ ଲୋକ ବିଭିନ୍ନ କିସମର ବ୍ୟାଗ୍‌ ହାତରେ ଝୁଲାଇ ଆସୁଥିଲେ । ଜଣେ କହିଲା–‘ଆରେ, ଯା’ମ ! ସଂହାର ବେଳ କ’ଣ ଏଡ଼େ ବେଗି ଆସିଗଲାଣି ଯେ, ଏମିତି ଘଟିବ ? ଶଳାଟି ମଦ ପିଇ ଦେଇ ବିଳିବିଳଉଛି ।’

 

ଅନ୍ୟ ଜଣେ ଯୋଗ କଲା–‘ସେଇଟା ପାଜିଟାଏ । ଯେତେଥର ଟ୍ରେନ୍‌ରୁ ଓହ୍ଲାଇ, ଏଇବାଟେ ମୁଁ ଯାଇଛି, ସେତେଥର ତାକୁ ଦେଖିଛି ସେକେଣ୍ଡକ୍ଲାସ୍‌ ଓ୍ୱେଟିଙ୍ଗ୍‌ରୁମ୍‌ ସାମନାରେ । ରାସ୍ତାକଡ଼ରେ ବସିଥିବ । ଏଟାକୁ କିଏ ବା ଜ୍ୟୋତିଷ ବୋଲି ଖାତିର୍‌ କରିଛି ? ରାସ୍କେଲ୍‌ଟାକୁ କିଛି ହେଲେ ଜଣା ଅଛି ?’

 

ୟା’ପରେ ଶୁଭିଲା ଆଉ ଜଣଙ୍କର ସ୍ୱର–‘ବିଚରାଟି ବୁଢ଼ା ହେଲାଣି । ମତି ଭ୍ରମ; ବୁଝିଲ, ମତିଭ୍ରମ ଘଟିଲାଣି । ବୁଢ଼ା ହେଲେ ଏଇମିତି ଘଟେ । ସେ ଭାବୁଛି, ସ୍ୱର୍ଗରୁ ଜହ୍ନଟା ଖସି ପଡ଼ିବା ଗୋଟାଏ ମାମୁଲି କଥା–ଯେମିତି ଗଛରୁ ଫଳଟିଏ ତଳକୁ ଖସିପଡ଼େ ଆଉ ଚାହୁଁ ଚାହୁଁ ପଚିଯାଏ ।’

 

ସମୁଦାୟ ଆଲୋଚନାଟି ବିରକ୍ତିକର ଓ ତାତ୍ପର୍ଯ୍ୟହୀନ–ଏଇ କଥାଟି ସୂଚିତ ହେଲା ଆଉ ଜଣଙ୍କ କଥାରେ–‘ଛାଡ଼, କ’ଣ ମିଳିବ ଏଥିରୁ ? ଏ ସଂସାରରେ କ’ଣ ବା କୁହା ନ ଯାଉଛି ? ମଣିଷର କଥା ଏମିତି କୋଉ କୁହୁକ ହୋଇଛି ଯେ, ସୃଷ୍ଟିଟା ଓଲଟପାଲଟ ହୋଇଯିବ ? ବୁଢ଼ା ଜ୍ୟୋତିଷଟା କ’ଣ ପଦେ କହିଦେଲା । ସେଇ କଥାଟାକୁ ଖାଲିଟାରେ ଏତେ ମାଜି ବସିବା ଦରକାର କ’ଣ ?

 

ଲୋକଗୁଡ଼ାକ ଷ୍ଟେସନ ଭିତରକୁ ଗଲେ । ସମ୍ଭବତଃ କୌଣସି ଟ୍ରେନ୍‌, ପ୍ଲାଟଫର୍ମକୁ ଆସିବାଯାଏ, ଶୂନ୍ୟ ମୁହୂର୍ତ୍ତଗୁଡ଼ିକୁ ହିସାବ କରିବା ସେମାନଙ୍କ ବର୍ତ୍ତମାନ କାମ ଥିଲା ।

 

ଆହୁରି ଅନେକ ଲୋକ ସେଇବାଟେ ଯାଉଥିଲେ ଏବଂ ନିଷ୍କର୍ମା ବୁଢ଼ା ଜ୍ୟୋତିଷଟିର ଅବାଗିଆ, ଭ୍ରମାତ୍ମକ ଗଣନାଟିକୁ ଉପହାସ କରୁଥିଲେ । ସଂଗ୍ରାମ ଏଇସବୁ ଶୁଣୁଥିବା ଅବସ୍ଥାରେ ଆଗକୁ ଚାଲୁଥିଲା ।

 

ଅପରାହ୍ନ ସାଢ଼େ ଚାରିଟା ବାଜିଥାଏ ସେତେବେଳେ । ଷ୍ଟେସନ୍‌ କଡ଼ ରାସ୍ତା ଉପରେ ବେଶି ଗହଳି ନ ଥାଏ । ସଂଗ୍ରାମ ଲକ୍ଷ୍ୟ କଲା; ସେକେଣ୍ଡକ୍ଲାସ ଓ୍ୱେଟିଙ୍ଗ୍‌ ରୁମ୍‌ ପାଖରେ ଜମିଥିବା ଭିଡ଼ଟି ଛିଣ୍ଡିଯାଉଛି ଆସ୍ତେ ଆସ୍ତେ । ମଣିଷମାନଙ୍କର ଯେଉଁ ବୃତ୍ତଟିଏ ତିଆରି ହୋଇଥିଲା, ତାହାର ଆୟତନ ସମ୍ପ୍ରସାରିତ ହେଉଥିବାରୁ ଭିଡ଼ଟି ମିଳେଇ ଯାଉଛି ବିଭିନ୍ନ ଦିଗରେ । ପାଖରେ ପହଞ୍ଚି ସେ ଦେଖିଲା, ବୃତ୍ତଟିର କେନ୍ଦ୍ରବିନ୍ଦୁ, ଓରଫ ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନ, ନିର୍ବୋଧ, ଅନଭିଜ୍ଞ ବାଳକଟିଏ ଭଳି ବସିଛି । ତା’ ଚାରିପଟେ ଥିବା ଭିଡ଼ର ଭଗ୍ନାବଶେଷକୁ ବାରମ୍ୱାର ଚାହିଁ ସେ କେବଳ ଭ୍ରୂକୁଞ୍ଚନ କରି ଦୀର୍ଘଶ୍ୱାସ ତ୍ୟାଗ କରୁଥାଏ ।

 

ହୁଏତ ସେ ବୁଝିପାରୁ ନ ଥିଲା, ତା’ ଗଣନାଟିକୁ ଏମିତି ଅବିଶ୍ୱାସ କରିବାର କାରଣଟି କ’ଣ ହୋଇପାରେ । ଖାଲି ସେତିକି ନୁହେଁ । ଯେ ଶୁଣିଲା ସେ ହସିଲା । ହସିଲା ଏବଂ ତାକୁ ଦୟା ଦେଖାଇଲା ଭଳି ଚାହିଁଲା । କାରଣଟା କ’ଣ ହୋଇପାରେ ? ଗ୍ରହ-ନକ୍ଷତ୍ରମାନଙ୍କର ଅବସ୍ଥାନ ଗଣନା କରି ଯେଉଁ ସିଦ୍ଧାନ୍ତ ପାଖରେ ସେ ପହଞ୍ଚିଥିଲା, ତାହା ତାକୁ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ବିସ୍ମିତ ଓ କାପୁରୁଷ କରି ଦେଇଥିଲା । ବିଚରା ଚନ୍ଦ୍ରଟା ରାତି ତିନିଟା ତିନି ମିନିଟ୍‌ ଅଠର ସେକେଣ୍ଡ ସମୟରେ ଖସିପଡ଼ିବ ଆକାଶରୁ ! ପଡ଼ିବ ପୃଥିବୀ ଉପରେ ! ଗଣନାଟି ସତରେ ତ୍ରୁଟିହୀନ କି ନା, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ନିଃସନ୍ଦେହ ହେବା ପାଇଁ ସେ ନିଜର ସମସ୍ତ ବିଦ୍ୟା ବୁଦ୍ଧି ନିଯୁକ୍ତ କଲା । ଅଥଚ ସେଇ ନିର୍ଦ୍ଦିଷ୍ଟ କଥାଟି ପାଖରେ ସେ ପହଞ୍ଚିଲା ସବୁଥର । ଚନ୍ଦ୍ରଟି ଖସିପଡ଼ିବ ଆକାଶରୁ । ଆଜି ରାତି ।

 

ଘୋଷଣାଟି ଚାଞ୍ଚଲ୍ୟ ଓ ଉତ୍ତେଜନା ମିଶା ଭୟ ସୃଷ୍ଟି କରିବା କଥା । ତାହା ହେଉନାହିଁ । ଚେତାବନୀଟିକୁ ଉପହାସରେ ଉଡ଼େଇ ଦେଉଛନ୍ତି ମସସ୍ତେ । ସହରର ମୁଖସ୍ଥ କାର୍ଯ୍ୟକ୍ରମ ଚାଲୁ ରହିଛି ଯଥାବିଧି । ରାତି ତିନିଟା ତିନି ମିନିଟ୍‌ ପରେ ପୃଥିବୀର ସମସ୍ତ ଈଶ୍ୱର, ସମସ୍ତ ଶୃଙ୍ଗାର, ସମସ୍ତ ସମ୍ଭାବନା ଯେ ଅସହାୟ ଭାବରେ ଚନ୍ଦ୍ରର ଓଜନିଆ ମାଡ଼ରେ ଚାପି ହୋଇ ଧୂଳିସାତ୍‌ ହୋଇଯିବେ, ଏକଥା ଭାବି କେହି ହେଲେ ଅସ୍ଥିର ମ୍ରିୟମାଣ ହେଉନାହାନ୍ତି ।

 

ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନ ଚାରିଆଡ଼କୁ ଚାହିଁ ସଚେତନ ହେଲା ଯେ, ସଂଗ୍ରାମ ବ୍ୟତୀତ ପାଖରେ ଆଉ କେହି ନାହାନ୍ତି । ଦଶ-ପନ୍ଦର ଦିନର ଦାଢ଼ି ସମ୍ୱଳିତ ଟାକୁଆ ଗାଲ ଉପରୁ ହାତ ବୁଲାଇ ସେ ପୁଣି ଦୀର୍ଘଶ୍ୱାସ ତ୍ୟାଗ କଲା । ପିଚୁ ରାସ୍ତାର ଧାରରେ, ଚକଡ଼ାଏ ସ୍ଥାନ ଉପରେ ଗ୍ରହମାନଙ୍କର ଅବସ୍ଥିତ ସୂଚିତ ହୋଇଥିବା ଗାର ଓ ଅକ୍ଷରଗୁଡ଼ିକୁ ସେ ଲିଭାଇବାକୁ ଆରମ୍ଭ କଲା ।

 

ସେଗୁଡ଼ିକ ସମ୍ପୂର୍ଣ୍ଣଭାବେ ଲିଭନ୍ତି ନାହିଁ । ତାହା ଗୋଟିଏ ଜ୍ୟୋତିର ବ୍ୟବସାୟ କେନ୍ଦ୍ର ବୋଲି ଘୋଷଣା କରିବାକୁ ଗାର ଓ ଅକ୍ଷରଗୁଡ଼ିକର ଝାପ୍‌ସା ଦେହ ଅଟକି ରହନ୍ତି । ପାଞ୍ଚବର୍ଷ ପୂର୍ବେ ଏ ରାସ୍ତା ମରାମତି ହେଲାବେଳେ, ସେକେଣ୍ଡକ୍ଲାସ୍‌ ଓ୍ୱେଟିଙ୍ଗ୍‌ ରୁମ୍‌କୁ ଭାଙ୍ଗି ଆହୁରି ବଡ଼ ରୁମ୍‌ଟିଏ ତିଆରି କଲାବେଳେ, ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନଙ୍କର ଏଇ ପରିଚିତ ସ୍ଥାନରେ କିଛଇଦିନ ପାଇଁ ବସି ରହିବା ସମ୍ଭବ ହୋଇନଥିଲା । କିନ୍ତୁ, ସଂଗ୍ରାମର ହେତୁ ହେଲା ଦିନୁ ସେ ଦେଖିଆସୁଛି ଏଇ ଜ୍ୟୋତିଷଟିକୁ ଠିକ୍‌ ଏଇ ସ୍ଥାନରେ । ଟ୍ରେନ୍‌ ସଂଖ୍ୟା ବହୁତ ବଢ଼ିଛି, ପ୍ଲାଟଫର୍ମ ଛାତରୁ ଭଳିକି ଭଳି ବିଜ୍ଞାପନ ଝୁଲି ରହୁଛି । ସବୁ ବଦଳି ଯାଉଛି କେଡ଼େ ଦ୍ରୁତ ବେଗରେ । ଅଥଚ ଏଇ ଜ୍ୟୋତିଷ ଜଣକର ସ୍ଥାନ ଆଉ ଅବସ୍ଥାର କୌଣସି ପରିବର୍ତ୍ତନ ଘଟିଥିବାର ମନେ ପଡ଼ୁ ନାହିଁ ସଂଗ୍ରାମର । ଯେଉଁ ମଣିଷଟି ଭବିଷ୍ୟତ ପଢ଼ି ପାରିବାର ଆସ୍ଫାଳନ ଦେଖାଏ, ସେ ବି କେଡ଼େ କରୁଣ ଭାବରେ ମୂର୍ଖ ହୋଇ ରହିଯାଉଛି ନିଜ ସ୍ଥିତି ଆଉ ଆଗତୁରା ଦିନଗୁଡ଼ାକ ସମ୍ପର୍କରେ ।

 

ଆଦିମ ଯୁଗର ମଇଳା ସର୍ବସ୍ୱ କନା ଖଣ୍ଡିକରେ ସେ ବାନ୍ଧିବାକୁ ଆରମ୍ଭ କଲା ତିନି ଚାରିଖଣ୍ଡ ପୁରୁଣା ପାଞ୍ଜି, ଅନ୍ୟ କେତେକ ବହିନାମଧେୟ ଅପରିଚ୍ଛନ୍ନତାକୁ । ଏଇ ସମୟରେ ସେ ନିଜର ଆସ୍ଥାନ ଛାଡ଼େ । ମାଛି ହୁରୁଡ଼େଇଲା ଭଳି ମୁହଁକୁ ଏପାଖ ସେପାଖ କରି କ’ଣ ସବୁ କହିବାରେ ଲାଗିଥାଏ ମନକୁ ମନ ଆଉ ବାଟ ଚାଲୁଥାଏ । ରାସ୍ତା କଡ଼ ଆଲୁଅ ଜଳି ନ ଥାଏ ସେତେବେଳେ; କିନ୍ତୁ ଆଉ ବସିରହି ଫାଇଦା କ’ଣ ? କୌଣସି ବେକାର ଯୁବକର ହାତର ରେଖା ପଢ଼ିବା ସମ୍ଭବ ନୁହେଁ । ବହୁଦିନ ଧରି ଘରେ ରହି ଯାଇଥିବା ବଢ଼ିଲା ଝିଅର ଜାତକ ନେଇ ଆଉ କେହି ଆସିବେ ନାହିଁ, ତା’ ପାଖକୁ । ମହାଦେବଙ୍କ ମୁଣ୍ଡ ଉପରେ ଲକ୍ଷେ ବେଲପତ୍ର ଚଢ଼ାଇ ସାରିବା ପରେ ସତରେ ଆଉ ପିଲା ହେବେ କି ନାହିଁ ବୋଲି ଜାଣିବା ପାଇଁ ମଣିଷଟିର ବିକଳ, ପ୍ରଶ୍ନିଳ ମୁହଁକୁ ଚାହିଁବାର ସମ୍ଭାବନା ଆଉ ଚାହିଁ ।

 

ସେ କହୁଥାଏ, ସଂଗ୍ରାମର ଉପସ୍ଥିତିକୁ ବେଖାତିର କରି–‘ଅପଦାର୍ଥଗୁଡ଼ାକ ଭାବୁଛନ୍ତି; ମୋ ମୁଣ୍ଡ ଆଉ କାମ କରୁନାହିଁ ବୋଲି । କଥାଟାକୁ କେହି ଜଣେ ହେଲେ ବିଶ୍ୱାସ କଲା ? ନ କର-। ଚନ୍ଦ୍ର ଯେତେବେଳେ ଚାପିଦେବ, କେଉଁ ବାପ ଆସି ପିଠିରେ ପଡ଼ିବ, ଦେଖିବା-!’

 

–‘‘ଏ ବିପଦରୁ ରକ୍ଷା ପାଇବା ପାଇଁ କିଛି ଉପାୟ ଅଛି, ଖଡ଼ିରତ୍ନେ ?’’ ସଂଗ୍ରାମ ପଚାରିଲା ଢେର ଗମ୍ଭୀରତାର ସହିତ, ଜ୍ୟୋତିଷଟିକୁ ଅପଦସ୍ତ ନ କରିବା ପାଇଁ ।

 

–‘‘ଉପାୟ !’’ ସାରା ଦିନର ସର୍ବଶ୍ରେଷ୍ଠ, ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନଟିର ଉତ୍ତର ସେ ଦେଲା ଏଇଭଳି ଭାବରେ–‘ଆଉ ଉପାୟ ଅଛି ! ସବୁ ଗୁଣ୍ଡ ହୋଇଯିବ, ସଂଗ୍ରାମବାବୁ । ଜ୍ୟୋତିଷ, ଡାକ୍ତର, ମଜୁରିଆ, ଅଟାକଳ, ରେଳଗାଡ଼ିର ଚକ ସବୁ ଫେଣ୍ଟି ହୋଇଯିବେ । ବ୍ୟାପକ ମେଞ୍ଚାଟିଏ ହୋଇଯିବ, ଏ ଧରଣୀ ! ଇଏ ବି ଭଲ ହେଲା । ମୁଁ, କି, ତୁମେ, କି ଆଉ କିଏ ମରୁଥିଲେ ସିନା ମନ ସକସକ ହୁଅନ୍ତା; ଆହା, ମୁଁ ମରିଯାଉଛି, ଅନ୍ୟମାନେ ବଞ୍ଚିରହି କେତେ କ’ଣ ଦେଖିବେ, ଖାଇବେ, ନିଜକୁ ବଡ଼ କରିବେ ବୋଲି ହାଇଁ ପାଇଁ ଲାଗନ୍ତା; ଏ ଧ୍ୱଂସ କିନ୍ତୁ ସାମୂହିକ ଧ୍ୱଂସ; ଏ ମରଣ ସାର୍ବଜନିନ ମରଣ !’

 

ଏ ସ୍ୱରରେ ପ୍ରଚ୍ଛନ୍ନ ଥିଲା ବେଦନାକ୍ତ ଆବେଗଟିଏ । ଏ ସ୍ୱର ଗୋଟିଏ ହାତ ହଲେଇ ପୃଥିବୀକୁ କହିଚାଲିଥିଲା–ବିଦାୟ–ବିଦାୟ ଏବଂ ଆର ହାତଟିରେ ପୋଛୁଥିଲା ସୃଷ୍ଟିର ଚୂଡ଼ାନ୍ତ ଲୁହକୁ । ନିଜ ଅଜାଣତରେ ସଂଗ୍ରାମ ଅଭିଭୂତ ହୋଇପଡ଼ିଲା । ଜ୍ୟୋତିଷଟିକୁ ସମ୍ମାନ ଦେଖାଇବା ପାଇଁ ନିଜ ମନକୁ ସେ ପ୍ରରୋଚନା ଦେଲା ଯେ, ଲୋକଟି ଯାହା ଘୋଷଣା କରିଛି, ତାହା ଘଟିବା ନିଧାର୍ଯ୍ୟ ।

 

–‘ତୁମେ ଆଜି କରିବ କ’ଣ ?’ ପାଖକୁ ଲାଗି ଆସି ସଂଗ୍ରାମ ପଚାରିଲା, ଆତ୍ମରକ୍ଷାର ବାଟଟି ପାଇବା ପାଇଁ ।

 

–‘ମୁଁ ?’ ଜ୍ୟୋତିଷଟି ଚାହିଁଲା ଚାରିଆଡ଼େ ଏବଂ ନିମ୍ନସ୍ୱରରେ କହିଲା–‘ରେଳ ପୋଲ ତଳକୁ ପଳାଇବି । ଏଡ଼େ ବଡ଼ ବଡ଼ ଗାଡ଼ିଗୁଡ଼ାକୁ ସମ୍ଭାଳି ନେଉଛି; କାଳେ, ଚନ୍ଦ୍ରର ମାଡ଼କୁ ବି ସମ୍ଭାଳି ନେବ ! ଆଜି ରାତି ଭଲ କରି ଗଣ୍ଡାଏ ଖାଇନେବି । ତୁମେ କିନ୍ତୁ ସଂଗ୍ରାମବାବୁ, କାହାରିକୁ କହିବ ନାହିଁ ଏକଥା !’ ସେତେବେଳକୁ ଚାରିଫୁଟ ପାଞ୍ଚଇଞ୍ଚ ବିଶିଷ୍ଟ ଜ୍ୟୋତିଷଟି ବସ୍ତାନିକୁ ଡାହାଣ କାନ୍ଧରେ ଝୁଲାଇ ସାରିଲାଣି ।

 

–‘ତୁମେ ଜ୍ୟୋତିଷ ହୋଇଛ; କିନ୍ତୁ ରେଳ ପୋଲଟି ମାଡ଼ ପରେ ମାଟି କାମୁଡ଼ି କୁଜା ହୋଇଯିବ କି ଆଗଭଳି ଝୁଲିରହିବ, ତାହା କହିପାରୁନ !’ ବିରକ୍ତି ପ୍ରକାଶ କଲା ସଂଗ୍ରାମ ।

 

ଦଣ୍ଡକ ପାଇଁ ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନ ଚାହିଁଲା ସଂଗ୍ରାମ ମୁହଁକୁ । ଦୀର୍ଘଶ୍ୱାସଟାଏ ତ୍ୟାଗ କରି କହିଲା–‘ଜ୍ୟୋତିଷ ! ଗଣନା ! ଆଜିକାଲି ଏ ସବୁ ବିଦ୍ୟା ଫସରଫାଟି ଯାଉଛି, ସଂଗ୍ରାମବାବୁ ! ଜ୍ୟୋତିଷ ଗଣନା କରି ଭବିଷ୍ୟତର ବାଟଟି ଦେଖାଇ ଦେଇଥିବ; କିନ୍ତୁ ଏବେକାର ଜୀବନ ମାଡ଼ି ଚାଲିବ ଆଉ ଗୋଟାଏ ବାଟରେ । ମଣିଷର ଜୀବନ ଅମାନ୍ୟ, ଅସମ୍ମାନ କରିଚାଲିଛି ଜ୍ୟୋତିଷର ଗଣନାକୁ । ଏଇସବୁ ଦେଖି ମୁଁ ଭାବୁଥିଲି, କ’ଣ ଗୋଟାଏ କକ୍ଷଚ୍ୟୁତ ହୋଇଯାଇଛି । ନିର୍ଦ୍ଦିଷ୍ଟଧାରା ଗୁଡ଼ାକ ଇଆଡ଼େ ସିଆଡ଼େ ମିଶିଯାଇ ଶୃଙ୍ଖଳା ହରାଇଛନ୍ତି । ଏଇଥିପାଇଁ ଖାଲି ମୁଁ ନୁହେଁ, ଯେକୌଣସି ଜ୍ୟୋତିଷ ପକ୍ଷରେ ବର୍ତ୍ତମାନର ପରିଧି ଡେଇଁ ଆଗକୁ ଇଞ୍ଚେବାଟ ଯିବା ପ୍ରାୟ ଅସମ୍ଭବ । ଆମ ଗଣନା ବାହାରେ ଆହୁରି କେତେ କ’ଣ ରହସ୍ୟ ରହିଯାଉଛି । ତେଣୁ, ପୋଲଟିର ଅବସ୍ଥା କ’ଣ ହେବ ତାହା ଠିକ୍‌ଭାବରେ କହିବା ଜମା ସହଜ ନୁହେଁ ।’ ନିର୍ଲଜଙ୍କ ଭଳି ସେ ସ୍ୱୀକାର କଲା ।

 

–‘ତା’ହେଲେ ଚନ୍ଦ୍ରଟି ରାତିରେ ଖସିପଡ଼ିବ ବୋଲି ଏଡ଼େ ଜୋରରେ କହିପାରୁଛ କିମିତି-?’ ଏଇ ପ୍ରଶ୍ନଟିରେ ଜ୍ୟୋତିଷକୁ ନିରସ୍ତ୍ର ଓ ପରାଜିତ କରିହେବ ବୋଲି ସଂଗ୍ରାମ ନିଶ୍ଚିତ ଥିଲା ।

 

ପ୍ରଶ୍ନଟି କିନ୍ତୁ ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନକୁ କ୍ଷୁବ୍‍ଧ ଓ ଅପମାନିତ କଲା । ରାସ୍ତା ଉପରେ ଠିଆ ହୋଇ, ଦୁଇହାତ ଛିଞ୍ଚାଡ଼ି ଏକରକମ ଚିତ୍କାର କଲା ସେ–‘ହଜାରେ ଥର କହୁଛି, ଜୋର ଦେଇ କହୁଛି, ଏଇ ରାତିରେ ଚନ୍ଦ୍ରଟି ଖସି ପଡ଼ିବ । ତୁମ ଗର୍ବ, ତୁମ ପୃଥିବୀକୁ ସାବାଡ୍‍ କରିଦେବ । ବୁଝିଲ, ବାପ ସଂଗ୍ରାମ ଦାସ, ଏ ଗଣନା ମିଛ ହେବାର ନୁହେଁ । ହଁ, ଖସିପଡ଼ୁ । ଚନ୍ଦ୍ରଟା ଖସି ପଡ଼ିବା ଦରକାର । ଏଇଟା ହେଉଛି ଖାଣ୍ଟି ସମୟ । ଆଉ ନୁହେଁ । ବେଳକୁ ବେଳ ଏ ସୃଷ୍ଟି କଦର୍ଯ୍ୟ ହୋଇଯାଉଛି । ଯାଉ ସବୁ ଧ୍ୱଂସ ହୋଇ । ରାସ୍ତାକଡ଼ରେ ବସି ସାରାଦିନ ମିଛଗୁଡ଼ାଏ କହିବାକୁ ମୋତେ ବି ଆଉ ଭଲ ଲାଗୁନାହିଁ ।’ ଶେଷ ଆଡ଼କୁ ତା’ ସ୍ୱର ମଳିନ ହୋଇଯାଉଥିଲା ।

 

–‘କ’ଣ କହିଲ ? ମିଛ ? ତୁମେ ଏଇଠି ବସି ମିଛ କୁହ ତା’ହେଲେ ?’ ସଂଗ୍ରାମ କ୍ରୁଦ୍ଧ ଓ ବିସ୍ମିତ ହୋଇଯାଇଥିଲା !

 

–‘ଓଃ ! ସତେ ଯେମିତି ତୁମେ ଜାଣି ନ ଥିଲ ! ଆଗକୁ ବହୁତ ଦୁଃଖ, କଷ୍ଟ, ଅପମାନ ଅଛି ବୋଲି କହିଲେ, କୋଉ ମଣିଷଟି ଜ୍ୟୋତିଷକୁ ଭଲ ପାଇବ ? ସବୁ ମଣିଷ ତ ଛଟପଟ ହେଉଛନ୍ତି ! ଭବିଷ୍ୟତରେ କେବଳ ସୁଖ ଅଛି, ରାଜଭୋଗ ଅଛି ବୋଲି ଶୁଣିବାକୁ କୋଉ ମଣିଷଟି ନ ଚାହେଁ ? ଏଇମିତି ଦୁଇ-ଚାରିପଦ ଶୁଣିଲେ ତୁମ ମନ କ’ଣ ଖୁସି ହୁଏ ନାଇଁ ? ଯାହାହେଲେ ବି ଜ୍ୟୋତିଷ ଜଣେ କହିଛି ବୋଲି ମନରେ କ’ଣ ବିଶ୍ୱାସ ବଢ଼େ ନାଇଁ ? ବୁଝିଲ ? ସବୁ କଥା ଆଜି କହିଦେଲି ତୁମକୁ । କାହିଁକି ନା, ଶେଷବେଳ ଆସିଯାଇଛି । ମନେ ରଖିଥିବ, ଆଜି ତିନିଟା ତିନିମିନିଟ୍‌ ଅଠର ସେକେଣ୍ଡ ।’ କହି କହି ସେ ଆଗକୁ ଚାଲିଲା, ଜମା ପଛକୁ ମୁହଁ ନ ଫେରାଇ ।

 

ତା’ ଯିବା ବାଟକୁ ଅଳ୍ପ ସମୟ ପାଇଁ ଚାହିଁ ସଂଗ୍ରାମ ମୁହଁ ଫେରାଇଲା । ମୁଖ୍ୟ ରାସ୍ତାରୁ ସରୁ ହାତଟିଏ ଭଳି ଲମ୍ୱିଯାଇଛି ଗୋଟିଏ ଗଳି । କିଛିବାଟ ଗଲାପରେ ତା’ଘର । କେଜାଣି କେଉଁ ପୁରୁଷରୁ ତିଆରି ଦୋମହଲା କୋଠାଟିଏ ! ତଳ ମହଲାରେ ଚାରୋଟି କୋଠରୀ; ଉପରେ ଦୁଇଟି-। ଅନ୍ୟ ଅଂଶଟି ଗୋଟିଏ ପ୍ରଶସ୍ତ ବାଲକୋନି । କୋଠାଟିର ଗଢ଼ଣ ଅଖାଡ଼ୁଆ, ବାଜେ । ବାଲକୋନି ଯୋଗୁଁ ଉପର ମହଲାର ଶତକଡ଼ା ପଚାଶ୍‌ଭାଗ ଭାଙ୍ଗି ଦିଆଯାଇଛି ବୋଲି ମନେହୁଏ-। ଚାରିପଟ କାନ୍ଥ ଜଙ୍କ୍‌ଦ୍ୱାରା ଆକ୍ରାନ୍ତ ହୋଇଥିବାରୁ କୋଠାଟି ବିପୁଳ ରୋଗୀଟିଏ ଭଳି ଦିଶେ-

 

ତଳମହଲାର ଚାରୋଟି କୋଠରୀରୁ ତିନୋଟିକୁ ଭଡ଼ା ଦିଆଯାଇଛି । ଗୋଟିକରେ ତେଲଙ୍ଗା ଦମ୍ପତିଟିଏ ଲଣ୍ଡ୍ରୀ ଖୋଲିଛନ୍ତି । ତିନ-ଚାରୋଟି ବିଶାଳ ମାଟିପାତ୍ର ସର୍ବଦା ସଫା–ମଇଳା–ନୀଳପାଣି ଯାଚି ରହନ୍ତି ଲୁଗାପଟା ସଫା କରିବାର ଆର୍ଟଟିକୁ ସଫଳ କରିବାପାଇଁ । ଆଗକୁ, ଲମ୍ୱା ରସିରୁ ଝୁଲିରହନ୍ତି ଅଚେତନ, ଲୋଚାକୋଚା ପୋଷାକଗୁଡ଼ିଏ । ସେଇ କୋଠରୀଟି ଦମ୍ପତିଟିର ଶୋଇବାଘର ରୂପେ ବି ବ୍ୟବହୃତ ହୁଏ । ତା’ପାଖ ରୁମ୍‌ଟି ଗୋଟିଏ ପରିବା ଦୋକାନ । ବେଳେବେଳେ ପରିବା ପଚେ । ଦୋକାନୀଟି ସେଗୁଡ଼ିକୁ ବାହାରକୁ ଫୋପାଡ଼ିଦିଏ । ଗୋଟାଏ ନିଷ୍କର୍ମା ଷଣ୍ଢ, ଗୋଟାଏ-ଦୁଇଟା ଗାଈଙ୍କ ପାଖରେ ନିଜ ଐଶ୍ୱର୍ଯ୍ୟର ପ୍ରଲୋଭନ ଦେଖାଏ, ସେଇ ପରିବାରଗୁଡ଼ିକ ପାଖରେ । ତୃତୀୟ କୋଠରୀଟିରେ ଯେଉଁ ବରା-ପିଆଜି-ଚା’ ଦୋକାନଟି ଖୋଲିଛି, ତାହା ବେଳେବେଳେ ସଂଗ୍ରାମକୁ ହରକତ କରେ । ଦୋକାନ ଆଞ୍ଚରୁ ବଡ଼ିଭୋରୁ ଯେଉଁ ମୋଟା କୋଇଲା ଧୂଆଁ ଉଠେ ତା’ଉତ୍ପାତରେ ଦୀର୍ଘ ସମୟ ଧରି ବିଛଣାରେ ପଡ଼ିରହିବା ସମ୍ଭବ ହୁଏ ନାହିଁ । ଶେଷ କୋଠରୀଟି ଖାଲି ପଡ଼ିଲାଣି ତିନିମାସ ହେବ । ପାନ-ବିସ୍କୁଟ, ବାରମଜା ଦୋକାନୀଟି ପଳାଇଲା, କାରବାର ଭଲ ନ ହେବାରୁ । କବାଟ ଉପରେ ‘ଭଡ଼ା ଦିଆଯିବ’ ବୋଲି ସଂଗ୍ରାମ ଲେଖିଥିଲା ଚକ୍‌ଖଡ଼ିଦ୍ୱାରା । ଏଇ ସାତ ଆଠଦିନ ହେବ ସେଇ ଦଦରା ଅକ୍ଷର ଗୁଡ଼ିକୁ ପୁଣି ଚକ୍‌ଖଡ଼ିରେ ଯଥା ସମ୍ଭବ ଉଜ୍ଜ୍ୱଳ କରି ସଂଗ୍ରାମ ଅପେକ୍ଷା କରିଛି ।

 

ଘର ପଛରେ ଥିବା ଅସ୍ଥାୟୀ କାଠଯଯ ସିଡ଼ି ସାହାଯ୍ୟରେ ସେ ଦୋତାଲା ଉପରକୁ ଉଠିଲା । ନିଜ କୋଠରୀର କବାଟ ଖୋଲି, ସେ ପୋଷାକ ବଦଳାଇଲା । ଷ୍ଟ୍ରିଟ୍‌ଲ୍ୟାମ୍ପର ଯେଉଁ ଆଲୁଅ ତା’ କୋଠରୀ ଭିତରେ ଅନୁପ୍ରବେଶ କରେ, ସେଇଥିରେ ତା’ର ଅନେକ କାମ ଶେଷ ହୁଏ-। କମିଜ୍‌-ପେଣ୍ଟ ମଶାରିବାଡ଼ା ଉପରକୁ ଫୋପାଡ଼ି ଦେଇ ସେ ବିରାଟ ପଲଙ୍କ ଉପରେ ବସିଲା କିଛି ସମୟ ପର୍ଯ୍ୟନ୍ତ । କେଉଁ କାଳର ପଲଙ୍କ କେଜାଣି ? ଗୋଟିଏ ଗୋଡ଼ ଭାଙ୍ଗିଯାଇଛି । ଛ’ଟି ଇଟା ଓ ଅନ୍ୟ ତିନୋଟି ଅନିଚ୍ଛୁକ ଗୋଡ଼ ଉପରେ ଝୁଲି ରହିଛନ୍ତି ଖଟର ପଟାଗୁଡ଼ିକ । କାଲି ଘରଭଡ଼ା ଆଦାୟ କରିବାର ଦିନ । କାମ ଚଳା ମୁତାବକ ଏଇଟିକୁ ମରାମତି କରିବାର ଯୋଜନା ଥିଲା । ହେଲେ, ଏ ଶଳା ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନ ଏମିତିକଥାଗୁଡ଼ିଏ କରି ଦେଇଗଲା ଯେ, ମନ ସ୍ଥର ହେଉନାହିଁ । ତା’ ଗଣନା ଡାହା ମିଛ ବୋଲି ଭାବିଲେ ମଧ୍ୟ କେମିତି ଗୋଟାଏ ଶଙ୍କିତ ବିକଳ ଭାବ ଚେତନାରେ ଆସ୍ଥାନ ଜମେଇ ରହୁଛି ।

 

ସଂଗ୍ରାମ ଆସିଲା ବାଲକୋନିକୁ । ଆପଣା ଛାଏଁ ତା’ ଦୃଷ୍ଟି ଲମ୍ୱିଗଲା ଆକାଶର ବ୍ୟାପକତା ଉପରକୁ ଏବଂ ପରେ ପରେ, ନିଜ କୋଠାଘର ତଳକୁ । ବାରମ୍ୱାର ସେ ଏଇ ଦୁଇଟି ସୀମାରେଖାକୁ ଚାହିଁଲା, ତା’ ବେକ ଥକିଯିବା ପର୍ଯ୍ୟନ୍ତ । ଭାବିଲା, ନିଜ କୋଠାଘରର ଛାତ ଉପରେ ସେ ବି ଝୁଲି ରହିଛି ଅନ୍ୟୋନ୍ୟପାୟ ଜହ୍ନଟିଏ ଭଳି । ଘରଗୁଡ଼ିକୁ ଆପଣାର କରିପାରିବାର ଆଉ ଶକ୍ତି ନାହିଁ । ତଳ ମହଲାଟି ଅନ୍ୟମାନଙ୍କ ଦ୍ୱାରା ଅଧିକୃତ ହେଲେ କୌଣସି ମତେ ସେ ବଞ୍ଚିରହି ଏଇମିତି ଝୁଲି ରହିବ ସମ୍ପର୍କହୀନ ଏଇ ଦୋତାଲା ଛାତର ଆକାଶରେ ! ଏଇ କଥାଟିକୁ ସେ ପୁଣି ଥରକୁ ଥର ଭାବିଲା, ତା’ର ପ୍ରତ୍ୟେକ ରକ୍ତକଣିକା ଅସହ୍ୟ ଅସ୍ଥିରତାରେ ସ୍ନାୟୁର ଟନେଲ୍‌କୁ ଜମା ଭ୍ରୂକ୍ଷେପ ନ କରିବା ପର୍ଯ୍ୟନ୍ତ ।

 

ସଂଗ୍ରାମ ଫେରିଆସିଲା ନିଜ ରୁମ୍‌କୁ । କ’ଣ ଗୋଟାଏ ପାଇବା ପାଇଁ ସେ ଅଣ୍ଡାଳି ହେଲା ତା’ ଭିତରେ । ତା’ର ମନେ ପଡ଼ିଲା ଯେ, ପ୍ରକୃତରେ ସେ କିଛି ଖୋଜୁ ନାହିଁ । ସେ ପୁଣି ବାହାରକୁ ଆସିଲା ଏବଂ ଚାହିଁଲା ଆକାଶକୁ ।

 

କିନ୍ତୁ, ମନେକର, ଜହ୍ନଟା ସତକୁ ସତ ରାତି ତିନିଟା ବେଳେ ଆକାଶରୁ ଖସି ପଡ଼ିଲା । ତେବେ ? ଏକଥା ନିଶ୍ଚିତ ଯେ, ଜହ୍ନର ହାତ, ଗୋଡ଼, ସମସ୍ତ ହାଡ଼ ଖଣ୍ତ ଖଣ୍ତ ହୋଇ ଭାଙ୍ଗିଯିବ ଏବଂ ତା’ର ବିକ୍ଷିପ୍ତ ଅଂଶଗୁଡ଼ିକ ହାମୁଡ଼େଇ ହୋଇ ପଡ଼ିରହିବେ ପୃଥିବୀ ପୃଷ୍ଠ ଉପରେ । ସେତେବେଳର ଛବିଟା କିଭଳି ଦେଖାଯିବ କେଜାଣି ? କେହି ତ ବଞ୍ଚିବେ ନାହିଁ ଏ ଦୃଶ୍ୟ ଉପଭୋଗ କରିପାଇଁ ଏବଂ ତା’ର ପିଲାପିଲିଙ୍କୁ ଶୁଣେଇବା ପାଇଁ ।

 

ତେବେ ଆକାଶ ଦେହରେ ଗୋଟାଏ ସାଙ୍ଘାତିକ ଧରଣର କ୍ଷତ ସୃଷ୍ଟି ହୋଇଯିବ ନିଶ୍ଚୟ । ଗଛଟିଏ ଉପାଡ଼ି ଦେଲେ ମାଟି ଉପେର ଚକଡ଼ାଏ ସ୍ଥାନର ନିଦ ଭାଙ୍ଗିଯାଏ ଏବଂ ପୁଳାଏ ମାଟି ଗଛର ଚେର ସହିତ ଘୋଷାଡ଼ି ହୋଇଆସେ । ସବୁଦିଗକୁ କ୍ଷତଟିର ବିସ୍ଫୋରଣ ବିଭିନ୍ନ ଆକାରର କମ୍ପିତ ରେଖା ହୋଇ ଚହଲିଯାଏ । ଏହାର ଅତିରଞ୍ଜିତ ଦୃଶ୍ୟଟିଏ ସୃଷ୍ଟି ହୋଇଯିବ ଆକାଶରେ । ୟା’ପରେ ତାରକାଗୁଡ଼ିକ ଛେଉଣ୍ତ ହୋଇଯିବେ । ପୃଥିବୀର ସମୁଦ୍ର ପୋତି ହୋଇଯିବ । ପର୍ବତଗୁଡ଼ିକର ଅହଙ୍କାର ଛେଚି ହୋଇଯିବ । ଘର-ଦ୍ୱାର, ଗଛ-ପତ୍ର, ବହି, ଚଷମା, ପ୍ରେମପତ୍ର–ସବୁ ଧ୍ୱଂସ ହୋଇଯିବ । ଆଉ, ସେ ବି ଏମିତି ଦୋତାଲ ଛାତ ଉପରେ ଝୁଲି ରହିବ ନାହିଁ । ସେ ମଧ୍ୟ ଲଣ୍ଡ୍ରୀବାଲା, ପରିବା ଦୋକାନୀ, ବରା-ପିଆଜି ବିକ୍ରେତା, ଷଣ୍ଢମାନଙ୍କ ସହିତ ଏକ ପର୍ଯ୍ୟାୟଭୁକ୍ତ ହୋଇଯିବ । ସମସ୍ତେ ଆସିଯିବେ ଗୋଟିଏ ସ୍ତରକୁ ।

 

ହଁ, ଇଏବି ଭଲ । ଯାଉ ସବୁ । ଏତେ ଦାୟିତ୍ୱ, ଏତେ ସତର୍କତା ଏବଂ ଶେଷକୁ ଏତେ ଦୁଃଖ, ଏତେ ପ୍ରକାରର ମୃତ୍ୟୁ–ନା, ଜମା ନୁହେଁ । ଆଉ ଆଦୌ ଭଲ ଲାଗୁ ନାହିଁ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନର ଘୋଷଣା କ’ଣ ସତ ହେବ ? କ’ଣ ହେଲା ! ସେ ମରିଯିବ ? ବତିଶ ବର୍ଷର ଏ ଦେହ ଚିପି ହୋଇ କେଉଁଆଡ଼େ ମିଶିଯିବ ? ଭଲ ହେଲା ! ମିଶିଯାଉ କୁଆଡ଼େ । ସବୁ ଜିନିଷ, ସବୁ ଜୀବନ ତ ଶେଷ ହୋଇଯିବ; ଆଉ ସେ ଏତେ କାହିଁକି ନିଜକୁ ନେଇ ଭାବୁଛି ଏବଂ କେଉଁଠି ଲୁଚିବା ପାଇଁ ମନ କରୁଛି ? ଲୁଚିବା ପାଇଁ ସେ ମନ କରୁଛି ? କି ଆଶ୍ଚର୍ଯ୍ୟ କଥା ! ସମସ୍ତେ କ’ଣ ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନ ହୋଇଛନ୍ତି ଯେ, ରେଳ ପୋଲ ତଳକୁ ପଳେଇବେ ? ଏଇ ବାଲକୋନି ଉପରେ ଆଜି ସେ ଶୋଇରହି ଅପେକ୍ଷା କରିବ ପୃଥିବୀ ଓ ଜହ୍ନର ସେଇ ସର୍ବଶେଷ ମୁହୂର୍ତ୍ତଟିକୁ ।

 

ଏହା ସତ୍ତ୍ୱେ ଏକ ଦାରୁଣ ବିଷାଦରେ ସଂଗ୍ରାମର ସମସ୍ତ ଚେତନା ମେଘୁଆ ହୋଇଗଲା । ପୃଥିବୀର ସଂଖ୍ୟାତୀତ କାର୍ଯ୍ୟକଳାପ ସବୁଦିନ ପାଇଁ ଅସମ୍ପୂର୍ଣ୍ଣ ହୋଇ ରହିଯିବେ । କେତେ ଆଶା, କେତେ ଯୋଜନା ଭୂମିଷ୍ଠ ହୋଇ ପାରିବେ ନାହିଁ । ଏଇ ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନ ତ ସବୁବେଳେ ତାକୁ ଆଶ୍ୱାସନା ଶୁଣେଇ ଆସିଥିଲା ଯେ, ତା’ର ପୂର୍ବପୁରୁଷର ସମସ୍ତ ସମ୍ପତ୍ତି ଫେରିପାଇବ ବୋଲି ! ପାଉଁଶ ମୁଠାଏ ହୋଇଯାଇଥିବା ଅତୀତର ଗୌରବ ଆଉ ପ୍ରତିପତ୍ତି ଜୀବନ୍ୟାସ ପାଇ ଉଭା ହୋଇଯିବେ ତା’ ସାମନାରେ ! ଏ ସହରରେ ଢେର ଢେର ଲୋକ କୁଆଡ଼େ ତାଙ୍କ ଜମି ଆଉ ଧନକୁ ଜବରଦସ୍ତ ମାଡ଼ି ବସିଛନ୍ତି । ସେ ସବୁ ହଜିଲା ସ୍ୱର ତା’ କତିକି ଫେରିଆସିବେ ମୂଳ ଝଙ୍କାର ଓ ସ୍ୱରକୁ ନେଇ । ନଥାଉ ମାଲିକାନାର କୌଣସି କାଗଜପତ୍ର, କୌଣସି ନଥିପତ୍ର । କିଛି ଯାଏ ଆସେ ନାହିଁ । ଅତୀତର ବିସ୍ମୃତ ସମ୍ଭ୍ରାନ୍ତ ଗାରିମା ଓ ବର୍ତ୍ତମାନର କଠିନତା ଭିତେର ସେ ଆଉ ଝୁଲି ରହିବ ନାହିଁ । ଅତୀତର ଆକାଶଟା ସିଧା ସଳଖ, ବିନା ଦ୍ୱିଧା ଓ ସଂଘର୍ଷରେ ଆସି ପହଞ୍ଚିଯିବ ତା’ପାଖେର !

 

ଏଘଟଣା ଘଟିବା ଆଗରୁ ଜହ୍ନଟା ଖସିପଡ଼ି ସବୁ ଗୁଣ୍ତ କରିଦେବ ? ସେତେବେଳକୁ ନିଜ ଅଜାଣତରେ ସଂଗ୍ରାମ ବିଛଣା ସଜାଡ଼ୁଥିଲା ବାଲକୋନିରେ । ପ୍ରକୃତରେ, ପୂର୍ଣ୍ଣଚନ୍ଦ୍ର, ଖଡ଼ିରତ୍ନଟା ବାଷ୍ଟାର୍ଡ଼ଙ୍କ ଗୁରୁ ! କହିଲା କ’ଣ ନା, ସେ ମିଛ କହେ ସବୁବେଳେ, ଲୋକମାନଙ୍କୁ ଗୋଟିଏ ମସୃଣ ପ୍ରତାରଣା ଭିତରେ ରଖିବାପାଇଁ ! ଗୋଟାଏ ଅପହଞ୍ଚ ସମ୍ଭାବନା ତିଆରିକରେ ସମସ୍ତଙ୍କ ମନରେ ! କାହିଁକିନା, ସମସ୍ତେ ସେଭଳି କଥାକୁ ଭଲପା’ନ୍ତି । ଏଭଳି ବଜ୍ଜାତ୍‍କୁ ଆଉ କ’ଣ କୁହାଯାଇ ପାରେ ? ଶଳାଟା ଇଡ଼ିଅଟ୍‌ ନମ୍ବର ୱାନ୍‌ ! କିଛି ନହେଲା ନାଇଁ, ସଂଗ୍ରାମକୁ ପ୍ରତାରଣା ଭିତରୁ ଓଟାରି ଆଣୁଥିଲୁ କାହିଁକି ? ୟା ମାନେ, ସେ ଆଉ କିଛି ପାଇବ ନାହିଁ । କୁନ୍ଥେଇ ହୋଇ ଚାଲୁଥିବା ଖବର କାଗଜର ଗୋଟାଏ ମାମୁଲି କମ୍ପୋଜିଟର ହୋଇ ସେ ରହିଯିବ ! ବେକାରି ଓ ଚାକିରି ଭିତରେ ଝୁଲିରହିବ ସବୁଦିନ ପାଇଁ !

 

ଗୋଟାଏ ଗରମ ଢେଉ ସଂଗ୍ରାମର ସାରା ଦେହ ଉପରେ ବ୍ୟାପିଗଲା । ଅଶ୍ୱସ୍ତି ଓ ଅସହାୟତାର ମାରାତ୍ମକ ଶକ୍ତିଟାଏ ତା’ର ଶରୀରଟିକୁ ଚକଟି ମନ୍ଥି ପକାଇଲା । ଆକାଶ ଆଡ଼େ ଚାହିଁ ସେ ଭାବିଲା–ଚନ୍ଦ୍ର ନୁହେଁ; ସେ ନିଜେ ଏଇ ବିଚ୍ୟୁତ ବାଲକୋନି ଆକାଶରୁ ଖସି ପଡ଼ିବ ଓ ମରିବ । ଜଣେ ମରିଗଲା ପରେ, ହଜାରଟା ଚନ୍ଦ୍ର ଖସିପଡ଼ି ପୃଥିବୀକୁ ସାଫ କରିଦେଲେ ବି ମରିଥିବା ମଣିଷ ପାଖରେ କେଉଁ ଫରକ ପହଞ୍ଚିବ ? କେତେ ବଡ଼ କ୍ଷତିଟାଏ କରିଦେଇଗଲା, ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନ ପଦେ କଥାରେ ? ପ୍ରତାରଣା ଭିତରେ ରଖିଥିଲୁ ତ ରଖିଥିଲୁ । ତାକୁ ଭାଙ୍ଗି ଦେଇ, ସେଇଟା ଅସ୍ତିତ୍ୱହୀନ, ଅସମ୍ଭବ ପ୍ରତିଶ୍ରୁତି ବୋଲି କହିଦେଲୁ କାହିଁକି ? ଏପୃଥିବୀକୁ କ’ଣ ଆଗଭଳି ସହି ହେବ ? ବଦ୍‌ମାସଟା କ’ଣ ନକଲା, ପ୍ରକୃତରେ ।

 

ଦୁଇ ପାପୁଲିରେ ମୁହଁ ଘସି ସଂଗ୍ରାସ ସଚେତନ ହେଲା, ଏମିତି ଉତ୍ତେଜିତ ହେବା ତା’ ପକ୍ଷେ ବିପଜ୍ଜନକ । କେଜାଣି, ପୁଣି ଯଦି ସେ ପାଗଳ ହୋଇଯାଏ ? ମସ୍ତିଷ୍କ ବିକୃତି ପାଇଁ ତ ତାକୁ ଦୀର୍ଘଦିନ ପାଗଳଖାନାରେ କଟେଇବାକୁ ପଡ଼ିଥିଲା ! ସେଇଥି ସକାଶେ ସମ୍ପତ୍ତି ବିକି ଶେଷରେ ଅତ୍ୟଧିକ ମଦ ନିଶା ଯୋଗୁଁ ଡାକ୍ତରଖାନାରେ ମରିଥିବା ବାପାଙ୍କୁ ଶେଷ ସମୟରେ ଦେଖି ପାରିନଥିଲା । ଏଭଳି ଉତ୍ତେଜନା କ୍ଷତିକାରକ ! ବରଂ ଏମିତି ଝୁଲି ରହିବା ଭଲ, ମସ୍ତିଷ୍କ ବିକୃତି ଆଉ ମାନସିକ ସୁସ୍ଥତା ଭିତରେ । ଏ ସ୍ଥିତାବାସ୍ଥାକୁ ଡିଷ୍ଟର୍ବ କରିବା ଠିକ୍‌ ନୁହେଁ । ହେଲେ, ସେ ଶୟତାନ୍‌ ଜ୍ୟୋତିଷଟା ! ଚୋପ୍‌, କ’ଣ ମିଳିବ ସେଥିରୁ ? ଏଥର ଅପେକ୍ଷା କରିବା ଉଚିତ୍‌ ତିନିଟା-ତିନିମିନିଟ୍‌ ଅଠର ସେକେଣ୍ତକୁ । ମନ ପ୍ରାଣ ଦେଇ ପ୍ରାର୍ଥନା କରିବା ଉଚିତ୍‌, ଜ୍ୟୋତିଷଟିର ଗଣନା ସତ ହେଉ ବୋଲି । ଆଚ୍ଛା, ଚନ୍ଦ୍ରଟା ପିଟି ହେଲା ବେଳେ ତାକୁ କ’ଣ କାଟିବ ? କେତେ ସମୟ ପର୍ଯ୍ୟନ୍ତ ସେ ଯନ୍ତ୍ରଣାଟି ଅଟକି ରହିବ ତା’ ଶରୀରରେ ?

 

ସଂଗ୍ରାମ ଆଖି ଖୋଲି ଦେଖିଲା, ତା’ ବାଲକୋନି ଅତିକ୍ରମ କରି ମୋଟା କୋଇଲା ଧୂଆଁର ଖମ୍ୱଟିଏ ଉପରକୁ ଉଠି ବିପର୍ଯ୍ୟସ୍ତ ହୋଇଯାଉଛି । ଲଣ୍ଡ୍ରୀବାଲା ଦମ୍ପତିଟି କ’ଣ ସବୁ କଥାବାର୍ତ୍ତା ହେଉଛନ୍ତି । ପାଖରେ କିଏ ଜଣେ କାଶୁଛି । ପଲେ କାଉଙ୍କର ଉଦ୍ୱିଗ୍ନ ସ୍ୱର ଶୁଭୁଛି । ସକାଳ ହୋଇଗଲାଣି । ଆଲୁଅ ଓ କୋଳାହଳ ଭିତରକୁ ସହରଟି ଫେରି ଆସୁଛି । ଆଖି ବୁଜି ଆଉ କିଛି ସମୟ ବିଛଣାରେ ପଡ଼ି ରହିବା ପାଇଁ ଇଚ୍ଛା ହେଉଥିଲା ସଂଗ୍ରାମର । ହଠାତ୍‌ ତା’ର ମନେ ପଡ଼ିଗଲା ଯେ, ପୃଥିବୀ ବଞ୍ଚିରହିଛି । ପଶ୍ଚିମ ଆକାଶରେ ପାରଦ ଛଡ଼ା ଆରିସିଟିଏ ଭଳି ଝୁଲି ରହିଛି ଜହ୍ନଟା । କିଛି ଘଟିନାହିଁ । ତିନିଟା ତିନିମିନିଟ୍‌ ଅଠର ସେକେଣ୍ତ ଅନ୍ୟ ମୁହୂର୍ତ୍ତ ଭଳି ନିରାପଦ ଓ ଦୁର୍ଘଟଣାମୁକ୍ତ ହୋଇ ବିତିଯାଇଛି ।

 

ସଂଗ୍ରାମ ଅନେକ ସମୟ ପର୍ଯ୍ୟନ୍ତ ଉଠିପାରିଲା ନାହିଁ ବିଛଣାରୁ । ତା’ଦେହ ଅସମ୍ଭବ ଭାବରେ ଓଜନିଆ ଓ ଅର୍ଦ୍ଧମୃତ ଜଣାପଡ଼ୁଥିଲା ତାକୁ । ଏ ସକାଳଟି ସତେ ଯେପରି ନୂଆ, ତା’ପାଇଁ-। ସମ୍ଭାବନାହୀନ, କରୁଣ, ସ୍ୱପ୍ନରହିତ ସକାଳଗୁଡ଼ିଏ କ୍ୟୁକରି ଅପେକ୍ଷା କରିଛନ୍ତି ତା’ଦେହ ଓ ମନରେ ଘଷିହୋଇ ଖସି ଯିବାପାଇଁ । ତା’ ଝୁଲି ରହିବାର ଅନ୍ତ ନାହିଁ । କେଉଁ କଥା କହି ନିଜକୁ ସେ ଭୁଲାଇ ରଖିବ ?

 

ସେ’ଦିନ ଖବରକାଗଜ ଅଫିସ୍‌କୁ ଯିବାବେଳେ କିମ୍ବା ସନ୍ଧ୍ୟାରେ ଫେରିବା ବାଟରେ ସଂଗ୍ରାମ ଦେଖିବା ପାଇଁ ପାଇଲା ନାହିଁ ସହରର ରାସ୍ତା କଡ଼ର ଜ୍ୟୋତିଷ, ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନକୁ । ମାତ୍ର ତା’ ପରଦିନ ଏଇଭଳି ଏକ ସମ୍ବାଦ ଖବରକାଗଜରେ ପ୍ରକାଶନ ସକାଶେ ସଂଗ୍ରାମ ଦରକାରୀ ଅକ୍ଷରଗୁଡ଼ିକୁ ଛାପାଖାନାରେ ଖୋଜୁଥିଲା–

 

–‘ରେଳ ପୋଲରୁ ଜଣେ ବୃଦ୍ଧର ମୃତ ଦେହ ଝୁଲି ରହିଥିବାର ସମ୍ବାଦ ପୋଲିସ୍‌ ସୂତ୍ରରୁ ପ୍ରକାଶ । ବୃଦ୍ଧ ଜଣକ ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନ ବୋଲି ଚିହ୍ନଟ କରାଯାଇଛି । ପୋଲିସ୍‌ ସନ୍ଦେହ କରନ୍ତି ଯେ, ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥାଇ ପାରନ୍ତି । ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ । ଶବଟିକୁ ଡାକ୍ତର ମାଇନା ପାଇଁ ପଠାଯାଇଛି ।’

 

ପିରୁ ରାସ୍ତା ଉପରେ ପୂର୍ଣ୍ଣଚନ୍ଦ୍ର ଖଡ଼ିରତ୍ନ କାଟିଥିବା ଗାର ଓ ଲେଖିଥିବା ଅକ୍ଷରଗୁଡ଼ିକ ଅଦୃଶ୍ୟ ହେବା ଆଗରୁ, ଦିନେ ସନ୍ଧ୍ୟାରେ ସଂଗ୍ରାମ ଦେଖିଲା, ସେଇ ସ୍ଥାନରେ ମଣିଷମାନଙ୍କର ଗୋଟାଏ ଘନୀଭୂତ ବୃତ୍ତ ସୃଷ୍ଟି ହୋଇଛି । ସେ ଚଞ୍ଚଳ ହୋଇପଡ଼ିଲା । ଜ୍ୟୋତିଷଟା ତା’ହେଲେ ମରିନାହିଁ ନା, କ’ଣ ? କିଏ ତେବେ ଏ ବୃତ୍ତର କେନ୍ଦ୍ର ହୋଇପାରେ ?

 

ଦାଢ଼ି ରଖିଥିବା, ଗାରଗାରିଆ ମଇଳା ଲୁଙ୍ଗିଟିଏ ପିନ୍ଧିଥିବା କଳା ମଚ୍‌ମଚ୍‌ ହିନ୍ଦୁସ୍ଥାନୀଟିଏ । ପୁରୁଣା ସ୍ଥାନ ଉପରେ ଗୋଟାଏ ନୂଆ ବ୍ୟବସାୟ କେନ୍ଦ୍ର ଖୋଲିଛି । ଖଣ୍ତିଏ ଅପରିଚ୍ଛନ୍ନ କନା ଉପରେ ବିକ୍ରି ପାଇଁ ଥୁଆ ହୋଇଛି ବିଭିନ୍ନ କିସମର ଶହ ଶହ ଡେଉଁରିଆ, ବିଭିନ୍ନ ପ୍ରକାରର ବୋତଲ ଭିତରେ ଯାବତୀୟ ରଙ୍ଗର ତରଳ-କଠିନ-ଗୁଣ୍ତ ଔଷଧ, ଭଳିକି ଭଳି ଆକାରର ହାଡ଼-ଦାନ୍ତ-ନଖ, କେତେପ୍ରକାର ଜୀବ-ଜନ୍ତୁଙ୍କର ଚମଡ଼ା କାରବାର ଚାଲିଛି ଉତ୍ସାହଜନକ ଭାବରେ-। ବ୍ୟବସାୟୀଜଣକ ଉଚ୍ଚ ସ୍ୱରରେ ଚିତ୍କାର କରି ନିଜ ଦରବର ଅଲୌକିକ କ୍ଷମତା ସପକ୍ଷରେ ବିଜ୍ଞାପନ ପ୍ରଚାର କରୁଛି ।

 

ଜୀବନର ଯେକୌଣସି ସମସ୍ୟାର ସହସା ସମାଧାନ ପାଇଁ ଔଷଧ ମହଜୁଦ ଅଛି ଲୋକଟି ପାଖରେ । ସମସ୍ୟାଟି ମାନସିକ ହୋଇଥାଉ ବା ଶାରୀରିକ ହୋଇଥାଉ–ସମାଧାନ ବିକ୍ରୟ ହେଉଛି ତା’ ପାଖରେ ! ପ୍ରାୟ ପନ୍ଦର ମିନିଟ୍‌ ପର୍ଯ୍ୟନ୍ତ ସଂଗ୍ରାମ ଠିଆ ହେଲା ସେଇ ଭିଡ଼ ଭିତରେ । ଅନୁମାନ କଲା, କୋଡ଼ିଏ-ପଚିଶ୍‍ଟି ଡେଉଁରିଆ ଏବଂ ଦଶ-ପନ୍ଦର ପ୍ରକାର ଔଷଧ ବିକ୍ରୟ ହୋଇଗଲା, ସେଇ ସମୟ ଭିତରେ ।

 

ପରଦିନ ସନ୍ଧ୍ୟାରେ ସେ ଠିଆ ହେଲା ସମାଧାନ-ବିକ୍ରେତା ପାଖରେ ଆହୁରି ଅନେକ ଲୋକଙ୍କ ସହିତ । ସେ ଠିକ୍‌ କରିପାରୁ ନଥିଲା ସବୁଠାରୁ ଦାମିକା, ସର୍ବଗୁଣସମ୍ପନ୍ନ ଡେଉଁରିଆଟି କିଣିବ କି, ନା । ସେ ଫେରି ଯାଉଥିଲା; କିନ୍ତୁ ପୁଣି ଆସି ଠିଆ ହେଲା ଲୋକଟି ପାଖରେ ଏବଂ ଆହୁରି ପ୍ରଲୁବ୍‌ଧ ଦୃଷ୍ଟିରେ ଚାହିଁଲା ଡେଉଁରିଆଗୁଡ଼ିକୁ ।

 

ସେଦିନ ରାତିରେ ହାତରେ ବନ୍ଧା ଯାଇଥିବା ଡେଉଁରିଆଟି ଆଡ଼େ ଚାହିଁ ସଂଗ୍ରାମ ଭାବୁଥିଲା, ସେ ଦ୍ରୁତ ଗତିରେ ବୁଢ଼ା ଓ ନିପାରିଲା ହୋଇ ଯାଉଛି । ତେବେ, ଏ ସଂସାରରେ କିଏ ବା ଝୁଲି ନରହେ, କୌଣସି ଏକ ଆଶ୍ରୟ ପାଖରେ ? ମଣିଷର ହାତ, ଗଛର ଡାଳ, ଭାବନା, ଲୁହ–

 

କିଏ ଝୁଲି ନ ରହେ ? ଜ୍ୟୋତିଷର ଗଣନା ନ ହେଲା ନାଇଁ, ଡେଉଁରିଆର ପ୍ରତିଶ୍ରୁତିରୁ ସେ ଯଦି ଝୁଲି ରହେ, ତେବେ କ୍ଷତି କ’ଣ ? କିଛି ଗୋଟାଏ ବିଶ୍ୱାସ ତ ଲୋଡ଼ା ! କେବଳ, ସେଇ ଆଶ୍ରୟ ଟିକକ ମିଛ ନ ହେଲେ ହେଲା । ଖଟକୁ ଟେକି ଧରିଥିବା ଛ’ଟି ଇଟା ଫାଙ୍କିଦେଇ ଅନ୍ତର୍ଦ୍ଧାନ ନହେଲେ ହେଲା ।

 

ସଂଗ୍ରାମ ଲକ୍ଷ୍ୟ କରୁଥିଲା, ହିନ୍ଦୁସ୍ଥାନୀଟିର ଚାରିପଟେ । ପୂର୍ବ ଗହଳି ଓ ଉତ୍ତେଜନା ହ୍ରାସ ପାଉଛି । ଏବେ ଏଣିକ ସେ କେବଳ ଚିତ୍କାର କରୁଛି । ପ୍ରଚୁର ସମାଧାନର ମାଲିକ ହୋଇଥିଲେ ବି ତା’ ସ୍ୱର ଶୁଭୁଛି ଗୋଟାଏ ଭୋକିଲା ଆର୍ତ୍ତନାଦ ଭଳି ।

 

କିଛିଦିନ ପରେ ଲୋକଟିର ଦେଖା ମିଳିଲା ନାହିଁ । ଦ୍ୱିତୀୟ ଶ୍ରେଣୀ ବିଶ୍ରାମାଗାର ସାମନା ସ୍ଥାନଖଣ୍ତିକ ଫୁଙ୍ଗୁଳା ବାଣିଜ୍ୟହୀନ ହୋଇ ପଡ଼ିରହିଲା ।

Image

 

Unknown

ଅଚିହ୍ନା ପୃଥିବୀ

 

ଚାକିରିରେ ପ୍ରମୋସନ ହୋଇଥିବାରୁ ମୁଁ ଗାଁକୁ ଆସିଥାଏ । ଘରେ ଏ ଖବର ଦେବି । ଦୁଇ-ତିନିଦିନ ଆରାମରେ ପ୍ରତିଯୋଗିତାହୀନ; କାର୍ଯ୍ୟହୀନ ସମୟ କଟାଇବି । ତା’ପରେ ପୁଣି ଚାକିରି ସ୍ଥାନକୁ ଫେରିଆସି ପରବର୍ତ୍ତୀ ପ୍ରମୋସନକୁ ଅପେକ୍ଷା କରିବି । ତା’ଛଡ଼ା ଅନେକ ଦିନ ହେଲା ବାପ-ମା’, ପ୍ରୀତି ଓ ଝିଅକୁ ଦେଖି ନ ଥିଲି । ଘରକୁ ଆସିବାକୁ ପଡ଼ିଲା ଏଇସବୁ କାରଣରୁ । ଦୁଇଟି ବସ୍‌ ବଦଳାଇ ଘରେ ପହଞ୍ଚିଲା ବେଳକୁ ଅପରାହ୍ନ ଚାରିଟା ହୋଇଯାଇଥିଲା ।

 

ସେପ୍ଟେମ୍ୱର ମାସ । ଝାଳ, କ୍ଳାନ୍ତି ଓ ଭୋକରେ ମୁଁ ଜଡ଼ସଡ଼ ହୋଇଯାଇଥିଲି; ମାତ୍ର ଏସବୁକୁ ବେଖାତିର କରି ମୋର ପ୍ରତ୍ୟେକ ସ୍ନାୟୁରେ ପରିପୂର୍ଣ୍ଣତା ଓ ବିଜୟର ତଡ଼ିତ୍‍ ସୃଷ୍ଟି ହୋଇଥିଲା । ପୃଥିବୀରେ ମୁଁ ଜଣେ ସୁଯୋଗ୍ୟ ମଣିଷ ବୋଲି ଭାବୁଥିଲି । ମୋର ଶାରୀରିକ ଆକାର, ଜ୍ଞାନ ଓ ବୁଦ୍ଧିର ପରିସୀମା ଡେଇଁ ଏଇ ଭାବନାର ବଳୟ କ୍ରମଶଃ ସମ୍ପ୍ରସାରିତ ହେଉଥିଲା ଏବଂ ଆକାଶର ଉଚ୍ଚତା, ଦିଗ୍‌ବଳୟର ଦୂରତା ଆଡ଼କୁ ଅଗ୍ରସର ହେଉଥିଲା ।

 

କମିଜ୍‌ ଓ ଗଞ୍ଜି ଖୋଲି ମୁଁ ଠିଆ ହୋଇଥିଲି ଫୁଲ୍‌ସ୍ପିଡରେ ଘୂରୁଥିବା ଶିଲିଂ ଫ୍ୟାନ୍‌ର ବର୍ଷା ତଳେ । ଗୋଟାଏ ମୋଟା ଗାମୁଛା ସାହାଯ୍ୟରେ ପ୍ରୀତି ମୋ ପିଠିର ଝାଳ ପୋଛି ଦେଉଥିଲା-। ଆସକ୍ତିହୀନ, ଖାମ୍‌ଖିଆଲି ସ୍ୱରରେ ପ୍ରକାଶ କଲି ଯେ, ମୋର ପ୍ରମୋସନ ହୋଇଛି । କଥାଟାକୁ ଏଭଳି ଭାବରେ କହିଲି; ଯେପରିକି ପ୍ରୀତି ଜାଣିବ, ଏ ପ୍ରମୋସନ ମୋର ଜୀବନ ଧାରାରେ ଏକ ଅବାନ୍ତର ଡିଷ୍ଟର୍ବାନ୍‌ସ; ଏହାଦ୍ୱାରା ମୁଁ ବିଶେଷ କିଛି ଗୌରବାନ୍ୱିତ ମନେ କରୁନାହିଁ; କେବଳ ସରକାରଙ୍କର ମୋର ବିଚକ୍ଷଣତା ଓ କାର୍ଯ୍ୟଦକ୍ଷତା ଉପରେ ରହିଥିବା ଆସ୍ଥା ଏବଂ ବିଶ୍ୱାସକୁ ସହାନୁଭୂତି ଦେଖାଇ ମୁଁ ଏହାକୁ ଗ୍ରହଣ କରିଛି ।

 

ଏକଥା ଶୁଣି ପ୍ରୀତି ଝାଳ ପୋଛା କାମ ବନ୍ଦ କଲା । ସାମନାରେ ଠିଆ ହୋଇ ବିମୁଗ୍‌ଧ ଦୃଷ୍ଟିରେ ସେ ଚାହିଁଲା ମୋ ମୁହଁକୁ । ମୁଁ ଇଟା-ସିମେଣ୍ଟରେ ତିଆରି ଘରର ନିର୍ଦ୍ଧାରିତ ଆକାର ନୁହେଁ; ଯାହାର ଅଭିବୃଦ୍ଧିର ସ୍ୱପ୍ନ ବିଡ଼ମ୍ବନା ଭିତରେ ହଜିଯାଏ । ମୁଁ ଏକ କ୍ରମବର୍ଦ୍ଧମାନ ଶକ୍ତି; ଏକ କ୍ରମବର୍ଦ୍ଧମାନ ଆଶା ଓ ତାତ୍ପର୍ଯ୍ୟର ପ୍ରତୀକ । ଏଇଥି ସକାଶେ ପ୍ରୀତି ବେଶ୍‌ କିଛି ସମୟ ପାଇଁ ମୋ ମୁହଁକୁ ଚାହିଁ ରହିଥିଲା ଏବଂ ସଂସାର ଭିତରେ ଆତ୍ମବିଶ୍ୱାସ ଓ ମର୍ଯ୍ୟାଦାର ପ୍ରତିଜ୍ଞା ଦେଖୁଥିଲା ।

 

–‘‘ସତେ ?’’ ଆନନ୍ଦ ଓ ଆବେଗରେ ତା’ର ସ୍ୱର ବିହ୍ୱଳିତ ହୋଇ ଯାଥିଲା । ‘‘ଏଣିକି କେତେ ଦରମା ମିଳିବ ? ଆଉ ଯାହାହେଉ ପଛେ, ସେ ଟୁ-ଆର୍‌ ଫ୍ଲାଟ୍‌ ଆଗ ବଦଳାଅ । ବଡ଼ ଘରଟିଏ ନ ମିଳିବ କାହିଁକି ଯେ ?’’

 

ମୋତେ ଭିତ୍ତି କରି ପ୍ରୀତିର ଏହି ଅଭିବୃଦ୍ଧି ଓ ସମ୍ପ୍ରସାରଣର ଯୋଜନା ମୋତେ ଆମୋଦିତ କଲା । ମାତ୍ର ତା’ ପ୍ରଶ୍ନର କୌଣସି ଉତ୍ତର ଦେବା ଆଗରୁ ସେ ପଚାରିଲା ମୋର ପଡ଼ୋଶୀ ଓ ବନ୍ଧୁମାନଙ୍କ କଥା । ପ୍ରକୃତରେ ଜଣେ ଦୁଇଜଣଙ୍କୁ ବାଦ୍‌ ଦେଲେ ଅନ୍ୟ କାହାରି ପଦୋନ୍ନତି ହୋଇନଥାଏ । ସେମାନଙ୍କ କଥା କହିବାବେଳେ ମୋ ସ୍ୱରରେ ପ୍ରଚ୍ଛନ୍ନ ଥିଲା ସହାନୁଭୂତି । ପଦୋନ୍ନତି ହୋଇଥିବା ସହକର୍ମୀଙ୍କୁ ସତେ ଯେପରି ମୁଁ ସ୍ୱାଗତ କରୁଥିଲି ।

 

ପ୍ରୀତି କିଛି ସମୟ ପାଇଁ ଅନ୍ୟମନସ୍କ ହୋଇ ପଡ଼ିଲା । ସମ୍ଭବତଃ ସେ ମାନସିକ ଚିତ୍ରଟିଏ ଗଠନ କରୁଥିଲା ପରିବରର୍ଦ୍ଧିତ ପରିସ୍ଥିତି ସମ୍ପର୍କରେ । ଏ କଥା ସତ ଯେ, ଆମଭଳି ଚାକିରିଆଙ୍କ ପାଇଁ ଜୀବନର ଧାରା ଓ ଦର୍ଶନ ସର୍ବଦା ଏକ ପରିବର୍ତ୍ତନଶୀଳ ବ୍ୟାପାର । ଅନେକ ସମୟରେ ନିଜର ସ୍ୱାଚ୍ଛନ୍ଦ୍ୟ ବ୍ୟକ୍ତି-ସ୍ୱାତନ୍ତ୍ର୍ୟ ଏବଂ ନିଜ ପ୍ରତି ଅଙ୍ଗୀକାର ଅଫିସ୍‌ର ପରିବର୍ତ୍ତନଶୀଳ ପରିବେଶର ସାମନା ସାମନି ହୁଏ । ସମ୍ଭାବିତ ସଙ୍ଘର୍ଷକୁ ଆଡ଼େଇ ଯିବା ପାଇଁ ନିଜକୁ ଆଡ଼୍‍ଜଷ୍ଟ କରିବା ଦରକାର ପଡ଼େ । ଆମେ ସବୁବେଳେ ସାବଧାନ ରହୁ ଆମ ଚାରିପଟେ ଘେରି ରହିଥିବା ଏକ ଅଦୃଶ୍ୟ ଶକ୍ତି ଓ ସୀମାକୁ ସର୍ବଦା ସମ୍ମାନ କରିବା ପାଇଁ, କାରଣ ଏହାଦ୍ୱାରା ଲାଭର ସମ୍ଭାବନା-। ତେବେ, ପ୍ରୀତି ପାଇଁ ପରିବର୍ତ୍ତିତ ପରସ୍ଥିତିର ସଂଜ୍ଞା ସ୍ୱତନ୍ତ୍ର । ଏହାକୁ ସେ ମାପିବ ଶାଢ଼ି କିଣିବାରେ, ଅନ୍ୟମାନଙ୍କୁ ଦୟା ଓ ସହାନୁଭୂତି ଦେଖାଇବାରେ ।

 

–‘‘ବର୍ଷକ ଭିତରେ ସ୍କୁଟରଟିଏ ହୋଇ ପାରିବ ନାହିଁ ?’’ ସେ ପଚାରିଲା ।

 

–‘‘ସ୍କୁଟର !’’ ମୁଁ ଅନ୍ୟମନସ୍କତା ଭିତରୁ ଫେରି ଆସିଲି ।

 

–‘‘ତୁମେ ନିଜେ କହୁଥିଲ । ସେ ଦଦରା ସାଇକେଲଟି ଉପରେ କେତେଥର ବିରକ୍ତ ହୋଇଛ ମନେ ପକେଇବଟି ! ପ୍ରମୋସନ ପାଇବାର ଦୁଇବର୍ଷ ଭିତରେ ସ୍କୁଟର, ଫ୍ରିଜ୍‌, ଏୟାର-କୁଲର କିଣିବା ପାଇଁ ଆମେ ଠିକ୍‌ କରିନଥିଲେ ?’’

 

ପ୍ରୀତି ମିଛ କହୁନାହିଁ । ମାତ୍ର ତା’ ଆଗରେ ନିର୍ବୋଧ ଭଳି ମୁଁ କେବଳ ଅକ୍ଷମ ହସ ହସିଲି । ହିସାବ କରି ପ୍ରମାଣ କଲି ଯେ, ପଦୋନ୍ନତି ସତ୍ତ୍ୱେ ଦୁଇବର୍ଷ ଭିତରେ ଏସବୁ କିଣି ପାରିବା ସମ୍ଭବ ହେବ ନାହିଁ ।

 

ଆମେ ଦୁହେଁ ଉଦାସ ହୋଇ ପଡ଼ୁଥିଲୁ । ଯେଉଁ ଆନନ୍ଦ ଓ ଗର୍ବର ବଳୟ ସମ୍ପ୍ରସାରିତ ହେଉଥିଲା, ତାହା ସଙ୍କୁଚିତ ହୋଇଯାଉଥିଲା ଏବଂ ‘ମୁଁ ତ୍ୱ’ର ଆକାର ମଧ୍ୟରେ ସୀମାବଦ୍ଧ ରହିଲା-। ମୁଁ ଖାଲି ଏତିକି ଅନୁଭବ କଲି ଯେ, ଦୁଇହାତ ଉପରକୁ ଟେକି ମୁଁ ବାହାରେ ଠିଆ ହୋଇଛି ଏବଂ ପଦୋନ୍ନତି ପତ୍ରର ମାନଦଣ୍ତରେ ଅସୀମକୁ ମାପିବା ପାଇଁ ଚେଷ୍ଟା କରୁଛି ।

 

–‘‘କପେ ଚା’ ଦିଅ ।’’ ଏତକ କହି ମୁହଁ ଫେରାଇଲି ।

 

–‘‘କିଛି ଖାଇବ ନାହିଁ ?’’ ପ୍ରୀତି ପଚାରିଲା ।

 

–‘‘ଚଞ୍ଚଳ ରୋଷେଇ କର । ଶୀଘ୍ର ଖାଇନେବି । ବର୍ତ୍ତମାନ ଚା’ କପେ ହେଲେ ଚଳିବ-।’’ ପ୍ରୀତି ରୋଷେଇ ଘରକୁ ଗଲା । ପୋଷାକ ବଦଳାଇଲା ବେଳେ ଶୁଣଲି ତା’ର ଉତ୍ସାହଦୀପ୍ତ ସ୍ୱର-। ମା’କୁ ସେ କହୁଥାଏ ପ୍ରମୋସନ କଥା । ପୁଣି ଥରେ ମୁଁ ବେଶ୍‌ ହାଲୁକା ଅନୁଭବ କଲି-

 

ଗୋଡ଼ ହାତ ଧୋଇ ଚା’ ପିଉଥିବା ବେଳେ ରେବତୀ ମା’ ମାଉସୀର ସ୍ୱର ଶୁଭିଲା । ବାରଣ୍ତାରେ ବସି ମୋର ଅଝଟ ଝିଅକୁ ଶାନ୍ତ କରିବା ପାଇଁ ସେ କହୁଥାଏ–‘‘ହେଇ, ଦେଖ୍‍ ଦେଖ୍‍ । କ’ଣ ଲେଖା ହୋଇଛି ପଢ଼ । ଆଲୋ, ଶୁଣ । ମୁଁ ପଢ଼ୁଛି ।’’ ଝିଅ କିନ୍ତୁ ଶାନ୍ତ ହେବାର ନୁହେଁ । ମା’ ପାଖକୁ ଯିବ ବୋଲି ତା’ ସ୍ୱରରେ କ୍ରମେ ଅସ୍ଥିରତା ଓ ଜିଦ୍‌ ତୀବ୍ର ହୋଇ ପଡ଼ୁଥିଲା । ମାଉସୀର ଆଶ୍ୱାସନା ଅକାମୀ ହୋଇଯାଉଥିଲା ।

 

କପ୍‌ଟା ଟେବୁଲ ଉପରେ ରଖି ଦେଇ ବାରଣ୍ତାରେ ଠିଆ ହେବା କ୍ଷଣି ସାମନାରେ ପଡ଼ିଥିବା ଛିଣ୍ତା ଇଂରାଜୀ ଖବରକାଗଜରୁ ଦୃଷ୍ଟି ଫେରାଇ ମାଉସୀ ଚାହିଁଲା ମୋତେ । ଅବିଶ୍ୱାସ ଓ ଆନନ୍ଦରେ ତା’ର ଅର୍ଦ୍ଧଉନ୍ମୁକ୍ତ ପାଟିରୁ ବାହାରି ଆସଲା–‘‘ଦେଖ, ଦେଖ । ମୋ ବାପ କେତେବେଳୁ ଆସିଲାଣି । ମୁଁ ପୋଡ଼ାମୁହଁ ଜାଣିନାହିଁ । ଦେଖିଲୁ ? କିଏ ଠିଆ ହୋଇଛି ?’’

 

ଝିଅ ‘ବାପା, ବାପା’ ବୋଲି କହି ମୋ ପାଖକୁ ଧାଇଁ ଆସିବା ବେଳେ ମାଉସୀ ପ୍ରତିବାଦ କଲା–‘‘ଆଲୋ, ସେ ତୋ ବାପ, ନା ମୋ ବାପ ?’’

 

ଝିଅକୁ ଟେକିନେଲି ଦୁଇ ହାତରେ । ମାଉସୀ ପାଖକୁ ଯାଇ ଦେଖିଲି, ତା’ ସାମନାରେ ଓଲଟା ହୋଇ ପଡ଼ିରହିଛି କେଉଁକାଳର ଛିଣ୍ତା ଖବରକାଗଜ ଖଣ୍ତେ । ପୃଥିବୀ ପୃଷ୍ଠକୁ ଉପହାସ କରି ଠିଆ ହୋଇଥିବା ଦଶ-ବାର ମହଲା କୋଠାର ଚିତ୍ରଟିଏ ରହିଛି ତା’ ଭିତରେ । ଏହାକୁ ସାମନାରେ ରଖି ଅକ୍ଷର ବିବର୍ଜିତ ମାଉସୀ ପଢ଼ିବାର ପ୍ରଲୋଭନ ଦେଖାଉଥିଲା ଝିଅକୁ ।

 

–‘‘ମାଉସୀ, ମୋର ପ୍ରମୋସନ ହୋଇଛି । କ’ଣ ନେବୁ କହ । ନିଶ୍ଚେ ଦେବି ।’’ ମୋ ସ୍ୱରରେ ଥିଲା ପ୍ରତିଶ୍ରୁତି ।

 

–‘‘କ’ଣ କହିଲୁ ?’’ ସେ ବୁଝିପାରିଲା ନାହିଁ ମୋ କଥା ।

 

–‘‘ପ୍ରମୋସନ ।’’ ମୁଁ ବୁଝେଇବାକୁ ଚେଷ୍ଟା କଲି । ‘‘ବେଶି ଦରମା ମିଳିବ । ବଡ଼ ଘରଟିଏ ମିଳିବ । ମାନେ, ଉଚ୍ଚ ପାହ୍ୟାର ଅଫିସର ହେବି, ୟା’ପରେ ।’’

 

ତଥାପି ବୁଝି ନ ପାରିବା ମୁହଁରେ ସେ ଚାହିଁଲା ମୋତେ । ତେବେ ମୋ ସ୍ୱର ଓ କହିବା ଭଙ୍ଗୀରେ ଯେଉଁ ଭାବ ଫୁଟିଉଠିଥିଲା, ସେଇଥିରୁ ସେ ଖାଲି ଅନୁମାନ କଲା ଯେ, ଖୁସି ହେଲାଭଳି ଘଟଣାଟି ଘଟିଛି ମୋ’ପାଇଁ । ଏଇଥିସକାଶେ ମୁଁ ତାକୁ କିଛି ଦେବାପାଇଁ ଚାହୁଁଛି । ମାତ୍ର କ୍ରମଶଃ ତା’ ମୁହଁର ମାଂସପେଶୀଗୁଡ଼ିକ ସଙ୍କୁଚିତ ହୋଇ ଯାଉଥିଲେ । ଆନନ୍ଦର ତୀବ୍ରତା ହୃଦୟ ଓ ଆତ୍ମାକୁ ବିଚିତ୍ର ପୁଲକରେ ଝଙ୍କୃତ କରି ଆଖିରେ ଲୁହ ଆଣିବା ବେଳେ ମୁହଁର ଚେହେରା ଯେପରି ହୋଇଯାଏ, ମାଉସୀର ମୁହଁ ଠିକ୍‌ ସେଇପରି ହୋଇଯାଉଥିଲା । ମାତ୍ର ପରିସ୍ଥିତିକୁ ହାଲୁକା କରିବାକୁ ଯାଇ କହିଲି–‘‘କିଛି କହିଲୁ ନାହିଁ ଯେ ?’’

 

ସେ ନିଜ ଆଡ଼କୁ ଦୃଷ୍ଟି ଫେରାଇଲା । ଚାହିଁଲା ନିଜର ଶେଥା, ହଳଦିଆ, ନୀଳ, ଶିରା-ପ୍ରଶିରାକୁ ଘୋଡ଼ାଇ ରଖି ପାରୁନଥିବା ଚମଡ଼ାକୁ । ଦେଖିଲା ଛିଣ୍ତା ପୁରାତନ ପରିଧାନଟିକୁ । ହଠାତ୍‌ ସେ ଯେପରି ବିଚଳିତ ହୋଇଯାଉଥିଲା । ସେ ବୋଧହୁଏ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିଲା । ଜାଣି ପାରୁନଥିଲା କେଉଁ ଜିନିଷଟି ସେ ନେବ ମୋଠୁ; ଯାହା ତା’ର ସ୍ଥିତିକୁ ସଂସାରରେ ଦୃଢ଼ୀଭୂତ କରିଦେଇ ପାରିବ ଏବଂ ତା’ର ଜୀବନକୁ ଅର୍ଥମୟ କରିଦେଇ ପାରିବ । କ’ଣ ସେଇ ଜିନିଷଟି ପ୍ରକୃତରେ ? କେଉଁ ପ୍ରମୋସନ ମାଉସୀ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ? ଟଙ୍କା, ନା ଘର ? ନା ସମ୍ମାନ, ନା... କ’ଣ ?

 

ମାଉସୀର ଏଭଳି ଢଙ୍ଗ ମୋତେ କିନ୍ତୁ ଶଙ୍କାଗ୍ରସ୍ତ କରିଦେଲା । ମୋର ଆଶଙ୍କା ହେଲା ଯେ, ସେ ବୋଧହୁଏ ଏମିତି କିଛି ଜିନିଷ ମାଗିବାକୁ ଯାଉଛି, ଯାହା ଦେବା ମୋର କ୍ଷମତାର ବାହାରେ । ସେ ହୁଏତ ପ୍ରମାଣ କରିଦେବାକୁ ସଂକଳ୍ପବଦ୍ଧ ଯେ, ମୁଁ ଜଣେ ମଣିଷ–ଦୁଇଟି ହାତ, ଦୁଇଟି ଗୋଡ଼ ଓ କିଛି ବଦମାସୀ ସମ୍ପନ୍ନ ମଣିଷଟିଏ ମାତ୍ର । ମୁଁ ବିଧାତାର ଭୂମିକା ଆଦୌ ଗ୍ରହଣ କରିପାରିବି ନାହିଁ । ମାଉସୀର ଭାଗ୍ୟରେଖାକୁ ଏପଟ ସେପଟ କରିପାରିବି ନାହିଁ । ମାଉସୀ ମୋତେ ଛୋଟ ଓ ଗୁରୁତ୍ୱହୀନ ବୋଲି ପ୍ରମାଣ କରିଦେବା ଆଗରୁ ମୁଁ ନିଜର ପ୍ରତିଶ୍ରୁତି ପ୍ରତ୍ୟାହାର କରିନେବା ପାଇଁ ଉତ୍କଣ୍ଠିତ ହେଲି । କିଛି କହିବାକୁ ଯାଉଥିଲି; ମାତ୍ର ତା’ର ଆଗ୍ରହହୀନ, ଉଦାସ ସ୍ୱର ଶୁଭିଲା–‘‘ବାପ, କ’ଣ ମାଗିବି ତୋତେ ?’’

 

–‘‘ଯାହା ତୋ ଇଚ୍ଛା ।’’ ଅଜାଣତରେ ପୁଣି ବାହାସ୍ଫୋଟ ମାରିଥିବାରୁ ମୁଁ ଚିଡ଼ିଲି ନିଜ ଉପରେ ।

 

–‘‘ଠାକୁରେ ତୋତେ ଆଇସ ଦିଅନ୍ତୁ । ଆନନ୍ଦରେ ତୋ ଦିନ ବିତିଯାଉ ।’’ ମାଉସୀ କହିଲା ।

 

ଆଶ୍ୱସ୍ତ ହୋଇ ମୁଁ ହସି ପକାଇଲି । କହିଲି–‘‘ଆରେ, ତୁ ତ ମୋତେ କଲ୍ୟାଣ କଲୁ । କିଛି ତ ମାଗିଲୁ ନାହିଁ ।’’

 

ସେ ଆଉଥରେ ଗମ୍ଭୀର ହେଲା । କହିଲା–‘‘କ’ଣ ମାଗିବି ? କ’ଣ ମୋର ଦରକାର-?’’

 

ମାମୁଲି କଥା ପଦେ; କିନ୍ତୁ କାହିଁକି କେଜାଣି ମୁଁ ସ୍ତମ୍ଭୀଭୂତ ହେଲି । ମୋର ସମଗ୍ର ସତ୍ତା ତରଙ୍ଗାୟିତ ହୋଇଗଲା । ମାଉସୀ ଜାଣେ ନାହିଁ କ’ଣ ତା’ପାଇଁ ଲୋଡ଼ା । ସେ ଜମା ସଚେତନ ହୋଇ ପାରିନାହିଁ ମଣିଷର କାମନା କ’ଣ କିଭଳି ଏହା ଲମ୍ୱିଯାଇ ପାରେ କାହିଁ କେତେ ଦୂରକୁ । ବୁଢ଼ୀ ହେଲାଣି; କିନ୍ତୁ କେବେ ଆଉ ସେ ଜାଣିବ ଯେ, ମଣିଷ ଗୋଟିଏ ଅସମ୍ପୂର୍ଣ୍ଣ ପରିଧି ମାତ୍ର–ଗୋଟିଏ ଅତୃପ୍ତ, ପରିପୂର୍ଣ୍ଣତାହୀନ ଅସ୍ଥାୟୀ ଜୀବଟିଏ ? ମଣିଷର ଦରକାର ଏବଂ ଏଇ ଦରକାରଟିକୁ ପାଇବା ସକାଶେ ତା’ର ଅହରହ ଦଉଡ଼ର ଚିତ୍ର କଥା ସେ କେବେ ଭାବିଛି ଭଲା ?

 

ଅଥଚ ଏ ସଂସାରରେ ଦରକାରୀ ଜିନିଷର ତାଲିକା କିଏ ବା ପ୍ରସ୍ତୁତ କରିଦେଇ ପାରିବ, କହତ ? ଏଇଥିପାଇଁ ଏଠାରେ କାମନାର ବ୍ୟାପ୍ତି ସମ୍ପ୍ରସାରିତ ହୋଇ ଯାଇ ଧକ୍‍କା ଖାଏ ପରସ୍ପର ସହିତ । ଏତକ ହେଉନଥିଲେ କାହିଁକି ସଂଘର୍ଷ ରହୁଥାନ୍ତା ଏଠାରେ ? ଏତେ ହାହାକାର, ପରାଜୟ, ଲୁହ ରହନ୍ତା କାହିଁକି ? ମାଉସୀକୁ କହିଦେବି କି, ମଣିଷ କେଡ଼େ ଦୁଃଖୀ ଆଉ ନିରାଶ୍ରୟ-? ମାତ୍ର ମୁଁ ସଂଯତ କଲି ନିଜକୁ । ମାଉସୀ ବି ଜଣେ ମଣିଷ । ସେ’ତ ନିଜକୁ ଚିହ୍ନେ ନାହିଁ; ଅନ୍ୟ କାହା କଥା ବୁଝିବ କେମିତି ?

 

–‘‘ମାଉସୀ ।’’ ମୁଁ ପ୍ରସ୍ତାବ ବାଢ଼ିଲି । ‘‘ୟା ଭିତରେ ତୁ ବହୁତ ଶୁଖି ଯାଇଛୁ । ତୋ’ପାଇଁ ଦୁଇଟି ଭିଟାମିନ୍‌ ଟନିକ୍‌ କିଣିଦେବି ।’’ କହିଦେଲି ସିନା; କିନ୍ତୁ ହଠାତ୍‌ ମୁଁ ଅପରାଧୀ ମନେ କଲି ନିଜକୁ । ମୋ କଥା ମୋ କାନକୁ ଉପହାସମୟ ଶୁଣାଗଲା । ମାଉସୀ ପାଇଁ ଭିଟାମିନ୍‌ ଟନିକ୍‌ !

 

ସେ କିନ୍ତୁ କିଛି କହିଲା ନାହିଁ । ଚଟାଣ ଉପରୁ ଖବରକାଗଜ ଖଣ୍ତିକ ଉଠାଇ, ସେ କେବଳ ଏପଟ ସେପଟ କରି ଦେଖିବାରେ ଲାଗିଲା, ଅନ୍ୟମସ୍କ ହୋଇ ।

 

–‘‘ଲୁଗା ନେବୁ ?’’ ମୁଁ ଯାଚିଲି । ‘‘ତୋର ତ ଲୁଗା ନଥିବ ? ଗୋଟିଏ ଲୁଗା ନେ !’’ ମୋ ସ୍ୱରରେ ଥିଲା ଅନୁନୟ ଭାବ । ମାଉସୀ ବୋଧହୁଏ ଭାବିଲା ଯେ, ତାକୁ କିଛି ଦେବାପାଇଁ ମୁଁ ପ୍ରକୃତରେ ଖୁବ୍‌ ଉତ୍‌କଣ୍ଠିତ ଏବଂ ସେ ମୋ’ଠାରୁ କିଛି ଗ୍ରହଣ ନକଲେ ମୁଁ ଯଥେଷ୍ଟ କ୍ଷୁବ୍‌ଧ ହେବି ।

 

ସେ ଖବରକାଗଜଟିକୁ ଆସକ୍ତିହୀନ ଭାବରେ ଧରି ଚାହିଁଲା ମୋ ଆଡ଼କୁ । ଅପ୍ରତିଭ ଓ ଶଙ୍କିତ ହସ ହସି କହିଲା–‘‘ମାଗିବି । ଦେବୁ ?’’

 

ମୁଁ ସମ୍ମତି ସୂଚକ ମୁଣ୍ତ ହଲେଇଲି ଏବଂ କେତୋଟି ମୁହୂର୍ତ୍ତ ପାଇଁ ଅସ୍ଥିର ହୋଇପଡ଼ିଲି ।

 

ଛେପ ଢ଼ୋକି କହିଲା–‘‘ଦଶଟା ଟଙ୍କା ଯଦି ଦିଅନ୍ତୁ, ତେବେ କାଳିଆକୁ ଦର୍ଶନ କରି ଆସନ୍ତି । ଫଗୁଣ ମାସରେ ଏ ଗାଁରୁ କେତେଜଣ ଯିବେ । ତାଙ୍କରି ସାଙ୍ଗେ ଯାଆନ୍ତି ।’’ ମୋ ମୁହଁରୁ ଦୃଷ୍ଟି ଫେରାଇଲା । ଦୁଃଖିତ ହେଲାଭଳି ବାଷ୍ପାକୁଳ, ଥରିଲା କଣ୍ଠରେ ଯୋଗ କଲା–‘‘ବାପା, ଏତେଗୁଡ଼ାଏ ଟଙ୍କା ମାଗିବାକୁ ମୁଁ କ’ଣ ଭରସା ପାଇଥାନ୍ତି ? କାହିଁ କେତେ ଯୁଗରୁ ମନଟା ଘାଣ୍ଟି ଚକଟି ହେଉଛି ଦର୍ଶନ କରିବା ପାଇଁ ।’’

 

ମଳିନ ଅପରାହ୍ନରେ, ମୋ ସାମନାରେ ବସିଥିବା ଗରିବ ସ୍ତ୍ରୀଲୋକଟି ମୋତେ ଦ୍ୱିତୀୟ ଥର ପାଇଁ ଚମତ୍କୃତ କଲା । ମୋତେ ହାଲୁକା ଓ ପରିଚ୍ଛନ୍ନ କରିଦେଲା ଗୋଟିଏ ଅଭୂତପୂର୍ବ ମୁହୂର୍ତ୍ତ-। ଜୀବନର ସର୍ବଶ୍ରେଷ୍ଠ ସୂତ୍ରଟି ମୋର ସମଗ୍ର ଶରୀରରେ ଝଙ୍କୃତ ହୋଇ ମୋତେ ଓ ମୋର ପୃଥିବୀକୁ ସଙ୍ଗୀତ ମୁଖର କରିଦେଲା କେତୋଟି ଅନନ୍ୟ ପଲକ ପାଇଁ । ଏଇ ସୂତ୍ରଟିର ସତ୍ୟତା ଓ ଅବିନଶ୍ୱରତା ଏଭଳି ଏକ ପ୍ରଶାନ୍ତି ଆଣିଦେଲା ଯେ, ମୁଁ ଭାବିଲି, ଏ ସଂସାର ଉପରେ ମୋର ଅଯଥା ଦାବିର ସ୍ଳୋଗାନ ନୀରବ ହୋଇଯାଉଛି । ସଂସାର ପଡ଼ିରହିଛି–ବିନା ଦୀର୍ଘଶ୍ୱାସରେ ଏହାକୁ କେବଳ ଆପଣାର କରିନେବାର କଥା । ଏହାର ପୃଷ୍ଠକୁ ନହୁନୁହାଣ କରି, ଏହାର ପବନକୁ ସଂଘର୍ଷମୟ କରି ଶେଷରେ ବିମର୍ଷ ହେବା ଭିତରେ କେଉଁ ବିଜ୍ଞତା ବା ରହିଛି ?

 

ଝିଅକୁ ତଳେ ଓହ୍ଲାଇ ଦେଇ ମୁଁ ଶୋଇବା ଘରେ ପଶିଲି । ଦୁଇଟି ପରିଷ୍କାର ଦଶଟଙ୍କିଆ ନୋଟ୍‌ ଆଣି ମାଉସୀ ହାତକୁ ବଢ଼ାଇ ଦେଲି । କହିଲି–‘‘ମାଉସୀ, ମୋ’ପାଇଁ ଭୋଗ ଟିକିଏ ଆଣିବାକୁ ଭୁଲି ନ ଯାଉ ଯେମିତି ।’’

 

ସେ କିଛି କହିଲା ନାହିଁ । ମଇଲା, କୋତରା କାନିରେ ନୋଟ୍‌ ଦୁଇଟିକୁ ବାନ୍ଧିବା ବେଳେ ସେ ମୋ ଆଡ଼କୁ ଏମିତି ଏକ ମୁହଁରେ ଚାହିଁଲା; ଯାହା ସୂଚେଇ ଦେଲା ଯେ, ଫଗୁଣମାସରେ ସେ ଅର୍ଜନ କରିବାକୁ ଯାଉଥିବା ଅଭିଜ୍ଞତା ହିଁ ଜୀବନର ଏକମାତ୍ର ଉଦ୍ଦେଶ୍ୟ । ଏଇଥିପାଇଁ ଜୀବନର ଏତେ ପ୍ରତୀକ୍ଷା । ଗୋଟାଏ ପରିତ୍ୟକ୍ତ ମନ୍ଦିରରେ ଆକସ୍ମିକ ଆଳତିର ବାସ୍ନା ଓ ହୁଳହୁଳିର ବିଶ୍ୱାସମୟ ଧ୍ୱନି ଭଳି ବୋଧହୁଏ ମାଉସୀର ସତ୍ତା ଆବିଷ୍କାର କରିପାରିଲା ଏକ ଆଲୋକିତ ସମ୍ଭାବନାକୁ ।

 

ସେ ଯିବା ପରେ ତଳେ ପଡ଼ିଥିବା ଛିଣ୍ତା ଖବରକାଗଜଟିକୁ ଉଠାଇ ଆଣିଲି । ଗୋଟିଏ ପାଖରେ ବାରମହଲା କୋଠାର ପଚାଶଟି ଫ୍ଲାଟ୍‌ ଆଗ୍ରହୀ ଲୋକଙ୍କୁ ଦେବା ସଂକ୍ରାନ୍ତରେ ଦରଖାସ୍ତ ଗ୍ରହଣ ପାଇଁ ଆହ୍ୱାନ । ଅନ୍ୟ ପାଖରେ ଏକ ପ୍ରସିଦ୍ଧ ଲୁଗା ଉତ୍ପାଦନକାରୀ କାରଖାନାର ବିଜ୍ଞାପନ-। ସେଇ କାଗଜ ଖଣ୍ତିକରେ ଥିଲା ବୋମା ବିସ୍ଫୋରଣ ବିରୁଦ୍ଧରେ କୋତୋଟି ଦେଶର ପ୍ରତିବାଦ, ନାରୀ ଧର୍ଷଣ ଅଭିଯୋଗରେ ଅଭିଯୁକ୍ତ ହୋଇ ଯୁବକର କାରାବରଣ, ବୋନସ୍‌ ଦାବି କରି କେତେଜଣ ଶ୍ରମିକଙ୍କ ଆମରଣ ଅନଶନ । ମୁଁ ବେଶ୍‌ ଆମୋଦିତ ହେଲି । କାଗଜଟିକୁ ଓଲଟା ଢଙ୍ଗରେ ଧରି ରେବତୀ ମା’ ମାଉସୀ ମୋର ଅଝଟ ଝିଅକୁ ଆଶ୍ୱାସନା ଦେଉଥିଲା, ତହିଁରେ ଲେଖାଥିବା କଥା ପଢ଼ି ଶୁଣେଇବା ପାଇଁ !

 

ସୁଇଚ୍‌ ଟିପି ପ୍ରୀତି ଘୋଷଣା କଲା ଯେ, ମୁହଁ ସଞ୍ଜ ବେଳ ଗଡ଼ିଯାଉଛି । ମୁଁ ଆସିଛି ବୋଲି ସେ ଆଜି ଭାରି ତତ୍ପର । ଝିଅ କେଉଁଥିପାଇଁ କେଜାଣି ଅଳି କରୁଥାଏ ରୋଷେଇ ଘରେ । ତହିଁକି ନିଘା ନଥାଏ ତା’ର ।

 

ହାତରେ ଟର୍ଚ୍ଚ ଧରି ମୁଁ ବାହାରିଲି ପଦାକୁ । ବାରି ଟପି ଗାଁ ସଡ଼କ ଉପରକୁ ଉଠିବା ମାତ୍ରେ ସାମନା ଘର ଉପରୁ ଦୃଷ୍ଟି ବୁଲାଇ ଆଣିଲି । କୁମରଦାଦାର ଚାଳଘର । ସନ୍ନ୍ୟାସୀର ଅବିଚଳିତ ଭାବ ଏବଂ ସମସ୍ତ ଦୁଃଖକୁ ଗ୍ରହଣ କରିନେବାର ନୀରବ ସଂକଳ୍ପ ନେଇ ଠିଆ ହୋଇଛି ଆଗଭଳି । ପିଣ୍ତା ତଳକୁ ହଳେ ବଦଳ ଘାସ ଚୋବେଇ ଚାଲିଛନ୍ତି ଏକାଗ୍ରତାର ସହିତ । ମଞ୍ଜୁ ମରିବାର ବର୍ଷେ ହେଲାଣି । ସେଇଥିପାଇଁ ପାଞ୍ଚଣଟିଏ ହାତରେ ଧରି ସେ ଘାସ ସଜାଡ଼ି ଦେବା କିମ୍ବା ବଳଦ ଦୁଇଟିର ପାରସ୍ପରିକ କଳହକୁ ସମାଧାନ କରିବାର ଦୃଶ୍ୟ ହଜିଯାଇଛି । କୁମରଦାଦା ବସିଛି ପିଣ୍ତା ଉପରେ । ଚାଳରୁ ଝୁଲୁଛି ଗୋଛାଏ ଝୋଟ । ମଳିନ ଆଲୋକ ସତ୍ତ୍ୱେ ସେ ଦଉଡ଼ି ବଳୁଛି । ଭଲ-ମନ୍ଦ ଦୁଇପଦ କଥା ହେବା ପରେ ମୁଁ ଆଗେଇ ଚାଲୁଥିଲି । ସେତିକିବେଳେ ଅନ୍ୟ ଦିଗରୁ ସନୁ ମା’ ଖୁଡ଼ୀର ଡାକ ଶୁଣିବାକୁ ପାଇଲି–‘ସନୁରେ, ଏ ସନୁ । ବହୁ ଦୂରରୁ ଭାସିଆସିଲା ଚିରାଚରିତ ଜବାବଟିଏ–‘ହଁ, ହଁ ।’ ପୁଣି ଶୁଭିଲା ଖୁଡ଼ୀର ସ୍ୱର–‘ଦୋକାନରୁ କିରାସିନି ଟୋପାଏ ଆଣିବୁ । ଡିବିରିରେ ତେଲ ନାହିଁ । ଅନ୍ଧାର ରାତି ।’

 

ଏଠାରେ ଆଉ ଥରେ କହି ରଖେ ଯେ, ମୋର ସମବୟସ୍କ ସନୁ ଜନ୍ମ ହେବା ପୂର୍ବରୁ ଖୁଡ଼ୀ ଅନ୍ଧୁଣୀ ହୋଇ ଯାଇଥିଲା । ବସନ୍ତ ରୋଗକୁ ଏବେ ବି ଭୟ କରୁଥିବା ଖୁଡ଼ୀ ନିଜକୁ ଅଭ୍ୟସ୍ତ କରାଇ ପାରିଛି ଚିରନ୍ତନ ଅନ୍ଧକାର ଭିତରେ କିପରି ବଞ୍ଚି ରହିବାକୁ ହୁଏ । ତଥାପି ଘରର ଅନ୍ୟମାନଙ୍କ ପାଇଁ ଆଲୋକ ଲୋଡ଼ା । ଡିବିରିର କସରତ ଲୋଡ଼ା । ଏଣେ କୁମରଦାଦା ଦଦରା ଚାଳଘର ଓ ସମ୍ଭାବିତ ମୃତ୍ୟୁର ନିର୍ମମତା ସତ୍ତ୍ୱେ ନିଜର ଦାୟିତ୍ୱ ଭୁଲିଯାଇ ନାହିଁ । ବଡ଼ପୁଅ ଗୋଲକ ମଲାଣି ପାଞ୍ଚବର୍ଷ ହେବ, ମଞ୍ଜୁ ମରିବାର ବର୍ଷେ ହେଲାଣି ବୋଲି କହୁଥିଲି; କିନ୍ତୁ ଦଉଡ଼ି ବଳିବାର ଶେଷ କେଉଁଠି ? ବଳଦଙ୍କୁ ଘାସ ଖୁଆଇବାର ଅବ୍ୟାହତି ମିଳିବ କେଉଁଦିନ ?

 

ଆମ ଗାଁ ଆଦୌ ବଦଳି ନାହିଁ ଖବରକାଗଜର ପ୍ରକାଶନ ସତ୍ତ୍ୱେ । ଅକ୍ଷର ବିବର୍ଜିତ ମଣିଷମାନେ ଏହାକୁ ଓଲଟା ଧରନ୍ତି, ଏହାକୁ ଉପହାସ କରନ୍ତି । ଏମାନଙ୍କ ପାଇଁ ଜୀବନର ଗତି ବାଇଶି ପାହାଚ ଅତିକ୍ରମ କରିବା; ପ୍ରାପ୍ତି, କାଳିଆକୁ ଦର୍ଶନ କରିବା ।

 

ସେଦିନ ରାତିରେ ସୁଖ-ଦୁଃଖର କଥା ପରେ, ପ୍ରୀତିକୁ ପଚାରିଲି ମାଉସୀ ସମ୍ପର୍କରେ । ହଠାତ୍‌ ଏକ ଗୁରୁତର କଥା ମନେ ପକାଇଲା ଭଳି ଚଞ୍ଚଳ ସ୍ୱରରେ ସେ କହିଲା–‘‘କାଲି ଯଦି ତା’ ସଙ୍ଗେ ଦେଖାହୁଏ, ତେବେ ପଚାରିବ ତ ରେବତୀ ବାପ କାହିଁକି ଘର ଛାଡ଼ି ପଳେଇଲେ ।’’

 

–‘‘କ’ଣ କହିଲ ?’’ ପ୍ରୀତିର କଥା ମୋର ତନ୍ଦ୍ରାକୁ ବିସ୍ମୟ ଓ ଚାଞ୍ଚଲ୍ୟ ଭିତରେ ଦ୍ରବୀଭୂତ କରିଦେଲା । ‘‘ଘର ଛାଡ଼ି ପଳେଇଲା ? କେବେ ? କାହିଁକି ?’’

 

ପ୍ରୀତି କହିଲା–‘‘ପନ୍ଦର ଦିନ ହେଲାଣି । ତାଙ୍କର ଆଉ ପତ୍ତା ମିଳୁନାହିଁ । କାହିଁକି ପଳେଇଲେ କେଜାଣି ?’’

 

–‘‘ତେବେ ଇଏ ଚଳୁଛି କେମିତି ?’’

 

ଏଥର ପ୍ରୀତିର ତାଚ୍ଛଲ୍ୟ ସ୍ୱର ଶୁଭିଲା–‘‘ସତେ ଯେମିତି ରେବତୀ ବାପ ୟାକୁ ପୋଷୁଥିଲେ ! ତାଙ୍କ ଭଳି ନିକମା ମଣିଷ କାହାଘରେ ବର୍ଷେରୁ ଅଧିକ ମୂଲିଆ କାମ କରିଛନ୍ତି କହିଲ ? ଆମ ଘରକୁ ମିଶାଇ ଚାରୋଟି ଘରେ ମାଉସୀ ବାସି-ପାଇଟି କରେ, ଘର ଲିପା ପୋଛା କରେ । ଚଳିଯାଏ କୌଣସିମତେ ।’’ ତା’ପରେ ଦୀର୍ଘଶ୍ୱାସ ତ୍ୟାଗକରି ଯୋଗକଲା–‘‘ମାଉସୀ ଭଳି ମଣିଷମାନଙ୍କର ଜୀବନର ଆବଶ୍ୟକତା କେଡ଼େ ସୀମିତ । ପେଟ ପୂରିଲେ ହେଲା । ସଂସାରର ଅନ୍ୟକଥା ଅବାନ୍ତର ।’’

 

ପରଦିନ ସକାଳେ ବିଲଆଡ଼ୁ ଘେରାଏ ବୁଲିଆସିବା ପାଇଁ ମୁଁ ବାହାରିଲି । ମାଉସୀ କଥା ଜମା ମନେନଥାଏ । ଦିନ ଏଗାରଟା ବେଳକୁ ଫେରିବା ବେଳେ ମାଉସୀର ଘର ଉପରେ ଦୃଷ୍ଟି ପଡ଼ିଲା । ଘରପାଖ ଅମୃତଭଣ୍ତା ଗଛରୁ ଲମ୍ୱା ବାଉଁଶ ସାହାଯ୍ୟରେ ସେ ଅମୃତଭଣ୍ତା ପାରୁଥାଏ ।

 

ଆକାଶ ଓ ପୃଥିବୀ ମଧ୍ୟରେ ଥିବା ଯେକୌଣସି ଅନ୍ତରାୟ, ଯେକୌଣସି ବାଡ଼ କେତେ ଅସ୍ଥାୟୀ ଓ ରୁଗ୍‌ଣ, ତାହା ମାଉସୀର ଘରକୁ ଦେଖିଲେ ସହଜରେ ବୁଝି ହେବ । ଘରର ରୁଅ, ବତା ଉଲଗ୍ନ ହୋଇ ପଡ଼ୁଛନ୍ତି, କାନ୍ଥ ଛିଣ୍ତି ଯାଉଛି । ଏଇ ଛିଣ୍ତିଯିବାର ଚିରନ୍ତନ କାହାଣୀ ଭିତରେ ମାଉସୀ ବ୍ୟତିକ୍ରମହୀନ ଚରିତ୍ରଟିଏ । କାହିଁ କେତେ ଦୂରରୁ ମୁଣ୍ତରେ କଳେଇ ବୋଝେଇ କରି ଏଇ ମଣିଷଟି ସ୍ପର୍ଦ୍ଧିତ ଗତିରେ ଖଳାକୁ ଯିବା ଆସିବା କରୁଥିଲା । ବସ୍ତା ବସ୍ତା ଧାନ କୁଟି ଢିଙ୍କିର ଡେଣାରୁ ଆର୍ତ୍ତନାଦ ସୃଷ୍ଟି କରିପାରୁଥିଲା । କୁଆଡ଼େ ଉଭେଇ ଯାଏ ସେ ପାରିଲାପଣ, ବଳିଷ୍ଠ ଦେହର ଆତ୍ମବିଶ୍ୱାସ ?

 

ମୁଁ ହାଇସ୍କୁଲରେ ପଢ଼ିଲା ବେଳକୁ କେଉଁ ଗାଁରୁ କେଜାଣି ଏଇ ଦମ୍ପତିଟି ଉଠି ଆସି ଆମ ଗାଁର ଅନାବାଦୀ ପଡ଼ିଆରେ ଏଇ ଘର ଖଣ୍ତିକ ତିଆରି କରିଥିଲେ । ରେବତୀକୁ ସେତେବେଳେ ସମ୍ଭବତଃ ଛ’ବର୍ଷ ହୋଇଥିବ । ମା’କୁ ନାନୀ ବୋଲି ଡାକିବା ଆରମ୍ଭ କଲା ଏଇ ମାଉସୀ । ଯେଉଁ ବର୍ଷ ଚାକିରି କଲି, ସେଇ ବର୍ଷ ରେବତୀ ବାହା ହୋଇଗଲା । ଗତ ବର୍ଷ ସାଙ୍ଘାତିକ ବେମାର ପଡ଼ିଲା ମାଉସୀ । ଏମାନଙ୍କର ଜୀବନ ତ ଭାରି ଶସ୍ତା । ଏମାନେ ବଞ୍ଚି ରହନ୍ତି, ଜର-ବାଧିକିରେ ମରନ୍ତି ନାହିଁ ବୋଲି । ବେମାରୀ ପରେ ମାଉସୀ ବଞ୍ଚି ରହିଲା, ନିଜ ସ୍ୱାସ୍ଥ୍ୟ ଓ ତାକତ୍‌ର ଧ୍ୱଂସାବଶେଷକୁ ନେଇ । ତା’ ପରଠୁ ତା’ର ମୁଣ୍ତ ବୁଲାଏ, ଧଇଁ ସଇଁ ହୁଏ, ବେଳେବେଳେ କାଶି କାଶି ଜଡ଼ସଡ଼ ହୋଇଯାଏ ।

 

ଏଇସବୁ କାରଣରୁ ମାଉସୀ ପ୍ରତି ମୁଁ ଦରଦୀ ହୋଇଯାଇଛି । ଏ ଯେମିତି ଚେରହୀନ, ଆରୋପିତ ମଣିଷଟିଏ । ପୃଥିବୀ କ’ଣ ତାକୁ ମନା କରିଥିଲା ନିଜର ବୋଲି ଦୁଇହାତ ଜମି ଅଧିକାର କରିବାକୁ ? ଏ ଗାଁରୁ ସେ ଗାଁ ହୋଇ ଏମିତି ଜୀବନଟାକୁ ବଦଖର୍ଚ୍ଚ କାହିଁକି କଲା ? ଏଭଳି ପ୍ରଶ୍ନର କୌଣସି ଉତ୍ତର ତା’ଠୁ ମିଳେ ନାହିଁ । ଖାଲି କହେ, ରେବତୀ ତ ଘର-ସଂସାର କଲା-। ଏଣିକି ଆଉ ଚିନ୍ତା କ’ଣ ? ତେବେ, ରେବତୀ ବାପ ଘର ଛାଡ଼ି କେଉଁଆଡ଼େ ପଳେଇଯିବା କଥା ଶୁଣି କାଲି ରାତି ମୁଁ ଅସ୍ଥିର ହୋଇଥିଲି । ମାଉସୀର ନିର୍ଜନ, ପରିତ୍ୟକ୍ତ ଜୀବନ କଥା ଭାବି ଶଙ୍କାଗ୍ରସ୍ତ ହୋଇଥିଲି ।

 

–‘‘ବିଲଆଡ଼େ ଯାଇଥିଲୁ ?’’ ସେ ପଚାରିଲା । ମୋତେ ଠିଆ ହେବାର ଦେଖି ସେ ଅନୁମାନ କଲା ଯେ, ତା’ ସାଙ୍ଗେ ଦି’ପଦ କଥା ହେବାକୁ ମୁଁ ଅଟକି ଯାଇଛି । ବାଉଁଶଟିକୁ ରଖି ସେ ବସିଲା ପିଣ୍ତା ତଳେ । ଗାମୁଛାରେ ମୁହଁ ଓ ଦେହର ଝାଳ ପୋଛି ହେଉଁ ହେଉଁ ମୁଁ ଉପରେ ବସିଲି ।

 

–‘‘ମଉସା କୁଆଡ଼େ ଗଲା ?’’ ସିଧାସଳଖ ପଚାରିଲି । ‘‘ଶୁଣିଲି ପନ୍ଦରଦିନ ହେବ ଗାଁରେ ନାହିଁ ।’’

 

–‘‘ହଁ ।’’ ଉଦାସ, ଅଥଚ ଅନାସକ୍ତ ଉତ୍ତରଟାଏ । ତା’ ମୁହଁରେ ଆଗ୍ରହ ହଜି ଯାଉଥିଲା ।

 

–‘‘ଗଲା କୁଆଡ଼େ ? ରେବତୀ ପାଖକୁ ଯାଇନାହିଁ ତ ?’’

 

–‘‘ନା ।’’

 

–‘‘ଫେରିବ କେବେ ତା’ହେଲେ ?’’

 

–‘‘କେଜାଣି ବାପ ?’’ ତା’ପରେ ସ୍ପଷ୍ଟଭାବରେ କହିଲା, ‘‘ମୁଁ ଜାଣେ ସେ ଆଉ ଫେରିବେ ନାହିଁ ।’’

 

–‘‘କେଉଁଠି ତ ଘରଦ୍ୱାର ନାହିଁ, ବନ୍ଧୁ ବାନ୍ଧ ବାନ୍ଧବ ନାହାନ୍ତି । ସେ ରହିବ ବା କେଉଁଠି ? ଫେରିବ ନିଶ୍ଚୟ ।’’ ମୁଁ ଆଶ୍ୱାସନା ଦେଉଥିଲି ।

 

–‘‘ଏତେ ବର୍ଷ ତାଙ୍କ ସଙ୍ଗେ ଚଳିଲି; ତାଙ୍କୁ ଆଉ ଚିହ୍ନିବାକୁ କ’ଣ ବାକି ଅଛି ? ସେ ଫେରିବେ ନାହିଁ ।’’ ମାଉସୀ ନିଜ ଉପସଂହାରରେ ଅଟଳ ରହିଲା । ମାତ୍ର ତା’ ସ୍ୱରରୁ ମୁଁ ଏତକ ବୁଝିଲି ଯେ, ଲୋକଟି ଏମିତି ଆକସ୍ମିକ ଭାବରେ ଘରଛାଡ଼ି ପଳେଇ ଯିବାର କାରଣଟି ମାଉସୀକୁ ଜଣାଅଛି ।

 

–‘‘ତୁ ଜାଣିଲୁ କେମିତି ?’’

 

କେତୋଟି ମୁହୂର୍ତ୍ତ ପାଇଁ ଅସ୍ଥିରତାର ସହିତ ସେ ଏଣେତେଣେ ଚାହିଁଲା । ତା’ପରେ କିନ୍ତୁ ଅନ୍ୟମନସ୍କ ରହିଲା, ମୋର ଏବଂ ପରିବେଶର ଉପସ୍ଥିତି ପ୍ରତି ସଚେତନ ନ ହୋଇ । ତା’ର ଏଇ ସଙ୍ଘର୍ଷର ମୁହୂର୍ତ୍ତଗୁଡ଼ିକୁ ପର୍ଯ୍ୟାଲୋଚନା କରୁଥିଲି; କଥାଟି ସେ ପ୍ରକାଶ କରିବ କି ନାହିଁ ବୋଲି ଦ୍ୱନ୍ଦ୍ୱଟିକୁ ଲକ୍ଷ୍ୟ କରୁଥିଲି । ମୁଁ ବେଶ୍ କୌତୂହଳୀ ହୋଇ ପଡ଼ିଲି; କିନ୍ତୁ ନିଜର ଅନୁସନ୍ଦିତ୍ସାକୁ ଆୟତ୍ତ କରିବା ପାଇଁ ପଡ଼ିଲା । ମୋର ଭୟ ହେଲା ଯେ, ତା’ କଥା ଜାଣିବା ପାଇଁ ମୋର ଖୋଲାଖୋଲି ଆଗ୍ରହଟା ତା’ ମନକୁ କଠିନ କରିଦେଇ ପାରେ । ସେ ନିଜର କଥା ମୋଟେ ପ୍ରକାଶ କରିନପାରେ-

 

କିଛି ସମୟ ପରେ କହିଲି–‘‘ମୁଁ ତେବେ ଯାଉଛି ।’’ ଠିଆ ହେଲି ଏବଂ ଯୋଗ କଲି–‘‘ରେବତୀ ପାଖକୁ ବେଉରା ପଠା । ସେ ତୋତେ ମଝିରେ ମଝିରେ ଦେଖି ଯାଉଥିବ । ନ ହେଲେ ଏକୁଟିଆ ଲାଗିବ । କେତେ ଆଉ ହନ୍ତସନ୍ତ ହେବୁ ?’’ ସେ କିନ୍ତୁ ମୋ ପ୍ରସ୍ତାବଟିକୁ ଭଲକରି ଶୁଣିପାରିଲା ବୋଲି ମୋର ବିଶ୍ୱାସ ହେଲା ନାହିଁ । ଷଡ଼ଯନ୍ତ୍ର ପାଇଁ ଗୁପ୍ତ କଥାଟିଏ କହିବା ସ୍ୱରରେ ସେ କହିଲା–‘‘ବସ । ତୋତେ ସବୁ କଥା କହିବି ।’’ ଲୁହ ଭିଜା ସ୍ୱରରେ ସେ କହିଚାଲିଲା–‘‘ଏ ଦେହ ଆଉ ମନ ଏଡ଼େବଡ଼ କଥାଟାକୁ ଘୋଡ଼ାଇ ରଖି ପାରୁନାହିଁ, ବାପ । ସବୁବେଳେ ଛଟପଟ ଲାଗୁଛି । ଜମା ଶାନ୍ତି ନାହିଁ ।’’

 

ପୁଣି କେତୋଟି ଅନ୍ୟମନସ୍କତାର ମୁହୂର୍ତ୍ତ । ଶେଷରେ ସେ ଯେଉଁ କାହାଣୀଟି ଶୁଣେଇଲା, ତା’ର ସାରମର୍ମ ଏଇଭଳି ଲେଖାଯାଇ ପାରେ–

 

ଆର ସାହିର ଚମ୍ପା ଦୁଇବର୍ଷ ହେବ ବିଧବା ହୋଇ ଶାଶୁଘରୁ ପଳାଇ ଆସିଛି । ଦିନେ ଦିନେ ରାତି ଦଶଟା-ଏଗାରଟା ବେଳକୁ ସେ ଆସେ ମାଉସୀର ଏଇ ଘରକୁ ।

 

ଏତକ ଶୁଣିବା ପରେ କରୁଣ ଦୃଷ୍ଟିରେ ଚାହିଁଲି ମାଉସୀର ହାଡ଼ ସର୍ବସ୍ୱ ଦେହକୁ । ଗତବର୍ଷର ବେମାର ତା’ର ସମସ୍ତ ରକ୍ତ-ମାଂସ ଚିପୁଡ଼ି ନେଇ ଅକାଳରେ ତାକୁ ପରିତ୍ୟକ୍ତ ଘରଟିଏ କରି ଦେଇଛି । ଏବେ ତା’ ଦେହର ଚମଡ଼ା ସତେ ଯେମିତି ସେ ଘର କାନ୍ଥ ଉପରେ ଶୁଖିଲା ଶିଉଳିର ବକଳା ।

 

ଚମ୍ପା ଆସେ । ଛପିଛପିକା । ପଶେ ଘର ଭିତରେ । ମାଉସୀକୁ କୁହାଯାଏ ପିଣ୍ତା ଉପରେ ବସିବା ପାଇଁ । କୌଣସି କାମ ପାଇଁ କେହି ଯଦି ମଉସା ପାଖକୁ ଆସେ ତେବେ ସେ କହିବ ଯେ ସେ ନାହାନ୍ତି ଘରେ ।

 

ମାଉସୀ ଅଟକି ଗଲା । ସେତେବେଳେ ତା’ କଥା ପରିଷ୍କାର ଶୁଣାଯାଉନଥାଏ । ସମସ୍ତ ଆବେଗ ଓ ବକ୍ତବ୍ୟକୁ ସେ ପ୍ରକାଶ କରୁଥାଏ କେବଳ ଗୁଡ଼ାଏ ଭଙ୍ଗା ବାକ୍ୟ ମାଧ୍ୟମରେ । ପଚାରିଲି–‘‘କ’ଣ କରୁ ତୁ ସେତେବେଳେ ?’’

 

–‘‘ପିଣ୍ତାରେ ବସେ । ଭିତରୁ ଛିଟିକିଣି ବନ୍ଦ ହେବାର ଶବ୍ଦ ବି ଶୁଣେ । ବସିରହେ । କେହି ଯଦି ୟାଙ୍କ ପାଖକୁ କିଛି କାମ ପାଇଁ ଆସିବ, ସେ ଘରେ ନାହାନ୍ତି ବୋଲି କଥା ପଦକ କହିବା ସକାଶେ ବସିରହେ । ବାରମ୍ୱାର ଏଇ କଥାଟିକୁ ମନ୍ତ୍ର ଭଳି ଘୋଷୁଥାଏ; କାଳେ ସତକଥାଟି ପାଟିରୁ ଖସିଯିବ ବୋଲି । ପାଟି, ତଣ୍ଟି ଶୁଖିଯାଏ । ହେଲେ ନିଜ କାମରେ ହେଳା କରିନାହିଁ ।’’

 

ସେଇ ସମୟରେ ମାଉସୀ ଭାବେ, ତା’ର ସମସ୍ତ ଶିରା, ପ୍ରଶିରା, ସ୍ନାୟୁଗୁଡ଼ିକୁ କିଏ ଯେମିତି ନିଷ୍ଠୁରତାର ସହିତ ଛିଣ୍ତାଇ ପକାଉଛି । ତା’ ଚାରିପାଖରେ ପୃଥିବୀ ଜାଲଜାଲୁଆ ଜଣାପଡ଼େ । ସେ ଭାବେ, ସବୁ ଘୂରୁଛି ତାକୁ କେନ୍ଦ୍ର କରି । କିଛି ସମୟ ପରେ ଛିଟିକିଣି ଖୋଲେ । ମାଉସୀର ଦୃଷ୍ଟି ଅନ୍ତରାଳକୁ ଚାଲିଯିବା ପର୍ଯ୍ୟନ୍ତ ସେ ଚମ୍ପାକୁ ଚାହିଁ ରହେ ।

 

ଏଇ ପନ୍ଦରଦିନ ତଳର କଥା । ଅପରାହ୍ନ ଚାରିଟା ବେଳେ ମଉସା ଧଇଁସଇଁ ହୋଇ ଘର ଭିତରେ ପଶିଲା । ମାଉସୀର ବେକକୁ ଚିପି ଧରି କହିଲ–‘‘ଶାଳୀ, କହ, ମୋ କଥା କ’ଣ କହିଛୁ ଗାଁରେ ।’’ କୌଣସି ଉତ୍ତରକୁ ଅପେକ୍ଷା ନ କରି ସେ ପିଶାଚ ଭଳି ନିସ୍ତୁକ ମାଡ଼ ଦେବା ଆରମ୍ଭ କଲା । ପଚାରୁଥାଏ–‘‘ମୋତେ ଆଉ ଚମ୍ପାକୁ ନେଇ କ’ଣ ସବୁ କହିଛୁ କହ ।’’

 

ମାଉସୀ ଦରମଲା ସ୍ୱରରେ କାହାକୁ କିଛି କହିନାହିଁ ବୋଲି ଅନୁନୟ ହୋଇ ପ୍ରତିବାଦ କରୁଥାଏ । କିନ୍ତୁ ସେ ଦୁର୍ଦ୍ଦାନ୍ତ ମଣିଷଟି ମାଉସୀର ମୁଣ୍ତର କେଶକୁ ଧରି ଘର ଭିତରେ ଘୋଷାରୁଥାଏ ଏବଂ ତା’ର ସମ୍ପୂର୍ଣ୍ଣ ଉଲଗ୍ନ ଶରୀର ଉପରେ ଗୋଇଠା ମାରି ଘୋଷଣା କରୁଥାଏ–‘‘ସତକହ, ନହେଲେ ଖଣ୍ତଖଣ୍ତ କରି କାଟିଦେବି ।’’

 

ମାଉସୀର ଦୁଇ ଓଠ ସନ୍ଧିରୁ ରକ୍ତ ଝରିବା ଆରମ୍ଭ କରିଥିଲା । ସେ ଭାବୁଥିଲା ଯେ, ତା’ର ସମସ୍ତ ହାଡ଼, ଗଣ୍ଠି-କବ୍‌ଜାରୁ ଖସି ଆସିବେ ଏବଂ ଚୂନା ଚୂନା ହୋଇ ଭାଙ୍ଗିଯିବେ । ସମସ୍ତ ଶକ୍ତି ଠୁଳକରି ନିଜକୁ ଆତ୍ମରକ୍ଷା କରିବା ପାଇଁ ସେ କହିଲା–‘‘ତୁମ ଦୁହିଁଙ୍କ କଥା ଗାଁର ସମସ୍ତଙ୍କୁ କହି ଦେଇଛି ।’’

 

ଏତକ ଶୁଣିବା କ୍ଷଣି ମଉସାର ହାତ ଶିଥିଳ ହୋଇଗଲା । କ୍ରୋଧ ଓ ଘୃଣାରେ ବିଭତ୍ସ ଦେଖାଯାଉଥିବା ତା’ ମୁହଁଟି ହଠାତ୍‌ ପାଣ୍ତୁର ହୋଇଗଲା ଭୟରେ । ମାଉସୀର ମୃତପ୍ରାୟ ଦେହ ଉପରେ ସର୍ବଶେଷ ଗୋଇଠାଟିଏ ମାରି ସେ ବାହାରିଗଲା ଘରୁ ।

 

ରାତିରେ ନିଦ ଭାଙ୍ଗିଲାରୁ ମାଉସୀ ଦେଖିଲା, ମଉସା ଚୁପ୍‌ଚାପ୍‌ ବସି ପିକା ଟାଣୁଛି ।

 

ଉତ୍ତେଜନା, ଅସ୍ଥିରତା ସ ଆବେଗରେ ମୋ ସାମନାରେ ବସିଥିବା ସ୍ତ୍ରୀଲୋକଟି ଘନ ଘନ ନିଃଶ୍ୱାସ ନେଉଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଆମେ ନୀରବରେ ବସି ରହିଲୁ । ସେ ବକ୍ତବ୍ୟ ଶେଷକଲା–‘‘ଗାଁରେ ୟାଙ୍କ କଥା କାହାରିକୁ କହିନାହିଁ ବୋଲି କହିବାକୁ ଭାବୁଥିଲି । ଡର ମାଡ଼ିଲା । କାଳେ ସେ ପୁଣି ମାରିବେ । ମରିଯାଇଥିଲେ କେଡ଼େ ଭଲ ହୋଇଥାନ୍ତା । ଏ ଜୀବନ ପ୍ରତି କାହିଁକି ସେଦିନ ଏତେ ଲୋଭୀ ହେଲି କେଜାଣି ? ସକାଳେ ଉଠି ଦେଖିଲି, ସେ ନାହାନ୍ତି । ଯାଇଛନ୍ତି ତ ଯାଇଛନ୍ତି । ଇଏ ବି ଭଲ ହେଲା । ଏଥର ମୋତେ ଭଲ ଲାଗୁଛି । ଜୀବ ଥିବା ଯାଏ କାମ କରୁଥିବି, ଖାଉଥିବି । ଖାଲି ଏତିକି ଦୁଃଖ ରହିଗଲା ଯେ, ସତ କଥାଟି ସେ ଜାଣିପାରିଲେ ନାହିଁ ।’’

 

ସହରକୁ ଫେରିଆସିବା ପରେ ରେବତୀ ମା’ ମାଉସୀ କଥା ମନକୁ ବେଶି ବିଚଳିତ କରୁନଥାଏ । ଫ୍ଲାଟ୍‌ ପରିବର୍ତ୍ତନ ପାଇଁ ବାମମ୍ବାର ଉପରିସ୍ଥ ହାକିମଙ୍କ ଦ୍ୱାରସ୍ଥ ହେବାକୁ ପଡ଼ୁଥିଲା । ‘କ’ଣ ନେବୁ କହ; ନିଶ୍ଚେ ଦେବି’ ବୋଲି କେହି ମୋତେ କହୁନଥିଲେ ବି ନିଜକୁ ସମ୍ପ୍ରସାରିତ ଓ ମର୍ଯ୍ୟାଦାବନ୍ତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲୁ ରଖିଥାଏ । ତିନିମାସ ପରେ ବଡ଼ ଘରଟିଏ ବ୍ୟବସ୍ଥା ହୋଇ ପାରିଲା । ସ୍କୁଟର ପାଇଁ ଆବେଦନ କଲି । ବିଶ୍ୱାସ ଥିଲା, ନିଜର କୌଶଳ ବିନିଯୋଗ କରି ଏହାକୁ ଖରିଦ୍‌ କରିପାରିବି । ସମସ୍ତ ସାଫଲ୍ୟ ତଥା ଭବିଷ୍ୟତର ସମ୍ଭାବ୍ୟ ସାଫଲ୍ୟର ବିବରଣୀ ଦେଇ ବାପାଙ୍କ ପାଖକୁ ଚିଠି ଦେଲି । ଆଠଦିନ ଭିତରେ ଘରେ ପହଞ୍ଚିବି, ପ୍ରୀତି ଓ ମା’ ମୋ ସଙ୍ଗେ ଏଠାକୁ ଆସିବେ ବୋଲି ଆଗତୁରା ଚିଠି ଲେଖିଲି ବାପାଙ୍କ ପାଖକୁ । ଏହାର ଛ’ଦିନ ପରେ ଘରେ ପହଞ୍ଚିଲି । ପରଦିନ ସକାଳେ ଦେଖିଲି, ମାଉସୀ ବଦଳରେ ଅନ୍ୟଜଣେ ସ୍ତ୍ରୀଲୋକ ଆମ ଘରର ବାସି ପାଇଟି କରୁଛି । ଏଇ ପରିବର୍ତ୍ତନଟି ମୋ ମନରେ ତଡ଼ିତ୍‌ ସୃଷ୍ଟି କଲା ଏବଂ ମୁଁ ସଚେତନ ହୋଇ ପଡ଼ିଲି ଦୁଇଟି କରୁଣ ଆଖି ଓ ଗୋଟିଏ ଶୀର୍ଣ୍ଣ ଦେହ ସମ୍ପର୍କରେ ।

 

–‘‘ମାଉସୀ କ’ଣ ଆମ ଘର କାମ କରୁନାହିଁ ?’’ ଗାମୁଛାରେ ମୁହଁ ପୋଛି ମା’କୁ ପଚାରିଲି ।

 

–‘‘ନା ।’’ ସେ କହିଲା । ‘‘ମାସେ ହେବ ତାକୁ ଯକ୍ଷ୍ମା ହୋଇଛି ।’’

 

–‘‘ଯକ୍ଷ୍ମା !’’ ଆତଙ୍କିତ ହେଲି । ଗତଥର ତାକୁ ଭିଟାମିନ୍‌ ଟନିକ୍‌ କିଣିଦେବି ବୋଲି ପ୍ରତିଶ୍ରୁତିର ପ୍ରତିଧ୍ୱନି ନିର୍ମମ ଜଣାପଡ଼ିଲା ମୋତେ ।

 

–‘‘ଆଉ ଉଠି ବସି ପାରୁନାହିଁ । କାଲି ଟୋପାଏ କ୍ଷୀର ଓ ଗଣ୍ତାଏ ଭାତ ପଠେଇ ଦେଇଥିଲି । କ’ଣ ହେଲା କେଜାଣି ?’’ ଦୀର୍ଘଶ୍ୱାସ ତ୍ୟାଗକରି ମା’ ମୁହଁ ଫେରାଇଲା ।

 

ପଚାରି ବୁଝିଲି ଯେ, ତା’ର ଯତ୍ନ ନେବାପାଇଁ କେହି ନାହାନ୍ତି ତା’ ପାଖରେ । ମଝିରେ ଥରେମାତ୍ର ରେବତୀ ଆସିଥିଲା । ଓଳିଏ ରହି ଫେରି ଯାଇଥିଲା । ତା’ ଘରେ ଝାମିଲା ଯେ କାହିଁରେ କ’ଣ । ତା’ଛଡ଼ା ନିଜ ମା’ପାଇଁ ସେ ବା କ’ଣ କରିପାରିବ ?

 

ମା’ ମୁହଁକୁ କିଛି ନ ବୁଝି ପାରିଲା ଭଳି ଉଦାସ ଆଖିରେ ଖାଲି ଚାହିଁ ରହିଥିଲି । ଏଇ ମଣିଷଟିର ସାମାନ୍ୟ ଜ୍ୱର ଖବର ମୋତେ କେଡ଼େ ଭୟାତୁର କରିପକାଏ; କେତେ ବିକଳ ହୋଇ ମୁଁ ସବୁ କାମ ଫୋପାଡ଼ି ଦେଇ ଚାଲିଆସେ ଘରକୁ । ଅଥଚ ରେବତୀ ମା’ ମାଉସୀ ଦଦରା ଘରର ଶୂନ୍ୟତାକୁ ଜାବୁଡ଼ି ଧରି ସଢ଼ୁଛି ଏକୁଟିଆ ! କେଡ଼େ ଅଲୋଡ଼ା ହୋଇପାରେ ମଣିଷ ଜୀବନ !

 

ଘରୁ ବାହାରିଲି । ମାଉସୀର ଘର ପାଖରେ ପହଞ୍ଚି ଦେଖିଲି, ଚାରି-ପାଞ୍ଚ ଜଣ ଲୋକ କବାଟ ପାଖରେ ଠିଆ ହୋଇ ଇତସ୍ତତଃ ହେଉଛନ୍ତି । ପଚାରି ବୁଝିଲି, ଭିତରୁ କବାଟ ବନ୍ଦ ଥିଲେ ବି କୌଣସି ଜବାବ ଆସୁନାହିଁ । କୌଣସିମତେ କବାଟ ଖୋଲିବା ପାଇଁ ସେମାନଙ୍କୁ କହିଲି ।

 

କ୍ଷୀଣ ପ୍ରତିବାଦ ପରେ ଖୋଲିଗଲା କବାଟଟି । ଚଟାଣ ଉପରେ ମାଉସୀର ଥଣ୍ତା ଦେହ ପଡ଼ି ରହିଥିଲା । ମୁଣ୍ତ ପାଖରେ ଗୋଟିଏ ସିଲ୍‌ଭର ବେଲାରେ ଥିଲା କିଛି ଶୁଖିଲା, ଥଣ୍ତା ଭାତ । ଅନ୍ୟ ଏକ ତାଟିଆରେ କିଛି କ୍ଷୀର । କୌଣସି କୋଳାହଳ, ବାଧା ସୃଷ୍ଟି ନକରି ମଣିଷଟି ନିଜକୁ ସମର୍ପଣ କରିଦେଇଛି ମୃତ୍ୟୁ ପାଖରେ ।

 

ଆମେ ସମସ୍ତେ ଗମ୍ଭୀର ଥିଲୁ । ଏଇ ସ୍ୱାଭାବିକ, ଚୂଡ଼ାନ୍ତ ପରିଣାମଟିକୁ ସ୍ୱୀକାର କରି ନେଉଥିଲୁ । ଗୋଟିଏ କୋଣରେ ଥିବା ରଙ୍ଗଛଡ଼ା, କବ୍‌ଜାହୀନ ଟିଣ ସୁଟକେଶ୍‌ଟି ମୋର ଦୃଷ୍ଟି ଆକର୍ଷଣ କଲା । ଖୋଲିଦେଲି । ଯତ୍ନର ସହିତ ଭଙ୍ଗା ହୋଇ ରହିଥିଲା ଗୋଟିଏ ସଫା, ପୁରୁଣା ଶାଢ଼ି । ତା’ ତଳେ ଥିଲା ଦୁଇଟି ପରିଷ୍କାର ଦଶଟଙ୍କିଆ ନୋଟ୍‌ ।

 

ଏ ଘଟଣାର ବହୁଦିନ ପରେ ଗାଁକୁ ଆସିଥାଏ ସ୍କୁଟର ଯୋଗେ । ଦେଖିଲି, ମାଉସୀ ରହୁଥିବା ଘରର କାନ୍ଥଗୁଡ଼ିକ ଆକାଶକୁ ହାତ ବଢ଼ାଇ ଠିଆ ହୋଇଛନ୍ତି ଯଥେଷ୍ଟ ମୁମୂର୍ଷୁ ଅବସ୍ଥାରେ-। ଚାଳ, ରୁଅ, ବତା ଇତ୍ୟାଦି ନାହିଁ । ବାଉଁଶ ତିଆରି ତାଟି ଗୋଟିଏ ଅଧିକାର କରିଛି ପୂର୍ବର କବାଟ ଲାଗିଥିବା ସ୍ଥାନକୁ । ତାଟି ପାଖରେ ଠିଆ ହେଲେ ଯେ କେହି ଦେଖିପାରିବ, ଭିତରେ ଠିଆ ହୋଇଥିବା କେତେଗୁଡ଼ିଏ ସୁସ୍ଥ ବାଇଗଣ ଗଛକୁ ।

Image

 

ଲେଉଟାଣି

 

ଗାଁରେ ସେଇଟି ଥିଲା ଅମୂଲ୍ୟବାବୁଙ୍କର ଅନ୍ତିମ ସନ୍ଧ୍ୟା । ଏଇଥି ସକାଶେ ବିଲଆଡ଼ୁ ଘେରାଏ ବୁଲିଆସିବା ପାଇଁ ତାଙ୍କର ମନ ହେଲା । କାହିଁ କେତେ ପୁରୁଷର ଦଖଲ ଏଇ ଜମିର ପ୍ରସବ ଯନ୍ତ୍ରଣାରୁ ଜନ୍ମିତ ଶସ୍ୟ ତାଙ୍କୁ ମଣିଷ କରିଛି, ଆତ୍ମପ୍ରତ୍ୟୟ ଦେଇଥିଲା, ଅହଂକାର ଦେଇଥିଲା । ଏହାର ଆକର୍ଷଣ ଓ ମାୟାରୁ ନିଜକୁ ମୁକ୍ତ କରିବା ପାଇଁ ସଂକଳ୍ପ ଗ୍ରହଣ ପରେ, ଏଇ ହେଉଛି ଅମୂଲ୍ୟବାବୁଙ୍କର ପ୍ରଥମ ବୁଲିବା ନିଜ ଜମିର କାଦୁଆ, ଘାସ ପରିପୂର୍ଣ୍ଣ ଆବଡ଼ା ଖାବଡ଼ା ହିଡ଼ ଉପରେ । ପ୍ରାୟ ଚାରିବର୍ଷ ପରେ ଆଜି ସେ ଆସିଛନ୍ତି–ଜୀବନର ସର୍ବଶେଷ ଆସିବା ।

 

ଏସବୁକୁ ଛାଡ଼ି ଚାଲିଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ବି ମୋହଗ୍ରସ୍ତ ହେବା ଦରକାର କ’ଣ ? କ’ଣ ଦରକାର ଛାତି ଓ ତଣ୍ଟି ପାଖରେ ବାଷ୍ପାକୁଳ କଠିନତା ଅନୁଭବ କରିବା ? ଅଥଚ ସେଇମିତି ଗୋଟାଏ ଆବେଗମିଶା ଦରଦ ତାଙ୍କର ସମସ୍ତ ସ୍ନାୟୁରେ ସଞ୍ଚରି ଯାଉଥିଲା ।

 

ରକ୍ତାକ୍ତ ପଶ୍ଚିମ ଆକାଶରେ କେବଳ କେଇଖଣ୍ତ ଛିଣ୍ତା, ମୁମୂର୍ଷୁ ବାଦଲ । କାହିଁ କେତେ ଦୂରରେ, ଧାନଗଛର ସବୁଜିମା ଭିତରେ ହଜି ଯାଥିବା ଜଣେ ମଣିଷର ସ୍ୱର ଶୁଭୁଛି–‘‘ନରି...ଏ ନରି-। ଆରେ କୋଦାଳଟା ଏଇଠିକି ଆଣ ।’’ ତୁହାଇ ତୁହାଇ ଶୁଭୁଛି ଏ ଡାକ; ଯାହାର ପ୍ରତିଧ୍ୱନି ବିଛେଇ ହୋଇ ପଡ଼ୁଛି ଏତେ ବଡ଼ ବ୍ୟାପକ କ୍ଷେତ ଓ ସମ୍ଭବତଃ ପୃଥିବୀର ଛପର ଉପରେ; ମାତ୍ର କୌଣସି ଜବାବ ଡାକି ଆଣି ପାରୁନାହିଁ ଏ ସ୍ୱର । ସବୁଜିମାର ଏଇ ଆଶାଉଦ୍ଦୀପକ ସମୁଦ୍ର, ମଣିଷ ସ୍ଥିତିର ମନ୍ତ୍ର ଏଇ ବିପୁଳତା ଭିତରେ ଗୋଟାଏ ଏକତରଫା, ଅଥର୍ବ ଡାକ ବ୍ୟତୀତ ସବୁ ଯେମିତି ଲୁଣ୍ଠିତ ହୋଇଯାଇଛି ।

 

ମାଟି ଭିତରେ ଛପି ରହିଥିବା ଶକ୍ତିର ଉଦ୍‌ଗୀରଣ ହୁଏ ଏଇଭଳି ସବୁଜ ରଙ୍ଗରେ । ଥରକୁ ଥର; ନିରବଚ୍ଛିନ୍ନ ଭାବରେ । ଏ ଶକ୍ତିର କମ୍ପନ ବ୍ୟାପିଯାଏ ଦିଗ୍‌ବଳୟର ଧାର ପର୍ଯ୍ୟନ୍ତ । ଅମୂଲ୍ୟବାବୁ ଚାରିଆଡ଼କୁ ଚାହିଁ ବୋଧକରୁଥିଲେ ସତେ ଯେମିତି ମାଟିର ଏଇ ଅସୀମ ଶକ୍ତି ଭିତରେ ସେ ଠିଆ ହୋଇଛନ୍ତି ଗୋଟିଏ ଅଣୁର କ୍ଷୁଦ୍ରତା ଓ ନିଃସଙ୍ଗତା ନେଇ । ସେ ଅଭିଭୂତ ହୋଇପଡ଼ୁଥିଲେ । ମାଟିର ଏଇ ସ୍ପର୍ଦ୍ଧିତ ଚେତନା ଭିତରୁ ସେ ଆହରଣ କରୁଥିଲେ ଏକ ଅନନ୍ୟ ଆଧ୍ୟାତ୍ମିକ ଅଭିଜ୍ଞତା ।

 

ଅଥଚ ଏଇ ମାଟି ଆଉ କେତୋଟି ମାସ ପରେ ହାଲିଆ ହୋଇ ପଡ଼ିରହିବ ଲଙ୍ଗଳା, ନିରସ୍ତ୍ର ହୋଇ । ଏତେ ହାଲିଆ ହୋଇ ପଡ଼ି ରହିଥିବ ଯେ, କଟା ସରିଥିବା ଧାନଗଛର ଅବଶିଷ୍ଟାଂଶକୁ ହଜମ କରିବାର ସ୍ପୃହା ଓ ଦାୟିତ୍ୱଟିକୁ ଭୁଲି ଯାଇଥିବ । ହଜିଯିବା ଓ ଉଭା ହେବାର ଚିରନ୍ତନ ନାଟକଟି ମଞ୍ଚସ୍ଥ ହୁଏ ମାଟିର ଛାତି ଉପରେ । ଆପଣା ଛାଏଁ, ସେଇ ଅଦୃଶ୍ୟ ଶକ୍ତିର ଇଙ୍ଗିତରେ ଘଟିଯାଏ ଏ ସବୁ । ପୃଥିବୀର ସବୁଠାରୁ ପୁରୁଣା; ଅଥଚ ସର୍ବଦା ନୂଆ କାହାଣୀଟି ହେଉଛି ସୃଷ୍ଟି ଓ କ୍ଷୟ ।

 

ଏଇଭଳି କଥା ଭାବିଲେ ମନର ଉତ୍ତେଜନା କମେ, ଅସ୍ଥିରତା ଓ ପ୍ରତିବାଦର ସ୍ୱର ଲିଭିଯାଏ । ମଣିଷର କ୍ଷମତା ଓ ବୁଦ୍ଧି ସତେ ଯେପରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଅଖଞ୍ଜ ହୋଇଯାଏ ଏକ ଅପରିସୀମ ଶକ୍ତି ଓ ରହସ୍ୟ ସାମନାରେ । ସେଇ ଶକ୍ତିର ନିର୍ଦ୍ଧାରିତ ପରିପାଟିକୁ ନମ୍ରତାର ସହିତ ସ୍ୱୀକାର କରିଗଲେ ଯନ୍ତ୍ରଣା ଓ ହାହାକାରର ତୀକ୍ଷ୍ଣତା କମେ ।

ମନକୁ ଯେତେ ବୁଝେଇଲେ ବି ଅମୂଲ୍ୟବାବୁଙ୍କୁ ଜଣାଯାଉଥିଲା, କେଉଁଠି କିଛି ଗୋଟାଏ କ୍ଷତ ରହିଗଲା । କ’ଣ ସେଇଟା ତେବେ ?

ଆକାଶ ଥିଲା ସ୍ତବ୍‌ଧ ଓ ନିର୍ବାକ୍‌ । ପହଁରି ଯାଉଥିବା ଚଢ଼େଇଙ୍କ ଗତି ଥିଲା ଦାୟିତ୍ୱପୂର୍ଣ୍ଣ, ତତ୍ପର ଏବଂ ସ୍ୱର ଥିଲା ଉଦ୍‍ବିଗ୍ନ ଓ ଜରୁରୀ । ତଳେ ଲମ୍ବି ଯାଇଥିବା ଧାନକ୍ଷେତ ଅପରିଚ୍ଛନ୍ନ ଆଲୋକ ସତ୍ତ୍ୱେ ଦିଶୁଥିଲା ଆଶଙ୍କାହୀନ ଓ ବେପରୁଆ । ନରିକୁ କୋଦାଳ ଆଣିବା ପାଇଁ କହୁଥିବା ସ୍ୱରଟି ବୋଧହୁଏ ଦିଗହଜା ହୋଇଗଲା । ଅନ୍ଧକାର ନିଜକୁ ମଜଭୁତ କରୁଥିଲା ଆସ୍ତେ ଆସ୍ତେ ଏବଂ ସାରା ଆକାଶରେ ଖେଳିବୁଲୁଥିଲା ଭବିଷ୍ୟତ୍‌ ଆଲେକର ନିର୍ଭୁଲ ପ୍ରତିଶ୍ରୁତି । ଏଭଳି ବିଶାଳତା ଭିତରେ, ନିସ୍ତବ୍‌ଧତା ଓ ଛାଇ-ଅନ୍ଧାର ଭିତରେ ଅମୂଲ୍ୟବାବୁଙ୍କ ପୁରୁଣା, ଜଙ୍କ୍‍ଧରା ଦେହଟା ଶୀତେଇ ଉଠିଲା ।

ଗାଁ ଭିତରେ ପଶିବା ବେଳକୁ ଅନ୍ଧାର ହୋଇଯାଇଥିଲା । ପ୍ରଶସ୍ତ ରାସ୍ତା କଡ଼ର ଘରଗୁଡ଼ିକ ଦିଶୁଥିଲେ ଉଦାସ, ମୂର୍ଚ୍ଛାଳିଆ । କେଉଁଠି କେମିତି ଭୂଇଁ ଉପରେ ଡେରି ହୋଇ ବଳଦମାନେ ପାକୁଳି କରୁଥିଲେ । ଉଚ୍ଚ ସ୍ୱରରେ ଗୁଡ଼ାଏ ପିଲାଳିଆ ସ୍ୱର ପଣକିଆ ଘୋଷୁଥିବାର ଶୁଣା ଯାଉଥିଲା । ଦୂରରୁ ଶୁଭୁଥିଲା ସ୍ତ୍ରୀ-ପୁରୁଷ ସ୍ୱର ମିଶାମିଶି ଉତ୍ତେଜିତ ବଚସା ।

ଏକୁଟିଆ ଗାଁ ରାସ୍ତା ଉପରେ ଗଲାବେଳେ ସେ ଭାବୁଥିଲେ, ଅନୁମାନଟା କିପରି ଭୁଲ ପ୍ରମାଣିତ ହୋଇଗଲା । ବଡ଼ି ଭୋରୁ ଗାଁ ଛାଡ଼ି ସବୁଦିନ ପାଇଁ ସେ ପଳାଇ ଯିବେ ବୋଲି ଜାଣି ମଧ୍ୟ ଗାଁର କୌଣସି ଲୋକ ତାଙ୍କ ପାଖକୁ ଆସି କାତର ଦୃଷ୍ଟିରେ ଚାହିଁଲା ନାହିଁ । କେହି କହିଲା ନାହିଁ ଯେ, ଏକଦା ଗାଁର ସବୁଠାରୁ ପ୍ରଭାବଶାଳୀ, ଦୁର୍ଦ୍ଦାନ୍ତ ମଣିଷଟି କେତେ କୌଶଳ ଓ ଫିସାଦର ସହିତ ସଞ୍ଚିଯାଇଥିବା ଧନଦୌଲତକୁ ଶେଷରେ ‘‘ଛୁ’’ କରିଦେଇ ନଈକୂଳରେ ମରିବାକୁ ଯାଉଛି । ଯେଉଁ ଲୋକଙ୍କୁ ଚାଲାକିରେ ଜିତି ଏକଦା ସେ ଭୟ ଓ ଶୋଷଣର ପ୍ରତୀକ ହୋଇଥିଲେ, କୁଆଡ଼େ ଗଲେ ସେମାନେ ଏଇ ଅନ୍ତିମ ପ୍ରହରରେ ? କେଡ଼େ ବେଗି ସବୁକଥା ବିସ୍ମୃତ ହୋଇଯାଏ ଏଠାରେ-! କୌଣସି ଜିନିଷର ସ୍ମୃତି ଗଣ୍ଠିଧନ ହୋଇ ମୂଳ ଆବେଗକୁ ବଜାୟ ରଖିପାରେନା !

ଘରେ କିନ୍ତୁ ଥିଲେ ଦଶ-ବାର ଜଣ ଝିଆରୀ-ପୁତୁରା, ଭଣଜା-ଭାଣିଜୀ, ଦୂର ସମ୍ପର୍କୀୟ ମାମୁଁ । ଏମାନଙ୍କ ଭିତରୁ ଅନେକ ଆଜି ଅପରାହ୍ନରେ ପହଞ୍ଚିଛନ୍ତି, ତାଙ୍କର ଏ ଗାଁରୁ ଚାଲିଯିବାର ଗତିକୁ ଦେଖିବା ପାଇଁ ।

ଚାରିବର୍ଷ ତଳେ ନେଇଥିବା ନିଷ୍ପତ୍ତି । ପରିଚିତ ମଣିଷଙ୍କର ବାରଣ ଓ ଅନୁନୟ ସତ୍ତ୍ୱେ ସେ ଅଟଳ ରହିଛନ୍ତି ।

ରାତ୍ରି ଭୋଜନ ପରେ, ସେ ବସିଥିଲେ ଖଟ ଉପରେ । ଗାଁର ଚାରି-ପାଞ୍ଚଜଣ ଲୋକଙ୍କ ସମେତ ଘରକୁ ଆସିଥିବା ସମସ୍ତ କୁଣିଆଁ ବସିଥିଲେ ତଳେ ।

ମୁଣ୍ତ ଉପରୁ ହାତ ବୁଲାଇ ଆଣି ଧୀର ସ୍ୱରରେ କହିଲେ ଅମୂଲ୍ୟବାବୁ–‘‘ନାଇଁ, ଯଦୁକକା, ମୁଁ କ’ଣ କହୁଥିଲି କି, ଜନ୍ମ ହେବା ସଙ୍ଗେ ସଙ୍ଗେ ଯୁଦ୍ଧ ଆରମ୍ଭ ହୋଇଯାଏ–ନିଜକୁ ବଞ୍ଚେଇବା ପାଇଁ । ଜୀବନକୁ ପ୍ରତିରକ୍ଷା କରିବାକୁ ପଡ଼େ ଭୋକ, ରୋଗ ଦାଉରୁ । ଆହୁରି ଅନେକ ଶତ୍ରୁ ବିରୁଦ୍ଧରେ ଯୁଝିବାକୁ ପଡ଼େ । କିନ୍ତୁ ବେଳେବେଳେ ଆମ ଖଣ୍ତାଟି ବାଜିଯାଏ ଅନ୍ୟ ଲୋକର ଦେହରେ । ସେ ନିଜକୁ ପ୍ରତିରକ୍ଷା କରିବାକ ପାଇଁ ସାଉଁଟି ଥିବା ଦରବକୁ ଆମେ ଛଡ଼େଇ ନେଉଁ । ଅନେକ ସମୟରେ ଏୟା ଚାଲିଛି–ଜଣେ ଅନ୍ୟଜଣକୁ ଗିଳିଦେବାର ଏଇ ଚେଷ୍ଟା । ଯେତେବେଳେ ଆମେ ଥକିଯାଉଁ, ଖଣ୍ତା ଉପରୁ ହାତମୁଠା ହୁଗୁଳା ହୋଇଯାଏ, ଆମେ ଦେଖୁ, ଚାରିଆଡ଼େ ଖାଲି ଖଣ୍ତିଆ ଖାବରା ମଣିଷ । ରକ୍ତ ଆଉ ପରାଜୟର କାନ୍ଦଣା ଶୁଭେ । ଚେତା ପଶିଲାବେଳକୁ ଆଉ ବା କ’ଣ ଥାଏ ? ହାଁ... ହାଁ... ଥାଉ, ସେତିକିରେ ବନ୍ଦ କର–ବୋଲି ଯେତେ ବୋବେଇଲେ ବି ଏ ଯୁଦ୍ଧ ସରିଛି ନା ସରିବ ?’’

ଅନେକ ସମୟ ପର୍ଯ୍ୟନ୍ତ ଶୋଇବା ଘରଟିରେ ନୀରବତା ଆସ୍ଥାନ ଜମେଇ ରହିଲା । କେତେଜଣ ଏକଥା ବୁଝିଲେ; ଅନ୍ୟମାନେ ବୁଝିନପାରି କେବଳ ଚାହିଁ ରହିଲେ, ସବୁ ବନ୍ଧନରୁ ନିଜକୁ ମୁକ୍ତ କରି ଊର୍ଦ୍ଧ୍ୱମୁଖୀ ହେଉଥିବା ଏଇ ବୁଢ଼ା ଲୋକଟିକୁ ।

କେହି ଜଣେ ସମ୍ଭବତଃ ଅନ୍ୟକୁ ଶୁଣେଇଲା ଭଳି ମନକୁ ମନ କହିଲା–‘‘ସବୁ ମିଛ, ମାୟା । ଗୋଟାଏ ଭେଳିକି । ବଞ୍ଚି ରହିବାର, ନିଜକୁ ସନ୍ତୁଷ୍ଟ କରିବାର ଗୋଟାଏ ଗୋଟାଏ ସିଡ଼ି । ଦେଖୁଛି କିଏ, ଏ ସିଡ଼ି କାହାର ଶବ ଉପରେ ଥୁଆ ହୋଇଛି ।’’

ପରିବେଶକୁ ଆହୁରି ଗମ୍ଭୀର କରିବାକୁ ଯାଇ ଅମୂଲ୍ୟବାବୁ କହିଲେ–‘‘ମୁଁ ଯାଉଛି । ମୋ ଉପରେ ସମସ୍ତଙ୍କର ଅଭିଯୋଗ ଥାଇପାରେ; ମୋର କାହାରି ଉପରେ ନାହିଁ । ଆଜି ଅନେକ ଦିନ ପରେ ଯାଇଥିଲି ବିଲ ଆଡ଼େ । ମୁଁ କେବଳ ଏତିକି ବୁଝେ ଯେ, ମାଟି ଭିଡ଼ିମୋଡ଼ି ହେବା ଆଉ ନିଶ୍ଚିନ୍ତ ହୋଇ ଶୋଇଯିବା ମଧ୍ୟରେ ଥିବା ସମୟଟି ସବୁଠୁ ବେଶି ଅର୍ଥପୂର୍ଣ୍ଣ । ଅଥଚ ସମୁଦାୟ ସତ୍ୟଟି ଏହାଠାରୁ କେତେ ଜଟିଳତର । କିଛି ହେଲେ ବୁଝିହେଲା ? ମୁଁ ବିଶ୍ୱାସ କରେ ବଳଦ ବେକରେ ବନ୍ଧା ହୋଇଥିବା ଘଣ୍ଟିର ସ୍ପନ୍ଦନକୁ, ଶଗଡ଼ର କମ୍ପିତ ଚାଲିକୁ, ଶଗଡ଼ିଆର ଗୀତ ଟୁକୁରାକୁ-। ଆଜିକାଲିର ମୋଟର ହର୍ଣ୍ଣ, ଟ୍ରକର ଉଦ୍ଧତ ଗତି, ମାଇକ୍‌ର ଅଶ୍ଳୀଳତାକୁ ମୁଁ ଭଲପାଇ ନାହିଁ । ମୁଁ ପୁରୁଣାକାଳିଆ ମଣିଷ । ଆଜିର ଏଇ ନୂତନତାକୁ ମୁଁ ବୁଝି ପାରିଲି ନାହିଁ । ମୋର ଆଦୌ ଅନୁଶୋଚନା ନାହିଁ ସେଥିପାଇଁ ।’’

–‘‘ସତ କଥା ।’’ ଗାଁରେ ପ୍ରାଚୀନତମ ଜ୍ୟୋତିଷ ସ୍ୱୀକାର କଲେ । ‘‘ତାହା ହୋଇଥିଲେ ଏ ଘରେ ଏତେବଡ଼ ଘଟଣା କ’ଣ ଘଟିଥାନ୍ତା ? ଆହା, ବିଚରା ଦିବାକର !’’

–‘‘ତୁନି ହୁଅ, ମାଷ୍ଟ୍ରେ ।’’ ଅତୀତରେ ଯାତ୍ରା ଓସ୍ତାଦ୍‌ ଥିବା ଗଣନାଥ ପ୍ରତିବାଦ କଲେ । ‘‘କ’ଣ ମିଳିବ ସେ କଥାରୁ ? ବର୍ତ୍ତମାନ ଟାଇମରେ ପୁରୁଣା ଘା’ ଚିପିବା କ’ଣ ଦରକାର ?’’

ସମସ୍ତେ ଚାହିଁଲେ ଅମୂଲ୍ୟବାବୁଙ୍କ ମୁହଁକୁ । ଚାରିବର୍ଷ ତଳେ ମରିଥିବା ଏକମାତ୍ର ପୁଅ ଦିବାକରର ନାଁ ଉଚ୍ଚାରଣ କରିବା ସତ୍ତ୍ୱେ ତାଙ୍କ ମୁହଁର ସ୍ୱାଭାବିକ ଗମ୍ଭୀରତା ବିପନ୍ନ ହୋଇନଥିଲା । ମଣିଷଟା ସବୁ ଦୁର୍ବଳତା ଓ ଜ୍ୱଳନ ପରିହାର କରି କେମିତି ଏତେ ବଡ଼ ସ୍ଥିତପ୍ରଜ୍ଞ ହୋଇଗଲା ?

କୋଠରୀରେ ପୁଣି ନୀରବତା; ଦୀର୍ଘ ଅସ୍ୱସ୍ତିକର ନୀରବତା । ରାତି ଗାଢ଼ ହେଉଥିଲା । ଆଉ ଅଧିକ କିଛି କହିବାର ନଥିଲା କାହାରି । ବିଶ୍ରାମ ନେବାକୁ କହି ସଭିଏଁ ଯେ ଯୁଆଡ଼େ ବାହାରିଗଲେ । ସାବିତ୍ରୀ ବିଛଣାଟି ସଜାଡ଼ି ଦେଲା । ଅମୂଲ୍ୟବାବୁ ଖଟ ଉପରକୁ ଯିବା ପରେ ଲାଇଟ୍‌ ଅଫ୍‌କରି ବାହାରି ଆସିଲା ସେ କୋଠରୀରୁ ।

କିଛି ସମୟ ପାଇଁ ନିଶ୍ଚଳ ହୋଇ ବିଛଣା ଉପରେ ପଡ଼ିରହିଲେ ଅମୂଲ୍ୟବାବୁ । ଅନ୍ଧାର କୋଠରୀଟା ଖାଁ... ଖାଁ... ଡାକୁଛି । ରୋଷେଇ ଘର ପାଖରେ ବାସନ ମଜା ହେବାର ଦୁର୍ବଳ ଶବ୍ଦ ଏବଂ ବହୁଦୂରରେ ଚାଲିଥିବା ସଂକୀର୍ତ୍ତନର ଝାପ୍‌ସା ଧ୍ୱନି ସତ୍ତ୍ୱେ ଏ ଖାଁ....ଖାଁ...ସତେ ଯେପରି ସୂଚେଇ ଦେଉଛି ଯେ, ସବୁ ଜିନିଷର ଉପସ୍ଥିତି; ମଣିଷର ଚଳପ୍ରଚଳ ଇତ୍ୟାଦି ଡାହା ମିଛ । ଖାଁ...ଖାଁ... ଆବାଜ ହିଁ ସତ୍ୟ; ମଣିଷର ନିଃସଙ୍ଗତା ଓ ଏଇ ଆବାଜ ଭିତରେ ହଜିଯିବାଟା ସତ୍ୟ । ନା, ସ୍ଥିରତା ଆସୁନାହିଁ । ଭିତରର ସତ୍ତା ଅର୍ଦ୍ଧମୃତ ହୋଇଯାଇଛି । ମଣିଷର ଦେହ ଓ ଏଇ ସତ୍ତା ମଧ୍ୟରୁ କେଉଁଟି ପ୍ରଥମେ ପହଞ୍ଚିଯାଏ ମୃତ୍ୟୁର ଦ୍ୱାର ପାଖରେ ? ମଣିଷର ଦେହ ? କିନ୍ତୁ ଅମୂଲ୍ୟବାବୁ ତେର ଦିନ ହେଲା ଅନୁଭବ କରୁଥିଲେ, ତାଙ୍କର ଦେହ ଜୀବିତ ଥିଲେ ବି ଭିତରର ସବୁଜ ଅଂଶଟି ଧୂସର ହୋଇଯାଇଛି ।

କୌଣସି କଥା ନଭାବି ଶୋଇପଡ଼ିବା ପାଇଁ ପୁଣି ଚେଷ୍ଟା କଲେ ସେ । ବଡ଼ିଭୋରୁ ଉଠିବାକୁ ହେବ । ପ୍ରକୃତରେ, ଆଉ ଚିନ୍ତା କରିବା ଦରକାର ନାହିଁ । ଏବେ ସେ ସମସ୍ତ ଜଞ୍ଜାଳରୁ ମୁକ୍ତ । ପତ୍ନୀ ମରିବାର ଛ’ବର୍ଷ ହେଲାଣି । ଚାରିବର୍ଷ ତଳେ ମୋଟର ସାଇକେଲ ଦୁର୍ଘଟଣାରେ ଦିବାକର ଚାଲିଗଲା । ଅନେକ ଦିନ ହେଲା ଘରର ଭଲମନ୍ଦ ବୁଝୁଛି ସୁରେନ୍ଦ୍ର–ତାଙ୍କର ଭଣଜା । ସାବିତ୍ରୀ ନମ୍ର ଓ ବୁଦ୍ଧିମତୀ । ଏ ଦୁହିଁଙ୍କ ନାଁରେ ସବୁ ସମ୍ପତ୍ତି ଟେକିଦେଇ ଗୋଟିଏ ବ୍ୟାଗ ଓ ସୁଟକେଶ୍‌ ଧରି ସେ କାଲି ସକାଳେ ବାହାରିଯିବେ । ଯେଉଁଠି ହେଲେ ତ ମରିବା କଥା !

 

ପନ୍ଦର ବର୍ଷ ତଳେ ତିଆରି ହୋଇଥିବା ଏଇ କୋଠାଘର, ପଛପାଖ ପ୍ରଶସ୍ତ ବଗିଚାରେ ନିଜ ହାତରେ ଲଗାଇଥିବା ବିଭିନ୍ନ ଫଳଗଛ, ଧାନକ୍ଷେତ, ଗାଁର ରାସ୍ତା ଓ ଆକାଶ–କେଉଁଟା ତେବେ ତାଙ୍କର ? ସ୍ତ୍ରୀ ? ରକ୍ତର ପୁଅ ? କାହାକୁ ସେ ଭାବିବେ ଆପଣାର ବୋଲି ?

 

ସମୟ କେଉଁଆଡ଼େ ଖସିଗଲା ନିଜ ବାଟରେ । ଅଜାଣତରେ ସେ କେବଳ ବାର୍ଦ୍ଧକ୍ୟ ସଞ୍ଚୟ କରୁଥିଲେ ଏ ଯାଏ । ସବା ଶେଷକୁ ସବୁ ଜିନିଷ ପ୍ରତି ଆସକ୍ତିହୀନତା ଓ ଅନ୍ୟ କେଉଁ ସ୍ଥାନରେ ଆଖିବୁଜି ଦେବାର ଏଇ ଇଚ୍ଛା ଟିକକ ।

 

ଅଥଚ, ଥରେ ଭାବି ଦେଖ, ହେମ କଥା । ସତର ବର୍ଷ ବୟସରେ ଏଘରକୁ ବୋହୂ ହୋଇ ଆସିବା ପରଠାରୁ ପାଖ କୋଠରୀ ଛାତରୁ ବେକରେ ଶାଢ଼ି ବାନ୍ଧି ଝୁଲି ରହିବା ପର୍ଯ୍ୟନ୍ତ । ସେଇ ମଣିଷଟିର ପ୍ରତ୍ୟେକ ସ୍ପନ୍ଦନ ସହିତ ସେ ପରିଚିତ ଥିଲେ । ଦରକାର ହେଲେ ସାଇ-ପଡ଼ିଶାର ସ୍ତ୍ରୀଲୋକମାନଙ୍କ ସହିତ କଳି କରିବାର ସ୍ୱର ସେ ଚିହ୍ନିଥିଲେ । ପର ମୁହୂର୍ତ୍ତରେ ସେଇମାନଙ୍କ ପଣତ କାନିରେ ଚାଉଳ ମୁଠାଏ, ଡାଲି ଗଣ୍ତାଏ ବାନ୍ଧି ଦେବାର ସେ ଦେଖିଛନ୍ତି । କେଉଁକଥା ତାଙ୍କ ଜୀବନରେ ଘଟିଛି; ଯାହାକୁ ସେ କହିନାହାନ୍ତି, ଚବିଶ ଘଣ୍ଟା ଖଟି ଏବଂ ଶର ମର୍ଯ୍ୟାଦା ସମ୍ପର୍କରେ ସଚେତନ ହୋଇଥିବା ସେଇ ସୁସ୍ଥ ମଣିଷଟି ପାଖରେ ? ମାତ୍ର ଛ’ବର୍ଷ ତଳେ, ଦିନେ ଉଠି ଦେଖିଲା ବେଳକୁ ତା’ର ଶୀର୍ଣ୍ଣ ଦେହଟି ଝୁଲିରହିଛି ଛାତରୁ । ଗୋଡ଼ତଳେ ଓଲଟି ପଡ଼ିଛି ଷ୍ଟୁଲଟାଏ । ଯେଉଁ ଶାଢ଼ି ତା’ର ସଙ୍କୁଚିତ ହୋଇ ଆସୁଥିବା ଦେହକୁ ଘୋଡ଼ାଇ ରଖିଥିଲା, ତାହା ସମ୍ପୂର୍ଣ୍ଣଭାବେ ଖସି ଆସି ଢାଙ୍କି ରଖିଥିଲା ଷ୍ଟୁଲଟିକୁ । ମୁହଁ ଦିଶୁଥିଲା ଭୟଙ୍କର, କଦାକାର । ଉଲଗ୍ନ ଦେହଟା ଝୁଲିରହିଥିଲା ଗୋଟାଏ ପ୍ରଶ୍ନବାଚକ ଚିହ୍ନ ଭଳି । ମଣିଷ ସ୍ଥିତିର ଚୂଡ଼ାନ୍ତ ଛବି ସମ୍ପର୍କରେ ରହସ୍ୟମୟ ପ୍ରଶ୍ନଟି ଆକାଶ ଓ ମାଟି ମଝିରେ ଲଟକି ରହିଥିଲା ଅମୂଲ୍ୟବାବୁଙ୍କ ସାମନାରେ । ମାନି ନେଲେ ଯେ, ସେ ଚିହ୍ନିପାରି ନାହାନ୍ତି ନିଜର ପତ୍ନୀକୁ । ତା’ ଭାବନାରେ, ଜୀବନରେ, ଏମିତି ଏକ ଦିଗ ରହିଗଲା, ଯାହାର ଦ୍ୱାର ଫିଟିଲା ନାହିଁ କାହାରି ପାଇଁ । ଆଉ ସେ, ହେମର ରୋଗ ଓ ଯନ୍ତ୍ରଣାକୁ ଉପାଡ଼ି ନେଇ ଏକର ଏକର ଜମିର ମାଟିରେ, ଗଛ-ପତ୍ରର ଶିରା-ପ୍ରଶିରାରେ ବିଞ୍ଚି ଦେଇ ପାରିଲେ ନାହିଁ । ମଣିଷର ଜୀବନ ତା’ର ନିଜସ୍ୱ ସିନା !

 

–‘‘କେଉଁଦିନ ଗାଁକୁ ଯିବା ?’’ ଅପରେସନ ହେବାର କିଛିଦିନ ପରେ ପଚାରିଲା ହେମ ।

 

କ୍ୟାନ୍‌ସର ୱାର୍ଡ଼ର ଚାରିଆଡ଼ୁ ଦୃଷ୍ଟି ବୁଲାଇ ହତାଶ, ମ୍ରିୟମାଣ ଅମୂଲ୍ୟବାବୁ ଚାହିଁଲେ ହେମ ଆଡ଼କୁ । ଉପର ମାଢ଼ିର ଭିତର ଅଂଶଟିକୁ କାଟି ଦିଆଯାଇଥାଏ, କ୍ୟାନ୍‌ସର୍‌ଦ୍ୱାରା ଆକ୍ରାନ୍ତ ହୋଇଥିବାରୁ ।

 

–‘‘ଡାକ୍ତରଙ୍କୁ ମୁଁ ପଚାରେ ।’’ ତାଙ୍କର ଅସହାୟ ସ୍ୱର ।

 

–‘‘ପଚାରିବା ଦରକାର ନାହିଁ ।’’ ସ୍ୱର ଏତେ ଦୃଢ଼ ଥିଲା ଯେ, ଅମୂଲ୍ୟବାବୁ ପ୍ରଥମେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ, ତାହ ଶୁଖି ଶୁଖି ମେଞ୍ଚାଏ ଦିଶୁଥିବା ହେମର ସ୍ୱର ବୋଲି । ‘‘ରହିବା କ’ଣ ଦରକାର ? ତୁମେ ଭାବୁଛ, ମୁଁ ଆଉ ବଞ୍ଚିବି ? ଏଠାରେ ନୁହଁ; ମୁଁ ଚାହୁଁଛି ମୋ ଘରେ ମରିବା ପାଇଁ ।’’

 

ଅଳ୍ପ କେତେଦିନ ପରେ ସେମାନେ ଫେରିଲେ ଏଇ ଘରକୁ । ହେମର ଘା’ ଶୁଖିଲ ନାହିଁ-। ସେ କ୍ଷତ କ୍ରମେ ପଚିବାକୁ ଆରମ୍ଭ କଲା । ହେମ ଛୁଇଁଲା ନାହିଁ କୌଣସି ଔଷଧ । ଏବେ ମନେ ପଡ଼ୁଛି, ତା’ର ମଲା ମୁହଁ ଉପରେ ସଞ୍ଚରି ଯାଉଥିବା ଗୋଟାଏ ଆବିଷ୍କାର ଜନିତ ଆନନ୍ଦର ପରିପୂର୍ଣ୍ଣତା । ହାର ମାନି ଅପମାନିତ ହେବାର ଯନ୍ତ୍ରଣାକୁ ଆଡ଼େଇ ଯିବାର ରାସ୍ତାଟି ସେ ପାଇପାରିଥିଲା । ପାଖରେ ଶୋଉଥିବା ଚାକରାଣୀଟିକୁ ଅନ୍ୟ ଘରେ ଶୋଇବା ପାଇଁ ନିର୍ଦ୍ଦେଶ ଦେଇ ସେ ଧ୍ୱଂସ କଲା ନିଜକୁ ।

 

ଅମୂଲ୍ୟବାବୁ ସ୍ତମ୍ଭୀଭୂତ ହୋଇଥିଲେ । ମୃତ୍ୟୁକୁ ଜୋର କରି ଟାଣି ଆଣି ତା’ ପାଟି ଭିତରେ ନିଜ ଜୀବନକୁ ଗୁଞ୍ଜି ଦେବାର ସାହସ ଓ ସଂକଳ୍ପ ହେମ କେବେ ଯୋଗାଡ଼ କଲା ? କୌଣସି ସୂଚନା ସେ ପାଇ ପାରିନଥିଲେ । ହେମ କେଡ଼େ ସହଜରେ ଜିତିଗଲା !

 

ଟର୍ଚ୍ଚ ଟିପି ଘଡ଼ି ଦେଖିଲେ ଅମୂଲ୍ୟବାବୁ । ରାତି ଗୋଟାଏ । ଛାଇ ନିଦ ଭାଙ୍ଗିବା ପରେ ଏଇସବୁ ଭାବନା ତାଙ୍କୁ ସାମନ୍ୟ ଉତ୍ତେଜିତ ଓ ଅସ୍ଥିର କରି ଦେଇଥିଲା । ଖଟରୁ ଓହ୍ଲାଇ ସେ ଗଲେ ଟେବୁଲ ପାଖକୁ । ସାବିତ୍ରୀ ରଖି ଦେଇଥିବା ଗ୍ଲାସରୁ ପାଣିତକ ନିଃଶେଷ କରି ସେ ଫେରି ଆସିଲେ ବିଛଣାକୁ । ଝାଳ ଗନ୍ଧରେ ଜୁଡ଼ୁବୁଡ଼ୁ ଲୋଚାକୋଚା ବିଛଣା ଚଦରଟିକୁ ସଜାଡ଼ି ନେଲେ ସେ ।

 

କିଏ କେଉଁ ଜିନିଷକୁ ସବୁଦିନ ପାଇଁ ବାନ୍ଧିରଖେ ଯେ, ସେ ବାନ୍ଧି ରଖି ପାରିଥାନ୍ତେ ! ମଣିଷ ତ ନିଜକୁ ଚିହ୍ନି ପାରେ ନାହିଁ, ବେଳେବେଳେ ନିଜ ଆଚରଣରେ ବିସ୍ମିତ ହୁଏ, ଆଉ ସ୍ତ୍ରୀକୁ, ପୁଅକୁ ବା ଚିହ୍ନିଥାନ୍ତେ କେମିତି ? ବାନ୍ଧି ରଖିପାରିଥାନ୍ତେ କେମିତି ?

 

ଦଶବର୍ଷ ତଳର ଘଟଣା । ସେତେବେଳେ ଏ ଗାଁ ଏଭଳି ବଦଳି ଯାଇନଥିଲା, ଗାଁ ଉପରେ ତାଙ୍କର ପ୍ରତିପତ୍ତି ଓ ପ୍ରଭାବ ଆଜିଭଳି ଜଖମ ହୋଇଯାଇନଥିଲା । ଦାୟିତ୍ୱହୀନ ଓ ବଦନାମର ପ୍ରତୀକ ଦିବାକରକୁ ଡାକି ଧମକ ଦେବା କଣ୍ଠରେ ପଚାରିଲେ–‘‘ତୁ କ’ଣ ଚାହୁଁ, ସଫା ସଫା କହ । ତୋର ନିର୍ଲଜ ଢଙ୍ଗ ଛାଡ଼ । ମୋର ସହିବାର ଗୋଟାଏ ସୀମା ଅଛି ।’’

 

–‘‘ଢେର ଦିନ ହେଲା କହିସାରିଛି ।’’ ବାପାଙ୍କୁ କେବେହେଲେ ସମ୍ମାନ ଦେବାକୁ ଶିଖିନଥିବା ଦିବାକର କହିଲା ସାମ୍ପୁକରା ବାବୁରି ବାଳ ଉପରେ ହାତ ବୁଲାଇ ଆଣି । ‘‘ଜମି ବିକ; ଟଙ୍କା ଆଣ । ଗୋଟାଏ ମିନି ବସ୍‌ କି ଟ୍ରକ୍‌ କିଣିବି । ବିଲକୁ ଯିବା କାମ ମୋ ଦେଇ ସମ୍ଭବ ନୁହେଁ-।’’

 

–‘‘କ’ଣ କହିଲୁ ?’’ ସେ ଚିତ୍କାର କରିଉଠିଲେ ।

 

–‘‘ଆଉ ଶୁଣ ।’’ ଉପଦେଶ ଦେବା ସ୍ୱରରେ ସେ କହିଲା, ‘‘ଏ ପାଟି ତୁଣ୍ତରୁ ତ୍ରାହି ପାଇବା ପାଇଁ ମୁଁ ବାହାରେ ବାହାରେ ରହୁଛି, ଆଉ.... ।’’

 

–‘‘ମଦ ପିଉଛୁ । ତା’ ସାଙ୍ଗକୁ... ।’’ ସେ ନିଜ କଥା ଶେଷ କରି ପାରିଲେ ନାହିଁ ପ୍ରଚଣ୍ତ ରାଗ ଓ ଲଜ୍ଜା ଯୋଗୁ ।

 

–‘‘ମୁଁ ତ ମନା କରୁନାହିଁ ।’’ ଆଗଭଳି ଅବିଚଳିତ ସ୍ୱର ଦିବାକରର । ‘‘କ’ଣ ନା, ମୁଁ ଚାଷ କରିବି ! ଯୁଗ ଆସି ପହଞ୍ଚିଲାଣି କୋଉଠି; ଆଉ ମୁଁ ଛତାଟିଏ ଧରି ବସିଥିବି ହିଡ଼ ଉପରେ ! ତୁମ ଆଖି ଆଗରେ କେତେ ଲୋକ କଣ୍ଟ୍ରାକ୍ଟର ହୋଇ ଏତେ ଟଙ୍କା ଜମେଇଲେଣି ଯେ, ତୁମ ଜମି କିଣିନେବା ତାଙ୍କ ପାଇଁ ଅସମ୍ଭବ ହେବ ନାହିଁ । କିଛି ନ ହେଲା ନାହିଁ, ଗୋଟାଏ ବ୍ୟବସାୟତ ଆରମ୍ଭ କରିପାରନ୍ତି !’’

 

ବହୁ ତର୍କ ବିତର୍କ ପରେ ସେ ଆରମ୍ଭ କଲା ନୂଆ ଗଢ଼ିଉଠୁଥିବା ବଜାରରେ ବଡ଼ ଦୋକାନଟିଏ । ଲୁଗାରୁ ଆରମ୍ଭ କରି ଲଙ୍କା-ପିଆଜ ପର୍ଯ୍ୟନ୍ତ ସେଠାରେ ମିଳିବ ବୋଲି ବଡ଼ ସାଇନ୍‌ବୋର୍ଡ଼ଟିଏ ଘୋଷଣା କଲା । କିଣିଲା ମୋଟର ସାଇକେଲ୍‌ । ମଦପିଆ ଓ ଗୁଣ୍ତାମିର ଆଡ୍‍ଡା ହେଲା ସେ ଦୋକାନ । ମାସର ପନ୍ଦରଦିନ ସେ ରହେ ବାହାରେ । ପାଞ୍ଚ ବର୍ଷ ପରେ ସେ ଦୋକାନରେ ଝୁଲିଲା ଛୋଟ ତାଲାଟିଏ । ଭିତରର ଶୂନ୍ୟ ସେଲ୍‌ଫ ଓ ବୁଢ଼ିଆଣୀ ଜାଲ କିଏ ବା ଚୋରୀ କରିବ ଯେ, ବଡ଼ ତାଲାଟିଏ ଦରକାର ହୋଇଥାନ୍ତା ? ଶେଷକୁ ମଦ ପିଇ ଗୋଟାଏ ପୋଲିସକୁ ସଂଜ୍ଞାହୀନ ହେବାଯାଏ ମାଡ଼ ମାରି ପଳେଇ ଯାଉଥିବାବେଳେ ମୋଟର ସାଇକେଲ୍‌ ରାସ୍ତାରୁ ଛିଟିକି ବାଜିଲା ସମ୍ଭବତଃ ପଥର ଉପରେ ! ସେଇଠି ସେ ମଲା ଖଣ୍ତିଆ ଖାବରା ହୋଇ । ଦିବାକର ବୋଲି ସେ କେବଳ ଦେଖିଥିଲେ ରକ୍ତରେ ଜୁଡ଼ୁବୁଡ଼ୁ ଗୋଟାଏ ଫଟା ଦେହକୁ–ହାଡ଼, ମାଂସ, ରକ୍ତ ମଧ୍ୟରେ ସଂହତି ନ ଥିବା ଗୋଟାଏ କରୁଣ, ଭୟଙ୍କର ପିଣ୍ତୁଳାକୁ ।

 

ଗୁହାଳ ପାଖରେ–‘‘କୁଆଡ଼େ ଗଲୁବେ, ହାଡ଼ିଆ; ବଳଦଗୁଡ଼ାକର ପଞ୍ଜରାହାଡ଼ ଗଣିହେଉଛି । କେରାଏ ନଡ଼ା ପକେଇ ଦେବା ପାଇଁ କେତେ ଆଉ ପାଟି କରିବି ?’’ କିମ୍ବା ସାମାନ୍ୟ ଡେରିରେ ଆସିଥିବା ମୂଲିଆଟିକୁ–‘‘ମୋ ଧନ ଶସ୍ତା ପଡ଼ିଛି, ନାଇଁ ? ଯା, କୋଉ ଚା’ ଦୋକାନରେ ଅଇଁଠା ଗିଲାସ ଧୋଇବୁ । ଶଳେ ଦିନ ଦଶଟା ବେଳକୁ ଆସି ଏଠି ଦାନ୍ତ ଦେଖେଇବେ ।’’ ଇତ୍ୟାଦି କଥା ଶୁଣାଗଲା ନାହିଁ । ଏମିତି କଥା କହିବାର ସମୟ ଓ ପରିସ୍ଥିତି କେଉଁଆଡ଼େ ଲୁଚିଗଲା ଯେମିତି । ଚାରି ପାଞ୍ଚ ଦିନ ଯାଏ ତାଙ୍କର ଅଭ୍ୟସ୍ତ ପାଦ ଦୁଇଟି ନିର୍ଦ୍ଦିଷ୍ଟ ସ୍ଥାନ ଆଡ଼କୁ ମୁହାଁଉଥିଲା; କ’ଣ ଗୋଟାଏ କହିବା ପାଇଁ ତାଙ୍କର ପାଟି ଉନ୍ମୁକ୍ତ ହେଉଥିଲା; କିନ୍ତୁ ଦୁଇଟି ପାଣିଚିଆ ଆଖି, ଝାଳୁଆ ମୁହଁ, କାଙ୍ଗାଳର ସ୍ୱାସ୍ଥ୍ୟ ନେଇ ସେ ଚାହୁଁଥିଲେ ଚାରିଆଡ଼େ । କ’ଣ ଦେଖୁଥିଲେ, କ’ଣ ବୁଝୁଥିଲେ ସେ ?

 

ଏହାର ଚାରି ପାଞ୍ଚ ଦିନ ପରେ, ଘର ଅଗଣାରେ ଠିଆ ହୋଇ, ଆକାଶକୁ ହାତ ବଢ଼ାଇ ସେ’ ଏମିତି ଚିତ୍କାର କରିଥିଲେ ଯେ, ସମସ୍ତ ପରିବେଷ୍ଟନୀର ମହତ୍ତ୍ୱ ଓ ଗାରିମା ଉଭେଇ ଯାଇ ସେହି ଇଲାକାରେ ଯୁଗ ଯୁଗର ସକଳ ରିକ୍ତତା ଓ ହା’ ହା’କାର ସହସା ଯେମିତି ରୁଣ୍ତ ହୋଇ ଯାଇଥିଲେ ଏବଂ ପୃଥିବୀର କୌଣସି କୋଣରେ ଆଉ ଦଣ୍ତେ ମାତ୍ର ଲୁକ୍‌କାୟିତ ନ ରହି ସମସ୍ତ ଭୟାବହତା ଓ ସତ୍ୟତାର ସହିତ ଆତ୍ମପ୍ରକାଶ କରିବାକୁ ତତ୍ପର ହୋଇ ଉଠିଥିଲେ । ସ୍ତବ୍‌ଧ ସାଇପଡ଼ିଶା ଉପରେ ତାଙ୍କର ଚିତ୍କାର ଥରକୁ ଥର ଆଘାତ ଦେଉଥିଲା, ଗୋଟାଏ ଯନ୍ତ୍ରଣା ଜର୍ଜ୍ଜରିତ କ୍ଷତ ଉପରେ ବାରମ୍ବାର ନୃଶଂସ ହାତୁଡ଼ିମାଡ଼ଭଳି । ଏହାପରେ ଘରର ଆସବାବ ଇତସ୍ତତଃ ଫୋପଡ଼ା ଫୋପଡ଼ି କରୁଥିବାବେଳେ ତାଙ୍କର ଜରାଜୀର୍ଣ୍ଣ, ଶୂନ୍ୟ ଦେହଟି ଆତ୍ମସମର୍ପଣ କରୁଥିଲା ସଂଜ୍ଞାହୀନତାର ଅନ୍ଧାର ବିସ୍ମୃତି ଭିତରେ ।

 

ମାସକ ପରେ ତାଙ୍କ ନିର୍ଦ୍ଦେଶମତେ ସୁରେନ୍ଦ୍ର ଆସି ପହଞ୍ଚିଲା ଏଘରର ଦାୟିତ୍ୱ ମୁଣ୍ତେଇବା ପାଇଁ ।

 

ଚିତୁ ହୋଇ ବିଛଣାରେ ପଡ଼ିରହିଥିଲେ ଅମୂଲ୍ୟବାବୁ ଏବଂ ଘନ ଘନ ନିଶ୍ୱାସ ନେଉଥିଲେ । ତାଙ୍କର ଦୁଇ ଆଖି କୋଣରୁ କାନ ପର୍ଯ୍ୟନ୍ତ ଝରି ଆସିଲା ଦୁଇ ଟୋପା ଲୁହ ।

 

ବର୍ତ୍ତମାନ ସୁରେନ୍ଦ୍ର କ’ଣ ଭାବୁଥିବ ? ଭବିଷ୍ୟତ୍‍ର ଯୋଜନା ? ହୋଇପାରେ, ଗୋଟାଏ କର୍ତ୍ତୃତ୍ୱ ଆପଣାଛାଏଁ ଅପସାରିତ ହୋଇଯାଉଛି ବୋଲି ସେ ନିଜର ସମ୍ପ୍ରସାରିତ ନିୟନ୍ତ୍ରଣ କଥା ଭାବୁଥିବ । ଆଉ ସାବିତ୍ରୀ ? ହୁଏତ, ଏଇଥିପାଇଁ ଖୁସି ହେଉଥିବ ଯେ, ସଞ୍ଜବେଳେ ଭାଗବତ, ପୁରାଣ ପଢ଼ିବା, ବଳେଇ କରି ଖୁଆଇବା, ନାହିଁ କରୁଥିଲେ ବି ଗୋଡ଼ ମୋଡ଼ି ଦେବା ଜଞ୍ଜାଳ ୟା’ପରେ ଆଉ ରହିବ ନାହିଁ ।

 

ପୁଣି ଅସ୍ୱସ୍ତି ଅନୁଭବ କଲେ ଅମୂଲ୍ୟବାବୁ । ଗତ ଚାରିବର୍ଷର ଜୀବନକୁ ସେ ବିଶ୍ୱାସ କରିପାରି ନାହାନ୍ତି ସମ୍ପୂର୍ଣ୍ଣଭାବେ । ସୁରେନ୍ଦ୍ର କ’ଣ ପ୍ରକୃତରେ ଏତେ ଭଲ ହୋଇପାରେ ? ନା, ତାଙ୍କ ବିପର୍ଯୟ ପ୍ରତି ଦରଦୀ ହୋଇ ସେ ଅଭିନୟ କରୁଛି, ସାବିତ୍ରୀ ସହିତ ଷଡ଼ଯନ୍ତ୍ର କରି ? ମାତ୍ର ଏଇ ଚାରିବର୍ଷ ଭିତରେ ଆପତ୍ତି କଲାଭଳି କ’ଣ ବା ଘଟିଛି ? କିଛି ନୁହେଁ । ତାଙ୍କୁ ସୁହେଇଲାଭଳି ସବୁ ହେଉଛି । ନିଜ କାମର ପୁନରାବୃତ୍ତି ଚାଲିଛି ଯେମିତି । ସ୍ୱାମୀ-ସ୍ତ୍ରୀ ଉଭୟ ପରିଶ୍ରମୀ ଓ ସହନଶୀଳ-। କଠୋରତାକୁ ଆବୋରି ନେଇଛନ୍ତି ମୁକାବିଲା ପାଇଁ ।

 

ସନ୍ତୁଷ୍ଟ ଥିଲେ ବି ଏତେ ତ୍ରୁଟିହୀନତା, ପରିଚ୍ଛନ୍ନତା ବେଳେବେଳେ ଅସହ୍ୟ ହୋଇପଡ଼େ ଅମୂଲ୍ୟବାବୁଙ୍କ ପକ୍ଷେ । ଭାବନ୍ତି, କେଉଁଠି ଭୁଲ୍‌ ଦେଖିଲେ, ସେ ଶାସନ କରନ୍ତେ ଦୁହିଁଙ୍କୁ । ନିଜର ବିଜ୍ଞତା ଓ ସ୍ନେହ ଦେଖାନ୍ତେ । କିନ୍ତୁ, ନା । ପୁଣି ବେଳେବେଳେ ଅପମାନିତ ହୁଅନ୍ତି ସେ । ଏ ଦୁହେଁ, ତାଙ୍କର ଅର୍ଥହୀନ ପିତୃତ୍ୱ ସମ୍ପର୍କରେ ତାଙ୍କୁ ସଚେତନ କରିବା ପାଇଁ ବଦ୍ଧପରିକର ବୋଧହୁଏ । ଦିବାକର କେଡ଼େ ତୁଚ୍ଛ ଓ ମୂଲ୍ୟହୀନ ଥିଲା, ତାହା ପ୍ରମାଣ କରିବା ପାଇଁ ଏ ଦୁହେଁ ଯେମିତି ହାତ ମିଳାଇଛନ୍ତି । ଏଇଥିପାଇଁ ବେଳେବେଳେ ସେ ଜଡ଼ସଡ଼ ହୋଇଯାଆନ୍ତି, ଗୋଟାଏ କ୍ଳୀବତ୍ୱରେ । ଭାବନ୍ତି, କୁଆଡ଼େ ଗଲା ଦିବାକର ? କାହାକୁ ଶାସନ କରିବାକୁ ଚେଷ୍ଟାକରି, ଅପମାନିତ ହୁଅନ୍ତୁ ପଛେ, ସେ ଭାବିବେ ଗୋଟାଏ ପୁଅର ବାପ ବୋଲି ? ସେ ଅପରାଧୀ ମନେ କଲେ ନିଜକୁ । ନା, ଏମିତି ଭାବିବା ଠିକ୍‌ ନୁହେଁ । କାହିଁକି ଏ ସବୁ ଭାବନା ? ସେ ଶୋଇବାକୁ ଚେଷ୍ଟାକଲେ ।

 

ପାହାନ୍ତା ବେଳକୁ ଅସରାୟ ବର୍ଷା ହୋଇଥିଲା । ଏବେ ଆକାଶ ମେଘୁଆ ଅଛି । ଡାଳ-ପତ୍ରରୁ କେତେବେଳେ କିମିତି ଝରିଆସୁଛି ପାଣିଟୋପା । ସାମାନ୍ୟ ଥଣ୍ତା ପବନ ବି ବୋହୁଛି । ବହୁବର୍ଷ ଆଗେ ଅପନ୍ତରା ହୋଇ ପଡ଼ିଥିବା ଏଇ ସ୍ଥାନଟି ଏବେ ବସ୍‍ଷ୍ଟାଣ୍ତ ହୋଇଛି ଓ ତା’କୁ କେନ୍ଦ୍ର କରି ଗଢ଼ି ଉଠିଛି ଛୋଟ-ବଜାରଟିଏ । ଦୁଇ-ତିନିଟା ଚା’ ଦୋକାନର ଆଞ୍ଚ ଉପରୁ ମୋଟା କୋଇଲା ଧୂଆଁ ଉଠୁଛି । ନିଦୁଆ କଣ୍ଠର ହାଇ ମାରିବା ଶବ୍ଦ ବି ଶୁଭୁଛି । ପିଣ୍ତା ଉପରେ ଏବେ ବି ତିନି-ଚାରୋଟି ମଶାରି ଝୁଲି ରହିଛି । ଏ ଆଡ଼କୁ ଅମୂଲ୍ୟବାବୁ ବେଶି ଆସନ୍ତି ନାହିଁ । ଅଧିକାଂଶ ବ୍ୟବସାୟୀ ଆଖପାଖ ଗାଁମାନଙ୍କରୁ ଉଠିଆସି ଏଠାରେ ବାଣିଜ୍ୟ କରୁଛନ୍ତି । ଏ ସ୍ଥାନଟି ଅପରିଚିତ ଓ ନିର୍ମମ ଜଣାପଡ଼େ ।

 

ବହୁବର୍ଷର ସଂକଳ୍ପ ସତ୍ତ୍ୱେ ଅମୂଲ୍ୟବାବୁ ଭାବୁଥିଲେ, ଏଇ ଚାଲିଯିବାର ମୁହୂର୍ତ୍ତଟି ଖୁବ୍‌ ଭୀଷଣ ଓ ବିଶ୍ୱାସଘାତକ ଜଣାପଡ଼ୁଛି । ଗାଁର ପରିବର୍ତ୍ତିତ ଚେହେରା, ସଂକୁଚିତ ଓ ନିଃସଙ୍ଗ ଜୀବନ ସତ୍ତ୍ୱେ ଏଇ କ୍ଷଣରେ ସବୁକଥା ଏଭଳି ମମତାମୟ ଓ ସୁନ୍ଦର ଜଣାପଡ଼ିବାର ଉଦ୍ଦେଶ୍ୟ କ’ଣ ? ତାଙ୍କ ଅନ୍ତରାତ୍ମାକୁ ଦୋହଲାଇ ଲୁଚିରହିଥିବା କରୁଣ ସ୍ୱରଟି ସମସ୍ତ ପ୍ରତିବନ୍ଧକ ଅମାନ୍ୟ କରି ଆତ୍ମପ୍ରକାଶ କରିବାପାଇଁ ଏମିତି ବ୍ୟାକୁଳ ହୋଇପଡ଼ୁଛି କାହିଁକି ? ତାଙ୍କୁ ବଳେଇ ଦେବାପାଇଁ ଆସିଥିବା ସମସ୍ତଙ୍କର କାତର, ବିହ୍ୱଳିତ ମୁହଁ ଉପରୁ ଦୃଷ୍ଟି ବୁଲାଇ ଆଣି ସେ ଚାହିଁଲେ ସାବିତ୍ରୀ ଆଡ଼େ । ଘରବାହାରକୁ କ୍ୱଚିତ୍‍ ଆସୁଥିବା ଅଳ୍ପ ବୟସର ଏହି ମଣିଷଟି ଦିଶୁଛି ଅସଜଡ଼ା, ବିଗଳିତ-। ତା’ର ଦୁଇଆଖିରୁ ଲୁହ ଝରୁଥିଲା ଓ ସମଗ୍ର ଦେହ କମ୍ପୁଥିଲା ଏକ ନାହିଁ ନଥିବା ଯନ୍ତ୍ରଣାର ନିର୍ଯ୍ୟାତନାରେ । ସୁରେନ୍ଦ୍ର ଦିଶୁଥିଲା ବିବର୍ଣ୍ଣ, ଶଙ୍କିତ । ନା, ସବୁ ଛଳନା । ସବୁ ପ୍ରତାରଣା-। ମୋତେ ଏମାନେ ନିର୍ବୋଧ ବୋଲି ଭାବୁଛନ୍ତି । ମୁଁ ଏଡ଼େ ଚଞ୍ଚଳ ବିଶ୍ୱାସ କରିଯିବି ଏସବୁ-? କାହିଁକି କେଜାଣି ଅମୂଲ୍ୟବାବୁଙ୍କ ମନ ବିଷାକ୍ତ ହୋଇ ପଡ଼ିଲା । ସୁରେନ୍ଦ୍ର ଓ ସାବିତ୍ରୀ କେବଳ ଠକିଛନ୍ତି ତାଙ୍କୁ । ସବୁ ଧପ୍‌ପାବାଜ-। ସମସ୍ତେ ସୁବିଧାବାଦୀ । ଏ ଆକାଶ, ପୃଥିବୀ, ଗଛ, ମଣିଷ–ସମସ୍ତଙ୍କୁ ମୋଡ଼ି ଖଣ୍ତ ଖଣ୍ତ କରି ଛିଣ୍ତାଇ ହୁଅନ୍ତା କି ?

 

ବସ୍‌ ଗଡୁଥିଲା ଆଗକୁ, ଏ ଯାଏଁ ଭଲକରି ଚେଇଁନଥିବା ରାସ୍ତା ଉପରେ । ସମସ୍ତେ ପଛରେ ପଡ଼ିରହୁଥିଲେ । ନୂଆ କରି ଗଢ଼ି ଉଠିଥିବା ବ୍ଲକ୍‍ ଅଫିସ, ହାଇସ୍କୁଲ, ଡ଼ାକ୍ତରଖାନା ଇତ୍ୟାଦି । ଗାଁରୁ ଚାଲିଯାଇ ସେ ଯେମିତି ପ୍ରତିଶୋଧ ନେଉଛନ୍ତି ସମସ୍ତଙ୍କ ଉପରେ । ଦେଖୁ ଦେଖୁ ତାଙ୍କଠାରୁ ଆହୁରି ଧନଶାଳୀ ହୋଇଯାଇଥିବା ଲୋକ, ନୂଆ ହୋଇ ଆସୁଥିବା ସରକାରୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ସୃଷ୍ଟି ହେଲା ଏକ ଅବାନ୍ତର ତିକ୍ତତା ଓ କ୍ରୋଧ । କେଉଁମାନେ ତାଙ୍କୁ ଛୋଟ ଓ ନଗଣ୍ୟ କରିଦେଲେ ? କିଏ ଛଡ଼େଇ ନେଲା ତାଙ୍କର ଆଧିପତ୍ୟ ଓ ଗୌରବ ?

 

ପ୍ରାୟ ଦୁଇଦିନର ବସ୍‍ ଓ ଟ୍ରେନ୍‌ ଯାତ୍ରା । ତା’ପରେ ଗଙ୍ଗା ନଦୀ କୂଳର ଏଇ ଛୋଟ, ଅପରିଷ୍କାର କୋଠରୀ । ମୃତ୍ୟୁ ପାଇଁ ପ୍ରତୀକ୍ଷା ।

 

ଏଇଭଳି ଶହଶହ ଛୋଟ ଭଡ଼ାଘର ଭିତରେ ରହନ୍ତି ଜୀବନ ସରିଆସୁଥିବା ଅନେକ ଲୋକ । ବିଭିନ୍ନ ଭାଷା କହୁଥିବା, ଅପରିଚିତ ଏଇ ମଣିଷମାନଙ୍କର ଲକ୍ଷ୍ୟ ଗୋଟିଏ–ତାଙ୍କର ମଲା ଦେହଟିକୁ ପୋଡ଼ା ହେବ ହରିଶ୍ଚନ୍ଦ୍ର କିମ୍ୱା ଦଶାଶ୍ୱମେଧ ଘାଟ କୂଳରେ ଆଉ ପାଉଁଶ ମୁଠାକୁ ଫିଙ୍ଗି ଦିଆଯିବ ନଈର ପେଟ ଭିତରକୁ । ସେଇ ମୁହୂର୍ତ୍ତ ପର୍ଯ୍ୟନ୍ତ ଏଇମିତି ଘର ଭିତରେ ପଡ଼ି ରହିବାକୁ ହୁଏ, ମରଣକୁ ଅପେକ୍ଷା କରି । ସଂସାରର ସବୁ ଘର କ’ଣ ଏୟା ? ମଣିଷ ଘର ତିଆରି କରେ ତା’ ଭିତରେ ମରିବାକୁ ?

 

ଏ ଦୁଇ ଘାଟରେ ଦିକି ଦିକି ହୋଇ ଅହରହ ଜୁଇ ଜଳୁଥିବ । ଶହ ଶହ କଞ୍ଚା ମୁର୍ଦ୍ଦାରକୁ ଫୋପାଡ଼ି ଦିଆଯାଉଥିବ ନଈ ଭିତରକୁ ପୁଳାଏ ଦୂଷିତ ଆବର୍ଜନା ଭଳି । ସହରର ଯେଉଁ ସ୍ଥାନରେ ଠିଆ ହୁଅ, ଦେଖିବ ଶହ ଶହ ସଂଖ୍ୟାରେ କୋକେଇ ମୁହାଁଇଛନ୍ତି ଏଇ ଦିଗକୁ । ତା’ ଉପରେ ଧଳା ଲୁଗା ଘୋଡ଼େଇ ହୋଇଥିବା ନିଶ୍ଚଳ ଦେହଟି ଧୈର୍ଯ୍ୟ ଓ ନୀରବତାର ସହିତ ଶୁଣୁଥିବ–ରାମନାମ ସତ୍ୟ ହୈ । ବାରମ୍ବାର ଉଚ୍ଚାରିତ ହେଉଥିବା ଏଇ ଶବ୍ଦଗୁଡ଼ିକ ବିଞ୍ଚିହୋଇ ପଡ଼ୁଥିବ ସହରର ଜନଗହଳି ଅଞ୍ଚଳରେ; ଠିଆ ହୋଇଥିବା ବସ୍‍, ଟାକ୍‌ସି କଡ଼ରେ; ବେକାର ଯୁବକଟିର ତତଲା ନିଶ୍ୱାସ ପାଖରେ, ଔଷଧ କିଣୁଥିବା ରୋଗୀର ସମ୍ଭାବନା ଧାରରେ; ପ୍ରେମିକାଟିର ଚିଠି ପଢ଼ାର ନିଷ୍କପଟତା ନିକଟରେ ।

 

ଏତେବଡ଼ ସହରଟିଏ ଗଢ଼ିଉଠିଲା କାହିଁକି, ଏଠାରେ ? ଏ ନଈକୁ ମୃତ୍ୟୁ କେତେ ଭଲଯାଏ ସତରେ ! ଅଥଚ ଏ ନଈ କ’ଣ କାହାରିକୁ କିଛି ପ୍ରତିଶ୍ରୁତି ଦିଏ ? ଏଠାରେ ମଲାପରେ ମଣିଷ କ’ଣ ଜାଣିପାରେ ଯେ, ଏ ନଈର ପାଣି ଘସିମାଜି ପରିଷ୍କାର କରିଥିବା ତା’ର ଆତ୍ମା ମିଶିଗଲା ପରମାତ୍ମାଙ୍କର ଅବିନଶ୍ୱର ଅସୀମତା ଭିତରେ ? ସଂସାର କ’ଣ ଆବିଳମୁକ୍ତ ହୋଇଯାଏ-? ପାପ ଓ ଦୁଷ୍କର୍ମକୁ ବାସନ୍ଦ କରିଦିଏ ?

 

ନଈକୂଳରେ ତିଆରି ହୋଇଥିବା ଏଇ ପଥର ପାହାଚ ଉପରେ ବସି ପୋଡ଼ା ମଣିଷ ମାଂସର ଗନ୍ଧ ଶୁଙ୍ଘିବା, ସୂର୍ଯ୍ୟଙ୍କୁ ଆଞ୍ଜୁଳା ଆଞ୍ଜୁଳା ପାଣି ଅର୍ପଣ କରୁଥିବା ବ୍ରାହ୍ମଣକୁ ହେଖିବା, ବ୍ୟବସାୟୀର ପ୍ରରୋଚନା ଶୁଣିବା–ସବୁ ବିଚିତ୍ର, ଅବୋଧ୍ୟ ଜଣାପଡ଼େ । ବେଳେବେଳେ ସେ ଅସ୍ଥିର ହୋଇ ଭାବନ୍ତି, କେବେ ସେହି ଦିନ ? କେବେ ତାଙ୍କର ସ୍ପନ୍ଦନହୀନ ଦେହଟିକୁ ଗଡ଼ାଇ ଦିଆଯିବ, ଏଇ ସହନଶୀଳ ପାଣି ଭିତରକୁ ? କେବେ ସେ ମରିବେ ? ସମୟ ତ କଟୁନି ଜମା ! ଏଯାଏଁ ତ ସେ ପ୍ରାୟ ସୁସ୍ଥ, ସବଳ ଅଛନ୍ତି ! କେତେ ଦୂରରେ ଅଛି ସେ ମୁହୂର୍ତ୍ତଟି ? କେହି ହେଲେ କହିଦିଅ କେତେ ଦିନ ତାଙ୍କୁ ଏମିତି ଅପେକ୍ଷା କରିବାକୁ ହେବ ?

 

ଭାବନ୍ତି, ଡେଇଁ ପଡ଼ିବେ ଏ ନଈର ଗର୍ଭକୁ ? ଧ୍ୱଂସ କରିଦେବେ ନିଜକୁ, ହେମ ଯେମିତି ଧ୍ୱଂସ କଲା ନିଜକୁ ? ବେଳେବେଳେ ଏ ଭାବନା ଏତେ ତୀବ୍ର ହୋଇପଡ଼େ ଯେ, ସେ ମୋହାଚ୍ଛନ୍ନ ହୋଇଯାଆନ୍ତି, ତାଙ୍କର ଦେହ, ଶିରା-ପ୍ରଶିରା କଠିନ ହୋଇଯାଏ ! ମୃତ୍ୟୁ ବରଣ କରିବା ଏକ ସାଧନା ହୁଏତ, ଏକ ଦୀର୍ଘ ମାନସିକ ପ୍ରସ୍ତୁତି ।

 

ପ୍ରଥମ ଚାରିପାଞ୍ଚଦିନର ଅଭିଜ୍ଞତା ଏତେ ଅସହ୍ୟ, ଏତେ ଜଟିଳ ନଥିଲା । ବିଭିନ୍ନ ମନ୍ଦିର ଓ ମଠ ଭିତରେ କୌଣସି ମତେ କଟୁଥିଲା ସମୟ । ସହର ବି ଭଲ ଲାଗୁଥିଲା, ରାମନାମ ସତ୍ୟ ହୈର ଧ୍ୱନି ବିଶ୍ୱାସମୟ ଜଣାପଡୁଥିଲା । ଏବେ ? କୁଆଡ଼େ ଗଲ ହେମ ? କୁଆଡ଼େ ଗଲୁରେ, ମୋର ଅବୁଝା, ଅଝଟ, ଦିବାକର ? କୁଆଡ଼େ ଗଲ–ସୁରେନ୍ଦ୍ର, ସାବିତ୍ରୀ ? ମୋର ବଳଦମାନଙ୍କର ନିରୀହ ଆଖି, ମୋ ବିଲର ଘାସ, ମୋ ଘରର ଛାଞ୍ଚୁଣି–କୁଆଡ଼େ ରହିଲ ସବୁ ?

 

–‘‘ବାପା, ଉଠ । ଉଠିପଡ଼ ।’’

 

ଅମୂଲ୍ୟବାବୁ ଗୋଟାଏ ଅଦୃଶ୍ୟ ଶକ୍ତିରେ ପରିଚାଳିତ ହେଲାଭଳି ସ୍ୱପ୍ନାଚ୍ଛନ୍ନ ହୋଇ ବସିପଡ଼ିଲେ ସତରଞ୍ଜି ଉପରେ । ସୁରେନ୍ଦ୍ରକୁ ସାମନାରେ ଦେଖି, ଦେଖି ପାରୁ ନଥିଲେ ସେ । ତାଙ୍କର ସ୍ତବ୍‌ଧକାତର ବିଚଳିତ ମୁହଁରୁ ଦୃଷ୍ଟି ଫେରେଇ ସୁରେନ୍ଦ୍ର ଠିଆ ହେଲା । ମଳିନ କାନ୍ଥ ଘେରା ଛୋଟ, ଅନ୍ଧାରିଆ ସୁଡ଼ଙ୍ଗ ଭଳି ଦିଶୁଥିବା କୋଠରୀଟିକୁ ଦେଖିସାରି କହିଲା–‘‘ତୁମକୁ ଫେରାଇ ନେବାକୁ ଆସିଛି, ବାପା । ତୁମକୁ ମୋ ସଙ୍ଗେ ଫେରିବାକୁ ହେବ । ନ ହେଲେ, ରହିଲି ମୁଁ ଏଠି, ତୁମ ସାଙ୍ଗରେ ।’’ ତା’ପରେ ମନକୁ ମନ କହିଲା ଭଳି ନିମ୍ନସ୍ୱର ଶୁଣାଗଲା–‘‘ଗାଁ, ଘର ଭଲ ଲାଗୁନାହିଁ । କ’ଣ ମିଳିବ ସେ ପୁଣ୍ୟରୁ ? ନା ! ଏମିତି କ’ଣ ହୁଏ ? ତୁମେ ବାହାର, ମୋ ସହିତ-।’’

 

ଅମୂଲ୍ୟବାବୁଙ୍କର ସମସ୍ତ ଭାବନାଶକ୍ତି ଅକାମୀ ହୋଇ ପଡ଼ୁଥିଲା । ସେ ଠିଆ ହେଲେ ଓ ଚାହିଁଲେ ସୁରେନ୍ଦ୍ର ଆଡ଼େ । ସମସ୍ତ ଶକ୍ତିର ସହିତ ତାକୁ ଆଲିଙ୍ଗନ କରି ସେ ପିଲାଙ୍କ ଭଳି ଗଳା ଫଟାଇ କାନ୍ଦି ଉଠିଲେ । କାନ୍ଦଣା ତ ନୁହଁ, ଗୋଟାଏ ଆର୍ତ୍ତନାଦ ଯେମିତି । ତା’ପରେ ତାଙ୍କର ହାତ କୋହଳ ହୋଇ ପଡ଼ୁଥିଲା ଏବଂ ସେ ନିମ୍ନମୁଖୀ ହେଉଥିଲେ । ସୁରେନ୍ଦ୍ରର ଦୁଇ ଗୋଡ଼କୁ କୁଣ୍ଢାଇ ଧରି ସେ ଅଳି କଲେ–‘‘କେଉଁଠିକି ଯିବି ? କହ, କେଉଁଠିକି ? ଏ ଦେହକୁ ଧରି ଆଉ ଯିବି କେଉଁଆଡ଼େ ? କେଉଁଠି ମରଣକୁ ଅପେକ୍ଷା କରିବି ?’’

 

ଅମୂଲ୍ୟବାବୁଙ୍କ ହାତରୁ ନିଜକୁ ମୁକ୍ତ କରି ସୁରେନ୍ଦ୍ର ଜିନିଷ ସଜାଡ଼ିବାରେ ଲାଗି ପଡ଼ିଲା-

Image

 

ଶେଷ ଚିଠି

 

ଡିସେମ୍ବରର ଏକ ଅପରାହ୍ନ ।

 

ପାହାଡ଼ ପାଖରେ ଜିପ୍‌ ପାର୍କ କରି ମଳୟବାବୁ ତଳକୁ ଓହ୍ଲାଇଲେ । ଏ ପାହାଡ଼ଠାରୁ ସାମନାରେ ଦେଖାଯାଉଥିବା ପାହାଡ଼ର ବ୍ୟବଧାନ ପ୍ରାୟ ଦୁଇ କିଲୋମିଟର ହେବ । ମଝିରେ ନଈ-। ଶୀତଦିନ ଯୋଗୁଁ କ୍ଷୁଧାର୍ତ୍ତ ଓ ଲଙ୍ଗଳା ଦେଖାଯାଉଛି । ଶିଉଳି ଢାଙ୍କି ପକାଇଥିବା ପଥର ଚଟାଣ ଉପରେ ଯେଉଁ କ୍ଷୀଣ ଜଳଧାରଟି ଅଳସ ଗତିରେ ତଳକୁ ଝରିଯାଉଛି ନୀରବରେ, ତାହା ଭାରି ନିରୀହ ଓ ଅବସନ୍ନ ଜଣାପଡ଼ୁଛି ।

 

ଅଥଚ ଏ ନଈ ମାରାତ୍ମକ ଭାବରେ ହିଂସ୍ର ଓ ଧ୍ୱଂସାତ୍ମକ ହୋଇପଡ଼େ ବର୍ଷାଦିନରେ । ମାଟିଆ, ଅସ୍ୱାସ୍ଥ୍ୟକର ପାଣି ଭଳି ଏହାର ଆଚରଣ ବିପଜ୍ଜନକ ହୋଇପଡ଼େ । ଦୁଇକୂଳ ଲଙ୍ଘନ କରି କେତେ ଗାଁ, କେତେ ଶସ୍ୟକ୍ଷେତକୁ ଏହା ହାତ ବଢ଼ାଇ ଧ୍ୱଂସ କରିଦେଇଛି, ତା’ର ହିସାବ ବା ରଖିଛି କିଏ ?

 

ଏଭଳି ଉଚ୍ଛୃଙ୍ଖଳ, ଉଦ୍ଦଣ୍ତ ନଈକୁ ଶାସନ କରିବା ଦରକାର ମନେ ହେଲା । କିଏ ଭଲ ଶୃଙ୍ଖଳା ଚାହେଁ ? ଶୃଙ୍ଖଳା ଏକ ପରିସୀମା, ଯାହାର ବାଡ଼ ପ୍ରବୃତ୍ତିର ବର୍ହିପ୍ରକାଶ ଓ ଆଚରଣ ଡେଇଁ ପାରେ ନାହିଁ । ଏ ସବୁକୁ ବନ୍ଦୀ କରି ଦିଆଯାଏ ଦୃଢ଼ ଫ୍ରେମ୍‌ ଭିତରେ । ଭାରି କ୍ଳାନ୍ତ, ଅବଶ ଲାଗେ ତା’ପରେ । ଏ ନଈର ବର୍ଷାଦିନିଆ ଉତ୍ତେଜନା ଓ ଉଚ୍ଛୃଙ୍ଖଳତାକୁ ପ୍ରଶାନ୍ତିରେ ପରିଣତ କରିବା ସକାଶେ ସେଇମିତି ଏକ ପରିସୀମା, ଫ୍ରେମ୍‍ ନିର୍ଦ୍ଧାରିତ ହୋଇଗଲା । ଏ ଯେଉଁ ପାହାଡ଼ ଦୁଇଟି ଠିଆ ହୋଇଛନ୍ତି ନଈର ଦୁଇ କୂଳରେ, ତାହାକୁ ସଂଯୋଗ କରି ଗଢ଼ି ଉଠିବ ଏକ ଡ୍ୟାମ୍‌ ।

 

ଆପାତତଃ ଏଇଥିପାଇଁ ପ୍ରାରମ୍ଭିକ ସର୍ଭେ ବହୁଦିନୁ ଶେଷ ହୋଇଯାଇଥିଲା । ବର୍ତ୍ତମାନ ଡ୍ୟାମ୍‌ କାମ ଆରମ୍ଭ ହୋଇଯାଇଛି ସମସ୍ତ ତତ୍ପରତାର ସହିତ ।

 

ମଳୟବାବୁ ଗୋଟିଏ ପଥର ଉପରେ ବସିଲେ । ତଳୁ ଛୋଟ ଛୋଟ ପଥର ଉଠାଇ ସେ ଫୋପାଡ଼ିଲେ ଜଳଧାର ଉପରକୁ ।

 

କେଡ଼େ ଚଞ୍ଚଳ ବଦଳି ଯାଉଛି ପୃଥିବୀର ଚେହେରା ! କେମିତି ଦ୍ରୁତ ଗତିରେ ମଣିଷ ବିଞ୍ଚି ହୋଇ ପଡ଼ୁଛି ଚାରିଆଡ଼େ । ଧୀରେ ଧୀରେ କେମିତି ଲଙ୍ଗଳା ହୋଇ ପଡ଼ୁଛି ଏ ପୃଥିବୀ ! କେଉଁଠାରେ ଆଉ ଗୁପ୍ତ ସ୍ଥାନ ରହିଛି, ନ ଦେଖିଲା ଜାଗା ଆଉ କେଉଁଠାରେ ରହିଛି ? ସମସ୍ତ ରହସ୍ୟ ହରାଇ ଏ ପୃଥିବୀ ଦେଖାଯାଉଛି ଗତାନୁଗତିକ । ଏଠାରେ ଆଉ କୁହୁକ ନାହିଁ, ଆଶଙ୍କା ନାହିଁ, ଆଶ୍ଚର୍ଯ୍ୟ ହେବାର ଭାଷା ନାହିଁ ।

 

ମଳୟବାବୁ ଭାବୁଥିଲେ, ଏ ସବୁର ଶେଷ କେଉଁଠି ? ଏକଦା ଏଠାକାର ନିଘଞ୍ଚ ଜଙ୍ଗଲ ଭିତରେ କାଠୁରିଆର ଠକ୍‌-ଠକ୍‌-ଶବ୍ଦ ଗଛ ପତ୍ରରେ ପ୍ରତିଧ୍ୱନିତ ହେଉଥିଲା । ମଣିଷ ଶିକାର ହେଉଥିଲା ବାଘ ମୁହଁରେ । ଏ ସ୍ଥାନ ଥିଲା ଦୁର୍ଗମ; କିନ୍ତୁ ସୁନ୍ଦର । ଏ ସବୁକୁ କିଏ ପୋଛିନେଲା ଏମିତି ନିର୍ମମ ଭାବରେ ? ଆଜି ହଜାର ହଜାର ଶ୍ରମିକ ଓ ଇଞ୍ଜିନିୟରଙ୍କ ଅଶ୍ଳୀଳ କୋଳାହଳ, ଜିପ୍‌, ଟ୍ରକ୍‌, ବୁଲଡ଼ୋଜର, କ୍ରେନ ଇତ୍ୟାଦିର ବିରତିହୀନ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଏହା ଥୁଣ୍ଟା ଗଛଭଳି କଠିନ ଓ ହତିଶ୍ରୀ ଦେଖାଯାଉଛି । ମଣିଷର ଭୋକର ଯବନିକା କେଉଁଠି ? କେତେ ଗ୍ରାସ କଲେ ସେ ସନ୍ତୁଷ୍ଟ ହୋଇ ଏ ପୃଥିବୀକୁ ଶାନ୍ତିରେ ରହିବାକୁ ଦେବ ?

 

ମଳୟବାବୁ ଇଞ୍ଜିନିୟର ହୋଇଥିଲେ ବି ଏଭଳି ଦ୍ରୁତ ପରିବର୍ତ୍ତନ ସହିତ ସେ ସାଲିସ୍‍ କରିପାରୁନଥିଲେ ନିଜକୁ । ତାଙ୍କୁ ଜଣା ଯାଉଥିଲା, ହୁଏତ ଆଉ କେଇଟା ଶତାବ୍ଦୀ ପରେ ଏ ପୃଥିବୀ ପୃଷ୍ଠରେ ପାହାଡ଼ ରହିବ ନାହିଁ । ସମସ୍ତ ନଦୀକୁ ଅଣ୍ତରଗ୍ରାଉଣ୍ତ କରିଦିଆଯିବ । ଚାରିଆଡ଼ ଦେଖାଯିବ ଖାଲି ମଣିଷ ଆଉ ତା’ ମୁହଁରେ ସେଇ ଆଦିମ ଯୁଗର କ୍ଷୁଧା । ତା’ପରେ ଆଉ କ’ଣ ସବୁ ଘଟିବ, ତାହା ସେ ଆଦୌ ଚିନ୍ତା କରିପାରିଲେ ନାହିଁ । ତେବେ ଗୋଟିଏ କଥା ଚିନ୍ତା କରି ମନକୁ ମନ ହସିଲେ–ମଣିଷ କ୍ଷୁଧାକୁ ଧ୍ୱଂସ କରେ ନା, କ୍ଷୁଧା ମଣିଷକୁ ଧ୍ୱଂସ କରେ ? ଭବିଷ୍ୟତରେ କିଏ କାହାକୁ ଧ୍ୱଂସ କରିବ, କେଜାଣି ?

 

ଏ ଉଦ୍ଦଣ୍ତ ନଈକୁ ଅକ୍ତିଆର କରାଯିବ–ଭବିଷ୍ୟତରେ ଏଇ ସଫଳତା ପାଇବା ନିଶାରେ ମଣିଷ ମାତାଲ ହୋଇଛି । ଅଥଚ ଏହାର ଅନ୍ତରାଳରେ ଥିବା ଯନ୍ତ୍ରଣାପୂର୍ଣ୍ଣ, ବିଫଳତାର ଦିଗଟି ପ୍ରତି କେହି କ’ଣ ସଚେତନ ହୋଇଛି ?

 

ମଳୟବାବୁ ଆଣିଥିବା ଶକ୍ତିଶାଳୀ ବାଇନୋକ୍ୟୁଲାରଟିକୁ ଆଖି ଆଗରେ ଧରିଲେ । ନଈର ଉପର ମୁଣ୍ତ ଖୁବ୍‌ ଫରଚା ଦେଖାଯାଉଛି । ପ୍ରାୟ ପଚାଶ ବର୍ଗ କିଲୋମିଟର ପରିମିତ ଇଲାକାକୁ ନେଇ ସୃଷ୍ଟି କରାଯିବ ଜଳଭଣ୍ତାର । ଡ୍ୟାମ୍‌ ତଳକୁ ବସିବ ପାଓ୍ୟାର-ହାଉସ୍‍ । ହୃତୁପିଣ୍ତରୁ ଶିରାପ୍ରଶିରା ଶରୀରର ସବୁଆଡ଼େ ମାଡ଼ିଗଲା ଭଳି ଏଠାରୁ ଲମ୍ବିଯିବ କେନାଲ ଓ ବିଜୁଳି ଶକ୍ତି ଧାରଣ କରି ମୋଟା ମୋଟା ତାର । ତଳ ଅଞ୍ଚଳକୁ କେବଳ ଯେ ବନ୍ୟା ଦାଉରୁ ରକ୍ଷା କରାଯିବ, ତା’ ନୁହେଁ; ଅଧିକନ୍ତୁ ମଣିଷ ଲଢ଼େଇ କରିବ ଅନ୍ଧକାର ଓ ମରୁଡ଼ି ବିରୁଦ୍ଧରେ । ଏ ଡ୍ୟାମ୍‍ର ଫଟୋ ପତ୍ରିକା ଓ ଖବର କାଗଜରେ ପ୍ରକାଶିତ ହେବ ଏବଂ ଦେଶ ଯେ ଉନ୍ନତିର ସିଡ଼ିବାଟେ କ୍ରମେ ଊର୍ଦ୍ଧ୍ୱମୁଖୀ ହେଉଛି, ତାହା ପ୍ରମାଣିତ ହେବ ।

 

ଯେକୌଣସି କାମ କରିବାକୁ ହେଲେ କିଛି ମୂଲ୍ୟ ଦେବାକୁ ପଡ଼ିଥାଏ । ଏ ଡ୍ୟାମ୍‌ ତିଆରି ପାଇଁ ଖର୍ଚ୍ଚ ହେଉଥିବା ବିପୁଳ ପରିମାଣର ଅର୍ଥ କ’ଣ ଏକମାତ୍ର ମୂଲ୍ୟ ? ଦୁଇ ପାପୁଲିରେ ମୁହଁ ଘଷି ସେ ଚାରିଆଡ଼ୁ ଦୃଷ୍ଟି ବୁଲାଇ ଆଣିଲେ, ପରାଜିତ ସମ୍ରାଟ ଜଣେ ଶତ୍ରୁଦ୍ୱାରା ଅଧିକୃତ ହୋଇଯାଇଥିବା ନିଜର ଧର୍ଷିତ ରାଜ୍ୟକୁ କରୁଣ ଓ ମମତାପୂର୍ଣ୍ଣ ଦୃଷ୍ଟିରେ ଦେଖିଲା ଭଳି ।

 

ଏ ଅଞ୍ଚଳର ଘଞ୍ଚ ଜଙ୍ଗଲ ସହିତ ପୋଛି ହୋଇଗଲା ଚଢ଼େଇମାନଙ୍କର ସଙ୍ଗୀତ, ପୋତିହୋଇଗଲା ସାପମାନଙ୍କର ଗାତ । ପ୍ରକୃତିର ଚେହେରାକୁ ଅପରେସନ୍‌ କରି ମଣିଷ ସୃଷ୍ଟି କରୁଛି ଗୋଟାଏ ନକଲି, ପ୍ରାଣହୀନ ରୂପ ।

 

ପାହାଡ଼ିଆ ସ୍ଥାନ ଉପରକୁ ଡିସେମ୍ବରର ଥଣ୍ତା ସନ୍ଧ୍ୟା ଦ୍ରୁତ ଗତିରେ ଓହ୍ଲାଇ ଆସୁଛି । ଏ ସନ୍ଧ୍ୟା ଏବେ ଏଣିକି ଏସ୍ଥାନର ପରିବର୍ତ୍ତିତ ରୂପକୁ ଚିହ୍ନିପାରୁଛି କି ନା, କିଏ କହିବ ? କିନ୍ତୁ ସବୁ ଜିନିଷ ତାଙ୍କୁ ଅର୍ଥହୀନ ଓ ବିଦ୍ରୂପମୟ ଜଣାପଡ଼ୁଛି ! ସମସ୍ତ ବିଶ୍ୱାସ ଓ ଆନନ୍ଦ କେଉଁ ଗୋଟାଏ କଠୋର ହାତର ଚାପ ଯୋଗୁଁ ଫାଟି ଯାଉଛି ଯେମିତି !

 

ଏଥର ସେ ଉଠିଲେ । କଲୋନୀକୁ ଫେରିଯିବା ପାଇଁ ହେବ । ଏଠାରୁ ଅନ୍ତତଃ ପାଞ୍ଚକିଲୋମିଟର ଦୂରରେ ଇଞ୍ଜିନିୟର ତଥା ଅନ୍ୟାନ୍ୟ ଅଫିସରଙ୍କ ପାଇଁ ଗଢ଼ି ଉଠିଥିବା କଲୋନୀ । କଲୋନୀ ଚାରିପାଖରେ ସୃଷ୍ଟି ହୋଇଛି ଶ୍ରମିକମାନଙ୍କର ବସ୍ତି । ଏବେ ହୁଏତ କ୍ଲବରେ ବିଲିୟାର୍ଡସ୍‍ ଓ ବ୍ରିଜ୍‍ ଖେଳ ଜମି ନ ଥିବ । ବସ୍ତିରୁ ଶୁଭୁ ନ ଥିବ ଆଦିବାସୀ ଗୀତ ଓ ବିଚିତ୍ର ବାଜାର ଧ୍ୱନି ।

 

କିନ୍ତୁ ମଳୟବାବୁଙ୍କର ଅନୁମାନ ଭୁଲ ପ୍ରମାଣିତ ହେଲା । କ୍ଲବଘର ସାମନାରେ ଜିପ୍‌ ଛୁଟାଇ ଯିବାବେଳେ କେତେଜଣ ଅଫିସର ପ୍ରମତ୍ତ ହୋଇ ହସୁଥିବାର ସେ ଶୁଣିଲେ । ରେଡ଼ିଓଟି ବାଜୁଥିଲା ଗୋଟାଏ ମାଇକ୍‌ ଭଳି । ସବୁ ଦିନ ପରି ସେ ଖାଲି ଟିକିଏ ଚାହିଁଲେ ସେ ଆଡ଼େ ଓ ଷ୍ଟିଅରିଂ ମୋଡ଼ିଲେ ।

 

କ୍ୱାଟର୍ସ ସାମନାରେ ଗାଡ଼ି ରଖି ସେ ଭିତରକୁ ଗଲେ । ଥ୍ରୀ-ଆର୍‍ କ୍ୱାଟର୍ସର ବାରଣ୍ତା ଲାଇଟ୍‍ ଜଳୁଥିଲା । ରୋଷେଇ ଘରେ କାର୍ଯ୍ୟବ୍ୟସ୍ତ ଥିଲା ହରି–ଚଉଦ–ପନ୍ଦର ବର୍ଷର ପୂଝାରି ପିଲାଟି । ୟା ବ୍ୟତୀତ ଅନ୍ୟ କୋଠରୀଗୁଡ଼ାକ ଅନ୍ଧକାର ଥିଲା । ନିଃଶବ୍ଦରେ ପୋଷାକ ବଦଳାଇ ସେ ଧୋଇଧାଇ ହେଲେ । କେନ୍‌ ଚେୟାର ଉପରେ ବସି ସେ’ଦିନର ଖବରକାଗଜର ପୃଷ୍ଠା ଓଲଟାଇଲା ବେଳକୁ ହରି କପେ ଚା’ ଥୋଇଦେଲା ଟି-ପୟ ଉପରେ ।

 

କପ୍‍ଟିକୁ ଓଠ ପାଖକୁ ନେଲାବେଳେ ସେ ଭାବୁଥିଲେ, ଡ୍ୟାମ୍‍ ନିର୍ମାଣ ଶେଷ ହେଲେ ନଈ ଶୃଙ୍ଖଳିତ ହୋଇଯିବ, ବନ୍ୟା ନିୟନ୍ତ୍ରିତ ହେବ । କିଛି ନାହିଁ; ଖାଲି ଗୋଟାଏ ଶକ୍ତ ବନ୍ଧ । ଅଥଚ ବନ୍ଧ ବିହୀନ ହୋଇଗଲେ ମଣିଷ ଶାନ୍ତ ଓ ପ୍ରଗଳ୍‍ଭହୀନ ହୋଇପାରେ ବୋଲି ତାଙ୍କର ଧାରଣା ନ ଥିଲା ।

 

ବହୁ ଆଗରୁ–ଛାତ୍ର ଥିବାବେଳେ ଏବଂ ବିବାହ କରିବାର ପୂର୍ବ ମୁହୂର୍ତ୍ତ ପର୍ଯ୍ୟନ୍ତ–ଉଶ୍ୱାସ ବୋଧ କରୁଥିଲେ ସେ ! ସେତେବେଳେ ଜୀବନର ସଂଜ୍ଞା ଥିଲା ସ୍ୱତନ୍ତ୍ର । କେବଳ ରଙ୍ଗୀନ୍‍ ସ୍ୱପ୍ନର ପାଖୁଡ଼ା ଏବଂ ଭବିଷ୍ୟତ ପାଇଁ ଯୋଜନାର ପର୍ଯ୍ୟାପ୍ତ ରୂପରେଖ ! ବର୍ତ୍ତମାନ ତ ସେ ବନ୍ଧନହୀନ ହୋଇ ଯାଇଛନ୍ତି ! ମାତ୍ର ଅତୀତର ସେ ମୁହୂର୍ତ୍ତ ଆଉ ଫେରୁନାହିଁ । ଜୀବନ ପ୍ରତି ପୂର୍ବର ସେ ଦୃଷ୍ଟିଭଙ୍ଗୀ ତାଙ୍କର ଆଉ ନାହିଁ । ଏବେ ସେ ନିଜ ଭିତରେ ରହିବାକୁ ଭଲ ପାଉଛନ୍ତି । ସବୁଆଡ଼ୁ ତାଙ୍କର ଉପସ୍ଥିତି ହଜି ହଜି ଯାଉଛି । ହୁଏତ ପ୍ରତିବାଦହୀନ, ସହନଶୀଳ, ନିର୍ଲିପ୍ତ ଦୃଷ୍ଟିକୋଣର ନୌକା ଉପରେ ବସି ସେ କେବଳ ଠେଲି ହୋଇ ଆଗେଇ ଯାଉଛନ୍ତି । ଏଭଳି ଆଗେଇ ଯିବାରେ ନା ଅଛି ଆନ୍ତରିକତା, ନା ଅଛି ଉତ୍ତେଜନା ।

 

ମଝିରେ ଗୋଟାଏ ବନ୍ଧ ପଡ଼ିଯାଇଥିଲା–ବିବାହର ବନ୍ଧ । ଏବେ ଖାଲି ତିକ୍ତ, ପୁଣି ଆବେଗମୟ ସ୍ମୃତି ବ୍ୟତୀତ ସେ ବନ୍ଧର ଚିହ୍ନବର୍ଣ୍ଣ ନାହିଁ । ତାଙ୍କର ଶୋଇବା ଘରେ ଚୁଡ଼ିର ରୁଣୁ ଝୁଣୁ ଶବ୍ଦ ଶୁଭୁନାହିଁ । ର୍ୟାକରେ ଶାଢ଼ି ଓ ବ୍ଲାଉଜ ଆଉ ଦେଖାଯାଉ ନାହିଁ । ଏ ସବୁ ଥିଲା; ଏମିତିକି ଅଳ୍ପ କେଇଟା ମାସ ପୂର୍ବରୁ । କିଏ ଜାଣେ ସେ ସବୁ ପୁଣି ଫେରି ଆସିବ କି ନାହିଁ ?

 

ରେଖା ସହିତ ମତଭେଦଟା ଏମିତି ପର୍ଯ୍ୟାୟକୁ ଚାଲିଯିବ ବୋଲି ସେ ଜମା ବିଶ୍ୱାସ କରିନଥିଲେ । ତାଙ୍କ କ୍ୱାଟର୍ସରେ ଅଭାବ-ଅନାଟନ ନଥିଲା । ତାଙ୍କର ହୃଦୟ ଆବେଗ ଓ ସ୍ନେହ ଦୃଷ୍ଟିରୁ ଗରିବ ନଥିଲା । ଏସବୁ ସତ୍ତ୍ୱେ ତାଙ୍କ ଦୁହିଁଙ୍କ ମଧ୍ୟରେ ଥିବା ଫାଟ ସମ୍ପ୍ରସାରିତ ହୋଇଗଲା ।

 

ଗଲାବେଳେ ସେ କହି ଯାଇଥିଲା–‘‘ତୁମେ ମୋତେ ଦେଇଛ କ’ଣ, ମଳୟ ? ରାଶି ରାଶି କ୍ଳାନ୍ତି, ଅବସାଦ । ତୁମେ ମୋର ବ୍ୟକ୍ତିତ୍ୱକୁ ନିଜ ରୁଚିର ଇଙ୍ଗିତରେ ଗଢ଼ିବାକୁ ଚେଷ୍ଟା କରିଛ ସ୍ୱାର୍ଥପର ଭାବରେ । ଏ ଘରେ ସେଇଥିପାଇଁ ମୋର ଶ୍ୱାସରୁଦ୍ଧ ହୋଇଯାଏ । କେତେଥର ତୁମକୁ କହିବି ଯେ, ମୋର ବି ଗୋଟାଏ ମନ ଅଛି, ସ୍ୱାତନ୍ତ୍ର୍ୟ ଅଛି ?’’

 

ସାମନାରେ ଚମଡ଼ା ସୁଟକେଶ୍‍ ଖୋଲା ହୋଇପଡ଼ିଥିଲା । ବାପଘରକୁ ଯିବାପାଇଁ ଜିଦ୍‌ କରି ରେଖା ପ୍ରସ୍ତୁତ କରୁଥିଲା ନିଜକୁ । ଲୁଗାପଟା ତା’ଭିତରେ ସଜାଡ଼ିବାବେଳେ ସେ କହିଚାଲିଥିଲା ଏ କଥା । ତା’ର ଆକର୍ଷଣୀୟ ତୋଫା ମୁହଁଟା ଉତ୍ତେଜନାରେ ନାଲି ଦେଖାଯାଉଥିଲା, ଝାଳେଇ ଯାଇଥିଲା ।

 

ମଳୟବାବୁଙ୍କର ସମଗ୍ର ସତ୍ତା ଆଚ୍ଛନ୍ନ ହୋଇଯାଇଥିଲା ଘୃଣାରେ । ନିଜକୁ ଯଥାସମ୍ଭବ ଆୟତ୍ତ କରି ସେ କହିଥିଲେ–‘‘ଜୀବନର ଏକ ନିର୍ଦ୍ଦିଷ୍ଟ ଧାରା ଅଛି, ରେଖା । ମୁଁ ଦୁଃଖିତ ଯେ, ଏଇ କଥା ବାରମ୍ବାର କହିବା ସତ୍ତ୍ୱେ ତୁମେ ଏ ଦିଗ ପ୍ରତି ଆଦୌ ସଚେତନ ହୋଇ ପାରିଲ ନାହିଁ । ଉତ୍ତେଜନା ଓ ପ୍ରଶାନ୍ତି ଦୁଇଟି ଅଲଗା ଜିନିଷ । ତୁମେ ଉତ୍ତେଜନାକୁ ସବୁବେଳେ ଆଦର କରିଛ, ଜୀବନର ମଟୋ ବୋଲି ବାଛି ନେଇଛ । ଏ ଘରେ ତୁମର ତଥାକଥିତ ଭାଇମାନଙ୍କର ଭିଡ଼ ହେବ, ତୁମ ପାଖକୁ ଆସୁଥିବା ଚିଠିକୁ ତୁମେ ଗୋପନରେ ପଢ଼ିବ–ଏ କଥାକୁ ଜଣେ ସଭ୍ୟ ମଣିଷ ଭାବରେ ବିରୋଧ କରିବାର ଅଧିକାର ମୋର ଅଛି । ତୁମ ଜୀବନରେ ଯେଉଁସବୁ ଅନ୍ଧକାର କୋଠରୀ ରହିଛି, ସେ ସବୁ ପାଇଁ ମୁଁ କ୍ଷମା ଦେଇପାରେ; ମାତ୍ର ସେ ସବୁ ପ୍ରତି ତୁମର ଏପର୍ଯ୍ୟନ୍ତ ରହିଥିବା ମୋହ ଓ ଆସକ୍ତିକୁ ମୁଁ ପ୍ରଶ୍ରୟ ଦେବାକୁ ଆଦୌ ପ୍ରସ୍ତୁତ ନୁହେଁ ।’’

 

–‘‘ତୁମେ ମୋତେ ମୁକ୍ତ କରିଦିଅ ।’’ ରେଖାର କଠିନ ମୁହଁରୁ ସ୍ପଷ୍ଟଭାବରେ ଏ ଶବ୍ଦଗୁଡ଼ିକ ବୁଲେଟ୍‍ ପରି ବାହାରି ଆସିଥିଲା ।

 

–‘‘ତୁମକୁ ମୁକ୍ତ କରିଦେବା ବ୍ୟତୀତ ମୋର ଅନ୍ୟ ଉପାୟ ନାହିଁ ।’’ ଦୀର୍ଘଶ୍ୱାସ ତ୍ୟାଗକରି କହିଲେ ମଳୟବାବୁ । ‘‘ସବୁଠାରୁ ମଜା କଥା କ’ଣ ତାହା ମୁଁ ଏ ଯାଏଁ ତୁମକୁ କହିପାରିନି । ଏ ନଈକୁ ସଂଜତ କରିବାପାଇଁ ମୁଁ ଏଠାରେ ଚାକିରି କରୁଛି; କିନ୍ତୁ ମୋ ଘରେ ଅସଂଜତ ଆଚରଣର ବନ୍ୟା ! ତୁମେ ମୋତେ ଦୟନୀୟ କରିଦେଲ । ବଞ୍ଚିରହିବାପାଇଁ ମଣିଷ ଯେଉଁ ଅବଲମ୍ୱନ ବାଛି ନେଇଥାଏ, ତାହାର ଦର୍ଶନ ସହିତ ନିଜର ବ୍ୟକ୍ତିଗତ ଜୀବନର ସମନ୍ୱୟ ସବୁବେଳେ ସମ୍ଭବ ହୋଇପାରେ ନାହିଁ । ମୁଁ ତ ଏକ ଦୃଷ୍ଟାନ୍ତ, ଏ ଦୃଷ୍ଟିରୁ ।’’

 

ସିନେମାହଲ୍‌ ନ ଥିବା, ଆଧୁନିକ ବଜାର ନ ଥିବା ସେହି ପାହାଡ଼ିଆ କଲୋନୀକୁ ପଛରେ ପକାଇ ସେ’ଦିନ ସନ୍ଧ୍ୟାରେ ରେଖା ବାହାରି ଗଲା ବାପଘର ଉଦ୍ଦେଶ୍ୟରେ । କିଛିଦିନପାଇଁ କ୍ୱାଟର୍ସଟା ଭାରି ଖାଁ... ଖାଁ... ଲାଗିଲା । ସେ ନିଃସଙ୍ଗ ବୋଧକଲେ, ଅସ୍ଥିର ହେଲେ । ତଥାପି ସେ ନିଶ୍ଚିତ ଥିଲେ ଯେ, ରେଖା ହୁଏତ ଦିନେ ଫେରିଆସିବ ତାଙ୍କ ପାଖକୁ । ସୀମାହୀନ ସ୍ୱାଧୀନତା ବି ଅବସାଦ ଆଣିଦିଏ; ଯେପରିକି ଶୃଙ୍ଖଳା ମନରେ କ୍ଳାନ୍ତି ଆଣିଦିଏ ଓ ପ୍ରତିବାଦ ସୃଷ୍ଟି କରିଦିଏ ।

 

ଡ୍ୟାମ୍‌ କାମ ଚାଲିଥିଲା ଯଥାରୀତି । ସେ ଆଗଭଳି ରୁଟିନ୍‌ କାମରେ ବ୍ୟସ୍ତ ରହୁଥିଲେ; ମାତ୍ର ଯେଉଁଦିନ ରେଖାର ଚିଠିଟି ତାଙ୍କର ହସ୍ତଗତ ହେଲା, ସେଇଦିନ ସେ ଭାବିଲେ, ସମ୍ପୂର୍ଣ୍ଣ ଅର୍ଥହୀନ, ଗୁରୁତ୍ୱହୀନ ଏସବୁ । ଚିଠିରେ ମାତ୍ର ଏତିକି ଲେଖାଯାଇଥିଲା–‘ଭବିଷ୍ୟତରେ ତୁମ ପାଖକୁ ଫେରିବା ପାଇଁ ମୋର ଆଦୌ ଯୋଜନା ନାହିଁ ।’

 

ସେଇଦିନଠାରୁ ଗୋଟାଏ ଅଭାବବୋଧ, ପରାଜୟର ଗ୍ଳାନି ଓ ଅପମାନର ତୀକ୍ଷ୍‍ଣତା ତାଙ୍କୁ ଅସ୍ତବ୍ୟସ୍ତ କରେ । ତାଙ୍କର ବିଚାରବୋଧ ଓ ହୃଦୟର ସକଳତନ୍ତ୍ରୀ ଭୟାନକ ଭାବରେ ଆହତ ହୋଇ ସତେ ଯେମିତି ଆର୍ତ୍ତନାଦ କରୁଛନ୍ତି । ସେ ଯନ୍ତ୍ରଣା ଉପଶମ ହେବାର ହୁଏତ କୌଣସି ସମ୍ଭାବନା ନାହିଁ । ରେଖା ପାଖକୁ ସେ ଚିଠି ଲେଖିଥିଲେ; ମାତ୍ର ଉତ୍ତର ପାଇଲେ ନାହିଁ । ସେ ନିଜେ ତା’ ପାଖକୁ ଯାଇଥିଲେ; କିନ୍ତୁ ଫେରିଆସିଥିଲେ ଏକୁଟିଆ ହୋଇ ।

 

ମଳୟବାବୁ କେତେବେଳୁ ଖବରକାଗଜଟିକୁ ଟି-ପୟ ଉପରେ ରଖି ଗମ୍ଭୀର ଭାବରେ ବୁଲୁଥିଲେ । ହଠାତ୍‌ ସଚେତନ ହୋଇ ସେ ପୁଣି ବସିଲେ କେନ୍‌ ଚେୟାର ଉପରେ । ପୁଣି ଖୋଲିଲେ ଖବରକାଗଜ । କିନ୍ତୁ ତାଙ୍କୁ ଜଣାଯାଉଥିଲା, ସମ୍ବାଦ ଭିତରେ କିଛି ବି ନୂତନତା ନାହିଁ । ଯାହା ଆଦିମ ଓ ଚିରାଚରିତ, ତାହାହିଁ ପ୍ରକାଶିତ ହୁଏ ଖବରକାଗଜରେ ।

 

ପରଦିନ ଦଶଟାବେଳେ ସେ ବାହାରିଗଲେ କାମକୁ । ଆହୁରି କେତେଜଣ ଇଞ୍ଜିନିୟର ଓ ଟେକ୍‌ନିସିଆନ୍‌ ବି ଥାଆନ୍ତି । ବନ୍ଧ ଉପରକୁ ଯେଉଁ ବ୍ୟାପକ, ଗହିର ଜଳଭଣ୍ତାର ତିଆରି କରାଯିବ, ସେ ସଂକ୍ରାନ୍ତରେ ସମସ୍ତ କାମ ତଥାପି ଶେଷ ହୋଇନଥିଲା ।

 

ପ୍ରାୟ ପଚାଶ ବର୍ଗ କିଲୋମିଟର ବ୍ୟାପି ସ୍ଥାନକୁ ଜଳଭଣ୍ତାରରେ ପରିଣତ କରାଯିବ । ମଳୟବାବୁଙ୍କର ତଥାପି ସେ’ଦିନର କଥା ମନେ ଅଛି । ପ୍ରାୟ ପାଞ୍ଚଶହ ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଲୋକ ତାଙ୍କ କଲୋନୀକୁ ଆସିଥିଲେ ପ୍ରତିବାଦ କରିବାକୁ । ଡ୍ୟାମ୍‌ ପାଇଁ କୋଡ଼ିଏଟି ଛୋଟ ବଡ଼ ଗାଁ ଉଠାଇ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ସେଠାକର ଲୋକଙ୍କୁ ଅନ୍ୟତ୍ର ଥଇଥାନ କରିବାର ବ୍ୟବସ୍ଥା ପରାଯାଉଛି ବୋଲି ପ୍ରତିଶ୍ରୁତି ଦିଆଯାଥିଲା । ଡ୍ୟାମ୍‌ ଯେ ସେଠାରେ ହେବ, ଏ କଥା ସେ ଅଞ୍ଚଳର ସମସ୍ତେ ଜାଣିଥିଲେ ଏବଂ ନିଜର ଭିଟାମାଟି ଛାଡ଼ି ଅନ୍ୟ ଅଜଣା ସ୍ଥାନରେ ବସା ବାନ୍ଧିବାକୁ ହେବ ବୋଲି ମାନସିକ ପ୍ରସ୍ତୁତି ସଂଗ୍ରହ କରିଥିଲେ । ତଥାପି, ଗାଁ ଛାଡ଼ିବା ପୂର୍ବରୁ ସେହି ଲୋକମାନେ ତାଙ୍କ ପ୍ରତି ହେଉଥିବା ନିର୍ମମ ଅବିଚାର କଥା ପ୍ରକାଶ କରିବା ପାଇଁ ବ୍ୟାକୁଳ ହୋଇପଡ଼ିଥିଲେ ।

 

ମଳୟବାବୁଙ୍କର ମନେ ଅଛି ସେ ଲୋକମାନଙ୍କର ହତାଶ ମୁହଁ ଉପରେ ପ୍ରତିଫଳିତ ହୋଇଥିବା ହିଂସ୍ରତା ଓ ନିଜ ମାଟି ପ୍ରତି ଥିବା ମମତାର ଚିତ୍ର । କଲୋନୀଟି ଆଶଙ୍କା ଓ କରୁଣତାରେ ଆର୍ଦ୍ର ହୋଇଯାଇଥିଲା । ସେଠାରେ ଥିବା ଇଞ୍ଜିନିୟରମାନେ କିଭଳି ଭାବରେ ବୁଝେଇ ଦେଇ ପାରିଥାନ୍ତେ ଯେ, ସେ ଲୋକମାନଙ୍କର ଏ ଅବସ୍ଥା ପାଇଁ ସେମାନେ ଆଦୌ ଦାୟୀ ନୁହନ୍ତି ? ଦେଶର କୃଷି ଓ ଶିଳ୍ପ ଅଭିବୃଦ୍ଧି ପାଇଁ ନିର୍ମିତ ହେବାକୁ ଯାଉଥିବା ଡ୍ୟାମ୍‌କୁ ସେ ଲୋକମାନେ କିଭଳି ବା ଆଦର କରି ପାରିଥାନ୍ତେ ? ଏ ପରିପ୍ରେକ୍ଷୀରେ ଡ୍ୟାମ୍‌ ସପକ୍ଷରେ କୌଣସି ଯୁକ୍ତି ସେମାନଙ୍କୁ ସନ୍ତୁଷ୍ଟ କରିପାରି ନଥାନ୍ତା । ସଭିଙ୍କ ହୃଦୟକୁ ଉଦବେଳିତ ଓ ଅସ୍ଥିର କରିଥିଲା ସେ ଦୃଶ୍ୟ ।

 

କେହି କେଉଁଆଡ଼େ ନାହିଁ । ସବୁ ଶୁନ୍‌ଶାନ୍‌, ନିର୍ଜନ । ଘରଗୁଡ଼ିକ ଅର୍ଦ୍ଧଭଗ୍ନ ଅବସ୍ଥାରେ କିମ୍ବା ଆପାତତଃ ଅକ୍ଷତ ଅବସ୍ଥାରେ ଠିଆ ହୋଇଛନ୍ତି । ନିର୍ଜୀବ ଗାଁ ରାସ୍ତାଟା ପଡ଼ିରହିଛି ଆଶାୟୀ ହୋଇ; ଠାକୁରାଣୀ ଶାଳରେ ଘଣ୍ଟ, ହୁଳହୁଳି ଶୁଭୁନାହିଁ; ଶ୍ମଶାନରେ ନିଆଁ ଜଳୁନାହିଁ । ଗାଁ ସବୁ ପଡ଼ିରହିଛି ଥଣ୍ତା ଶବ ଭଳି–ନିଷ୍ପ୍ରାଣ, ନିସ୍ପନ୍ଦ ।

 

ହଠାତ୍‌ ଗୋଟିଏ ଜିନିଷ ମଳୟବାବୁଙ୍କର ଦୃଷ୍ଟି ଆକର୍ଷଣ କଲା । ଗାଁ ମଝିରେ ବଖରାଏ ଚାଳଘର । କବାଟ ତାଡ଼ି ନିଆଯାଇଛି । ଗୋଟିଏ ପାଖର ଚାଳ ଝୁଲୁଛି, କଣ୍ଟା ବାଡ଼ ଉପରେ ଆହତ ଘୁଡ଼ିଟିଏ ଝୁଲି ରହିଲା ଭଳି । ଝୁଲୁଥିବା ଚାଳ ଭିତରୁ ଆଂଶିକଭାବେ ଦେଖାଯାଉଛି ନାଲି ରଙ୍ଗର ଡାକ ବାକ୍‌ସଟିଏ । କଣ୍ଟା ସାହାଯ୍ୟରେ ଏହାକୁ କାନ୍ଥରେ ଝୁଲାଇ ଦିଆ ଯାଇଛି । ସେଇ କାନ୍ଥରେ ଝୁଲୁଛି ତିନୋଟି ଭାଷାରେ ଲେଖାଯାଇଥିବା ସାଇନ୍‌ ବୋର୍ଡ–‘ଭିତରକୁ ପ୍ରବେଶ ନିଷେଧ-।’

 

ମଳୟବାବୁଙ୍କ ଓଠରେ କରୁଣ, ମ୍ଳାନ ହସର କେତୋଟି ବିବର୍ଣ୍ଣ ପାଖୁଡ଼ା ସୃଷ୍ଟି ହୋଇ ମିଳେଇ ଗଲା । ଏଥିରେ ସନ୍ଦେହ ନାହିଁ ଯେ, ଏକଦା ଏ ଘର ଡାକଘର ଥିଲା । ଗାଁ ଉଠିଯିବା ପରେ ଏ ବାକ୍‌ସଟିକୁ ସରକାରଙ୍କ ଜିମା ଦେଇ ଦେବାକୁ କାହାରି ଧୈର୍ଯ୍ୟନଥିଲା ବୋଧହୁଏ । ପୁଣି ଏ ବାକ୍‌ସ ଏମିତି ଯେ, କେହି ଏହାକୁ ବ୍ୟକ୍ତିଗତ କାମରେ ଲଗାଇବାକୁ ଆଦୌ ପ୍ରଲୁବ୍‍ଧ ହେବ ନାହିଁ । ଏଇଥିପାଇଁ ଏହା ଏ ଯାବତ୍‍ ପଡ଼ି ରହିଛି ଚିଠି ଅପେକ୍ଷାରେ !

 

ମଳୟବାବୁ ଗାଡ଼ି ଅଟକାଇଲେ । ସ୍ଥିର କଲେ, ଏହାକୁ ଏଠାରୁ ନେଇଯିବା ଭଲ ହେବ-। ତାଙ୍କ କଲୋନୀର କୌଣସି ଏକ ସ୍ଥାନରେ ଏହାକୁ ଝୁଲେଇ ବ୍ୟବହାରୋପଯୋଗୀ କରାଯିବ ।

 

ବାକ୍‌ସଟିକୁ ଉଦ୍ଧାର କରାଗଲା ସେଠାରୁ । ତାଲା ସମେତ ତାହା ବେଶ୍‍ ଅକ୍ଷତ ଅବସ୍ଥାରେ ଥିଲା । ଜିପରେ ତାହାକୁ ରଖିବା ପରେ ସେମାନେ ଆଗକୁ ଚାଲିଲେ ।

 

ସେ’ଦିନ ଅପରାହ୍ନ ତିନିଟାବେଳକୁ କଲୋନୀରେ ଥିବା ପୋଷ୍ଟ ଅଫିସୁ ବାଟ ଦେଇ ଫେରୁଥିବାବେଳେ ପୋଷ୍ଟମାଷ୍ଟରଙ୍କ ମାର୍ଫତରେ ଡାକ ବାକ୍‌ସଟିକୁ ଦେଲେ । ସେ ଆଲୋଚନା କଲେ କେଉଁ ସ୍ଥାନରେ ତାହାକୁ ଝୁଲାଇଲେ ଭଲ ହେବ । କ୍ୱାଟର୍ସକୁ ଫେରିବାବେଳେ କାହିଁକି କେଜାଣି ସେ ଆଗ୍ରହୀ ହୋଇପଡ଼ିଲେ, ବାକ୍‌ସ ଭିତରେ କ’ଣ ଅଛି ଦେଖିବା ପାଇଁ ।

 

ଜଙ୍କ୍‌ ଲଗା ଛୋଟ ତାଲାଟିକୁ ଭାଙ୍ଗି ଦେବା ଆଦୌ କଷ୍ଟ ହେଲା ନାହିଁ । ଭିତରେ ପଡ଼ିରହିଥିଲା ମଇଳା ଲଫାପାଟିଏ । ସେ ଚିଠିଟିକୁ ଉଠାଇ ଆଣିଲେ ।

 

ଖାମ୍‌ ଚିରି ବଡ଼ ବଡ଼ ଅକ୍ଷରରେ ଲେଖାଥିବା ଚିଠିଟିକୁ ପଢ଼ିବା ପୂର୍ବରୁ ସେ ନିଶ୍ଚିତ ହୋଇଗଲେ ଯେ, ଏ ଚିଠି ଲେଖିବା ବେଳକୁ ଲେଖକର ହାତ କମ୍ପି ଉଠିଛି କୌଣସି କାରଣରୁ । ଚିଠିର ଅକ୍ଷର ସୂଚେଇ ଦେଉଥିଲା ଯେ, ଲେଖକ କଦବାଏ କେମିତି ଲେଖାଲେଖି କରନ୍ତି । ଚିଠି ଉପରେ ଲେଖାଥିବା ତାରିଖରୁ ସେ ଜାଣିଲେ, ତାହା ପ୍ରାୟ ଏକମାସ ପୂର୍ବେ ଲେଖାଯାଇଛି । କ୍ଷୁଦ୍ର ଚିଠିଟିରେ ଏଇ କଥା ଲେଖା ଯାଇଥିଲା–

 

ବାପ ଅମୂଲ୍ୟ,

 

ମୋର ଓ ତୋ ମା’ର କଲ୍ୟାଣ ଜାଣିବୁ । ତୁ ବେକାର, ଘୋଡ଼ାମୁହାଁ ବୋଲି କହିଦେବାରୁ କାହିଁ କେତେଦିନ ହେଲା ଘର ଛାଡ଼ି ପଳାଇଲୁଣି । ତୋତେ କେତେ ଖୋଜିଲି । ଚାରିଆଡ଼େ ବେହେରା ପଠାଇଲି । ବାପ, କେଉଁଠି ଅଛୁ ତୁ ? ଏଇ ଠିକଣାରେ ଅଛୁ କି ନାହିଁ କେଜାଣି ? ଖାଲି ଆଶାକରି ଏ ଚିଠି ଲେଖିବା କଥା । ତୋ’ ମା’ର ଶ୍ୱାସ ବେମାରୀ ଏବେ ଭାରି ସାଙ୍ଘାତିକ ହୋଇଛି । ସେ ତୋହରି ପାଇଁ ଦିନରାତି କାନ୍ଦିବାରେ ଲାଗିଛି । ସେ ଆଉ ବେଶିଦିନ ବଞ୍ଚିବ ବୋଲି ବିଶ୍ୱାସ ନାହିଁ । ଆମକୁ ଏଇ ବୟସରେ ଏମିତି ଛାଡ଼ିଦେଇ ତୁ କେଉଁଆଡ଼େ ଗଲୁରେ, ଅମୂଲ୍ୟ ? ତୁ ଫେରିଆ । ତୁ ବେକାର ହେଲେ ବି ଆମ ଦୁହିଁଙ୍କର ଗଣ୍ଠିଧନ । ବିରକ୍ତ ହୋଇ ତୋତେ ଗାଳିଦେଲି ବୋଲି, ଏଭଳି ଦଣ୍ତ ତୁ କାହିଁକି ଦେଉଛୁ, ବାପ ? ଆଉ ଅଳ୍ପଦିନ ପରେ ଏ ଗାଆଁ ଉଠିଯିବ । ତୁ ତ ଜାଣୁ ସବୁ । କାହିଁ କେଉଁଆଡ଼େ ବ୍ୟବସ୍ଥା ହୋଇନାହିଁ । ସାତପୁରୁଷ ଧରି ଚାଷ କରୁଥିବା ଜମି ତୋତେ ଆଉ ମିଳିବ ନାହିଁରେ, ବାପ । ମୋ ଧନଟା, ଚିଠି ପାଇବା ମାତ୍ରେ ବସିବା ଜାଗାରୁ ଉଠି ଆସିବୁ । ତୋ’ ମା’ ହେଇ ମରିବ, ମରିବ ହେଉଛି । ମରିବା ଆଗରୁ ତୋତେ ଦେଖି ଶାନ୍ତି ପାଆନ୍ତା । ଇତି ।

 

ମଳୟବାବୁ ଗମ୍ଭୀର ହୋଇଗଲେ । ପରିତ୍ୟକ୍ତ ଗାଁ ଭଳି ଏ ଚିଠି ବାକ୍‌ସ ପରିତ୍ୟକ୍ତ, ଏ ଚିଠି ଓ ଚିଠିରେ ଲିପିବଦ୍ଧ ହୋଇଥିବା ଆବେଗ ଓ ଉତ୍କଣ୍ଠା ବି ପରିତ୍ୟକ୍ତ । କିଏ ଏହାର ଯତ୍ନ ନେବ-? କିଏ ପୂରଣ କରିଦେଇ ପାରିବ ଜଣେ ବୁଢ଼ାବାପାର ଆଶା, ମରିବାକୁ ଯାଉଥିବା ମା’ର ଶୂନ୍ୟ କୋଳ ?

 

ସବୁ ବନ୍ଧନ ଛିଣ୍ତିଯାଉଛି । ସବୁ ପୋଛି ହୋଇଯାଉଛି । ପ୍ରକୃତିର ବିଭବ । ଗାଁର ଚାଳଘର । ମଣିଷର ସମ୍ପର୍କ । ଏ ଡ୍ୟାମ୍‌ କେଉଁ ଅଭାବ, କେତେ ପରିମାଣରେ ପୂରଣ କରିପାରିବ, ସେ କଥା କିଏ କହିବ ?

Image

 

ଆଗନ୍ତୁକ

 

ଆମ୍ୱ ଗଛର ଗୋଟିଏ ପାଖରେ ଭଗୁ । ଅସ୍ଥିରତା, ଆଶଙ୍କା ଓ କିଂକର୍ତ୍ତବ୍ୟବିମୂଢ଼ତାର ନିରୂପାୟ ମଣିଷଟିଏ । ଗଛର ଅନ୍ୟ ପାଖରୁ ଶୁଭୁଛି କଷ୍ଟ ପାଇବାର ଜଡ଼ସଡ଼ ଆତୁରତା । କେଜାଣି କେତେ ସମୟ ହେବ କାଞ୍ଚନ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଛି । ଏ ଯାଏଁ ଖଲାସ ହୋଇ ନାହିଁ ।

 

ସାମନା ପିଚୁରାସ୍ତା ଉପରେ କାଁ ଭାଁ ମୋଟର ଗାଡ଼ିର ଆବାଜ । ସାଇକେଲବାଲାର ଘଣ୍ଟି ଶବ୍ଦ । ସମ୍ଭବତଃ ହାଟବାହୁଡ଼ା ମଣିଷମାନଙ୍କର ବାଣିଜ୍ୟ ସଂକ୍ରାନ୍ତୀୟ ଆଲୋଚନା । ଭଗୁ ଦେଖୁଥିଲା, ଶୁଣୁଥିଲା ଏସବୁ । ମାତ୍ର ତା’ର ସମସ୍ତ ଚେତନା ଓ ଭାବନା ଅଟକି ରହିଥିଲା ରାସ୍ତା କଡ଼ରେ ଅବ୍ୟାହତ ରହିଥିବା ଏଇ ଯନ୍ତ୍ରଣାକାତର ସ୍ୱର ପାଖରେ । ସେ ଯେମିତି ଉପସ୍ଥିତ ଅଛି ଏକ ମହାନ କେନ୍ଦ୍ରବିନ୍ଦୁ ପାଖରେ । ଶୁଣୁଥିବା ପାଟିତୁଣ୍ତ, ଦେଖୁଥିବା ଧାଁ ଧଉଡ଼ ଗୋଟିଏ ଗୋଟିଏ ପରିଧି । ଏଇ କେନ୍ଦ୍ରଟିର ଅନିବାର୍ଯ୍ୟ ପରିଣାମ, ପ୍ରୟୋଜନୀୟ କ୍ରମବିକାଶ ।

 

କେଉଁଠି ଅଛି ଏହାର ଚୂଡାନ୍ତ ମୁହୂର୍ତ୍ତଟି ? କାହିଁ କେତେବେଳୁ କାଞ୍ଚନର କଷ୍ଟ ପାଇବା ବ୍ୟାକୁଳ ହୋଇ ହାତ ବଢ଼ାଇ ଚାଲିଛି; କିନ୍ତୁ ସେଇ ମୁହୂର୍ତ୍ତଟି ଜମା ଧରାଛୁଆଁ ଦେଉନି । ପ୍ରସୂତି ବେଦନାଟି କେତେବେଳେ ଶେଷ ହୁଏ ? ଭଗୁର ଧୈର୍ଯ୍ୟହୀନ ବିଚଳିତ ଭାବନା କୌଣସି ହିସାବ କରିପାରୁ ନ ଥିଲା । ଗୋଟିଏ ପ୍ରଲମ୍ବିତ ସ୍ୱର ନିରବଚ୍ଛିନ୍ନ ଭାବରେ ଶୁଣିବାଦ୍ୱାରା ସେ ଭାବୁଥିଲା, ହେତୁ ହେଲା ଦିନୁ ସେ କେବଳ ଏଇ ସ୍ୱରଟି ଶୁଣି ଆସିଛି ଏବଂ ଶୁଣୁଥିବ । ଏ ସ୍ୱର ଗୋଟାଏ ଶେଷହୀନ ଆକାଶ–ସବୁ ଜାଗାରେ, ସବୁ ମୁହୂର୍ତ୍ତରେ ଏହାର ଅସ୍ତିତ୍ୱ ।

 

ହଠାତ୍‌ କାଞ୍ଚନର ନାହିଁ ନଥିବା ଚିତ୍କାର ଭଗୁର ରକ୍ତ ପ୍ରବାହକୁ ବାତିଲ କରିଦେଲା । ସ୍ତବ୍‌ଧ ହୋଇଗଲା ଏବଂ ଭାବିଲା, ଜଗତର ସମସ୍ତ ସ୍ଥାବର, ଜଙ୍ଗମ, ରାସ୍ତା-ଘାଟ, ପାହାଡ଼-ଜଙ୍ଗଲ ସ୍ଥିର ହୋଇଗଲେ । ସେମାନେ ଅପେକ୍ଷା କରୁଛନ୍ତି କେତେବେଳେ ଅତିକ୍ରାନ୍ତ ହେବ ଏଇ ଯନ୍ତ୍ରଣାର ଅଧ୍ୟାୟ । ଏହା ନ ସରିଲା ଯାଏ ଗତିହୀନ, ଚିନ୍ତାହୀନ, ଯୋଜନାହୀନ ହୋଇପଡ଼ି ରହିବ ସଂସାରଟି । କାଞ୍ଚନର କଲବଲ ଆର୍ତ୍ତନାଦ ଟ୍ରାଫିକ୍‌ ଲ୍ୟାମ୍ପର ରକ୍ତାକ୍ତ ଆଲୁଅ ଭଳି ସମସ୍ତ କାର୍ଯ୍ୟକ୍ରମର ସୁଅକୁ ଜବଦ୍‌ କରି ଦେଇଛି ଯେପରି ।

 

ମାତ୍ର ଅଳ୍ପ କେତୋଟି ମୁହୂର୍ତ୍ତ ପରେ କାଞ୍ଚନର ଚିତ୍କାର ଉଭେଇଗଲା । ଏଥର ଶୁଭୁଛି ବାରମ୍ବାର ଦୀର୍ଘଶ୍ୱାସ ଛାଡ଼ିବାର ଶବ୍ଦ । ତା’ପରେ ବିଗଳିତ, ଚାପା ସ୍ୱରର କାନ୍ଦଣା । କୁନ୍ଥେଇବା ଶବ୍ଦ ।

 

ଭଗୁ ଭଳି ଜଣେ ଅନଭିଜ୍ଞ ମଣିଷ କ’ଣ କରିପାରେ, ଏ ପରସ୍ଥିତିର ମୁକାବିଲା ପାଇଁ ? କ’ଣ କରିବା ଉଚିତ୍ ? ଯିବ, କାଞ୍ଚନ ପାଖକୁ ଆଉ ଥରେ ? ପଚାରିବ, କ’ଣ କଲେ ତା’କଷ୍ଟ କମିଯିବ ? କିନ୍ତୁ କାଞ୍ଚନ ତାକୁ ଦୁଇଥର ତଡ଼ି ଦେଇଛି ୟା ପୂର୍ବରୁ । ତା’ ପାଖକୁ ଯିବା ପାଇଁ ବାରଣ କରିଛି ।

 

କି ଅନ୍ୟାୟ କଥା ! କାଞ୍ଚନକୁ କେମିତି କୁହାଯାଇ ପାରନ୍ତା ଯେ ତା’ର ଯନ୍ତ୍ରଣା ଭଗୁକୁ ଅସହାୟ ଓ ବିକଳ କରି ଦେଉଛି ? କ୍ରମାଗତ ଭାବରେ ଘଣ୍ଟା ଘଣ୍ଟା ଧରି କେଉଁ ମଣିଷଟି ତା’ ଘରଣୀର ବେଦନାପ୍ଳୁତ ସ୍ୱର ଧୈର୍ଯ୍ୟଧରି ଶୁଣିପାରିବ ? ଏ ବାବଦରେ ସେ ଯଦି କିଛି କରୁଥାନ୍ତା, ତେବେ ଏତେ ଅସ୍ଥିର ହେବା ଦରକାର ନ ଥାନ୍ତା । କିନ୍ତୁ ସେ ବସିଛି । କିଛି ନ କରି ବସିଛି ଏକୁଟିଆ ଆମ୍ବଗଛର ଗୋଟିଏ ପାଖରେ ଏବଂ କାଞ୍ଚନର ପ୍ରସୂତି-ବେଦନା ଶୁଣି ଶୁଣି ଭୁଲିଯାଉଛି ପୃଥିବୀର ଅନ୍ୟାନ୍ୟ ସମସ୍ତ ସ୍ୱରକୁ । ଶେଷହୀନ ଅପେକ୍ଷା । ଇଏ ବି କିଛି କମ୍‌ ଯନ୍ତ୍ରଣାଦାୟକ ନୁହେଁ !

 

ଭଗୁ ଠିଆ ହେଲା । କାଞ୍ଚନ ପାଖକୁ ଯିବା ନିହାତି ଜରୁରୀ । ଦଶମାସ ହେଲା ପେଟ ଭିତରେ ଯାହା ସେ ସଞ୍ଚୟ କରିଛି ତା’ର ଚେହେରା ଦେଖିବା ପାଇଁ ମନର ଉଦ୍‍ବିଗ୍ନତାକୁ ସେ ଆୟତ୍ତ କରିବା ଅବସ୍ଥାରେ ନାହିଁ । ମା’ ହେବା ପାଇଁ ଏତେ ବଡ଼ ଇଚ୍ଛାକୃତ ମୂଲ୍ୟ ଦେବାକୁ ପଡ଼େ ବୋଲି ସେ କଳନା କରି ନଥିଲା ଆଗରୁ ।

 

ଅଥଚ ଥରେ ଭାବି ଦେଖ, କାଞ୍ଚନର ବଳିଷ୍ଠ ଦେହ କଥା । କଳା ଚକ୍‌ ଚକ୍‌ ମାଂସପେଶୀପୂର୍ଣ୍ଣ ବିପୁଳ ଶକ୍ତି ଭରପୂର କାଞ୍ଚନର ଦେହ ! କୋଡ଼ିଶାବଳ ଧରି ବସୁଧାର ଦେହ ଉପରେ ସେ ଲମ୍ବା ଚଉଡ଼ା ଖାଲ ତିଆରି କରିପାରେ । ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ମାଟି କିମ୍ବା ଚିପ୍‌ସ ପକାଇ ପାରେ । ଗରମ ଆଲକାତରା ଢାଳିପାରେ ରାସ୍ତାଟିକୁ କଠିନ, ସହନଶୀଳ କରିବା ପାଇଁ । ହାତୁଡ଼ି ଧରି ବଡ଼ ବଡ଼ ପଥର ଖଣ୍ତର ସ୍ପର୍ଦ୍ଧାକୁ ଗୁଣ୍ତ କରିପାରେ । ଶୁଣ, କେମିତି ସେ ସଢ଼ୁଛି ! ନରମ ହାଡ଼-ମାଂସର ବକଟେ ବୋଲି ଛୁଆ ଜନ୍ମ କରିବାକୁ କେତେବେଳୁ ଆମ୍ବଗଛ ଆର ପାଖରେ ଅସ୍ଥିର ହୋଇ ଛଟପଟ ହେଉଛି । ଏପର୍ଯ୍ୟନ୍ତ ତା’ର ଶେଷ ନାହିଁ ।

 

ଚାରି ଆଡ଼କୁ ଥରେ ଚାହିଁ ଭଗୁ ବସି ପଡ଼ିଲା । ନା, କାଞ୍ଚନ ପାଖକୁ ଯିବ ନାହିଁ । ସେ ଅପ୍ରତିଭ ହେବ । ବିଚିତ୍ର ପ୍ରକୃତରେ । ପାଖରେ ଅନ୍ୟ କେହି ନାହାନ୍ତି । ସେ ଯାଆନ୍ତା ତା’ ପାଖକୁ । କିଛି ନହେଲେ ବି ତା’ ପିଠି ତ ଆଉଁସି ଦିଅନ୍ତା ! ସଳଖ ଠିଆ ନ ହୋଇ ପାରୁଥିଲେ ତା’ପାଇଁ ଅବଲମ୍ବନଟିଏ ହୁଅନ୍ତା ! ଏ ସଂକଟ ମୁହୂର୍ତ୍ତରେ ତା’ର କୌଣସି ପ୍ରସ୍ତାବ ସେ ଶୁଣୁ ନାହିଁ । ଅବାନ୍ତର ବିରୋଧ କରୁଛି । କଷ୍ଟ ପାଇବାଟାକୁ ଏତେ ଗୋପନୀୟ ରଖିବାର କିଛି ମାନେ ଅଛି ? କାଞ୍ଚନର ଉଦ୍ଦେଶ୍ୟ ବୁଝା ପଡ଼ୁ ନାହିଁ । ହୁଏତ ଭାବୁଛି, ପ୍ରସବ ପରେ ତା’ର ସିଦ୍ଧିକୁ ସେ ଆଣିବ ଭଗୁ ସାମନାକୁ । ଏଇଥିପାଇଁ ସେ ଯେଉଁ ସାଧନା କରୁଛି ଏବଂ ଯାହାର ଅନ୍ତିସ ସମୟଟି ପ୍ରାୟ ଆସନ୍ନ, ତାହାକୁ ସେ ଦେଖାଇବ ନାହିଁ ଭଗୁକୁ । ସେ ବସିଥାଉ ସମ୍ଭାବନା ଓ ଆଶଙ୍କା ନେଇ ଗୌରବମୟ ଆଶ୍ଚର୍ଯ୍ୟଟିଏ ଦେଖିବା ପାଇଁ । ସେ ଜାଣିବ, କେମିତି ଅଦୃଶ୍ୟରେ, ସମସ୍ତଙ୍କ ଅଜାଣତରେ ତା’ର ଶୃଙ୍ଗାର ଓ ସ୍ୱପ୍ନ ରୂପାନ୍ତରିତ ହୋଇଛି ଅଭିନବ ଆକାର ନେଇ–ଯଦିଓ ଏଇ ଆକାରର କୌଣସି ସାମଞ୍ଜସ୍ୟ ନାଇଁ ଏହାକୁ ନିର୍ମାଣ କରିବା ସକାଶେ ପ୍ରୟୋଜନ ହୋଇଥିବା ଉପାଦାନମାନଙ୍କ ସହିତ ।

 

କିନ୍ତୁ କେତେବେଳେ ? କେତେବେଳେ ଏ ଉତ୍କଣ୍ଠାର ସମାପ୍ତି ? ଭଗୁ ଅଥୟ ହୋଇ ମୁଣ୍ତର କେଶ ଝିଙ୍କିଲା, ଗୋଡ଼ ବାଡ଼େଇଲା ପୃଥିବୀ ଉପରେ, ପିଠି ଘଷିଲା ଗଛ ଦେହରେ । ଗଛ ଓ ପୃଥିବୀକୁ ଭାଙ୍ଗିଦେବା ପାଇଁ ହାତ ମୁଠା କଲା । ସ୍ଥିର ହୋଇ ଶୁଣିଲା, ଆଗ ଭଳି କାଞ୍ଚନର ଧଇଁ ସଇଁ ହେବାର ଶବ୍ଦ । ଯନ୍ତ୍ରଣା ଜର୍ଜରିତ ଚିତ୍କାର ।

 

ଅନ୍ଧାରିଆ ଅଣଓସାରିଆ ପେଟ ଭିତରେ ଇଏ କି ପ୍ରକାର ଦୀର୍ଘ ନାଟକ ଚାଲିଛି ? ଛୁଆଟି ନିରାପତ୍ତା ଓ ସୌଖୀନ ଆଶ୍ରୟ ଛାଡ଼ି ବାହାରକୁ ଆସିବା ପାଇଁ ଡରୁଛି ନା କ’ଣ ? ବାହାରକୁ ଆସିବା ପୂର୍ବରୁ ଛୁଆଟି ଏତେ ବିଜ୍ଞ ଏବଂ ପଳାୟନପନ୍ଥୀ ହୋଇ ପାରିଲା କିପରି ? ସମ୍ଭବତଃ ଛୁଆଟି ଭାବୁଛି ଯେ, ଥରେ ଏଇ ନିର୍ଭୁଲ ଆଶ୍ରୟଟି ହାତଛଡ଼ା ହୋଇଗଲେ ଯୁଗ ଯୁଗ ଧରି ବଦନାମ ଅର୍ଜନ କରିଥିବା ସଂସାର ଭିତରେ ପଶିବାକୁ ହେବ । ତା’ପରେ ଆଉ ନିସ୍ତାର ନାହିଁ-। ପୃଥିବୀ, ଦିଗ୍‍ବଳୟ ଓ ଆକାଶଘେରା ପେଟଟିକୁ ଭଲ ପାଇଥିବା କୌଣସି ଲୋକର ନାଁ ଅଛି କି ?

 

କିମ୍ବା ଘଟଣାଟି ଏମିତି ବି ହୋଇ ପାରିଥାଏ–

 

ଦଶ ମାସ ଧରି ବଢ଼ାଇ ଆଣିଥିବା ଆଶ୍ରୟଟି ସହସା ଅନିଚ୍ଛୁକ ଓ ବିଦ୍ରୋହୀ ହୋଇ ଯାଇଥିବ । ଅଲଙ୍ଘନୀୟ ନିୟମକୁ ଅସ୍ୱୀକାର କରି ବାହାରକୁ ଆସିବା ପାଇଁ ଉତ୍କଣ୍ଠିତ ଛୋଟ ମଣିଷଟିକୁ ମମତା-ବିଗଳିତ କଣ୍ଠରେ କହୁଥିବ–‘‘କେମିତି ତୋତେ ବୁଝେଇବି ? ତୁ ତ ଜମା ଯଥେଷ୍ଟ ନୋହୁ; ଭବିଷ୍ୟତରେ କେବେ ବି ସନ୍ତୋଷଜନକ ହୋଇ ପାରିବୁନି । କାହିଁକି ଯିବୁ ତେବେ ଏତେ ବଡ଼ ବାହାରକୁ ? ଆଉ ଅଝଟ ହ’ନା । ତୁ କିଛି ନ ଦେଖ୍‍, କେହି ତୋତେ ନଦେଖନ୍ତୁ । କିଛି ଯାଏ ଆସେନା । ସବୁଦିନ ପାଇଁ ରହିଯା ଯେଉଁଠି ଅଛୁ ।’’

 

କିଏ କାହାକୁ ଛାଡ଼ିବାପାଇଁ ଅମଙ୍ଗ ହେଉଛି କେଜାଣି ?

 

ଭଗୁ କ୍ରମଶଃ ପରାଜିତ ବୋଧ କରୁଥିଲା, ତା’ର ମନୋବଳ କତରା ହୋଇଯାଉଥିଲା । ପାହାଡ଼ିଆ, ବସତିହୀନ ଅଞ୍ଚଳଟିକୁ ଚାହିଁ ସେ ଶଙ୍କାଗ୍ରସ୍ତ ହେଲା । ତା’ର ସମସ୍ତ ସ୍ନାୟୁ ଓ ରକ୍ତ କଣିକାକୁ ପୀଡ଼ିତ କରିବାରେ ଲାଗିଲା, ଅଭୂତପୂର୍ବ ନିଃସଙ୍ଗତାବୋଧ । ଗତ ପାଞ୍ଚଦିନ ଧରି ଏଇ ସ୍ଥାନଟିରେ ରହିବା ଭିତରେ ଏମିତି ଅନୁଭବ କରିନଥିଲା ସେ ।

 

ପିଚୁ ରାସ୍ତାର ଗୋଟିଏ ପାଖରେ ଶୁଖିଲା ପଥରର ପାହାଡ଼ଟିଏ । ପାହାଡ଼ ତଳକୁ ଗୋଡ଼ି-ମାଟିର ଆବଡ଼ା ଖାବଡ଼ା ଲଙ୍ଗଳା ସ୍ଥାନଟି କାହିଁ କେତେଦୂର ଲମ୍ବିଯାଇଛି । କେଉଁଠି କେମିତି ଜଙ୍ଗଲି ଗଛଗୁଡ଼ିକ ପରସ୍ପର ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରି ଏକୁଟିଆ ଠିଆ ହୋଇଛନ୍ତି । ରାସ୍ତାର ଅନ୍ୟ ପାଖରେ ଛୋଟ-ବଡ଼ ପଥର ଥିବା ଅସମତଳ ଅପନ୍ତରା । ବର୍ଷା ଦିନରେ ପାଣିର ସୁଅ କେଉଁଠି କେମିତି ଗଭୀର କ୍ଷତ ସୃଷ୍ଟି କରି ଦେଇଛି । ଯେଉଁଆଡ଼େ ଆଖି ପକେଇଲେ ଦିଶିଯାଉଛି ଅଦରକାରୀ, ଟାଙ୍ଗରା ଭୂଇଁର ବିଶାଳତା । ମଣିଷର ସ୍ଥିତି ପାଇଁ ଏ ଭୂଇଁ କେବେ ବି ତା’ ସହିତ ସହଯୋଗ କରିନାହିଁ । ଏଇ କାରଣରୁ ପାଖଆଖରେ ମଣିଷର ଜୀବନଯାତ୍ରା ଦେଖାଯାଏ ନାହିଁ । ଏମିତି ଇଲାକା ଭିତରେ କଳାରଙ୍ଗର ପିଚୁ ରାସ୍ତାଟି ଲମ୍ବିଯାଇଛି, ଦୁଇକଡ଼ରେ ଅସଂଖ୍ୟ ଆମ୍ବଗଛଙ୍କୁ ଜଗୁଆଳି କରି ।

 

ଭଗୁର ଅନ୍ତରାତ୍ମା କରୁଣ ଅସହାୟତାରେ ଶିହରିତ ହୋଇଗଲା । ଘର କିଭଳି ତିଆରିବାକୁ ହୁଏ ? ତା’ ଭିତରେ ମଣିଷ ବଞ୍ଚେ କିପରି ? ଏସବୁର କଳା ତାକୁ ଜଣା ନାହିଁ । ଅତୀତକୁ ମନେ ପକେଇଲେ ସେ ଦେଖେ, ଜୀବନ ବରାବର ଦାବି କରି ଆସିଛି ତା’ ମାଂସପେଶୀ ଓ ତାକତ୍‍ର ମୂଲ୍ୟକୁ । ରାସ୍ତା ତିଆରି କିମ୍ବା ମରାମତି, ବ୍ୟାପକ କୋଠାଘର ସୃଷ୍ଟି–ସେ ଅଛି ସବୁଠି-। ଆଜି ରାସ୍ତା କଡ଼ରେ, କାଲି କୌଣସି ପୋଲ ପାଖରେ । ଘର ତିଆରିବାକୁ ଫୁରୁସତ୍‍ କାହିଁ ? କ’ଣ ବା ଆବଶ୍ୟକ ଘର ତିଆରିବାରେ ? ଅଥଚ ବର୍ତ୍ତମାନ କାଞ୍ଚନର କ୍ରମାଗତ ଛଟପଟ ହେବାର ସ୍ୱର, ତାକୁ ବିଚ୍ଛିନ୍ନ କରି ଦେଉଛି ସବୁଆଡ଼ୁ । ଆତ୍ମବିଶ୍ୱାସ ହରାଇ ସେ ଅନୁଭବ କରୁଥିଲା ଏକୁଟିଆ ହୋଇଯିବାର କଷ୍ଟ ଓ ନିର୍ମମତାକୁ ।

 

ୟା ପୂର୍ବରୁ କିଭଳି ସେ ଜାଣିଥାନ୍ତା ଯେ, ଶୂନ୍ୟତାଟା ଏତେ ଦୀର୍ଘ, ଏଭଳି ସମାପ୍ତି ହୀନ-? ସମଗ୍ର ଧରଣୀ ତା’ ଉପରେ ଏତେ ବଡ଼ ଦାୟିତ୍ୱଟେ ଲଦି ଦେଇ ନିଜ କାମରେ ବ୍ୟସ୍ତ ରହିବ ବୋଲି ତା’ର ଆଶଙ୍କା ନ ଥିଲା । କେହି ଜଣେ ତାକୁ ଏ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ଆଗେଇ ଆସନ୍ତା କି ? କିନ୍ତୁ, କାହିଁ ? ସଂସାରପ୍ରତି କୃତଜ୍ଞ ହେବା ଭଳି କିଛି ବୋଧହୁଏ ଘଟେ ନାହିଁ ।

 

କୁଆଡ଼େ ଗଲେ ଏ ବେଳରେ ତା’ର ସାଙ୍ଗ-ସାଥୀ, କାଞ୍ଚନର ସଙ୍ଗାତ ଓ ବଉଳମାନେ-? ସ୍ୱଚ୍ଛ ଜହ୍ନ ଆଲୁଅରେ ଆଦିମ ବାଦ୍ୟ-ଯନ୍ତ୍ର ବଜାଇ କେତେ ଗୀତ ନ ଗାଇଛି ସେ-? କେଜାଣି କେତେଲୋକଙ୍କ ଅଣ୍ଟାରେ, କାନ୍ଧରେ ହାତ ପକାଇ ସଂଖ୍ୟାହୀନ ସନ୍ଧ୍ୟାକୁ ଉତ୍ସବମୁଖର କରିଛି । ଦେଶୀ ରନ୍ଧାମଦ ପିଇ ମାତାଲ ହୋଇଛି । ଆପାତତଃ ଏପର୍ଯ୍ୟନ୍ତ ସେ ଭାବି ଆସିଥିଲା ଯେ, ଜୀବନ ଏକ ଦଳବଦ୍ଧ ସମଷ୍ଟିର ଏକକ । ବଞ୍ଚିବାର ସଂଜ୍ଞା ହେଲା, ବିପୁଳ ମହୋତ୍ସବରେ ଅଂଶ ଗ୍ରହଣ କରି ମାତାଲ ହେବା ଏବଂ ସ୍ୱପ୍ନହୀନ ନିଦରେ ଶୋଇବା ।

 

କେହି ନାହାନ୍ତି । ଖାଁ ଖାଁ ନୀରବତା ସତେ ଯେମିତି ଜଖମ ହୋଇ ଯାଇଥିବା ଡେଣାପିଟି କାତର କାନ୍ଦଣା କାନ୍ଦୁଛି, ଆମ୍ୱଗଛ ମୂଳେ । ସୂର୍ଯ୍ୟ ଆଗେଇ ଯାଉଛି ପଶ୍ଚିମ ଆକାଶ ଆଡ଼କୁ । ତୀର୍ଯ୍ୟକ୍‍ ଆଲୁଅ, ଗଛ ମୂଳର ଛାଇକୁ ରାସ୍ତା ଉପରକୁ ଠେଲି ଦେଇ ନିଜେ ଆସ୍ଥାନ ଜମାଇ ଦେଇଛି, ତା’ ସ୍ଥାନରେ । ସମସ୍ତ ଆଲୋକ ଓ ସମ୍ଭାବନାକୁ ଗ୍ରାସ କରିବା ପାଇଁ ପଶ୍ଚିମ ଆକାଶରୁ ଉଇଁ ଆସୁଛି ଖଣ୍ତେ ମେଘ ।

 

ଭଗୁ ନିଶ୍ଚିତ ହୋଇଗଲା, ଖୁବ୍‌ ଚଞ୍ଚଳ ପ୍ରଳୟ ଲଗ୍ନଟି ଆସି ଯାଉଛି । ଗଛ ଡାଳ ଆଡ଼କୁ ଚାହିଁ ଦେଖିଲା, ତା’ର ଭୋକିଲା ଗଣ୍ଠିଲିଟି ଅସ୍ଥିର ହେବା ଆରମ୍ଭ କରି ଦେଇଛି । ଦୁଇ-ତିନୋଟି ପୁରୁଣା, ମଇଳା ଲୁଗା ଗଣ୍ଠିଲିର ପେଟ ଭିତରେ ରହି ଝୁଲି ରହିଛନ୍ତି ହାତ-ପାଆନ୍ତା ଆମ୍ବଗଛର ଡାଳରୁ । ତା’ର ଓ କାଞ୍ଚନର ସେଇତକ ପାର୍ଥିବ ସମ୍ପତ୍ତି । ବର୍ତ୍ତମାନ ଗଣ୍ଠିଲିଟି ଅନ୍ତଃସତ୍ତ୍ୱା ହୋଇ ଲୁଗାଗୁଡ଼ିକୁ ଖଲାସ କରିଦେବା ପାଇଁ ବ୍ୟାକୁଳ ହୋଇ ପଡ଼ିଛି । ଏଥର ଗଛର ପତ୍ର ଓ ଡାଳଗୁଡ଼ିକ କମ୍ପିବାକୁ ଆରମ୍ଭ କରିଦେଲେ ପ୍ରସବ ଯନ୍ତ୍ରଣାରେ ।

 

ଭୟଭୀତ ଭଗୁ ଦୃଷ୍ଟି ବୁଲାଇଲା ଆମ୍ବଗଛର ଆରପାଖକୁ । ଚାରିପାଞ୍ଚ ଖଣ୍ତ ଶୁଖିଲା ତାଳବରଡ଼ା, ଦୁଇ-ତିନୋଟି ଛିଣ୍ତା ବସ୍ତା । ଏଇ ଉପକରଣ ନେଇ ତିଆରି ହୋଇଛି ହାସ୍ୟାସ୍ପଦ ଆଶ୍ରୟ ଖଣ୍ତିଏ । ଏଇ ଘେର ଭିତରେ ରହି ଏପର୍ଯ୍ୟନ୍ତ କାଞ୍ଚନ ବ୍ୟସ୍ତ ରହିଛି ନୂଆ ମଣିଷଟିଏ ମାଟି ଉପରକୁ ଆଣିବା ପାଇଁ ।

 

ତାଳବରଡ଼ା ଓ ବସ୍ତାଗୁଡ଼ିକ ଥରିବାକୁ ଲାଗିଲେଣି । ମଣିଷ ତ କୋଠାଘର ଭିତରେ ରହି ନିରାପତ୍ତ ଓ ସୁଖର ଗ୍ୟାରେଣ୍ଟି ପାଉନି; ଆଉ ଏ ତାଳବରଡ଼ା-ବସ୍ତାର କାନ୍ଥ କାହାକୁ ଅଟକାଇ ରଖି ପାରିବ ? ନା, ପବନର ନିଃଶ୍ୱାସକୁ, ନା, ଆକାଶର ଲୁହକୁ ! ଭଗୁର ସମଗ୍ର ଦେହ ଉପରେ ଗରମ ଢେଉଟିଏ ବହିଗଲା ।

 

ବର୍ଷ ବର୍ଷ ଧରି ଗଛମୂଳ କିମ୍ବା ଏଇଭଳି ଆଶ୍ରୟକୁ ସେ ବିଶ୍ୱାସ କରୁଥିଲା, ନିର୍ଭରଯୋଗ୍ୟ ବୋଲି ଭାବି ଆସିଥିଲା; କିନ୍ତୁ ବର୍ତ୍ତମାନ ସେ ଉପଲବ୍‌ଧି କରିପାରୁଛି ଏହାର ନିଃସହାୟତା କଥା । ନିଜ ଦେହର ଓ କାଞ୍ଚନର ଶକ୍ତି ଅଣାୟତ୍ତ ଅଦୃଶ୍ୟ ଶକ୍ତିର ଇଙ୍ଗିତରେ ପଙ୍ଗୁ ହୋଇଯାଉଛି । ସବୁ ଜଣାପଡ଼ୁଛି ଅସ୍ଥାୟୀ ଓ ଦୁର୍ବଳ । ସକଳ ବସ୍ତୁର ସ୍ଥିତି ଯେକୌଣସି କ୍ଷଣରେ ଓଲଟ ପାଲଟ ହୋଇଯାଇପାରେ । ବିପଦ ସଙ୍କୁଳ, କଠୋର ପୃଥିବୀ ! ଅତୀତର ସମସ୍ତ ସ୍ମୃତି, ସମସ୍ତ ଜହ୍ନରାତି, ବାଜାର ଧ୍ୱନି, ସଙ୍ଗୀତର ଝଙ୍କାର, ନାଚ, ମାତାଲ ହେବାର କୌତୁକ–ବୋଧ ହେଉଛି ପ୍ରତାରଣାମୂଳକ, ଗୋଟାଏ ଧୋକାବାଜ । ପବନ ଶକ୍ତି ସଂଗ୍ରହ କରୁଛି । ଆକାଶରେ ସମ୍ଭାବିତ ବର୍ଷା ଓ ନିଶ୍ଚିତ ଅନ୍ଧାର । ନିର୍ଜନ ରାସ୍ତାକଡ଼ରେ ଛିନ୍ନଛତ୍ର ହେବାକୁ ଯାଉଥିବା ତାଳବରଡ଼ା ଓ ବସ୍ତା । ସ୍ୱାମୀ-ସ୍ତ୍ରୀ ସୃଷ୍ଟିର ସ୍ୱପ୍ନ ଦେଖୁ ଦେଖୁ ଧୈର୍ଯ୍ୟହରା ହୋଇ ପଡ଼ିଲେଣି । ପ୍ରତୀକ୍ଷା ଓ ଯନ୍ତ୍ରଣା ସରିନାହିଁ । ଜୀବନ ଓ ସୃଷ୍ଟି କ’ଣ ଏହାଠାରୁ ଅଧିକ କିଛି ନୁହେଁ ?

 

ପବନ ବନ୍ଦ ହୋଇଯାଇଛି; କିନ୍ତୁ ଆୟତନ ବୃଦ୍ଧି ପାଇବାରେ ଲାଗିଛି ମେଘ ଖଣ୍ତଟିର । ଆଉ ଅଳ୍ପ ସମୟ ପରେ ସୂର୍ଯ୍ୟ ଉପରେ ପଲସ୍ତରା କରିଦେବ । ଡାଳରୁ ଝୁଲୁଥିବା ଗଣ୍ଠିଲିଟି ସ୍ତବ୍‍ଧ, ଅସ୍ଥିର ହେଉଥିବା ବରଡ଼ା ଓ ଛିଣ୍ତା ବସ୍ତାଗୁଡ଼ିକ ନିର୍ବାକ୍‌ ହୋଇ ଯାଇଛନ୍ତି । ଗୋଟିଏ ପାଖରେ ଥୁଆ ହୋଇଥିବା ଜୀବନ-ସଂଗ୍ରାମର ଅସ୍ତ୍ରଗୁଡ଼ିକ–ଶାବଳ, କୋଦାଳ, ପାଛିଆ–ବିଶ୍ରାମ ନେଉଛନ୍ତି । ଶକ୍ତି ସଂଗ୍ରହ କରୁଛନ୍ତି ଭବିଷ୍ୟତ ପାଇଁ ।

 

କେତୋଟି ଆମ୍ବଗଛ ମୂଳେ ଅସ୍ଥାୟୀ ଭାବରେ ଗଢ଼ି ଉଠିଥିବା ମଣିଷ ସମାଜର ଅବଶିଷ୍ଟାଂଶ ରହିଯାଉଛି । ଇତସ୍ତତଃ ଭାବରେ ଅକ୍ଷତ କିମ୍ବା ଛାରଖାର ହୋଇ ଯାଇଛନ୍ତି କେତୋଟି ଚୁଲି । ତିନୋଟି ପଥର । ସେମାନଙ୍କ ଉପରେ ରନ୍ଧାବଢ଼ା ହୋଇଥିବାର କିମ୍ବଦନ୍ତୀ । ମଝିରେ ମଲା ପାଉଁଶ ।

 

ଅନେକ ଦିନ ଧରି ରାସ୍ତା ମରାମତି ଚାଲିଥିଲା । ପଚାଶ ସରିକି କୁଲି ଲାଗି ପଡ଼ିଥିଲେ କାମରେ । ରାସ୍ତାର କ୍ଷତ ଉପରେ ଢଳା ଯାଉଥିଲା ଚିପ୍‌ସ । ଗରମ ଆଲ୍‍କାତରା ବୋଳି ଦିଆ ଯାଉଥିଲା ତା’ ଉପରେ । ରୋଡ଼୍‍ ରୋଲର୍‍ଟି ରାସ୍ତା ଉପରର ଏଇ ବ୍ୟାଣ୍ତେଜ୍‌ଟିକୁ ସମତଳ କରି ଦେଉଥିଲା ।

 

କାମ ସରିବା ପରେ, ସଞ୍ଜବେଳକୁ, ଗଛମୂଳେ ନିଆଁ ଜଳୁଥିଲା । ସିଲ୍‌ଭର ଡେକ୍‌ଚିର ବାମ୍ଫକୁ ଅପେକ୍ଷା କରି ଶୋଇ ପଡ଼ୁଥିଲେ କେତେଜଣ । ଅନ୍ୟମାନେ ପୁନରାବୃତ୍ତି କରୁଥିଲେ ପୁରୁଣା ଗୀତର । ଏଇ ହେଉଛି ଭଗୁଭଳି ମଣିଷର ଜୀବନର ଗତି । ଗୋଟିଏ ନିର୍ଦ୍ଦିଷ୍ଟ ରାସ୍ତାରେ ଯିବା । ଏଇ ରାସ୍ତାରୁ କେଉଁଠି କେମିତି ବାହାରିଥିବା ସମସ୍ତ ଶାଖା ରାସ୍ତାଗୁଡ଼ିକୁ ଆଖିବୁଜା ବାଦ୍‍ ଦେବାକୁ ପଡ଼େ । ବାଟବଣା ହେବାର ଭୟ ନାହିଁ । ଜଟିଳତା ଭିତରେ ଛନ୍ଦି ହେବାର ଆଶଙ୍କା ନାହିଁ-। ସର୍ବନିମ୍ନ ଆବଶ୍ୟକତାର, ଅଭିଳାଷହୀନତାର ଏଇ ରାସ୍ତାକଡ଼ର ଜୀବନ ।

 

ପାଞ୍ଚଦିନ ହେଲା ସମସ୍ତେ ଏ ସ୍ଥାନ ଛାଡ଼ି ଚାଲିଯାଇଛନ୍ତି । କେତେ ଦୂରରେ, ରାସ୍ତା କଡ଼ରେ; ଘରଦ୍ୱାରହୀନ ବସତିଟିଏ ତିଆରି ହୋଇଥିବ, କେଜାଣି ?

 

ଅସହ୍ୟ । ପାଖରେ ବସି ରହିବା ଆଦୌ ସମ୍ଭବ ନୁହେଁ । ଭଗୁ ଗଛମୂଳ ଛାଡ଼ି ଖଣ୍ତେ ବାଟ ଆଗେଇ ଗଲା, ମନ୍ତ୍ରମୁଗ୍‍ଧ ହେଲା ଭଳି । ଠିଆହେଲା ସେଇଠି । ନା । କେଉଁଆଡ଼େ ଯିବ ସେ ? କିଛି ଗୋଟାଏ ତାକୁ ବାନ୍ଧି ରଖିଛି । ବିରକ୍ତି ଓ ଆଶଙ୍କା ସୃଷ୍ଟି କରୁଥିବା କାଞ୍ଚନର କଷ୍ଟ ବୁଣି ହୋଇ ପଡ଼ିଛି ଏଠାରେ ମଧ୍ୟ । ଭୟରେ ଜଡ଼ସଡ଼ ହୋଇ ଆଖି-କାନ ବନ୍ଦ କରିଦେଲା ଭଗୁ । ଏଥର ଗୋଟିଏ କାଞ୍ଚନ ନୁହେଁ, ହଜାର ହଜାର କାଞ୍ଚନମାନଙ୍କର ଚିତ୍କାର । ଏଇକ୍ଷଣି ସେମାନଙ୍କର ହୁଏତ ହାଡ଼ ଭାଙ୍ଗିଯିବ, ମାଂସ ଫାଟିଯିବ । ପ୍ରସବହୀନ ଯନ୍ତ୍ରଣା । ସୃଷ୍ଟି ସମାପ୍ତି ଘଟିଲା କି ଆଉ ?

 

ତଳେ ବସିପଡ଼ିଲା । ତା’ର ଅବସନ୍ନ, ସଂଶୟପୂର୍ଣ୍ଣ ଦେହ ହଠାତ୍‌ ସଙ୍କୁଚିତ ହୋଇପଡ଼ିଲା । ତା’ର ମେରୁଦଣ୍ତ ଏଇ ଯେମିତି ଭୁଷୁଡ଼ି ପଡ଼ିବ । ଝାଳୁଆ, କଠିନ ମୁହଁର ଆକୃତି ବଦଳିଗଲା ଏବଂ ପର ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଭାବେ ବିସ୍ମୃତ ହୋଇ ଯାଇଥିବା ଲୁହର ସ୍ପର୍ଶ ଅନୁଭବ କଲା ଦୁଇ ଗାଲରେ । ତା’ ପରର ଘଟଣା ଆହୁରି ଆଶ୍ଚର୍ଯ୍ୟପ୍ରଦ । ଦୁଇ ପାପୁଲିରେ ମୁହଁ ଢାଙ୍କି ସେ କାନ୍ଦି ଉଠିଲା । କୋହର ଗୋଟାଏ ବିଶାଳ ବନ୍ୟା । ଗୋଟାଏ ପ୍ରତିବାଦ । ଗୋଟାଏ ପ୍ରାର୍ଥନା ।

 

କାଞ୍ଚନ ମରିଯିବ କି ? ଭଗୁ ଚାରିଆଡ଼କୁ ଚାହିଁଲା ଏଇ କଥାଟି କହିଥିବା ଲୋକଟିକୁ ଦେଖିବା ପାଇଁ । କେହି ନାହିଁ; କିନ୍ତୁ ଭାବନାଟି କ୍ଷଣକ ଭିତରେ ତା’ ଚେତନାକୁ ସଂକ୍ରମିତ କଲା । ସେ ପରିଷ୍କାର ଭାବରେ ଦେଖିପାରିଲା କାଞ୍ଚନର ମୁର୍ଦ୍ଦାର । ବିକୃତ ମୁହଁ, ଶେଷ ପର୍ଯ୍ୟନ୍ତ ଯନ୍ତ୍ରଣାଟି ମୁହଁ ଉପରୁ ପ୍ରତ୍ୟାହୃତ ହୋଇନାହିଁ । ଅଧା ବାହାରକୁ ଆସିଯାଇଥିବା, ବାକି ଅଧକ ତଥାପି ପେଟ ଭିତରେ ଥିବା ଗୋଟିଏ ଛୁଆ । ଲଟକି ରହିଛି । ମାଟିର ନୁହେଁ, କି ମା’ ପେଟର ନୁହେଁ । ମରିଯାଇଛି । ଅନ୍ଧାରରୁ ଆଲୁଅକୁ ଆସିବା ପୂର୍ବରୁ, ସଂକୀର୍ଣ୍ଣତାରୁ ବିଶାଳତା ଭିତରକୁ ଆସିବା ପୂର୍ବରୁ ।

 

କାଞ୍ଚନ ଏଇଭଳି ଅବସ୍ଥାରେ ମରିଯିବ ? ଭଗୁ ମୁଣ୍ତ ହଲାଇଲା ଏବଂ ପାଟିକରି କହି ପକାଇଲା–‘‘ଚୁପ୍‌ ହେବୁ; ନା ଦେବି ଥଣ୍ତା କରି ?’’

 

ଏମିତି କ’ଣ ଘଟେ ନାହିଁ ? ସୃଷ୍ଟି କରୁ କରୁ ବିଧାତା ବେଳେବେଳେ ଅନ୍ୟମନସ୍କ ହୋଇଯାଏ ଏବଂ ଉପସ୍ଥିତ କର୍ତ୍ତବ୍ୟଟିକୁ ଭୁଲିଯାଏ । ଅଧାପନ୍ତରିଆ ହୋଇ ରହିଯାଏ କାମଟି । ଅଥଚ ସୃଷ୍ଟି ପୂର୍ଣ୍ଣାଙ୍ଗତା ଦାବି କରେ । ଅସମାପ୍ତ ସୃଷ୍ଟି ବୋଲି କିଛି ଅଛି କି ?

 

ଜମା ଛ’ମାସ ପୂର୍ବେ ଶମ୍ଭୁର ସ୍ତ୍ରୀ ମରିଗଲା ଏଇମିତି କଷ୍ଟ ପାଉ ପାଉ । ପୋଲ ତିଆରି ଚାଲିଥାଏ । ଚାରି-ପାଞ୍ଚ ଜଣ ଅଭିଜ୍ଞ ସ୍ତ୍ରୀଲୋକ ଘେରି ରହିଥାନ୍ତି ତାକୁ । ପାହାନ୍ତା ପହରୁ କଷ୍ଟ ପାଇବା ଆରମ୍ଭ କଲା । ପରଦିନ ଦଶଟା ବେଳକୁ ଆଉ କଷ୍ଟ ପାଇବାକୁ ପଡ଼ିଲା ନାହିଁ ତାକୁ । ଅଧା ପ୍ରସବ କରିଥିବା ଛୁଆଟି ସମେତ ମରିଗଲା ସେ । ଭୟାବହ କରୁଣ ଦୃଶ୍ୟର ଛବିଟିଏ ଆଙ୍କି ଦେଇଗଲା ସମସ୍ତଙ୍କ ସ୍ମୃତିରେ ।

 

କାଞ୍ଚନ ଯଦି ମରିଯାଏ ସତକୁ ସତ ସେ କରିବ କ’ଣ ? ରାସ୍ତା କଡ଼ରେ ହାତ ଧରିଥିବା, ରାସ୍ତା କଡ଼ରେ ସଂସାର କରିଥିବା, ରାସ୍ତା କଡ଼ରେ ଉତ୍ତର-ପୁରୁଷ ଗଢ଼ୁଥିବା ପୃଥିବୀର ସର୍ବଶ୍ରେଷ୍ଠ ମଣିଷଟି ଉଦ୍ଧାର ପାଇବ ନାହିଁ ଏ ପରୀକ୍ଷାରୁ ? ଭଗୁ ଆଖି ପୋଛି ଚାହିଁଲା ଆମ୍ବଗଛ ମୂଳକୁ । ବିଚାରୀ କାଞ୍ଚନ ! କେତେ କଷ୍ଟ ନ ହେଉଛି ତାକୁ ! ତା’ର ମରଦ ହୋଇ କ’ଣ ବା ସେ କରୁଛି ? କଷ୍ଟ ପାଇବାଟା ମଣିଷର ସମ୍ପୂର୍ଣ୍ଣ ଏକ ବ୍ୟକ୍ତିଗତ ବ୍ୟାପାର ବୋଲି ସେ ଜାଣି ନ ଥିଲା । ତା’ଭଳି ଇଚ୍ଛୁକ ଲୋକଟି କାଞ୍ଚନର ଯନ୍ତ୍ରଣାରୁ ଭାବ ପାଉନାହିଁ । କ’ଣ ଆଉ ସେ କରିବ ?

 

କିମ୍ବା ଏମିତି ବି ଘଟିପାରେ–

 

ସପନିର ଘରଣୀ ଜନ୍ମ କରିଥିଲା ଅଦ୍ଭୁତ ଛୁଆଟିଏ । କପାଳ ମଝିରେ ଗୋଟିଏ ବୋଲି ଆଖି । କାନ ଦୁଇଟି ଓଲଟା । ତିନୋଟି ହାତ । ମୁଣ୍ତରେ ବିରାଟ ମାଂସ ପିଣ୍ତୁଳାଟିଏ । ଜନ୍ମ କରିବା ପରେ ସପନିର ସ୍ତ୍ରୀ ଦେଖିଲା ଛୁଆଟିକୁ ଏବଂ ପରକ୍ଷଣରେ ମୂର୍ଚ୍ଛା ହୋଇଗଲା । ଛୁଆଟି ଥରେମାତ୍ର ପାଟି ଖୋଲିଥିଲା । କ’ଣ ତା’ର ଉଦ୍ଦେଶ୍ୟ ଥିଲା, ସେଇ ଅନ୍ତର୍ଯ୍ୟାମୀଙ୍କୁ ଜଣା । ମା’ର ସ୍ତନଟିକୁ ଖୋଜୁଥିଲା କି ଅପଦସ୍ତ ହୋଇ କାନ୍ଦିବାକୁ ଚାହୁଁଥିଲା, କେଜାଣି ? ଥରେହେଲେ ଝାମିଲା କରିନାହିଁ-। ଆଖି ବୁଜି ଦେଲା । ଛୁଆଟିକୁ ତିଆରିବାବେଳେ ବିଧାତାର ହାତ ଥରିଥିଲା ନିଶ୍ଚୟ । ବିକୃତ, ଅବାସ୍ତବ ହୋଇଗଲା ସୃଷ୍ଟିଟି ।

 

ଭଗୁ ଜାଗ୍ରତ ଥାଇ ଦେଖୁଥିଲା ଏଇଭଳି ଦୁଃସ୍ୱପ୍ନ ଗୁଡ଼ିଏ । ଏଥର ଅନୁନୟ କଲାଭଳି କହିଲା–‘‘ଜନ୍ମ ନ ହେଉଣୁ କେତେ ନବରଙ୍ଗ ଦେଖଉଛୁ ? ତୋ’ ମା’ ଆଉ ବାପକୁ କେତେ ଦୁଃଖ ଦେଲେ ମନ ତୋର ଶାନ୍ତ ହେବ ? ବାହାରି ଆ’ ପଦାକୁ । କାହାକୁ ଡର ? ତୋ’ ପାଖରେ ଶାବଳ, କୋଦାଳ ଅଛି । ତୋତେ ଶିଖେଇ ଦେବି ନାଚ ଆଉ ଗୀତ । ଅସନ୍ତୁଷ୍ଟ ହ’ନା । ଗୋଟାଏ ଅନ୍ଧାରିଆ ପେଟ ଭିତରେ କେତେବେଳଯାଏଁ ହାତ-ଗୋଡ଼ ବାନ୍ଧି ଜାକିଜୁକି ହୋଇ ରହିଥିବୁ ? କିରେ, ଆ ! ଡାକୁଛି ପରା ତୋତେ !’’

 

ଅନେକ ସମୟ ଧରି ବିଶ୍ରାମ ନେଇଥିବା ପବନ ପୁଣି ଚେଇଁ ଉଠିଲା । ଏଥର ଶକ୍ତି ବଢ଼ିଛି ତା’ର । ସୂର୍ଯ୍ୟଟି ହଜିଗଲା ବିଶାଳ ମେଘଖଣ୍ତର ଅନ୍ତରାଳରେ । ଧୂଳିର କୁହୁଡ଼ିଟିଏ ଧାଇଁ ଆସୁଛି ପଶ୍ଚିମ ଦିଗରୁ । ପବନ ଓ ବର୍ଷାର ଭୟାବହତା ଆରମ୍ଭ ହୋଇଯିବ ଏଇକ୍ଷଣି ।

 

ଭଗୁ ନିରୁପାୟ ହୋଇ ଚାହିଁଲା ଆମ୍ବଗଛ ତଳକୁ । ତାଳବରଡ଼ା ଓ ଛିଣ୍ତା ବସ୍ତାଗୁଡ଼ିକ ପବନର ସୁଅରେ ଭାସିଯିବାକୁ ତତ୍ପର ହୋଇ ପଡ଼ିଛନ୍ତି । ଡାଳରେ ବନ୍ଧା ହୋଇଥିବା ଗଣ୍ଠିଲିଟି ଜୋରରେ ହଲୁଛି–ଫାଶୀ ପାଇଥିବା ଲୋକଟିକୁ ଦେଖଣାହାରିଏ ଦୋଳି ଖେଳାଇଲା ଭଳି । ଦେହରେ ପାଣି ଟୋପାର ସ୍ପର୍ଶ ପାଇ ଭଗୁ ଚାହିଁଲା ଉପରକୁ । ଆଉ ରକ୍ଷା ନାହିଁ । ପବନ ଓ ବର୍ଷା ମାଡ଼ରେ ସମ୍ଭାବିତ ସୃଷ୍ଟିଟି ଧୂଳିସାତ୍‍ ହୋଇଯିବ ।

 

ସମୁଦାୟ ସ୍ଥାନଟି ଏତେ ଭୟାନକ ଓ ବିରୋଧୀ ଜଣାପଡ଼ି ନ ଥିଲା ତାକୁ । ଏ ସ୍ଥାନ ସତେ ଯେପରି ମଣିଷକୁ ଚିହ୍ନେ ନାହିଁ । ସମ୍ବେଦନଶୀଳ ହେବା ତ ଦୂରର କଥା; ଏହା ହିଂସ୍ର ହୋଇ ପଡ଼ିଛି ।

 

ଭଗୁ ବ୍ୟସ୍ତ ହୋଇ ଗଛମୂଳକୁ ଗଲା । ପବନକୁ ମୁହଁ କରି ଦୁଇହାତ ଟେକି ଠିଆ ହେଲା । ଚେଷ୍ଟା କଲା ସମସ୍ତ ପ୍ରତିବନ୍ଧକ ଓ ଷଡ଼ଯନ୍ତ୍ରରୁ ସୃଷ୍ଟିର ଗତିକୁ ପ୍ରତିରକ୍ଷା କରିବା ପାଇଁ । ଗୋଟିଏ ଦମକା ପବନ ଓ ପରେ ପରେ ଗୋଟିଏ ତାଳବରଡ଼ାର ନୃଶଂସ ପ୍ରତାରଣା । ଭଗୁ ପଛକୁ ଚାହିଁଲା । ତାକୁ ଉପହାସ କରି ପବନ ଉପାଡ଼ି ଦେଉଛି ତାଳବରଡ଼ାଗୁଡ଼ିକୁ ଏବଂ ବିନା ପ୍ରତିବାଦରେ ସେମାନେ ପବନର ନିର୍ଦ୍ଦେଶନା ମାନି ନେଉଛନ୍ତି । ଏଥର ପବନ ନିର୍ବିଘ୍ନରେ ଆବିଷ୍କାର କରିପାରିଲା ଯନ୍ତ୍ରଣା ପାଉଥିବା ନିରୁପାୟ ମଣିଷଟିକୁ । ତିନିଟା ବରଡ଼ା ଧରି ଭଗୁ ତିଆରି କଲା ବାଡ଼ଟିଏ । ଧୂଳିଝଡ଼ ବିରୁଦ୍ଧରେ ଗୋଟାଏ ବନ୍ଧ ।

 

–‘‘ପଳାଅ ଏଠୁ । ସିଆଡ଼କୁ ଯାଅ ।’’ ପ୍ରାୟ ଚାରିଘଣ୍ଟା ପରେ ଭଗୁ ମଣିଷର ସ୍ୱର ଶୁଣିବାକୁ ପାଇଲା; କିନ୍ତୁ ଏହା ତ କାଞ୍ଚନର ସ୍ୱର ନୁହେଁ । ଏ ଅର୍ଦ୍ଧମୃତ, କୋହ-ଯନ୍ତ୍ରଣା-କ୍ଳାନ୍ତିର ସ୍ୱର କାହାର ? ପଛକୁ ଚାହିଁବା ପାଇଁ ସାହସ ହେଲାନି ଭଗୁର ।

 

–‘‘କହୁଛି ପରା ଏଠୁ ଯାଅ ବୋଲି !’’ କାଞ୍ଚନ ଏଥର ବିରକ୍ତ ହେଲା । ସ୍ୱର କିନ୍ତୁ ଆଗଭଳି କାନ୍ଦ କାନ୍ଦ ।

 

–‘‘ରହ । ମିଛଟାରେ ପାଟି କରନା । ଦେଖୁନୁ, ଧୂଳି ଝଡ଼ ଉଠିଛି କେମିତି ?’’ ଭଗୁ କହିଲା ଦୃଢ଼ତାର ସହିତ କାଞ୍ଚନର ବିରୋଧକୁ ଅମାନ୍ୟ କରି ।

 

ଧୂଳିର ପରସ୍ତରେ ବ୍ରହ୍ମାଣ୍ତ ହଜିଯାଉଛି ଭଗୁ ଦୃଷ୍ଟିରୁ । ପବନ ଆକ୍ରମଣ କରୁଥିଲା, ତା’ ସାମନାରେ ପାଉଥିବା ଯେକୌଣସି ବସ୍ତୁକୁ ଭୟାନକ ଗର୍ଜନ କରି । ସୃଷ୍ଟିର ଅନ୍ତିମ ସମୟ ଆସିଗଲା ।

 

କିନ୍ତୁ ବେଶି ସମୟ ପାଇଁ ଭଗୁକୁ ତାଳବରଡ଼ା ଧରି ଠିଆ ହେବାକୁ ପଡ଼ିଲା ନାହିଁ । ମହାଶୂନ୍ୟକୁ ଧୂଳିରେ ମଖେଇ ଦେଇ ପବନ ଥକ୍‍କା ମେଣ୍ଟାଇଲା । ଏଥର ଗଛର ପତ୍ର ଏବଂ ମାଟି ଉପରେ ବର୍ଷା ଟୋପା । ଘଡ଼ଘଡ଼ି, ବିଜୁଳି ଏବଂ ବର୍ଷା । ପବନ ଅପରିଷ୍କାର କରି ଦେଇଥିବା ବ୍ରହ୍ମାଣ୍ତକୁ ଧୋଇଦେବା ପାଇଁ ବର୍ଷାର ପ୍ରତିଜ୍ଞା । ଆଜ୍ଞାଧୀନ, ଶାନ୍ତଶିଷ୍ଟଭଳି ସମସ୍ତେ ଠିଆ ହୋଇ ବର୍ଷାର ସ୍ନେହଶୀଳ ହାତର ସ୍ପର୍ଶ ଅନୁଭବ କଲେ ।

 

ଭଗୁ ଅଳ୍ପ ସମୟ ପାଇଁ ଛତାଟିଏ ଭଳି ଦୁଇଟି ବରଡ଼ା ଟେକି ଧରିଥିଲା କାଞ୍ଚନ ଉପରେ-। ଏବେ ସ୍ତମ୍ଭୀଭୂତ ହୋଇ ଠିଆ ହୋଇଛି । କିଛି ଫାଇଦା ହେଲା ନାହିଁ । ବର୍ଷା ଅଧିକ ଶକ୍ତିଶାଳୀ ବୋଲି ଗଛତଳେ ମାୟା ସୃଷ୍ଟି କରେ । ଭାବନାହୀନ ଭଗୁ ଦେଖିଲା, ଦୁଇଟି ସାପ ଭଳି କାଞ୍ଚନର ଦୁଇ ପାଖରେ ମାଟିଆ ପାଣିର ଦୁଇଟି ସ୍ରୋତ ଧାଉଁଛନ୍ତି ଆଗକୁ । ଡାଳରୁ ଝୁଲୁଥିବା ଗଣ୍ଠିଲିଟି ଗୋଡ଼ହାତ ବନ୍ଧା ଯାଇଥିବା ମଣିଷଟିଏ ହୋଇ ଟୋପା ଟୋପା ଲୁହ ଝରାଉଛି । ସଞ୍ଜ ହେବାକୁ ଆଉ କେତେ ଡେରି କେଜାଣି ? ଦିନର ଆଲୁଅ ମଳିନ ହୋଇଗଲାଣି । ସେ କିନ୍ତୁ ଶଙ୍କିତ ହେଲା ନାହିଁ ଆଉ । ବ୍ୟସ୍ତ ହେବା ଦରକାର କ’ଣ ? ଯାହା ହେବାର କଥା ହୋଇଯିବ ।

 

–‘‘ସେଇଠି କ’ଣ ହେଉଛି ?’’

 

ଭଗୁ ବୁଲି ଦେଖିଲା । ବୁଢ଼ୀ ଜଣେ । ମୁଣ୍ତରେ ଗୋଛାଏ ଶୁଖିଲା, ଲମ୍ୱ କାଠ । ବର୍ଷା ମାଡ଼ରେ ଓଦା ହୋଇଯାଇଛି । ବିଡ଼ାଏ ଶାଳ ପତ୍ର । ବିଡ଼ାଏ ଶାଳ ଦାନ୍ତକାଠି । ପିନ୍ଧିଛି ଆଣ୍ଠୁ ପର୍ଯ୍ୟନ୍ତ ଛିଣ୍ତା ଲୁଗାଟିଏ । ସମ୍ପୂର୍ଣ୍ଣ ଭାବେ ତିନ୍ତି ଯାଇଛି । ଭଙ୍ଗା ଧଡ଼ିରୁ ଟୋପା ଟୋପା ପାଣି ପଡ଼ୁଛି-। ଗୋଟିଏ ହାତ ମୁଣ୍ତ ଉପର ବୋଝରେ ପକାଇ, ଆର ହାତ ପାପୁଲିରେ ସେ ପୋଛିଲା ପାଣିଚିଆ, ନିଷ୍ପ୍ରଭ ମୁହଁକୁ । ପଚାରିଲା–‘‘ସେଇଠି କ’ଣ ହେଉଛି ?’’

 

ଭଗୁର ତମାମ ଦେହ ଅଭୂତପୂର୍ବ ଅନୁଭୂତିରେ ରୋମାଞ୍ଚିତ ହୋଇଗଲା । ପଚିଶବର୍ଷର ଦେହଟି ହଠାତ୍‌ ଅନ୍ତର୍ଦ୍ଧାନ ହୋଇଗଲା କେଉଁଆଡ଼େ । ସେ ପାଲଟିଗଲା ପୁଲକମୟ, ଉଲ୍ଲାସମୟ, ହାଲୁକା ସତ୍ତାଟିଏ । କେଉଁଆଡ଼େ ଯିବ ସେ ? ନିମିଷକ ମଧ୍ୟରେ ବୁଲିଆସିବ ପୃଥିବୀର ସମସ୍ତ ଉନ୍ମୁକ୍ତ, ଲୁକ୍‍କାୟିତ ସ୍ଥାନ ? କ’ଣ କରିବ ସେ ? ସଂସାରର ବର୍ତ୍ତମାନ ଓ ଭବିଷ୍ୟତ୍‍ର ସମସ୍ତ କାମ ଏଇକ୍ଷଣି ଶେଷ କରିଦେବ ? କିଛି କହିବା ପୂର୍ବରୁ ସେ ଚିତ୍କାର କରି ପଳାଇଲା; ଯାହାର ଅର୍ଥ ନିଜେ ସେଇ ଚିତ୍କାର । ବିଚିତ୍ର ଭାବରେ ତା’ ମୁହଁର ପ୍ରତ୍ୟେକ ସ୍ଥାନ କମ୍ପି ଉଠିଲା; ଯାହାର ତାତ୍ପର୍ଯ୍ୟ ନିଜେ ସେଇ ମୁହଁ ।

 

–‘‘ମୋ ସ୍ତ୍ରୀ... ।’’ ଭଗୁ କଥା ଶେଷ କରିପାରିଲା ନାହିଁ । ଅନ୍ୟ ଏକ ଭାଷାର କୋହ ଶୁଭିଲା ତା’ ପାଟିରୁ ।

 

ତଳେ କାଠ-ପତ୍ରର ବିଡ଼ାଟି ରଖିଦେଇ ପୁରୁଣା ସ୍ତ୍ରୀଲୋକଟି ସେତେବେଳକୁ କାଞ୍ଚନ ପାଖରେ ପହଞ୍ଚିଗଲାଣି । ଗୋଟାଏ ଆଦେଶ ଶୁଭିଲା–‘‘ଭଲ ପାଣି ବାଲ୍‌ଟିଏ ଆଣ । ଶୁଖିଲା କନା ମେଞ୍ଚେ ବଢ଼େଇଦେ । ନିଆଁ ଜାଳ । ସେଇଠି ଠିଆହୋଇ ରହିଲୁ କ’ଣ ?’’

 

ଆଦେଶ ବି ଏତେ ଆପଣାର, ଏତେ ମଧୁର ଶୁଭେ ! ମାତ୍ର କେଉଁ କାମଟି ଆଗ କରିବ, ତାହା ଠିକ୍‌ କରିପାରିଲା ନାହିଁ ସେ । ପରାମର୍ଶ ପାଇ, ଲୋଚାକୋଚା ସିଲଭର ଡେକ୍‍ଚି ଧରି ସେ ବାହାରିଲା ପାଣି ପାଇଁ ।

 

ପାଣି ଆଣି ଗଛ ପାଖରେ ପହଞ୍ଚିବା ବେଳକୁ ବର୍ଷା ଛାଡ଼ି ଯାଇଥାଏ । ଆକାଶ ସ୍ୱଚ୍ଛ । ଶେଷ ସୂର୍ଯ୍ୟର କିରଣ ଡେଙ୍ଗା ଗଛ ଉପରେ ଲଦି ହୋଇଥାଏ । ମାଟିରୁ ବାହାରୁଥିଲା ବହଳିଆ ଗନ୍ଧଟିଏ । ଡେକ୍‌ଚିଟା ତଳେ ଥୋଇ ଗଣ୍ଠିଲି ଖୋଲିଲା । ଅଳ୍ପ କେତୋଟି ଅଂଶ ବାଦ୍‌ ଦେଲେ, ଆଉ ସବୁ ଭିଜିଯାଇଛି । ଓଦା କାଠ ସଜାଡ଼ି ଅଣ୍ଟାରେ ଧରିଥିବା ଦିଆସିଲିରୁ କାଠି ବାହାର କରିବାକୁ ଯାଉଛି, ସେ ଶୁଣିଲା ତ୍ରୁଟିହୀନ କାନ୍ଦଣାଟିଏ–ନୂଆହୋଇ ପୃଥିବୀକୁ ଆସିଥିବା ଛୋଟ ମଣିଷର ।

 

ହାତ ଅଟକିଗଲା ଭଗୁର । କାନ୍ଦଣା ନୂଆ ଜଣାପଡ଼ୁଛି କାହିଁକି ? ମାଟିକୁ ଛୁଇଁବାକ୍ଷଣି ଏତେ ଦୁଃଖ କାହିଁକି ? କାହିଁକି ଏ ଆପତ୍ତିର ସ୍ୱର ? କାନ୍ଦଣାଟି ଅସ୍ୱୀକାର ଓ ଅମାନ୍ୟ କରୁଥିଲା ଏଠାକାର ସମଗ୍ର ପରିସ୍ଥିତିକୁ । ସମସ୍ତ ଦରବକୁ ନାକଚ କରି କାନ୍ଦଣାଟି ଘୋଷଣା କରୁଥିଲା ନିଜ ମର୍ଜି ଓ ବିପ୍ଳବର ଇସ୍ତାହାର ।

 

ଅଳ୍ପ ସମୟ ପରେ କାନ୍ଦଣାର ରୂପ ବଦଳିଗଲା । ଏଥରର କାନ୍ଦଣା ଆତ୍ମସମର୍ପଣର, ପ୍ରତିବାଦ ନ କରି ସବୁ କଥାକୁ ଗ୍ରହଣ କରିନେବାର ଗୋଟାଏ ବଳିଷ୍ଠ ଶକ୍ତି ଛୁଆଟିକୁ ଜୋର୍‌ କରି ଶିଖେଇ ଦେଉଥିଲା ଏଠାରେ ଚଳିବାପାଇଁ ଦରକାର ହେଉଥିବା ସତର୍କତା ଓ ନୀରବତା । ପ୍ରଚୁର ଦଣ୍ତ ପାଇ ସାରିବା ପରେ ଛୁଆଟି ଖୋଜୁଛି ଆଶ୍ରୟ ଓ ପିଠି ଆଉଁସା । ତା’ପରେ ସେ ଚୁପ୍‍ ହୋଇଗଲା । କ୍ଳାନ୍ତ ହୋଇଗଲାନା କ’ଣ ? ଏଇମାତ୍ର ଦେଖୁଥିବା ପରିବେଶର ବିଶାଳତା ତାକୁ ବୋକା କରିଦେଲା ବୋଧହୁଏ ।

 

କୁଣ୍ଠିତଭାବରେ ଜଳୁଛି ନିଆଁ । ସୂର୍ଯ୍ୟ ବୁଡ଼ିଗଲାଣି । ଜମାଟ ବାନ୍ଧୁଥିବା ଅନ୍ଧାର ଭିତରେ ଭଗୁ ଦେଖିଲା, ସ୍ତ୍ରୀଲୋକଟି ମୁଣ୍ତର ବୋଝ ଧରି ପିଚୁ ରାସ୍ତା ଉପରେ ହେଲାଣି । ଭଗୁର ପାଟି ଉନ୍ମୁକ୍ତ ହୋଇ ରହିଲା କିଛି ସମୟ ପାଇଁ । ଡାକିବ ? କ’ଣ ପାଇଁ ? ସେ’ଦିନର ପ୍ରଥମ ସ୍ମିତ ହସଟି ଦେଖାଦେଲା ତା’ ମୁହଁରେ । ଅନ୍ଧାର ଭିତରେ ମିଶି ଯାଉଥିବା ଛାଇଆଡ଼ୁ ଦୃଷ୍ଟି ଫେରାଇ ସେ ପୁଣି ଆଖି ପୋଛିଲା ।

 

କାଞ୍ଚନ ଶୋଇ ନାହିଁ । ଛୁଆଟିକୁ ଛାତିରେ ଜାକି ସ୍ତନ ଗୁଞ୍ଜିଛି ତା’ ଦୁଇ ଓଠର ସନ୍ଧିରେ-। ଆଖି ବୁଜି ଅଜାଣତରେ ଛୁଆଟି ସନ୍ତୁଷ୍ଟ କରୁଥିଲା ସର୍ବଶ୍ରେଷ୍ଠ ଦରକାରଟିକୁ । ଛୁଆଟିର ରଙ୍ଗ ତା’ଭଳି, କାଞ୍ଚନଭଳି । ଚକ୍‌ ଚକ୍‌ କଳା । ପୂର୍ଣ୍ଣାଙ୍ଗ । ଭଗୁ କାଞ୍ଚନ ଆଡ଼େ ଚାହିଁଲା । କହିଲା–‘‘ଶୋଇପଡ଼ । ଚୁପ୍‌ଚାପ୍‍ ଶୋଇପଡ଼ ।’’

 

ଅନ୍ୟ ଏକ ସ୍ଥାନରେ ଚାଲିଥିଲା ରାସ୍ତା ମରାମତି ! ପଚାଶ ପର୍ଯ୍ୟନ୍ତ ଶ୍ରମିକ ଲାଗି ପଡ଼ିଥିଲେ କାମରେ । ଧୂଳିମଖା ଗୋଡ଼ ଲମ୍ୱାଇ, ଆମ୍ୱ ଗଛରେ ଡେରିହୋଇ ବସିଥିଲା କାଞ୍ଚନ । ଧୂଳିମଖା ହାତରେ ଧରିଥିଲା ଛୁଆଟିକୁ । ଛୁଆଟିର ଦୁଇ ଓଠରେ ସ୍ତନ ଜାକିଧରି ଚାଲିଥିବା କାମ ଆଡ଼କୁ ଚାହିଁଥିଲା ।

 

ଭଗୁ ଠିଆ ହେଲା ପାଖରେ । ହାତରେ ଧରିଛି ବଡ଼ ପ୍ଲାଷ୍ଟିକ୍‌ କଣ୍ଢେଇର ପଟେ ଛିନ୍ନ ଗୋଡ଼ । ଇଷତ୍‌ ନାଲି ରଙ୍ଗର । ମଇଳା ହୋଇଯାଇଛି । ସେଇଟିକୁ ବଢ଼େଇ ଦେଇ କହିଲା–‘‘ରଖିଥା ପାଖରେ । ଖେଳିବ । ରାସ୍ତା କଡ଼ରେ ପଡ଼ିଥିଲା ।’’

Image